କବି ପରିଚୟ

News Story - Posted on 2016-11-11

ରବି କାନୁନ‌୍‍ଗୋ

 

କବି ଦର୍ପଦମନ ଅଭିଷେକ (ତାଙ୍କ କବିପୂର୍ବ ନାଁ ଥିଲା- ଦଇତାରି ପରିଡ଼ା) କଲେଜ ସାମ୍ନାରେ ରିକ୍ସାରୁ ଓହ୍ଲାଇଲେ। ଟ୍ରାଉଜର ସଜାଡ଼ି ପଞ୍ଜାବିର ହାତ ଆଉ ଟିକେଟିକେ ଉପରକୁ ମୋଡ଼ି ଦେଲେ। ଆନମନା ଢଙ୍ଗରେ ସୁନା ଚେନ‌୍‍କୁ ଅଳ୍ପ ଦେଖେଇଲା ପରି ପଞ୍ଜାବି ବାହାରକୁ ଅଧା କାଢ଼ିଦେଲେ। କ୍ୟାମ୍ପସ‌୍‍ ଭିତରକୁ ଯାଇ ଦେଖନ୍ତି ଯେ ଆଡମିସନ‌୍‍ କାଉଣ୍ଟରରେ ଶହେ ଲାଖି ପୁଅ ଝିଅଙ୍କ ଧାଡ଼ି।

 

କିହୋ, କି ଅଦ୍ଭୁତ ଯୁଗ! ଆଜିକାଲି ପୁଅ ଝିଅଙ୍କ ଲାଗି ଅଲଗା ଅଲଗା ଧାଡ଼ି ହଉନି କି? ମନେମନେ ଗୁଣ‌୍‍ଗୁଣେଇଲେ ସିନା, କାହାକୁ ପଚାରିବେ? କ୍ୟୁର ଯେମିତିକା ସର୍ବଜ୍ଞାତ ମହିମା, ସେଠି କିଛି ବ୍ୟତିକ୍ରମ ଜଣାପଡ଼ୁଥିଲା। ଝିଅ ପୁଅ ମିଶି ଠିଆ ହୋଇଛନ୍ତି। କିଏ ଆଉ କାହାକୁ ଜାଣି ଛୁଇଁ ଦେଉଛି ତ ସାଙ୍ଗମାନେ ସମ୍ମତିରେ ହସୁଛନ୍ତି। କ୍ୟାମ୍ପସ‌୍‍ଟା ସାରା ବିଶ୍ୱ ମାନଚିତ୍ର ପରି ମେଳାମେଳା ରୋମାଞ୍ଚ ରଞ୍ଜିତ ଯୌବନ। ସାତ ରଙ୍ଗକୁ ସାତ ସହସ୍ରରେ ପରିଣତ କରିଥିବା ଅସଂଖ୍ୟ ପ୍ରଜାପତି। ଟିକେ ଫୁ କରିଦେଲେ ଉଡ଼ିଯିବେ। ଦେଖିବାକୁ ଭାରି ମନ ହେଉଥାଏ। ସତରେ ଏକା, ଏହାକୁ ବୟସର ବିଶ୍ୱମେଳା କୁହାଯାଇପାରେ। ଏତେ ବିଚଳିତ ଭାବନା ପାଇଁ ନିଜ ବୟସ ବାଧା ଦେଲା। ସରୋଜିନୀକୁ ଚିଠି ଖଣ୍ଡେ ଦେବେ ଦେବେ ବୋଲି ଅଷ୍ଟମ ଶ୍ରେଣୀରୁ ମନାସିଥିଲେ ଯେ ସେଥିପାଇଁ କେତେ ଅନିଦ୍ରାର ରାତି ବିତେଇଥିଲେ। କେତେଥର ନିଶ୍ୱାସ ଜାକି ଯୋଜନା ପରେ ଯୋଜନାମାନ ତିଆରି କରୁଥିଲେ। ସ୍କୁଲ ଓ କଲେଜ ସବୁ ପାଠ ଟପି ସମୟ ଆଗକୁ ପଳାଇଗଲା। ହେଲାନି। ସେ ସରୋଜିନୀ ବାହା ହୋଇଗଲା। ଏବେ ସେ ୟାଙ୍କୁ ଚିହ୍ନିବ କି ନା, କିଏ ଜାଣେ?

 

ଦର୍ପଦମନ ଅଭିଷେକ କଲେଜ ଆସିଥା’ନ୍ତି କାରଣ ତାଙ୍କ ଝିଅର ଆଡମିସନ‌୍‍। ସେ ନିଜେ ଆସିଥା’ନ୍ତା ଯେ ହେଲେ ବିଚାରୀକୁ କାଲି ଠାରୁ ଭାଇରାଲ‌୍‍ ଫିଭର‌୍‍। ଆଜି ଆଡମିସନ‌୍‍ ନକଲେ ନ ଚଳେ ବୋଲି କହି ମା’ ଝିଅ ଘରେ କାଲି ରାତିରେ ମହାଭାରତ ଆରମ୍ଭ କରିଦେଲେ। ଅପେକ୍ଷାକୃତ ଖରାପ କଲେଜବାଲାଙ୍କର ଇଏ ଗୋଟେ ଫିକ୍କର। ଆଡମିସନ‌୍‍ ପାଇଁ ଭଲ କଲେଜ ଠାରୁ ଦିନେ ଦି ଦିନ ଆଗରୁ ତାରିଖ ପକେଇଦେବେ। ପିଲାଟା ଯେମିତି ହେଲେ ସେଇଠି ଆଡମିସନ‌୍‍ କରିବାକୁ ବାଧ୍ୟ ହେବ। ପଛରେ ଭଲ ଭଲ କଲେଜରୁ ଇଣ୍ଟିମେସନ‌୍‍ ଆସିପାରେ। ହେଲେ ଅଭିଭାବକ ସେତେବେଳକୁ ତଅ-ଖର୍ଚ୍ଚ କରି ସାରିଥିବ ନା।

 

କବି ଦର୍ପଦମନଙ୍କୁ ପିଲାଙ୍କ ସାଙ୍ଗରେ ଲାଇନ‌୍‍ରେ ଠିଆ ହେବାକୁ ଲାଜ ମାଡ଼ିଲା। ସେ ଦେଖିଲେ ଯେ କାଉଣ୍ଟର ଭିତରପଟ ଅଫିସରେ ମଧ୍ୟ କମ ଭିଡ଼ ନ ଥାଏ। ବଡ଼ବାବୁଙ୍କ ଟେବୁଲ ପାଖରେ ଭିଡ଼। ପଛପଟୁ ଯାଇ ରୁମ‌୍‍ ଭିତରକୁ ପଶିଗଲେ ସିନା, ମାତ୍ର ଯେତେ ଚେଷ୍ଟା କଲେ ବି ସେ ତାଙ୍କ ପାଖରେ ପହଞ୍ଚି ପାରିଲେ ନାହିଁ। ବଡ଼ବାବୁ ତାଙ୍କୁ ଜଣେ ଦେବତା ପରି ଲାଗିଲେ।

 

‘ଆରେ ଆରେ ଆସନ୍ତୁ। ନମସ୍କାର। ନମସ୍କାର।’ ବଡ଼ବାବୁ ପାଛୋଟିବାକୁ ଠିଆ ହୋଇଗଲେ। କବି ଦର୍ପଦମନଙ୍କ ମନ ହଠାତ‌୍‍ ଦିବ୍ୟାନନ୍ଦରେ ପୂରିଗଲା। ସେ ପାହୁଣ୍ଡେ ଆଗକୁ ଯାଇଛନ୍ତି କି ନା, ଜାଣି ପାରିଲେ ଯେ ବଡ଼ବାବୁଙ୍କ ଅଭ୍ୟର୍ଥନା ତାଙ୍କ ପାଇଁ ନଥିଲା। ସେ ଆଗନ୍ତୁକ ଥିଲେ, ଘୋଷଣା ଅନୁଯାୟୀ - ପ୍ରଗତିଶୀଳ ଚେତନାଧର୍ମୀ ଦିନ ଏଗାରଟା ବେଳେ ପ୍ରକାଶ ପାଉଥିବା ରାଜ୍ୟର ସର୍ବାଧିକ ପ୍ରସାରିତ ଦୈନିକ ସମ୍ୱାଦପତ୍ର ‘ଖବର ଆପଣଙ୍କର ଇଚ୍ଛା’ର ସମ୍ୱାଦିକ ଗଲୁରାମ ଦାସ। ସେଇ ଖବରକାଗଜକୁ ଜାଣିବା ଲୋକେ ‘ଇଚ୍ଛା’ ବୋଲି ହିଁ ଜାଣନ୍ତି। କାରଣ, ଅତି ନଗଣ୍ୟ ଭାବେ ଛୋଟ ଅକ୍ଷରରେ ‘ଖବର ଆପଣଙ୍କର’ ଏବଂ ବହୁତ ବଡ଼ ଅକ୍ଷର ମାଷ୍ଟ‌୍‍ହେଡ‌୍‍ରେ ଛପା ହୋଇଥାଏ ‘ଇଚ୍ଛା’।

 

ନିଜ ମନକୁ ଧକ୍କା ଲାଗିଥାଉ ପଛେ, ବଡ଼ବାବୁ ସାମ୍ୱାଦିକଙ୍କୁ ଦେଖେଇଥିବା ବ୍ୟବହାର ଯୋଗୁ ଦର୍ପଦମନ ଖୁସି ହୋଇଗଲେ। କାରଣ ଜଣେ ସାମ୍ୱାଦିକ ଯଦି ଏତିକି ସମ୍ମାନ ପାଏ, ତା’ହେଲେ ଖୋଦ ତାଙ୍କ ସମ୍ପାଦକ ତ ୟାଙ୍କ ପାଖକୁ ଲେଖା ମାଗିବାକୁ ଚିଠି ପରେ ଚିଠି ପଠାନ୍ତି। ତେଣୁ ଦର୍ପଦମନ ନିଶ୍ଚିତ ହୋଇଗଲେ ଯେ ତାଙ୍କ ସମ୍ମାନ ବହୁ ଉପରେ ଥିବ। ହଉ ଦେଖିବା। ମାତ୍ର ସେ ବଡ଼ବାବୁଙ୍କ ପାଖ ପହଞ୍ଚି ପାରୁ ନଥା’ନ୍ତି।

 

ଗଲୁବାବୁ କାହା ଆଡମିସନ ପାଇଁ ଆସିଥିଲେ। ବଡ଼ବାବୁ ତାଙ୍କ ହାତରୁ ସବୁ କାଗଜପତ୍ର ନେଇ ବାଁ ହାତରେ କାଉଣ୍ଟର କିରାଣିକୁ ବଢ଼େଇଦେଲେ। ‘ଜାଣିଛନ୍ତି ନା, ଆପଣଙ୍କ କଲେଜ ନାଁରେ ବହୁତ କମ୍ପ୍ଲେନ‌୍‍। ପିଲାଙ୍କଠୁଁ ପଇସା ନେଇ କଲେଜ ମାଗାଜିନ‌୍‍ ତିନି ବର୍ଷ ହେଲା ଛପା ହେଇନି। ଅଡିଟ‌୍‍ରେ ଖର୍ଚ୍ଚ ଦେଖେଇଦିଆଯାଇଚି। ୟୁ.ଜି.ସି. ଗ୍ରାଣ୍ଟର ସିଭିଲ‌୍‍ ହେଡ‌୍‍ ଟଙ୍କା ତୋଷରପାତ ହେଇଚି। ମୋ ପାଖରେ କାଗଜପତ୍ର ପହଞ୍ଚି ଗଲାଣି ଯେ କ’ଣ କରିବା? ଆପଣଙ୍କ କଥା ମୋର ମନେ ପଡ଼ିଲା।’

 

ବଡ଼ବାବୁ ମୁଣ୍ଡ ନୁଆଁଇଁ ଈଷତ‌୍‍ ଲଘୁ ସ୍ୱରରେ କହିଲେ, ‘ହଁ, ସତ କଥା। ଆମର ସେଥିରେ କ’ଣ ଅଛି ଆଜ୍ଞା? କେମେଷ୍ଟ୍ରିର ରସାନନ୍ଦ ସାହୁ ମାଗାଜିନ ଚାର୍ଜରେ। ବଡ଼ କବିଟେ ତ! ସିଭିଲ‌୍‍ ହେଡ‌୍‍ ଟଙ୍କା କଥା ଯାହା କହୁଛନ୍ତି, ସବୁ ଖବର ଆପଣ ପାଇ ନ ଥିବେ। ପ୍ରିନ୍ସିପାଲ ତ ପ୍ରଳୟ ମାହାନ୍ତିକି ମୁଣ୍ଡରେ ଟେକି ବୁଲୁଛନ୍ତି। ଛାଡ଼ନ୍ତୁ ଆଜ୍ଞା, ଆମର କ’ଣ ଯାଏଆସେ ସେଥିରେ। ଢିଙ୍କି ସର‌୍‍ଗକୁ ଗଲେ ବି ଧାନ କୁଟିବ। କିରାଣି ଯୁଆଡେ଼ ଗଲେ ବି ଫାଇଲ‌୍‍ ଚଷିବ।’

 

କଥାବାର୍ତ୍ତା ଭିତରେ ଆଡମିସନ‌୍‍ କାମ ସରିଗଲା। ରସିଦ ଧରି ସାମ୍ୱାଦିକ ଗଲେ।

 

ୟା ଭିତରେ ଦର୍ପଦମନ ଦୁଇ ଥର ବଡ଼ବାବୁଙ୍କ ଟେବୁଲ ପାଖପାଖି ପହଞ୍ଚିଛନ୍ତି। ତାଙ୍କୁ ନମସ୍କାର କରିଛନ୍ତି। ବୋଧହୁଏ ଭିଡ଼ ଯୋଗୁ ତାଙ୍କ ଠାରୁ ସେ ପ୍ରତିନମସ୍କାର ପାଇ ନାହାଁନ୍ତି। ସେତେବେଳକୁ ଦୁଇ ଘଣ୍ଟା ପାର‌୍‍ ହୋଇ ଗଲାଣି। ମନରେ ପୁଳେ ଆଶା ବାନ୍ଧି ସେ ଭିତର ପଟ ବାରଣ୍ଡାରେ ଲକ୍ଷ୍ୟହୀନ ଭାବେ ବୁଲୁଥା’ନ୍ତି। ଦେଖିଲେ ସେଇ କଲେଜରେ ପିଅନ ଥିବା ତାଙ୍କ ପାଖ ଗାଁର ହରି ବେଜ ଆଉ ଗୋଟେ ବାରଣ୍ଡାରେ କୁଆଡ଼ୁ କୁଆଡ଼କୁ ଯାଉଚି। ଅତି ଆତ୍ମୀୟତା ସହକାରେ ତାକୁ ସେ ଉଚ୍ଚ ସ୍ୱରରେ ହରି ହରି ଡାକି ତା’ ସାହାଯ୍ୟ ଆଶା କରୁଥିଲେ। ଅଳ୍ପ କେତେ ଜଣଙ୍କୁ ଛାଡ଼ି କଲେଜ ଭିତରେ ତାକୁ ଏପରି କେହି ଡାକନ୍ତି ନାହିଁ।

 

ସାର‌୍‍ ବା ହରିବାବୁ ପରି ଶୁଣିବା ଅଭ୍ୟାସ ଯୋଗୁ ଏମିତିକା ଉଦ୍ଧତ ଭାବେ କିଏ ଡାକିଲା, ହରି ବେଜ ବୋଧେ ଅପ୍ରତିଭ ହେଲା। ନ ଚିହ୍ନିଲା ପରି ସେ ସେଇଠି ଠିଆ ହୋଇ ୟାଙ୍କୁ ଅପେକ୍ଷା କଲା। ଦର୍ପଦମନ ତା ପାଖରେ ପହଞ୍ଚିଲେ। ଚାରି ପାଞ୍ଚ ବାକ୍ୟରେ ନିଜ ପରିଚୟ, କବି ପ୍ରସିଦ୍ଧି, ସମସ୍ୟା ଓ ନିବେଦନ କହି ଝିଅର ଆଡମିସନ‌୍‍ ପାଇଁ ତା’ଠାରୁ  ସାହାଯ୍ୟ ଲୋଡ଼ିଲେ।

 

‘ମୋର ତ କେମେଷ୍ଟ୍ରି ଡିପାର୍ଟମେଣ୍ଟ। ମୁଁ କ’ଣ କରିବି?’

 

‘ତୁମେ ଏ କଲେଜରେ ପିଅନ ଅଛ ପରା?’

 

‘ମୁଁ ଆଟେଣ୍ଡାଣ୍ଟ‌୍‍। ପିଅନ କାହିଁକି ହେବି?’ ଅପ୍ରକାରିଆ ମୁହଁଟେ କରି ସେ ସେଠାରୁ ଚାଲିଗଲା।

 

କବି ଦର୍ପଦମନ ହରିର ବ୍ୟବହାରରେ ରାଗି ନ ଥିଲେ। ଯୋଉ ସୁଖ ତା ମନକୁ ଯେତିକି କୂଳେଇବ ସେଇଥିରେ ସୁଖୀ ହଉ ସିଏ। ଆଟେଣ୍ଡାଣ୍ଟଟା ବଡ଼ ପଦ - ଏମିତି ଯଦି ସେ ଭାବୁଚି ଭାବୁଥାଉ। ମନକୁ ମନ କହିଲେ, ମୂଢ଼ ତୁ କାହୁଁ ମୋତେ ଚିହ୍ନିବୁ ରେ? ନ ହେଲେ କି ପ୍ରଫେସର ନହୋଇ ତୁ ପିଅନ ହୋଇଥା’ନ୍ତୁ? ସେ ପୁଣି ପଶିଲେ ବଡ଼ବାବୁଙ୍କ ଅଫିସ ଭିତରେ। ସେଠାକାର ଭିଡ଼ ଟିକେ ପତଳା ହୋଇ ଯାଇଥାଏ। ତାଙ୍କ ସାଙ୍ଗରେ ଭିତରକୁ ପଶିଲେ ଜଣେ ପୁଲିସ ସବ‌୍‍-ଇନିସ‌୍‍ପେକ୍ଟର।

 

ଏଥର ବଡ଼ବାବୁ ସିଧା ନିଜ ସିଟ‌୍‍ରୁ ଉଠିଗଲେ। କାଉଣ୍ଟର କିରାଣି ପାଖରେ ନଇଁ ପଡ଼ି ପୁଲିସ ବାବୁଙ୍କ କାମ କରାଇଲେ। ତାଙ୍କୁ ବାଟେଇ ଦେବାକୁ ବାହରକୁ ଯାଇ ଫେରିଲା ବେଳକୁ ଦର୍ପଦମନ ତାଙ୍କୁ ବାରଣ୍ଡାରେ ନମସ୍କାରର କଲେ।

 

‘କ’ଣ ହେଲା?’

 

‘ଆପଣ ବୋଧେ ମୋତେ ଚିହ୍ନି ନାହାଁନ୍ତି। ମୁଁ କବି ଦର୍ପଦମନ ଅଭିଷେକ। ମୋ ଲେଖା କବିତା ବି.ଏ. ଅନର୍ସ ଆଉ ଓଡ଼ିଆ ଏମ.ଏ.ରେ ପଢ଼ା ହୁଏ।’

 

‘ଆଛା ଆଛା, ଆପଣ ପ୍ରିନ‌୍‍ସିପାଲ‌୍‍ଙ୍କୁ ଦେଖା କରନ୍ତୁ।’ ଏତିକି କହି ସେ ଭିତରକୁ ପଶି ଗଲେ।

 

‘ନାଇଁ ମୋର ଆପଣଙ୍କ ପାଖରେ କାମ ଅଛି।’

 

ନିଜ ସିଟ‌୍‍ରେ ବସୁବସୁ ସେ ପଚାରିଲେ, ‘କ’ଣ?’

 

ଦର୍ପଦମନ ନିଜ କଥା କହିବାକୁ ଯାଉଛନ୍ତି ସେତିକିବେଳେ ତାଙ୍କ ଟେବୁଲ ପାଖରେ ଠିଆ ହୋଇଥିବା ସାତ ନମ୍ୱର ୱାର୍ଡ କଣ୍ଟ୍ରୋଲ‌୍‍ ଡିଲର ମଙ୍ଗୁଳି ଜେନା ଅଭ୍ୟାସବଶତଃ ଏକ ବିକୃତ ଢଙ୍ଗରେ ଅଭିବାଦନ ଜଣେଇ ବଡ଼ବାବୁଙ୍କୁ କହିଲା, ‘ସାଆରେ, ନମସ୍କାଆରେ। ୟେ ଆମ ସପ‌୍‍ଲେ ସୁପ୍ରେଜର‌୍‍ଙ୍କ ଝୁଅର ନାଁ ଲେଖା ହବ ପରା। ଟିକେ କରେଇ ଦିଅନ୍ତୁ। ବାବୁ ବାହାରେ ଠିଆ ହେଇଚେନି। ଡାକିବି?’

 

‘ସବୁ ସାର୍ଟିଫିକେଟ କାଗଜପତ୍ର ଆଣିଚ ଟି? ଆଉ, କିରାସିନି ଫିରାସିନି ଆଇଲାଣି?’

 

ମଙ୍ଗୁଳି ଜେନା କାଗଜପତ୍ର ଓ ଟଙ୍କା ସହ ପ୍ରସ୍ତୁତ ହୋଇ ଆସିଥିଲା। ବାପାଙ୍କୁ ଡାକିବା ଦରକାର ହେଲା ନାହିଁ। ସେ ବଡ଼ବାବୁଙ୍କ ହାତକୁ କାଗଜ ଓ ଟଙ୍କା ବଢ଼େଇଦେଲା। କହିଲା, ‘ଆଜି ସନ୍ଧ୍ୟା ବେଳକୁ ଦୋକାନ ଆଡେ଼ ଆସୁନାହାଁନ୍ତି, ନେଇଯିବେ। ବଢ଼ିଆ ଆମେରିକା ରିଫେନ‌୍‍ ତେଲ ଆସିଚି। ଅଳ୍ପ ଆଉ ଅଛି। ନେବେ ତ ରଖିଥେବି।’

 

ଦର୍ପଦମନ ଉପରେ ପଡ଼ି କହଲେ, ‘ଆଜ୍ଞା ମୋ କଥା ଟିକେ ବୁଝିଲେନି?’

 

‘କ’ଣ?’

 

ହରି ବେଜକୁ ପୂର୍ବରୁ କହିଥିବା ପରି କବି ଦର୍ପଦମନ ଚାରି ପାଞ୍ଚ ବାକ୍ୟରେ ନିଜ ପରିଚୟ, କବି ପ୍ରସିଦ୍ଧି, ତାଙ୍କ ସମସ୍ୟା ଓ ନିବେଦନ କହି ଝିଅର ଆଡମିସନ‌୍‍ ପାଇଁ ତାଙ୍କ ଠାରୁ  ସାହାଯ୍ୟ ଲୋଡ଼ିଲେ।

 

‘ମଲା, କାଉଣ୍ଟରରେ ଦେଇଦଉ ନାହାଁନ୍ତି।’

 

‘ଲାଜ ମାଡ଼ିବ। ମୁଁ ପିଲାଗୁଡ଼ାଙ୍କ ସାଙ୍ଗରେ ଠିଆ ହେବି? ଆପଣ ଟିକେ ଏଇଠି କରେଇ ଦେଉ ନାହାଁନ୍ତି?’

 

‘ଲୋକଗୁଡ଼ାକ ଭିତରକୁ ଆସି ଏମିତି ଯୋଉ ଅଯଥା କଥା କହନ୍ତି, ମୋର ଆଉ କିଛି କାମ ନାହିଁ ନା? ବାହାରକୁ ଯାଆନ୍ତୁ’ କହି ସେ ୟାଙ୍କ ମୁହଁକୁ ଅନେଇଲେ ନାହିଁ।

 

ଦର୍ପଦମନଙ୍କୁ କଥାଟା ଭାରି ବାଧିଲା। କ’ଣ କରିବେ? ସମୟ ତିନିଟା ବାଜି ସାରିଲାଣି। ବାହାର କାଉଣ୍ଟରରେ ଯାଇ ଆଉରି ତିନି ଜଣ ପିଲା ଅଛନ୍ତି। ସେ ପଛରେ ଲାଇନ‌୍‍ ଦେଲେ। ଠିକ‌୍‍ ତାଙ୍କ ପାଳି ପଡ଼ିଲା ବେଳକୁ ସମୟ ହୋଇ ଯାଇଛି କହି କାଉଣ୍ଟର କିରାଣି ଖୋପ ବନ୍ଦ କରିବାକୁ ବସିଲା। ଇଏ ଯାହା କହିଲେ ସିଏ ମୋଟେ ଶୁଣିବାକୁ ରାଜି ହେଲାନି।

 

ଏଣ୍ଡୁଅ ପରି ଖୋପର ଅଳ୍ପ ପରିଧି ଭିତରୁ ସେ ବଡ଼ବାବୁଙ୍କ ଆଡ଼କୁ ଆତୁର ଭାବେ ଅନେଇଲେ। ଅର୍ଜୁନ ସ୍ୱୟମ୍ୱରରେ ଦ୍ରୌପଦୀ ଲାଭ ପାଇଁ ଜଳଛାଇ ଜରିଆରେ ମୀନ ନୟନକୁ ବି ଏତେ ଲୟ କି ଏତେ ତନ୍ମୟ ହୋଇ ଅନେଇ ନ ଥିଲେ। ଭାଗ୍ୟ ଭଲ, ବଡ଼ବାବୁଙ୍କ ନଜର ତାଙ୍କ ଉପରେ ପଡ଼ିଗଲା। ସେ କିରାଣିକୁ କହିଲେ, ‘ଆରେ ମାହାନ୍ତି, ଏଇ ଗୋଟାକ କରି ଦେ। ସେ ବାବୁ ପରା ଜଣେ କବି ଲୋକ। ଦେ ଦେ ଏଇ ଗୋଟାକ ଟିକେ କରି ଦେ।’

 

ଯୋଜନା ଅନୁଯାୟୀ ଫେରିଲା ବେଳେ ଝିଅ ପାଇଁ କିଛି ଔଷଧପତ୍ର ନେବାର ଥିଲା। ଦୋକାନସବୁ ବନ୍ଦ ହୋଇ ଯାଇଥିଲା।

 

ପତ୍ନୀଙ୍କର ସ୍ୱାଗତ ଅଭିଭାଷଣ ଥିଲା, ‘କ’ଣ ଆଜିକାଲି ଦିନବେଳା କବି ସମ୍ମିଳନୀ ହେଲାଣି କି?’

 

‘ନାଇଁ ମ, ମଇଁନାଙ୍କ ପ୍ରିନ୍ସିପାଲ ନା ଅତି ବଢ଼ିଆ ଲୋକ। ସେଇ ପରା ମତେ ଡାକି ଏତେ ସମୟ ବସେଇ ରଖିଲେ। ମୋରି କବିତା ବିଷୟରେ ଗପୁଥିଲେ। ସେଇଠିକି କାମ ନେଇ ଯାଇଚି, ଆଉ କ’ଣ କରିଥା’ନ୍ତି?’

 

‘ବାପା, ତମେ ମୋ ଆଡ‌୍‍ମିସନ କରିନା କି? ଆମ ପ୍ରିନ୍ସିପାଲ ତ ଡକ୍ଟର ଶୋଭାରାଣୀ ଶତପଥୀ। ତମକୁ  ସେ କେମିତି ଭଦ୍ରଲୋକ ପରି ଲାଗିଲେ? କଣ୍ଠ ପଡ଼ିଯାଇଥିବା ଜରୁଆ ଜରୁଆ ସ୍ୱରରେ ସେ ବୋଉ ବୋଉ ରାବି ମା’ ପାଖକୁ ପଳାଇଲା।’

 

‘ହେ ଭଗବାନ।’ ତାଙ୍କ ଦେହରୁ ପଟାଏ ଝାଳ ବୋହିଗଲା। ତତ‌୍‍କ୍ଷଣାତ କବି ଦର୍ପଦମନ ପକେଟରୁ ଝିଅର ଆଡ‌୍‍ମିସନ ରସିଦ କାଢ଼ି ସେଣ୍ଟରଟେବୁଲ ଉପରେ ଥୋଇ ଧୁଆଧୋଇ ହେବା ପାଇଁ ବାଥ‌୍‍ରୁମ‌୍‍ ଭିତରକୁ ପଶି ଗଲେ।

 

(ରଚନା : ୧୯୮୭)

ମୋବାଇଲ‌୍‍ : ୦୯୪୩୭୧-୯୪୬୦୦)


ପ୍ରତିକ୍ରିୟା

Purnachandra Rath - Email: purnachandrarath@gmail.com - Posted on 2016-11-11 16:18:55

After e-admission was introduced in 2011, this type of favoritism is no longer witnessed. Students ts are free to choose the college.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top