ମାଲକାନଗିରି- ପ୍ରକୃତ ଯମ ପୁଷ୍ଟିହୀନତା!

News Story - Posted on 2016-11-02

ପ୍ରଦୀପ ପ୍ରଧାନ

 

ସେପ୍ଟେମ୍ୱର ଏବଂ ଅକ୍ଟୋବର, ୨୦୧୬ ଦୁଇମାସ ମଧ୍ୟରେ ମାଲ‌୍‍କାନଗିରି ଜିଲ୍ଳାରେ ଜାପାନିଜ ଏନ୍ସେଫାଲାଟିସ୍‌ ବା ଜାପାନୀ ଜରରେ ଅନ୍ୟୁନ ୮୦ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଆଗକୁ ମଧ୍ୟ ଆହୁରି ଶିଶୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆକଳନ କରାଯାଉଛି। ଜାପାନୀ ଏନ‌୍‍ସେଫାଲିଟିସ‌୍‍ ରୋଗରେ ଆକ୍ରାନ୍ତ ହୋଇ ସମସ୍ତ ଶିଶୁ ମୃତ୍ୟୁବରଣ କରିଛନ୍ତି ବୋଲି ସରକାରୀ ଭାବେ କୁହାଯାଇଛି। ମୃତ୍ୟୁବରଣ କରିଥିବା ଶିଶୁମାନଙ୍କ ମଧ୍ୟରେ ୯୫ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟର ଏବଂ ୬୨ ଭାଗ ଝିଅପିଲା। ମାଲକାନଗିରି ଜିଲ୍ଲାରେ ଶିଶୁ ମୃତ୍ୟୁ ନୂଆ କଥା ନୁହେଁ। ଗତ ୨୦୧୨ ମସିହାରେ ଏହି ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ କୋରକୁଣ୍ଡା ବ୍ଲକର ୧୪ଟି ଗ୍ରାମରେ ୩୬ ଜଣ ଶିଶୁ ମୃତ୍ୟୁବରଣ କରିଥିଲେ। ସୂଚନା ଆଇନ‌୍‍ ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୦୭-୦୮ରୁ ୨୦୧୧-୧୨ ପାଞ୍ଚବର୍ଷ ମଧ୍ୟରେ ଏହି ଜିଲ୍ଲାରେ ୭୪୦୦ ଶିଶୁ ଅର୍ଥାତ‌୍‍ ବର୍ଷକୁ ହାରାହାରି ୧୫୦୦ ଶିଶୁ ମୃତ୍ୟୁବରଣ କରୁଛନ୍ତି। ଉକ୍ତ ଶିଶୁମୃତ୍ୟୁର କାରଣ ସମ୍ପର୍କରେ ଜିଲ୍ଲା ମୁଖ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦପ୍ତରରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଅତ୍ୟନ୍ତ ସାମାନ୍ୟ ରୋଗ ଯଥା ଜ୍ୱର, କାଶ, ନିମୋନିଆ,  ପେଟରୋଗ, ଝାଡ଼ାରେ ଆକ୍ରାନ୍ତ ହୋଇ ଉପଯୁକ୍ତ ଚିକିତ୍ସା ଅଭାବରୁ ଶିଶୁ ମୃତ୍ୟୁବରଣ କରୁଛନ୍ତି।

 

ତେଣୁ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ମାଲକାନଗିରି ଜିଲ୍ଲାରେ ପ୍ରତ୍ୟେକ ବର୍ଷ ଏତେ ସଂଖ୍ୟକ ଶିଶୁ ମୃତ୍ୟୁବରଣ କରୁଛନ୍ତି କାହିଁକି ଏବଂ ସରକାର ଶିଶୁ ମୃତ୍ୟୁହାର କମାଇବାରେ ବା ଶିଶୁମାନଙ୍କୁ ସୁରକ୍ଷିତ ରଖିବାରେ ସରକାରୀ ବ୍ୟବସ୍ଥା ବାରମ୍ୱାର ବିଫଳ ହେଉଛି କାହିଁକି? ୨୦୧୨ ମସିହାରେ ଜାପାନୀ ଜ୍ୱରରେ ଏତେ ଶିଶୁ ମୃତ୍ୟୁବରଣ କରିଥିଲେ ମଧ୍ୟ ଏହି ରୋଗର ମୁକାବିଲା ପାଇଁ ସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଗଲା ନାହିଁ କାହିଁକି? ଉକ୍ତ ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ରାଇଟ‌୍‍ ଟୁ ଫୁଡ‌୍‍ କ୍ୟାମ୍ପେନ ତରଫରୁ ଲେଖକଙ୍କ ନେତୃତ୍ୱରେ ଏକ ୪ ଜଣିଆ ତଥ୍ୟାନୁସନ୍ଧାନକାରୀ ଦଳ ଅକ୍ଟୋବର ୧୮ରୁ ୨୦ ତାରିଖ ତିନିଦିନ ଧରି ମାଲକାନଗିରି ଜିଲ୍ଳା ପରିଦର୍ଶନ କରିଥିଲେ। ଏହି ପରିଦର୍ଶନରେ ଏହି ଦଳ ତିନୋଟି ବ୍ଲକ ଯଥା କାଲିମେଳା, କୋରକୁଣ୍ଡା ଏବଂ ମାଲକାନଗିରିର ୧୫ଟି ଗ୍ରାମ ସହିତ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, କୋରକୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ସହିତ ପ୍ରାୟ ୧୦ଟି ଅଙ୍ଗନୱାଡ଼ି କେନ୍ଦ୍ର ବୁଲି ଦେଖିବା ସହ ବିଭିନ୍ନ ବର୍ଗର ଜନସାଧାରଣ ତଥା ଆଦିାବସୀ, ଶିଶୁ ମୃତ୍ୟୁ ହୋଇଥିବା ପରିବାରର ସଦସ୍ୟ, ଅଙ୍ଗନୱାଡ଼ି କର୍ମୀ, ଆଇ.ସି.ଡ଼ି.ଏସ‌୍‍. ସୁପରଭାଇଜର, ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ନର୍ସ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ପଞ୍ଚାୟତ ପ୍ରତିନିଧିମାନଙ୍କୁ ଭେଟି ଶିଶୁ ମୃତ୍ୟୁର କାରଣ, ନିରାକରଣ, ସରକାରୀ ଯୋଜନା ଗୁଡ଼ିକର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ତଥ୍ୟ ସଂଗ୍ରହ କରିଥିଲେ।

 

ତଥ୍ୟାନୁସନ୍ଧାନକାରୀ ଦଳ ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଶିଶୁମାନଙ୍କର ଅବସ୍ଥା ଏବଂ ଚିକିତ୍ସାଧୀନ ଥିବା ଶିଶୁମାନଙ୍କର ଅବସ୍ଥା ସମ୍ପର୍କର ଅଭିଭାବକ, ଅଙ୍ଗନୱାଡ଼ି କର୍ମୀ ଏବଂ ଡ଼ାକ୍ତରମାନଙ୍କ ଠାରୁ ବୁଝିଥିଲେ। ମୃତ୍ୟୁବରଣ କରିଥିବା ଶିଶୁମାନେ ମୁଖ୍ୟତଃ ୧ରୁ ୪ ବର୍ଷ ବୟସର ହୋଇଥବାରୁ ସେମାନଙ୍କର ସ୍ୱାସ୍ଥ୍ୟଗତ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ରର ଦସ୍ତାବିଜ‌୍‍ ଯାଞ୍ଚ କରାଯାଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ, ସମସ୍ତ ଶିଶୁ ପୁଷ୍ଟିହୀନତାର ଶିକାର ଥିଲେ ଅର୍ଥାତ‌୍‍ ସେମାନେ ଉପଯୁ‌୍‍କ୍ତ ଖାଦ୍ୟ ଖାଇବାକୁ ପାଉନଥିଲେ। ସେହିପରି ଡ଼ାକ୍ତରଖାନା ଗୁଡ଼ିକରେ ଚିକିତ୍ସିତ ହେଉଥିବା ସମସ୍ତ ଶିଶୁମାନଙ୍କର ଅବସ୍ଥା ଅତ୍ୟନ୍ତ ଦୟନୀୟ ଏବଂ ସଙ୍କଟାପନ୍ନ ଥିଲା। ସମସ୍ତେ ରକ୍ତହୀନତାର ଶିକାର ହୋଇଥିବାର ଦେଖାଯାଇଥିଲା। ଏହି ଶିଶୁମାନେ ହିଁ ପ୍ରତିଦିନ ମୃତ୍ୟୁବରଣ କରୁଥିଲେ ଯାହାକି ଗଣମାଧ୍ୟମରେ ବାରମ୍ୱାର ଲୋକଲୋଚନକୁ ଆସୁଥିଲା।

 

ଦଳର ସଦସ୍ୟମାନେ ଆଦିବାସୀ ପରିବାରଗୁଡ଼ିକୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରାୟ ସମସ୍ତେ ସେମାନଙ୍କର ଦୈନନ୍ଦିନ ଖାଦ୍ୟ ଭାତ, ଜଙ୍ଗଲୀ ଶାଗ ବା ଭାତ ଓ ଆଳୁ, କ୍ୱିଚିତ‌୍‍ ଡାଲି ଖାଆନ୍ତି ବୋଲି କହିଥିଲେ। କ୍ଷୀର, ମାଛ, ମାଂସ ବର୍ଷକୁ କାଁ ଭାଁ ଖାଆନ୍ତି ବୋଲି କହିଥିଲେ। ଉତ୍କଟ ଦାରିଦ୍ର୍ୟ, ଖାଦ୍ୟାଭାବ, କାମଧନ୍ଦାର ଅଭାବ, ଚାଷକାର୍ଯ୍ୟ ବିଶେଷ ନ ହେବା ଯୋଗୁଁ ସେମାନେ ଯେତେବେଳେ ଯାହା ମିଳେ ତାହା ଖାଇବା ପାଇଁ ବାଧ୍ୟ ବୋଲି କହିଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ଚାଉଳ ସେମାନଙ୍କୁ ବିଶେଷ ସାହାଯ୍ୟ କରୁଛି ମତବ୍ୟକ୍ତ କରିଥିଲେ।

 

ଏହା ସହିତ ସେମାନେ କିପରି ସ୍ୱାସ୍ଥ୍ୟସେବା ପାଉଛନ୍ତି, ସେ ସମ୍ପର୍କରେ ତଥ୍ୟାନୁସନ୍ଧାନକାରୀ ଦଳ ସାଧାରଣ ଲୋକ ଏବଂ ଶିଶୁ ମୃତ୍ୟୁ ପରିବାରମାନଙ୍କୁ ପଚାରିଥିଲେ। କାଲିମେଳା ବ୍ଲକର କୋଇମେଟ‌୍‍ଲା ଗ୍ରାମର ମୁକ୍ତା ମାଢି କହିଥିଲେ ଯେ, ତାଙ୍କର ଏକ ବର୍ଷ ଆଠମାସର ଝିଅ ମୁଜୁନି ମାଢି ଜ୍ୱରରେ ଆକ୍ରାନ୍ତ ହେଲା ପରେ ସେ ଝିଅକୁ ନେଇ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। କିନ୍ତୁ ଡ଼ାକ୍ତର ଜିଲ୍ଲା ଡ଼ାକ୍ତରଖାନାକୁ ପଠାଇ ଦେଇଥିଲେ। କିନ୍ତୁ ସେଠାରେ ଡ଼ାକ୍ତର ଠିକ‌୍‍ ଭାବେ ଚିକିତ୍ସା କଲେ ନାହିଁ। ସେ ବାଧ୍ୟ ହୋଇ ଝିଅକୁ ତା ୬.୧୦.୧୬ରିଖରେ ଘରକୁ ନେଇ ଆସିଲେ। କିନ୍ତୁ ପରଦିନ ଝିଅର ଦେହ ବହୁତ ଖରାପ ହେଲା ପରେ ସେ ପୁଣି ଜିଲ୍ଲା ଚିକିତ୍ସାଳୟକୁ ଝିଅକୁ ନେଇଗଲେ। କିନ୍ତୁ ଡ଼ାକ୍ତରଖାନା ଗେଟ‌୍‍ ସମ୍ମୁଖରେ ଝିଅର ମୃତ୍ୟୁ ହେଲା।

 

ସେହିପରି କୋଇମେଟ‌୍‍ଲା ଗ୍ରାମର କସା ପୋଡ଼ିଆମି କହିଥିଲେ ଯେ, ସେ ତାଙ୍କର ତିନିବର୍ଷର ଶିଶୁପୁତ୍ର ଜ୍ୱରରେ ପୀଡ଼ିତ ହେଲା ପରେ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। କିନ୍ତୁ ଡ଼ାକ୍ତରମାନେ ଚିକିତ୍ସା ଠିକ‌୍‍ ଭାବେ ନକରି ତୁମ ପୁଅକୁ ବ୍ରହ୍ମପୁର ପଠାଯିବ ଏବଂ ଅପେକ୍ଷା କର ବୋଲି କହିଲେ। ଗୋଟିଏ ଦିନ ବିତିଗଲେ ମଧ୍ୟ ତାଙ୍କର ପୁତ୍ରକୁ ବ୍ରହ୍ମପୁର ପଠାଗଲା ନାହିଁ। ଶେଷରେ ଡ଼ାକ୍ତରଖାନାରେ ପିଲାର ମୃତ୍ୟୁ ଘଟିଲା। ଏହିପରି ଅନେକ ଶିଶୁ ଚିକିତ୍ସା ଅବହେଳାରୁ ମୃତ୍ୟୁବରଣ କରିଛନ୍ତି ବୋଲି ସ୍ଥାନୀୟ ଲୋକମାନେ ସେମାନଙ୍କ ଅନୁଭୂତିରୁ କହିଥିଲେ।

 

ବାସ୍ତବରେ ଅନ୍ୟ ଆଦିବାସୀ ବହୁଳ ଜିଲ୍ଲା ଭଳି ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବିଶେଷଜ୍ଞ ଡ଼ାକ୍ତର ନାହାଁନ୍ତି। ଏମ‌୍‍.ବି.ବି.ଏସ‌୍‍. ପାସ‌୍‍ କରିଥିବା ଡ଼ାକ୍ତରମାନେ ଗର୍ଭବତୀ ପ୍ରସୂତି ମହିଳାମାନଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ଶିଶୁମାନଙ୍କର ଚିକିତ୍ସା ବାଦ‌୍‍ ଅନ୍ୟ ସମସ୍ତ ପ୍ରକାରର ରୋଗୀ ଚିକିତ୍ସା କରିଥାନ୍ତି। ତାଙ୍କ ଚିକିତ୍ସାରେ ଭଗବାନଙ୍କ ଦୟାରୁ ଯିଏ ବଞ୍ଚିବା କଥା ବେଞ୍ଚ, ନଚେତ‌୍‍ ମରିଯାଏ। ଜିଲ୍ଲା ଚିକିତ୍ସାଳୟ ଠାରୁ ଆରମ୍ଭ କରି ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମସ୍ଖରୀମାନଙ୍କର ଅନେକ ପଦବୀ ଖାଲି ପଡ଼ିଛି। ବହୁ ଡ଼ାକ୍ତର ଏବଂ କର୍ମଚାରୀ ଅନିଚ୍ଛାକୃତ ଭାବେ କାମ କରୁଥିବାର ଦେଖାଯାଇଥିଲା। ଏ.ଏନ‌୍‍.ଏମ‌୍‍ ଦିଦିମାନେ ପ୍ରାୟତଃ କାର୍ଯ୍ୟ କରନ୍ତି ନାହିଁ। ପୁରୁଷ ଏବଂ ମହିଳା ସ୍ୱାସ୍ଥ୍ୟର୍ମୀମାନେ ଗ୍ରାମାଞ୍ଚଳ ପରିଦର୍ଶନ କରବା ଏବଂ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପରାମର୍ଶ ଦେବା କୁଚିତ‌୍‍ ଦେଖିବାକୁ ମିଳେ ବୋଲି ଗ୍ରାମବାସୀମାନେ କହିଥିଲେ।

 

ମାଲକାନଗିରି ଜିଲ୍ଲା ରାଜ୍ୟର ସବୁଠାରୁ ପଛୁଆ ଏବଂ ଅନୁନ୍ନତ ଜିଲ୍ଲା ଅଟେ। ୭ଟି ବ୍ଳକ, ୧୦୮ ପଞ୍ଚାୟତ ଏବଂ ୯୨୮ଟି ଗ୍ରାମକୁ ନେଇ ଗଠିତ ଏହି ଜିଲ୍ଲାରେ ୬୦ଭାଗ ଆଦିବାସୀ ଯେଉଁମାନେ ବିକାଶର ପରିଭାଷା ସମ୍ପର୍କରେ ଏବେ ବି ଅଜ୍ଞ। ଆଦିମ ଜନଜାତି ଯଥା କୋୟା, ଦିଦାୟୀ, ବଣ୍ଡା ସମ୍ପ୍ରଦାୟର ଆଦିବାସୀମାନେ ବସବାସ କରନ୍ତି, ଯେଉଁମାନେ ବିକାଶର ପରିଭାଷା ସମ୍ପର୍କରେ ଏବେ ବି ଅଜ୍ଞ। ଏହି ଜିଲ୍ଲା ଅନୁନ୍ନତ ସାଙ୍ଗକୁ ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ବିକାଶମୂଳକ ଯୋଜନା, ଆଦିବାସୀମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା, ଶ୍ରମ ସୃଷ୍ଟିକାରୀ ଯୋଜନା, ଖାଦ୍ୟ ସୁରକ୍ଷା ଓ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସରକାରୀ ଭାବେ ଦର୍ଶାଯାଏ। କିନ୍ତୁ ଏହିସବୁ ଯୋଜନା ସ୍ଥାନୀୟ ଆଦିବାସୀମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ବିକାଶ କରାଇ ପାରିନାହିଁ। ସ୍ଥାନୀୟ ଆଦିବାସୀମାନଙ୍କର ସଚେତନତା ଅଭାବର ସୁଯୋଗ ନେଇ ସରକାରୀ ଅଧିକାରୀ, କଣ୍ଟ୍ରାକ୍ଟର, ସାହୁକାର, ରାଜନେତାମାନେ ବିଭିନ୍ନ ଯୋଜନାରେ ଆସୁଥିବା କୋଟି କୋଟି ଟଙ୍କା ଲୁଟ‌୍‍ କରିଥାନ୍ତି। ବ୍ୟାପକ ଦୁର୍ନୀତି, ଅର୍ଥ ହରିଲୁଟ‌୍‍ ଏବଂ ଅନିୟମିତତା ଯୋଗୁଁ କୌଣସି ଯୋଜନାର ସଫଳତା ଲୋକମାନଙ୍କ ପାଖରେ ପହେଞ୍ଚ ନାହିଁ। ଗୋଟିଏ ପଟେ ସରକାରୀ ଅଧିକାରୀ, ନେତା ଏବଂ କଣ୍ଟ୍ରାକ୍ଟରମାନଙ୍କର ସମ୍ପତ୍ତି ବୃଦ୍ଧି ପାଉଥିଲା ବେଳେ ସ୍ଥାନୀୟ ଆଦିବାସୀମାନଙ୍କର ଅର୍ଥନୈତିକ ଅବସ୍ଥା ତଳିତଳାନ୍ତ ହୋଇଚାଲେ। ତେଣୁ  ଜିଲ୍ଲାରୁ କ୍ଷୁଧା, ଅନାହାର ଦୂର ହୁଏ ନାହିଁ କି ଆଦିବାସୀମାନଙ୍କର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୁଏନାହିଁ। ଖାଦ୍ୟ ଖାଇବାକୁ ନ ପାଇ ସେମାନେ ଭୋକରେ ରୁହନ୍ତି, ପୁଷ୍ଟହୀନତାର ଶିକାର ହୁଅନ୍ତି ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଯୋଗୁଁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ନ ପାଇ ତାଙ୍କର ପିଲାମାନେ ମୃତ୍ୟୁବରଣ କରନ୍ତି।

 

ଶିଶୁମାନଙ୍କର ପୁଷ୍ଟିହୀନତା ରୋକିବା ଏବଂ ସେମାନଙ୍କୁ ପୁଷ୍ଟିସାରଯୁକ୍ତ ଖାଦ୍ୟ ଯୋଗାଇଦେବା ପାଇଁ ରାଜ୍ୟ ସରକାର ଆଇ.ସି.ଡ଼ି.ଏସ‌୍‍. ଅର୍ଥାତ‌୍‍ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି। କିନ୍ତୁ ଉକ୍ତ ଯୋଜନାର ସଫଳତା ପିଲାମାନଙ୍କ ପାଖରେ ପହଞ୍ଚୁ ନାହିଁ। କୋରକୁଣ୍ଠା ବ୍ଲକର ତର‌୍‍ଲାକୋଟା ପଞ୍ଚାୟତର ଜାମୁଗୁଡ଼ା ଗ୍ରାମରେ ଗର୍ଭବତୀ, ପ୍ରସୂତି ଏବଂ ପିଲାମାନେ ଆଇ.ସି.ଡ଼ି.ଏସ‌୍‍. ଖାଦ୍ୟ ବର୍ଷ ବର୍ଷ ଧରି ପାଉନାହାଁନ୍ତି ବୋଲି ତଥ୍ୟାନୁସନ୍ଧାନକାରୀ ଦଳ ନିକଟରେ ଅଭିଯୋଗ କରିଥିଲେ। ସେହିପରି ଅନେକ ଗ୍ରାମର ମହିଳାମାନେ ଛତୁଆଗୁଡ଼ିକ ଖାଦ୍ୟପଯୋଗୀ ନୁହେଁ ଏବଂ ସେମାନେ ଘୁଷୁରୀ ଖାଇବାକୁ ଦେଉଛନ୍ତି ବୋଲି କହିଥିଲେ। ଅନେକ ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର ନିୟମିତ ନଖୋଲିବା, ପିଲାମାନଙ୍କୁ ନିୟମିତ ଖାଇବାକୁ ଦିଆନଯିବା ଇତ୍ୟାଦି ଅଭିଯୋଗ ଗ୍ରାମବାସୀମାନେ କରିଥିଲେ। ଆଇ.ସି.ଡ଼ି.ଏସ‌୍‍. ଯୋଜନା ଏହି ପିଲାମାନଙ୍କର ପୁଷ୍ଟି ମାନଦଣ୍ଡ ବୃଦ୍ଧି କରିବାରେ ଯେ ସକ୍ଷମ ହୋଇନାହାଁନ୍ତି ତାହା ସ୍ପଷ୍ଟ ହୋଇଯାଇଥିଲା।

 

ସେହିପରି ପ୍ରତିବର୍ଷ ମାଲକାନଗିରି ଜିଲ୍ଲାରେ ଜାପାନୀ ଏନ‌୍‍ସେଫାଲିଟିସ‌୍‍ ରୋଗରେ ଆକ୍ରାନ୍ତ ହୋଇ ଶହ ଶହ ଶିଶୁ ମୃତ୍ୟୁବରଣ କରୁଥିଲେ ମଧ୍ୟ ଉକ୍ତ ରୋଗର ବାସ୍ତବ ଚିକିତ୍ସା କରାଇବା ପାଇଁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ହୋଇନାହାଁନ୍ତି କି ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇ ନାହିଁ। ୨୦୧୨ ମସିହାରୁ କେନ୍ଦ୍ର ସରକାର ଜାପାନୀ ଏନ‌୍‍ସେଫାଲିଟିସ‌୍‍ ରୋଗର ନିରାକରଣ ପାଇଁ ଏକ ସ୍ୱତନ୍ତ୍ର ଜାତୀୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଜାପାନୀ ଜ୍ୱର ଦ୍ୱାରା ପ୍ରଭାବିତ ୧୯ଟି ରାଜ୍ୟରେ ୧୭୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ଏବଂ ଏଥିପାଇଁ ସମସ୍ତ ଅର୍ଥ କେନ୍ଦ୍ର ସରକାର ବହନ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ରାଜ୍ୟ ସରକାରଙ୍କର ପ୍ରଚେଷ୍ଟାର ଅଭାବ ଏବଂ ଖାମଖିଆଲି ମନୋଭାବ ଯୋଗୁଁ ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଅନ୍ତର୍ଭୁକ୍ତ ହୋଇପାରି ନାହିଁ।

 

ସମ‌୍‍ ହସ୍ପିଟାଲ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବା, ରୋଗୀମାନଙ୍କ ପରିବାରକୁ ସମବେଦନା ଜଣାଇବା ଏବଂ ମୃତ ରୋଗୀମାନଙ୍କ ପରବାରକୁ ଆର୍ଥିକ ସହାୟତା ଘୋଷଣା କରିଥିଲା ବେଳେ ମାଲକାନଗିରି ଜିଲ୍ଲାର ଶିଶୁହରା ପରିବାରଗୁଡ଼ିକୁ କୌଣସି ଆର୍ଥିକ ସହାୟତା ପ୍ରଦାନ କରିନାହାଁନ୍ତି। ଜିଲ୍ଲାର ଆଦିବାସୀମାନଙ୍କ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଯେପରି ଅଣଦେଖା କରି ଆସୁଛନ୍ତି ରାଜ୍ୟ ପ୍ରଶାସନ ମଧ୍ୟ ଉଦାସୀନ ପ୍ରକାଶ କରିଆସୁଛନ୍ତି। ସରକାରୀ ଯୋଜନାର କାର୍ଯ୍ୟକାରୀତାରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ମନିଟରିଙ୍ଗ ଅଭାବ, ଅର୍ଥ ହରିଲୁଟ‌୍‍, ଅଭିଯୋଗ ମିମାଂସା ବ୍ୟବସ୍ଥାର ବିଫଳତା ଏବଂ ସର୍ବୋପରି ପ୍ରଶାସନିକ ଉଦାସୀନତା ମାଲକାନଗିରି ଜିଲ୍ଲାର ଆଦିବାସୀମାନଙ୍କୁ ମରଣ ମୁହଁକୁ ଠେଲି ଦେଇଛି।

 

ରାଜ୍ୟ ଆବାହକ, ରାଇଟ‌୍‍ ଟୁ ଫୁଡ଼‌୍‍ କ୍ୟାମ୍ପେନ, ଓଡ଼ିଶା


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top