ଦୁର୍ନୀତି ବିରୋଧୀ ଅସ୍ତ୍ର- ସୂଚନା ଆଇନ

News Story - Posted on 2016-10-30

ପ୍ରଦୀପ ପ୍ରଧାନ

 

ପ୍ରଶାସନିକ ବ୍ୟବସ୍ଥାକୁ ସୁଶୃଙ୍ଖଳିତ, ସ୍ୱଚ୍ଛ ଏବଂ ଉତ୍ତରଦାୟୀ କରିବା ଉଦ୍ଦେଶ୍ୟରେ ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଛି। ଏହା ସହିତ ଏହି ଆଇନ ଦେଶର ପ୍ରତ୍ୟେକ ଜନସାଧାରଣଙ୍କୁ ବିଭିନ୍ନ ଜନ କର୍ତ୍ତୃପକ୍ଷଙ୍କ ଦପ୍ତରରୁ ସୂଚନା ପାଇବାର ଅଧିକାର ଦେଇଛି। ୨୦୦୫ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଥିବା ଏହି ଆଇନକୁ ବିଭିନ୍ନ ବର୍ଗର ଲୋକମାନେ ମୁଖ୍ୟତଃ ସୂଚନାଧିକାର କର୍ମୀମାନେ ସେମାନଙ୍କ ଦୁର୍ନୀତି ବିରୋଧୀ ଲଢେଇରେ ଅସ୍ତ୍ର ଭାବେ ବ୍ୟବହାର କରି ଆସୁଛନ୍ତି। ସରକାରୀ ବ୍ୟବସ୍ଥା ଏବଂ ଉନ୍ନୟନମୂଳକ କାମରେ ଚାଲିଥିବା ବ୍ୟାପକ ଜଲିଆତି, ଦୁର୍ନୀତି ଏବଂ ଅନିୟମିତତାର ପର୍ଦ୍ଦାଫାଶ ଏହି ଆଇନ ଦ୍ୱାରା ସମ୍ଭବ ହୋଇପାରିଛି। ଏହା ଦ୍ୱାରା ସାଧାରଣ ଲୋକେ ଯେ କେବଳ ଦୁର୍ନୀତି ସମ୍ପର୍କରେ ସଚେତନ ହୋଇଛନ୍ତି, ତା ନୁହେଁ ଦୁର୍ନୀତିଗ୍ରସ୍ତ ଲୋକମାନେ ମଧ୍ୟ ଭୟଭୀତ ହୋଇପଡିଛନ୍ତି। ଏହି ଆଇନ ସାଧାରଣ ଲୋକଙ୍କୁ ଦୁର୍ନୀତି ବିରୁଦ୍ଧରେ ଲଢେଇ କରିବାର ସାହସ ଯୋଗାଇଛି ଏବଂ ସଶକ୍ତିକରଣ କରିଛି। ଏହା ଯୋଗୁଁ ବ୍ୟବସ୍ଥାରେ ମଧ୍ୟ ଅନେକ ପରିବର୍ତ୍ତନ ଆସିପାରିଛି।

 

ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକର ମାର୍ଥାପୁର ହେଉଛି ଏକ ଗ୍ରାମ ପଞ୍ଚାୟତ। ଏହି ପଞ୍ଚାୟତରେ ବିଭିନ୍ନ ସରକାରୀ ଉନ୍ନୟନମୂଳକ ଯୋଜନାରେ ବ୍ୟାପକ ଦୁର୍ନୀତି, ଜାଲିଆତି ହୋଇ ଆସୁଥିଲା। କିନ୍ତୁ ଏହି ଦୁର୍ନୀତିର ଉନ୍ମୋଚନ ପାଇଁ କେହି ସାହସ କରୁନଥିଲେ। କିନ୍ତୁ ମାର୍ଥାପୁର ଗ୍ରାମର କିଛି େସ୍ୱଚ୍ଛାସେବୀ ସୂଚନା ଅଧିକାର ଆଇନ ବ୍ୟବହାର କରି ଦୁର୍ନୀତି ବିରୁଦ୍ଧରେ ଲଢିବା ପାଇଁ ଅଣ୍ଟା ଭିଡିଲେ। ପାଣ୍ଡବ ପ୍ରଧାନ, ମନୋଜ ସ୍ୱାଇଁ ପ୍ରମୁଖ ସାମାଜିକ କର୍ମୀମାନେ ୨୦୧୩-୧୪ ଏବଂ ୨୦୧୪-୧୫ରେ ପଞ୍ଚାୟତରେ ରାଜ୍ୟ ଅର୍ଥ କମିଶନ, ଦ୍ୱାଦଶ ଅର୍ଥ କମିଶନ, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ପଞ୍ଚାୟତ ଫଣ୍ଡ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାର ମଷ୍ଟର ରୋଲ‌୍‍ କପି, ପ୍ରକଳ୍ପଗୁଡ଼ିକର ମଞ୍ଜୁରପ୍ରାପ୍ତ ଚିଠି, ଅର୍ଥର ଉପଯୋଗ, ବିଲ‌୍‍ ଏବଂ ଭାଉଚରର ଫଟୋ କପି ଇତ୍ୟାଦି ସମ୍ପର୍କୀତ ତଥ୍ୟ ପଞ୍ଚାୟତ ଏବଂ ବାଲିପାଟଣା ବ୍ଲକର ଜନସୂଚନା ଅଧିକାରୀଙ୍କୁ ଆବେଦନ କଲେ।

 

ଜନ ସୂଚନା ଅଧିକାରୀଙ୍କ ତରଫରୁ କିଛି ତଥ୍ୟ ଦିଆଗଲା, କିନ୍ତୁ ଫାଇଲ‌୍‍ ନ ମିଳିବାରୁ ଅନେକ ତଥ୍ୟ ଦିଆଗଲା ନାହିଁ। ପ୍ରାପ୍ତ ସୂଚନାକୁ ଅନୁଧ୍ୟାନ କରି ଜଣାଗଲା ଯେ, ତାଳପଡ଼ିଆ ହରିଜନ ସାହି ସିମେଣ୍ଟ କଙ୍କ୍ରିଟ ରାସ୍ତା, ବଡ଼କୁଡ଼ ଠାକୁରାଣୀ ପୀଠର ରାସ୍ତା ନିର୍ମାଣ, ଗିରି ଗୋବର୍ଦ୍ଧନ ପୀଠର ନିର୍ମାଣ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଉନ୍ନତିକରଣ କାମ ନ ହୋଇ ମିଥ୍ୟା ବିଲ‌୍‍ କରାଯାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ଉକ୍ତ ତଥ୍ୟ ଗ୍ରାମବାସୀଙ୍କ ସମ୍ମୁଖରେ ଉପସ୍ଥାପନ ହେଲାପରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ନିଷ୍ପତ୍ତି ହେଲା। ୨୪.୮.୧୫ ତାରିଖରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଉକ୍ତ ଅନିୟମିତତା ଏବଂ ଅର୍ଥ ହରିଲୁଟ‌୍‍ ସମ୍ପର୍କରେ ବିଧିବଦ୍ଧ ଅଭିଯୋଗ ଦାଖଲ ସହ ଏହାର ତଦନ୍ତ ପାଇଁ ଅନୁରୋଧ କଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ପଞ୍ଚାୟତ ଅଧିକାରୀ ଚିଠି ସଂଖ୍ୟା ୬୦୩/ଜି.ପି. ତା ୭.୯.୧୫ ଦେଇ ଉପ-ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବାକୁ ଉପ-ଜିଲ୍ଲାପାଳଙ୍କୁ ଲେଖି ଜଣାଇଲେ।

 

ଏହା ପରେ ଉପ-ଜିଲ୍ଲା ପଞ୍ଚାୟତ ଅଧିକାରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସମସ୍ତ ନଥି ପରୀକ୍ଷା ନିରୀକ୍ଷା କରିବା ସହ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦନ୍ତ କଲେ ଏବଂ ତାଙ୍କର ତଦନ୍ତ ରିପୋର୍ଟ ୨୪.୧୨.୨୦୧୫ରେ ଜିଲ୍ଲାପାଳଙ୍କୁ ପ୍ରଦାନ କଲେ। ସେ ତାଙ୍କ ରିପୋର୍ଟରେ ବିଭିନ୍ନ କାର୍ଯ୍ୟରେ ହୋଇଥିବା ବ୍ୟାପକ ଅନିୟମିତତା, ସରପଞ୍ଚ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାସନିକ ଅନୁମୋଦନ ନଥାଇ ମନଇଚ୍ଛା ଅର୍ଥ ଖର୍ଚ୍ଚ କରିବା, ନାଏବ ସରପଞ୍ଚ ଏବଂ ୱାର୍ଡ଼ ମେମ୍ୱରମାନଙ୍କର ବୈଠକ ଫିସ‌୍‍ ବର୍ଷ ବର୍ଷ ଧରି ନଦେବା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା ଏବଂ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରିଥିଲେ। ତଦନ୍ତ ରିପୋର୍ଟ ଦାଖଲ ସତ୍ତ୍ୱେ ଜିଲ୍ଲା ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗ୍ରାମବାସୀମାନଙ୍କ ତରଫରୁ ୨୧.୧.୧୬ରେ ସୂଚନା ଅଧିକାର ଆଇନ ବଳରେ ଜିଲ୍ଲାପାଳଙ୍କ ଦପ୍ତରକୁ ତଦନ୍ତ ରିପୋର୍ଟ ଏବଂ କାର୍ଯ୍ୟାନୁଷ୍ଠାନର କପି ପାଇବା ପାଇଁ ଆବେଦନ କରାଗଲା।

 

ତା ୨୭.୨.୧୬ରିଖରେ ଜନସୂଚନା ଅଧିକାରୀ ତଦନ୍ତ ରିପୋର୍ଟର ଏକ କପି ପ୍ରଦାନ ସହ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ଜଣାଇଲେ। ଏହାପରେ ଉକ୍ତ ତଥ୍ୟକୁ ବିଭିନ୍ନ ମୁଦ୍ରଣ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ କରାଗଲା ଏବଂ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କଠାରୁ ଅର୍ଥ ଆଦାୟ ଏବଂ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବୀ କରି ବାଲିପାଟଣା ବ୍ଲକ ସମ୍ମୁଖରେ ଧାରଣା ଦିଆଗଲା। ସୂଚନାଧିକାରୀ କର୍ମୀ ଏବଂ ଗ୍ରାମବାସୀଙ୍କର ଏକ ପ୍ରତିନିଧି ଦଳ ପଞ୍ଚାୟତିରାଜ ବିଭାଗର ଶାସନ ସଚିବଙ୍କୁ ସାକ୍ଷାତ‌୍‍ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ମାରକପତ୍ର ପ୍ରଦାନ କଲେ।

 

ଏହାପରେ ତା ୭.୩.୧୬ରେ ପଞ୍ଚାୟତିରାଜ ବିଭାଗ ତରଫରୁ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ‌୍‍ର ଧାରା ୧୧୫ର ଉପଧାରା (୨) ଅନୁଯାୟୀ ସରପଞ୍ଚ ସନ୍ଧ୍ୟାରାଣୀ ପ୍ରଧାନଙ୍କୁ ନିଲମ୍ୱନ କରାଗଲା ଏବଂ ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ୱନ କରାଯିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାନଯିବ ସେଥିପାଇଁ ନୋଟିସ‌୍‍ ଜାରି କରାଗଲା। ସୂଚନା ଅଧିକାର ଆଇନ‌୍‍କୁ ଅନୁଧ୍ୟାନ କରି ଦୀର୍ଘ ଏକ ବର୍ଷର ଲଢେଇ ପରେ ଗ୍ରାମବାସୀମାନେ ସେମାନଙ୍କର ଦୁର୍ନୀତି ବିରୋଧୀ ଲଢେଇରେ ସକ୍ଷମ ହୋଇପାରିଲେ।

 

ସେହିପରି ସୂଚନା ଅଧିକାର ଆଇନ‌୍‍ର ପ୍ରୟୋଗର ଅନ୍ୟ ଏକ ସଫଳ କାହାଣୀ ହେଉଛି ବଲାଙ୍ଗୀର ଜିଲ୍ଲାର ଆର.ଆଇ ଏବଂ ଅମିନ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅନିୟମିତତାର ଖୋଲାସା। ଏହା ଫଳରେ ଦୁର୍ନୀତିର ମାଷ୍ଟରମାଇଣ୍ଡ ତତ୍କାଳୀନ ଜିଲ୍ଲାପାଳ ଦେବରାଜ ମିଶ୍ରଙ୍କ ନାମରେ ଭିଜିଲାନ୍ସ କେସ‌୍‍ ଏବଂ ଚାକିରୀରୁ ବହିଷ୍କାର ଏବଂ ନିଯୁକ୍ତି ବାତିଲ‌୍‍ ସମ୍ଭବ ହେଲା।

 

୨୦୦୯ ମସିହାରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତରଫରୁ ଅମିନ, ରାଜସ୍ୱ ନିରୀକ୍ଷକ ଏବଂ ସରକାରୀ ରାଜସ୍ୱ ନିରୀକ୍ଷକର ୫୪ଟି ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା ଏବଂ ହାରାହାରି ୧୬୦୦ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ଏହି ପଦବୀ ପାଇଁ ଲିଖିତ ପରୀକ୍ଷା ୨୦୧୧ ମସିହାରେ ହୋଇଥିଲା ଏବଂ ୨୦୧୨ରେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଏହି ନିଯୁକ୍ତି ସମୟରେ ପରୀକ୍ଷା ଖାତାରେ ମାର୍କ ପ୍ରଦାନରେ ଚଞ୍ଚକତା କରାଯାଇ ପରୀକ୍ଷାର୍ଥୀ ପିଛା ୩ ରୁ ୪ ଲକ୍ଷ ଟଙ୍କା ନିଆଯାଇ ନିଯୁକ୍ତି ଦିଆଯାଇଛି ବୋଲି ଅଭିଯୋଗ ହୋଇଥିଲା। ଏହାପରେ ନିଯୁକ୍ତିରୁ ବଞ୍ଚିତ ହୋଇଥିବା ପରୀକ୍ଷାର୍ଥୀମାନେ ସୂଚନା ଅଧିକାର ଆଇନ ବଳରେ ପରୀକ୍ଷା ଖାତାର କପି ଜିଲ୍ଲାପାଳଙ୍କ ଦପ୍ତରକୁ ମାଗିଲେ। ଜନସୂଚନା ଅଧିକାରୀ ପରୀକ୍ଷାର୍ଥୀଙ୍କର ପରୀକ୍ଷା ଖାତାର କପିଗୁଡ଼ିକୁ ଆବେଦନକାରୀଙ୍କୁ ପ୍ରଦାନ କଲେ। ଏହି ଖାତାଗୁଡ଼ିକ ଦେଖିଲା ପରେ କିପରି ଚଞ୍ଚକତା କରାଯାଇ ପିଲାମାନଙ୍କର ନମ୍ୱର ବଢାଯାଇଛି, ତାହା ଜଣାପଡ଼ିଥିଲା ଏବଂ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ପ୍ରମାଣିତ ହୋଇଥିଲା।

 

ଏହାପରେ ବଲାଙ୍ଗୀର ନାଗରିକ କମିଟି, ବଲାଙ୍ଗୀର ଜିଲ୍ଲା ସାମ୍ୱାଦିକ ସଂଘ ଏବଂ ପରୀକ୍ଷାର୍ଥୀଙ୍କ ତରଫରୁ ତତ୍କାଳୀନ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଏବଂ ସଚିବଙ୍କୁ ଦାବୀପତ୍ର ପ୍ରଦାନ କରାଯାଇ ଉକ୍ତ ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରାଯାଇଥିଲା। ଏହା ପରେ ୧୪.୩.୨୦୧୪ରିଖରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଭୁବନେଶ୍ୱରରେ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରାଯାଇ ଉକ୍ତ ଘୋଟାଲାର ତୁରନ୍ତ ତଦନ୍ତ କରି ଏଥିରେ ସମ୍ପୃକ୍ତ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରାଯାଇଥିଲା। ଏହାପରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ତା ୧୬.୩.୧୪ରିଖରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ସୂଚନା ଆଇନ ବଳରେ ଅଭିଯୋଗ ଉପରେ କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଏହାର ତଥ୍ୟ ମାଗିଥିଲେ। ତା ୨୫.୪.୧୪ରେ ଜନ ସୂଚନା ଅଧିକାରୀ ଉକ୍ତ ଘଟଣାର ତଦନ୍ତ ପାଇଁ ବିଭାଗୟ ସଚିବ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କୁ ଦାୟିତ୍ୱ ଦେଇଲେ ଏବଂ ୫ ଥର ଚିଠି ଦିଆଯାଇଥିଲେ ମଧ୍ୟ ରାଜସ୍ୱ କମିଶନର ତାଙ୍କର ତଦନ୍ତ ରିପୋର୍ଟ ଦେଇନାହାଁନ୍ତି ବୋଲି ଜଣାଇଥିଲେ।

 

ଏହା ପରେ ଶ୍ରୀ ପ୍ରଧାନ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କୁ ତଦନ୍ତ ସମ୍ପର୍କୀତ ତଥ୍ୟ ମାଗିଥିଲେ। ଏହାପରେ ସେ ମେ’୨୦୧୪ରେ ତାଙ୍କର ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଏହାପରେ ପୁଣି ୨୬.୭.୧୪ରିଖରେ ରାଜସ୍ୱ ବିଭାଗକୁ ରାଜସ୍ୱ କମିଶନର ପ୍ରଦାନ କରିଥିବା ତଦନ୍ତ ରିପୋର୍ଟ ଉପରେ କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଏହାର ତଥ୍ୟ ମଗାଯାଇଥିଲା। କିନ୍ତୁ ତଦନ୍ତ ଚାଲିଥିବାରୁ ଜନସୂଚନା ଅଧିକାରୀ ତଥ୍ୟ ଦେବାକୁ ମନା କରି ଦେଇଥିଲେ। ଇତିମଧ୍ୟରେ ଚାକିରୀ ପାଇବାରୁ ବଞ୍ଚିତ ପରୀକ୍ଷାର୍ଥୀ ଏବଂ ବଲାଙ୍ଗୀର ନାଗରିକ ସମାଜ ତରଫରୁ ବାରମ୍ୱାର ଆନ୍ଦୋଳନ ଚାଲୁ ରହିଥିଲା ଏବଂ ଗଣମାଧ୍ୟମରେ ଲଗାତର ଖବର ପ୍ରସାରିତ ହୋଇ ଆସୁଥିଲା। ରାଜ୍ୟ ସରକାର ବାଧ୍ୟ ହୋଇ ଏହି ଦୁର୍ନୀତିର ତଦନ୍ତ ଭାର ରାଜ୍ୟ ଭିଜିଲାନ୍ସକୁ ଦେଲେ। ତା ୭.୧୧.୧୪ରିଖରେ ରାଜ୍ୟ ଭିଜିଲାନ୍ସ ଏହି ଦୁର୍ନୀତିର ମୁଖ୍ୟ ଖଳନାୟକ ତତ୍କାଳୀନ ଜିଲ୍ଲାପାଳ ଦେବରାଜ ମିଶ୍ରଙ୍କୁ ଗିରଫ କଲେ ଓ ପରେ ତାଙ୍କୁ ନିଲମ୍ୱନ କରାଯାଇଥିଲା। ଏହା ପରେ ରାଜ୍ୟ ସରକାର ଉକ୍ତ ପରୀକ୍ଷାକୁ ବେଆଇନ‌୍‍ ଦର୍ଶାଇ ବାତିଲ‌୍‍ କରିଦେଇଥିଲେ।

 

ସୂଚନାଧିକାର କର୍ମୀମାନଙ୍କର ଅନ୍ୟ ଏକ ସଫଳ କାହାଣୀ ହେଉଛି ବିପିଏଲ‌୍‍ମାନଙ୍କୁ ମାଗଣାରେ ସୂଚନା ପ୍ରଦାନ କରିବା। ବାସ୍ତବରେ ସୂଚନା ଅଧିକାର ଆଇନ‌୍‍ର ଧାରା ୭(୫) ଅନୁଯାୟୀ, ବିପିଏଲ‌୍‍ମାନଙ୍କୁ କୌଣସି ଫି ଯଥା ଦରଖାସ୍ତ ପାଇଁ ଫି, ସୂଚନା ପାଇଁ ଫି ଦେବାକୁ ପଡ଼ିବ ନାହିଁ। କିନ୍ତୁ ରାଜ୍ୟ ସରକାର ଅତ୍ୟନ୍ତ ମନୋମୁଖୀ ଏବଂ ବେଆଇନ‌୍‍ ଭାବେ ବିପିଏଲ ଲୋକଙ୍କଠାରୁ ସୂଚନା ପାଇଁ ଫି ଆଦାୟ କରି ଆସୁଥିଲେ। ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଏହା ବିରୁଦ୍ଧରେ ପ୍ରତିବାଦ ହେବା ସହ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇ ଏହାର ପ୍ରତ୍ୟାହାର ପାଇଁ ଦାବୀ କରାଯାଇଥିଲା। ସୂଚନା ଅଧିକାର ଆନ୍ଦୋଳନର ପ୍ରବକ୍ତା ଶ୍ରୀମତୀ ଅରୁଣା ରାୟ ଏବଂ ଶ୍ରୀ ଶୈଳେଶ ଗାନ୍ଧୀ ମୁଖ୍ୟମନ୍ତ୍ରୀଙ୍କୁ ଭିନ୍ନ ଭିନ୍ନ ଚିଠି ଲେଖି ଜନବିରୋଧୀ ଓଡ଼ିଶା ସୂଚନା ଅଧିକାର ନିୟମାବଳୀର ପ୍ରତ୍ୟାହାର ସହ ବିପିଏଲ‌୍‍ମାନଙ୍କୁ ଆଇନ ଅନୁଯାୟୀ ବିନା ମୂଲ୍ୟରେ ସୂଚନା ପ୍ରଦାନ ପାଇଁ ଅନୁରୋଧ କରିଥିଲେ।

 

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ଆଇନ‌୍‍କୁ ସଠିକ‌୍‍ ରାସ୍ତାରେ କାର୍ଯ୍ୟକାରୀ କରେଇବା ପାଇଁ ଦାୟିତ୍ୱ ନେଇଥିବା ସୂଚନା କମିଶନ ରାଜ୍ୟ ସରକାରଙ୍କର ଏହି ବେଆଇନ କାର୍ଯ୍ୟକୁ ସମର୍ଥନ କରିଥିଲେ। ପୂର୍ବତନ ମୁଖ୍ୟ ସୂଚନା କମିଶନର ଡ଼ି.ଏନ‌୍‍. ପାଢୀ ଏକ ଅଭିଯୋଗ ସଂଖ୍ୟା ୧୧ ଏବଂ ୧୨/୨୦୧୬ର ଶୁଣାଣୀ କରି ବିପିଏଲ‌୍‍ମାନଙ୍କୁ ସୂଚନା ପାଇଁ ଫି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ପାଢୀଙ୍କର ଏତାଦୃଶ ନିଷ୍ପତ୍ତିକୁ ସୂଚନାଧିକାର କର୍ମୀମାନଙ୍କ ତରଫରୁ ପ୍ରବଳ ବିରୋଧ କରାଯାଇଥିଲା ଏବଂ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇ ଶ୍ରୀ ପାଢୀଙ୍କୁ ମୁଖ୍ୟ ସୂଚନା କମିଶନ ପଦବୀରୁ ବହିଷ୍କାର ପାଇଁ ଦାବୀ ହୋଇଥିଲା।

 

ଏହାପରେ ସୂଚନା କମିଶନ ତା ୧୬.୧୧.୨୦୦୭ରେ ବିପଏଲ‌୍‍ ବ୍ୟକ୍ତିମାନଙ୍କୁ ୭୫ ପୃଷ୍ଠା ପର୍ଯ୍ୟନ୍ତ ତଥ୍ୟ ମାଗଣାରେ ଦେବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କଲେ। କିନ୍ତୁ କମିଶନଙ୍କ ସୁପାରିଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଲେ ନାହିଁ ଏବଂ ସେହିପରି ବିପିଏଲ‌୍‍ମାନଙ୍କ ଠାରୁ ଫି ଆଦାୟ କରିଚାଲିଲେ। ସୂଚନା ଅଧିକାର ଅଭିଯାନ ତରଫରୁ ଏହା ବିରୁଦ୍ଧରେ ପ୍ରତିବାଦ ମଧ୍ୟ ଚାଲୁରହିଲା। ଏହା ପରବର୍ତ୍ତୀ ପର୍ଯ୍ୟାୟରେ ସିଭିଲ‌୍‍ ସୋସାଇଟିର ସୂଚନା କମିଶନର ଭାବେ ଯୋଗ ଦେଇଥିବା ଶ୍ରୀ ଜଗଦାନନ୍ଦ ମହାନ୍ତି ମଧ୍ୟ ଅନୁରୂପଭାବେ ବିପିଏଲ‌୍‍ ବିରୋଧୀ ଆଭିମୁଖ୍ୟ ଦେଇଚାଲିଲେ ଏବଂ ବିଭିନ୍ନ ସଭାସମିତିରେ ରାଜ୍ୟ ସରକାରଙ୍କର ବେଆଇନ କାର୍ଯ୍ୟକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଲେ। ଇତିମଧ୍ୟରେ ମୁଖ୍ୟ ସୂଚନା କମିଶନର ପଦବୀରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତ ମିଶ୍ର ଅଭିଯୋଗ ସଂଖ୍ୟା ନଂ-୨୦୨୮/୧୧ର ଶୁଣାଣୀ କରି ଅଭିଯୋଗକାରୀ ତଥା ବିପିଏଲ‌୍‍ କାର୍ଡଧାରୀ କୁଞ୍ଜବିହାରୀ ପାତ୍ରଙ୍କୁ ସୂଚନା ପାଇଁ ଫି ଦେବାକୁ  ନିର୍ଦ୍ଦେଶ ଦେଲେ। ଶ୍ରୀ ପାତ୍ର କମିଶନଙ୍କ ଏତାଦୃଶ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ରିଟ‌୍‍ ପିଟିସନ ସଂଖ୍ୟା ୪୭୯୭/୧୩ର ଶୁଣାଣୀ କରି ୩.୭.୧୩ରେ ଅଭିଯୋଗକାରୀ ଶ୍ରୀ ପାତ୍ର ବିପିଏଲ‌୍‍ ହୋଇଥିବାରୁ ସୂଚନା ଆଇନ‌୍‍ର ଧାରା ୭(୫) ଅନୁଯାୟୀ ତାଙ୍କୁ ମାଗଣାରେ ସୂଚନା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବା ସହ ସୂଚନା କମିଶନଙ୍କ ନିଷ୍ପତ୍ତିକୁ ଖାରଜ କରିଦେଲେ।

 

ଏହା ସତ୍ତ୍ୱେ ରାଜ୍ୟ ସରକାର ଅନୁରୂପ ଭାବେ ବିପିଏଲ‌୍‍ମାନଙ୍କଠାରୁ ସୂଚନା ପାଇଁ ଫିସ‌୍‍ ଆଦାୟ କରି ଚାଲିଲେ। ଏହା ବିରୁଦ୍ଧରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଆନ୍ଦୋଳନ ଚାଲୁ ରହିଲା ଏବଂ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ମୁତାବକ ବିପିଏଲ‌୍‍ମାନଙ୍କୁ ମାଗଣାରେ ସୂଚନା ପ୍ରଦାନ କରିବାକୁ ଦାବୀ କରାଗଲା। ଇତିମଧ୍ୟରେ କଳାହାଣ୍ଡି ଜିଲ୍ଲାର ସୂଚନାଧିକାର କର୍ମୀ ଧୋବା ସାହୁ ଉଚ୍ଚ ନ୍ୟାୟାଳୟରେ ଏକ ରିଟ‌୍‍ ପିଟିସନ ସଂଖ୍ୟା ୧୨୧୩୫/୧୫ ଦାଖଲ କରି ବିପିଏଲ‌୍‍ମାନଙ୍କୁ ମାଗଣାରେ ସୂଚନା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଥିଲେ। ତା ୨୩.୭.୧୫ରିଖରେ ଉଚ୍ଚ ନ୍ୟାୟାଳୟ ସୂଚନା ଆଇନ‌୍‍ର ଧାରା ୭(୫) ଅନୁଯାୟୀ ବିପିଏଲ‌୍‍ କାର୍ଡଧାରୀମାନଙ୍କୁ ମାଗଣାରେ ସୂଚନା ପ୍ରଦାନକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୨୧.୯.୨୦୧୫ରେ ରାଜ୍ୟ ସରକାର ଗେଜେଟ‌୍‍ ବିଜ୍ଞପ୍ତି ଜାରି କରି ବିପିଏଲ‌୍‍ମାନଙ୍କୁ ମାଗଣାରେ ସୂଚନା ପ୍ରଦାନ କରିବାକୁ ସମସ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ। ସୂଚନାଧିକାର କର୍ମୀମାନଙ୍କର ଦୀର୍ଘ ଏକ ଦଶନ୍ଧିର ଲଢେଇ ପରେ ଏହି ସଫଳତା ରାଜ୍ୟବାସୀ ତଥା ଗରିବ ଲୋକଙ୍କୁ ମିଳିଥିଲା।

 

ମୋ : ୯୯୩୭୮୪୩୪୮୨


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top