ଅଷ୍ଟିଳା ଗ୍ରନ୍ଥି ଅଭିବୃଦ୍ଧି

News Story - Posted on 2016-10-26

ଡାକ୍ତର ପ୍ରସନ୍ନ କୁମାର ମିଶ୍ର

 

ପ୍ରୋଷ୍ଟେଟ ଗ୍ରନ୍ଥି : ପୁରୁଷର ପରିସ୍ରାମୁଣି ବା ମୂତ୍ରାଶୟର ମୁଁହକୁ ଘେରି ରହିଥିବା ଗ୍ରନ୍ଥି ଯେଉଁଥିରୁ ନିସୃତ ରସ ବୀର୍ଯ୍ୟ ସହ ମିଶି ବାହାରକୁ ଯାଏ। ପୌରୁଷ ଗ୍ରନ୍ଥିଟି ମୂତ୍ରାଶୟର ନିମ୍ନ ଭାଗରେ ଅବସ୍ଥିତ। ମୂତ୍ର ନଳୀଟି ପୌରୁଷ ଗ୍ରନ୍ଥି ମଧ୍ୟ ଦେଇ ମୂତ୍ର ଥଳିରୁ ବାହାରିଥାଏ। ଏହି ଗ୍ରନ୍ଥୀର ବହିଃସ୍ରାବ ମୂତ୍ରନଳୀ ମଧ୍ୟକୁ ଖୋଲିଥାଏ। ବୀର୍ଯ୍ୟର ଜଳୀୟ ଅଂଶ ପ୍ରାୟ ପୌରୁଷ ଗ୍ରନ୍ଥିର ବହିଃସ୍ରାବରୁ ଆସିଥାଏ। ବୀର୍ଯ୍ୟରେ ପୌରୁଷ ଗ୍ରନ୍ଥିର ବହିଃସ୍ରାବ ବହୁ ପରିମାଣରେ ଥାଏ। ପୌରୁଷ ଗ୍ରନ୍ଥିକୁ ନିର୍ଗତ ହେଉଥିବା ରସ- ଶୁକ୍ରାଣୁକୁ ଖାଦ୍ୟ ଯୋଗାଇଥାଏ। ଏହି ରସକୁ ପାନକରି ଶୁକ୍ରାଣୁ ସବୁ ସୁସ୍ଥ ଏବଂ ପରିପୁଷ୍ଟ ହୁଅନ୍ତି। ପୌରୁଷ ଗ୍ରନ୍ଥିର ରସର ୩୯ ପ୍ରତିଶତ, ସେମିନାଲ ଫ୍ଲୁଇଡ଼ୋର ୬୦ ପ୍ରତିଶତ ଏବଂ ଶୁକ୍ରର ୧ ପ୍ରତିଶତ ମିଶି ବୀର୍ଯ୍ୟ ପ୍ରସ୍ତୁତ ହୋଇଥାଏ। ବୃଦ୍ଧାବସ୍ଥାରେ ଏହି ଗ୍ରନ୍ଥିଟିର ଆକାର ବଡ ହୋଇ ମୂତ୍ରାଶୟ ଭିତରକୁ ପଶି ସମସ୍ୟା ସୃଷ୍ଟି କରେ।

 

ପ୍ରୋଷ୍ଟେଟ‌୍‍ (ମେଗାଳି) ବା ଅଷ୍ଟିଳାଗ୍ରନ୍ଥି ଅଭିବୃଦ୍ଧି

 

ଏହି ଗ୍ରନ୍ଥିରେ ଏକପ୍ରକାର ଫୁଲିଲା ପରି କିମ୍ୱା ଆବୁପରି ଦେଖାଯାଇଥାଏ। ଏହାକୁ ଅଷ୍ଟିଳ ଗ୍ରନ୍ଥି ଅଭିବୃଦ୍ଧି ବୋଲି କୁହାଯାଏ। ଉକ୍ତ ସମସ୍ୟା ମୁଖ୍ୟତଃ ବୟସ୍କ ପୁରୁଷଙ୍କଠାରେ  ଦେଖାଯାଇଥାଏ। ବୟସ ବଢିବା ସଙ୍ଗେ ସଙ୍ଗେ ଏହି ଗ୍ରନ୍ଥି ମଧ୍ୟ ବୃଦ୍ଧି ପାଇଥାଏ। ମାତ୍ର ସମସ୍ତେ ଏହି ଅଭିବୃଦ୍ଧି ଜନିତ ସମସ୍ୟାରେ ପୀଡିତ ହୁଅନ୍ତି ନାହିଁ। ସବୁବେଳେ ଏହି ଫୁଲିବା ଆକାର କିମ୍ୱା ଟ୍ୟୁମର କ୍ୟାନ‌୍‍ସର ହୋଇନଥାଏ। ସାଧାରଣତଃ ୪୦ ବର୍ଷ ବୟସ ପରେ ଏହି ରୋଗର ଲକ୍ଷଣମାନ ଶରୀରରେ ଦେଖାଦେଇଥାଏ। ପଚାଶ ବର୍ଷ ବୟସ ପରେ ସମୁଦାୟ ୫୦ ପ୍ରତିଶତ ଓ ୭୦ ବା ୮୦ ବର୍ଷ ବୟସ ପରେ ୯୦ ପ୍ରତିଶତ ଲୋକଙ୍କଠାରେ ଏହି ଗ୍ରନ୍ଥିର ଅଭିବୃଦ୍ଧି ଦେଖାଦେଇଥାଏ। ମାତ୍ର ଅଧାରୁ ଅଧିକ ଲୋକେ ଉକ୍ତ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି ଯାହାକି ସେମାନଙ୍କର ପରିସ୍ରାର ଲକ୍ଷଣରୁ ଜଣାପଡିଥାଏ।

 

ରୋଗର ଲକ୍ଷଣ :-

 

ଅଷ୍ଟିଳା ଗ୍ରନ୍ଥି ବା (ପ୍ରୋଷ୍ଟେଟ ଗ୍ଲାଣ୍ଡ) ଜନିତ ରୋଗ ବା ଏହାର ଲକ୍ଷଣ ସବୁ ଲୋକମାନଙ୍କ କ୍ଷେତ୍ରରେ ସମାନ ନଥାଏ। ସାଧାରଣତଃ ଭାବେ ପରିଲିକ୍ଷିତ ହେଉଥିବା ଲକ୍ଷଣ ଗୁଡିକ ମଧ୍ୟରୁ -

(୧)           ରାତ୍ରିରେ ବାରମ୍ୱାର ପରିସ୍ରା କରିବା।

(୨)           ପରିସ୍ରା ସ୍ୱତଃ ନ ହେବା ଓ ପରିସ୍ରା କରିବା ସମୟରେ ସଂପୂର୍ଣ୍ଣ ପରିସ୍ରା ନହେବା ବା ପରିସ୍ରା ଲିକ‌୍‍ ହୋଇ ପିନ୍ଧିଥିବା ବସ୍ତ୍ର ଭିଜିଯିବା।

(୩)          ପରିସ୍ରା ସଂପୂର୍ଣ୍ଣ ନହେବାର ଚେତନା ବା ସେହିପରି ଅନୁଭବ ଲାଗିବା।

(୪)          ପରିସ୍ରା ଲାଗିଲେ ମଧ୍ୟ ବିଳମ୍ୱରେ ହେବା।

(୫)           ପରିସ୍ରା ତ୍ୟାଗବେଳେ ଶେଷ ବେଳକୁ ବୁନ୍ଦାବୁନ୍ଦା ହୋଇ ପଡିବା।

(୬)           ପରିସ୍ରା ଲାଗିଲା ବେଳକୁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେବା।

 

ଚିକିତ୍ସା ପଦ୍ଧତି :-

 

ପ୍ରଥମେ ଲକ୍ଷଣଗୁଡିକର ଅନୁଧ୍ୟାନ କରି ଉଟିତ‌୍‍ ପଦକ୍ଷେପ ନେଲେ ରୋଗୀ ସଂପୂର୍ଣ୍ଣ ସୁସ୍ଥ ମଣିଷ ପରି ଜୀବନ ଯାପନ କରିପାରିବ।

 

ଏହି ଚିକିତ୍ସାର ମୁଖ୍ୟତଃ ୩ଟି ସୋପାନ ବା ସ୍ତର ରହିଛି। ଯେଉଁଥିରେ ରୋଗୀ ତା’ର -

(୧)           ପରିବର୍ତ୍ତିତ/ରୂପାନ୍ତରୀତ ଜୀବନଶୈଳୀ

(୨)           ନିୟମିତ ଔଷଧ ସେବନ

(୩)          ଅସ୍ତ୍ରୋପଚାର

 

ପରିବର୍ତ୍ତିତ ବା ରୂପାନ୍ତରିତ ଜୀବନଶୈଳୀ :

 

(ବ)          ଏହି ପ୍ରକ୍ରିୟାରେ ସାରାଦିନ ୧.୫ ଲିଟରରୁ ୨ ଲିଟର ପାଣି ପିଇବା ଦରକାର। ଏହି ଶରୀର କାର୍ଯକ୍ଷମ ବେଳେ ତଥା ସକାଳ ବେଳା ଅଧିକ ଏବଂ ଶୋଇବା ସମୟ ବା ସଂନ୍ଧ୍ୟା ପରେ କମ‌୍‍ ପରିମାଣର ପାଣି ବା ତରଳ ପଦାର୍ଥ ପିଇବା ଆବଶ୍ୟକ ଅଟେ। ଫଳରେ ରାତ୍ର ସମୟରେ ପରିସ୍ରା ଅଧିକା ଲାଗେ ନାହିଁ ଏବଂ ରାତ୍ରିରେ ବିଛଣାରୁ ବାରମ୍ୱାର ଉଠିବାର ଭୟ ନଥାଏ। କିମ୍ୱା ନିଦ୍ରାରେ ବ୍ୟାଘାତ ଆସେ ନାହିଁ।

(ଭ)          ଖାଲି ପାଣି ଅପେକ୍ଷା ପାଣିରେ ଲୁଣ ଓ ଲେମ୍ୱୁ ମିଶାଇ ପିଇଲେ ଏହା ହିତକର ଅଟେ।

(ମ)          କେଫିନ‌୍‍ ଯୁକ୍ତ ପାନୀୟ ଯଥା:- ରା, କଫି ଓ ମୃଦୁପାନୀୟ ଦିନକୁ ୩ ଥରରୁ ଅଧିକ ନେବା ଅନୁଚିତ।

 

ନିୟମିତ ଔଷଧ ସେବନ :-

 

ଏବେ ଏହି ରୋଗ ପାଇଁ ଉପଯୁକ୍ତ ଔଷଧ ମିଳୁଛି। ବିଜ୍ଞ ୟୁରୋଲୋଜିଙ୍କ ପରାମର୍ଶରେ ଔଷଧ ବ୍ୟବହାର କରି ଏହା ରୋଗରୁ ଲାଘବ ମିଳିଥାଏ। ତେବେ ଔଷଧ ନିୟମିତ ବ୍ୟବହାର କରିବା ରୋଗୀ ପାଇଁ ଆବଶ୍ୟକ ହୋଇଥାଏ ।

 

ଅସ୍ତ୍ରୋପ୍ରଚାର :- 

 

ଏହି ଅସ୍ତ୍ରୋପଚାରକୁ ଟିୟୁଆରପି ବୋଲି କୁହାଯାଏ। ଏହା ସାଧାରଣତଃ ଅନ୍ତଃ ଶରୀରରେ କରାଯାଇଥାଏ। ଆନେସ‌୍‍ଥେସିଆ ଦେବାପରେ ଡାକ୍ତର ରିସେକ୍ଟୋ ସ୍କୋପ ଯନ୍ତ୍ର ସାହାଯ୍ୟରେ ଏହି ଅସ୍ତ୍ରୋପଚାର କରାଯାଇଥାଏ। ମୂତ୍ରନଳୀ ଦ୍ୱାର ଦେଇ ପ୍ରବେଶ କରାଯାଇ ଏହି ସର୍ଜରୀ କରାଯାଇଥାଏ। ଏଥିରେ ବର୍ଦ୍ଧିତ ତନ୍ତୁ ଖଣ୍ଡ ଖଣ୍ଡ କରି କାଟି ଦିଆଯାଏ ଓ ସେହି ତନ୍ତୁ ଖଣ୍ଡ ମୂତ୍ରାଶୟକୁ ଯାଇ ସେଠାରୁ ନିର୍ଗତ ହୁଏ। ଯାହାଫଳରେ ଏହି ଅସ୍ତ୍ରୋପଚାରରେ କ୍ଷତି ଖୁବ‌୍‍ କମ‌୍‍ ହୁଏ। କିନ୍ତୁ ଯଦି ଏହି ଗ୍ରନ୍ଥି ବଡ ହୋଇ ୧୦୦ ଗ୍ରାମ ଓଜନ ବିଶିଷ୍ଟ ହୋଇଥାଏ। ତେବେ ଟିୟୁଆରପି ଦ୍ୱାରା ଅସ୍ତ୍ରୋପ୍ରଚାର ପାଇଁ ପ୍ରଯୁଜ୍ୟ ନହୋଇ ଏହା ଛେଦନ ପଦ୍ଧତି ବା ଓପନ୍ ସର୍ଜରୀ କରାଯାଇଥାଏ। ଯେଉଁଥିରେ ରୋଗୀଙ୍କୁ ଅଧିକ ଦିନ ହାସପାତାଲରେ ରହିବା ସଙ୍ଗେ କ୍ଷତ ଲାଘବ ହେବାରେ ମଧ୍ୟ ଅଧିକ ଦିନ ଲାଗିଥାଏ।

 

ବରିଷ୍ଠ ୟୁରୋଲୋଜିଷ୍ଟ‌୍‍, କେୟାର ହସ୍ପିଟାଲସ‌୍‍

ପ୍ରାଚି ଏନ‌୍‍ କ୍ଲେଭ‌୍‍, ଭୁବନେଶ୍ୱର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top