ଈଶ୍ବରଙ୍କୁ ଚିଠିଟିଏ

News Story - Posted on 2016-10-22

ଚାରୁ ଚନ୍ଦନ ଦାଶ

 

ହେ ପ୍ରଭୁ ଏ ଦୁନିଆରେ ଏମିତି କାହିଁକି ହୁଏ? କେଉଁଠି ଖାଇବାକୁ ନପାଇ ଭୋକ ଉପାସରେ ଲୋକ ମରୁଛନ୍ତି ତ ଆଉ କେଉଁଠି ଅଜଣା ରୋଗରେ ପ୍ରାଣ ହରାଉଛନ୍ତି। ମା’ଠୁ ଶୁଣିଛି ଆପଣ ପରା ଏଇ ସୁନ୍ଦର ଦୁନିଆକୁ ନିଜ ହାତରେ ତୋଳିଛନ୍ତି। ଆପଣଙ୍କ ହାତରେ ଗଢ଼ା ହୋଇଥିବା ଏମିତି ସୁନ୍ଦର ଦୁନିଆରେ କାହିଁକି ଏଭଳି ଅଘଟଣ ଘଟେ ପ୍ରଭୁ। ମା’କୁ ପଚାରିଲି ଯେ ସେ କହିଲାନି। ସେଥିପାଇଁ ଭାବିଲି ଆପଣଙ୍କୁ ପଚାରିବି। ଆଉ ଏଇ ଚିଠି ଲେଖିବା ପୂର୍ବରୁ ଟିକେ ଜଣାଇ ଦେବି। ଆଗରୁ କେବେ କାହାକୁ ଚିଠି ଲେଖିନି। ସେଥିପାଇଁ ପ୍ରିୟର ଲେଖିବି ନା ସ୍ନେହର ଲେଖିବି ନା ମାନନୀୟ ଲେଖିବି ଜାଣିନି...

 

ହେ ପ୍ରଭୁ, ମାଲକାନଗିରି ଜିଲ୍ଲା ଭଳି ଏକ ଆଦିବାସୀ ଅଧ୍ୟୁସିତ ଜିଲ୍ଲାରେ ମୋର ଘର। ବଣ, ଜଙ୍ଗଲରେ ପରିପୂର୍ଣ୍ଣ ମୋ ଜିଲ୍ଲାର ଲୋକମାନେ ଭାରି ସରଳ। ସେଥିପାଇଁ ବୋଧହୁଏ ଏଯାଏ ସେମାନଙ୍କ ନିକଟରେ କୌଣସି ସରକାରୀ ସହାୟତା କି ଯୋଜନା ପହଞ୍ଚି ପାରିନି। ଏକବିଂଶ ଶତାବ୍ଦୀରେ ବି ଲୋକମାନେ ଖାଇବାକୁ ନପାଇ ଆମ୍ବଟାକୁଆ ଜାଉ ଖାଉଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନପାଇ ଗଛ ତଳେ ଶୋଉଛନ୍ତି। ସେକଥା ଛାଡ଼ନ୍ତୁ। ଜାଣିଛନ୍ତି ପ୍ରଭୁ, ମୋ ସାଙ୍ଗମାନେ ଏବେ ଏକ ଜରରେ ପୀଡ଼ିତ ହୋଇ ଆଖି ବୁଜି ଦେଇଛନ୍ତି। କ’ଣ ଯେ ସେଇ ଜର। ହଁ, ହଁ ମା’ କହୁଥିଲା ସେଇଟା କାଳେ ଜାପାନୀ ଜର। ସେ ଜାପାନୀ ଜର କି ଆଉ କିଛି ସେକଥା ମୁଁ ଜାଣିନି। ହେଲେ ପ୍ରଭୁ ସେଇ ରୋଗରେ ପଡ଼ି ହୋଇ ମୋ ଭଳି ୬୭ ଜଣ ଶିଶୁ ପ୍ରାଣ ହରାଇ ସାରିଲେଣି। ଆହୁରି କେତେକ ଏବେବି ପୀଡ଼ିତ ଅଛନ୍ତି।

 

ରୀନା ବୋଲି ମୋର ଜଣେ ସାଙ୍ଗ ଏଇ ନିକଟରେ ଆଖି ବୁଜି ଦେଲା। ଆମ ଘର ପାଖରେ ତା’ଘର। ଏକା ସାଙ୍ଗେ ଖେଳୁଥିଲୁ। ସିଏ ଗଲା ଦିନଠାରୁ ତାଙ୍କ ଘରେ ଚୁଲି ଜଳୁନି। ତା’ ମା’ ବି ବହୁତ କାନ୍ଦୁଛନ୍ତି। ଆଉ ବାପା ଦୁଃଖ ଭୁଲାଇବାକୁ ହାଣ୍ଡିଆ ପିଉଛନ୍ତି। ହେଲେ ବି ପାରୁନାହାନ୍ତି। ଗୁମୁରି ଗୁମୁରି କାନ୍ଦୁଛନ୍ତି। କେବଳ ରୀନା ନୁହେଁ, ତା’ ଭଳି ଆହୁରି ୬୭ ଜଣ ଶିଶୁଙ୍କୁ ଏଇ ଜର ମାରିଦେଲା। ହେଲେ ପ୍ରଭୁ ସେମାନେ ତ ତମ ପାଖରେ ଅଛନ୍ତି। ତାଙ୍କୁ ଭଲରେ ରଖିଥିବ। ସେମାନଙ୍କ ସୁଖ ଦୁଃଖ ବୁଝୁଥିବ। ସେମାନେ ଟିକେ ଅଳି ଅଝଟ କଲେ ରାଗିବନି...

 

ପ୍ରଭୁ, ମତେ ବି କାଳେ ସେଇ ଜର ହୋଇଛି। ମୋ ଦେହ ଭଲ ଲାଗୁନି। ଗଲା ରାତି ଠାରୁ ମୁଁ ଡାକ୍ତରଖାନାରେ ଅଛି। ମା’ ବି ବହୁତ କାନ୍ଦୁଛି। ଖାଇବା ପିଇବା ସବୁ ଛାଡ଼ି ଦେଇଛି। କେବଳ ମୋରି ପାଇଁ। ବାପାଙ୍କ ମନ ବି ଖୁସି ନାହିଁ। ମୋ ଆଗରେ ନ କାନ୍ଦିଲେ ବି ନିରୋଳାରେ ବହୁତ କାନ୍ଦୁଛନ୍ତି। ହେଲେ ପ୍ରଭୁ ତମେ କୁହ। ସରକାରଙ୍କ ଟୀକା ବ୍ୟବସ୍ଥା ଥିଲେ ବି ଆମମାନଙ୍କୁ ଟୀକା ଦିଆ ହୋଇନାହିଁ। କ’ଣ ସେଇ ଟୀକା ମୁଁ ଜାଣିନାହିଁ। ଖାଲି ଡାକ୍ତରବାବୁ କହୁଥିଲେ ଯେ ଶୁଣିଛି। ସେଇ ଟୀକା ଦେଇଥିଲେ କାଳେ ଏହି ଜର ହୋଇନଥାନ୍ତା। ହେଲେ ପ୍ରଭୁ ତମେ କହିଲ, ଏଥିପାଇଁ କ’ଣ ମୁଁ କି ମୋ ସାଙ୍ଗମାନେ ଦାୟୀ? ନା ଆମ ଗରିବପଣିଆ ଆଉ ସରଳତା ଦାୟୀ?

 

ଆଉ କିଛି କହିବାକୁ ଚାହୁଁନି ପ୍ରଭୁ। କେତେବେଳେ ଯେ କ’ଣ ହେବ! ଖାଲି ଟିକେ ଡର ଲାଗୁଛି। ଦିନେ କି ଦୁଇ ଦିନ ଭିତରେ ହୁଏତ ଆପଣଙ୍କ ପାଖକୁ ମୁଁ ବି ଚାଲିଯିବି। ଠିକ୍ ମୋ ସାଙ୍ଗମାନଙ୍କ ଭଳି। ହେଲେ ପ୍ରଭୁ ମୁଁ ଭାରି ଦୁଷ୍ଟ। ମା’ବାପାଙ୍କୁ ଛାଡ଼ି ତମ ପାଖକୁ ଯିବି। ସେଥିପାଇଁ ଆଗରୁ କହି ଦେଉଛି, ମୁଁ ଦୁଷ୍ଟ ହେଲେ ରାଗିବନି କି ଅଝଟ କଲେ ବିରକ୍ତ ହେବନି।

 

ରହୁଛି ପ୍ରଭୁ ହେଲେ ସତ କଥା କହିବି, ମା’କୁ ଛାଡ଼ି ଯିବାକୁ ଇଚ୍ଛା ହେଉନି। ହେଲେ କ’ଣ କରିବି ହୁଏତ ସେଇଟା ତମ ଇଚ୍ଛା ହୋଇଥିବ। ସେଥିଲାଗି ଆଜି ଦିନଟିଏ ପାଇଁ କଷ୍ଟ କି ଯନ୍ତ୍ରଣା ନପାଇ ଟିକେ ମୋ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛି। ବାପାଙ୍କ ପିଠିରେ ବସି ଘୋଡ଼ା ଖେଳିବି ଆଉ ମୋ ମା’ଠାରୁ ମନ ଭରି କ୍ଷୀର ପିଇବି। ତେଣୁ ପ୍ରଭୁ ମୋର ଏତିକି ଅନୁରୋଧ, ଆଜି ରାତିଟା ମୋ ମା’ର ପଣତକାନି ତଳେ ଶୋଇବାକୁ ଦିଅନ୍ତୁ।

 

ଇତି

ତମ ପରିବାରର ଜଣେ କୁନି ପିଲା

 

ଫୋନ୍-୯୬୫୮୨୬୩୨୮୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top