ଖାଦ୍ୟ ନଷ୍ଟ କରି ଭୋକରେ

News Story - Posted on 2016-10-14

ବିଭୂତିଭୂଷଣ କର

 

ନିକଟରେ ‘ବିଶ୍ୱ ଭୋକିଲା ସାରଣୀ’ ବିଶ୍ୱବାସୀଙ୍କ ସାମ୍ନାକୁ ଆସିଛି। ସମଗ୍ର ବିଶ୍ୱର ୧୧୮ ଗୋଟି ଦେଶ ଉପରେ ସର୍ବେକ୍ଷଣ ଉପରାନ୍ତେ ପ୍ରକାଶିତ ପରିସଂଖ୍ୟାନ ଭାରତ ପାଇଁ ବିଶ୍ୱ ସ୍ତରରେ ଲଜ୍ଜା ଆଣି ଦେଇଛି। ଦୀର୍ଘବର୍ଷ ହେବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ଖାଦ୍ୟ ନିରାପତ୍ତା ତଥା ଅନ୍ୟାନ୍ୟ କ୍ଷୁଧା ମୁକ୍ତି ଯୋଜନା ପ୍ରଚଳିତ ହୋଇ ଆସୁଛି। କ୍ଷୁଧାର୍ତ୍ତ ବିଶ୍ୱବାସୀଙ୍କ ଉପରେ ପ୍ରକାଶିତ ପରିସଂଖ୍ୟାନ ଉପରୋକ୍ତ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

୨୦୦୦ ମସିହାରେ ପ୍ରକାଶିତ ସାରଣୀ ତୁଳନାରେ ୨୦୧୬ ମସିହାରେ ବିଶ୍ୱସ୍ତରରେ ଭୋକିଲାଙ୍କ ସଂଖ୍ୟା ୨୯ ଶତାଂଶ ହ୍ରାସ ପାଇଥିବା ବେଳେ ଭାରତରେ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି। ୧୧୮ଟି ଦେଶ ଉପରେ ପର୍ଯ୍ୟବସିତ ସର୍ଭେ ଅନୁଯାୟୀ ଭାରତର ସ୍ଥାନ ୯୭। ପରିସଂଖ୍ୟନ ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ରସମୂହ ଅର୍ଥାତ‌୍‍ ବ୍ରାଜିଲ‌୍‍, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକା ଭଳି ଦେଶମାନଙ୍କ ମଧ୍ୟରେ ଆମ ଦେଶର ସ୍ଥାନ ସର୍ବନିମ୍ନ। ଏସିଆ ମହାଦେଶରେ କେବଳ ପାକିସ୍ଥାନ ସାରଣୀ ପାବଚ୍ଛରେ ଆମ ତଳେ ୧୦୭ ନମ୍ୱର ସ୍ଥାନରେ ଥିଲା ବେଳେ ନେପାଳ ଓ ବାଂଲାଦେଶ ଭଳି ଦେଶ ଆମ ଉପରେ ଯଥାକ୍ରମେ ୭୨ ଓ ୯୦ତମ ସ୍ଥାନରେ ସ୍ଥାନିତ ହେବା ଭାରତ ପାଇଁ ସମୀକ୍ଷାର ବିଷୟ।

 

ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ମଙ୍ଗଳ ଅଭିଯାନ ଆରମ୍ଭ କରିଥିବା ବେଳେ ଦେଶର ୫୨.୨ ଶତାଂଶ ଲୋକ ଅର୍ଥାତ ପ୍ରାୟ ୧୯ କୋଟି ଲୋକ ଭୋକଉପାସରେ କାଳକାଟିବା ଦୁର୍ଭାଗ୍ୟର ବିଷୟ। ଏହି ୧୯ କୋଟି ଭୋକିଲାଙ୍କ ମଧ୍ୟରେ ୫ ବର୍ଷରୁ କମ ଭୋକିଲାଙ୍କ ସଂଖ୍ୟା ୩୮.୭ ଶତାଂଶ। ଅର୍ଥାତ‌୍‍ ପ୍ରାୟ ସାଢେ ୭ କୋଟି। ଏକ ସର୍ବେକ୍ଷଣ ଅନୁଯାୟୀ ବିଭିନ୍ନ ବର୍ଗର ଭାରତୀୟମାନେ ନଷ୍ଟ କରିଦେଉଥିବା ଖାଦ୍ୟର ପରିମାଣ ଯାହାକି ୧୯ କୋଟି ଭାରତୀୟଙ୍କ ଖାଦ୍ୟର ପରିମାଣ ସହ ସମାନ। ବର୍ଷକୁ ହାରାହାରି ଭାବେ ଭାରତୀୟମାନେ  ୬୭ କୋଟି ଟନ ଖାଦ୍ୟ ନଷ୍ଟ କରିଥାନ୍ତି, ଯାହାକି ଆମେରିକାର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ସହ ସମାନ। ନଷ୍ଟ ହେଉଥିବା ଏହି ୬୭ କୋଟି ଟନ ଖାଦ୍ୟ ମଧ୍ୟରୁ ୪୦ ଶତାଂଶ ଖାଦ୍ୟଶସ୍ୟ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୮ ହଜାର କୋଟି ଟଙ୍କା ତାହା କେବଳ ରକ୍ଷଣାବେକ୍ଷଣ ଅଭାବରୁ ହିଁ ନଷ୍ଟ ହୋଇଥାଏ ଏବଂ ପ୍ରାୟ ୨୦ ଶତାଂଶ ଖାଦ୍ୟ ବିଭିନ୍ନ ଉତ୍ସବ ଅନୁଷ୍ଠାନମାନଙ୍କରେ ନଷ୍ଟ ହୋଇଥାଏ।

 

ଅନ୍ୟ ଏକ ପରିସଂଖ୍ୟାନ ଅନୁଯାୟୀ ଆମ ଦେଶରେ ବିଭିନ୍ନ କାରଣରୁ ନଷ୍ଟ ହେଉଥିବା ଗହମର ପରିମାଣ ଅଷ୍ଟ୍ରେଲିଆର ମୋଟ ଗହମ ଉତ୍ପାଦନ ପରିମାଣ ସହ ସମାନ।

 

ଉପରୋକ୍ତ ପରିସଂଖ୍ୟାନରୁ ଏହା ସ୍ପଷ୍ଟ ଯେ,  କ୍ଷୁଧାମୁକ୍ତ ଭାରତ ପାଇଁ କାହା ଆଗରେ ହାତ ପତେଇବାର ଆବଶ୍ୟକ ନାହିଁ। ଖାଦ୍ୟଶସ୍ୟର ଉପଯୁକ୍ତ ରକ୍ଷଣାବେକ୍ଷଣ ଦିଗରେ ଲକ୍ଷ୍ୟଭେଦ ଯୋଜନା ଏବଂ ଖାଦ୍ୟପଦାର୍ଥ ନଷ୍ଟ ନ କରିବା ପାଇଁ ଭାରତୀୟଙ୍କ ମଧ୍ୟରେ ସମ୍ୱେଦନଶୀଳପୂର୍ଣ୍ଣ ସଚେତନତା ହିଁ ଆମକୁ ଭୋକିଲାମୁକ୍ତ ଭାରତ ଗଠନ କରିବାରେ ସହାୟକ ହେବ।

 

୨୦୩୦ ମସିହା ସୁଦ୍ଧା ସମଗ୍ର ବିଶ୍ୱକୁ କ୍ଷୁଧାମୁକ୍ତ ବିଶ୍ୱରେ ପରିଣତ କରିବା ପାଇଁ ଜାତିସଂଘ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବାକୁ ହେଲେ ପଡୋଶୀ ଦେଶର ଦୁର୍ଗତିକୁ ଦର୍ଶାଇ ନିଜ ଦେଶରେ ତୁଳନାତ୍ମକ ବିକାଶର ଡିଣ୍ଡିମ ପିଟୁଥିବା ରାଜନେତା ତଥା ଗଣମାଧ୍ୟମମାନେ ସଂକଳ୍ପିତ ଉଦ୍ୟମ କରିବା ଆବଶ୍ୟକ। ଅନ୍ୟଥା ସମ୍ପନ୍ନ ଓ ବିପନ୍ନଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି, ଭାରତର ବିକାଶରେ ବାଧକ ହେବା ଅବଶ୍ୟମ୍ଭାବୀ।

 

ରାଜ୍ୟ ସଭାପତି, ଉତ୍କଳ ସାମ୍ୱାଦିକ ସଂଘ


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top