କିଏ ଜୁଆଡ଼ି? ଲକ୍ଷ୍ମୀ ନା ଜଗନ୍ନାଥ??

News Story - Posted on 2016-10-14

ବୈଷ୍ଣବ ଜେନା

 

ଆମେ ସବୁ ଉତ୍କଳୀୟ- ଜଗନ୍ନାଥ ଦେଶର ଲୋକ। ଜଗନ୍ନାଥ ହିଁ ଆମର ପରିଚୟ।  ତାଙ୍କୁ ବାଦ‌୍‍ ଦେଲେ ଆମ ଉତ୍କଳୀୟଙ୍କର ସତ୍ତା ନାହିଁ। ସେ ହିଁ ଆମର ନେତା। ତାଙ୍କୁ ସ୍ମରଣ କରି ଆମେ ଯେକୌଣସି କାମ ଆରମ୍ଭ କରୁ-ଶେଷ ମଧ୍ୟ କରୁ। ଆମର ଜୟ ପରାଜୟ ତାଙ୍କ ପ୍ରତି ଉତ୍ସର୍ଗୀକୃତ। ସେ ମଧ୍ୟ ସେଥିରେ ଅଙ୍ଗାଙ୍ଗୀ ଭାବେ ଜଡିତ।  ଅତୀତରେ ସେ ଏପରି ଚମତ୍କାରିତା ଦେଖାଇଥିଲେ-କାଞ୍ଚି ଯୁଦ୍ଧରେ ସହାୟତା ଦେଇଥିଲେ। ଏବେ ମଧ୍ୟ ସେ ଆମ ସହିତ ଅଛନ୍ତି। ଆମେ ମଧ୍ୟ ତାଙ୍କୁ ଜାବୁଡି ଧରିଛୁ। କିଏ ତାଙ୍କୁୁ ଭାଇ- କିଏ ସଖା କିମ୍ୱା କିଏ ମହାପ୍ରଭୁ ବୋଲି ସମ୍ୱୋଧନ କରୁଛି। ତଦନୁଯାୟୀ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ପୂଜାପାଠ ହେଉଛି।

 

କେଉଁଠି ସେ ଦାରୁ ଦେବତା  ତ କେଉଁଠି ସେ ପଥରମୂର୍ତ୍ତି- କେଉଁଠି ଫଟୋରେ ପୂଜା ପାଉଛନ୍ତି। କେତେ ପ୍ରକାର ବେଶ ତାଙ୍କର ରହିଛି। ତାଙ୍କୁ ଶୀତ ଲାଗିଲେ ଆମକୁ ଶୀତ ଲାଗେ- ସେଥିପାଇଁ ତାଙ୍କୁୁ ଘୋଡଣୀ ବସ୍ତ୍ର ଦିଆଯାଏ- ଆମେ ମଧ୍ୟ ଘୋଡ଼ାଇ ହେଉ। ସେ ଅଣସର ଘରେ ରହିଲେ ଆମକୁ ଗୁଳୁଗୁଳି ଲାଗେ। ତାଙ୍କ ଦେହରେ ଉତ୍ତାପ ବଢିଲେ- ରାଜ୍ୟରେ ଝାଞ୍ଜି ପବନ ବୁହେ- ଗ୍ରୀଷ୍ମ ପ୍ରବାହ ଘଟେ। ତାଙ୍କର ଶ୍ରୀମନ୍ଦିରରେ କୌଣସି  ଅଘଟଣ ଘଟିଲେ ଆମେ ନିଜକୁ ଅସୁରକ୍ଷିତ ମନେ କରୁ। ତାହାର ମନ୍ଦିରରେ ପହଡ ପଡିଲେ ଆମେ ଦିନରେ ଶୋଇପଡୁ।। ଏପରି କୌଣସି ଦିଅଁ ନାହିଁ ଯିଏ ଆମ ପରି ଦିନରେ ଶୁଏ। ଅଥବା ସେ ଦିନରେ ଶୋଉଥିବାରୁ ଆମେ ଦିନରେ ଟିକେ ଶୋଇପଡୁ। ତାହାର ବିଭିନ୍ନ ପ୍ରକାର ବ୍ୟଞ୍ଜନକୁ ଦୃଷ୍ଟିରେ ରଖି ଆମ ଘରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ହୋଇଥାଏ, ଯାହାକି ଅନ୍ୟତ୍ର ଦେଖାଯାଇନାହିଁ। ମୋଟ ଉପରେ କହିବାକୁ ଗଲେ- ସେ ଆମର ଅସ୍ଥିମଜ୍ଜାଗତ ତାଙ୍କୁ ଛାଡ଼ିଦେଲେ ଆମର ଅସ୍ତିତ୍ୱ ନାହିଁ।

 

ତେବେ ଏହି ଲୀଳାମୟ ଠାକୁରଙ୍କ ସଂସ୍କୃତି ଓ ପରମ୍ପରାକୁ ନେଇ ଆମ ମନରେ ଏକ ପ୍ରଶ୍ନ ଗୁଞ୍ଜରଣ ସୃଷ୍ଟି କରୁଛି। ସେହି କାଳିଆ ଠାକୁର କୁଆଁର ପୁନେଇଁରେ ଜୁଆ ଖେଳୁଥିବାରୁ ଆମେ ସେହିଦିନ ଜୁଆ ଖେଳିବା ଆମର ଜଗନ୍ନାଥ ସଂସ୍କୃତିଗତ ଅଥବା ପରମ୍ପରାଗତ ଅଧିକାର କି? ବିଶେଷକରି ଜୁଆ ସବୁଦିନେ ଖେଳାଯାଇଥାଏ- ମାତ୍ର କୁଆଁରପୁନେଇ (କୁମାର ପୂର୍ଣ୍ଣିମା) ସହିତ ତାହା ସମ୍ପର୍କ ନିଶ୍ଚିତ ତାତ୍ପର୍ଯ୍ୟପୂର୍ଣ୍ଣ। ତାହାକୁ ଅନ୍ୟଦିନ ପରି ଧରି ନେଇ ବାରଣ କରିବା ତଥା ପୋଲିସ କାର୍ଯ୍ୟାନୁଷ୍ଠାନ ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।

 

କହିବା ବାହୁଲ୍ୟ ଯେ, ଦକ୍ଷିଣ ଓଡ଼ିଶାର ଲୋକମାନେ ଅତ୍ୟନ୍ତ ପରମ୍ପରାବାଦୀ- ଜଗନ୍ନାଥ ସଂସ୍କୃତିର ଧାରକ। ଦକ୍ଷିଣ ଓଡ଼ିଶାର ଜିଲ୍ଲା ସମୂହ ଯଥା ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନାଗିରି ଓ ନବରଙ୍ଗପୁରର ଜିଲ୍ଲାରେ କୁମାର ପୂର୍ଣ୍ଣିମାରେ ଜୁଆଖେଳ ଏକ ସ୍ୱୀକୃତ ପଇସାଖେଳ। ସେହିପରି କନ୍ଧମାଳ, କଳାହାଣ୍ଡିରେ ମଧ୍ୟ ଏହି ଜୁଆଖେଳ ହୋଇଥାଏ। ଏହାଛଡ଼ା ନୟାଗଡର ଏବଂ ଖୋର୍ଦ୍ଧା ଜିଲ୍ଲାର କିଛି କିଛି ଅଞ୍ଚଳରେ ଏହି ଖେଳ ଚାଲିଥାଏ। ଯାଜପୁରର କେତେକ ଅଂଚଳରେ ଗଜଲକ୍ଷ୍ମୀ ପୂଜା ଅବସରରେ ଜୁଆ ଖେଳ ଭାବ ପଶା ଖେଳ ହୋଇଥାଏ। ପଡୋଶୀ ଛତିଶଗଡ ଏବଂ ଆନ୍ଧ୍ର ପ୍ରଦେଶର ଓଡ଼ିଆ ବହୁଳ ଅଞ୍ଚଳରେ ଏହି ଦିନରେ ଜୁଆ ଖେଳ ଚାଲିଥାଏ।

 

କହିବାକୁ ଗଲେ ଏହି ଧାର୍ମିକ ପରମ୍ପରାଭିତ୍ତିକ ଜୁଆଖେଳଟି ଏହିସବୁ ଅଞ୍ଚଳରେ ଏକ ଅଘୋଷିତ ଗଣପର୍ବ। ଧନୀ-ଦରିଦ୍ର ଭେଦଭାବ ସେହି ଖେଳରେ ନଥାଏ। ଜାତିଭେଦ ନଥାଏ। ହାରୁଥିବା ଲୋକଟିଏ ଦୁଃଖ କରେ ନାହିଁ, କିମ୍ୱା କୁମାର ପୂର୍ଣ୍ଣମୀ ଜୁଆରେ ଜିତିଥିବା ଲୋକେ ଆନନ୍ଦରେ ବିଭୋର ହୁଏ ନାହିଁ। ହାରିଥିବା- ଜିତିଥିବା ଲୋକ ମଧ୍ୟରେ ଶତ୍ରୁତା ହୁଏ ନାହିଁ। ସେହି ରାତିରେ ତାହା ସମାପ୍ତ ହୋଇଯାଇଥାଏ। ସଚ୍ଚା ଜୁଆଖେଳ ଖେଳୁଥିବା ଅଥବା ପରମ୍ପରାକୁ ବଞ୍ଚାଇବାକୁ ଯାଇ ଯେଉଁମାନେ ଜୁଆ ଖେଳିଥାଆନ୍ତି ସେମାନେ ରାଗନ୍ତି ନାହିଁ- ଖେଳ ବେଳେ କୁଟ-କପଟ କରନ୍ତି ନାହିଁ। ଜୋର ଜବରଦସ୍ତି ହୁଏ ନାହିଁ କିମ୍ୱା ମାଡପିଟ ହୁଏ ନାହିଁ। ଏହି ଘଟଣା ସମଗ୍ର ଦକ୍ଷିଣ ଓଡ଼ିଶା ସମେତ ସୂଚିତ ଅଞ୍ଚଳମାନଙ୍କରେ ଦେଖାଯାଇଥାଏ। ଦକ୍ଷିଣ ଓଡ଼ିଶାର ପ୍ରଭାବରେ ଥିବା ରାଜଧାନୀ ଭୁବନେଶ୍ୱର, ପୁରାତନ ନଗରୀ କଟକ, ତୀର୍ଥନଗରୀ ପୁରୀ, ଇସ୍ପାତ ସହର ରାଉରକେଲା ସମେତ ସମ୍ୱଲପୁର, ବଲାଙ୍ଗୀର, ସୋନପୁର ଓ ବଉଦ ସହରରେ ମଧ୍ୟ ଏହି ଜୁଆଖେଳ କୁଆଁର ପୁନେଇଁରେ ହୋଇଥାଏ। ଏକଥା ସମସ୍ତେ ଜାଣନ୍ତି। ତେବେ ଦକ୍ଷିଣ ଓଡ଼ିଶା ପରି ଏହିସବୁ ସ୍ଥାନରେ ଏହା ପାଳନ କରାଯାଏନି।

 

ଦକ୍ଷିଣ ଓଡ଼ିଶାର ଏହି ଅଘୋଷିତ  ଗଣପର୍ବରେ ସମସ୍ତେ ସାମିଲ ହୁଅନ୍ତି। ପିଲାଠାରୁ ବୁଢା ପର୍ଯ୍ୟନ୍ତ। ପ୍ରାୟ ସବୁ ପରିବାରରେ ନୂତନ ବସ୍ତ୍ର ପରିଧାନ ହୋଇଥାଏ। ଖିରିପୁରୀ ସକାଳ ବେଳା- ଆଉ ରାତି ବେଳା ମାଛ ମାଂସର ଭୋଜି। ଏକା ସଂଗେ ବସି ସମସ୍ତେ ଖେଳନ୍ତି ଓ ମଜା କରନ୍ତି। ଏହି ପଇସା ଖେଳ ପାଇଁ ନିଜେ ପରିବାରର ମୁଖ୍ୟ ପଇସା ବା ଟଙ୍କା ଯୋଗାଇ ଦେଇଥାଆନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁ  ନିଜେ ମା’ ଲକ୍ଷ୍ମୀଙ୍କ ସହିତ ଜୁଆ (କଉଡି) ଖେଳିବା ଅନୁରୂପ ପ୍ରତ୍ୟେକ ପରିବାରରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପଇସା ଖେଳ ହୋଇଥାଏ। ଭାଇଭଉଣୀଙ୍କ ମଧ୍ୟରେ ତଥା ଭଉଣୀ- ଭଉଣୀଙ୍କ ମଧ୍ୟରେ ଖେଳ ହୁଏ। ତେବେ ଶାଳୀ-ଭିଣୋଇଙ୍କ ମଧ୍ୟରେ ଏବଂ ଶାଳୀ-ଭିଣୋଇଙ୍କ ମଧ୍ୟରେ ଏହି ଖେଳ ବେଶ ଜମେ। ଏହି ପର୍ବରେ ସାମିଲ ହେବା ପାଇଁ ନବ ବିବାହିତ ଜ୍ୱାଇଁଙ୍କୁ ଶ୍ୱଶୁରଘରୁ ବିଧିବଦ୍ଧ ଡାକରା ଆସିଥାଏ। ତାଙ୍କୁ ନୂତନ ବସ୍ତ୍ର ଦିଆଯିବା ସହିତ ଜୁଆ ଖେଳିବା ପାଇଁ ଟଙ୍କା ପଇସା ଦିଆଯାଇଥାଏ। ଜ୍ୱାଇଁ ନ ଆସିପାରିଲେ ପର୍ଯ୍ୟାପ୍ତ ଭାର ବେଭାର (ନୂତନ ବସ୍ତ୍ର ଓ  ମିଠା) ସହିତ ଟଙ୍କା ପଠାଇ ଦିଆଯାଏ। ଏହା କେଉଁ କାଳରୁ ଚଳିଆସୁଛି। ଥିଲାବାଲା ଘରର ଲୋକେ  ଜ୍ୱାଇଁ ବୁଢା ହେଲା ପର୍ଯ୍ୟନ୍ତ କିଛି କିଛି ଟଙ୍କା ପଠାଇ ଥାଆନ୍ତି। ଏହା ଦ୍ୱାରା ଉଭୟ ଶ୍ୱଶୁରଘର ଓ ଜ୍ୱାଇଁ ଘରର ମର୍ଯ୍ୟାଦା ବଢେ। ଜ୍ୱାଇଁଙ୍କ ଘରକୁ ଟଙ୍କା ପଠାଇବାକୁ କେହି ଆର୍ଥିକ ବୋଝ ବୋଲି ଭାବେ ନାହିଁ କିମ୍ୱା ଜ୍ୱାଇଁଙ୍କ ପରିବାର ଲୋକ ଏହାକୁ ଆର୍ଥିକ ସହାୟତା ବୋଲି ଭାବନ୍ତି ନାହିଁ। ଏହା ସମ୍ପର୍କକୁ ମଜଭୁତ କରେ। ଏହିଦିନ ଜୁଆ ଖେଳୁଥିବା ଲୋକଙ୍କୁ କିମ୍ୱା ଯୁବକ ଯୁବତୀଙ୍କୁ କିମ୍ୱା ଶଳା-ଭିଣୋଇଙ୍କୁ କେହି ସର୍ବସାଧାରଣରେ ଜୁଆଡି କୁହେ ନାହିଁ ବରଂ ଏପରି ସାମାଜିକ। ପାରିବାରିକ କାର୍ଯ୍ୟରେ ସାମିଲ ହେଉଥିବାରୁ ଅନେକ ପ୍ରଶଂସା କରନ୍ତି। ଖାସ‌୍‍ କିଛି ଦୂରରେ ରହୁଥିବା ଲୋକ ଗାଁକୁ ଏହି ଅବସରରେ ଆସିଲେ ଅନ୍ୟମାନେ ଖୁସି ହୁଅନ୍ତି।

 

ନିକଟରେ କୁଆଁର ପୁନେଇଁରେ ଜୁଆ ସମ୍ପର୍କରେ ଆମେ ରାଜଧାନୀରେ ବସବାସ କରୁଥିବା ଜଣେ ୮୫ ବର୍ଷ ବୟସର ବୃଦ୍ଧଙ୍କ ସହିତ କଥା ହୋଇଥିଲୁ। ସେ ଆସିକା ଅଞ୍ଚଳର ମୂଳ ବାସିନ୍ଦା। ରାଜଧାନୀରେ ଦୀର୍ଘଦିନ ହେଲା ବସବାସ କରୁଥିଲେ ବି ତାଙ୍କର ସାଂସ୍କୃତିକ  ଭାବାବେଗ ଆସିକା ଅଞ୍ଚଳ ସହିତ ରହିଛି। ଆଲୋଚନାବେଳେ ସେ କହିଥିଲେ ଯେ, କୁଆଁର ପୁନେଇଁରେ ଜୁଆ ଖେଳ କିଛି ପାପ ନୁହେଁ- ଏହା ଧାର୍ମିକ ଉତ୍ସବ ପାଳନ ସଦୃଶ। ତେବେ ଅନ୍ୟ ଦିନରେ ଖେଳାଯିବା ଆଇନ‌୍‍ ଅନୁମୋଦିତ ନୁହେଁ। ଜୁଆକୁ ନିଶା କରିଥିବା ଲୋକେ ଭଲ ନୁହନ୍ତି। ସେମାନେ ସର୍ବସ୍ୱାନ୍ତ ହୁଅନ୍ତି। ହେବା ଉଚିତ ମଧ୍ୟ। ଏହାଛଡ଼ା ସେହ କହିଥିଲେ ଯେ ତାଙ୍କୁ ହେତୁ ପାଇଲା ପରଠାରୁ ସେ ଜୁଆଖେଳି ଆସୁଛନ୍ତି। ଆଗପରି ଏବେ ଜୁଆଖେଳ ନାହିଁ। ବିଲବାଡି କାମ ସାରି ଘରେ ସଂଧ୍ୟାରେ ବସିବା ପରିବର୍ତ୍ତେ ସେମାନେ ଜୁଆ ଖେଳୁଥିଲେ। ଚକା ଚକା ତାଆସକୁ ନେଇ ସେହି ଜୁଆ ଖେଳାଯାଉଥିଲା। ଇନ୍ଦ୍ର, ବରୁଣ, ସୂର୍ଯ୍ୟ, ଚନ୍ଦ୍ରଙ୍କ ଚିତ୍ର ସେହି ତାଆସରେ ଥାଏ। ଭିନ୍ନ ଭିନ୍ନ ହିସାବରେ ସେହି ଖେଳ ହୁଏ। ପାଞ୍ଚ ଲୋକ ଏକାଠି ବସନ୍ତି। ଖେଳବେଳେ ସେଠି ବିଭିନ୍ନ ବିଷୟ ଉପରେ ଆଲୋଚନା ହୁଏ। ମାତ୍ର ଆଜିକାଲି ଗାଁ ଗହଳିରେ ସେହିପରି ଖେଳ ନାହିଁ- କାହା ଦୁଆରକୁ ଆଉ କେହି ଯାଉନାହାନ୍ତି- ପାଞ୍ଚ ଲୋକ ଏକାଠି ବସୁନାହାନ୍ତି। ଜଣକର ମୁହଁକୁ ଅନ୍ୟ ଜଣେ ଦେଖୁନାହିଁ- ଅନ୍ୟର ପିଲାଙ୍କୁ ନିଜର ବୋଲି ଭାବୁନାହାନ୍ତି। ମଣିଷ ମଣିଷକୁ ଭଲ ପାଉନାହିଁ। ନିଜେ ଭଲ ତ ଦୁନିଆ ଭଲ ବୋଲି ସେମାନେ ଭାବୁଛନ୍ତି- ବିବାହ ଭୋଜିରେ ପାଞ୍ଚଘର ମିଶୁନାହାନ୍ତି- ଇତିମଧ୍ୟରେ କେତେ ପରିବର୍ତ୍ତନ ହୋଇଗଲାଣି ବୋଲି ସେହି ବୃଦ୍ଧ ଜଣକ କହୁ କହୁ କହିଦେଲେ।

 

ତେବେ ଏସବୁ କଥାର ଅବତାରଣା କରି ଆମେ ଜୁଆଖେଳ ଏକ ଭଲ କଥା ବୋଲି ପ୍ରତିପାଦିତ  କରୁନାହିଁ, କିମ୍ୱା ପ୍ରଚଳିତ ଆଇନ କାନୁନର ବିରୋଧ କରୁନାହୁଁ। କେବଳ ଏକ ଧାର୍ମିକ ପରମ୍ପରା- ଅର୍ଥାତ‌୍‍ ଜଗନ୍ନାଥ ସଂସ୍କୃତି ଭିତ୍ତିକ ପରମ୍ପରା ସପକ୍ଷରେ ମତ ରଖୁଛୁ। ଏହି କୁଆଁର ପୁନେଇଁ ଦିନଟିରେ ଜୁଆ ଖେଳିବାର ପରମ୍ପରାକୁ ବିରୋଧ କରାଯିବା ଅର୍ଥାତ‌୍‍ ପୋଲିସର ଗିରଫଦାରୀ ବନ୍ଦ ହେବା ଉଚିତ। ସେହିଦିନ ପରିବର୍ତ୍ତେ ଅନ୍ୟ ଦିନ ଜୁଆ ଖେଳୁଥିବା ଲୋକଙ୍କୁ ଆଇନ ଅନୁସାରେ ଦଣ୍ଡ ଦିଆଗଲେ କେହି ବିରୋଧ କରିବେ ନାହିଁ। ଏହା କଡାକଡି ଭାବେ କାର୍ଯ୍ୟକାରୀ ହେଲେ ସେହି ଜିଲ୍ଲାମାନଙ୍କରେ ସର୍ବସ୍ୱାନ୍ତ ହେଉଥିବା ବହୁ ଜୁଆଡିଙ୍କ ପରିବାର ରକ୍ଷା ପାଇଯିବେ। ଏହି ଦିନଟିକୁ ପୋଲିସ ଏବଂ ପ୍ରଶାସନ ଏକ ସ୍ୱତନ୍ତ୍ର ଧର୍ମପାଳନ ଦିବସ ଭାବେ ଧରିନେଲେ ଅଯଥାରେ ଧରପଗଡ଼, ଗିରଫଦାରୀ, ଗଣ୍ଡଗୋଳ ଏବଂ ପୋଲିସ-ଜନତା ମୁହାଁମୁହିଁ ହେବା ପରି ଅଘଟଣ ଘଟନ୍ତା ନାହିଁ। ପ୍ରଶାସନର ମୁଣ୍ଡବ୍ୟଥା ମଧ୍ୟ ହୁଅନ୍ତା ନାହିଁ।

 

ନଚେତ ଶ୍ରୀମନ୍ଦିରରେ ଶହ ଶହ ବର୍ଷ ହେଲା ଚାଲି ଆସୁଥିବା ମହାପ୍ରଭୁଙ୍କ ଜୁଆ ଖେଳକୁ ବନ୍ଦ କରାଯିବା ପାଇଁ ସରକାର ଉଦ୍ୟମ କରନ୍ତୁ। ସଂସ୍କାର ପ୍ରକ୍ରିୟାରେ ଏହି ପ୍ରସ୍ତାବ ରଖନ୍ତୁ। ମହାପ୍ରଭୁଙ୍କର ବହୁ ନୀତି ବନ୍ଦ ହୋଇଯାଇଥିବା କଥା ସମସ୍ତେ  ଜାଣିନ୍ତି। ତେଣୁ ଏହି ଜୁଆଖେଳ ପରମ୍ପରା ବନ୍ଦ ହେବାରେ କିଛି ନୂଆ କଥା ହେବ ନାହିଁ।

 

ମୋ: ୯୪୩୭୦୦୭୨୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top