ପୁଲିସିଗୁଡ଼ାକ ମଣିଷ ନୁହଁନ୍ତି!

News Story - Posted on 2016-10-12

ବୈଷ୍ଣବ ଚରଣ ମହାନ୍ତି

 

ପୁଲିସି ଲାଠିଚାର୍ଜ କଲାବେଳର ଦୃଶ୍ୟ ଦେଖିଛନ୍ତି ଆପଣ? ଆଃ... ଏମିତି କ’ଣ ମଣିଷକୁ ବାଡ଼ାନ୍ତି! ଲୋକମାନେ ଦୋଉଡ଼ୁଥିବେ ଆଉ ପୁଲିସିଗୁଡ଼ାକ ଗୋଡେ଼ଇ ଗୋଡେ଼ଇ ନିର୍ଘାତିଆ ପିଟୁଥିବେ। ଗାଈଗୋରୁଙ୍କୁ ଏମିତି ବି କେହି ବାଡ଼ଉ ନଥିବ। ଆଜିକାଲି ଦୂରଦର୍ଶନ ଦୟାରୁ ପୁଲିସିର ଏ ଲାଠିଚାର୍ଜର ଦୃଶ୍ୟ, ଗୁଳି ଫାଏର‌୍‍ର ଦୃଶ୍ୟ ଘରେ ବସି ବି ଆମକୁ ଦେଖିବାକୁ ମିଳୁଛି। କାହା ଧୈର୍ଯ୍ୟ ଧରିବ ଏ ନିଷ୍ଠୁରତାକୁ ଦେଖି? ବିନା ଦୁଃଖରେ ଯଦି କିଏ ଶହଶହ ଲୋକଙ୍କୁ କନ୍ଦେଇଦେଇ ପାରୁଥାଏ ସିଏ ହଉଛି ପୁଲିସି; କାରଣ ତା’ ହାତରେ ଅଛି ଲୁହବୁହା ଗ୍ୟାସ‌୍‍। ନର ହତ୍ୟା ମହାପାପ ଜାଣି ମଧ୍ୟ ଆଜିକାଲି ପୁଲିସି ଏନ‌୍‍କାଉଣ୍ଟର କରି ମଣିଷ ଶିକାର କରୁଛି। ଏ ପୁଲିସିଗୁଡ଼ାଙ୍କୁ ମଣିଷ କହିବ? ଏଗୁଡ଼ାକ ଯଦି ମଣିଷ ହେଇଥାନ୍ତେ ଏମାନଙ୍କ ନାଆଁରେ ମାନବିକ ଅଧିକାର କମିସନ‌୍‍ରେ ଗଣ୍ଡାଗଣ୍ଡା କେସ‌୍‍ ହଉଥାନ୍ତା? ଯାହା ହେଲେ ବି ବର୍ଷକୁ ଆଜିକାଲି ଦି’ଚାରିଟା ହାଜତ ମୃତ୍ୟୁ, ପାଞ୍ଚ ଦଶ ଜାଗାରେ ପୁଲିସି ଗୁଳିରେ ମୃତ୍ୟୁ ଖବର ଶୁଣିବାକୁ ମିଳିବ ହିଁ ମିଳିବ। ଯୋଉ ଦଳ ବିରୋଧୀ ଆସନରେ ବସିଲେ ସେମାନେ କହିଲେ- ‘ଏ ପୁଲିସିଗୁଡ଼ାକ ଶାସକ ଦଳର ହାତବାରିସି, ଏ ପୁଲିସିଗୁଡ଼ାକ ସରକାରୀ ଗୁଣ୍ଡା’। -ଏ କଥାର କିଛି ଗୋଟାଏ ସତ୍ୟତା ନ ଥିଲେ କ’ଣ ଶୂନକୁ ଏ ସବୁ ଅଭିଯୋଗ ଆସନ୍ତା ପୁଲିସି ନାଆଁରେ? ନିଆଁ ନ ଥାଇ କ’ଣ କୋଉଠି ଧୂଆଁ ଉଠିଲାଣି? ମିଛଟାରେ କ’ଣ କୁହାଯାଏ ‘ଥାନା ଭୂତଖାନା’? ଦାସେ ଥାନାକୁ ଯିବା ଅର୍ଥ ସରୁ ହଉ ବା ମୋଟ ହଉ ଗୋଜଟିଏ ଆଣିବା ଥୟ ବୋଲି କ’ଣ ମିଛରେ କୁହା ଯାଇଛି?? ତା’ଛଡ଼ା ପୁଲିସିଗୁଡ଼ାକ ଇଲିଶି ଖାଇ ଅୟସ କରନ୍ତି ବୋଲି ଲୋକାପବାଦ କ’ଣ ମିଛ???

 

ସବୁଠାରୁ ବିଡ଼ମ୍ୱନା ଓ ବିରୋଧାଭାସର କଥା ଯେ ଆମେ ଯୋଉ ପୁଲିସି ପାଖକୁ ଅସୁବିଧାରେ ପଡ଼ି ଅଭିଯୋଗ କରିବାକୁ ଯିବାକଥା, ସେଇ ପୁଲିସି ବିରୋଧରେ ଆମ ମନରେ ଅସରନ୍ତି ଅଭିଯୋଗ। ପୁଲିସି ଲାଞ୍ଚୁୁଆ, ପୁଲିସି ବଦମାସ‌୍‍, ପୁଲିସି ଅଭଦ୍ର, ପୁଲିସି ଅତ୍ୟାଚାରୀ -ଏପରି ଧାରଣା ଅଳ୍ପେବହୁତେ ଆମ ସମସ୍ତଙ୍କ ମନର ଅତଳରେ କୋଉଠି ନା କୋଉଠି ବସାବାନ୍ଧି ରହିଛି। ଆମ ଶାସ୍ତ୍ର କହୁଛି ‘ଏ ମନ ଭାବୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା’ ବା ‘କଳ୍ପନା ମୂଳେ କାଳଥାଇ, ପ୍ରାଣୀ ତା’ ଜାଣି ନ ପାରଇ’ ଇତ୍ୟାଦି। ଆମ ଘରୁ ଚୋରିହେଲେ ଆମେ ଥାନାକୁ ଯିବା ପୂର୍ବରୁ କାହିଁକି ଭାବୁଚୁ ଥାନାରେ ଚୋର, ଖଣ୍ଟ, ଲାଞ୍ଚୁଆଗୁଡ଼ାକ ବସିଛନ୍ତି, ଥାନାଟା ଭୂତଖାନା, ସେଠି ସବୁଗୁଡ଼ାକ ଭୂତ। କାହିଁକି ଆସୁଛି ଏସବୁ ଭାବନା, ଏସବୁ କଳ୍ପନା? କାହିଁକି? କୋଉଠୁ? କୋଉଥିପାଇଁ? ଏ କଥା ଅବଶ୍ୟ ସତ ଯେ ଇଂରେଜ ଶାସନରେ ପୁଲିସିର ବର୍ବରତା ଏ ପ୍ରକାର ଧାରଣାର ଭିତ୍ତି ହୋଇପାରେ। କିନ୍ତୁ ସିଏ ତ ଅତୀତ ହେଇଗଲାଣି, ଇତିହାସ ପାଲଟିଲାଣି। ପୁଲିସିଙ୍କ ଭିତରେ କ’ଣ ସାଧୁ ସଚ୍ଚୋଟ ଦେବପ୍ରତିମ ବ୍ୟକ୍ତିତ୍ୱ ନାହାନ୍ତି? କେତେ ଜଣ, କେତେ ଥର ଆମେ ସେମାନଙ୍କୁ ଆମ ଆଲୋଚନା ପରିସରକୁ ଆଣିଛେ? ଶହଶହ ଲୋକଙ୍କ ସମକ୍ଷରେ ମୋ ବେକରେ କେହି ଗେଣ୍ଡୁର ଗଜରା ଗଳେଇଲେ ମାସକ ପରେ ବି ପାଖ ପଡ଼ିଶା ଜାଣିବେନି; କିନ୍ତୁ କଣଘର ଭିତରେ ମୋ ବେକରେ କେହି କୁନି ଜୋତାମାଳଟିଏ ପକେଇଲେ ନିମିଷକରେ ହାଟ ବାଟ ବଜାର ଘାଟରେ କଥାଟା ବିଜୁଳି ବେଗରେ ରାଷ୍ଟ୍ର ହେଇଯିବ - ‘ହେଇ ଶୁଣିଲଣି, ସେ ବୈଷ୍ଣବ ମାହାନ୍ତି ବେକରେ ପରା ସେ ଅମୁକ ଏଡେ଼ ବଡ଼ ଜୋତାମାଳ ଆଜି ପିନ୍ଧେଇଛି; ଭ...ଲ୍ଲ ହେଇଛି, ପୁଅ ପାଇଛି ପାନେ’। ଆମେ ରାମଙ୍କୁ ପୂଜିବାରେ ଆନନ୍ଦ ନ ପାଇ ରାବଣ ପୋଡ଼ିବାରେ ବେଶି ଆନନ୍ଦ ଅନୁଭବ କରୁଛୁ ଆଜିକାଲି- ଇଏ ହେଉଛି ବର୍ତ୍ତମାନ ଆମର ସମୂହ ଚରିତ୍ର ଓ ଚିନ୍ତାଧାରା।

 

ଦିନ ରାତି, ଆଲୁଅ ଅନ୍ଧାର, ଖରା ବର୍ଷା, ମିଠା ପିତା, ଭଲ ମନ୍ଦ ପରି ପୁଲିସିଙ୍କ ଭିତରେ ଲାଞ୍ଚୁଆ ଯେ ନାହାନ୍ତି, ଏ କଥା କେହି କହୁନି। କିନ୍ତୁ ଯୋଉମାନେ କହୁଛନ୍ତି ପୁଲିସିଙ୍କ ଭିତରେ ତୁଳନାତ୍ମକଭାବେ ଲାଞ୍ଚୁଆ, ବଦମାସଙ୍କ ସଂଖ୍ୟା ଅଧିକ, ସେମାନେ ଯଦି ନିରପେକ୍ଷ ଭାବେ ଆତ୍ମସମୀକ୍ଷା କରି ଦେଖିବେ ତାଙ୍କ ନିଜ ବ୍ୟକ୍ତିତ୍ୱ ଭିତରେ ସାଧୁତାଠାରୁ ଅସାଧୁତାର ମାତ୍ରା ତୁଳନାତ୍ମକଭାବେ ବି ବହୁ ଗୁଣ ଅଧିକ। ଚୋରକୁ ଗୋଡେ଼ଇଲା ବେଳେ ଚୋର ଯେମିତି ସମସ୍ତଙ୍କ ମେଳରେ ମିଶିଯାଇ - ‘ହେଇ ଧର ଧର ଚୋର ପଳେଇଲା’ ବୋଲି ଚିଲ୍ଲାଏ, ଏଠି ସେମିତି ନିଜ ଅବଚେତନରେ ଲୁଚିଥିବା ଚୋରଟି ପ୍ରକୃତିବଶତଃ ଦ୍ରୋହରୁ ପୁଲିସିକୁ ଚୋର କହି ନିଜ ସାଧୁପଣିଆ ଜାହିର କରିବାକୁ ଚେଷ୍ଟା କରୁଛି ଏବଂ ତା’ରି ପ୍ରଭାବରୁ ପୁଲିସିକୁ ସାଧାରଣ ବନ୍ଧୁ ଭାବେ ନ ଦେଖି ଶତ୍ରୁଭାବେ ଦେଖୁଛନ୍ତି। ତା’ ବ୍ୟତୀତ ମଣିଷର ପ୍ରକୃତି ହେଉଛି ସେ ଆପଣାର ପ୍ରଭାବ ଓ ପରାକ୍ରମ ପ୍ରତିଷ୍ଠା କରିବ, ଆପଣାକୁ ସବୁବେଳେ ଶକ୍ତିମନ୍ତ ସାବ୍ୟସ୍ତ କରିବ। କିନ୍ତୁ ତା’ରି ଭଳି ସାଧାରଣ ମଣିଷଟା ମାଟିଆ ପୋଷାକ ପିନ୍ଧି ଏମିତି ଶକ୍ତିମାନ‌୍‍ ହେଇଯିବା ପ୍ରକୃତରେ ସେ ତା’ ଅବଚେତନରେ ସହ୍ୟକରି ପାରେନି। ଦପ୍ତରଚର ଏହୁଁଏହୁଁ ବଡ଼ ଦନ୍ତା, ଦଣ୍ଠା, ମହାବଳମାନଙ୍କୁ ସାମାନ୍ୟ ପୁଲିସି କନିଷ୍ଟବଳଟା ରାସ୍ତାଉପରେ ହାତିକିଆ ଠେଙ୍ଗୁଲି ଦେଖେଇ ଅଟକାଇଦେଲେ, ସମାଜ ଓ ଶାସନର ମହାବଳମାନେ ନିଜକୁ ନିର୍ବଳ ଦୁର୍ବଳ ମନେକରିବାର ସ୍ୱାଭାବିକତାକୁ କ’ଣ ଏଡେ଼ ସହଜରେ ଏଡେ଼ଇ ଦେଇହେବ?

 

ଦୁଷ୍ଟନିବାରଣ, ଦନୁଜନାଶନ ପାଇଁ ଦେବତାମାନେ ଦେବୀ ଦୁର୍ଗାଙ୍କୁ ଦଶପ୍ରହରଣ ଦେଇ ସହଯୋଗର ହାତ ବଢ଼ାଇଥିଲେ ମେଦିନୀରେ ମହିଷାର ବିନାଶ ପାଇଁ, ଶାନ୍ତି ପ୍ରତିଷ୍ଠାପାଇଁ। ଏ ରାଷ୍ଟ୍ର, ଏ ସମାଜ ସେମିତି କନିଷ୍ଠଟିକୁ ବଳ ଦେଇ କନିଷ୍ଟବଳ କରିଛି ଆମକୁ ସୁରକ୍ଷା ଦେବାପାଇଁ, ଆମକୁ ଟିକେ ଶାନ୍ତିରେ ରହିବାର ସୁଯୋଗ ଦେବା ପାଇଁ। ଆମେ ଆମ ଘରେ ରାତିରେ ଶାନ୍ତିରେ ଶୋଇବୁ ବୋଲି, ପୂଜାପାର୍ବଣରେ ମଉଜମସ୍ତି କରି ପୁଅଭାରିଯାଙ୍କୁ ଧରି ବୁଲିବୁ ବୋଲି ପୁଲିସି ରାତି ଅନିଦ୍ରାହେଇ ବାଡ଼ିଧରି ଜଗି ଠିଆହେଇଥିବ। ସେ କ’ଣ ମଣିଷ ନୁହଁ? ତା’ର କ’ଣ ପିଲା ପରିବାର ନାହାନ୍ତି? ତା’ ଝିଅ କ’ଣ ଚାହୁ ନଥିବ ବାପା ସାଙ୍ଗରେ ଯାଇ ଘେରାଏ ବୁଲି ଆସିବାକୁ ପୂଜା ବଜାର? ତା’ ସ୍ତ୍ରୀ କ’ଣ ମନ କରୁନଥିବ ସ୍ୱାମୀ ସାଙ୍ଗରେ ବୁଲି ଯାତ୍ରା ଦେଖିବାକୁ? ଆମକୁ ସୁରକ୍ଷା ଦେବାକୁ ଯାଇ କେତେ ପୁଲିସିଙ୍କ ପରିବାର ଅରକ୍ଷ ହେଉଛନ୍ତି, କେତେ ପୁଲିସିଙ୍କ ପିଲା ବାପଛେଉଣ୍ଡ ହଉଛନ୍ତି, କେତେ ପୁଲିସି ଘରଣୀଙ୍କ ସୁନ୍ଥାରୁ ସିନ୍ଦୂର ପୋଛା ହେଉଛି ତା’ର ହିସାବ ରଖିଛୁ ଆମେ? ପାନ ଖଣ୍ଡେ ଦେବାରେ ଟିକେ ଡେରି କଲେ ଆଜିକାଲି ଲୋକେ ଛୁରିପେଲି ଦଉଛନ୍ତି, ପୁଲିସି ଯଦି ଚୋର, ମଣିଷମରାକୁ ବାଡ଼ଉଥାଏ ଖାଲି କଥା ଆଦାୟ କରିବାକୁ। ସିଏ କ’ଣ ଖୁସିରେ ବାଡ଼ାଏ? ସେ ଚୋରକୁ ମାଇଲେ ମଲା, ନ ମାଇଲେ ବି ମଲା। ତା’ ପରଦିନ ପୁଲିସିର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଉଠିବ। ପୁଲିସି ହାତ ବାନ୍ଧିବସିଛି ବୋଲି ଖବର ବାହାରିବ। ଆମକୁ ନିଦକରେ ନିଦ ଯିବାକୁ ଯୋଉ ପୁଲିସି ରାତି ଅନିଦ୍ରା ହଉଛି ତା’ ଘର ପରିବାର କେମିତି ଆଶଙ୍କା ଆକୁଳରେ ଅଥୟ ହୁଅନ୍ତି, ରାତିରେ ଶାନ୍ତିରେ ଶୋଇପାରନ୍ତିନି ଆମେ ସେ କଥା କେବେ ଭାବିଛୁ କି? ଆମେ ତ ଆମ ପିଲାଙ୍କୁ ନିଦକରେ ସ୍କୁଲ‌୍‍ ପଠଉଛୁ, କିନ୍ତୁ ପୁଲିସି ପତ୍ନୀ ତା’ଙ୍କ ଛୁଆଙ୍କୁ ସ୍କୁଲକୁ ପଠେଇ ସବୁବେଳେ ଦକଦକ ହଉଥିବେ କୋଉ ଅପରାଧୀ ମୋ ସ୍ୱାମୀ ଉପରେ ଅଦଉତି ରଖି ମୋ ପିଲାକୁ ବାଟରୁ  ଉଠେଇ ନେବନି ତ!!!

 

ଆମେ ହିସାବ ରଖିଛୁ ଫି’ ବରଷ କେତେ ହାଜତ ମୃତ୍ୟୁ ହେଉଛି। ଆମ ପାଖରେ ହିସାବ ଅଛି କି ସାମାନ୍ୟ ଚୋରି କରି ଲୋକଙ୍କ ହାତରେ ଧରାପଡ଼ି ଅଭିଯୁକ୍ତଟି କେତେ ମାଡ଼ଖାଏ, କେତେ ଅଭିଯୁକ୍ତ ଲୋକଙ୍କ ହାତରୁ ମାଡ଼ଖାଇ ମରନ୍ତି, କେତେ ଅଭିଯୁକ୍ତ କ୍ଷତାକ୍ତ ରକ୍ତାତ ହୁଅନ୍ତି? ଅନିଚ୍ଛାକୃତଭାବେ ଗାଡ଼ି ଧକ୍କା କରି କେତେ ଡ୍ରାଇଭର ଲୋକଙ୍କ ମାଡ଼ରେ ମରିଛନ୍ତି, କେତେ ଗାଡ଼ି ପୋଡ଼ା ହେଇଛି, କେତେ ଜାତୀୟ ସମ୍ପତ୍ତି ଜଳା ହେଇଛି ତା’ର ହିସାବ ଅଛି କି ଆମ ପାଖରେ? ଗାଡ଼ି ଧକ୍କା ପରେ ମୃତାହତଙ୍କ ପାଖରେ ପୁଲିସି ପହଞ୍ଚିବାରେ ସାମାନ୍ୟ ବିଳମ୍ୱହେଲେ କେତେ ଚର୍ଚ୍ଚା ଓ ସମାଲୋଚନା; ଅଥଚ ମାଛଟ୍ରକ‌୍‍ ସିମେଣ୍ଟ ଟ୍ରକ‌୍‍ ରାସ୍ତାକଡ଼କୁ ଖସି ପଡ଼ିଲେ ଆମେ ଡ୍ରାଇଭର ମଲା କି ଗଲା ନ ଦେଖି ଆଗ ହରିଲୁଟ‌୍‍ କରିବାରେ ଲାଗିଯିବୁ। ପୁଲିସି ଡେରିରେ ଆସୁ ବୋଲି ଓଲଟି ଆମେ ଠାକୁରଙ୍କୁ ଡାକୁଥିବୁ।

 

ଯୋଉଠି ଛୁରାଭୁଜାଲି ଚାଲେ, ଗୁଳି ଫୁଟେ, ବୋମା ଫୁଟେ ଆମେ ସେଠୁ ଜୀବନ ବଞ୍ଚେଇବା ପାଇଁ ଧାଇଁ ପଳଉଥିବା ବେଳେ ପୁଲିସି ସେଠି ନିଜ ଜୀବନକୁ ପାଣିଛଡେ଼ଇ ମୁଣ୍ଡ ପୂରାଏ। ନା ପୁଲିସି ଜୀବନଟା ଜୀବନ ନୁହଁ? ବାତ୍ୟା ଓ ବନ୍ୟା ଆସିଲେ ଆମକୁ ନିରାପଦ ସ୍ଥାନକୁ ପଠେଇ ନିଜେ ଆପଦ ଆଗରେ ପାଣିମାଡ଼ ପବନମାଡ଼ ଖାଇ ଠିଆ ହୁଏ ପୁଲିସି। କଷି ନେତା ପାକଳ ହେବାପାଇଁ, କୁଜିନେତା କରମାନେତାମାନେ କୋଦମା ନେତା ହେବାପାଇଁ, ଚେଙ୍ଗମାର୍କା ନେତା ଶେଉଳମାର୍କା ହେବାପାଇଁ ଆମେ ବର୍ଷକୁ ବାରଶଥର ଭୁବନେଶ୍ୱରଚାଲ କରୁ, ଅଖବନ୍ଦ‌୍‍ ଚକବନ୍ଦ‌୍‍ କରୁ, ‘ଆମର ଦାବି ପୂରଣ ହେଉ, ଯଦି ନହେବ, ନିଆଁଜଳିବ’କରୁ। ଆମେ ନିଆଁଜାଳୁଥିବୁ, ଜାତୀୟ ସମ୍ପତ୍ତି ପୋଡ଼ି ଭାଙ୍ଗି ଛାରଖାର କରୁଥିବୁ, ପୁଲିସି କ’ଣ ସେଠି ବସି ଆମ ନାଟନବରଙ୍ଗ ଦେଖୁଥିବ? ବିଧାନସଭା ଚାଲିଥିବା ବେଳେ ଗୋଟାଏ ଦିନ ପୁଲିସି ନ ଜଗୁ ତ ଦେଖିବା, ବିଧାନସଭା କୋଠା ରହିବ ତ? ନିମିଷକରେ ଆମେ ଲଙ୍କାକାଣ୍ଡ ଭିଆଇ ଦେବୁ, ବିଧାନସଭାର ଚେୟାର ଟେବୁଲ‌୍‍ ତ ଦୂରର କଥା କାନ୍ଥ ଭାଙ୍ଗି ଆମେ ଇଟାଗୁଡ଼ାକୁ ବି ବୁହାଇ ନେଇଯିବୁ। ତାରବାଡ଼ ଦେଇ ନନ୍ଦନକାନନର ବାଘଭାଲୁଙ୍କୁ ରଖିହବ, କିନ୍ତୁ ତାରବାଡ଼ଦେଇ ଆମ କବଳରୁ ବିଧାନସଭାକୁ ସୁରକ୍ଷିତ ରଖାଯାଇପାରିବ କି? ସେଥିପାଇଁ ପୁଲିସି ଦରକାର।

 

କୋଉଥିପାଇଁ ଆଜିକାଲି ପୁଲିସି ଦରକାର ନୁହେଁ କହୁନାହାନ୍ତି? ବିନା ପୁଲିସିରେ ଆମେ ରଥଯାତ୍ରା ଦେଖିପାରିବା କି? ନିର୍ବାଚନ କରିପାରିବା କି? ମାଟ୍ରିକ‌୍‍ ପରୀକ୍ଷା ହେଇପାରିବ କି? ଆନ୍ତର୍ଜାତୀୟ କ୍ରିକେଟ‌୍‍ ମ୍ୟାଚ‌୍‍ କରିପାରିବା କି? ମାତ୍ର ଗୋଟାଏ ଦିନ ସବୁ ପୁଲିସି ଯଦି ଘରେ ଶୋଇଯିବେ ଏ ରାଜ୍ୟଟାସାରା, ଏ ଦେଶଟା ସାରା ଅନିଦ୍ରା ରହିଯିବ। ଚାରିଆଡେ଼ ହାହାକାର ପଡ଼ିଯିବ। ଆମ ମହାବଳ ନେତାଏ ଦୁଆରବନ୍ଧ ଡେଇଁ ପଦାକୁ ଗୋଡ଼କାଢ଼ି ପାରିବେ କି? ଦିନେ ତ ଦୂରର କଥା ମାତ୍ର ଘଣ୍ଟାଟାଏ ସବୁ ଟ୍ରାଫିକ‌୍‍ ପୋଷ୍ଟ‌୍‍ରୁ ପୁଲିସି ହଟିଗଲେ ଆମ ଗାଡ଼ିଗୁଡ଼ାକ ଗଡ଼ିପାରିବ କି? କେତେ ଯାନ, ଜୀବନ ମାଟିରେ ମିଶିଯିବ, ସବୁ ବିଭ୍ରାଟ ବିଶୃଙ୍ଖଳା ଘଟିଯିବ। ଯିଏ ଆପଣାର, ଆପଣା ପିଲା ପରିବାରର ସୁଖଶାନ୍ତିକୁ ପଛରେ ପକେଇ ଆମରି ଶାନ୍ତି ଓ ଶୃଙ୍ଖଳା ପାଇଁ ଜାଗତିଆର, ଆମେ ଶେଷକୁ ତା’ରି ଉପରେ ଅଶାନ୍ତି!!! ଏଇ ତ ଅସଲ ବିଡ଼ମ୍ୱନା।

 

ଆଜିକାଲି ପୁଲିସି ବୃତ୍ତିପାଇଁ ଆହୁରି ବିଡ଼ମ୍ୱନା ଓ ବିରୋଧାଭାସ ବେଳେବେଳେ ହେଉଛି ଯେ କାଲି ସେ ଯୋଉ ମାନ୍ୟଚୋରଟିକୁ ହାତକଡ଼ି ପିନ୍ଧେଇ ହାଜତରେ ପୂରେଇଥିଲା, ଆଜି ସେ ତା’ପାଇଁ ମାନ୍ୟବର ପାଲଟୁଛି; ପୁଣି ଆଜି ସେ ଯାହାକୁ ମାନ୍ୟବର କହି ସାଲ୍ୟୁଟ‌୍‍ ଠୁଙ୍କୁଛି କାଲି ତାକୁ ସେ ମାନ୍ୟଚୋର ଜାଣି ହାତକଡ଼ି ପକେଇ ହାଜତକୁ ନଉଛି। ସବୁଆଡ଼ର ଚାପରେ ଚାପି ହେଇଯାଉଛି ପୁଲିସି। ଏତେ ସବୁ ସତ୍ତ୍ବେ ପୁଣି ଆମେ କହିବା ପୁଲିସିଗୁଡ଼ାକ ମଣିଷ ନୁହଁନ୍ତି! ତେବେ ପୁଲିସିଗୁଡାକ କ’ଣ ଅମଣିଷ? ଆପଣଙ୍କ ଜିଭ ଲେଉଟିବ ତ ପୁଲିସିକୁ ଅମଣିଷ କହିବାପାଇଁ? ତେବେ କହନ୍ତୁ ପୁଲିସିଗୁଡ଼ାକ କ’ଣ? କ’ଣ ଏ ପୁଲିସିମାନେ ଆମପାଇଁ ?? କ’ଣ???

                                                                                                               

‘ଆମଘର’, ୧୨- ମୈତ୍ରୀଜନପଦ, ନହରକଣ୍ଟା, ଭୁବନେଶ୍ୱର

ମୋବାଇଲ‌୍‍ ନଂ: ୯୪୩୭୪୧୮୮୬୭ 


ପ୍ରତିକ୍ରିୟା

Sukesh pattanaik - Email: sukeshmagic@yahoo.com - Posted on 2016-10-22 13:07:53

A beautuful naked truth described satirecally, so that one can read strting to end without stopping in between. Thanks to the fertile mind of Mr. Baisnaba Mohanty.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top