ବିଜୁବାବୁ ଗାଏବ

News Story - Posted on 2016-10-11

ରବି କାନୁନ‌୍‍ଗୋ

 

ଦିନେ ବଡ଼ିଭୋରରୁ ମାଧବ ପଣ୍ଡାର ସ୍ତ୍ରୀ ଅଳକା ଫୋନ‌୍‍ କଲା। ସେ ଆମର ସମ୍ପର୍କୀୟା। ମାଧବ ପିଲାଦିନ ସାଙ୍ଗ।

 

ଯୁବାକାଳରେ ଦୁହେଁ ଟିକେ ଭାବାନାବରେ ଯୋଡ଼ି ହୋଇଗଲେ। ଜାତି ଏକା ନୁହେଁ। ଯେତେବେଳେ ଅବିବାହିତା ଝିଅ କୌଣସି ପୁରୁଷ ସହିତ ଗପ ହେଲେ ତା’ ଚରିତ୍ର ମଇଳା ହୋଇ ଯାଉଥିଲା ଓ ତାହା ଗର୍ହିତ ପାପ ବୋଲି ବିଚାର କରାଯାଉଥିଲା ସେଇ କାଳରେ ମାଧବ ଜିଦି କଲା - ସେ ଅଳକାକୁ ବାହା ହେବ। ସେତେବେଳକୁ ସେ ଇଜିନିୟରିଙ୍ଗ‌୍‍ ପାଶ‌୍‍ କରି ଚାକିରି କଲାଣି। ଏଥିପାଇଁ ଆମ ତଳହଟିଆ ଇଲାକାରେ ବିପଦ ଯେ କେତେ ଘନ, ଏହା ଜାଣି ସୁଦ୍ଧା ପ୍ରେମର ଦୌରାତ୍ମ୍ୟ ପାଖରେ ଦୁହେଁ ନାଚାର ଥିଲେ।

 

ଗାଁ ବା ପରିବାରର କେହି ତ ରାଜି ହେଲେନି। ତେଣୁ ଚଣ୍ଡୀମନ୍ଦିରରେ ଦୁହେଁ ବାହା ହେଲେ। କୌତୁକ ଦୋଷରୁ ଅପରର ପ୍ରେମରେ ଖୁସି ହୋଇ ସେମାନଙ୍କ ମନ୍ଦିର ବାହାଘରରେ ମୁଁ ମାତ୍ର ସହଯୋଗୀ ହୋଇଥିଲି।

 

ଦୋଷୀ ଛାଡ‌୍‍ ଓ ସାକ୍ଷୀ ଦଣ୍ଡ ପାଇବା ନ୍ୟାୟରେ ମତେ ଅସଲ ଅପରାଧୀ ବୋଲି ବିଚାର କରାଗଲା।

 

ହଇଚଇ ବେଳେ ପିଇସୀ କହିଲେ - ସେ କୁଆଡେ଼ ମତେ ଡାଉଟ‌୍‍ କରିଥିଲେ। ନ ହେଲେ, ତାଙ୍କ ଅଳୀ ସେମିତିକା ନୁହଁ! ସେତେବେଳେ ଭାବିଥିଲି, କହି ନ ଥିଲି। ଅସମ୍ଭବ କଥା, ସତେଯେମିତି ମୁଁ ଦି’ ଜଣଙ୍କ ଭିତରେ ପ୍ରେମ କରେଇଥିଲି! ତେଣେ ବର୍ଷ ଦି’ଟା ପୂରିନି, ଅଳକାର ବଡପୁଅ କଳିଙ୍ଗରାଜ ଜନ୍ମ ହେଲାବେଳକୁ ସୁମୀଅପା ଏକାଏକା କଟକ ପଳାଇ ଆସିଲା। ତା’ପରେ ମାଧବ ଅଳକା ଅବାରିତ ଚାଲିଲେ ବୈଦ୍ୟନାଥ ପିଇସାଙ୍କ ଘରକୁ। ପିଇସା ଆଉ ନ ଥା’ନ୍ତି। ମାତ୍ର ମୋ ପାଇଁ ତାଙ୍କ ଘର କବାଟ ବନ୍ଦ ହୋଇଗଲା।

 

ସ୍ୱାମୀ ସ୍ତ୍ରୀ ଦୁହେଁ ସରକାରୀ ଚାକିରିଆ। ଦୁଇ ପୁଅ। ସୁନ୍ଦର ପରିବାରଟିଏ। ପଦବୀ ଯୋଗୁ ଅନେକ ଯେମିତି ଚକ‌୍‍ଚକ‌୍‍ ଦେଖାଯା’ନ୍ତି, ଅଯୋଗ୍ୟ ମାଧବ କଦାପି ସେମିତି ଦେଖାଗଲା ନାହିଁ ବା ତା’ ପରିବାର କେହି ବି ସେମିତି ନୁହଁନ୍ତି।

 

ଯଦିଓ ଆମେ କେବେ ବି ଏକକାଳୀନ ଗୋଟିଏ ସହରରେ ବସବାସ କରିନାହୁଁ ତଥାପି ଭିନ୍ନ ଭିନ୍ନ ସାମାଜିକ ଅନୁଷ୍ଠାନରେ ବାରମ୍ୱାର ଦେଖା ହେଉଥାଏ।

 

ଫୋନ‌୍‍ରେ ଅଳକା କହିଲା, ତୁ କିଛି କରିବୁ ନାଇଁ? ରାତି ଆଉରି ପାହିନି, ଇଏ କ’ଣ ଗୋଟେ ସପନ ଦେଖୁଛନ୍ତି ଯେ ଗରଗର ହେଉଚେନି। ଡାକ୍ତର ଭୋଳଙ୍କଠୁଁ ଆପଏଣ୍ଟମେଣ୍ଟ‌୍‍ ନେ’। ୟାଙ୍କୁ ନେଇ ଦେଖେଇବା। ଇଏ କନ‌୍‍ଫର୍ମଡ‌୍‍ ସାଇକିଆଟ୍ରିକ‌୍‍ ପେସେଣ୍ଟ। ମୋ ସଂସାର ଭାସିଗଲେ ତୋ’ର କ’ଣ ହେବ କି?

 

‘କାଇଁ ବାଜେ କଥା କହୁଚୁ ମ। ବୋକାକୁ ସ୍ୱପ୍ନ ଦେଖି ଆସେନି ବୋଲି ତ ତା ନାଁ ମାଧବାନନ୍ଦ? ଏମିତି କ’ଣ ଦେଖିଲା କି?’

 

‘ତୁ ୟାଙ୍କ ସାଙ୍ଗରେ କଥା ହ’, କହି ସେ ମାଧବକୁ ଫୋନ‌୍‍ ଧରାଇଦେଲା।

 

ମାଧବ ସ୍ୱପ୍ନ କଥା କହିଲା। ଆଡ଼ବାୟା ହେଉ ପଛେ, ତା’ ସ୍ୱପ୍ନରେ କିଛି ମସଲା ଅଛି ପରି ଲାଗିଲା। କୁଆଡେ଼ ବିଜୁବାବୁଙ୍କୁ ସମସ୍ତେ ଖୋଜୁଛନ୍ତି ଓ ସିଏ କୋଉଠି ଲୁଚିଛନ୍ତି ଯେ କେହି ପାଉ ନାହାଁନ୍ତି।

 

‘ଆରେ ବୋକା ବିଜୁବାବୁ ମଲେଣି ବୋଲି ଭୁଲିଯାଇଚୁ କି?’

 

‘ଚୁପ‌୍‍, ତୁ ଶୁଣୁ। କେହି ତାଙ୍କୁ ପାଉ ନଥିଲେ, ମୁଁ ପାଇଗଲି!’

 

‘ହଉ ହେଲା ଯେ ଏ ସ୍ୱପ୍ନ ରାତିର କେଉଁ ପ୍ରହରର?’

 

‘ହେଇ ଏବେ ଏବେ ବା! ମୁଁ ଚିର‌୍‍ଚିରେଇ ଉଠିଲି ତ, ଅଳକା ଡରିଗଲା। ମଜା କରିବାକୁ ତତେ ଫୋନ‌୍‍ କରିଦେଲା। ମୁଁ ଦେଖିଲି କ’ଣ ଜାଣିଚୁ? ଯାଇଚି ବନ୍ଦ ନଳା ତଦାରଖ କରିବାକୁ। ଭିତରେ ଗୋଟେ କୋଣରେ ଦେଖୁଚି - ବିଜୁବାବୁ ସେଇ ଢଙ୍ଗ, ସେଇ ଷ୍ଟାଇଲ‌୍‍ରେ। ତୁ ବିଶ୍ୱାସ କରିବୁନି, ମୁଁ ଚାକ୍ଷୁସ ଦେଖିଚି!

 

ମତେ ପଚାରିଲେ - ସିଉରେଜ‌୍‍ କାଇଁ ସଫା କରୁଚ ରେ? ବେଳ ଆସୁଚି, ଉପରେ ପାଣି ନ ଥିବ। ଲୋକେ ନଳା ମଇଳା କରିବେ କ’ଣ?

 

ପାଖରେ ବସେଇ ଏମିତି ଦି’ ଚାରି ପଦ କଥା ହେଲେ। ମୁଁ ପାଦ ଛୁଇଁ ନିଜ କାମରେ ଆଗକୁ ଯିବାକୁ ବାହାରିଲି। କହିଲି - ଆପଣ କେଡେ଼ ନରଖର ହୋଇ ଏଠି କାହିଁକି ଲୁଚିଛନ୍ତି, ଆଜ୍ଞା ଉପରକୁ ବାହାରି ମୁଁ ପ୍ରଘଟ କରିଦେବି। ତା’ପରେ ସେ ମତେ ହୀରଣ୍ୟକଶ୍ୟିପୁ ପରି ମାଡ଼ିବସିଲେ। ମୁଁ ଚିର‌୍‍ଚିରେଇଲି। ଛାଡ଼ରେ, ଏଗୁଡ଼ା ମୁଁ ବିଶ୍ୱାସ କରେନା। ତେବେ ବି ଏଥିରେ କିଛି ଭଲ ବା ମନ୍ଦ ଶକୁନର ସଙ୍କେତ ଅଛି କି?

 

‘ତୁ ଯେତିକି ଗପ କହିଲୁ, ଏତେ ଲମ୍ୱା ସ୍ୱପ୍ନ ଦେଖି ହୁଏନା। ବୈଜ୍ଞାନିକ କହନ୍ତି ଯେ ସ୍ୱପ୍ନର ଅବଧି ମାତ୍ର ତିନିରୁ ସାତ ସେକେଣ୍ଡ‌୍‍। ତୁ ଗୋଟେ କାମ କର। ତାଙ୍କ ବିଷୟରେ ଯାହା ତୋ’ ମନକୁ ଆସୁଚି ଲେଖି ଦେ’ - ଆଗକୁ ସେଗୁଡ଼ିକ ବଢିଆ ଗପ ହେବ।’

  

ବିଜୁବାବୁଙ୍କ ଜୀବନାନ୍ତେ କେବଳ ସେଇ ନାଁଟି ସହିତ ଅତି ସେ ଅତି ଭାବପ୍ରବଣ ଭାବେ ଜଡ଼ିତ। ସେଥିପାଇଁ କେହି ଥଟ୍ଟା କଲେ ବି ତା’ର ହୋଲ‌୍‍ ନ ଥାଏ କି ଡୋଲ‌୍‍ ନ ଥାଏ। ଅନୁଭୂତି ଯୋଗୁ ସେ ଭାବେ ଯେହେତୁ ଭଗବାନ ନିଜେ କେଉଁଠାକୁ ଯାଇ ପାରନ୍ତିନି ତେଣୁ ସେ ମୋଟେ ଦୁଇଟି ରୂପରେ ମଣିଷ ପାଖରେ ଥା’ନ୍ତି ସବୁଠିଁ, ସବୁବେଳେ ଓ ସବୁ ଭରସା ଦେଇ। ତା’ପାଇଁ ସେ ଦୁଇଟି ହେଲା ତା’ ବାପ-ବୋଉ ମିଶି ଜଣେ ଓ ଆର ଜଣକ ବିଜୁବାବୁ।

 

ବାପା-ବୋଉଙ୍କ ସହିତ ତା’ ଜୀବନ ଏତେ ଦୀର୍ଘ ନ ଥିଲା। ବିଜୁବାବୁଙ୍କ ସହିତ ପରିଚୟ ମୋଟୁରୁ ନ ଥିଲା। ଆଶ୍ରା ଥିଲା। ମାଧବ ପାଇଁ ସେ କେବଳ ଅପହଞ୍ଚ ମଣିଷ ନୁହଁନ୍ତି, ଦୂରତା ଯୋଗୁ ଭଗବାନଙ୍କ ପରି ପୂଜ୍ୟ। ସେ ତାଙ୍କ ‘ସାକ୍ଷାତ ଦର୍ଶନ’ - ୟା’ ମାନେ ସିଏ ଏକା ବୁଝେ - ପାଇଥିବାରୁ ନିଜକୁ ଜଣେ ପୂଜ୍ୟ ସଂସିଦ୍ଧ ପରମହଂସ ବୋଲି ଭାବେ। ବାକି ଯେତେ ପବିତ୍ର ବା ଅପବିତ୍ର ନେତା ଏ ପୃଥିବୀରେ ରହିଲେ, ତା ବିଚାରରେ ସମସ୍ତେ ମଣିଷ।

 

ଜଣେ ଅଧେ ଏମିତି ଭାବିଲେ ଖାସ‌୍‍ କିଛି ଅସୁବିଧା ହୁଅନ୍ତା ନାହିଁ। ମାଧିଆ ବିଜୁବାବୁଙ୍କ ‘ଆଦର୍ଶ’ କହିଲା। ସେ ଏକା କହିଲା ଓ ଏକା ବୁଝିଲା। ସମସ୍ତେ ତାକୁ ଭକ୍ତ ଅପେକ୍ଷା ବେଶି ପାଗଳ ବୋଲି କହିବାକୁ ଲାଗିଲେ।

 

ଅଳକା ଦୃଢ଼ଭାବେ ଜାଣେ ଯେ ତା’ ସ୍ୱାମୀ ପାଗଳ ନୁହଁନ୍ତି। ମାତ୍ର ସେ ଜାଣି ପାରେନା ଯେ ସଂସାରରେ ଆଉଆଉମାନଙ୍କ ପରି ସେ କାହିଁ ଚଳିପାରୁ ନାହାଁନ୍ତି।

 

ମାଧବ ରାଜନୀତିର ଧାର ଧାରେ ନାହିଁ। ଅତ୍ୟନ୍ତ ଅନମନୀୟ ପ୍ରକୃତିର। ବିଭାଗରେ ତା’ ପରିଚୟ ହେଲା ଅଯୋଗ୍ୟ ଅଫିସର। ତା’ସାଙ୍ଗ ବା ଜୁନିଅରମାନେ ଚିଫ‌୍‍ ଇଂଜିନିୟର ପଦରେ ପହଞ୍ଚି ସାରିଲେଣି। ଇଏ ଅବସର ନେବା ଆଗରୁ ଏକ‌୍‍ଜିକୁଟିଭ‌୍‍ ଇଂଜିନିୟର ହୋଇ ପାରିବ କି ନା ସନ୍ଦେହ।

 

ସେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲା। ଏକାଦିନେ ହଇଜାରେ ବାପା-ବୋଉ ଚାଲିଗଲେ। କୋଉ ଯୁଗର କଥା। ବାପା କର୍ମାଣିଆ ବ୍ରାହ୍ମୁଣ। ଗାଁ ଗାଁ ବୁଲି ହଳା ଆଣିବା, ଅକାଳେସକାଳେ ତୁଠ କାମ ଜୁଟିଲେ ନୂଆ ଲୁଗା ଗାମୁଛା ଓ ସଞ୍ଜା ସହ ପାଞ୍ଚ ଦଶ ଟଙ୍କାରୁ ଅଧିକ ରୋଜଗାର କରିବାକୁ ଅକ୍ଷମ ତା’ବାପା, ଏବଂ ଯାବତ‌୍‍ ଦାରିଦ୍ର୍ୟ ସତ୍ତ୍ୱେ ପରିବାରର ଚଳଣିକୁ ପରଚ୍ଛନ୍ନ ଦେଖେଇ ପାରୁଥିବା ବୋଉକୁ ଗାଁ ଲୋକେ ତା’ ଆଖି ଆଗରେ ନୂଆନଈରେ ଭସେଇ ଦେଲେ।

 

ସେଇ ଦିନ ସକାଳେ ବୋଉ ତା’ ମୁହଁ ଆଡେ ନିଥର ଆଖିରେ ଅନୋଉଥିଲା। କ’ଣ କହିବ କହିବ ହୋଇ କିଛି କହିପାରି ନଥିଲା। ବାପା ଗତ ରାତିରୁ ଚେତାହୀନ ହୋଇ ପଡିରହିଥିଲେ। ଘଷିଭାଡି ଖାଲି କରି ତହିଁରେ କନ୍ଥାକୋତରା ପକେଇ ବୋଉ ନେଇ ବାପାଙ୍କୁ ସେଠି ଶୁଆଇ ଦେଲା। ଦିନ ଦୁଇଟା ବି ସରିନି, ସବୁ ଲୁଗାପଟା ଘରୁ ସରିଗଲା। ବାପା ଶୋଇଥିଲେ, ସୁଉଦୁ ସରିସରି ବନ୍ଧା ବାଉଁଶଭାଡି ଉପରେ। ତା’ପରେ ବୋଉ ନିଜେ ପଡିଗଲା। କତିରେ ଠିଆ ହେବାକୁ କେହି ନାହିଁ। ମାଧବର ସାହସ ହଜି ଯାଇଥିଲା। ମାତ୍ର ସେ କାନ୍ଦି ପାରୁ ନ ଥିଲା। ଆହା ପଦ କହିବାକୁ କେହି ନଥିଲେ ଜଣେ କାନ୍ଦିବ ବା କାହିଁକି?

 

ତା’ ବାପାଙ୍କ ଠାରୁ ଇଷତ‌୍‍ ସବଳ ଦଦେଇ ର - ଠ କ୍ରିୟାକର୍ମ ସାରିଥିଲେ।

 

ବାପ-ମା’ ଛେଉଣ୍ଡ ମାଧବ ସେଇ ବୟସରେ ଅସ୍ଥିର ମାନସିକତାରେ ଭାବୁଥିଲା - ମୂଲ ଲାଗିବା ବୟସ ତା’ର ହୋଇ ନ ଥାଏ। ତଥାପି, ସେ ମୂଲ ଲାଗି ପାରିବ କି? ତାକୁ ବା ସେଥିପାଇଁ ଡାକିବ କିଏ? ବ୍ରାହ୍ମଣ ପିଲା। ପଦାକୁ ଯାଇ ମୂଳ ଲାଗିଲେ କୁଳକୁଟୁମ୍ୱକୁ ଲାଜ। ବରଂ ବେଶି ସମ୍ଭବ ଲାଗିଥିଲା ଯେ ଦଦେଇଙ୍କ ଯେଉଁ ତିନୋଟି ଗାଈ ଅଛନ୍ତି ତାହା ସେ ଜଗି ପାରିବ। ବୋଲହାକ କରିବ। ଦେଠେଇ ବି ତାକୁ ହତାଦର କରନ୍ତି ନାହିଁ। ସେତେବେଳକୁ ସେ ବଡ଼ୁ ହୋଇ ନଥିଲା। ଦଦେଇଙ୍କ ପୁଅ ସୁନିଆ ହେଲାବେଳେ ଦଦେଇ ହୁଏତ ତାକୁ ଦୟା କରି ପାରନ୍ତି। ତା’ପରେ ନିଜ ବାପାର କର୍ମାଣିଆ କାମ କରିବାକୁ ଚେଷ୍ଟା କରିବ।

 

ତା’ର ସବୁ ଭାବନା ଓଲଟପାଲଟ ହୋଇଗଲା। ଦଦେଇ ଓ ଶଙ୍କରାନାଙ୍କ ସହିତ ସେ ନୂଆନଈରୁ ଦଶକାମ ସାରି ଫେରୁଥିଲା। ହାଇେୱ ହୋଇ ନ ଥାଏ। ବନ୍ଧରେ ରାସ୍ତା ଥିଲା। ତାହା ପାରି ହେଲା ବେଳକୁ ସେମାନଙ୍କ ବାଟରେ ଗୋଟିଏ କାର‌୍‍ ସେଇଠି ଅଟକିଲା। ସେଥିରୁ ଓହ୍ଲାଇ ପଡିଲେ ବିଜୁବାବୁ ଓ ତାଙ୍କ ସାଙ୍ଗରେ ଭିତିରିଆ ଗାଁର ପଦନ ସାଆଁନ୍ତରା। ସାଆଁନ୍ତରା ଅଞ୍ଚଳର ଜଣେ ନାମଜାଦା ଲୋକ। ବାପା ସାଙ୍ଗରେ ନି ତିନି ଥର ମାଧବ ତାଙ୍କ ଘରକୁ ଦହିଚୁଡା ଖାଇବାକୁ ଯାଇଛି। ଅଣାଏ ଲେଖା ବିଦାକି ଆଣି ବୋଉକୁ ଧରେଇ ଦେଇଛି। ସେ ବିଜୁବାବୁଙ୍କ ନାଁ ଶୁଣିଥିଲା। ଦେଖି ନ ଥିଲା କେବେ।

 

ମାଧବକୁ ଚିହ୍ନେଇ ପଦନ ସାଆଁନ୍ତରା ବିଜୁବାବୁଙ୍କୁ କହିଲେ, ‘ଆଜ୍ଞା, ଆମ ଗାଁ ମୂଷା ପଣ୍ଡା। ଚିତୋଉ ଅମେଇସା ଗୋଟିଏ ଦିନରେ ଗେରସ୍ତ ଭାରିଜା ଦିହେଁ ଚାଲିଗଲେ। ଇଏ ତା’ପୁଅ।’

              

ଦଦେଇ ଆଡକୁ ହାତ ଦେଖେଇ ବିଜୁବାବୁ ପଚାରିଲେ, ‘ଏ ଲୋକଟା କିଏ?’

 

ଦଦେଇ ନାଳଛେଇ ହେଲେ। ଭୋ ଭୋ କାନ୍ଦିଲେ। କହିଲେ, ‘ବାବୁ, ମୂଷା ମୋ ସାନଭାଇ।’

 

‘କିରେ, ପଦନ ତମ ଅଞ୍ଚଳରେ କେତେ ଲୋକ ମଲେଣି , ହିସାବ ରଖିଛୁ?’

 

ପଦନ ସାଆଁନ୍ତାରା କହିଲେ, ‘ପୂରା ହିସାବ ତ ଜାଣିନି। ଖାଲି ନଈରେ ଶହେରୁ ଅଧିକ ଶବ ଭାସି ଗଲେଣି। ପୋଡ଼ା ସମ୍ଭବ ହଉନି। ଦି ତିନିଟା ସଚଳିଆ ଘର ଶବ ପୋଡା ହେଇଚି। ନ ହେଲେ ଆଜ୍ଞା ସମସ୍ତଙ୍କୁ ମା’ ଗଙ୍ଗା ସାହା। ଆଜ୍ଞା ଏ ଟୋକା କଥା ନିଆରା। ଏଡେ଼ ବକଟେ ଛୁଆ, ତାର ଆଉ କେହି ନାହିଁ।’

 

‘କ’ଣ, ପଢ଼ୁଚୁ?’

 

ମାଧବ ମୁଣ୍ଡ ଟୁଙ୍ଗାରି ହଁ ମାରିଲା। ତେଣିକି ସବୁ କଥା ଦଦେଇ କହିଲେ। ବିଜୁବାବୁ ମାଧବକୁ ଏକଦମ କତିକି ନେଇ ତା’ ମୁଣ୍ଡରେ ହାତ ବୁଲେଇ ପଚାରିଲେ, ‘ପଢ଼ିବୁ?’

 

ଏହାର ଉତ୍ତରରେ ସେ କିଛି କହି ପାରି ନ ଥିଲା ବା ସେଠାରେ ସେଥିପାଇଁ ଖାସ‌୍‍ ଅବକାଶ ନ ଥିଲା। ତା’ପରେ ସେ ପଦନ ସାଆଁନ୍ତରାଙ୍କୁ କେତେ ପ୍ରକାର ବରାଦ କଲେ ଏବଂ ମାଧବକୁ ‘ଡରିବୁନି ରେ, ପଢ଼ିବୁ ପଢ଼ିବୁ’ କହି ଚାଲିଗଲେ।

 

ସେଇ କଥା ପଦକ ମାଧବ ପଣ୍ଡାର ଜୀବନକୁ ଓଲଟପାଲଟ କରି ଦେଇଥିଲା।

 

ବାପା ମା’ଙ୍କ ବିନା ବି ତା’ ଜିନ୍ତାର ଏକ ଭୟାନକ ଭବିଷ୍ୟତ ସୁରୁଖୁରୁରେ କଟି ଯାଇଥିଲା।

 

ଆମ ଅଞ୍ଚଳର ପଦନ ସାଆଁନ୍ତରା, କେଡେ ଲୋକ। ସେ ମାଧବର ହେପାଜତ ନେଲେ। ଖାତା ବହିପତ୍ର, ଗଣେଶ ପୂଜା ଓ ସରସ୍ୱତୀ ପୂଜାରେ ନୂଆ ପେଣ୍ଟ ସାର୍ଟ କିଣି ଦିଅନ୍ତି। ପ୍ରତି ମାସରେ ସେ ଦଦେଇଙ୍କୁ ପାଞ୍ଚ ଦଶ ଦିଅନ୍ତି। ଦଦେଇ କି ଦେଠେଇ କୌଣସି କାମ ପାଇଁ ବରାଦ ନ କରୁଥିଲେ ମଧ୍ୟ ମାଧବ ଗାଈଗୋରୁ କଥା ବୁଝେ।

 

ଭାଗ୍ୟ ତାକୁ ଆହୁରି କାଇଲ‌୍‍ କରୁଥାଏ। ଏକା ସାଙ୍ଗରେ ପଢ଼ୁଥିବା କାରଣରୁ ପଦନ ସାଆଁନ୍ତରା ତାକୁ ଦେଉଥିବା ପାଠ ସରଞ୍ଜାମରୁ ସେ କେତେ ଜିନିଷ ସୁନିଆକୁ ଦିଏ। ଭାବୁଥାଏ, ଦଦେଇ ବି କୋଉ ଏମିତି ପାରିଲାର କି!

 

ସୁନିଆ ମାଧବ ଏକା ସାଙ୍ଗରେ ମାଟ୍ରିକ ପାସ‌୍‍ କଲେ। ସୁନିଆ ଥାର୍ଡ, ମାଧବ ଫାଷ୍ଟ‌୍‍ ଡିଭିଜନ‌୍‍ରେ। ସେତେବେଳେ ଫାଷ୍ଟ ଡିଭିଜନ‌୍‍ ମାନେ ଅଞ୍ଚଳ ଦୁଲୁକି ଉଠିଥିଲା।

 

ସେତେବେଳେ ଚାକିରି ହାଉଯାଉ। ଛ’ ମାସ ଭିତରେ ଥାର୍ଡ ଡିଭିଜନ‌୍‍ ସୁନିଆ ଚାକିରି କଲା। ଏବେକୁ ସେ ବହୁତ ଧନୀ। କଟକ, ଭୁବନେଶ୍ୱର ଓ ଗାଁରେ ସବୁଠି ଗୋଟିଏ ଗୋଟିଏ କୋଠା। ନିଜେ ସରକାରୀ ଘରେ ରହି ଖାଲି ମାସକୁ ଆଠ ହଜାର ଟଙ୍କା ଘରଭଡ଼ା ପାଉଚି। ଗାଁରେ ପାଞ୍ଚ ପା’ ପୈତୃକ ଜମି ଏବେ ହୋଇଛି ସତର ଏକର। ସେ ସବୁବେଳେ ମାଧିଆନାକୁ ବୋକା କହେ ଓ ଅଳକା ଭାଉଜ ବିରୁଦ୍ଧରେ ତା’ର ଅଭିଯୋଗ ହେଲା ଯେ ସେ ଅକାରଣରେ ପାଠ ଗୁଡ଼ାଏ ପଢ଼ିଚି। ଭେଣ୍ଡାକୁ ମେଣ୍ଢା ନ କରି ପାରିଲେ କି ସ୍ତ୍ରୀ ପଦ ହୋ?

 

ମାଧବର ଫାଷ୍ଟ ଡିଭିଜନ‌୍‍ ଯୋଗୁ ପଦନ ସାଆଁନ୍ତରା କମ‌୍‍ ଉଲ୍ଳସିତ ହୋଇ ନ ଥିଲେ। ତାକୁ ସାଙ୍ଗରେ ଧରି ସେ କଟକ ତୁଳସୀପୁର କୋଠିକୁ ଚାଲିଲେ। ମାଧବ ଜୀବନରେ ପ୍ରଥମ ଥର ପାଇଁ ବସ‌୍‍ ଚଢ଼ିଲା। ପ୍ରଥମ ଥର ପାଇଁ ଧବଳ ଟଗର କଟକ ନଗର ଦେଖିଲା, ଟ୍ରେନ‌୍‍ ଦେଖିଲା ଏବଂ ଆଉଥରେ ଦେଖିଲା ବିଜୁବାବୁଙ୍କୁ। କୃତଜ୍ଞତା ଅନୁଭବ କରିବା ବୟସରେ ସେ ପହଞ୍ଚି ସାରିଥାଏ।

 

ଇଏ ବିଜୁବାବୁଙ୍କ ପାଦ ଛୁଇଁ ପ୍ରଣାମ କଲାବେଳେ ସାଆଁନ୍ତରା କହିଲେ, ‘ଆଜ୍ଞା ଏ ଟୋକା କହୁଚି ଆଉ ପଢ଼ିବନି। ତାକୁ ଚାକିରି ଖଣ୍ଡେ କରେଇ ଦିଅନ୍ତୁ। ଫାଷ୍ଟ‌୍‍ ଡିଭିଜନ‌୍‍ରେ ପଶ‌୍‍ କରିଚି।’

 

ପଦନ ସାଆଁନ୍ତରାଙ୍କ ଦମ୍ଭ ପାଣି ଫାଟିଗଲା। ମାଧବ ନିଜେ କିଛି ବୁଝି  ନ ପାରିବା ପରି ବିଜୁବାବୁଙ୍କ ଠାରୁ ଖାଇଲା ଶକ୍ତ ଚଟକଣାଟିଏ। ‘ଆରେ ରାେସ୍କଲ‌୍‍, ଥାର୍ଡ ଡିଭିଜନରେ ପାଶ‌୍‍ କାଲୁନି, ଚାକିରି କରିଥାନ୍ତୁ।’

 

କିଛି ସମୟ ପାଇଁ ଯାହା ତାଙ୍କ ପାଟିରେ ପଶିଲା ସେ ଶୋଧିଲେ। ଏତେ କଥା ଏତେ ଚଞ୍ଚଳ କେମିତି ଘଟିଗଲା ମାଧବ ବୁଝି ପାରିଲେ ନାହିଁ। ‘ରେଭେନ୍ସାରେ ପଢ଼। ପରେ ଇଂଜିନିୟରିଙ୍ଗ ପଢ଼ିବୁ। ପଇସା ବ୍ୟବସ୍ଥା ମୁଁ କରିବି। ପଦନ, ତୁମେ ତାକୁ ମଝିରେ ମଝିରେ ତଦାରଖ କରିବ। କହିଲା କ’ଣ ନା, ଚାକିରି କରିବ। ଗେଟ‌୍‍ଆଉଟ‌୍‍।’ ବିଜୁବାବୁ ଏତିକି କହିଲେ ଏବଂ ନିଜେ ଚାଲିଗଲେ।

 

କୃତଜ୍ଞତାରେ ତା’ ଆଖିରୁ ଲୁହ ବୋହୁଥିଲା। ସାଆଁନ୍ତରା ମାଧବକୁ କହିଲେ, ‘ବାବୁ ରାଗି ନାହାନ୍ତି ରେ।’

 

ତା’ପାଠ ଶେଷ ହେବା ପର୍ଯ୍ୟନ୍ତ ମାସର ପ୍ରଥମ ସପ୍ତାହରେ ତା ପାଖକୁ ମନିଅର୍ଡର ଆସେ। ସେ ଏମିତି ଭଲ ପଢ଼ୁଥିଲା। ପରେ ଭଲ ପଢ଼ିଲା ମଧ୍ୟ। ମଣିଷର କ୍ରୋଧ ଓ କଲ୍ୟାଣ ପ୍ରକାଶ କରିବାର ଆଚରଣକୁ ସେ ତା’ପରେ ଜୀବନସାରା ତଉଲି ଚାଲିଛି। ବୋଧେ ପାଇନି। ସେଥିପାଇଁ ବାପା-ବୋଉ ଓ ବିଜୁବାବୁଙ୍କ ପରିଧିରୁ ସେ ମୋଟେ ବାହାରି ପାରିଲାନି।

 

ସ୍ୱପ୍ନ ସ୍ୱପ୍ନରେ ସେ ଆଉ ନ୍ୟାୟ ଅନ୍ୟାୟ ମାନିଲାନି। ଫଲ‌୍‍ସ ଟୁର‌୍‍ ପକେଇ କେନ୍ଦ୍ରାପଡା, ପାରାଦ୍ୱୀପ, ଭଦ୍ରକ, ରାଉରକେଲା, ଭୁବନେଶ୍ୱର ଚାରିଆଡେ଼ ଖୋଜିଲା। କୋଉଠି ହେଲେ ତାଙ୍କର ଗୋଟିଏ ମୂର୍ତ୍ତି ବି ନାହିଁ। ପିଣ୍ଡି ଗୁଡିକ ନାଣ୍ଡିଆ। ପ୍ରତ୍ୟେକ ଜାଗାରେ ନାମ ଫଳକରେ ଉଦ‌୍‍ଘାଟକମାନଙ୍କ ନାଁ ଜକ‌୍‍ଚକ‌୍‍ କରୁଥାଏ। ବିଜୁବାବୁଙ୍କ ବିନା ସେଇସବୁ ନାଁ ତାକୁ ଗରାଖହୀନ ବେଶ୍ୟାର ଅଯଥା ରୂପସମ୍ଭାର ପରି ଲାଗୁଥାଏ। ବିବସନା ନ ହେଲେ କୋଉ ବେଶ୍ୟା କାହାରି ଦରକାରରେ ଲାଗନ୍ତି ନାହିଁ। ରସିକ ଅର୍ଥତଣ୍ଡ କରି ତା’ ବସନ ଦେଖିବାକୁ ଯାଇ ନ ଥାଏ।

ମାଧବ କୁଆଡେ ବାରମ୍ୱାର ପାଗଳଙ୍କ ପରି ଖୋଜିଲା। କାଳେ କୋଉଠି ବିଜୁବାବୁଙ୍କ ଅବୟବର ଟୁକୁଡା ଅଂଶ ଖଣ୍ଡେ ବି ଆଖପାଖରେ ପଡିଥିବ କି! ନ ଥାଏ। ବିସ୍ମିତ ହେବା ପରି କଥା। ଏହା କ’ଣ ସମ୍ଭବ? ବିଜୁବାକୁଙ୍କୁ ଓଡିଆମାନେ ଏବେ ବି ଶ୍ରଦ୍ଧା କରନ୍ତି। ତା’ହେଲେ ତାଙ୍କ ସ୍ମୃତିକୁ ଏମିତି ସଂଗଠିତ ଭାବେ ନାରଖାର କଲା କିଏ ବା କାହିଁକି ଲୁଟ‌୍‍ କଲା?

 

ସେ ତାଙ୍କ ସ୍ମୃତିକୁ ଯେମିତି ହେଲେ ଖୋଜି ପାଇବା ପରି ଏକ ପ୍ରଚଣ୍ଡ ପ୍ରତିଜ୍ଞା ଯୋଗୁ ଇତସ୍ତତଃ ଖୋଜି ଶୋଷରେ ତା’ ତଣ୍ଟି ଶୁଖି ଯାଉଥାଏ। ମାଧବାନନ୍ଦ ସ୍ୱପ୍ନ ଦେଖୁଥାଏ!

ମ୍ୟୁନିସିପାଲ‌୍‍ଟି ଟେପ‌୍‍ ଶୁଖା। ଜଳଛତ୍ର ସବୁଠିଁ ଦେଖୁଥିଲା। ହେଲେ ସେଥିରେ ପାଣି ନ ଥିଲା। ସମସ୍ତେ ମଗ‌୍‍ ଧରି ରକ୍ତ ଓଜାଡୁଥିଲେ ଗିଲାସରେ। ଏ ଦୃଶ୍ୟ ଦେଖି ତା’ ହୋସ‌୍‍ ବୁଡ଼ିବା ଅବସ୍ଥା। ଆଉ ଟିକେ ପରେ ଶୋଷରେ ଜୀବନ ଛାଡିଯିବ।

 

ନିରୁପାୟ ହୋଇ ମ୍ୟୁନିସିପାଲିଟି ଗଟର‌୍‍ ପଡ଼ିଥିବା ଏକ ନର୍ଦ୍ଦମାରୁ ସେ ଦି ଆଞ୍ଜୁଳା ପାଣି ପିଇ ଜୀବନଟା ବେଞ୍ଚଇଦେବ ବୋଲି କେଇ ପାହୁଣ୍ଡ ତଳକୁ ପାଦ ପକେଇଚି କି ନା, ଦେଖିଲା ସେ ଖୋଲ ଭିତରେ ବିଜୁବାବୁ କୁଙ୍କୁରିକାଙ୍କୁରି ହୋଇ ବସିଛନ୍ତି। ମାନେ, ଲୁଚିଛନ୍ତି ପରି ତାଙ୍କୁ ଲାଗିଲା। ୟା ଶୋଷ ବି ହଜି ଗଲା।

 

ସେଇଠି ସେ ପାଦ ଛୁଇଁ ପ୍ରଣାମ କଲା ଓ ତା ପାଟିରୁ ଆପେ ଆପେ ବାହାରି ପଡିଲା, ‘ସାର‌୍‍, ଆପଣ ! ଏମିତି ଏଠି!’

 

ସେ ତାଙ୍କ ସ୍ୱାଭାବିକ ଢ଼ଙ୍ଗରେ ମାଧବକୁ କହିଲେ, ‘ପାଟି କରନା। ବସ ଏଠି। ତୋ ନାଁ କ’ଣ?’

 

ମାଧବ ତୁନିହୋଇ ତାଙ୍କ ପାଦତଳେ ବସି ପଡିଲା। ତା’ ପାଡିରୁ କଥା ବାହାରୁ ନ ଥିଲା। ଚାହାଣି ସ୍ଥିର ହୋଇ ସେ ବିଜୁବାବୁଙ୍କୁ ଯେମିତି ଅବୁଝାଭାବେ ସେଇ ପ୍ରଶ୍ନ ହିଁ ପଚାରୁଥିଲା, ‘ସାର‌୍‍, ମୁଁ ଆପଣଙ୍କ ମାଧବ ପଣ୍ଡା। ଯୋଉ ଅନାଥକୁ ନୂଆନଈ ବନ୍ଧରୁ ଟେକିଆଣି ଆପଣ ଇଂଜିନିୟର କରିଦେଲେ ମୁଁ ମାଧବ ପଣ୍ଡା। ସାର‌୍‍, ଆପଣ ଏମିତି ଏଠି କ’ଣ?’

 

‘ମୁଁ ଓଡିଶା ପାଇଁ କ’ଣ ସବୁ ସ୍ୱପ୍ନ ଦେଖିଥିଲି କି ରେ? ସମସ୍ତେ କ’ଣ ମୋ ଅଧୁରା ସ୍ୱପ୍ନ ପୂରଣ କରିବେ କହି ମୋ ସ୍ୱପ୍ନରୁ ପୁଳେ ପୁଳେ ପକେଟରେ ପୂରେଇ ରାଜ୍ୟ ସାରା ବେପାର କରୁଛନ୍ତି, ଜାଣିଚୁ?’

 

ମାଧବ ସାଙ୍ଗରେ ପଦେ ଦି ପଦ କଥା ହୋଇ ସାରି ଅଳକାକୁ କହିଲି, ‘ତୁ ମୋଟେ ବ୍ୟସ୍ତ ହଅନା। ନିର୍ବାଚନ ଆଗରେ ତ। ସରିଗଲେ ସବୁ ଠିକ‌୍‍ ହୋଇଯିବ। ଏବେ ସେ ଯେଉଁମାନଙ୍କ ତୁଣ୍ଡରୁ ବିଜୁବାବୁଙ୍କ ନାଁ ବାରମ୍ୱାର ଶୁଣୁଚି, ତାହା ତାକୁ ଲଙ୍କାରେ ହରିଶବ୍ଦ ପରି ଲାଗୁ ନ ଥିବ କି? କ’ଣ କରିବା, ସେଣ୍ଟିମେଣ୍ଟାଲ‌୍‍ ଲୋକଟା। ତୁ କ’ଣ ଜାଣିନୁ?’

 

ଅଳକା କହିଲା, ‘ଜାଣିଛୁ, ଜ୍ୟୋତି ହରେଇ ପାଉଁଶ ହେବା ପୂର୍ବରୁ ହାବେଳିର ଝଲକ ପରି ମତେ ଇଏ ବେଶ‌୍‍ ଉଞ୍ଚାରେ ବେଶ‌୍‍ ଉଜ୍ଜ୍ୱଳ ଦେଖାଯା’ନ୍ତି। ନିରୀହ ମଣିଷଟିଏ। ବହୁତ ଭଲଲାଗେ। ଡାକ୍ତର କଥା ମଜାରେ କହୁଥିଲି। ଝରଣା ଉଠିଲାଣି? ଡାକିଲୁ ଟିକେ, କଥା ହେବି।’

 

(ଗଳ୍ପ ସଂକଳନ ‘ଆଶା ତମସା’ରେ ପ୍ରକାଶ ପାଇସାରିଛି। ପ୍ରକାଶ ସମୟ- ୨୦୦୮, ଲେଖା ସମୟ - ୨୦୦୨)

 

ମୋବାଇଲ‌୍‍ : ୦୯୪୩୭୧-୯୪୬୦୦.


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top