ଘଟଣାରୁ ଚରିତ୍ର ପର୍ଯ୍ୟନ୍ତ

News Story - Posted on 2016-10-09

ହୃଷୀକେଶ ପଣ୍ଡା

 

‘ଦେଲୁ, ବିଡ଼ି ଖଣ୍ଡେ ଅଛି କି ?’ ମନୋଜର କଥା ଶୁଣି ଫିକ‌୍‍କିନା ହସିଦେଲା ବିନୟ।

 

ଗୋଟେ ପୂରା ବିଡ଼ି...ଧେତ‌୍‍... !

 

ବିଡ଼ିଟାକୁ ଟାଣି ଟାଣି ପ୍ରାୟ ଶେଷ କରିଦେଇଥିଲା ସେ। ପୋଡ଼ା ଧୂଆଁପତ୍ରର ଝାଳରେ ଓଠ ଓଦାଓଦା ଆଉ ପିତାପିତା ଲାଗୁଥିଲା। ମନୋଜ ଆଡ଼କୁ ସେତକ ବଢ଼େଇଦେଇ ସେ କହିଲା – ‘ନେ, ଟାଣି ଦେ। ଗୋଟେ ପୂରାବିଡ଼ି ଟାଣିବାର ସୌଭାଗ୍ୟ ପାଇଁ ତତେ ପୁଣି ଗୋଟାଏ ଜନ୍ମ ଅପେକ୍ଷା କରିବାକୁ ପଡ଼ିବ, ଜାଣିଲୁ?’

 

ବିଡ଼ିଟା ପ୍ରାୟ ଲିଭିଲିଭି ଆସୁଥିଲା। ଟବାକୋ ସରି, ସୂତା ଜଳି କେବଳ ବିକଳ ଧୂଆପତ୍ରରେ ମୂର୍ଖ ନିଆଁଟା କାହିଁକି କାଙ୍ଗାଳ ପରି ଲଟକି ରହିଥିଲା କେଜାଣି? ମନୋଜ ଜୋର‌୍‍କରି ବିଡ଼ିରେ ଗୋଟେ ସୁଟ‌୍‍କା ଦେଲା। ପୋଡ଼ା ଧୂଆଁପତ୍ରର ବିଚିକିଟିଆ ଝାଳମେଞ୍ଚାଏ ତା’ ଶେତା ଓଠରେ ନେସି ହେଇଗଲା। ଭକ‌୍‍କିନା ତା’ ପାଟିରୁ ଧୂଆଁ ସହ ନାଳ ମେଞ୍ଚାଏ ଉବୁକି ଆସିଲା।

 

ବିଡ଼ିଟାକୁ ଫୋପାଡ଼ି ଦେଲା ମନୋଜ। ତା’ପରେ ବିଡ଼ିଟାକୁ ପାଦରେ ଏମିତି ମକଚିବାକୁ ଲାଗିଲା, ଯେମିତି ତା’ର ଅସ୍ତିତ୍ୱ ହଜେଇଦବାକୁ ସେ ଚାହେଁ। ବିନୟ କହିଲା – ‘ଅଯଥାରେ ଗୋଟେ ନିଷ୍ପ୍ରାଣ ବିଡ଼ି ଉପରେ ଏମିତି ନିଷ୍ଫଳ ଆକ୍ରୋଶର ମାନେ କ’ଣ ଥାଏ କହିଲୁ ?’

 

ମନୋଜର ମୁହଁ କାନ୍ଦ କାନ୍ଦ। ତା’ଭିତରେ ଯେମିତି ଗୋଟେ ନିଷ୍ଫଳ ଆକ୍ରୋଶର ନିଆଁ ହୁତହୁତ‌୍‍ ହେଇ ଜଳୁଚି। ଯେମିତିକି ତା ଭିତରେ ଅମାପ ଶକ୍ତି, ଅସାମାନ୍ୟ ସାମର୍ଥ୍ୟ। ଅଥଚ ସବୁକିଛି ଏଇ ଅଛି, ଏଇ ନାହିଁ, ପାଲଟିଯାଉଚି ନିଷ୍ପ୍ରାଣ। ନିର୍ଜୀବ। ତା’ ଚାହିଁବା ମୁତାବକ, ପସନ୍ଦ ଲାଏକ‌୍‍ କିଛି ବି ଘଟୁନାହିଁ। ଯାହା ଘଟୁଚି, ତାକୁ ଘଟଣା ତ କହିହବନି, ଦୁର୍ଘଟଣା ବି ନୁହେଁ। ସବୁକିଛି ଅସଂଯତ, ଅସଂଲଗ୍ନ। ସ୍ରୋତହୀନ। ଯେମିତି ତା’ର ଅଙ୍ଗପ୍ରତ୍ୟଙ୍ଗ, ଇନ୍ଦ୍ରିୟସମୂହ, ସ୍ନାୟୁଶିରା ସବୁକିଛି ଆସ୍ତେ ଆସ୍ତେ ଅଥର୍ବ ପାଲଟି ଯାଉଚନ୍ତି। ସେ ଯେମିତି ଆଉ କିଛି ବି କରିନପାରୁ, ଏମିତି ଗୋଟେ ଅଭିଶାପ ତାକୁ ଦିନକୁଦିନ, ବେଳୁବେଳ ପଙ୍ଗୁ କରିଦେବାରେ ଲାଗିଚି।

 

ଏଥର ମନୋଜ ହାତରେ ମୁଠାଏ ଓଦାବାଲି ମୁଠେଇ ଧରିଲା ଏବଂ ଗୋଟେ ଉଦ୍ଧତ ଢେଉକୁ ଲକ୍ଷ୍ୟ କରି ଫୋପାଡ଼ି ଦେଲା। ଢେଉ ଦିହରେ ବାଜିବା ପୂର୍ବରୁ ଅସଂଖ୍ୟ ବାଲିକଣାରେ ବିଭକ୍ତ ହେଇ ସେସବୁ କୁଆଡେ଼ ପବନରେ ଛିନଛତ୍ର ହେଇଗଲା। ତା’ର ଟେର‌୍‍ ସୁଦ୍ଧା ମିଳିଲାନି।

 

‘ଧେତ‌୍‍...ବରଂ ଆତ୍ମହତ୍ୟା ୟାଠୁ ଢେର‌୍‍ ଭଲ। ଶଳା, ଏମିତି ଗୋଟେ ଅର୍ଥହୀନ ଜୀବନ ବଞ୍ଚିବାରେ କିଛି ଗୋଟେ ମାନେ ଥାଏ ? ୟେ ସମୁଦ୍ରର ଗୋଟେ ଢେଉର ବି ନିଜସ୍ୱ ପରିଚୟ ଅଛି। ନିଜ ମନର ଅଭିମାନ, ଓରମାନ ଅଛି। ସେ ଚାହିଁଲେ ଅଧିକା କୋଡ଼ିଏ ତିରିଶି ଫୁଟ‌୍‍ ମାଡ଼ିଯାଇ ପାରିବ। କାହା ଶାଢ଼ିଶାୟା, ପ୍ୟାଣ୍ଟ କି ଚପଲ ଓଦାକରି ଭସେଇ ନେଇପାରିବ। ଅଥଚ...ମନୋଜ ଚୌଧୁରୀ ପରି ତିରିଶି ବର୍ଷର ଗୋଟେ ଯୁଆନ‌୍‍ ଭେଣ୍ଡା, କହ କ’ଣ କରିପାରୁଚି ? ନା ଚାକିରୀ, ନା ବେପାର, ନା ପ୍ରେମ, ନା କୋଉ ଝିଅକୁ ଫସେଇ...କଣ କରିପାରୁଚି କହ?’

 

କେବଳ ଶୁଣିବା ଛଡ଼ା, ବିନୟର କୌଣସି ଚାରା ନଥିଲା। ମନୋଜ ପାଇଁ ନା ତା’ର ଦୁଃଖ କରିବାର ଥିଲା, ନା ସାନ୍ତ୍ୱନା ଦବାର। ଯେମିତି ଗୋଟେ ବାବନାଭୂତର କିଛି ଠିକଣା ନଥାଏ, କେବଳ ଗୋଟେ ଆତଙ୍କ ହେଇ ଛାତି ଭିତରର ଦୁକ‌୍‍ଦୁକିରେ ଲଟକି ରହିଥାଏ...ଠିକ‌୍‍ ସେମିତି। ସେମିତି ତିନିତିନିଟା ବାବନାଭୂତ ଘୂରିବୁଲୁଚନ୍ତି ଅହରହ। ଅହର୍ନିଶ।

 

ବିଶ୍ୱବିଦ୍ୟାଳୟର ତିନିତିନିଟା ଜୁଏଲ‌୍‍। ପିଜି ସରିଲା ପରେ ସବୁକିଛି ବେଖିଆଲ‌୍‍, ବେପରୁୱା। କିଛି ଗୋଟେ ବନିଯିବାର ବହଳ ସ୍ୱପ୍ନରେ ବିତୁଥିଲା ଦିନସବୁ। ତିନିତିନିଟା ଜିନିଅସ‌୍‍ ଜୀବନଟାକୁ ଜବରଦସ୍ତ ଜହ୍ନ ଆଲୁଅରେ ଝଳସେଇଦବାର ଦୁର୍ବାର ଆକର୍ଷଣରେ ଆକଣ୍ଠ ଉତ୍କଣ୍ଠିତ ସେତେବେଳେ। ଘରେ ବାହାରେ ସବୁଠି ସୌହାର୍ଦ୍ଦ୍ୟ, ସରାଗ। ସମୁଦ୍ରକୂଳର ଲୁଣିପବନରେ ଜୀବନଟା ସତେ କି ସୁନ୍ଦର, ସୁଖକର। ସେଇ ଅଠାଅଠା ଝାଳରେ ଝଲସିବାରେ କି ଆନନ୍ଦ, କି ଚମତ୍କାର ଅନୁଭବ।

 

ଜହ୍ନ ଉଇଁବ ଉଇଁବ ଅନିସା କରିକରି ଉଭେଇଗଲା ଉନ୍ମାଦନା। ଚାହୁଁ ଚାହୁଁ ଚହଟିଗଲା ଅନ୍ଧାର। ସାତଆଠ ବର୍ଷ ଅଚଳ ଆଠଣିଟେ ପରି ସମୟ ଶୋଇଗଲା ଠଣାରେ କଣମୋଡ଼ ହେଇ।

 

ସବୁ ସ୍ୱପ୍ନ, ସମ୍ଭାବନା, ସଂଘର୍ଷ ବେକାର ହେଇଗଲା। ପଲପଲ ଅପାରଗ ପଣିଆର ମୁର୍ଦ୍ଦାର କାନ୍ଧେଇ, ନା ଘରେ, ନା ବାହାରେ, କୋଉଠି ହେଲେ ମୁହଁରେ ମେଞ୍ଚାଏ ହସ ଫୁଟେଇ ହବ, ସେମିତି ନିରୋଳା ଜାଗାଟିଏ ଭାଗ୍ୟରେ ଜୁଟିଲାନି। ଆଗଆଗ ଘରେ ଆଦର ଥିଲା, ସାଙ୍ଗସାଥୀ ମେଳରେ ମନଖୋଲା ହସ, ମଉଜ ମଜଲିସର ମଜା ବି ମିଳୁଥିଲା। ସମୁଦ୍ରକୂଳର ଲୁଣିହାୱାରେ ଭିଜିଭିଜି ସୀମାହୀନ ଆକାଶକୁ ଅନେଇବାର ବି ଗୋଟେ ନିଆରା ନିଜସ୍ୱପଣ ଥିଲା।

 

କିନ୍ତୁ ଏବେ? ତିନିତିନିଟା ଦାଢ଼ିଭର୍ତ୍ତି ବେକାର ବାବନାଭୂତଙ୍କର ନା ଅଛି କରାମତି, ନା ଅଛି କାଟ‌୍‍ତି। ନା ଅଛି କର୍ତ୍ତୃତ୍ୱ, ନା ଅଛି ଅସ୍ତିତ୍ୱ। କିଛି ହେଲେ କିଛି ବି ନାହିଁ।

 

ମନୋଜ କହିଲା – ‘ଜାଣିଚୁ, କାଲି ରାତିରେ ଭାଉଜ କହିଲେ, ତମଦେଇ ତ ଆଉ କିଛି ହବନି। ନହେଲା ଏବେ ଗୋଟେ ଡାଲିଚାଉଳ ଦୋକାନ କରି ବସ। ଯଦି କହିବ, ମୁଁ ତମ ଭାଇଙ୍କୁ କହି ବ୍ୟାଙ୍କରୁ ଲୋନ‌୍‍ଟାଏ କରେଇଦବାକୁ ଚେଷ୍ଟା କରିବି।’

 

‘ବାଃ ! ଭାଉଜଙ୍କୁ ପ୍ରକୃତରେ ବାହାବା ଦବାକୁ ହବ। ମୋ ଲୋନ‌୍‍ ପାଇଁ ସେ ଭାଇଙ୍କୁ ସୁପାରିଶ‌୍‍ କରିବେ! ଆଉ ବାପା ଏକଥା ଶୁଣି କ’ଣ କହିଲେ ଜାଣିଚୁ? କହିଲେ - ସେ ଅପଦାର୍ଥଟା ପାଇଁ ବ୍ୟାଙ୍କରେ ମୁଁ ଛୁଞ୍ଚିସୂତାଟେ ପର୍ଯ୍ୟନ୍ତ ବି ବନ୍ଧା ପକେଇ ପାରିବିନି। ତା’ଦେଇ ନା ଚାକିରୀ, ନା ବେପାର, କିଛି ବି ହବନି। ଚାଲିଯାଉନି କୋଉ ବମ୍ୱେ କି ସୁରଟ। ଆମ ଗାଁର ନାରଣ ପୁଅ ଚକରା, ବିପିନ ଭାଇ ଗୋବିନ୍ଦା...ମୂଳରୁ ମାଇନର ଫେଲ‌୍‍। କୋଉ କଟନ‌୍‍ ମିଲ‌୍‍ରେ ମେସିନ ଚଲେଇ ମାସକୁ ଦଶପନ୍ଦର ହଜାର ଘରକୁ ପଠଉଚନ୍ତି। ଆଉ ଏ କୁଳାଙ୍ଗାର, ଦାଢ଼ି ଲମ୍ୱେଇ ସମୁଦ୍ରକୂଳରେ ଝାଉଁବଣ ଛାଇରେ ଦି’ଟା ଲଫଙ୍ଗାଙ୍କ ସାଙ୍ଗେ ବିଡ଼ି ଫୁଙ୍କି ଢେଉ ଗଣି ବୟସ ବଦଖର୍ଚ୍ଚ କରୁଚି। ୟେ ଅପଦାର୍ଥ ଦେଇ ଖଡ଼ା ବି ଶିଝିବନି। କିଛି ବି ହବନି। ତା’ ଇଚ୍ଛା, ଯା’ କରୁଚି କରୁ। ବାସ‌୍‍ ! ୟାପରେ ଆଉ କ’ଣ ଅବଶେଷ ଥାଏ ? ଘରଠୁ ବରଂ ୟେ ସମୁଦ୍ରକୂଳ, ଝାଉଁବଣ, ଲୁଣିହାୱା, ପୋଡ଼ାବିଡ଼ିର ବିରକ୍ତିକର ଗନ୍ଧ - ଢେର‌୍‍ ଭଲ। ଢେର‌୍‍ ସୁଖକର।’

 

ବିନୟ ଭାବୁଥିଲା, ସତରେ ସେମାନଙ୍କର ଦୋଷ କ’ଣ ? ଚାକିରୀ ତ ରାସ୍ତାକଡ଼ର ଟୁକୁରା କାଗଜ କି ନୂଆ ନୂଆ କଳେଜ ମାଡ଼ୁଥିବା କିଶୋରୀ କଳିକାଟେ ନୁହେଁ ଯେ, ମନଇଚ୍ଛା ଗୋଟେଇ ହବ କି ଫୁସୁଲେଇ ଫାସଲେଇ ଓଠରେ ଚୁମାଟେ ଆଙ୍କିହବ।

 

ସେ କହିଲା – ‘ବୁଝିଲୁ ! ଆଜି ଖରାବେଳଟାରେ ଭାଇଙ୍କ ସାଙ୍ଗେ ମୋର ଜୋର‌୍‍ ଝଗଡ଼ା ହେଇଗଲା। ସେ କହିଲେ - ମୋର ଜଣେ ସାଙ୍ଗ କଣ୍ଟ୍ରାକ୍ଟରୀ କରୁଚି। ତା’ ସହ କଥା ହେଇଚି। ଯଦି ଇଚ୍ଛା ଅଛି କାଲି ଯାଇ ଦେଖାକର। ସାଇଡ‌୍‍ କାମ। ମାସକୁ ଚାରିପାଞ୍ଚ ହଜାର ଭିତରେ ଦବ। ନାହିଁ ମାମଁୁଠୁ କଣାମାମୁଁ ଭଲ। ନା କ’ଣ କହୁଚୁ ? ଭାଇଙ୍କ କଥା ଶୁଣି ବହେ ହସିଲି। କାହିଁକି ଏମିତି ବେପରୱା ହସିବାକୁ ଏମିତି ମନ ହେଲା କେଜାଣି ! ଭାବିଲି ହସି ହସି ଘରଦ୍ୱାର ଫଟେଇ ପକେଇବି। ଭାଇଙ୍କ ହାତ ଥରିଥରି ରହିଗଲା। ଶେଷପର୍ଯ୍ୟନ୍ତ ମୋ ଗାଲରେ ଚାପୁଡ଼ାଟାଏ କଷିଦବାକୁ ଢେର‌୍‍ ଚେଷ୍ଟା କରିବି ପାରିଲେନି। ମଁୁ ସେଇଠୁ କ’ଣ କହିଲି ଜାଣିଚୁ? କହିଲି - ଭାଇ ! ଜାଣିପାରୁଚ, ଅନୁଭବ କରିପାରୁଚ? ତମେ କେମିତି ଯନ୍ତ୍ରଣାରେ, ଆକ୍ରୋଶରେ ଜଳିଜଳି ଶେଷରେ ନିର୍ବୀର୍ଯ୍ୟ ପାଲଟିଗଲ? କୁହ, କେମିତି ସେ ଅନୁଭବ? କେମିତି ତା’ର ଅନ୍ତର୍ଦାହ? ତମ ହାତ ପାଖରେ ତ ମୋ ଗାଲ ଥିଲା। ହେଲେ ତମେ ଶେଷ ପର୍ଯ୍ୟନ୍ତ କଷିଦେଇ ପାରିଲକି ମୋ ଗାଲରେ ଚାପୁଡ଼ାଟାଏ? ପାରିଲ କି? ଚୁପ‌୍‍ ରହିବା ଛଡ଼ା ଭାଇଙ୍କ ପାଖରେ କ’ଣ ବା ଗତ୍ୟନ୍ତର ଥିଲା?

 

ଘରୁ ଆସିଲା ବେଳେ ଦେଖିଲି, ସାନ ଭଉଣୀର ଆଖିରୁ ଦି’ଧାର ଲୁହ ନିଗିଡ଼ି ଆସି ଓଠ ପାଖରେ ଲଟକି ଯାଇଚି। ମନକୁ ମନ କହିଲି - ବହିଯାଉ, ଯୁଆଡେ଼ ଇଚ୍ଛା ବହିଯାଉ। ତୋର କି ସାଧ୍ୟ ଅଛି ତାକୁ ରୋକିବାରେ? ପୋଛିପାଛି ସଫା କରିବାରେ ?’

 

କଥାର ମୋଡ଼ ବଦଳେଇବାକୁ ଯାଇ ମନୋଜ ପଚାରିଲା – ‘ଆରେ, ମିତା ଖବର ଆଉ କ’ଣ? ସେ କେମିତି ଅଛି?’

 

ବିନୟ ତା’ ପ୍ୟାଣ୍ଟ ପକେଟରୁ ଗୋଟେ ଲୋଚାକୁଚା କାଗଜ ବାହାର କଲା। କାଗଜଟାକୁ ହାତରେ ଟୁକୁରା ଟୁକୁରା କରି ଫିଙ୍ଗିଦେଲା। ଲୁଣିହାୱାରେ କାଗଜ ଟୁକୁରାଗୁଡ଼ାକ ଯେମିତି ତାକୁ ପରିହାସ କରି ଢେଉ ସାଙ୍ଗରେ ଉବୁଟୁବୁ ହେଇ କୁଆଡେ଼ ଉଭାନ‌୍‍ ହେଇଗଲେ।

 

ସେ କହିଲା – ‘ମିତା କ’ଣ ମଣିଷ ନୁହେଁକି ରେ? ସେ କ’ଣ ଏମାନଙ୍କଠୁ ଅଲଗା ହେଇଥାନ୍ତା ବୋଲି ତୁ ଭାବୁଚୁ? ପାଇବାର ପାଗଳାମି କାହାଠି ନାହିଁ କହିଲୁ? ପାଇବାର ରାସ୍ତା ପିଚ୍ଛିଳ ନଥିଲେ ପାଦ ପଛକୁ ଫେରିବ ହିଁ ଫେରିବ। ଆଉ ଚିଠିରେ କ’ଣ ଲେଖିଥିଲା ଜାଣିଚୁ?- ବିନୟ! ତମଠୁ ମଁୁ ଅନେକ କିଛି ଆଶା କରିଥିଲି। ତମକୁ ନେଇ ମଁୁ କେତେ ଯେ ସ୍ୱପ୍ନ ଦେଖିଥିଲି ତମେ ଜାଣିପାରିବନି। ସେ ସ୍ୱପ୍ନ ମୋର ଆଜି ଚୁର‌୍‍ମାର ହେଇଯାଇଚି। ମଁୁ ଜାଣିସାରଲିଣି, ତମ ଦ୍ୱାରା ଆଉ କିଛିବି ହବନି। ପୁରୁଷ ଯଦି ନପୁଂସକ ହୁଏ ଚଳିଯିବ, କିନ୍ତୁ ଗୋଟେ ରୋଜଗାରହୀନ ପୁରୁଷ କ’ଣ କେବେ ସ୍ୱାମୀ ହବାକୁ ଯୋଗ୍ୟ? ତମକୁ ଆଉ ଅପେକ୍ଷା କରିବା ଅର୍ଥ, ନିଜ ଯୌବନ ଏବଂ ଜୀବନକୁ ଜାଣିଶୁଣି ବଦଖର୍ଚ୍ଚ କରିବା। ସେସବୁ ବହୁତ ହେଇସାରିଲାଣି। ଆଉ ନୁହେଁ। ଜାଣି ରଖିବ, ଏଇଟା ମୋର ତମପାଖକୁ ଶେଷ ଚିଠି, ଶେଷ ନିଷ୍ପତ୍ତି।

 

ଅନ୍ତତଃ ଭଲ ହେଲା। ଗୋଟେ ଫାଳିକିଆ ଚିଠିରେ ସବୁକିଛି ଶେଷ ହେଇଗଲା। ଗୋଟାଏ ବିକଳ ସ୍ୱପ୍ନ ଆଉ ଆଶାଭଙ୍ଗର ଅସୁମାରୀ ଇଚ୍ଛାମାନଙ୍କୁ ମିଛିମିଛିକା ପ୍ରବୋଧନା ଦେଇ କେତେଦିନ ଏମିତି ଚାଲିଥାନ୍ତା?

 

ଅଥଚ ସେଇ ମିତା...ଚାକିରୀ ଖୋଜିବାର ପ୍ରଥମ କେଇବର୍ଷ ଠିକ‌୍‍ ଓଲଟା ଥିଲା। ପ୍ରତି ଚିଠିରେ ଲେଖୁଥିଲା - ତମର ବ୍ରାଇଟ‌୍‍ କ୍ୟାରିଅର‌୍‍। ସିରିଅସଲି ଚାକିରୀ ଖୋଜ। ଦିନେନା ଦିନେ ମିଳିଯିବ। ଏମିତି ସେମିତି ନୁହେଁ, ଗୋଟେ ମର୍ଯ୍ୟାଦାପୂର୍ଣ୍ଣ ଚାକିରୀ ତମକୁ ଅପେକ୍ଷା କରି ବସିଚି ବୋଧେ। ମତେ ଲାଗୁଚି, ସେଦିନ ଆଉ ବେଶି ଡେରି ନାହିଁ। ଜମା ବ୍ୟସ୍ତ ହୁଅନି। ସବୁ ସମୟ ଆସିଲେ ଆପଣାଛାଏଁ ଠିକ‌୍‍ ହେଇଯିବ।

 

ସତରେ ମନୋଜ, ଏ ଦୁନିଆରେ କାହାରି ଯେମିତି କିଛି କରିବାର ନାହିଁ। ସବୁକିଛି ଆପଣାଛାଏଁ, ତା’ ଇଚ୍ଛା ମୁତାବକ ଘଟିଚାଲିଚି। ନା ତୁ, ନା ମଁୁ, ନା ରଂଜନ, ମୋ ଭାଇ, ତୋ ବାପା, ଭାଉଜ, ମିତା - କେହି କ’ଣ କିଛି କରିପାରୁଚନ୍ତି? ଘଟଣା ତା’ ବାଟରେ ଏକମୁହାଁ ଧପାଲିଚି। ଜଣେ ଆରଜଣକୁ ତୁଚ୍ଛା ଉପଦେଶ ଦବାରେ ବ୍ୟସ୍ତ। ଜଣେ ଆରଜଣକୁ ଟପି ଚାଲିଯିବାର କୌଶଳ ଶିଖିବାର ପ୍ରଚେଷ୍ଟାରେ ଝାଳନାଳ। କହ, ମନ କ’ଣ ନଚାହେଁ? ହେଲେ ହୁଏ କ’ଣ? ଆକାଶର ଚାନ୍ଦ କ’ଣ କେହି ହାତବଢେଇ ତୋଳିପାରେ? କେବଳ ଆ’ ଜହ୍ନମାମୁଁ...କହି କହି ଭଣ୍ଡେଇପାରେ ସିନା। ବନ୍ୟା, ବାତ୍ୟା, ଭୂମିକମ୍ପ, ଯାବତୀୟ ଅଘଟଣକୁ କେହି କ’ଣ ନିଜ ଅଙ୍ଗୁଳି ନିର୍ଦ୍ଦେଶରେ ନିୟନ୍ତ୍ରିତ କରିପାରେ? ମଁୁ ଯଦି କହିବି - ମୋ ବାପା କାହିଁକି ଆଇ.ଏ.ଏସ‌୍‍. ଅଫିସର ନହେଇ କିରାଣୀ ହେଲେ, ତୋ ଭାଇ କାହିଁକି ଦେଶର ପ୍ରଧାନମନ୍ତ୍ରୀ ନହେଇ ବ୍ୟାଙ୍କ ପିଓ ହେଲେ, ମିତା କାହିଁକି ମିତ୍ତଲ କି ଅମ୍ୱାନୀକୁ ନଫସେଇ ମୋ ପରି ଜଣେ ବେକାର ଯୁବକକୁ ପ୍ରେମକରି ପ୍ରତାରିତ ହେଲା? କହ, କାହାର ସାଧ୍ୟ କୋଉଥିରେ? ତେଣୁ ଚାକିରୀ ଯଦି ସେମିତି ଗୋଟେ ଆକାଶର ଚାନ୍ଦ ପରି ମହାର୍ଘ ଜିନିଷଟେ ହୁଏ, ତାକୁ ହାତବଢେଇ ତୋଳି ଆଣିବା ଯଦି ସମ୍ଭବ ନହେଲା, ସେଥିରେ ଆମର ଦୋଷ ରହିଲା କୋଉଠି?

 

ବିନୟର ପାଟି ଆଫାଆଫା। ଯେମିତି ତା’ପାଖରେ ଗୁଡ଼ାଏ ପ୍ରଶ୍ନ ଛଡ଼ା ଗୋଟେ ହେଲେ ଉତ୍ତର ନାହିଁ।

 

ଢେଉ ଭିତରକୁ ଛାପିଛାପିକା ଅନ୍ଧାର ମାଡ଼ିଚାଲିଚି। କିସମ କିସମ ଲୋକଙ୍କ ମେଳା ବସିଚି ବାଲିରେ। ସେମାନଙ୍କ ଅଲକ୍ଷ୍ୟରେ ରଂଜନ ଆସି କେତେବେଳେ ଯେ ଚପଲ ଖୋଲି ବସିପଡ଼ିଚି କାହାରିକୁ ଜଣାନାହିଁ।

 

ରଂଜନର ମୁହଁ ପାଉଁଶିଆ। ଫିକାଫିକା। ଯେମିତି ବୁନ୍ଦାଏ ବି ରକ୍ତନାହିଁ। ହତାଶାରେ ଭାଂଗିପଡ଼ିଚି ତା’ର ଦୁର୍ବଳ ଦେହ।

 

କାହା ମୁହଁରେ ଭାଷା ନାହିଁ। ଅନ୍ଧାର ଭାରି ଭାରି ପାହୁଣ୍ଡ ପକେଇ ମାଡ଼ିଚାଲିଚି ଆଗକୁ। କ୍ରମଶଃ ବହଳ ହେବାରେ ଲାଗିଚି। ଫାଜିଲ‌୍‍ ଢେଉଗୁଡ଼ାକ ବି କେମିତି ସଂତ୍ରସ୍ତ। ଗୁମୁରି ଗୁମୁରି କୋଉଠି କେତେବେଳେ ଫାଠିପଡ଼ୁଚି ଢୋ କରି। ଧୀରେ ଧୀରେ କମିବାରେ ଲାଗିଚି ଲୋକଙ୍କ ଗହଳି। ବାଦଲ ଫାଙ୍କରେ ଲୁଚକାଳି ଖେଳୁଖେଳୁ କେବେକେମିତି ହଜିଯାଉଚି ଜହ୍ନଟା ଯେ, ଅନ୍ଧାରରେ ଏକାକାର ହେଇଯାଉଚି ସବୁକିଛି। ଗୋଟେ ନିବୁଜ ନିସ୍ତବ୍ଧତା ଯେମିତି ନେସି ହେଇଯାଉଚି ନିମିଷକେ।

 

କ’ଣ ବା ଫରକ‌୍‍ ଅଛି ଅନ୍ଧାର ଆଉ ଆଲୁଅରେ? ଅଭ୍ୟାସରେ ପଡ଼ିଗଲାଣି ଆସ୍ତେ ଆସ୍ତେ। ସବୁକିଛି।

 

ପକେଟ‌୍‍ ଦରାଣ୍ଡି ତିନିଟା ସିଗାରେଟ‌୍‍ ବାହାର କଲା ରଂଜନ। ଦିଆସିଲି ବି। କାଠିଭର୍ତ୍ତି। ଅର୍ଖ ନୂଆ। କହିଲା – ‘ନିଅ ବେ ! ଗୋଟେ ଗୋଟେ ପୂରା ସିଗାରେଟ‌୍‍। ମନେ ପକେଇଲ ଦେଖି... ଶେଷଥର ପାଇଁ କେବେ ଏମିତି ପୂରା ସିଗାରେଟ‌୍‍ ଆମ ଭାଗ୍ୟରେ ଜୁଟିଥିଲା? ଆଉ ଆଜି କି ଭାଗ୍ୟ ଦେଖୁନ! ଟାଣ, ପୂରାଦମ‌୍‍ରେ ଟାଣିନିଅ। ଶଳା ଯାଃ...କାଲି ସକାଳକୁ ନା ସିଗ୍ରେଟ‌୍‍, ନା ଦିଆସିଲି, ନା ଜୀବନ, ନା ବଞ୍ଚିବା ପାଇଁ ସଂଗ୍ରାମ ! ସବୁ ଏଇ ରାତିରେ ପୋଡ଼ିଜଳି ଛାରଖାର ହେଇଯାଉ। ଏମିତି ଗୋଟେ ନିରୁପଦ୍ରବ, ନିଷ୍ପ୍ରାଣ ଜୀବନକୁ ଟାଣିଓଟାରି ବଞ୍ଚିବାର ମାନେ କଣ ବେ? ବହୁତ ସଂଘର୍ଷ, ଯଥେଷ୍ଟ ସଂଗ୍ରାମ, ବାସ‌୍‍ ଢେର‌୍‍ ହେଇଗଲା। ଏଣିକି ଆଉ ନୁହେଁ। କଦାଚ ନୁହେଁ।’

 

ଦମ‌୍‍ ନେଲା ରଂଜନ। ସିଗାରେଟରେ ନିଆଁ ଧରେଇଲା। କହିଲା – ‘ମୋ ତରଫରୁ ୟେ ସିଗାରେଟ‌୍‍, ତମ ପାଇଁ ଅନ୍ତିମ ଆଉ ଅନ୍ତରତମ ଉପହାର। କାଲିଟା ମୋ ପାଇଁ ନିହାତି ନିରର୍ଥକ, ଅସ୍ପଷ୍ଟ। କାହିଁକି ଜାଣିଚ? ଆଜି, ମାନେ ଠିକ‌୍‍ ଘଣ୍ଟାଏ ତଳେ ମୋର ଶେଷତମ ସମ୍ୱଳ, ଅର୍ଥାତ‌୍‍ ପାଞ୍ଚଶ ଟଙ୍କିଆ ଟିଉସନର‌୍‍ୁ ମତେ ପୂରା ଛୁଟି ମିଳିଗଲା। ବଜାତ‌୍‍ ଟୋକି ତା ବାପାଙ୍କୁ କହିଲା - ଏ ସାର‌୍‍ ଭାରି ଲଫଙ୍ଗା। ପଢ଼େଇଲା ବେଳେ ଖାଲି ମୋ ମୁହଁକୁ, ମୋ ଦିହର ଅନ୍ଦିକନ୍ଦିକୁ ଡାହାଳ କୁକୁର ପରିକା ଖାଇଗଲା ପରି ଚାହୁଁଚନ୍ତି। ମତେ ଭାରି ଡର ମାଡ଼ୁଚି। ମଁୁ ଆଉ ୟାଙ୍କ ପାଖେ ପାଠ ପଢ଼ିବିନି।

 

ଆଉ ସେଇଠୁ କ’ଣ ହେଲା ଜାଣିଚ? ସେଇ ବୋକୀ ଝିଅଟାର କଥାରେ, ଝିଅର ବାପା, ମତେ ଗର୍ଜିତର୍ଜି, କୁକୁରର ଭୟ, ପୋଲିସ‌୍‍ ଭୟ, ଭଡ଼ାଟିଆ ଗୁଣ୍ଡାଙ୍କ ଭୟ ଏବଂ ଆଉ ଯେତେପ୍ରକାର ଭୟ ଥାଇପାରେ ସବୁ ଦେଖେଇଲେ ଏବଂ ମୋଠୁ ଆରମ୍ଭ କରି ମୋ ବାପାମା’ ଚଉଦପୁରୁଷ ପର୍ଯ୍ୟନ୍ତ ସମସ୍ତଙ୍କୁ ପିଣ୍ଡ ପକେଇଦେଲେ। ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା କ’ଣ ଜାଣିଚ? ଏସବୁ ସତ୍ୱେ ବି ମଁୁ ନା କିଛି ସଫେଇ ଦେଲି, ନା ପ୍ରତିବାଦର ଶବ୍ଦଟେ ପର୍ଯ୍ୟନ୍ତ ମୋ ପାଟିରୁ ଉତୁରିଲା? ଯେମିତି ଶହେସାତଟା ଇଣ୍ଟରଭ୍ୟୁ ଦେଲାପରେ ବି ମଁୁ କୋଉଥିରେ ସକସେସ‌୍‍ ହେଇପାରିଲିନି, ଧରିନେଲି ଏଇଟା ବି ସେମିତିକା ଗୋଟେ ଇଣ୍ଟରଭ୍ୟୁ କି କ’ଣ ହେଇଥିବ?

 

ସତରେ ସେ ଝିଅଟାକୁ, ତା ସୁନ୍ଦର ମୁହଁକୁ ଏବଂ ଡଉଲଡାଉଲ ଦେହକୁ ମଁୁ ଖୁବ‌୍‍ ନିବିଡ଼ ଭାବରେ ନିରେଖି ନିରେଖି ଚାହିଁଥିଲି। କାହିଁକି କହିଲ ଦେଖି? ଭାବୁଥିଲି, ମଁୁ ଗୋଟେ ଝିଅ ନହେଇ ପୁଅ ହେଲି କାହିଁକି? ମୋ ବେଳକୁ ବିଧାତାଙ୍କର ବୁଦ୍ଧି ଏମିତି ବାମ ହେଲା କ’ଣ ପାଇଁ? ଏମିତି ଗୁଡ଼ାଏ ଅନାବଶ୍ୟକ ଅଙ୍ଗପ୍ରତ୍ୟଙ୍ଗ ନଦେଇ ୟେ ଝିଅପରିକା ମତେ ନକଲେ କାହିଁକି? କିଛି ନହେଲେ ବି ଗୋଟେ ବର ତ ମୋ ଭାଗ୍ୟରେ ଜୁଟିଯାଇଥାନ୍ତା ଅନାୟାସରେ। ଦିହଟାକୁ ନେଇ ଯେତେବେଳେ ମନଇଚ୍ଛା ଯାଛାତା’ ତ କରିହେଇଥାନ୍ତା ଦରକାର ବେଳେ। ମୋ ମୁଣ୍ଡକୁ ହଠାତ‌୍‍ ଏଇ ଆଇଡିଆଟା ଜୁଟିଗଲାରୁ କ’ଣଟା ଆଉ କରିଥାନ୍ତି? ସେ ଝିଅକୁ, ତା’ ଡଉଲଡାଉଲ ଦିହକୁ ଚାହିଁବାରେ ମୋର ଦୋଷ କୋଉଠି ରହିଲା? ମୂର୍ଖ ଝିଅଟା କିନ୍ତୁ ମତେ, ମୋ ମନର ମନ୍ଥନ, ମତଲବ‌୍‍, କିଛି ବୁଝିପାରିଲାନି। ଓଲଟା ବୁଝିଲା। ବୁଝୁ...ଠିକ‌୍‍ ଅଛି। ଯଦି ଭାଗ୍ୟରେ ଏକଥା ବି ଘଟିବାର ଥିଲା, ଘଟୁ। ତାକୁ ରୋକିବାକୁ ମଁୁ କିଏ? ସବୁ ଘଟଣା ତ ଏମିତି ତା’ ବାଟରେ ଘଟିଚାଲିଚି। ଘଟିଚାଲୁ।

 

ଆଉ ସବୁଠୁ ଇଣ୍ଟରେଷ୍ଟିଂ କଥା କ’ଣ ଜାଣିଚ? ବାପାଙ୍କ ପେନସନ‌୍‍ ଟଙ୍କାରୁ ଘର ଠଣାରେ ମୋର ଦିନକର ପାନବିଡ଼ି ଖର୍ଚ୍ଚ ପାଇଁ ଯୋଉ ପାଞ୍ଚଟଙ୍କିଆ କଏନ‌୍‍ଟି ଥୁଆ ହେଇଥାଏ, ଆଜି ସେଥିରୁ ବି ନିଷ୍କୃତି ମିଳିଗଲା। ନା କାଲିଠୁ ମତେ ଆଉ ଗୋଟେ ନଅଙ୍କିଆ କାଙ୍ଗାଳ ପରି ଖପ‌୍‍କିନା କାନ୍ଥଠଣାକୁ ଖେପାମାରି କଏନ‌୍‍ଟାକୁ ଝାମ୍ପି ଆଣିବାକୁ ପଡ଼ିବ, ନା ବାପାଙ୍କ ବଦାନ୍ୟତା ପାଇଁ ତାଙ୍କ ଆଗରେ ଗଦଗଦ‌୍‍ ମୁଦ୍ରାରେ ଗଳଦ‌୍‍ଘର୍ମ ହବାକୁ ପଡ଼ିବ। ମଁୁ ଭାବୁଚି, ଆଜି ଦିନଟା ମୋ ପାଇଁ ସବୁଠୁ ସୌଭାଗ୍ୟର ଦିନ। ଚରମ ଅନୁଭବର ଦିନ।’

 

ପାଗଳ ପରି ଏଣୁତେଣୁ ଗପି ଚାଲିଥାଏ ରଂଜନ। ସିଗାରେଟ‌୍‍ ଜଳିଜଳି ଲିଭିସାରିଥାଏ। ଚାରିଆଡେ଼ କେବଳ ନିଘଞ୍ଚ ଅନ୍ଧାର।

 

ହଠାତ‌୍‍ ଥମିଗଲା ରଂଜନ। ଚାହିଁଲା ଚାରିଆଡ଼କୁ। ସବୁକିଛି ଅସ୍ପଷ୍ଟ। ଲାଗୁଚି ଯେମିତି, କିଏ ଗୋଟେ କିଛି ଦୂରରେ ତାଙ୍କ ଚାରିପଟେ ଚକ୍କର ମାରି ଦୌଡ଼ିବାରେ ଲାଗିଚି। ଦୌଡ଼ିଲା ବେଳେ ତା’ପାଦର ଭାରି ଭାରି ଶବ୍ଦ, ଦେହର ବିଚିକିଟିଆ ଗନ୍ଧ ପହଁରିଯାଉଚି ପବନରେ। ରଂଜନ ଚାହିଁଲା ବିନୟକୁ। ତା’ପରେ ମନୋଜକୁ। ସେମାନେ ଯେମିତି ଏ ଶବ୍ଦର ସୁରାକ‌୍‍ ପାଇସାରିଚନ୍ତି କି କ’ଣ।

 

ଅନ୍ଧାର ଭିତରେ ସେମାନଙ୍କର ସନ୍ତ୍ରସ୍ତ ଆଖି ଯେମିତି କିଛି ଗୋଟେ ଠାବ କରିବାକୁ ବ୍ୟଗ୍ର। ଅନ୍ଧାର ଭିତରେ ପୁଣିଥରେ ଆଖିକୁ ପହଁରେଇ ନେଲା ରଂଜନ। ବେଶ‌୍‍ ଘନ, କଳା, ନିବୁଜ ଅନ୍ଧାର। କିଛି ଦେଖାଯାଉନି। ଶବ୍ଦଟା ଯେମିତି କ୍ରମେ ନିକଟରୁ ନିକଟତର ହେବାରେ ଲାଗିଚି। ଅସ୍ପଷ୍ଟ ଜନ୍ତୁଟା ଯେମିତି ସେ ଜାଗା ଛାଡ଼ି କୁଆଡେ଼ ଚାଲିଯିବାର ନାଁ ଧରୁନି। ଢେଉର ଗମ୍ଭୀର ଗର୍ଜନ ସାଙ୍ଗକୁ ଜନ୍ତୁଟାର ଭାରିଭାରି ପାଦଶବ୍ଦ, ଚକ୍କର କାଟି ଦୌଡ଼ିଲାବେଳର ସାଇଁ ସାଇଁ ଆୱାଜ‌୍‍, ଯେମିତି କି ଗୋଟେ ମାୟାବୀ ଷଡ଼ଯନ୍ତ୍ର। ଆତଙ୍କରେ ଶିହରି ଉଠୁଚି ଦେହ।

 

ସମସ୍ତେ ନିର୍ବାକ‌୍‍। ଯଦିଓ ସେମାନଙ୍କ ଭିତରୁ କାହାରି ବି ଜୀବନ ପ୍ରତି ଟିକେହେଲେ ମୋହ, ପରିବାର ପ୍ରତି ଅନୁରକ୍ତି, ସୁଖସ୍ୱପ୍ନ ପ୍ରତି ଆସକ୍ତି କାଣିଚାଏ ପର୍ଯ୍ୟନ୍ତ ବି ନଥିଲା, ତଥାପି କାହିଁକି କେଜାଣି ଗୋଟେ ଅଜଣା ଆତଙ୍କ ଜୁଡ଼ୁବୁଡ଼ୁ କରି ଚାଲିଯାଉଚି ଅଜାଣତରେ। ଲାଗୁଚି, ଯେମିତି ଗୋଟେ ଅଶରୀରୀ, ତାର ସମସ୍ତ ଶକ୍ତି ଓ ସାମର୍ଥ୍ୟ ଖଟେଇ ତାଙ୍କର ଅତି ନିକଟତର ହବାକୁ ଚେଷ୍ଟା କରୁଚି। କ’ଣ ତା’ର ଉଦ୍ଦେଶ୍ୟ ? ତିନିତିନିଟା ଅପଦାର୍ଥଙ୍କୁ ଡରେଇ, ଭୟରେ ଥରହର କରିବାର କାରଣ କ’ଣ?

 

କାହାରି ମୁହଁରେ ଭାଷା ନାହିଁ। ଜନ୍ତୁଟା ନା ଦୂରରେ...ନା ନିକଟରେ... ! ୟା ଭିତରେ ଯେମିତି ଛାତିତଳର ଦୁକ‌୍‍ଦୁକିରେ ପାଦ କଚାଡ଼ି ଦୌଡ଼ିବାକୁ ଆରମ୍ଭ କରିଦେଇଚି। ବହଳ ହେଇଚାଲିଚି ଅନ୍ଧାର। ଢେଉର ଗର୍ଜନ ସାଙ୍ଗକୁ ପାଖ ଝାଉଁବଣରୁ ମଝିରେ ମଝିରେ ଗୁମୁରି ଗୁମୁରି ଭାସିଆସୁଚି ବେସୁରା ବଇଁଶୀର ବିକଳ ଶବ୍ଦ। ମେଞ୍ଚା ମେଞ୍ଚା ଓଦାବାଲି ଉଡ଼ିଆସି ମାଡ଼ ହଉଚି ଆଖିକାନରେ। ବଢ଼ିଚାଲିଚି ସ୍ପନ୍ଦନ। ତିନିଜଣ ଯାକ ଭୟରେ ଜୁଡ଼ୁବୁଡ଼ୁ।

 

ଜନ୍ତୁଟାର ଦେହ ଅବିକଳ ନହେଲେ ବି, ଝାପ‌୍‍ସା ଝାପ‌୍‍ସା ଦିଶିଯାଉଚି। ଅନ୍ଧାର ଠାରୁ ଆହୁରି କଳା, ଭୟଙ୍କର। ଆଖି ଦିଟା କେମିତି କରାଳ। ରଡ଼ନିଆଁ ପରି ଦାଉଦାଉ। ସେ କେତେବେଳେ ବାଲିରେ କୁଦାମାରି ତ ଆଉ କେବେ ଉପରକୁ ଲମ୍ଫ ଦେଇ ଉତ୍ପାତ କରିବାରେ ଲାଗିଚି। ଜିଭଟା କି ଭୟଙ୍କର ଭାବେ ଲହଲହ।

 

କେତେ ସମୟ ଯେ ଏମିତି ଭୟରେ ଜୁଡ଼ୁବୁଡ଼ୁ ହେଇ କଟିଯାଇଚି, ଆତଙ୍କରେ ଶିହରି ଶିହରି ବିତିଯାଇଚି, କାହାକୁ ଜଣାନାହିଁ। ତିନିବନ୍ଧୁ ପରସ୍ପରକୁ ଚାହିଁଲା ବେଳକୁ, ଯେମିତି ଗୋଟେ ନିବିଡ଼ ନିର୍ଜନତା, ଝଡ଼ପରର ଧ୍ୱସ୍ତ ଜନପଦ ପରି ବିପର୍ଯ୍ୟସ୍ତ ଅଥଚ ଭିତରେ କରୁଣ ଭୟାବହତା ଆବୋରି ରଖିଚି ସାରା ବେଳାଭୂମିକୁ। ଦୂର ଝାଉଁବଣର ସାଇଁ ସାଇଁ ଶବ୍ଦ ନାହିଁ, ନାହିଁ ବି ଫାଜିଲ‌୍‍ ଢେଉର ଫେଚ‌୍‍କାମି। ସମସ୍ତେ ଯେମିତି ନିଜନିଜ ଭିତରେ ଗୁମୁରି ଗୁମୁରି ଘୁମେଇ ପଡ଼ିଚନ୍ତି।

 

ଆଖି ଖୋଲିଲା ରଂଜନ। ଚାହିଁଲା ଚାରିଆଡ଼କୁ। ନା - ପାଖଆଖରେ କେହି ନାହାନ୍ତି। ଖାଁ ଖାଁ ନିର୍ଜନତା ଯେମିତି ଭାରି ଭାରି ପାହୁଣ୍ଡ ପକେଇ ମାଡ଼ିଆସୁଚି। ବିନୟ ଏବଂ ମନୋଜକୁ ଏକପ୍ରକାର ଅତର୍କିତ ଭିଡ଼ିଧରିଲା ରଂଜନ। କହିଲା – ‘ଚାଲ ! ଜଲ‌୍‍ଦି ଭାଗ ଏଠୁ। ଭାଗ ଜଲ‌୍‍ଦି... !’

 

ଧଇଁସଇଁ ହେଇ, ଏକା ନିଃଶ୍ୱାସରେ ସ୍ୱର୍ଗଦ୍ୱାର ଟପି ତିନିଜଣ ଯାକ ଆସି ପହଞ୍ଚିଲେ ସେଇଠି, ସେଇ ବିଜୁଳିଖୁଣ୍ଟ ପାଖରେ...ଯୋଉଠୁ ତିନିଆଡ଼କୁ ଲମ୍ୱିଯାଇଚି ତିନିଟା ସରୁ ଗଳି, ଯୋଉଠୁ ତିନିବନ୍ଧୁ ନିତିଦିନ ରାତିରେ ନିଜନିଜ ଠାରୁ ବିଛିନ୍ନ ହେଇ ନିଜନିଜର ଗଳିଆଡ଼କୁ ପାଦ ବଢ଼ାନ୍ତି।

 

ସେଇଠି, ସେଇ ବିଜୁଳିଖୁଣ୍ଟ, ତା’ପାଖରେ ଗୋଟେ ନଡ଼ିଆ ଗଛ, ତା’ତଳେ ଗୋଟେ ପାଣିକଳ...ସେଇଠି ଦୁମ‌୍‍କିନା ଥମିଗଲେ ତିନିଜଣ। କାହାରି ମୁହଁରେ ଭାଷା ନାହିଁ। ନୈରାଶ୍ୟ ଆଉ ଆତଙ୍କର ପ୍ରବଳ ପ୍ରବାହ ଭିତରେ ଦିଗହରା ହେଇ ଯେମିତି ସେମାନେ ପୁଣି ମିଳିତ ହଉଚନ୍ତି ବହୁଦିନ ପରେ, ଗୋଟିଏ ବିନ୍ଦୁରେ।

 

ମୁହଁରେ ମୂର୍ଦ୍ଧନାପାତର ମୁଦ୍ରା।

 

ରଂଜନ ହାମୁଡେ଼ଇ ପଡ଼ିଲା ପାଣିକଳ ପାଖରେ। ତା’ ପେଟ ଭିତରେ ଯେମିତି ଅନନ୍ତ ତୃଷା।

 

ପରସ୍ପର ଠାରୁ ବିଛିନ୍ନ ହେଇଯିବାର ସେଇ ଚରମ ପର୍ଯ୍ୟାୟରେ, କଳପାଖରେ ହାମୁଡେ଼ଇ ପଡ଼ିଥିବା ରଂଜନର ଆଖି ହଠାତ‌୍‍ ଭୟାନକ ଭାବେ ଜଳିଉଠିଲା। ସେ ଠିକ‌୍‍ ଚିହ୍ନି ପାରିଚି। ଏଇ, ଏଇ ସେ ଜନ୍ତୁ। ତା’ର କଳା ମଚମଚ ଦେହ, ଦାଉଦାଉ ଆଖି, ଲହଲହ ଜିଭ, ଅବିକଳ ସେଇ ଜନ୍ତୁଟା ପରି। ଗର୍ଜିଉଠିଲା ରଂଜନ।

 

ପାଣିକଳର ଠିକ‌୍‍ ପଛପଟେ, ନଡ଼ିଆଗଛ ମୂଳରେ ଠିଆହେଇଚି କୁକୁରଟାଏ। କଳା ମଚମଚ, ବୀଭତ୍ସ ଦେହ ପଛଗୋଡ଼ର ଠିକ‌୍‍ ଜଂଘପାଖରେ ନୃଶଂସ ଘାତକର କଟୁରୀ ଚିହ୍ନ। ଝରଝର ଝରିପଡ଼ୁଚି ଧାରଧାର ରକ୍ତ। ନିରୀହ ଆଖିରୁ ନିଗିଡ଼ିପଡ଼ୁଚି ଅବାରିତ ଅଶ୍ରୁ। ଢେର‌୍‍ ଚେଷ୍ଟା କରୁଥାଏ କୁକୁରଟି, କ୍ରମାଗତ ନିଜର ସମସ୍ତ ଶକ୍ତି ଖର୍ଚ୍ଚକରି ଆଗକୁ ଲମ୍ଫ ଦବାକୁ ଉଦ୍ୟମ କରୁଥାଏ, କିନ୍ତୁ ସବୁକିଛି ନିଷ୍ଫଳ। ନିରର୍ଥକ।

 

ରଂଜନର ଦେହରେ ଚହଟିଗଲା ଅଚାନକ ଉଚ୍ଚାଟ। ସିର‌୍‍ ସିର‌୍‍ ହେଇ ସଂଚରିଗଲା ସ୍ନାୟୁଶିରାରେ ଉତ୍ତପ୍ତ ଶୋଣିତ। ମୁଣ୍ଡର ରୁକ୍ଷ ବାଳସବୁ ଉପରକୁ ଉଠିବାକୁ ଉଦ୍ୟତ ହେଲେ। ନାକପୁଡ଼ାରୁ ନିର୍ଗତ ହେବାକୁ ଲାଗିଲା ତୁହାକୁ ତୁହା ତାତିଲା ନିଶ୍ୱାସ। ବିଜୁଳି ବେଗରେ ଝପଟିଗଲା ସେ। ନଡ଼ିଆଗଛ ମୂଳରୁ ଭିଡ଼ିଆଣିଲା ଗୋଟେ ଶକ୍ତ ଇଟା। ତା’ପରେ ସେଇ କୁକୁରର ଦୁଇଆଖିର ଠିକ‌୍‍ ମଝିକୁ ଲକ୍ଷ୍ୟକରି ଖୁବ‌୍‍ ଜୋରରେ ଚିତ୍କାର କରି ଉଠିଲା – ‘ଛାଡ଼ିବିନି। ଜମାରୁ ଛାଡ଼ିବିନି। ଖତମ‌୍‍ କରିଦେବି ଆଜି। ମନୋଜ, ବିନୟ ! ଆଣବେ ଇଟା। ମାର, ମାର ଶଳାକୁ। ଏଇ ସେ, ସମୁଦ୍ରକୂଳରେ, ଅନ୍ଧାର ଭିତରେ, ଅଳ୍ପସମୟ ତଳେ  ଭୟଙ୍କର ଭାବେ ଆମ ଉପରକୁ ଲମ୍ଫ ଦଉଥିଲା। ଆମକୁ ଶେଷ କରିଦବାକୁ ଆପ୍ରାଣ ଉଦ୍ୟମ କରୁଥିଲା। ମାର...ମାର ଶଳାକୁ।

 

ରଂଜନର ସର୍ବାଙ୍ଗ କମ୍ପୁଚି କ୍ରୋଧରେ... ଆକ୍ରୋଶରେ।

 

ବିନୟ ଦଉଡ଼ିଗଲା। ଧରି ପକେଇଲା ରଂଜନର ହାତକୁ। ତା’ପରେ ମନୋଜ। ଭିଡ଼ି ଆଣିଲେ କିଛିଦୂର।

 

ମନୋଜ କହିଲା – ‘ନାଇଁରେ...ମାର‌୍‍ନା ରେ...ବିଚରା...ଆମ ପରି...ଠିକ‌୍‍ ଆମରି ପରି...’

 

ଡିଭାଇନ‌୍‍ ନଗର, ଚାଉଳିଆଗଂଜ, କଟକ

ସଂପର୍କ : ୯୪୩୭୦୯୭୧୭୭


ପ୍ରତିକ୍ରିୟା

Rasmi Rekha tripathy - Email: rasmirekhatripathy@gmail.com - Posted on 2016-10-12 19:31:26

ବହୁତ ଭଲ ଲାଗିଲା . ମୋର ଚାକିରି ପାଇ ନ ଥିବାର ସେଇ ଦୁଇ ତିନି ମାସ କଥା ମନେ ପଡିଗଲା .

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top