ଛଦ୍ମବେଶ

News Story - Posted on 2016-10-08

ଦେବେନ୍ଦ୍ର ପୃଷ୍ଟି

 

ଆମେ ସବୁ ଛଦ୍ମବେଶୀ ଅନ୍ୟ ପୋଷାକରେ, ଜହ୍ନପରି

କଥାକୁହା ରାତିର ସ୍ପର୍ଶରେ ଆମ ଅନିତ୍ୟ କିରଣ

ବୁଣିହୋଇ ପଡ଼ିଥାଏ ବିଲରେ, ବଣରେ, ଗାଁରେ ଓ ସହରର

ଶୁଭ୍ରାୟିତ କଳାକଳା ରାସ୍ତା ଓ ପାର୍କରେ।

 

ଏ ଆଲୋକ ନୁହଁଇ ଜହ୍ନର,

ଏ ବିଜୁଳି, ନିୟନ୍‌ର ରୋଷଣୀ,

ତା’ ପାଖେ ରାତିର ଜହ୍ନ,

କିଛି ବୋଲି କିଛି ମୋର ନୁହଁ।

ତଥାପି ମୁଁ ଗାର କାଟି ଚାଲିଛି ରାସ୍ତାରେ

ତୁମକୁ ସାଥୀରେ ନେଇ,

ତୁମେ ବି ତ କେବେ ମୋର ନୁହଁ!

 

ସହରର ଅନେକ ଦୁଃଖ-

କେତେ ହତ୍ୟା, ଧର୍ଷଣ ଓ ଲୁଟ୍‌,

ବ୍ୟଭିଚାର, ଠକେଇ ଓ ପ୍ରତାରଣା।

ସହର ଗର୍ଭରେ ପୁଣି ସଂସ୍କୃତିର ବିରାଟ ଟ୍ୟୁମର୍‌!

ତଥାପି ସହର କେତେ ଶାନ୍ତ ଦେଖ, କେତେ ମୁଗ୍ଧକର!

ଲୋକମାନେ ଆମ୍ବତୋଟା, ଧାନବିଲ, ନଈ ଓ ପ୍ରାନ୍ତର,

ଆକାଶର ଆରଣ୍ୟକ ଅସୀମତା ଛାଡ଼ି

ଏଠି ଏଇ ବସ୍ତିରେ, କଂକ୍ରିଟ୍‌ର କୋଠରୀ ଭିତରେ

ଜୀବନକୁ ରଖିଛନ୍ତି ଆଣ୍ଟକରି କିଳି।

 

ଆମେ ସବୁ ଛଦ୍ମବେଶୀ-

ପ୍ରେମ କରୁ, ପୋଷାକ ଉତାରୁ,

ସର୍ବଶେଷ ଅନ୍ତର୍ବାସ ଖୋଲିବାକୁ ଭୟକରୁ,

ଭୟ ଆମ ସତ୍ତାର ପ୍ରକୃତି!

 

ଭ୍ରାମ୍ୟଭାଷ-୯୪୩୭୦୩୬୨୭୬


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top