ଧାନ ସଂଗ୍ରହ ନା ଦୁର୍ନୀତି ଅମଳ?

News Story - Posted on 2016-10-07

କୌଣସି ଏକ ରହସ୍ୟଜନକ କାରଣ ପାଇଁ ଚଳିତ ବର୍ଷ ପାଇଁ ଧାନସଂଗ୍ରହ ଧାର୍ଯ୍ୟଲକ୍ଷ୍ୟ କମାଇ ଦେଇଛନ୍ତି ଓଡ଼ିଶା ସରକାର। ନବୀନ ସରକାର ଅମଳରେ ବର୍ଷକୁ ବର୍ଷ ଧାନସଂଗ୍ରହ ଧାର୍ଯ୍ୟଲକ୍ଷ୍ୟ ବୃଦ୍ଧି କରାଯାଇଥିବାବେଳେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ସୃଷ୍ଟି ହୋଇଛି। ଗତ ତିନି ବର୍ଷ ଧରି ବନ୍ୟା, ବାତ୍ୟା ଓ ମରୁଡ଼ି ଲାଗି ରହିଥିଲେ ବି ରାଜ୍ୟ ସରକାର ଧାନ ସଂଗ୍ରହର ଧାର୍ଯ୍ୟଲକ୍ଷ୍ୟ ପରିମାଣ କମାଇ ନଥିଲେ। ଅଥଚ ଚଳିତ ବର୍ଷ ଭଲ ବୃଷ୍ଟିପାତ ହେତୁ ଧାନ ଅମଳ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଥିବାବେଳେ ସରକାର କମ ଧାନ ସଂଗ୍ରହ ସଂଗ୍ରହ କରିବାକୁ ନିଷ୍ପତ୍ତି ପଛରେ ମନ୍ଦ ଉଦ୍ଦେଶ୍ୟ ରହିଥିବା ଅନୁମାନ କରାଯାଏ।

 

ଅକ୍ଟୋବର ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ‍୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଏକ ଲିଖିତ କାଗଜ ପଢ଼ି ଗଣମାଧ୍ୟମକୁ ଦେଇଥିବା ତଥ୍ୟ ଓ ସୂଚନା ଅନୁଯାୟୀ ୨୦୧୪-୧୫ ବର୍ଷରେ ୩୫.୪୬ ମେଟ୍ରିକ୍ ଟନ‍୍‌ ଚାଉଳ ବା ୫୨.୪୫ ମେଟ୍ରିକ୍ ଟନ‍୍‌ ଧାନ ସଂଗ୍ରହ କରାଯାଇଥିଲା। ସେହିପରି ୨୦୧୫-୧୬ରେ ୩୪.୪୩ ଲକ୍ଷ ମେଟ୍ରିକ୍ ଟନ‍୍‌ ଚାଉଳ ବା ୫୦.୮୧ ମେଟ୍ରିକ୍ ଟନ‍୍‌ ଧାନ ସଂଗୃହୀତ ହୋଇଥିଲା। ତେବେ ଚଳିତ ବର୍ଷ ପ୍ରାରମ୍ଭିକ ପର୍ଯ୍ୟାୟରେ ୩୦ ଲକ୍ଷ ମେଟ୍ରିକ୍ ଟନ‍୍‌ ଚାଉଳ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆବଶ୍ୟକ ପଡ଼ିଲେ ଖାଦ୍ୟଯୋଗାଣ ବିଭାଗ ଟାର୍ଗେଟ‍୍‌ ବୃଦ୍ଧି କରିବ ବୋଲି ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ କହିଛନ୍ତି।

 

ଓଡ଼ିଶାର ପଶ୍ଚିମ ପ୍ରାନ୍ତ ଜିଲ୍ଲାଗୁଡ଼ିକରେ ଅଧିକ ଧାନ ଅମଳ ହୋଇଥାଏ। ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ଆଦି ଜିଲ୍ଲାରେ ଅଧିକ ବଡ଼ ଚାଷୀ ଥିବାରୁ ସେମାନେ ପ୍ରତିବର୍ଷ ଅଧିକ ଧାନ ସରକାରଙ୍କୁ ବିକ୍ରି କରିଥାନ୍ତି। ସରକାର ଅନେକ ସମୟରେ ଚାଷୀଙ୍କ ବଳକା ଧାନ ଖରିଦ କରୁ ନଥିବାରୁ ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହୋଇଥାଏ। ସରକାର ଧାନ କିଣିଲେ ସେହି ଅଂଚଳରେ ଥିବା ଧାନ ମିଲ୍‌ ମାଲିକମାନେ ଚାଷୀଙ୍କଠାରୁ ସରକାର ଧାର୍ଯ୍ୟ ଦରରୁ କମ ମୂଲ୍ୟ ଦେଇ ଧାନ କିଣିଥାନ୍ତି। ଚଳିତ ବର୍ଷ ଏହିଭଳି କିଛି ମିଲ୍‌ ମାଲିକଙ୍କ ମୁନାଫା ପାଇଁ ବୋଧହୁଏ ସରକାର ଧାନ ସଂଗ୍ରହ ଧାର୍ଯ୍ୟଲକ୍ଷ୍ୟ କମାଇ ଦେଇଛନ୍ତି। ଗତ କିଛି ବର୍ଷ ଧରି ରାଜ୍ୟ ସରକାର ବାର୍ଷିକ ହାରାହାରି ୪୫ ଲକ୍ଷ ଟନ୍‌ ଧାନ ସଂଗ୍ରହ କରିଥିବାବେଳେ ଚଳିତ ବର୍ଷ ୩୦ ଲକ୍ଷ ଟନ୍‌କୁ ଖସାଇ ଦେବା ସମ୍ଭବତଃ ମିଲର୍‌ଙ୍କୁ ମୁନାଫା ଦେବାକୁ ଉଦ୍ଦିଷ୍ଟ ବୋଲି କୁହାଯାଇ ପାରେ।

 

ସେହିପରି ପଶ୍ଚିମାଂଚଳର ଜଣେ ଚାଷୀଙ୍କ ଅନୁଶରଳନ ହେଲା, ସରକାର ଧାନ ସଂଗ୍ରହ ଧାର୍ଯ୍ୟଲକ୍ଷ୍ୟ କମାଇଥିବାରୁ ଏବେ କିଛି ପ୍ରତିବାଦ ହେବ ନାହିଁ। କିନ୍ତୁ ନଭେମ୍ବର-ଡିସେମ୍ବର ମାସ ଶେଷସୁଦ୍ଧା ଧାମ ଅମଳ ଶେଷ ହେବା ପରେ ଚାଷୀମାନେ ପାଟତୁଣ୍ଡ ଆରମ୍ଭ କରିବେ। ସେତେବେଳେ ଧାର୍ଯ୍ୟଲକ୍ଷ ବଢ଼ାଇବାକୁ ସରକାରଙ୍କ ଉପରେ ଚାପ ପଡ଼ିବ। ସେହି ସମୟରେ ସରକାର ମିଲ୍‌ ମାଲିକଙ୍କ ସହିତ ଭିତିରି ବୁଝାମଣା କରି ଧାର୍ଯ୍ୟଲକ୍ଷ୍ୟ ପରିମାଣ ବୃଦ୍ଧି କରିପାରନ୍ତି।

 

ଏହି ଚାଷୀଙ୍କ କହିବା କଥା ହେଲା, ପୂର୍ବରୁ ସରକାର ମିଲ୍‌ ମାଲିକଙ୍କୁ ଅଧିକ ଧାନ ଦେଇ ଲେଭି ଚାଉଳ ଆଦାୟ କରୁଥିଲେ। ଏହା ଏକ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା। ସରକାର ଚାହିଁଲେ ଚାଷୀଙ୍କଠାରୁ ବି ସିଧାସଳଖ ଚାଉଳ ସଂଗ୍ରହ କରିପାରନ୍ତେ। ତେବେ ସେ ଯାହା ହେଉ, ମିଲ୍‌ମାଲିକମାନେ ଧାନ ନେଇ ସମାନୁପାତିକ ଚାଉଳ ନଦେଇ ବାରମ୍ବାର ଠକିବା ଧରା ପଡ଼ିବା ପରେ ସରକାର ସେମାନଙ୍କଠାରୁ ଲେଭି ଚାଉଳ ଆଣିବା କମାଇ ଦେଇଛନ୍ତି। ତେଣୁ ସେମାନଙ୍କୁ ଅନ୍ୟ ବାଟରେ ଅଧିକ ଫାଇଦା ଦେବାକୁ ସରକାର ମୋଟ ଉପରେ ଧାନ ସଂଗ୍ରହ ଧାର୍ଯ୍ୟଲକ୍ଷ୍ୟ କମାଇ ଦଇଛନ୍ତି।

 

ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ନଭେମ୍ୱରରୁ ଖରିଫ୍ ଧାନ ସଂଗ୍ରହ ଆରମ୍ଭ ହୋଇ ମାର୍ଚ୍ଚ ଯାଏଁ ଚାଲିବ। ସେହିପରି ମେ’ରୁ ଜୁନ‍୍‌ ପର୍ଯ୍ୟନ୍ତ ରବି ଧାନ ସଂଗ୍ରହ କରାଯିବ। ଧାନ ବିକ୍ରୟ ପାଇଁ ଚାଷୀ ପଞ୍ଜୀକରଣ କରିବେ। ପଞ୍ଜୀକରଣ ବେଳେ ଚାଷୀ ପ୍ଲଟୱାରୀ ତଥ୍ୟ ସହ ଆଧାର ନମ୍ବର ମଧ୍ୟ ପ୍ରଦାନ କରିବେ। ୨୦୧୬-୧୭ ଖାଦ୍ୟ ଓ ସଂଗ୍ରହଣ ନୀତିରେ ଏହି ବ୍ୟବସ୍ଥା ଥିବାବେଳେ ଏହାକୁ କ୍ୟାବିନେଟ‍୍‌ ଅନୁମୋଦନ କରିଛନ୍ତି।

 

ଚାଷୀ ପଞ୍ଜୀକରଣ ସମ୍ପର୍କରେ ମନ୍ତ୍ରୀ କହିଲେ ଯେ, ଅନଲାଇନ‍୍‌ ବ୍ୟବସ୍ଥାରେ ପୂର୍ବରୁ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ବଳକା ଧାନ ସଂଗ୍ରହ କରାଯିବ। ପଞ୍ଜୀକରଣ ପାଇଁ ଚାଷୀମାନେ ପ୍ଲଟୱାରୀ ତଥ୍ୟ ଦାଖଲ ସହ ଆଧାର ନମ୍ବର ପ୍ରଦାନ କରିବେ। ପ୍ଲଟ‍୍‌ ସମ୍ପର୍କିତ ତଥ୍ୟର ସତ୍ୟାସତ୍ୟ ରାଜସ୍ୱ ବିଭାଗ ଦ୍ୱାରା ପରିଚାଳିତ ‘ଭୂଲେଖ’ ଡାଟାବେସ‍୍‌ ସହ ସଂଯୁକ୍ତ କରାଯାଇ ନିର୍ଣ୍ଣୟ କରାଯିବ।

 

ସାଧାରଣ ଧାନ ପାଇଁ ଭାରତ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୭୦ ଟଙ୍କା ଓ ଗ୍ରେଡ଼୍-ଏ ଧାନ ପାଇଁ ୧୫୧୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଧାନର ଏଫଏକ୍ୟୁ ସମ୍ପର୍କରେ ପ୍ରଚାର ପ୍ରସାର ପାଇଁ ସଂଗ୍ରହକାରୀ ସଂସ୍ଥା/ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବେ। ଯଦି ଏଫଏକ୍ୟୁ ମାନର ଧାନ ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ କମ‍୍‌ ଦରରେ ବିକ୍ରି ହେବ ତେବେ ଆଇନ‍୍‌ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

 

ଚାଷୀଙ୍କ ପ୍ରାପ୍ୟ ଇଲେକ୍ଟ୍ରୋନିକ୍ ପ୍ରକ୍ରିୟାରେ ସିଧାସଳଖ ପ୍ରେରଣ କରାଯିବ। ଯେଉଁ ମିଲରମାନେ ପ‍୍‌ୂର୍ବ ବର୍ଷର ସମସ୍ତ ବକେୟା ଚାଉଳ ୧୦୦ ପ୍ରତିଶତ ଫେରସ୍ତ କରିଥିବେ ସେହି ମିଲରମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ଧାନ ସଂଗ୍ରହର ପ୍ରଥମ ମାସ ଠାରୁ ସେମାନେ ମିଲିଂ କରି ଫେରସ୍ତ କରିବା ଆରମ୍ଭ କରିବେ। ପରବର୍ତ୍ତୀ ମାସରେ ମିଲିଂ କ୍ଷମତା ଅନୁଯାୟୀ ସମାନୁପାତିକ ଚାଉଳ ପ୍ରଦାନ କରାଯିବ। ଗତବର୍ଷ ୧୬୦ ବ୍ଲକରେ ପି-ପାସ‍୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାବେଳେ ଚଳିତ ବର୍ଷ ଆଉ ୧୩୪ ବ୍ଲକରେ ପି-ପାସ‍୍‌ ଲାଗୁ ହେବ। ତେବେ ୨୦ ବ୍ଲକରେ ବଳକା ଧାନ ନଥିବାରୁ ଧାନ ସଂଗ୍ରହ ହେଉନାହିଁ ବୋଲି ମନ୍ତ୍ରୀ କହିଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top