ପାର୍ବଣରେ ମାତୃଶକ୍ତି ଉପାସନା

News Story - Posted on 2016-10-04

ଜ୍ୟୋତିର୍ବିଦ‌୍‍ ଡ. ପ୍ରଦୀପ କୁମାର ଚୌଧୁରୀ

 

ଯୁଗେ ଯୁଗେ ମାତୃପୂଜାର ପରମ୍ପରା ରହିଆସିଛି। ମାତା ଜୀବର ଜନ୍ମଦାତ୍ରୀ, ଶ୍ରେଷ୍ଠ ଆଶ୍ରୟଦାତ୍ରୀ ତଥା ସର୍ବଦା ନିଜର ସୃଷ୍ଟିକୁ ସୁରକ୍ଷା ଯୋଗାଇ ଆସିଛି। ଆମ ସଂସ୍କୃତି ବି ମାତୃକୈନ୍ଦ୍ରିକ। ଏହି କାରଣରୁ ଆମ ଦେଶକୁ ଭାରତମାତା ରୂପରେ ବର୍ଣ୍ଣନା କରାଯାଉଛି। ଏହି କ୍ଷେତ୍ରରେ ମାତୃଜାତି ସର୍ବଦା ପୂଜନୀୟା, ବନ୍ଦନୀୟା ତଥା ସ୍ମରଣୀୟା। ସବୁ ସାଧନାର ସିଦ୍ଧି ମୂଳରେ ମାତୃଶକ୍ତିର ପ୍ରଚ୍ଛନ୍ନ ଆଶୀର୍ବାଦ ରହିଛି। ସ୍ୱତନ୍ତ୍ର ଭାବରେ ମନୁଷ୍ୟର ସର୍ବକାମନାର ସିଦ୍ଧିଠାରୁ ମୋକ୍ଷ ପର୍ଯ୍ୟନ୍ତ ସବୁ ହିଁ ମାତୃଶକ୍ତିର କରାମତି କହିଲେ ଅତ୍ୟୁକ୍ତି ହେବ ନାହିଁ। ସ୍ରଷ୍ଟାଙ୍କ ଠାରୁ ଆରମ୍ଭ କରି ସୃଷ୍ଟିର ସମସ୍ତ ଜୀବ ମାତୃଶକ୍ତିର ଆଶ୍ରିତ। ମାତୃଶକ୍ତି ଜଡବସ୍ତୁରେ ଶକ୍ତି ସଞ୍ଚାର କରି ଜୀବନ ପ୍ରଦାନ କରେ। ମାତୃଶକ୍ତି ଜୀବକୁ ସଦ‍୍‌ମାର୍ଗ, ସଦ‍୍‌ବୁଦ୍ଧି, ସଦ‍୍‌ଜ୍ଞାନ ଓ ସତ୍‌ଚିନ୍ତା ପ୍ରଦାନ କରି ମୁକ୍ତି ତଥା ମୋକ୍ଷ ଆଡକୁ ଅନୁଗାମୀ କରାଏ। ଶିବ ଯେପରି ଶକ୍ତି ବିନା ଶବ, ସେହିପରି ସମ୍ପୂର୍ଣ୍ଣ ବିଶ୍ୱବ୍ରହ୍ମାଣ୍ଡ ଶକ୍ତି ବିନା ଜଡ, ସ୍ଥାଣୁ ଓ ଅଚଳ।

 

ଜନନୀ ହିଁ ପ୍ରଥମ ସ୍ରଷ୍ଟା, ଯାହାର ଜଠରରୁ ସୃଷ୍ଟିର ଗର୍ଭସଞ୍ଚାର ହୁଏ। ଜନନୀ ହିଁ ପ୍ରଥମ ସଞ୍ଚାରିତଶକ୍ତି, ସେହି ଶକ୍ତି ବଳରେ ସୃଷ୍ଟି ସଞ୍ଚାଳିତ ହୁଏ। ଜନନୀ ଜୀବନର ପ୍ରଥମ ଜ୍ୟୋତି, ଯାହାକୁ ଆଶ୍ରା କରି ଏ ସୃଷ୍ଟି ଜନ୍ମ ନିଏ, ପରିଚାଳିତ ହୁଏ ଏବଂ ବିଲୟ ହୋଇ ଏକ ପରିବର୍ତ୍ତନର ନୂଆ ରୂପରେଖ ସୃଷ୍ଟି କରେ। ଯେପରି ପୃଥିବୀ ବୃଷ୍ଟିକୁ ଅପେକ୍ଷା କରିଥାଏ, ଠିକ୍ ସେହିପରି ସୃଷ୍ଟି ଏହାର ସ୍ରଷ୍ଟାଙ୍କୁ ଚାତକ ଭଳି ଚାହିଁ ରହିଥାଏ। ପ୍ରତ୍ୟେକ ଧର୍ମଶାସ୍ତ୍ରରେ ନାରୀ ଜାତିକୁ ପ୍ରାଧାନ୍ୟ ଦିଆଯାଇଛି। ଏପରିକି ଯୁଗପୁରୁଷଗଣ ତଥା ଦେବତାମାନେ ମାତୃଜାତିଠାରୁ ଶକ୍ତି ଆହରଣ କରି ପରେ ତାକୁ ପରିପ୍ରକାଶ କରିଛନ୍ତି। ଗୌରୀ-ଶଙ୍କର, ଲକ୍ଷ୍ମୀ-ନାରାୟଣ, ରାଧା-କୃଷ୍ଣ, ସୀତା-ରାମ ଇତ୍ୟାଦିଙ୍କ ସମେତ ମହାଭାରତର ଦ୍ରୌପଦୀ-ଗାନ୍ଧାରୀ-କୁନ୍ତୀ, ରାମାୟଣରେ ମାତା ସୀତା, ବାଇବେଲ‍୍‌ରେ ମାତା ମେରୀ, ବୁଦ୍ଧଙ୍କ ଜୀବନ ଚରିତ୍ରରେ ଗୋପାଙ୍କ ଭୂମିକା ଏହାର ପ୍ରମାଣ।

 

ଭାରତବର୍ଷ ହେଉଛି ସତ୍ୟ, ଧର୍ମ ଓ ନ୍ୟାୟର ରତ୍ନଗର୍ଭା। ଏହି ରତ୍ନକୁ ପାଥେୟ କରି ଆମ ମାତୃଭୂମି ସମଗ୍ର ବିଶ୍ୱକୁ ମାନବବାଦର ଆଦର୍ଶ ଯଥା ସତ୍ଚିନ୍ତା, ସଦ‍୍‌ଜ୍ଞାନ, ସତ୍କର୍ମ, ସହିଷ୍ଣୁତା, ପରୋପକାର, ସମତା, ଦୟା, କ୍ଷମା, କରୁଣା ଓ ସହାନୁଭୂତି ଯୁଗେ ଯୁଗେ ଦେଇଆସିଛି। ଏହି ପବିତ୍ର ଭୂମିରେ ନଦନଦୀ ଠାରୁ ଆରମ୍ଭ କରି ଆକାଶ ଏବଂ ପୃଥିବୀ ସବୁ ମା’ ରୂପରେ ପୂଜା ପାଆନ୍ତି। ସୃଷ୍ଟିର ଆରମ୍ଭ ହୁଏ ଶବ୍ଦରୁ, ଶବ୍ଦରୁ ନାଦ, ନାଦରୁ ବ୍ରହ୍ମ, ବ୍ରହ୍ମରୁ ଶକ୍ତି, ଶକ୍ତିରୁ ହିଁ ସୃଷ୍ଟି। ଶକ୍ତି ଏ ସୃଷ୍ଟିକୁ ସୃଷ୍ଟି କରିଛି। ସେହି ଶକ୍ତି ରୂପାନ୍ତରରେ ମାତୃସ୍ୱରୂପିଣୀ।

 

ହିନ୍ଦୁଧର୍ମଶାସ୍ତ୍ର ମାତୃଶକ୍ତିକୁ ତିନୋଟି ଆଧାରରେ ବିଭକ୍ତ କରିଛି ଯଥା- ସୃଷ୍ଟିର ସର୍ଜନା, ସୃଷ୍ଟିର ପାଳନ ଏବଂ ସୃଷ୍ଟିର ସଂହାର। ଏହି ତିନୋଟି କାର୍ଯ୍ୟକୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ସମ୍ପାଦନ କରୁଛନ୍ତି ବୋଲି ଧର୍ମଶାସ୍ତ୍ର ବର୍ଣ୍ଣନା କରୁଥିବା ବେଳେ ପରୋକ୍ଷରେ ଏହାକୁ ତ୍ରିମାତୃଶକ୍ତି ଯଥା- ମାତା ସରସ୍ୱତୀ, ମାତା ମହାଲକ୍ଷ୍ମୀ ଓ ମାତା ମହାକାଳୀ ବା ପାର୍ବତୀ ସମ୍ପାଦନା କରିଥା’ନ୍ତି ବୋଲି ବିଶ୍ୱାସ ରହିଛି। ସୃଷ୍ଟିର ସର୍ଜନା ମାତା ସରସ୍ୱତୀଙ୍କ ଦ୍ୱାରା ହେଲାବେଳେ, ସୃଷ୍ଟିର ଲାଳନପାଳନ ମାତା ମହାଲକ୍ଷ୍ମୀ ଏବଂ ସମସ୍ତ ଦୁଷ୍ଟଶକ୍ତିର ବିନାଶ ବା ସଂହାର କାର୍ଯ୍ୟକୁ ମାତା ପାର୍ବତୀ ବା ଦୁର୍ଗା ସଂପାଦନା କରିଥା’ନ୍ତି।

 

ଭାରତୀୟ ଦର୍ଶନ, ଧର୍ମ, ଇତିହାସ କିମ୍ୱଦନ୍ତୀ ସବୁ ମାତୃକୈନ୍ଦ୍ରିକ। ଭାରତୀୟ ଦର୍ଶନରେ ଆମ ଦେଶ, ଆମ ନଦନଦୀ, ପ୍ରକୃତି, ଗୋ-ସମ୍ପଦ ସବୁ ମାତା ରୂପରେ ପୂଜା ହୁଏ। ଆମ ଇତିହାସ ଓ କିମ୍ୱଦନ୍ତୀ ଏହାର ମୁକସାକ୍ଷୀ। ରାମାୟଣ ପୃଷ୍ଠାରେ ଦୁଷ୍ଟଶକ୍ତି ରାବଣର ସଂହାରର ପର୍ବ ମାତାସୀତାଙ୍କଠାରୁ ଆରମ୍ଭ ହୋଇଥିଲା ଏବଂ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ନବରାତ୍ର ଦୁର୍ଗାଙ୍କ ପୂଜାକରି ଦୁଷ୍ଟଶକ୍ତି ରାବଣ ଉପରେ ଅଚୀରେ ବିଜୟଲାଭ କରିଥିଲେ। ଠିକ୍ ସେହିପରି ଦ୍ରୌପଦୀଙ୍କଠାରୁ ହିଁ ମହାଭାରତ ଯୁଦ୍ଧର ଅୟମାରମ୍ଭ ହୋଇଥିଲା। ଶ୍ରୀକୃଷ୍ଣଙ୍କ ପରାମର୍ଶରେ ପାଣ୍ଡବମାନେ ମାତା ଗାନ୍ଧାରୀଙ୍କ ଆଶୀର୍ବାଦ ଲାଭକରି ଏବଂ ମାତା ଦୁର୍ଗାଙ୍କୁ ପୂଜା କରିବା ପରେ ଦୁଷ୍ଟ କୌରବଶକ୍ତି ଉପରେ ବିଜୟଲାଭ କରିଥିଲେ। ଆମ ଧର୍ମର ମାନ୍ୟତା ଅନୁଯାୟୀ ମାତା ଦୁର୍ଗା ସୃଷ୍ଟିକୁ ସନ୍ତୁଳିତ ରଖିବା ପାଇଁ ଦୁଷ୍ଟଶକ୍ତିର ବିନାଶକରି ପାପୀ ଓ ଅଧର୍ମୀମାନଙ୍କୁ ଦଣ୍ଡଦେଇ, ସନ୍ଥପାଳନ, ସତ୍ୟ, ଧର୍ମ ଓ ନ୍ୟାୟର ପ୍ରତିଷ୍ଠା କରିଛନ୍ତି। ସାରା ସଂସାରର ଦୁର୍ଗତିକୁ ନାଶ କରିଥିବା ହେତୁ ସେ ହେଲେ ମାତାଦୁର୍ଗା। ମାତା ଦୁର୍ଗାଙ୍କ ଆଶୀର୍ବାଦ ଫଳରେ ବ୍ୟକ୍ତି ସମସ୍ତ ଦୁଷ୍ଟଶକ୍ତିକୁ ସହଜରେ ମୁକାବିଲା କରି ବିଜୟପ୍ରାପ୍ତି କରେ। ଧନ, ଐଶ୍ୱର୍ଯ୍ୟ, ବିଦ୍ୟା, ସଦ‍୍‌ବୁଦ୍ଧି, ସଦ‍୍‌ଜ୍ଞାନ, ସତ୍କର୍ମ, ଯଶ, କୀର୍ତ୍ତି, ସୌଭାଗ୍ୟ, ଉତ୍ତମ ସ୍ତ୍ରୀ ବା ସ୍ୱାମୀ, ସନ୍ତାନ, ସୁଖ, ଯାନବାହନ, ଭୂମି, କ୍ଷମତା, ପ୍ରଶଂସା ଲାଭ କରେ ଏବଂ ଶତ୍ରୁ, ଋଣ ଓ ରୋଗ ଦମନ କରି ଗ୍ରହାନୁକୂଳ ପ୍ରାପ୍ତି ହୋଇ ବ୍ୟକ୍ତି ଉଚ୍ଚପଦପଦବୀରେ କ୍ଷମତାସୀନ ହୋଇ ଲୋକପୂଜ୍ୟ ହୁଏ। ନବଗ୍ରହଙ୍କ ସହିତ ଦୁର୍ଗାଙ୍କର ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ତେଣୁ ନବଦିନ ବ୍ୟାପୀ ନବଦୁର୍ଗାଙ୍କୁ ପୂଜା କରି ଶ୍ରୀରାମ ରାବଣକୁ ସଂହାର କରିଥିଲେ।

 

ଗ୍ରହମାନଙ୍କ କୁପ୍ରଭାବରୁ ମୁକ୍ତି ନିମନ୍ତେ ଏବଂ ସଫଳ ପ୍ରାପ୍ତି ନିମନ୍ତେ ପରୋକ୍ଷ ଭାବରେ ଦୈବୀଶକ୍ତିର ପୂଜା, ଆରାଧନା, ଉପାସନା, ଧ୍ୟାନ, ଜପ, ହୋମ, ଯଜ୍ଞ, ଯନ୍ତ୍ରଧାରଣ କରି ବ୍ୟକ୍ତି ତଥା ଜୀବଜଗତ ସୁସ୍ଥ ଓ ସମୃଦ୍ଧ ହୁଏ। ଏହାର ଦୃଷ୍ଟାନ୍ତ ପୌରାଣିକ କିମ୍ୱଦନ୍ତୀର ପୃଷ୍ଠା ମଣ୍ଡନ କରିଛି। ନବଗ୍ରହଙ୍କ ନବରାତ୍ର ପୂଜା ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ସଂପର୍କ ରହିଛି। ରାମଚନ୍ଦ୍ର ଶତ୍ରୁଦମନ, ରାବଣ ସଂହାର, ସୀତାମାତାଙ୍କ ଉଦ୍ଧାର, ଦୃଷ୍ଟଶକ୍ତିର ବିନାଶ ଏବଂ ବିଜୟ ପ୍ରାପ୍ତି ନିମନ୍ତେ ଦୈବୀଶକ୍ତିର ଆରାଧନା ନବଦିନ ବ୍ୟାପୀ ନବରାତ୍ର ଦୁର୍ଗାମାତାଙ୍କ ପୂଜା କରିବା ରାମାୟଣ ପୃଷ୍ଠା ମଣ୍ଡନ କରିଛି। ନବରାତ୍ର ପୂଜା କରି ନବଦୁର୍ଗାଙ୍କୁ ସନ୍ତୁଷ୍ଟ କରି ଆଶୀର୍ବାଦ ନେଇ ରାବଣର ସଂହାର, ଦୁଷ୍ଟଶକ୍ତିର ବିନାଶ ପୂର୍ବକ ଶ୍ରୀରାମଚନ୍ଦ୍ର ଜୟଲାଭ କରିଥିଲେ ନବରାତ୍ର ପୂଜାର ଦଶମ ଦିନ। ଏହି ଦିନକୁ ଦଶହରା ବା ବିଜୟ ଉତ୍ସବ ରୂପେ ପାଳନ କରାଯାଏ। ନବରାତ୍ର ପୂଜାରେ ପରୋକ୍ଷ ଭାବରେ ନବଦୁର୍ଗାଙ୍କୁ ପ୍ରତ୍ୟେକ ଗ୍ରହଙ୍କ ଅଧିଷ୍ଠାତ୍ରୀ ମାତୃ ରୂପରେ ପୂଜା ବା ଆରାଧନା ଦ୍ୱାରା ନବଗ୍ରହଙ୍କୁ ସନ୍ତୁଷ୍ଟ କରି ସେମାନଙ୍କ ସୁପ୍ରଭାବରେ ବ୍ୟକ୍ତି, ଜାତି, ସମାଜ, ଏପରିକି ସଂପୂର୍ଣ୍ଣ ଜଗତର କଲ୍ୟାଣ କରାଯାଇପାରେ ଏହି ଦୃଷ୍ଟାନ୍ତରୁ ଅନୁମେୟ।

 

ସୃଷ୍ଟିର ପାଳନକର୍ତ୍ତା ଶ୍ରୀବିଷ୍ଣୁଙ୍କ ଦଶ ଅବତାର ଭଳି ମାତାପାର୍ବତୀ ଦଶଗୋଟି ରୂପରେ ପ୍ରତୀୟମାନ, ଯାହାକି ଦଶମହାବିଦ୍ୟା ରୂପେ ପରିଚିତ। ଯଥା - କାଳୀ, ତାରା, ଷୋଡଶୀ, ଭୁବନେଶ୍ୱରୀ, ଚ୍ଛିନ୍ନମସ୍ତା, ଭୈରବୀ, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଓ କମଳା। ମାତାପାର୍ବତୀ ବିଭିନ୍ନ ଅବସ୍ଥାରେ ଦଶଗୋଟି ରୂପରେ ପ୍ରତୀୟମାନ ହୋଇ ଦଶମହାବିଦ୍ୟାର ସ୍ରଷ୍ଟା ସାଜିଲେ। ଦଶମହାବିଦ୍ୟାର ନଅଗୋଟି ବିଦ୍ୟା ବିଭିନ୍ନ ଗ୍ରହଙ୍କ ଅଧିଷ୍ଠାତ୍ରୀ ଦେବୀ ଭାବରେ ଗ୍ରହଣ ହେଲାବେଳେ ଲଗ୍ନର ଅଧିଷ୍ଠାତ୍ରୀ ଭାବରେ ଏକବିଦ୍ୟା ବିଚାର ହୋଇ ଦଶମହାବିଦ୍ୟା ଚକ୍ରକୁ ସମ୍ପୂର୍ଣ୍ଣ କରେ।

 

ପ୍ରତ୍ୟେକ ବର୍ଷ ଆଶ୍ୱିନମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ଦୁର୍ଗାପୂଜା ଉତ୍ସବ ପାଳିତ ହୁଏ। ଏଥିରେ ନବରାତ୍ର ପୂଜା ହୁଏ। ନବରାତ୍ର ପୂଜା ଅର୍ଥାତ୍ ଦୈବୀଶକ୍ତିର ସ୍ୱରୂପକୁ ନବଗ୍ରହ ଉଦ୍ଦେଶ୍ୟରେ ପରୋକ୍ଷ ଭାବରେ ଆରାଧନା କରି ସୁଫଳ ପାଇବା।

 

ରାବଣ ସଂହାର ପୂର୍ବକ ଶ୍ରୀରାମଚନ୍ଦ୍ରଙ୍କ ରଣକ୍ଷେତ୍ରରେ ମା’ ନବଦୁର୍ଗା ପୂଜା ଏବଂ ମହିଷାସୁର ସଂହାର ନିମନ୍ତେ ମା’ ଦୁର୍ଗାଙ୍କ ନବଦୁର୍ଗା ଅବତାର ପଛରେ ଏକ ଲୌକିକ ତତ୍ତ୍ୱ ନବଗ୍ରହ ସହ ବା ଗ୍ରହଜଗତ ସହ ସଂପର୍କ ଅଛି, ଏହା ରାମାୟଣ ପୃଷ୍ଠାରୁ ଏବଂ ଦେବୀ ପୁରାଣରୁ ଅନୁମେୟ।

 

ନବଦିନବ୍ୟାପୀ ନବରାତ୍ର ପୂଜାରେ ନବଗ୍ରହଙ୍କ ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜା ପାଆନ୍ତି। ଯଥା : ଲଗ୍ନ ପାଇଁ ମା’ ଭୈରବୀ, ରବି ମହାଗ୍ରହଙ୍କ ପାଇଁ ମା’ ମାତଙ୍ଗୀ, ଚନ୍ଦ୍ର ମହାଗ୍ରହଙ୍କ ପାଇଁ ମା’ ଭୁବନେଶ୍ୱରୀ, ମଙ୍ଗଳ ମହାଗ୍ରହଙ୍କ ପାଇଁ ମା’ ବଗଳାମୁଖୀ, ବୁଧ ମହାଗ୍ରହଙ୍କ ପାଇଁ ମା’ ତ୍ରିପୁରାସୁନ୍ଦରୀ, ବୃହସ୍ପତି ମହାଗ୍ରହଙ୍କ ପାଇଁ        ମା’ ତାରା, ଶୁକ୍ର ମହାଗ୍ରହଙ୍କ ପାଇଁ ମା’ କମଳାତ୍ମିକା, ଶନି ମହାଗ୍ରହଙ୍କ ପାଇଁ ମା’ ଦକ୍ଷିଣକାଳୀ, ରାହୁ ମହାଗ୍ରହଙ୍କ ପାଇଁ ମା’ ଛିନ୍ନମସ୍ତା ଓ କେତୁ ମହାଗ୍ରହଙ୍କ ପାଇଁ ମା’ ଧୂମାବତୀ।

 

ବ୍ୟକ୍ତିର ଜନ୍ମକୁଣ୍ଡଳୀ, ଦ୍ୱାଦଶ ରାଶିଚକ୍ର ଓ ନବଗ୍ରହକୁ ନେଇ ଗଠିତ ହେଲାବେଳେ ଏହାର ମୂଳ ଭୂମିକା ଲଗ୍ନ ସଂପାଦନ କରିଥାଏ। ଲଗ୍ନମାନେ ନିଜେ ବ୍ୟକ୍ତି। ନବଗ୍ରହ ଲଗ୍ନ ବା ବ୍ୟକ୍ତି ଉପରେ କିପରି ପ୍ରଭାବିତ କରିଥା’ନ୍ତି ତାହା ବ୍ୟକ୍ତିର ଲଗ୍ନଠାରୁ ନବଗ୍ରହ ସ୍ଥିତି ଓ ସେମାନଙ୍କର ପରସ୍ପର ସଂଯୋଗ ବା ସଂପର୍କ ଦ୍ୱାରା ନିର୍ଣ୍ଣୟ କରିହୁଏ। ଜାତକ ଚକ୍ରର ନବଗ୍ରହ ସ୍ଥିତି ଏବଂ ଲଗ୍ନ ଅର୍ଥାତ୍ ନବଗ୍ରହ ଯୁକ୍ତ ଲଗ୍ନ ବି ଏକ ଗ୍ରହ଼଼ ସମାନ ଦଶଗ୍ରହଙ୍କୁ ଦଶଟି ଅଧିଷ୍ଠାତ୍ରୀ ଦେବୀ ବା ଦଶମହାବିଦ୍ୟା ଭାବେ ଗ୍ରହଣ କରାଯାଏ । ଦଶମହାବିଦ୍ୟା ଚକ୍ର ବ୍ୟକ୍ତି ଜନ୍ମକୁଣ୍ଡଳୀ ଚକ୍ରରେ ସମ୍ପୂର୍ଣ୍ଣ ଜନ୍ମକୁଣ୍ଡଳୀ ଚକ୍ରକୁ ପ୍ରତିପାଦନ କରେ।

 

ଦଶମହାବିଦ୍ୟାରେ ଉଲ୍ଲେଖ ଅଛି ପ୍ରତ୍ୟେକ ଗ୍ରହଙ୍କୁ ସନ୍ତୁଷ୍ଟ କରି ଶୁଭଫଳ ପ୍ରାପ୍ତି ନିମନ୍ତେ ଏବଂ ସମସ୍ତ ଅଶୁଭ ଫଳ ପରିହାର ନିମନ୍ତେ ସେମାନଙ୍କ ଅଧିଷ୍ଠାତ୍ରୀ ଦେବୀଙ୍କ ପୂଜା ହୋମ, ଜପ, ଯଜ୍ଞ, ଧ୍ୟାନ, ଆରାଧନା କରାଯାଏ।

 

ଦଶମହାବିଦ୍ୟା ଆରାଧନା ଓ ନବରାତ୍ର ପୂଜା ଦ୍ୱାରା କେବଳ ଦୈବୀଶକ୍ତିର ଆଶୀର୍ବାଦ ନୁହେଁ, ସମ୍ପୂର୍ଣ୍ଣ ଗ୍ରହମଣ୍ଡଳ ବା ନବଗ୍ରହଙ୍କ ଆଶୀର୍ବାଦ ପ୍ରାପ୍ତି ହୁଏ। ଏଥିରେ ବ୍ୟକ୍ତି, ଜାତି, ସମାଜ, ରାଷ୍ଟ୍ର, ଜୀବଜଗତ ଏବଂ ସଂପୂର୍ଣ୍ଣ ବିଶ୍ୱବ୍ରହ୍ମାଣ୍ଡର କଲ୍ୟାଣ ସାଧିତ ଅଛି, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।

 

ଯା ଦେବୀ  ସର୍ବଭୂତେଷୁ ଦଶମହାବିଦ୍ୟା ରୂପେଣ ସଂସ୍ଥିତା

ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ।

ଯା ଦେବୀ ସର୍ବଭୂତେଷୁ ନବଦୁର୍ଗାରୂପେଣ ସଂସ୍ଥିତା

ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ।

ଯା ଦେବୀ ସର୍ବଭୂତେଷୁ ନବଗ୍ରହ ରୂପେଣ ସଂସ୍ଥିତା

ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ।

 

କ୍ୱାର୍ଟର ନଂ. ଭିଏ ୩୪/୪, ୟୁନିଟ‌୍‍-୨, ଭୁବନେଶ୍ୱର, ମୋ: ୯୪୩୭୨୮୪୨୧୧


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top