ଜଗନ୍ନାଥଙ୍କ ଭଉଣୀ ସୁଭଦ୍ରା

News Story - Posted on 2016-10-03

ଡକ୍ଟର ହରିହର କାନୁନ୍‌ଗୋ

 

ଏ କଳିଯୁଗରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଭାଇଭଉଣୀଙ୍କ ସହ ଜୀବନ୍ତ ଠାକୁର ରୂପେ ପୁରୀ ଶ୍ରୀମନ୍ଦିର ରତ୍ନବେଦୀରେ ବିରାଜମାନ। ସାମ୍ୟ, ମୈତ୍ରୀ ଓ ମାନବବାଦର ପ୍ରାଧାନ୍ୟ ଜଗନ୍ନାଥ ଉପାସନାରେ ପ୍ରତିଫଳିତ । ଜଗନ୍ନାଥ ହେଉଛନ୍ତି ଜଗତର ନାଥ। ସେ ପୁଣି ସର୍ବଲୋକଙ୍କ ନାଥ । ଗଣର ଦେବତା - ଭାବ-ଭକ୍ତି-ବିଶ୍ବାସର ଦେବତା ଭାବରେ ସମଗ୍ର ମାନବ ସମାଜରେ ପରିଚିତ। ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ସେ ଏକମାତ୍ର ଦେବତା, ଯିଏ କି ଏସବୁକୁ ବିଶ୍ବାସ କରନ୍ତି ନାହିଁ। କେବଳ ସଂକୀର୍ଣ୍ଣ - ସ୍ବାର୍ଥାନ୍ବେଷୀ ମଣିଷ ନିଜର ସୁବିଧା ହାସଲ ପାଇଁ ଜାତି-ବର୍ଣ୍ଣ-ଧର୍ମର ଗଣ୍ଡି ଭିତରେ ତାଙ୍କୁ ଅାବଦ୍ଧ କରିବା ପାଇଁ ଅପଚେଷ୍ଟା କରିଛି ଓ କରୁଛି ମଧ୍ୟ; ମାତ୍ର ସେ କୋଣସି ଜାତି-ବର୍ଣ୍ଣ-ଧର୍ମର ସଂକର୍ୀଣ୍ଣ ଗଣ୍ଡି ଭିତରେ ଅାବଦ୍ଧ ନଥିଲେ କି ଏବେ ମଧ୍ୟ ନାହାନ୍ତି। ସେଇଥିପାଇଁ ସେ ଦାରୁ ଦେବତା- ମହାଦେବତା-ମହାପ୍ରଭୁ ଶ୍ରୀଜଗନ୍ନାଥ  ତାଙ୍କର ସବୁ ବଡ଼ : ବଡ଼ଠାକୁର, ବଡ଼ଦାଣ୍ଡ, ବଡ଼ ଦେଉଳ, ମହାପ୍ରସାଦ, ମହୋଦଧି ଇତ୍ୟାଦି ଇତ୍ୟାଦି। ଉଦାରତା, ସମାନତା ଓ ଜଗତଜନ ପ୍ରୀତି ତାଙ୍କ ଉପାସନାର ବୈଶିଷ୍ଟ୍ୟ। ଏଇଥିପାଇଁ ଜଗନ୍ନାଥ ମହାପ୍ରଭୁ ଅାଜି ସମଗ୍ର ବିଶ୍ବରେ ଉପାସନା କ୍ଷେତ୍ରରେ ବିଖ୍ୟାତ ଓ ଶ୍ରେଷ୍ଠତ୍ବ ଲାଭ କରିଛନ୍ତି।

 

ଖ୍ରୀ: ନବମ-ଦଶମ ଶତାବ୍ଦୀରେ ସୋମବଂଶୀ ରାଜା ଯଯାତିକେଶରୀ ସୋନପୁର ଗୋପାଲି (କୋର୍ଟ ସମଲାଇ ଗୁମ୍ଫା) ଗ୍ରାମରୁ ଦିଅଁମାନଙ୍କୁ ଉଦ୍ଧାର ପୂର୍ବକ ନବକଳେବର କରାଇ ପୁରୀରେ ପ୍ରଥମେ ପ୍ରତିଷ୍ଠା କରିଥିଲେ। ତା’ ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରେ ଜଗନ୍ନାଥ ମହାପ୍ରଭୁ ନଥିଲେ - ଥିଲେ ମାଧବ ବିଗ୍ରହ ବା ନୀଳମାଧବ, ଯାହାଙ୍କୁ ବିଶ୍ବାବସୁ ଶବର ପୂଜା କରୁଥିଲା ବୋଲି ପୁରାଣ କହେ। ତା’ପରେ ପୁରୁଷୋତ୍ତମ-ନୃସିଂହ ସେଠାରେ ପୂଜା ପାଇଲେ। ଶେଷରେ ଯଯାତିଙ୍କ ଦ୍ବାରା ପ୍ରଥମକରି ପ୍ରତିଷ୍ଠା ହେଲେ ଅାଡ଼ପମଣ୍ଡପରେ ଜଗନ୍ନାଥଙ୍କ ସମେତ ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଅାଦି ଚତୁର୍ଦ୍ଧା ବିଗ୍ରହ। ବର୍ତ୍ତମାନ ଅାମେ ଐତିହ୍ୟ ଓ ପୁରାଣରେ ଦେବୀ ସୁଭଦ୍ରାଙ୍କ କଥା ଅାଲୋଚନା କରିବା। ଏଠାରେ କହି ରଖେ ମାତୃ ଶକ୍ତି ବା ମାତୃକା ପୂଜା ଅାରଧନା ବା ଦେବୀ ଅାରଧନା ବହୁ ପ୍ରାଚୀନ।

 

ଭାରତୀୟ ସଂସ୍କୃତିରେ ଦେବୀ ପୂଜା ପ୍ରାଚୀନ ହୋଇଥିବାରୁ ସମଗ୍ର ପୁରପଲ୍ଲୀରେ ଧୂମଧାମରେ ଏହାକୁ ପାଳନ କରାଯାଏ। ସେହିଭଳି ଦେବୀ ହେଲେ ମା’ ସୁଭଦ୍ରା  ସେ ପୁଣି ମହାମାୟା-ବିଷ୍ଣୁମାୟା-ଯୋଗମାୟା  ଶାକ୍ତ ତନ୍ତ୍ରରେ ତାଙ୍କୁ କାତ୍ୟାୟନୀ ଓ ଭୁବନେଶ୍ବରୀ ରୂପେ ପରିକଳ୍ପନା କରାଯାଇଛି। ମହାଭାରତରେ ସେ ଶ୍ରୀକୃଷ୍ଣଙ୍କ ଭଗ୍ନୀ ରୂପେ ବର୍ଣ୍ଣିତ ହୋଇଥିବାବେଳେ ଅନ୍ୟତ୍ର ଅଙ୍ଗୀରସଙ୍କ ପୁତ୍ରୀ, ଏକାନଂସା ଓ ଯଶୋଦାଙ୍କ କନ୍ୟା ଭାବେ ଅଭିହିତ କରାଯାଇଛି। (ବିରାଟ ପର୍ବ) ଏହି ଦେବୀ ସୁଭଦ୍ରା ଦ୍ବାପର ଯୁଗରେ କଂସ ହସ୍ତରୁ କୃଷ୍ଣ ବଳରାମଙ୍କ ଜୀବନ ରକ୍ଷା କରିଥିଲେ ବୋଲି କୁହାଯାଏ। ଶ୍ରୀମନ୍ଦିର ଭୋଗମଣ୍ଡପରେ ସେ ଦୁର୍ଗା ରୂପରେ ପୂଜିତା। ଖ୍ରୀ: ତ୍ରୟୋଦଶ ଶତାବ୍ଦୀରେ ରଚିତ ସ୍କନ୍ଦ ପୁରାଣରେ ସେ ନାରାୟଣଙ୍କ ପତ୍ନୀ ଲକ୍ଷ୍ମୀ ରୂପରେ ଉପାସିତା। ବିଷ୍ଣୁ ଧର୍ମୋତ୍ତର ପୁରାଣ ଅନୁସାରେ ବଳରାମ ଓ କୃଷ୍ଣଙ୍କ ମଧ୍ୟରେ ଶକ୍ତିମୟୀ ଏକାନଂସା ରୂପେ ପୂଜା ପାଉଥିବାର ସୂଚନା ମିଳେ। ଏହା ବ୍ୟତୀତ ଦୈବୀ ଶକ୍ତି ସ୍ବରୂପିଣୀ ମା’ ସୁଭଦ୍ରା ପୁରୀରେ ଭୈରବୀ ରୂପେ ଉପାସିତା ହେଉଥିଲାବେଳେ ମହାପ୍ରଭୁ ଜଗନ୍ନାଥ ଭୈରବ ରୂପେ ପୂଜିତ। (ରୁଦ୍ର ଯାମଳ) ଏଠାରେ ଜଗନ୍ନାଥ ଓ ସୁଭଦ୍ରା ଅଦ୍ବୈତ ବା ଏକ ଓ ଅଭିନ୍ନ  ସାଂଖ୍ୟ ଦର୍ଶନ ଅନୁସାରେ ଏମାନେ ପୁରୁଷ ଓ ପ୍ରକୃତି ରୂପେ ଉପାସିତା। ଭଗବାନ କୃଷ୍ଣ ଓ ବଳରାମ ସ୍ବୟଂ ବ୍ରହ୍ମସ୍ବରୂପ ରୂପେ ବିବେଚିତ ହେଉଥିବାବେଳେ ଦେବୀ ସୁଭଦ୍ରା ଥିଲେ ସେମାନଙ୍କ କାମିନୀ ଶକ୍ତି। ପୁରୀରେ ପୂଜିତା ଭୈରବୀ ବିମଳା ଓ ରତ୍ନବେଦୀରେ ବିରାଜିତା ସୁଭଦ୍ରା ଶାକ୍ତ ସଂସ୍କୃତିରେ ଦୁର୍ଗା-ଏକାନଂସା। ଅତଏବ ଶାକ୍ତ ଧର୍ମ ଓ ସଂସ୍କୃତି ଉପରେ ଭାଗବତ ଧର୍ମ ଅନ୍ତର୍ଗତ ବୈଷ୍ଣବ ଧର୍ମ ଓ ସଂସ୍କୃତିର ଅାରୋପ ବା ପ୍ରଭାବ ପଡ଼ିଥିବା ଜାଣିହୁଏ।

 

ଏଣେ ମହାଭାରତ ଅନୁସାରେ ଦେବୀ ସୁଭଦ୍ରା କୃଷ୍ଣ-ବଳରାମଙ୍କ ଭଗ୍ନୀ ହୋଇଥିବାବେଳେ ତେଣେ ସେ ପୁଣି ମଧ୍ୟମ ପାଣ୍ଡବଙ୍କ ଧର୍ମପତ୍ନୀ। ଦେବୀ ସୁଭଦ୍ରା ଭଗବାନ ଶ୍ରୀକୃଷ୍ଣଙ୍କର ରକ୍ଷାକର୍ତ୍ତୀ ହୋଇଥିବାରୁ ସେ ଶ୍ରୀକୃଷ୍ଣଙ୍କଠାରୁ ବର ପାଇଥିଲେ ଯେ ସେ ଏକାନଂସା ରୂପରେ କୃଷ୍ଣଙ୍କ ନିକଟରେ ଉପାସ୍ଯ ଦେବୀ ଭାବେ ପୂଜା ପାଇବେ। (ହରିବଂଶ) ଏହି ତତ୍ତ୍ବକୁ ସ୍ବୀକାର କରି ସ୍କନ୍ଦ ପୁରାଣ କହିଛି ଯେ ସୁଭଦ୍ରା ଶ୍ରୀକୃଷ୍ଣଙ୍କର ଉଭୟ ଭଗିନୀ ଓ ସ୍ତ୍ରୀ ରୂପରେ ଅାରାଧିତା। ଯେପରି - ‘ତସ୍ୟଶକ୍ତି ସ୍ବରୂପେୟମ୍ ଭଗିନୀ ସ୍ତ୍ରୀ ପ୍ରବତ୍ତିର୍ତା’। (ସ୍କନ୍ଦପୁରାଣ) ଅାଉ କେହି କେହି ‘ଭଗିନୀ ଶ୍ରୀ ପ୍ରବର୍ତ୍ତିତା’ ବୋଲି ମତ ଦେଇଥାଅାନ୍ତି; ମାତ୍ର ମୂଳ ସଂସ୍କୃତ ସ୍କନ୍ଦ ପୁରାଣରେ ଲେଖାଅଛି, ‘ଭଗିନୀ ସ୍ବ ପ୍ରବର୍ତ୍ତିକା’ ଅର୍ଥାତ୍ ଦେବୀ ସୁଭଦ୍ରା ସୃଷ୍ଟି ଶକ୍ତି ହୋଇଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କର ସୃଷ୍ଟିଶକ୍ତି ଯୋଗମାୟା ରୂପରେ ସେ ରତ୍ନବେଦୀରେ ଅବତୀର୍ଣ୍ଣୀ। ସେଇଥିପାଇଁ ବୌଦ୍ଧ ତନ୍ତ୍ରରେ ଦେବୀ ସୁଭଦ୍ରାଙ୍କୁ ମହାଶକ୍ତି ବଜ୍ରେଶ୍ବରୀ ବୋଲି କୁହାଯାଉଥିଲାବେଳେ ବଳଭଦ୍ରଙ୍କୁ ବଜ୍ରୋଦକ ଓ ଜଗନ୍ନାଥଙ୍କୁ ପରମବଜ୍ରୀ, ସୁଦର୍ଶନଙ୍କୁ ବଜ୍ର ବୋଲି ଅଭିହିତ କରାଯାଇଛି। କାରଣ ଅାଷାଢ଼ ମାସରେ ରଥଯାତ୍ରା ହେଉଥିବାରୁ ଏ ମାସକୁ ସୃଷ୍ଟି ମାସ ବୋଲି କୁହାଯାଏ। ତେଣୁ ସୃଷ୍ଟି ଉଦ୍ଦେଶ୍ୟରେ ମହାପ୍ରଭୁ ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ବୟଂ ଭାଇ-ଭଉଣୀଙ୍କ ସହିତ ବାହାରକୁ ଅାସିଥାଅାନ୍ତି। ତେଣୁ ପ୍ରଥମେ ବଜ୍ର ବା ଲିଙ୍ଗାକୃତି ଅାୟୁଧ ପୁରୁଷ ସୁଦର୍ଶନଙ୍କର ଚଳନ ହୁଏ। ସୃଷ୍ଟି ଉଦ୍ଦେଶ୍ୟରେ ଲିଙ୍ଗରୂପୀ ପରମବଜ୍ର ପୁରୁଷ ସୁଦର୍ଶନ କ୍ରିୟା ଶକ୍ତି-ମହାଶକ୍ତି ନାରୀ ସୁଭଦ୍ରାଙ୍କୁ ଉଦ୍ଦେଶ୍ଯକରି ଉତ୍ଥିତ ହୁଅନ୍ତି। ସେଇଥିପାଇଁ ସୁଦର୍ଶନ ମହାପ୍ରଭୁ ଦେବୀ ସୁଭଦ୍ରାଙ୍କ ଦେବଦଳନ ବା ଦର୍ପଦଳନ ରଥରେ ବିରାଜମାନ କରିଥାଅାନ୍ତି।

 

‘ଗାୟତ୍ରୀ କଳ୍ପ’ ଅନୁସାରେ ଦେବୀ ସୁଭଦ୍ରା ଯୋଗମାୟା ବୋଲି କୁହାଯାଉଥିଲାବେଳେ ପୁରୁଷୋତ୍ତମ ତତ୍ତ୍ବ ଅନୁସାରେ ସେ ସୃଷ୍ଟିକର୍ତ୍ତା ବ୍ରହ୍ମା ଅର୍ଥାତ୍ ସଂଯୋଗକାରିଣୀ ଶକ୍ତି ରୂପରେ ଦୁଇ ଭାଇଙ୍କ ମଝିରେ ଅବସ୍ଥାନ କରିଛନ୍ତି। ପାଳନ କର୍ତ୍ତା ଜଗନ୍ନାଥ ଓ ସଂହାର କର୍ତ୍ତା ବଳଭଦ୍ର (ଅନନ୍ତ)ଙ୍କ ମଝିରେ ସୃଷ୍ଟିକାରିଣୀ ମାୟା ରୂପେ ସେ ପ୍ରକର୍ତ୍ତିତା। ‘ପ୍ରଣବ ତତ୍ତ୍ବ’ରେ ଅର୍ଦ୍ଧମାତ୍ରା ଓ ସୃଷ୍ଟି ତତ୍ତ୍ବରେ ପୁରୁଷ ପ୍ରକୃତିର ସଂଯୋଗକାରିଣୀ ଦୁଇବିନ୍ଦୁ ବା ଶୂନ୍ୟଯୋଗ ବୋଲି କୁହାଯାଏ। ପରମବ୍ରହ୍ମ ବା ପରମାତ୍ମାଙ୍କ ଇଚ୍ଛାଶକ୍ତିରୁ ପ୍ରଥମେ ଯେଉଁ କମ୍ପନ ସୃଷ୍ଟି ହୁଏ, ତାହା ଦୁଇ ସଗୁଣ ଓ ନିର୍ଗୁଣ ଶକ୍ତିର ମିଳନ ଜନିତ କମ୍ପନ ବୋଲି କୁହାଯାଏ। ଦୁଇ ଶୂନ୍ୟର ତଳ ଉପର ସଂଯୋଗ ବିସର୍ଗ ମାତ୍ରା ବୋଲି ମଧ୍ୟ ଅନ୍ୟ ଅର୍ଥରେ କୁହାଯାଇଥାଏ। କାରଣ ଏଇ ଦୁଇ ବିନ୍ଦୁର ଅାଦି-ଅନ୍ତ ଜାଣିବା ଦୁସାଧ୍ୟ। ତେବେ ଏଇ ଦୁଇବିନ୍ଦୁ ହେଉଛି ଅନାଦି ଓ ଅନନ୍ତ। ଏହା ହିଁ ଦେବୀ ସୁଭଦ୍ରା ଶବ୍ଦର ଗୁପ୍ତ ତତ୍ତ୍ବ। କମ୍ପନ ସୃଷ୍ଟିର କାରଣ ହେତୁ ଦେବୀ ସୁଭଦ୍ରାଙ୍କୁ କାମ୍ପିଲ୍ୟବାସିନୀ ବୋଲି କୁହାଯାଏ। ଯେପରି- ‘ସୁଭଦ୍ରିକା ପରାଶକ୍ତି କାମ୍ପିଲ୍ୟପୁର ବାସିନୀ’।

 

ଅାଦିବାସୀମାନଙ୍କ ଭିତରେ କାମ୍ପିଲ୍ୟମ୍ମା ବା ସୁଭଦ୍ରାମ୍ମାଙ୍କ ଯାତ୍ରା ବିଧାନ ଦେଖିବାକୁ ମିଳେ। କୋରାପୁଟର ଅାଦିବାସୀ ଅଞ୍ଚଳରେ ଜଗନ୍ତ-ଜଗାରାଜୁଙ୍କ ଭଗିନୀ କାମ୍ପିଲ୍ୟ ଦେବୀ ବା ସୁଭଦ୍ରାମ୍ମା ବା ବସୁମାତା ଭୂଦେବୀ ଏବଂ ମାରିଡ଼ି ମହାଲକ୍ଷ୍ମୀ - ଶ୍ରୀଦେବୀ ରୂପରେ ପୂଜା ପାଅାନ୍ତି। ବୈଶ୍ୟ ବେପାରୀଜାତିଙ୍କ ମଧ୍ୟରେ କିମ୍ବଦନ୍ତୀ ଅଛି ଯେ ପୂର୍ବେ କପିରାଜ ସୁଗ୍ରୀବଙ୍କ ବଂଶଧର ଲାଞ୍ଜିଅା-ଶଉରାମାନଙ୍କ ମଧ୍ୟରେ ମୋଟା ଓ ମୋଲ୍ଲା ଦୁଇ ଭାଇ ନିସନ୍ତାନ ଥିବାରୁ ତିନି ଠାକୁରଙ୍କ ପାଇଁ ତିନିଗୋଟି ରଥ ତିଅାରି କରି ଯାତ୍ରା ଉତ୍ସବର ଅାୟୋଜନ କଲେ। ଫଳରେ ତିନି ଦେବତାଙ୍କ ଦ୍ବାରା ଅାଶୀର୍ବାଦ ଲାଭପୂର୍ବକ ତିନୋଟି ସନ୍ତାନ ତାଙ୍କୁ ପ୍ରଦାନ କରିଥିଲେ। ସେହିଦିନଠାରୁ ପ୍ରତି ବର୍ଷ ସେଠାରେ ରଥଯାତ୍ରାର ସୂତ୍ରପାତ ହେଲା। ସୁଭଦ୍ରା କାମ୍ପିଳ୍ୟମ୍ମା ସମ୍ପର୍କୀତ ଏହି ଲୋକକଥା ପରବର୍ତ୍ତୀ କାଳରେ ତନ୍ତ୍ର ଶାସ୍ତ୍ରରେ ‘ସୁଭଦ୍ରିକା ପରାଶକ୍ତି କାମ୍ପିଲ୍ୟ ପୁରବାସିନୀ’ ବୋଲି କୁହାଯାଇଛି।

 

ଅାଦିବାସୀ ଜାଲିଅା ଦେବୀ ବା ସୁଭଦ୍ରାଙ୍କ ପୂଜା ଓ ଯାତ୍ରାକୁ ଜାଲିଅାଙ୍କ ଯାତ୍ରା କୁହାଯାଏ। ଏହି ଯାତ୍ରାରେ ଅାୟୁଙ୍ଗସୁଙ୍ଗ୍ ବା ଧର୍ମବୋଜା ବା କିତୁଙ୍ଗ୍ ଠାକୁର ଦ୍ବୟ ଠାକୁରାଣୀଙ୍କ ସହ ଘୋଷ ଯାତ୍ରା ବା ଚାଚେରୀ ଭ୍ରମଣରେ ବାହାରନ୍ତି। ଅାମ୍ବ ପାଚିଲା ପରେ ଅାଷାଢ଼ ମାସର ଅାରମ୍ଭରୁ ଏ ଯାତ୍ରା ହୁଏ। ଚାରିଚକିଅା ଛୋଟ ରଥଟିରେ ଠାକୁରାଣୀ ଗଁା ମୁଣ୍ଡ ଅାସ୍ଥାନ ମନ୍ଦିରଠାରୁ ଦୁଇ ଠାକୁରାଣୀଙ୍କ ସହ ରଥରେ ବସନ୍ତି। ଜାଲିଅା ଠାକୁରାଣୀ ବା ସୁଭଦ୍ରା ରଥରେ ବସିଲା ପରେ ଗୋଟେ ବାଉଁଶ ପେଡ଼ିରେ ଠାକୁରାଣୀଙ୍କ ପିନ୍ଧିବା ଲୁଗା, ଲଗେଇବା ତେଲ, ଦର୍ପଣ, ଘଣ୍ଟ, ଦୀପ, ମୟୂରପୁଚ୍ଛ, ଅନ୍ୟ ପକ୍ଷୀର ପର ରଖାଯାଇଥାଏ। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବେଳେ ଏହିପରି ଗୋଟେ ବାଉଁଶ ପାତିଅା ପେଡ଼ିରେ ଉପରୋକ୍ତ ଜିନିଷଗୁଡ଼ିକ ସୁଭଦ୍ରାଙ୍କ ଦେବଦଳନ ରଥରେ ରଖାଯାଏ। ଅାଦିବାସୀମାନଙ୍କ ଭିତରେ ପ୍ରଚଳିତ ବିଧିବିଧାନ ପୁରୀ ରଥଯାତ୍ରାବେଳେ ଅନୁଷ୍ଠିତ ହୋଇଅାସୁଛି। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଗ୍ନୀ ଦେବୀ ସୁଭଦ୍ରା ଅାଦିବାସୀ ଶଉରା କାମ୍ପିଲ୍ୟମ୍ମାଙ୍କ ସହିତ ସାମଞ୍ଜସ୍ୟ ରହିଥିବା ଜଣାଯାଏ। ଦେବୀ ସୁଭଦ୍ରାଙ୍କୁ ସେଇଥିପାଇଁ ଦେବଦଳନ ରଥରେ ସୁଦର୍ଶନ ରହିବା ପରେ ନାରୀ ହୃଦୟରେ ଯେଉଁ ମହାନନ୍ଦ ପ୍ରକାଶ ପାଏ ସେହି ମହାନନ୍ଦରେ ବିଭୋର ହୋଇ ଜଗତ୍ ଜନନୀ ମା’ ସୁଭଦ୍ରା ଚଳତ୍-ଶକ୍ତିହୀନା ହୋଇ ପଡ଼ନ୍ତି। ତେଣୁ ଦଇତାପତିମାନେ ସେହି ମହାଶକ୍ତି-ମହାଭୈରବୀ ସୁଭଦ୍ରାଙ୍କୁ କାନ୍ଧରେ କାନ୍ଧେଇ କରି ନେଇଯାଅାନ୍ତି। ଏଣେ ଦେବୀ ବିମଳା ମା’ ସୁଭଦ୍ରା ରୂପରେ ମଧ୍ୟ ଅବତୀର୍ଣ୍ଣା। ସେ ଅାଦ୍ୟା ହେତୁ ଅନ୍ଧକାର ବର୍ଣ୍ଣା, ସେଇଥିପାଇଁ ତାଙ୍କ ରଥ ଲାଲ-କୃଷ୍ଣବର୍ଣ୍ଣ ଓ ତାଙ୍କ ସାରଥୀର ପୋଷାକ ରଙ୍ଗ ମଧ୍ୟ କଳା ହୋଇଥାଏ।

 

ପୁରାଣରେ ବ୍ରହ୍ମା ଭଗ୍ନୀ ସୁଭଦ୍ରା ରୂପରେ କିପରି ପୂଜା ପାଉଛନ୍ତି ସେ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ନୂତନ ସୃଷ୍ଟି ସର୍ଜନା ପାଇଁ ଯେତେବେଳେ ବ୍ରହ୍ମା ଅଗ୍ରସର ହେଲେ, ସେତେବେଳେ ଯୋଗମାୟା ବ୍ରହ୍ମାଙ୍କ ସହିତ ରତିକ୍ରିୟା ଅାରମ୍ଭ କଲେ। ସେତେବେଳେ ବ୍ରହ୍ମା ତାଙ୍କୁ ତିରସ୍କାର କଲେ। ଏଥିରେ ଯୋଗମାୟା କ୍ରୋଧିତା ହୋଇ ବ୍ରହ୍ମାଙ୍କୁ ଅଭିଶାପ ଦେଲେ ଯେ ତୁମେ ଅାଜି ଯେଉଁ ସ୍ତ୍ରୀ ଜାତିର ଅବମାନନା କଲ, ସେହି ସ୍ତ୍ରୀ ରୂପ ତୁମେ ପ୍ରାପ୍ତ ହେବ। ତେଣୁ ଯୋଗମାୟାଙ୍କ ଅଭିଶାପରେ ହିଁ ବ୍ରହ୍ମା ଯୋଗମାୟା-ସୁଭଦ୍ରାଙ୍କ ରୂପ ଧାରଣ କରିଛନ୍ତି। ଏହିଭଳି ସୁଭଦ୍ରା ଓ ବ୍ରହ୍ମା ଦୁଇ ରୂପରେ ଏବେ ମଧ୍ୟ ଶ୍ରୀମନ୍ଦିରରେ ପୂଜାପାଇ ଅାସୁଛନ୍ତି।

 

ଭାରତବର୍ଷ ତଥା ଓଡ଼ିଶାରେ ଶକ୍ତି ଉପାସନାର ପ୍ରଭାବ ଓ ପ୍ରାଧାନ୍ୟ ପରିଲକ୍ଷିତ ହୋଇଥିବା ବେଳେ ଅନେକ କାଷ୍ଠ ଓ ପଥରର ଦେବତାଙ୍କୁ ସାକାର ପ୍ରତିମାଧର୍ମୀ ଦେବୀ ରୂପରେ ପୂଜା କରାଯାଇଅାସୁଛି। ନିରାକାର ପ୍ରତୀକଧର୍ମୀ ଅର୍ଥାତ୍ ଦେବ ନୁହେଁ କି ଦେବୀ ନୁହେଁ ବା ପୁରୁଷ ନୁହେଁ କି ନାରୀ ନୁହେଁ - ଏଭଳି ରୂପକୁ ଅାମେ ପରବର୍ତ୍ତୀ କାଳରେ ଦେବୀ ସୁଭଦ୍ରା ନାମରେ ନାମିତ କରି ପୂଜା ଉପାସନା କରି ଅାସୁଛୁ। ତେଣୁ ଧର୍ମ ଜଗତରେ କିଏ ନାରୀ କିଏ ପୁରୁଷ ଏଭଳି ଚିନ୍ତା-ଚେତନାରେ ସୀମିତ ନ ରହି ଅାମେ ପ୍ରାୟତଃ ମାତୃଶକ୍ତିକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ସ୍ଥାନରେ ଅାବହମାନ କାଳରୁ ପୂଜା ପାଇ ଅାସୁଥିବା ଦେବ ବା ଦେବୀଙ୍କୁ ଏକ ନିର୍ଦ୍ଦିଷ୍ଟ ରୂପ ଦେଇ ପୂଜା କରିଅାସୁଛୁ। ତେଣୁ ଏକ ମୂର୍ତ୍ତି ଦଧିବାମନ ବା ପତିତପାବନ ଜଗନ୍ନାଥଙ୍କ ସହିତ ବଳଭଦ୍ର ଓ ସୁଭଦ୍ରାଙ୍କୁ ଯୋଡ଼ି ମହାପ୍ରଭୁଙ୍କ ଅାୟୁଧ ରୂପେ ଧର୍ମଦଣ୍ଡ ସୁଦର୍ଶନଙ୍କୁ ବାମପଟରେ ରଖି ଚତୁର୍ଦ୍ଧାମୂର୍ତ୍ତି ରୂପେ ପୂଜା କରିଅାସୁଛୁ। ଅତଏବ ହିନ୍ଦୁ ଧର୍ମ ବା ସନାତନ ଧର୍ମରେ ଅାମେ ଏହିଭଳି ବିବିଧ ରୂପରେ ଭାରତବର୍ଷ ତଥା ଓଡ଼ିଶାର ପୁରପଲ୍ଲୀରେ ଦେବଦେବୀଙ୍କ ପରିକଳ୍ପନା କରି ପୂଜା ଉପାସନା କରୁଛୁ।

 

ସହଯୋଗୀ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଓଡ଼ଇା ଭାଷା ଓ ସାହିତ୍ୟ ବିଭାଗ,

ଫକୀରମୋହନ (ସ୍ବୟଂଶାସିତ) ମହାବିଦ୍ୟାଳୟ, ବାଲେଶ୍ବର - 756001

ମୋ : 9437446604


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top