କେତେ ଦାନଙ୍କୁ ମିଳିବ ସହାୟତା?

News Story - Posted on 2016-10-02

ଚାରୁ ଚନ୍ଦନ ଦାଶ

 

ଦାନ ମାଝି। ନିରୀହ ଆଦିବାସୀ ଲୋକଟିଏ। ବଣ, ଜଙ୍ଗଲ, ପାହାଡ଼ ସାଙ୍ଗରେ ବନ୍ଧୁ ବାନ୍ଧିଥିବା ଦାନ ମାଝି ଭବାନିପାଟଣାର ଏକ ନିପଟ ଗାଉଁଲି ପାହାଡ଼ିଆ ଗାଁରେ ରୁହେ। ଗତ ଏକ ମାସ ପୂର୍ବରୁ ସେ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ସାରା ବିଶ୍ବର ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା। ଏହା ପରେ ତା’ପାଖକୁ ସବୁଆଡ଼ୁ ଛୁଟି ଆସିଥିଲା ସହାୟତାର ସୁଅ। ଜୀବନରେ ଶୁଣି ନଥିବା ଅଙ୍କର ଅର୍ଥ ତା ପାଖରେ ପହଞ୍ଚିଲା। ଦେଖି ନଥିବା ଶୂନର ନୋଟ୍ ସେ ଦେଖିଲା।

 

ଏସବୁ କେବଳ ତା’ ଅଭାଗିନୀ ମାଇପ ପାଇଁ। ଅଭାଗିନୀ ବା କେମିତି କହିବା, ଅମାଙ୍ଗ ପାଇଁ ତ ଆଜି ଦାନ ପରିବାରରେ ସୂର୍ଯ୍ୟୋଦୟ ହୋଇଛି। ସର୍ବଦା ଅନ୍ଧାରରେ ରହୁଥିବା ନିରୀହ ଦାନ ମାଝି ଆଜି ଟିକେ ଆଲୁଅ ପାଇଛି, ହେଇପାରେ ସେ ସହାୟତାର। ହେଲେବି ଏହି ସହାୟତା ପାଇଁ ଆଜି ଦାନର ପରିବାର ଗରିବୀ ଦାଉରୁ ରକ୍ଷା ପାଇବାକୁ ଯାଉଛି। ଏହି ଅଘଟଣ ପରେ ରାଜ୍ୟ ସରକାର ସହାୟତା କରିବା ପରେ ବାହାରିନ ପ୍ରଧାନମନ୍ତ୍ରୀ ସଲମାନ ଅଲ୍ଲୀ ଖଲିଫା ଦାନକୁ ୯ ଲକ୍ଷ ଟଙ୍କାର ସହାୟତା ଦେଇଥିଲେ। ଏହାପରେ ସୁଲଭ ଇଣ୍ଟରନ୍ୟାସନାଲ ପକ୍ଷରୁ ଏକକାଳୀନ ୫ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ କରାଯାଇଛି। ଏହା ଆସନ୍ତା ୫ ବର୍ଷ ପରେ ୭ ଲକ୍ଷ ୩୪ ହଜାର ଟଙ୍କା ହୋଇଯିବ।

 

ସେହିପରି ଦାନର ବଡ଼ ଝିଅ ସାନିନ୍ଦୀ ନାମରେ ବିବାହ ପର୍ଯ୍ୟନ୍ତ ମାସକୁ ୧୦ ହଜାର ଟଙ୍କା ଦେବା ପାଇଁ ସୁଲଭ ହାତ ବଢ଼ାଇଛି। ଏହାବ୍ୟତୀତ ରାଜ୍ୟ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର, ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା, ଜାତୀୟ ପରିବାର କଲ୍ୟାଣ ଯୋଜନାରେ ୫୨ ହଜାର ଟଙ୍କା ଓ ଚାଉଳ ଯୋଗାଇ ଦିଆଯାଇଛି। ଏଥିସହିତ ଜଣେ ପ୍ରବାସୀ ଭାରତୀୟ ଦାନକୁ ୧ ଲକ୍ଷ ଟଙ୍କାର ସାହାଯ୍ୟ କରିଛନ୍ତି। କେବଳ ଏତିକି ନୁହେଁ ମହାରାଷ୍ଟ୍ରର ଏକ ବେସରକାରୀ ଅନୁଷ୍ଠାନ ଦାନ ମାଝିର ପରିବାରକୁ ୮୦ ହଜାର ଟଙ୍କା ନଗଦ ଟଙ୍କା ଏବଂ ତାଗ୍ଦ ତିନି ଝିଅଙ୍କ ନାମରେ ୧୦ ହଜାର ଟଙ୍କା ଲେଖାଏଁ ଫିକ୍ସଡ ଡିପୋଜିଟ କରିଛି। ନିକଟରେ ୨ ଜଣ ଗୁଜୁରାତି ଲୋକ ଦାନର ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା କରିଥିଲେ।

 

ସଂସାରରେ ଦାନ ମାଝି ପରି ଅନେକ ଲୋକ ଅଛନ୍ତି। ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶବ ବୁହା ହେବା ଘଟଣା, ରାସ୍ତା କଡ଼ରେ ପ୍ରସବଠାରୁ ଆରମ୍ଭ କରି ଅନାହାର ମୃତ୍ୟୁ ସଂଖ୍ୟା ଢେର୍ ଅଧିକ। ଗରିବୀର ମାଡ଼ ଯୋଗୁଁ ଦାନ ନିଜ ସ୍ତ୍ରୀକୁ ହରାଇଥିଲା। ହୁଏତ ତା’ ଭଳି ଆହୁରି ଅନେକ ଦାନ ମାଝି ପ୍ରତିଦିନ ଏମିତି ନିଜ ମାଇକିନା କିମ୍ବା ଝିଅ ଅବା ବୋହୂକୁ ହରାଉଥିବେ। ହେଲେ ସେମାନଙ୍କ ପାଖରେ ନା ପହଞ୍ଚି ପାରୁଛି କୌଣସି ସରକାରୀ ସହାୟତା ନା କ୍ୟାମେରାର ଲେନ୍ସ। ସେମାନେ ଯଦି ଏମିତି ଦୃଷ୍ଟିଗୋଚର କିମ୍ବା ଲୋକଲୋଚନକୁ ଆସନ୍ତେ ତେବେ ବୋଧହୁଏ ଏଇ ଦାନ ମାଝି ଭଳି ସେମାନଙ୍କ ନିକଟରେ ମଧ୍ୟ ଏମିତି ସହାୟତାର ହାତ ବଢ଼ି ପାରନ୍ତା।

 

ଦାନ ମାଝି ଗରିବରୁ ମିଲିୟନେୟାର ବନିଯିବା ଭଳି ଓଡ଼ିଶାର ଅନ୍ୟ ଦାନ ମାଝିମାନେ ମଧ୍ୟ ରାତାରାତି ଲକ୍ଷପତି ଅବା କୋଟିପତି ହୋଇପାରନ୍ତେ। ଆଉ ଆମ ରାଜ୍ୟ, ଗରିବ ରାଜ୍ୟ ଭାବେ ପରିଗଣିତ ହେବା ପରିବର୍ତ୍ତେ ଗଣା ହୁଅନ୍ତା ଏକ ସମ୍ଭ୍ରାନ୍ତଶୀଳ ରାଜ୍ୟ ଭାବରେ। ନା ଏଠି ନଗଡ଼ା ଭଳି ନିରୀହ ଶିଶୁ ଖାଇବାକୁ ନପାଇ ପ୍ରାଣ ହରାନ୍ତେ ନା ଆମ୍ବ ଟାକୁଆ ଖାଇ ଆଦିବାସୀମାନଙ୍କ ଜୀବନହାନୀ ହୁଅନ୍ତା।

 

ବୀରମହାରାଜପୁର, ସୁବର୍ଣ୍ଣପୁର, ଫୋ-୯୬୫୮୨୬୩୨୮୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top