ଯୁଦ୍ଧ ହେଲେ କ’ଣ ହେବ?

News Story - Posted on 2016-10-01

ଡଃ. ହେମନ୍ତ ମହାପାତ୍ର

 

(ଆଲେଖ୍ୟଟି ୨୩-୯-୨୧୬ରେ ଲେଖା ହୋଇଥିଲା)

 

କେତୋଟି ମାସ ଭିତରେ ଭାରତର ସେନା ଶିବିର ଉପରେ ସନ୍ତ୍ରାସବାଦୀମାନଙ୍କର ଦୁଇ ଦୁଇ ଥର ଆକ୍ରମଣ। ପଠାଣକୋଟ ପରେ ଉରି। ଉରି ସନ୍ତ୍ରାସବାଦୀ ହାମଲାରେ ଅଠର ଜଣ ସୈନିକଙ୍କର ଅପମୃତ୍ୟୁ। ଲୋକମାନଙ୍କର ଦାବି ଆଘାତ ବଦଳରେ ପ୍ରତିଘାତ। ପାକ୍‌ ପ୍ରାୟୋଜିତ ଏହି ସନ୍ତ୍ରାସବାଦୀ ଆକ୍ରମଣର କଡ଼ା ଜବାବ ଦିଆଯିବା ଦରକାର। ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ଉଗ୍ରବାଦୀ ଆଡ୍ଡା ଉପରେ ଚଢ଼ାଉ କରନ୍ତୁ। ଦରକାର ହେଲେ ସବୁ ନାଟର ଗୋବର୍ଦ୍ଧନ ପାକିସ୍ତାନ ନାମ ନିଶାଣ ମାଣିରେ ମିଶାଇ ଦିଅନ୍ତୁ। ଏହି ଭାବପ୍ରବଣତାର ପରିପ୍ରେକ୍ଷୀରେ ଆମେ ବିଚାର କରିବା... ଭାରତ ଏବେ କରିବ କ’ଣ? ଯୁଦ୍ଧ କ’ଣ ଅପରିହାର୍ଯ୍ୟ?

 

ସରକାରୀ ଆଭିମୁଖ୍ୟ କ’ଣ?

 

ପ୍ରଧାନମନ୍ତ୍ରୀଙ୍କ କହିବା କଥା ହେଲା ଉରି ଆକ୍ରମଣ ପାଇଁ ଦାୟୀ ଲୋକମାନଙ୍କୁ ବିନା ଦଣ୍ଡରେ ଛଡ଼ାଯିବ ନାହିଁ। ସରକାର ଅନୁଭବ କରୁଛନ୍ତି ଯେ ଏହି ଘଟଣା ପରେ ଭାରତ ଯଦି ନିଷ୍କ୍ରିୟ ରହେ ତେବେ ପାକିସ୍ତାନରେ ଏକ ଧାରଣା ସୃଷ୍ଟି ହେବ ଯେ ଛାୟାଯୁଦ୍ଧ ବେଶ ଫଳପ୍ରଦ ଏବଂ ଏହାଦ୍ୱାରା ଭାରତକୁ ଆହୁରି ଲହୁଲୁହାଣ କରାଯାଇପାରେ। ଉରି ଘଟଣା ମୋଦିଙ୍କ ନେତୃତ୍ୱ  ପ୍ରତି ଏକ ଆହ୍ୱାନ ସୃଷ୍ଟି କରିଛି। ୨୦୧୪ ନିର୍ବାଚନ ରାଲିରେ ମୋଦି ୟୁପିଏ ସରକାରଙ୍କ ପାକିସ୍ତାନ ନୀତିକୁ କଡ଼ା ସମାଲୋଚନା କରୁଥିଲେ ଏବଂ କହୁଥିଲେ ଯେ ତାଙ୍କ ଦଳ ବିଜେପି କ୍ଷମତାକୁ ଆସିଲେ ପାକିସ୍ତାନକୁ ସାବାଡ଼ କରିଦିଆଯିବ। ସେ କଥା ଏବେ ମୋଦିଙ୍କୁ ଭୁତ ହୋଇ ଗୋଡ଼ାଉଛି। ଲୋକମାନେ ମୋଦିଙ୍କ ବାହାସ୍ଫୋଟକୁ ଭୁଲିନାହାନ୍ତି। ଯୁଦ୍ଧ ସମ୍ଭାବନାକୁ ଦେଖି ପାକିସ୍ତାନ ଅଣୁଯୁଦ୍ଧର ଭୟ ଦେଖାଉଛି। ଆଶା କରାଯାଉଛି ପାକିସ୍ତାନ ପାଖରେ ୧୨୦ରୁ ୧୩୦ଟି ପର୍ଯ୍ୟନ୍ତ ଅଣୁଅସ୍ତ୍ର ଅଛି। ଅଣୁଅସ୍ତ୍ର କ୍ଷେତ୍ରରେ ଭାରତର ସ୍ଥିତି ମଧ୍ୟ ପାଖାପାଖି ସେୟା। ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକର କହନ୍ତି ଯେ ପାକିସ୍ତାନର ଅଣୁଯୁଦ୍ଧର ଧମକରେ ଭାରତ ଦବିଯିବ ନାହିଁ। ବିଜେପି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଶିବସେନା ଭଳି ଦଳଙ୍କ ଦାବି ହେଲା ଭାରତ ପାକିସ୍ତାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।

 

ବିଶ୍ୱ ସମୁଦାୟର ଆଭିମୁଖ୍ୟ କ’ଣ?

 

ଏହା ସତ୍ୟ ଯେ ପାକିସ୍ତାନ ପ୍ରାୟୋଜିତ ସନ୍ତ୍ରାସବାଦକୁ ବିଶ୍ୱସମୁଦାୟ ଗ୍ରହଣ କରେନାହିଁ। କିନ୍ତୁ ଭାରତ ପାକିସ୍ତାନ ମଧ୍ୟରେ ଏକ ଖୋଲାଖୋଲି ଯୁଦ୍ଧକୁ କ୍ୱଚିତ ଦେଶ ସମର୍ଥନ କରିବେ। ବିଶେଷକରି ଭାରତର ପଡ଼ୋଶୀ ଚୀନ ଭାରତ-ପାକ୍ ଯୁଦ୍ଧକୁ କଡ଼ା ବିରୋଧ କରିବ। ଯଦି ଯୁଦ୍ଧ ହୁଏ ଚୀନ ପାକିସ୍ତାନକୁ ଖୋଲାଖୋଲି ସାହାଯ୍ୟ କରିବ। ବେଲୁଚିସ୍ତାନ ଦେଇ ପାକିସ୍ତାନ ଅଧିକୃତ କାଶ୍ମୀରରେ ଚୀନ ନିର୍ମାଣ କରୁଛି ଚୀନ ପାକିସ୍ତାନ ଅର୍ଥନୈତିକ ଗମନପଥ। ପାକିସ୍ତାନ ସହାୟତାରେ ଚୀନର ଅର୍ଥନୈତିକ ସଫଳତା ପାଇଁ ଏହା ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ। ଏହି ପ୍ରକଳ୍ପ ପାଇଁ ଚୀନ ପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରିସାରିଲାଣି। ତେଣୁ କୌଣସି ପରିସ୍ଥିତିରେ ପାକିସ୍ତାନକୁ ଚୀନ ଅଣଦେଖା କରିପାରିବ ନାହିଁ। ତା’ପରେ ଭାରତ ସହିତ ଚୀନ ସମ୍ପର୍କ ମଧ୍ୟ ଉତ୍ସାହଜନକ ନୁହେଁ।

 

ଆମେରିକା

 

ଆମେରିକା ଜାଣେ ପାକିସ୍ତାନ ସନ୍ତ୍ରାସବାଦର ଏନ୍ତୁଡ଼ିଶାଳ। ଆମେରିକା ଜାଣେ ଜନହିତକର ଯୋଜନାର କାର୍ଯ୍ୟକ୍ଷମ ପାଇଁ ପାକିସ୍ତାନକୁ ମିଳୁଥିବା ବିଶ୍ୱ ସମୁଦାୟର ପଇସାରେ ପାକିସ୍ତାନ ସନ୍ତ୍ରାସବାଦୀମାନଙ୍କୁ ପ୍ରଶିକ୍ଷଣ, ସଶକ୍ତିକରଣ ଓ ପରିପୋଷଣ କରୁଛି। କିନ୍ତୁ ଆମେରିକା ନାଚାର। ଦକ୍ଷିଣପୂର୍ବ ଏସିଆରେ ଗୋଡ଼ ରଖିବାକୁ ତା’ର ଏକ ଜାଗା ଦରକାର। କେବଳ ହୀନବଳ ପାକିସ୍ତାନ ହିଁ ଆମେରିକାକୁ ଏ ସୁବିଧା ଦେଇପାରିବ। ଆମେରିକାର ଅର୍ଥରେ ପାକିସ୍ତାନ ମାଲେମାଲ ହେଉଛି। ପାକିସ୍ତାନ ମାଧ୍ୟମରେ ଆମେରିକା ଆଫଗାନିସ୍ତାନରେ ତା’ର ସ୍ୱାର୍ଥରକ୍ଷା କରିପାରିବ। ଆମେରିକା ଆକଳନ କରୁଛି ଯେ ପାକିସ୍ତାନ ଦ୍ୱାରା ହିଁ ଆଫଗାନିସ୍ତାନରେ ତାଲିବାନକୁ ନିୟନ୍ତ୍ରଣ କରିହେବ। ପାକିସ୍ତାନ ଅଣୁ ନିରସ୍ତ୍ରୀକରଣ ଚୁକ୍ତିରେ ସମ୍ମତ। କିନ୍ତୁ ପାକିସ୍ତାନର ଶାସକବର୍ଗ ସୈନ୍ୟବଳର କବଳରେ। ତେଣୁ କେତେବେଳେ ଯେ ପାକିସ୍ତାନ ଅଣୁଅସ୍ତ୍ରର ପ୍ରୟୋଗ କରିବ ସେ ବିଷୟରେ ନିଧାର୍ଯ୍ୟ କିଛି କୁହାଯାଇନପାରେ।

 

ଏପରି ଏକ ଯୁଦ୍ଧରେ ଆଫଗାନିସ୍ତାନ ଖୋଲାଖୋଲି ଭାରତକୁ ସମର୍ଥନ କରିପାରେ। କିନ୍ତୁ ଆଫଗାନିସ୍ତାନ ତାଲିବାନୀ ଆକ୍ରମଣରେ କ୍ଷତବିକ୍ଷତ, ଦୁର୍ବଳ। ଭାରତର ଅନ୍ୟ ପଡ଼ୋଶୀମାନେ ପାକିସ୍ତାନକୁ ସାହାଯ୍ୟ ତ କରିବେ ନାହିଁ, କିନ୍ତୁ ସେମାନଙ୍କର ଭାରତ ପ୍ରତି ସମର୍ଥନ କେବଳ ନୈତିକତାମୂଳକ ହେବ। ଫ୍ରାନ‍୍‌ସ, ରୁଷିଆ ଓ ୟୁରୋପୀୟ ୟୁନିଅନର ଦେଶମାନେ ଭାରତକୁ ନୈତିକ ସମର୍ଥନ ପ୍ରଦାନ କରିବେ।

 

ଉରିର ଆତଙ୍କବାଦୀ ଆକ୍ରମଣ ଯେଉଁ ସମୟରେ ଘଟିଛି ତା ବେଶ ତାପିର୍ଯ୍ୟପୂର୍ଣ୍ଣ। କାଶ୍ମୀର ଉପତ୍ୟକାରେ କଫ୍ୟୁ ବଳବତ୍ତର ଅଛି। ପାକିସ୍ତାନ ସାମରିକ ଶକ୍ତିର କ୍ରୀଡ଼ନକ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ମିଳିତ ଜାତିସଂଘର ସାଧାରଣ ପରିଷଦରେ ଭାଷଣ ଦେବାକୁ ଯାଇ ନିଉୟର୍କରେ ଥିଲେ। ସେଠାରେ ବିଶ୍ୱର ଅନ୍ୟ ଦେଶର ନେତାମାନେ ମଧ୍ୟ ଥିଲେ। ସେଠି ପାକିସ୍ତାନ କହୁଛି ଯେ ଉରି ଆତଙ୍କବାଦୀ ହାମଲା ପଛରେ ପାକିସ୍ତାନୀ ସେନାର କିଛି ଲେନାଦେନା ନାହିଁ। ଏହା ଏକ ଅଣସରକାରୀ କାଣ୍ଡକାରଖାନା। ଭାରତ ଯଦି ଏହାକୁ ଆଳକରି ଯୁଦ୍ଧକରେ-ଯୁଦ୍ଧ ତ ହେବ; କିନ୍ତୁ ତାହା ହେବ ଦୁଇଟି ଦେଶ ମଧ୍ୟରେ ଖୋଲାଖୋଲି ଯୁଦ୍ଧ। ପାକିସ୍ତାନ ଭାରତକୁ ଆକ୍ରମଣକାରୀ ବୋଲି ଚିତ୍ରଣ କରିବ ଓ ଯୁଦ୍ଧ ପାଇଁ ଭାରତର ଅହଂକୁ ଦାୟୀ କରି ବିଶ୍ୱସମୁଦାୟର ସହାନୁଭୂତି ସଂଗ୍ରହ କରିବାକୁ ଚେଷ୍ଟା କରିବ।

 

ଯୁଦ୍ଧକୁ ଛାଡ଼ି ଭାରତ ପାଖରେ ବିକଳ୍ପ କ’ଣ?

 

ଏହା ସତ୍ୟ ଯେ ପାକିସ୍ତାନର ଯେ କୌଣସି ନଗ୍ନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ସମର୍ଥ। ପାକିସ୍ତାନ ଉସ‍୍‌କାଣର କଡ଼ା ଜବାବ ଦେବାର ଶକ୍ତି ଓ ସାହସ ମଧ୍ୟ ଭାରତର ଅଛି। କେତେବେଳେ ଏବଂ କେଉଁଠି ଯୁଦ୍ଧ ଆରମ୍ଭ ହେବ ସେ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ଭାରତର ଅଛି। ତେବେ ବର୍ତ୍ତମାନ ଭାରତ ପ୍ରତି ଖୋଲାଯୁଦ୍ଧର ଆହ୍ୱାନ ନାହିଁ। ଆହ୍ୱାନ ଅଛି ସନ୍ତ୍ରାସବାଦର। ଆଂଶିକ ଖୋଲାଯୁଦ୍ଧ ଆତଙ୍କବାଦର ମୂଳପୋଛ କରିପାରିବ ନାହିଁ। କାଶ୍ୱୀରରେ ସକ୍ରିୟ ଜୈଶ-ଏ-ମହମ୍ମଦ ବା ଲସ‍୍‌କର-ଏ-ତୋଏବାକୁ ମୂଳପୋଛ କରୁ କରୁ ତାଲିବାନ, ଆଇଏସ‍୍‌ ଓ ଅଲକାଏଦା ସନ୍ତ୍ରାସବାଦୀ ଗୋଷ୍ଠୀ ସେମାନଙ୍କ ସ୍ଥାନରେ ସକ୍ରିୟ ହୋଇଯିବାର ସମ୍ଭାବନା ଅଛି। ମୁସ‍୍‌ଲିମ‍୍‌ ରାଷ୍ଟ୍ରମାନଙ୍କର ଏକ ସଂଗଠନ ଅଛି। ଏହି ଇସ‍୍‌ଲାମୀୟ ରାଷ୍ଟ୍ର ସଂଗଠନ ବିଚରା ପାକିସ୍ତାନକୁ ଅନ୍ଧଭାବରେ ସମର୍ଥନ କରିବ। ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇ ଦେବ। ଭାରତ ଭଳି ଏକ ପରିପକ୍ୱ ଗଣତାନ୍ତ୍ରିକ ମାନବବାଦୀ ରାଷ୍ଟ୍ର ଚଟାପଟ ଯୁଦ୍ଧକୁ ଓହ୍ଲାଇ ପଡ଼ିବା ସ୍ପୃହଣୀୟ ହେବ ନାହିଁ। ଯୁଦ୍ଧ ହେଉଛି ଶେଷ ଅସ୍ତ୍ର। ଏହି ଅସ୍ତ୍ର ପ୍ରୟୋଗ ପୂର୍ବରୁ ଅନ୍ୟ ସମସ୍ତ ଅସ୍ତ୍ରର ପ୍ରୟୋଗ ସାରିଦେବା ଉଚିତ।

 

ତେଣୁ ପାକିସ୍ତାନ ବିରୁଦ୍ଧରେ ଖୋଲାଖୋଲି ଯୁଦ୍ଧ କରିବା ଆଗରୁ କୂଟନୈତିକ ଯୁଦ୍ଧ ଚଳାଇ ବିଶ୍ୱସମୁଦାୟରେ ପାକିସ୍ତାନକୁ ନିନ୍ଦିତ କରି ତା’ର ନୈତିକତା ହ୍ରାସ କରିବାକୁ ହେବ। ଖୁରି ଖାଇବା ଭଳି ଯୁଦ୍ଧ ପାକିସ୍ତାନକୁ ସାବାଡ଼ କରିବାକୁ ଯଥେଷ୍ଟ ହେବନାହିଁ। ଏଇଠି ଆମକୁ ଚିନ୍ତା କରିବାକୁ ହେବ କାହିଁକି ବିଶ୍ୱସମୁଦାୟ ପାକିସ୍ତାନକୁ ଏକ ସନ୍ତ୍ରାସବାଦୀ ରାଷ୍ଟ୍ରବୋଲି ଘୋଷଣା କରୁନାହିଁ! ଅଥଚ ଓସାମା ବିନ‍୍‌ ଲାଡେନ‍୍‌କୁ ପାକିସ୍ତାନ ଆବୋଟାବାଦରେ ହିଁ ଶରଣ ଦେଇଥିଲା। ଆମେରିକା ସେହି ଆବୋଟାବାଦରେ ହିଁ ଲାଡେନ‍୍‌ର ଅନ୍ତ କରିଥିଲା। ପାକିସ୍ତାନରେ ତାଲିବାନ ସକ୍ରିୟ ଅଛି। ହାଫିଜ ସୟଦ ଭଳି ଆତଙ୍କବାଦୀମାନେ ପାକିସ୍ତାନରେ ଖୋଲାଖୋଲି ବିଚରଣ କରୁଛନ୍ତି। ୟୁୂସୁଫଜାଇ ମଲାଲା ଉପରେ ତାଲିବାନୀମାନେ ଏହି ପାକିସ୍ତାନରେ ହିଁ ଆକ୍ରମଣ କରିଥିଲେ। ଏକ ଆର୍ମି ସ୍କୁଲର ଶତାଧିକ ନିରୀହ ସ୍କୁଲପିଲାଙ୍କୁ ସେହି ପାକିସ୍ତାନରେ ହିଁ ତାଲିବାନୀମାନେ ହତ୍ୟା କରିଥିଲେ। ସମସ୍ତେ ସବୁ ଜାଣନ୍ତି। କିନ୍ତୁ ଭାରତକୁ ବୁଝିବାକୁ ହେବ ପାକିସ୍ତାନ ସେମାନଙ୍କୁ କି ଗଦ ଶୁଙ୍ଘାଇଛି ଯେ ସେମାନେ ଚେଇଁ ଶୋଇଛନ୍ତି!!

 

ସନ୍ତ୍ରାସବାଦ ଓ କାଶ୍ମୀର ସମସ୍ୟା :

 

ଏ ଦୁଇଟି ସମସ୍ୟାକୁ ଆମକୁ ଅଲଗା ଅଲଗା ଦୃଷ୍ଟିକୋଣରୁ ବିଚାର କରିବାକୁ ହେବ। ସନ୍ତ୍ରାସବାଦ ଏକ ମାନବ ବିରୋଧୀ ଆନ୍ତର୍ଜାତିକ ସମସ୍ୟା। ତାକୁ ସେହି ଭାବରେ ଅନୁଧ୍ୟାନ କରି ତା’ର ନିଦାନ ଖୋଜିବାକୁ ହେବ। ଦୁଃଖର ବିଷୟ ସନ୍ତ୍ରାସବାଦ ଆଗରେ ସୁରକ୍ଷା ବଳ ଓ ସୈନ୍ୟବାହିନୀ ମଧ୍ୟ ବିବଶ ହୋଇଯାଉଛି। ଏହି ବିବଶତା ସ୍ପୃହଣୀୟ ନୁହେଁ। ଯଦି ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ସୈନ୍ୟବଳ ସେମାନଙ୍କର ନିଜ ସୁରକ୍ଷା କରି ନପାରିବେ, ସେମାନେ ନିରସ୍ତ୍ର ସାଧାରଣ ଜନତାଙ୍କୁ ଏ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିବେ କେମିତି? ସନ୍ତ୍ରାସବାଦୀମାନଙ୍କୁ ନିପାତ କରିବା ପାଇଁ ବାହାର ଦେଶକୁ ପଶିଯିବାର ଆବଶ୍ୟକତା ନାହିଁ। ବାହାରୁ ଆମଦାନୀ ହେଉ ବା ଭିତରୁ ତିଆରି ହେଉ ସନ୍ତ୍ରାସବାଦକୁ ଦୟାମାୟା ନରଖି ସଫାୟା କରିବାକୁ ହେବ। ସନ୍ତ୍ରାସବାଦ କାର୍ଯ୍ୟକଳାପ କାଶ୍ମୀର, ପଞ୍ଜାବ, ମୁମ୍ୱାଇ ବା ଦିଲ୍ଲୀରେ ଘଟୁ, କି ଲାଲ କରିଡରରେ ଘଟୁ ସେମାନଙ୍କୁ ଦୃଢ଼ ହସ୍ତରେ ନିପାତ କରିବାକୁ ହେବ। ନରହତ୍ୟାରେ ବ୍ୟାପୃତ ସନ୍ତ୍ରାସବାଦୀମାନଙ୍କର କୌଣସି ଆଦର୍ଶ ନାହିଁ; ଜାତି, ଧର୍ମ, ଜାତୀୟତା କିଛି ନାହିଁ। ସେମାନେ ନରହନ୍ତା, ଜହ୍ଲାଦ। ତାଙ୍କୁ ସେହିପରି ଭାବରେ ଜବାବ ଦେବାକୁ ହେବ।

 

କାଶ୍ମୀର କଥା ଅଲଗା। ଏହା ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ଏକ ପ୍ରଦେଶ। କାଶ୍ମୀର ଉପରେ ଭାରତ ବ୍ୟତୀତ ଅନ୍ୟ କୌରସି ଦେଶର ମୁହଁ ଖୋଲିବାର ବିଧିସମ୍ମତ ଅଧିକାର ନାହିଁ। ୧୯୪୭ର ଭାରତ ସ୍ୱାଧୀନତା ଆଇନ ବା ରେଡକ୍ଲିଫ ସୀମା କମିଟି ରିପୋର୍ଟରେ ପାକିସ୍ତାନକୁ କାଶ୍ମୀର ଉପରେ କୌଣସି ଅଧିକାର ଦିଆଯାଇନାହିଁ। କାଶ୍ମୀରର ମହାରାଜା ହରିସିଂହ ଭାରତ ସହିତ ଅଧିଗ୍ରହଣ ପତ୍ରରେ ସ୍ୱାକ୍ଷର କରିଛନ୍ତି। ତେଣୁ ବିଧିମୁତାବକ କାଶ୍ମୀର ଭାରତର। ପାକିସ୍ତାନ କାଶ୍ମୀରର ଏକ ବଡ଼ ଅଞ୍ଚଳକୁ ଦଖଲ କରିରଖିଛି। ତେଣୁ ଜାତିସଂଘର ଗଣଭୋଟ କଥା ସେଇଠି ଅକାମୀ ହୋଇଯାଇଛି। କାଶ୍ମୀରକୁ ହାତେଇବାକୁ ପାକିସ୍ତାନ ୧୯୪୭-୪୮, ୧୯୬୫, ୧୯୭୧, ୧୯୯୯ରେ ଚାରୋଟି ଯୁଦ୍ଧ କରି ପରାଜୟବରଣ କରିଛି। ୧୯୮୯ ଠାରୁ ଭାରତ ବିରୁଦ୍ଧରେ ଛାୟାଯୁଦ୍ଧ ଜାରିରଖି କାଶ୍ମୀରର ସରଳ ଜନସାଧାରଣଙ୍କର ସର୍ବନାଶ କରୁଛି। ସେମାନଙ୍କର ସୁଖଶାନ୍ତି ବିନଷ୍ଟ କରୁଛି। ପାକ୍ ଅଧିକୃତ କାଶ୍ମୀରବାସୀକୁ ନିର୍ଯାତନା ଦେଇ ସେମାନଙ୍କର କଣ୍ଠରୋଧ କରୁଛି। କାଶ୍ମୀରରେ ସକ୍ରିୟ ଥିବା ପାକ-ପ୍ରାୟୋଜିତ ସନ୍ତ୍ରାସବାଦୀମାନଙ୍କୁ ପାକିସ୍ତାନ ସ୍ୱାଧୀନତା ସଂଗ୍ରାମୀ ବୋଲି କହୁଛି। ମୁଷ୍ଟିମେୟ ହୁରିୟାତ୍ ନେତାମାନଙ୍କୁ ଉତ୍କୋଚ ଦେଇ ସେମାନଙ୍କୁ ହାତବାରିସି କରିଛି। ଏହି ସନ୍ତ୍ରାସବାଦୀମାନଙ୍କର କାଶ୍ମୀରବାସୀଙ୍କ ବିଶ୍ୱାସ ଓ ସଂସ୍କୃତି ପ୍ରତି କୌଣସି ସମ୍ମାନ ନାହିଁ। କ୍ରିଷ୍ଟାଇନ ଫେୟାର‍୍‌ ନାମକ ଜଣେ ସ୍ତମ୍ଭକାର କହନ୍ତି ଯେ ‘The Pakistanies may never have Kashmir, but their violence has transformed it socially and culturally.’

 

 ଏ ଲେଖକ ପାକିସ୍ତାନ ସହିତ ଏକ ଅଦରକାରୀ ଖୋଲା ଯୁଦ୍ଧର ପକ୍ଷପାତୀ ନୁହଁ। କିନ୍ତୁ ସେ ଚାହେଁ କାଶ୍ମୀର ସମସ୍ୟାରେ ପାକିସ୍ତାନର ମୁହଁଖୋଲାକୁ ଭାରତ ବନ୍ଦକରୁ। କାଶ୍ମୀର ସମସ୍ୟା ଭାରତର ନିଜସ୍ୱ। ଏଥିପାଇଁ ପାକିସ୍ତାନ ସହିତ ଦ୍ୱିପାକ୍ଷିକ କଥାବାର୍ତ୍ତାର ଆବଶ୍ୟକତା କ’ଣ? ଭାରତର ସମସ୍ୟା, ଭାରତରେ ତା’ର ସମାଧାନ ହେବ।

 

ଭାରତୀୟ ସୈନ୍ୟବାହିନୀ ସନ୍ତ୍ରାସବାଦକୁ ଦୃଢ଼ତାର ସହିତ ମୁକାବିଲା କରୁ। ଭାରତ ଭିତରୁ ବା ବାହାରୁ ଭାରତକୁ ଆସିଥିବା ସନ୍ତ୍ରାସବାଦୀଙ୍କୁ କୌଣସି ଉପ୍ରୋଧ ନରଖି ଗୋଡେ଼ଇ ଗୋଡେ଼ଇ ମାରୁ। ସୈନ୍ୟବାହିନୀ ସଜାଗ ରହନ୍ତୁ, ସନ୍ତ୍ରାସବାଦୀ ହାତରେ ଜଣେ ବି ସୈନ୍ୟ ପ୍ରାଣତ୍ୟାଗ କଲେ ତା ଭାରତ ପାଇଁ ଏକ ଲଜ୍ଜା ଓ ପରିତାପର ବିଷୟ। ସନ୍ତ୍ରାସବାଦୀଙ୍କ ଅନୁପ୍ରବେଶ ବା ଉପିତ୍ତିସ୍ଥଳଗୁଡ଼ିକ ଚିହ୍ନଟ କରି ସନ୍ତ୍ରାସବାଦକୁ ଶେଷ କରାଯାଉ। ସୀମାପାର ସନ୍ତ୍ରାସବାଦ କଥା ଭାରତ ଆନ୍ତର୍ଜାତିକ ଫୋରମ‍୍‌ମାନଙ୍କରେ ଉଠାଉ। ପାକିସ୍ତାନ ଯେ ବିଶ୍ୱ ଶାନ୍ତିର ଧ୍ୱଂସକାରୀ ଏକ ଆତଙ୍କବାଦୀ ରାଷ୍ଟ୍ର ଏ ବିଷୟ ବିଶ୍ୱବାସୀଙ୍କୁ ଭାରତ ବୁଝେଇଦଉ।

 

କୂଟନୈତିକ ଆକ୍ରମଣ କରି ପାକିସ୍ତାନକୁ ଏକୁଟିଆ ବାଆଁରା କରିଦେବା ପାଇଁ ଭାରତ ସମସ୍ତ କୌଶଳ ପ୍ରୟୋଗ କରୁ। ମିଳିତ ଜାତିସଂଘ ବା ଅନ୍ୟାନ୍ୟ ଆଞ୍ଚଳିକ ସଂଗଠନମାନଙ୍କରେ ପାକିସ୍ତାନର ଗୁମର ପଦାରେ ପକାଯାଇପାରେ। ସାର୍କଦେଶମାନେ ପାକିସ୍ତାନଠାରୁ କରଛଡ଼ା ଦେବାକୁ ଆରମ୍ଭ କଲେଣି। କିଏ ହୁଏତ ଭାବୁଥିବ ପାକିସ୍ତାନ କଂସାରୀ ଘରର ପାରା, ତା ଉପରେ ଏ କୂଟନୈତିକ ଆକ୍ରମଣର ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ବର୍ତ୍ତମାନ ବିଶ୍ୱ ରାଜନୀତିର ସ୍ଥିତି ଯାହା... କୂଟନୈତିକ ଯୁଦ୍ଧ ବେଶ ଫଳପ୍ରଦ ହେବ।

 

ବିଶ୍ୱର ପ୍ରମୁଖ ଦେଶମାନେ ପାକିସ୍ତାନ ଉପରେ ଅର୍ଥନୈତିକ, ସାମରିକ ପ୍ରତିବନ୍ଧକ ଲଗାଇ ପାରିବେ। ଆମେରିକା ପାକିସ୍ତାନକୁ ଅଧିକ ଏଫ-୧୬ ଯୁଦ୍ଧ ବିମାନ ଦେବାକୁ ମନା କରିଦେଇଛି। ଭାରତ ନିଜଆଡ଼ୁ ଅର୍ଥନୈତିକ ସମ୍ପର୍କକୁ ହ୍ରାସ କରିପାରେ। ବାଣିଜ୍ୟିକ ପ୍ରତିବନ୍ଧକଗୁଡ଼ିକୁ କଡ଼ାକଡ଼ି ଲାଗୁ କରିପାରେ। ଭାରତ ସିନ୍ଧୁନଦୀର ୧୯୬୦ ଜଳ ଚୁକ୍ତିକୁ ବାତିଲ କରିଦେଇପାରେ। ଏହା ପାକିସ୍ତାନର ବିଦ୍ୟୁତ୍ ଯୋଗାଣ ଓ ଜଳସେଚନ କାର୍ଯ୍ୟକୁ ପ୍ରଭୁତ କ୍ଷତି ପହଞ୍ଚାଇବ। ସିନ୍ଧୁ ନଦୀର ଜଳଚୁକ୍ତିକୁ ରଦ୍ଦକଲେ ପାକିସ୍ତାନର ଅର୍ଥନୀତି ଦୋହଲି ଯିବ। ଯୁଦ୍ଧକୁ ଛାଡ଼ି ପାକିସ୍ତାନକୁ ବାଟକୁ ଆଣିବାକୁ ଉପାୟ ଅନେକ ଅଛି। କିନ୍ତୁ ସେ ସବୁ ଉପାୟକୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରିବାର ଅଛି।

 

ଯଦି ଯୁଦ୍ଧ ହୁଏ ତା’ହେଲେ?

 

ଯୁଦ୍ଧ ହେଲେ ଭାରତ ପାଖରେ ବିକଳ୍ପଗୁଡ଼ିକ ନିମ୍ନୋକ୍ତ ପ୍ରକାର-

 

ପ୍ରଥମ ବିକଳ୍ପ - ଉଗ୍ରବାଦୀ ଶିବିରମାନଙ୍କ ଉପରେ ବିମାନ ଆକ୍ରମଣ। ଏଥିରେ ମିରେଜ-୨୦୦, ଜାଗୁଆର, ସୁଖୋଇ ଯୁଦ୍ଧବିମାନଗୁଡ଼ିକ ଅଂଶଗ୍ରହଣ କରିବେ। ଏହି ବିମାନ ଆକ୍ରମଣ ବେଳେ ସ୍ଥଳସେନାର ଆବଶ୍ୟକତା ନାହିଁ।

 

୨ୟ ବିକଳ୍ପ - ବିଶେଷ ଭାବରେ ପ୍ରଶିକ୍ଷିତ ସ୍ଥଳସେନା ଦ୍ୱାରା ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ।

 

୩ୟ ବିକଳ୍ପ - କ୍ଷେପଣାସ୍ତ୍ର ଆକ୍ରମଣ। ଏଥିରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ସ୍ମର୍ଚ ରକେଟ ବ୍ୟବହାର କରାଯାଇପାରିବ। ଏଥିରେ ସୈନ୍ୟବାହିନୀର କେହି ମୃତାହତ ହେବାର ସମ୍ଭାବନା ନାହିଁ। କିନ୍ତୁ ପାକିସ୍ତାନର ପ୍ରତିଆକ୍ରମଣ ମଧ୍ୟ ବ୍ୟାପକ ହେବ।

 

୪ର୍ଥ ବିକଳ୍ପ - ନିୟନ୍ତ୍ରଣ ରେଖା ପାଖରେ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଠୁଳ କରିବା ଓ ସେଇଠାରୁ ପାକିସ୍ତାନ ଆର୍ମିପୋଷ୍ଟକୁ ଆକ୍ରମଣ କରିବା।

 

୫ମ ବିକଳ୍ପ - ଇନ‍୍‌ଫାଣ୍ଟ୍ରି ପ୍ଲାଟୁନ‍୍‌ ଦ୍ୱାରା ସୀମାର କିଛି ଦୂର ପର୍ଯ୍ୟନ୍ତ ଓ ପାରା ସ୍ପେଶିଆଲ‍୍‌ ଫୋର୍ସ ଦ୍ୱାରା ଅନେକଦୂର ଯାଏ ଆକ୍ରମଣ କରାଯାଇ ପାରିବ।

 

କିନ୍ତୁ ଏଠାରେ ମନେରଖିବାକୁ ହେବ ଯେ ନିୟନ୍ତ୍ରଣ ସୀମାରେଖା ପାରିହୋଇ ପାକିସ୍ତାନ ମଧ୍ୟରେ ପ୍ରବେଶ କରି ସାମରିକ ବିଶେଷଜ୍ଞମାନେ ଯେଉଁ ସୀମିତ ତଥା ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ କଥା କହୁଛନ୍ତି... ତାହା ବାସ୍ତବରେ ସୀମିତ ରହିବ ନାହିଁ। ଏହା ଏକ ଖୋଲାଖୋଲି ଯୁଦ୍ଧ ଆଡ଼କୁ ବାଟ କଢ଼େଇ ନେବ। ତେବେ ଏହି ସର୍ଜିକାଲ‍୍‌ ଅପରେସନ‍୍‌ ହିଁ ପ୍ରଥମ ବିକଳ୍ପ।

 

ଭାରତ ସରକାରଙ୍କ ମତିଗତିରୁ ଯାହା ଜଣାପଡ଼ୁଛି ଭାରତ ପାକିସ୍ତାନ ସହିତ ଏକ ଖୋଲାଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇନାହିଁ। ୧୯୭୧ ମସିହା ବାଂଲାଦେଶ ଯୁଦ୍ଧ ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବଡ଼ଧରଣର କୂଟନୈତିକ ଯୁଦ୍ଧ ଚଳାଇଥିଲେ। ସୋଭିଏତ୍ ଋଷିଆ ସହିତ ମୈତ୍ରୀଚୁକ୍ତି ହସ୍ତାକ୍ଷର କରିଥିଳେ। ତେଣୁ ଆମେରିକା ପାକିସ୍ତାନକୁ ପ୍ରତ୍ୟକ୍ଷ ସମର୍ଥନ କରିବା ସେତ୍ତ୍ୱ ଭାରତ ବିଜୟ ହାସଲ କରିପାରିଥିଲା। ବର୍ତ୍ତମାନ ପାଇଁ ଭାରତର ପାକିସ୍ତାନ ବିରୋଧୀ କୂଟନୈତିକ ଓ ଅର୍ଥନୈତିକ ଅଭିଯାନ ଅଧିକ ଯୁକ୍ତିଯୁକ୍ତ ହେବ। କିନ୍ତୁ ତା ସହିତ ଭାରତ ତା’ର ସୁରକ୍ଷା ବ୍ୟବସ୍ଥାର ସୁଧାର ଆଣୁ। ଯଦି ଭାରତୀୟ ସେନାଶିବିରକୁ ସନ୍ତ୍ରାସବାଦୀମାନେ କୋମଳ ଲକ୍ଷ୍ୟ ଭଳି ବ୍ୟବହାର କରିପାରିଲେ ତା’ହେଲେ କୋଟି କୋଟି ନିରସ୍ତ୍ର ଭାରତୀୟଙ୍କୁ ସୁରକ୍ଷା ଦେବ କିଏ?

 

କେବଳ ସୀମାବର୍ତ୍ତୀ ରାଜ୍ୟମାନଙ୍କରେ ନୁହେଁ, ସାରା ଭାରତ ପାକ୍ ପ୍ରାୟୋଜିତ ସନ୍ତ୍ରାସବାଦୀଙ୍କ ଟାର୍ଗେଟ‍୍‌ରେ ଅଛି। ଭାରତ ଭିତରକୁ ସନ୍ତ୍ରାସବାଦୀମାନଙ୍କୁ ଅନୁପ୍ରବେଶ କରାଇବାର ପ୍ରଚେଷ୍ଟାକୁ ପଣ୍ଡକରାଯାଉ। କେବଳ କାଶ୍ମୀର ନୁହେଁ ଭାରତର ସର୍ବତ୍ର ସନ୍ତ୍ରାସବାଦୀ ଗତିବିଧିକୁ ନିରୀକ୍ଷଣ କରି ସେମାନଙ୍କୁ କାଢ଼ି ବାହାର କରିଦିଆଯାଉ। କାଶ୍ମୀରର ଜନବସତିମାନଙ୍କରୁ ସନ୍ତ୍ରାସବାଦ ଓ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପାକିସ୍ତାନୀମାନେ ତାଙ୍କ ଦେଶକୁ ସନ୍ତ୍ରାସବାଦର ଏନ୍ତୁଡ଼ିଶାଳରେ ପରିଣତ କରିଛନ୍ତି, ଭାରତର ସୈନ୍ୟବାହିନୀ ଭାରତକୁ ସନ୍ତ୍ରାସବାଦର କବରଖାନାରେ ପରିଣତ କରୁ। ଭାରତବର୍ଷରେ ଭାରତ ବିରୋଧୀ ମାନସିକତାକୁ ଦୃଢ଼ ହସ୍ତରେ ଦମନ କଲେ ସନ୍ତ୍ରାସବାଦୀମାନଙ୍କର ଦମ୍ଭ କମିଯିବ ଓ ସୀମାପାର ଆତଙ୍କବାଦୀମାନେ ଭାରତ ଭିତରକୁ ପଶିବାକୁ ସାହସ କରିବେ ନାହିଁ। ଭାରତ ଭିତରେ ଲାଲ କରିଡୋରରେ ସକ୍ରୀୟ ମାଓବାଦୀ ଓ ଅନ୍ୟ ଦେଶଦ୍ରୋହୀମାନଙ୍କୁ ମଧ୍ୟ ଦୃଢ଼ତାର ସହିତ ଦମନ କରିବାକୁ ହେବ। ଭାରତ ଭିତରେ ସୁରକ୍ଷା ବ୍ୟବସ୍ଥା ଦୋରସ୍ତ ହେଲେ, ପାକିସ୍ତାନକୁ ସବକ ଶିଖାଇବାକୁ ଭାରତ ତା’ର ନିଜର ସମୟ ନେଇପାରିବ। ଭାରତ କେବେ ଚାହିଁବ ନାହିଁ ଭାରତ ଉପମହାଦେଶରେ ଏକ ଆଣବିକ ଯୁଦ୍ଧର ସୂତ୍ରପାତ ହେଉ। କିନ୍ତୁ ପାକିସ୍ତାନ ଭଳି ଗୋଟାଏ ଉନ୍ମାଦ, ଉନ୍ମତ୍ତ ରାଷ୍ଟ୍ର ଯଦି ମାନବବାଦ ପଥ ହୁଡ଼ି ଆଣବିକ ଯୁଦ୍ଧ ଆରମ୍ଭ କଲା... ଭାରତକୁ ତା’ର ଜବାବ ତ ଦେବାକୁ ହେବ!

 

୨୩, ଏକାମ୍ରଭିଲ୍ଲା, ଜୟଦେବ ବିହାର, ଭୁବନେଶ୍ୱର-୭୫୧୦୧୫

ଫୋନ‍୍‌ : ଙ୍ଘ୯୧-୯୪୩୭୫୬୬୫୪


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top