କୋଣାର୍କ ବନ୍ଦର ଦେବୀ ଚିତ୍ରେଶ୍ୱରୀ

News Story - Posted on 2016-10-01

ଅଜିତ କୁମାର ମଲ୍ଲିକ

 

ମା’ ଦୂର୍ଗାଙ୍କ ପୂଜା ପାଇଁ ସବୁ ଶକ୍ତିପୀଠମାନଙ୍କରେ ଆରମ୍ଭ ହୋଇଯାଇଛି ଷୋଳ ପୂଜା। ଧରାପୃଷ୍ଠକୁ ମା’ଙ୍କ ଆଗମନ ଅବସରରେ ଶକ୍ତିପୀଠମାନଙ୍କରେ ଷୋଳପୂଜା ଚାଲୁରହିଥିବାବେଳେ ବିଭିନ୍ନ ବେଶରେ ସୁସଜ୍ଜିତ କରାଯାଇ ପୂଜା କରାଯାଉଛି। ଏହି ପରିପ୍ରେକ୍ଷୀରେ କୋଣାର୍କର ବନ୍ଦର ଦେବୀ ମା’ ଚିତ୍ରେଶ୍ବରୀଙ୍କ ପୀଠରେ ମଧ୍ୟ ଷୋଳପୂଜା ଅନୁଷ୍ଠିତ ହେଉଛି।

 

କୋଣାର୍କ ଥାନାନ୍ତର୍ଗତ ଅବଦାନ ଗ୍ରାମପଞ୍ଚାୟତର ଯଦୁପୁର ଗ୍ରାମର ଅପୂର୍ବ ପ୍ରାକୃତିକ ସୁଷମା ମଣ୍ଡିତ ନୈସର୍ଗିକ ଶୋଭାର ଗନ୍ତାଘର ମଧ୍ୟରେ ଅବସ୍ଥାନ କରିଛନ୍ତି ମା’ ଚିତ୍ରେଶ୍ୱରୀ। ସୂର୍ଯ୍ୟକ୍ଷେତ୍ର ବା ଅର୍କକ୍ଷେତ୍ରର ରକ୍ଷାକର୍ତ୍ତୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ଚିତ୍ରେଶ୍ୱରୀ ହେଉଛନ୍ତି ଅନ୍ୟତମ। ଷୋଳ ପୂଜା ଅବସରରେ ନବମ ଦିବସରେ ମା’ ଚିତ୍ରେଶ୍ୱରୀଙ୍କ ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ ହୋଇଥିଲା।

 

ଐତିହାସିକ ବିବରଣୀରୁ ଜଣାପଡେ ପ୍ରଥମ ଶତାବ୍ଦୀରେ ଏଅଞ୍ଚଳ ଏକ ପ୍ରମୁଖ ନୌବାଣିଜ୍ୟ କେନ୍ଦ୍ର ରୂପେ ଗଢିଉଠିଥିଲା। ସେ ସମୟରେ ଏହି ନୌବାଣିଜ୍ୟ କେନ୍ଦ୍ରର ନାମ ଥିଲା କୋଇନାପୁରା। ପରବର୍ତ୍ତୀ ଅବସ୍ଥାରେ ଏହି ସ୍ଥାନର ନାମ କୋଇନାପୁରାରୁ ଅପଭ୍ରଂଶ ହୋଇ କୋଣାର୍କ ନାମରେ ନାମିତ ହୋଇଥିଲା। କଥିତ ଅଛି ନୌବାଣିଜ୍ୟ କରିବାକୁ ଯାଉଥିବା ସାଧବମନେ ସିଂହଳରୁ ମା’ଙ୍କୁ ଆଣି ଚିତ୍ରୋତ୍ପଳା ନଦୀକୂଳରେ ସ୍ଥାପନ କରି ପୂଜାର୍ଚ୍ଚନା କରୁଥିଲେ। ଚିତ୍ରୋତ୍ପଳା ନଦୀକୂଳରେ ଥିବାରୁ ମା’ଙ୍କୁ ଚିତ୍ରେଶ୍ୱରୀ ନାମରେ ନାମିତ କରାଗଲା।

 

ଏହି ସ୍ଥାନରୁ ସାଧବ ବଣିକମାନେ ସାମୁଦ୍ରିକ ପଥଦେଇ ନୌବାଣିଜ୍ୟ କରିବାକୁ ଗଲାବେଳେ ମା’ ଚିତ୍ରଶ୍ୱରୀଙ୍କଠାରୁ ଶୁଭକାମନା କରି ମା’ଙ୍କୁ ବନ୍ଦର ଦେବୀ ଭାବରେ ପୂଜାର୍ଚ୍ଚନା କରିଆସୁଥିଲେ। ମା’ ବଣିକମାନଙ୍କର ଶ୍ରେଷ୍ଠା ଓ ଅଗ୍ରପୂଜ୍ୟା ଦେବୀ ରୂପେ ପରିଚିତ ଥିଲେ। ସେ ମଧ୍ୟ ଅର୍କକ୍ଷେତ୍ର କୋଣାର୍କର ଅଧିଷ୍ଠାତ୍ରୀ ଦେବୀ। ମା’ ଚିତ୍ରେଶ୍ୱରୀଙ୍କ ଅବସ୍ଥିତି ଓ ମାହାତ୍ମ୍ୟ ସଂପର୍କରେ ସାରଳା ମହାଭାରତ, ପୁରୁଷୋତ୍ତମ ମାହାତ୍ମ୍ୟ, ମାଦଳା ପାଞ୍ଜି ତଥା ବିଭିନ୍ନ ଐତିହାସିକ ବିବରଣିରୁ ଅନେକ ସୂଚନା ମିଳିଥାଏ। ଏତଦବ୍ୟତୀତ ଏ ଅଞ୍ଚଳର ଲୋକମୁଖରେ ମା’ଙ୍କ ସଂପର୍କରେ ଅନେକ କିମ୍ୱଦନ୍ତୀ ପ୍ରଚଳିତ ଅଛି।

 

ମା’ ଦୂର୍ଗାଙ୍କର ଧରା ପୃଷ୍ଠକୁ ଆଗମନ ଅବସରରେ ଏହି ପୀଠ ହୋଇ ଉଠିଛି ପାର୍ବଣମୁଖରିତ। ଏହି ଅବସରରେ ମା’ଙ୍କ ପୀଠରେ  ଆଶ୍ୱିନ ମାସର କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ଷୋଳପୂଜା ଆରମ୍ଭ ହୋଇ ଶୁକ୍ଲପକ୍ଷ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲୁ ରହେ। ମା’ ହେଉଛନ୍ତି ଆଦିକାଳୀ ଷୋଳକଳାର ଉତ୍ସ, ଏଥିପାଇଁ ମା’ଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଇଥାଏ। ଏହି ସମୟରେ ବନ୍ଦର ଦେବୀ ମା’ ଚିତ୍ରେଶ୍ୱରୀଙ୍କ ପୀଠରେ ଷୋଳଦିନ ବ୍ୟାପୀ ଦୁଇବେଳା ଚଣ୍ଡୀପାଠ ଓ ଷୋଡ଼ଶ ଉପଚାରରେ ବିଭିନ୍ନ ବେଶ କରାଯାଇ ପୂଜାନୀତି ସଂପନ୍ନ କରାଯାଉଛି। ପ୍ରତ୍ୟହ ମା’ଙ୍କ ପୀଠରେ ଭୋର ୪ ଟାରେ ପହଡ଼ ଖୋଲା ଯାଇ ମା’ଆଙ୍କୁ ସୁବାସିତ ଜଳରେ ସ୍ନାନ ଓ ମାଜଣା କରାଯିବା ପରେ ସକାଳ ୫ ଟାରେ ମଙ୍ଗଳ ଆଳତୀ, ମହାପ୍ରସାଦ, ବଲ୍ଳଭ ଭୋଗ, ଦହୀ, ଖଇ ଓ ଖେଚୁଡି ଭୋଗ କରାଯାଉଛି। ପ୍ରାତଃ ସମୟରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ନିମନ୍ତେ ପହଡ଼ ଖୋଲା ରୁହୁଛି। ମଧ୍ୟାହ୍ନରେ ସାଧା ଅନ୍ନ, ମାଛ ବେସର, କାକରା, ଡ଼ାଲି, ଖଟା ଓ ଖିରି ଭୋଗ ଲାଗି ହେଉଛି। ମଧ୍ୟାହ୍ନ ଆଳତି ପରେ ଅପରାହ୍ନ ୧୨ଟାରୁ ୧ ଘଟିକା ପର୍ଯ୍ୟନ୍ତ ପହଡ଼ ପଡୁଛି଼। ପୂନର୍ବାର ୧ ଟାରୁ ସଂଧ୍ୟା ୬ ଟା ପଯ୍ର୍ୟନ୍ତ ସାଧାରଣ ଦର୍ଶନ ଲାଗିରହୁଛି। ସଂଧ୍ୟା ୬ ଟାରେ ଆଳତି, ୬ ଟା ୩୦ ରେ ସ୍ନାନ ଓ ବାଳଭୋଗ, ରାତି ୧୦ ଟାରେ ଦହିପଖାଳ,ପଣା, କାକରା ଆଦି ଭୋଗ ହେଉଛି। ରାତ୍ର ଭୋଗ ଶେଷରେ କଂସାପାତ୍ରରେ ପଇଡ଼ପାଣିକୁ ମଦ୍ୟ ରୂପେ ମା’ଙ୍କୁ ସମର୍ପଣ କରାଯାଉଛି। ରାତ୍ର ୧୧ ଟାରେ ବଡ଼ସିଂହାର ଧୂପ ଓ ଆଳତି ପରେ ପହଡ଼ ପଢୁଛି଼। ସକାଳ ମଙ୍ଗଳ ଆଳତି ଓ ରାତିରେ ବଡ଼ସିଂହାର ଧୂପ ଆଳତିକୁ  ମିଶାଇ ମାଆଙ୍କ ନିକଟରେ ମୋଟ ୫ ଥର ଆଳତି କରାଯାଉଛି।

 

ମହାଷ୍ଟମୀ ଦିନ ରାତି ୩ ଟାରେ ଘିଅ ସହିତ ୧୦୮ ବେଲପତ୍ରକୁ ହୋମାଗ୍ନିରେ ଆହୁତି କରାଯିବ ବୋଲି ମୁଖ୍ୟ ସେବାୟତମାନେ କହିଛନ୍ତି। ଷୋଳ ପୂଜା ଅବସରରେ ମା’ଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ ଲାଗିରହୁଛି। ମା’ହେଉଛନ୍ତି ଏ ଅଞ୍ଚଳର ସମୁଦ୍ର ରକ୍ଷାକର୍ତ୍ତୀ ଦେବୀ। ପୂର୍ବେ ଏଠାରେ ପ୍ରତ୍ୟହ ଶହଶହ ସଂଖ୍ୟାରେ ଛେଳି, ମେଣ୍ଢା ଓ ବୋଦାଙ୍କୁ  ବଳି ଦିଆଯାଉଥିଲା। ଏବେ ବଳିପ୍ରଥାକୁ ବନ୍ଦ କରିଦିଆଯାଇ ଥିବା ବେଳେ କିଛି ମାନସିକଧାରୀ ଭକ୍ତ ମା’ଙ୍କ ପୀଠର ଅନତି ଦୂରରେ ପଶୁବଳି ଦେଉଥିବାବେଳେ କେତେକ ଶ୍ରଦ୍ଧାଳୁ ମା’ଙ୍କ ନିକଟରେ ପାଣିକଖାରୁ ବଳିଦେଇଥାନ୍ତି। ପାର୍ବଣ ଅବସରରେ ମା’ଙ୍କ ପୀଠରେ ମାଛ ବେସର ଶ୍ରଦ୍ଧାଳୁଙ୍କୁ ବେଶ ଆକୃଷ୍ଟ କରିଥାଏ।

 

ଇଟାରେ ନିର୍ମିତ ମା’ ଆସ୍ଥାନଟି ସଂପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ନୂତନ ଭାବେ ନିର୍ମାଣ କରାଯାଇଥିବା ମନ୍ଦିରଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। ମା’ଙ୍କ ସେବା ପାଇଁ ୩୬ ପାଟକ ନିଯୋଗ ରହିଥିବା ବେଳେ ୬୦ ଏକର ଜମି ରହିଛି। ମା’ଙ୍କ ସମ୍ପତ୍ତିକୁ ଏବେ ଜମି ମାଫିଆମାନେ ଜବରଦଖଲ କରିଯାଇ ଥିବାରୁ ସମ୍ପତ୍ତିର ଆୟ ମନ୍ଦିରକୁ ଆସିପାରୁ ନାହିଁ। ଯାହା ଫଳରେ ଅର୍ଥାଭାବ ଯୋଗୁଁ  ମା’ଙ୍କ ପୀଠର ବିକାଶ ଘୋର ଅନ୍ତରାୟ ସୃଷ୍ଟି ହେଉଛି।

 

ଶ୍ରଦ୍ଧାଳୁଙ୍କ ପ୍ରତି ମା’ଙ୍କର ଅପାର କରୁଣା ରହିଥିବାବେଳେ ପୀଠରେ ରହିଛି ସ୍ୱତନ୍ତ୍ର ମାହତ୍ମ୍ୟ। ଏହି ପୀଠର ସାଧାଅନ୍ନ ଓ ମାଛ ବେସର ବେଶ ସ୍ୱାଦିଷ୍ଟ। ଯିଏ ଥରେ ଖାଇଛି ସିଏ ଜୀବନ ସାରା ଝୁରୁଛି। ଯଦୁପୁର ଗ୍ରାମର ବାସିନ୍ଦା ତଥା ସମାଜସେବୀ ନିରଞ୍ଜନ ବାରିକ କୁହନ୍ତି କୋଣାର୍କଠାରୁ ୧୦ କିଲୋମିଟର ଦୂରରେ ମା’ଙ୍କ ପୀଠଟି ଅବସ୍ଥିତି ହୋଇଥିଲେ ମଧ୍ୟ ଏହି ଐତିହାସିକ ପୀଠଟି ଚିର ଅବହେଳିତ ଅବସ୍ଥାରେ ପଡିରହିଛି। ଏହି ଐତିହାସିକ ପୀଠଟି ସରକାରୀ ଉଦାସୀନତାର ଶିକାର ହୋଇ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଳି ଆସିଲାଣି। ଏହି ପୀଠକୁ ସରକାରଙ୍କ ପ୍ରୋତ୍ସାହନ ମିଳିଲେ ପୀଠଟି ବିକଶିତ ହୋଇ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେବାସହ ପ୍ରମୁଖ ଦେବୀ ପୀଠ ଭାବରେ ପ୍ରତିଷ୍ଠା ଲାଭ କରିପାରିବ।

 

ମୋ-୯୨୩୭୫୫୮୮୫୦/୯୦୪୦୬୦୦୨୩୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top