ବାଣୀ, ବଚନ, ପ୍ରତିଶ୍ରୁତି

News Story - Posted on 2016-09-30

ରବି କାନୁନ୍‌ଗୋ

 

ପିଉସୀ, ମାଉସୀ, ଦେଠେଈ, ଖୁଡ଼ୀ - ଭେଟ ହେଲେ ଦରକାର ମୁତାବକ ସମ୍ମାନ ଆଦର କରିବାକୁ ପଡେ଼। ହଁ, ଆଭଏଡ‌୍‍ କଲେ ଚଳିବ ଯେ ହେଲେ ରିସ୍କ‌୍‍ ଅଛି। ଉପର ତନି ଶବ୍ଦର ତାରତମ୍ୟ ବି ସେମିତି ରିସ୍କି। ଯଥା - ଯେମିତି ପ୍ରେମରେ ‘ବାଣୀ’ କୁହାଯାଏନି, ଧର୍ମରେ ‘ପ୍ରତିଶ୍ରୁତି’ ଚଳେନି କି ଦପ୍ତରରେ ‘ବଚନ’ର କିଛି ମାନେ ନ ଥାଏ।

  

‘ବଚନ’ - ଜଣେ ଇଚ୍ଛା ନକଲେ ଏହା ତୁଣ୍ଡରୁ ବାହାରେ ନାହିଁ। ଯଦି ଆଉ କିଛି ଶୁଭେ ତାହା କ୍ରନ୍ଦନ, ରୋଦନ ବା ଚିତ୍କାର ଇତ୍ୟାଦି। ତେଣୁ ‘ବଚନ’ ସବୁବେଳେ ଜଣଙ୍କୁ ବାପା ରାଣ ପକେଇବା ଶିଖାଉ ଥାଏ। ପଛରେ ଭୁରୁଡେ଼ଇବ ପଛେ, ତତ୍କାଳ ଜଣେ ନିଜ ଉଚ୍ଚାରଣ (ବଚନ) ପାଖରେ ବନ୍ଧା ପଡେ଼।

 

ଅଙ୍ଗଲିଭା କଥା। ସତୁରୀ ଦଶକର ଶେଷ ଭାଗ। ପ୍ରଥମ ଥର ଦିଲ୍ଲୀ ଯାଉଥାଏ। ବାହାଘର ନୂଆନୂଆ। ପତ୍ନୀ ନିଜ ପାଇଁ କିଛି ଆଣିବାକୁ ଶକ୍ତ‌୍‍ ମନା କରିଥିଲେ। ବରଂ କହିଲେ ଯେ ଯଦି ଟୁର‌୍‍ ପଇସାରୁ କିଛି ‘ମାରି ପାରିବ କି ବଞ୍ଚେଇ ପାରିବ’, ତା’ହେଲେ ‘ବୋଉ’ଙ୍କ ଲାଗି ଖଣ୍ଡେ ଚଉଡ଼ା ନାଲି ବର୍ଡର ସିଲ‌୍‍କ ଶାଢ଼ି ଆଣିବ। ମାନଚିତ୍ର ଦେଖି ସେ ଜାଣିଥିଲେ ସେଠୁଁ କାଶ୍ମୀର ପାଖ, ତେଣୁ ଦିଲ୍ଲୀରେ ସିଲ‌୍‍କ ଶସ୍ତା। ବାପାଙ୍କ ଲାଗି ହଳେ ଲେଦର‌୍‍ ଚପଲ। ସେଠୁ ଲକ୍ଷ୍ନୌ ପାଖ। ଏମିତି ତାଲିକାରେ ‘କମ୍ପଲସରି’ ଥିଲା ଆଠ ଦଶ, ଆହୁରି ଦେଢ଼ କି ଦି’ ଡଜନ ‘ଅପ୍ସନାଲ‌୍‍’।

 

ଟୁର‌୍‍ ଅର୍ଥରୁ ଏତେ ‘ମାରି’ ବା ‘ବଞ୍ଚେଇ’ ଏ ବିଶାଳ ପ୍ରକଳ୍ପ ସଂପାଦନ କରିବା ମୋ ପକ୍ଷେ ଅସମ୍ଭବ ବିଚାରି ଦିଲ୍ଲୀ ପହଞ୍ଚି ପ୍ରଥମେ ସେ ତାଲିକାଟାକୁ ହଜେଇ ଦେଲି। କାମରେ ମନ ଲାଗିଲା ଓ ଟେନ‌୍‍ସନ‌୍‍ କମିଗଲା। ତେବେ ବି, ଦି’ ଦିନ ପରେ ମନ ସାକୁଲେଇଲା। କିଛି କିଣିବାନି ନା?

 

ସେକାଳ, ପୁରୁଣା ଦିଲ୍ଲୀ ଫୁଟ‌୍‍ପାଥ‌୍‍। ନାନା ଦୁର୍ନାମରେ ଭୂଷିତ। ସେଥିରୁ ଗୋଟିଏ ଥିଲା - ବେପାରୀ ଥରେ ଗରାଖ ଧରିଲେ, ଆଉ ଛାଡ଼ିବନି। ତମେ ଠକି ଯିବ ହିଁ ଯିବ। ଏ ସତର୍କତା ମନେ ରଖି କୌଣସି ଉତ୍ସୁକତା ନ ଦେଖେଇ ଚାଲୁଥାଏ। ଆଖି ପଡ଼ିଗଲା ଗୋଟିଏ ଲେଡିଜ‌୍‍-ସ୍କାର୍ଫ ଉପରେ। ଟିକେ ଅଧିକ ଅନେଇ ଦେଲି।

 

ତା’ପରେ ସବୁ ଉଦ୍ୟମ ଦୋକାନୀ ଆଡ଼ୁ ଚାଲିଲା, କେମିତି ମତେ ସେଖଣ୍ଡିକ ବିକିବ। ମୁଁ ବି ହୁସିଆର ରହିଲି, ଯେମିତି ଠକି ନ ଯିବି।

 

ସ୍କାର୍ଫ ମାନେ - ଏମିତି ଖାସ‌୍‍ କିଛି ନୁହେଁ। ଭେଲ‌୍‍ଭେଟିଆ କଳା ଉଲ‌୍‍ର ଫୁଲଗୁଡ଼ିଏ। ପେନ୍ଥା ଅଙ୍ଗୁର ମାଡ଼ିବା ପରି ବଢ଼ିଆ ଷ୍ଟାଇଲ‌୍‍ରେ ଗୁନ୍ଥା ହୋଇଛି। ଦେହଟା ସାରା ଖୋଲା ବେଶି, ବନ୍ଦ କମ‌୍‍। ଶୀତ ଅଟକାଇବା ଶକ୍ତି ମୋଟୁରୁ ନାହିଁ। ଭାବିଲି, ଯିଏ ନିଜ ଲାଗି କିଛି ବରାଦ କରିନି ତାକୁ ଏଇଟା ବଢ଼ିଆ ମାନିବ।

 

ତା’ପରେ ଫେରିବାଲା କହିଲା - କୁଆଡେ଼ କାଶ୍ମୀରର କେବଳ ଗୋଟିଏ ପରିବାର ଏ ଡିଜାଇନ‌୍‍ ତିଆରି କରେ ବା ତତ‌୍‍ସମ ବାକ‌୍‍ଚାତୁରି। ମୂଲ୍ୟ ୨୫୦ ଟଙ୍କା। ଯେତେ ମନା କଲେ ବି, ବାରମ୍ୱାର ସ୍କାର୍ଫର ଗୁଣ ବର୍ଣ୍ଣନା କରି ମୋ ହାତକୁ ଧରୋଉଥାଏ। ବିରକ୍ତ ହୋଇ କହିଲି - ଆରେ ବାବା ଛାଡ‌୍‍, ମୁଁ ନେବିନି।

 

ହଉ ସାର‌୍‍ ଆପଣ ମନରେ କିଛି ରେଟ‌୍‍ ଭାବି ଜିନିଷଟା ଦେଖିଲେ ନା? ଫୋକଟରେ ତ ନୁହେଁ। ହଁ, କାଳେ ମୁଁ ଅଧିକା କହଥିବି। ଆପଣ କୁହନ୍ତୁ - ପୋଷେଇଲେ ଦେବି ନ ହେଲେ ନାହିଁ, ମୁଁ କ’ଣ ଜବରଦସ୍ତ କରୁଛି କି? କିନ୍ତୁ ଏ ମାଲ‌୍‍ ଏତେ ଶସ୍ତାରେ ଆପଣ ହୋଲ‌୍‍ ଇଣ୍ଡିଆରେ ପାଇବେନି।

 

ସେ ମତେ ଛାଡ଼ୁ ନ ଥାଏ। ନିସ୍ତାର ପାଇବାକୁ ନିହାତି ନରଖରିଆ ବାରଗେନିଂ ରେଟ‌୍‍ କହିଲି - ୨୫ ଟଙ୍କା ନବ? ମୋ ପାଇଁ ଫାଇନାଲ‌୍‍। ଚାଲିଲି ଭାଇ।

 

ତା’ପରେ ଦାର୍ଶନିକ ରୂପେ ଫେରିବାଲା କହିଲା - ଭାଇସାବ‌୍‍, ମୁଁ ହାରିଗଲି। ହଉ, ଦିଅନ୍ତୁ। କହି ସ୍କାର୍ଫଟିକୁ ସୁଦୃଶ୍ୟ ଖୋଳରେ ପୂରେଇଲା। ଦେଖିଲେ ଜଣା ପଡ଼ିବ ଯେମିତି ତାହା ସମ୍ଭ୍ରାନ୍ତ ଦୋକାନରୁ କିଣା ହୋଇଛି।

 

ମୋ ମନରେ ନୂଆ ପାପ ପଶିଲା। କହିଲି - କୋଡ଼ିଏ ଦେବି?

 

ସେ ରାଗିଲାନି କି ରୁଷିଲାନି। ବରଂ କହିଲା, ଆପଣ ନିଜ ‘ବଚନ’ ବି ରଖି ପାରୁନାହିଁାନ୍ତି। ହଉ ଦିଅନ୍ତୁ।

 

‘ବଚନ’ଠାରୁ ପାଞ୍ଚ ଟଙ୍କା ମତେ ଅଧିକ ଲାଗି ନ ଥିଲା। ତାକୁ ମୁଁ ପଚିଶ ଦେଇଥିଲି। ମାତ୍ର ଗୋଟିଏ ଶୂନ୍ୟତା ମୋ ପାଖରେ ରହିଗଲା। ମୁଁ ତାକୁ ଠକିଲି ନା ସେ ମତେ ଠକିଲା?

 

ସେ ଖଣ୍ଡିକ ଆଜି ବି ଘରେ ସଇସଲାମତ‌୍‍ ଅଛି। ଏହାର ପ୍ରଥମ ଏବଂ ଶ୍ରେଷ୍ଠ କାରଣ - ସମସ୍ତେ ଜାଣନ୍ତି ଯେ ତାହା ପଚିଶ ଟଙ୍କିଆ ଫେରିବାଲା ମାଲ‌୍‍। ନେବାକୁ କେହି ଲୋଭ କରି ନାହାନ୍ତି। ସେହି ସ୍କାର୍ଫ ମନେ ପକେଇ ଦିଏ କେତେ କଥା। ଲାଗେ, ଆଇନ ଡେଇଁବା ବରଂ ସହଜ, ‘ବଚନ’ ଡେଇଁବା ଭାରି କଷ୍ଟ।

 

‘ବାଣୀ’ - ଏ ଶବ୍ଦ ପୁଞ୍ଜ କାହାରି ସାଙ୍ଗରେ ଦଉଡ଼ାଧାପଡ଼ କି କୁସ୍ତି କସରତ କରନ୍ତିନି। ଏଗୁଡ଼ିକୁ ଡେଇଁବା ସହଜ, ମାତ୍ର ଖାସ‌୍‍ କାହାରି ଦରକାର ପଡେ଼ନି। ବୁଦ୍ଧ-ବାଣୀ ‘କାମନାର ବିନାଶରେ ଦୁଃଖର ବିନାଶ’ ବା ଗୀତା-ବାଣୀ ‘ଯହି ଶତ୍ରୁଂ ମହାବାହୋ କାମରୂପଂ ଦୁରାସଦମ’- ଏଗୁଡ଼ିକ କୋଉ ପୁଅ ନ ଜାଣିଛନ୍ତି ଯେ? କେହି ମାନନ୍ତିନି କି ଡିଅଁନ୍ତିନି - ଦଣ୍ଡବତ ମାରି ଆଗକୁ ଚାଲନ୍ତି। ସେମିତି, ଗାନ୍ଧି-ବାଣୀ। ସମ୍ୱିଧାନ ସଂଶୋଧନ କଲେ ସବୁ ସଫା। ମଣିଷ ଅତି ବୁଦ୍ଧିମାନ୍‌। ଡେଇଁବା ଦ୍ରୋହ କିଏ କାହିଁକି କରିବ?

 

ତୃତୀୟଟି - ପ୍ରତିଶ୍ରୁତି। ନିର୍ବାଚନ ପାଖ ହେଲେ ଇଏ ଏକ‌୍‍ଦମ‌୍‍ ଫ୍ରି’ ମିଳେ। ଆପଣ ବିଶ୍ୱାସ କଲେ କରନ୍ତୁ, ନ ହେଲେ ନାହିଁ।

 

ବାଣୀ, ବଚନ ଓ ପ୍ରତିଶ୍ରୁତି - ସବୁଗୁଡ଼ିକ ପ୍ରାୟ ଏକାର୍ଥବୋଧକ ଶବ୍ଦ, ମାତ୍ର କିଏ ଠାଇଁଆଣୀ ଆଶାର ଆଧିନିଧି ତ ଆଉ କିଏ ଠାକୁରଙ୍କ ବଡ଼ ଶିଙ୍ଘାର ବେଶର ସଜ। ଆମ ଗୁରୁ କହିଛନ୍ତି- ମନ୍ଦ ପ୍ରୟୋଗରେ ଶବ୍ଦ ସଙ୍କୁଡ଼ି ହୋଇଯାଏ!


ପ୍ରତିକ୍ରିୟା

ମହେନ୍ଦ୍ର ମିଶ୍ର - Email: mkmishra29@gmail.com - Posted on 2016-10-07 17:17:59

ସାଧାରଣ କଥାକୁ ଅସାଧାରଣଭାବେ ସଜେଇ ଲେଖିବା ଓ ତାହା ପୁଣି ପାଠକକୁ ଅଧିକରୁ ଅଧିକ ପଢିବା ପାଇଁ ଆକୃଷ୍ଟ କରିନ ଗୁଣତୀ ରବି କନୁନ୍‌ଗୋଙ୍କ ପାଖରେ ରହିଛି। କାରଣ ତାଙ୍କର ପ୍ରତିଟି ଲେଖା ଅତି ସାଧାରଣ ପ୍ରସଙ୍ଗ ହୋଇଥିଲେ ବି ଏଥିରେ ଥିବା ଅସାଧାରଣ ରହସ୍ୟ ସର୍ବଦା ଗୁଣଗ୍ରାହୀ ଓ ସଚେତନ ପାଠକକୁ ନିଶ୍ଚିତ ଆମୋଦିତ କରିବା ଏହା ନିସନ୍ଦେହ।

ମହେନ୍ଦ୍ର ମିଶ୍ର - Email: mkmishra29@gmail.com - Posted on 2016-10-07 17:25:11

ଲେଖା ସହିତ ଚମତ୍କାର ଚିତ୍ରଟି ଲେଖାର ଉଦ୍ଦେଶ୍ୟକୁ ଅଧିକ ଆକର୍ଷଣୀୟ କରିଛି।

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top