ଆଲ୍‌ପିନ୍‌ର ତୀର୍ଥଯାତ୍ରା

News Story - Posted on 2016-09-28

ରବି କାନୁନ୍‌ଗୋ

 

ନବସିନ୍ଧା ଭାବେ କଟକରେ ବେଶ‌୍‍ ନାଁ କମେଇଥିବା ତାଙ୍କ ଗାଁର ଅଳିଭରଣ ମହାନ୍ତିଙ୍କଠାରୁ କାମ ହାସଲ କରିପାରିବ ବୋଲି ରଥୀ ସୁତାରର ପରତେ ହେଲାପରେ ନିଜ ଦମ୍ଭ ଏଥର ତାକୁ ଏକଦମ୍‌ ନିଆରା ଲାଗିଲା। ଅଳିବାବୁଙ୍କ ପାଖରେ ତାକୁ ପହଞ୍ଚାଇଥିବା ଗାଁ ସ୍କୁଲ ହେଡ଼୍‌ ପଣ୍ଡିତ ଗୁଣମାଷ୍ଟ୍ରକୁ ସେ ମନେମନେ କଲ୍ୟାଣ କଲା।

 

ଅଳିବାବୁ ଧାଡ଼ି ପରେ ଧାଡ଼ି ଲେଖି ଚାଲିଥା’ନ୍ତି।

 

ସମାଜର ବହୁ ଅନାତ୍ମୀୟ ନିଷ୍ଠୁର ଅକ୍ତିଆର। ଦୁଃଖ ବୋଝରେ ନଇଁ ପଡ଼ିଥିବା ରଥୀ ସୁତାରର ଚିନ୍ତା ଥିଲା - ସେ କେମିତି ଆଗକୁ ଚାଲିବ? ଯଦିଓ ଚାଲିବା ଛଡ଼ା ଅନ୍ୟ କିଛି ଗତି ନଥିଲା ତା’ର। ବେକହାତିଆ ହୋଇ ସେ ବହୁ ବଡ଼ବଡ଼ କଥାକୁ ହଲିହଲି ବିଶ୍ୱାସ କରିଛି ଏବଂ ପରାଜୟଗୁଡ଼ିକୁ ହସିହସି ସହିଚି। କିନ୍ତୁ ଅଳିବାବୁଙ୍କୁ ଭେଟିଲା ପରେ ପତିଆରା ଫେରି ପାଇବା ପରି ଲାଗିଲା।

 

ପ୍ରଥମଥର ଦୁଃଖ କହିଲାବେଳେ ସେ ଆକ୍ତାମାକ୍ତା ହୋଇପଡ଼ିଥିଲା। ଅଥୟ ହୋଇ କାନ୍ଦି ପକେଇଲା। କେଉଁଠୁ ଆରମ୍ଭ କରିଥା’ନ୍ତା? କ’ଣ ମିଶେଇ କହିଥା’ନ୍ତା ବା କ’ଣ ନ କହିଥା’ନ୍ତା? ମିଛ କହିବାକୁ ସିନା ପାଟିରେ ବାଟୁଳି ବାଜେନି, ହେଲେ ସବୁ ସତ ଅନାୟସରେ କହି ହୁଏନି। ଭାରି କଷ୍ଟ। 

 

ଡାକପିଅନକୁ ଖୋଜିଖୋଜି ରଥୀ ସୁତାର ହାଟକୁ ଯାଏ। ଘାଟକୁ ଯାଏ। ପଚାରେ, ବାନା ଚିଠି ଦେଇନି?

 

କୌଣସି ଏ.ପି.ଓ. ମାର୍ଫତ ଠିକଣାରେ ଦିନେ ବୋହୂ ନାଁରେ ପୁଅଠାରୁ ଆସିଥିଲା ଖଣ୍ଡିଏ ଚିଠି। ଉଭୟଙ୍କ ଦୀର୍ଘ ପ୍ରତୀକ୍ଷାରେ ଅନ୍ତ ହେଲା। ରଥୀ ସୁତାର ବୋହୂ ହାତକୁ ଚିଠିଖଣ୍ଡିକ ବଢ଼େଇଦେଇ କହିଲା, ବାନା କ’ଣସବୁ ଲେଖିଚି ଟିକେ ପଢ଼ିଲ। ମା’ ଛେଉଣ୍ଡ ପିଲାଟା। ସୁଖ କ’ଣ ଜାଣି ପାରିଲାନି। ଏଥର ତାକୁ ଲେଖି ଦବଟି - ଚିଠି ଦବାକୁ ଆଉ ଯେମିତି ସେ ଏତେ ଡେରି ନକରେ।

 

ଚିଠି ଶୁଣିବ କ’ଣ, ପିଲାଦିନେ ବାନା ଭୋଗିଥିବା ଅସରନ୍ତି ଦୁଃଖ ରଥୀ ସେଇଠି ଗପି ଚାଲିଲା। ଶଶୁର ସମ୍ନାରେ ଚିଠିଖଣ୍ଡିକ ଧରିବାକୁ ବି ବୋହୂକୁ  ଲାଜ ମାଡ଼ୁଥିଲା। ତା’ ମନର ଲହଡ଼ି କିନ୍ତୁ ଜହ୍ନକୁ ଛୁଉଁଥିଲା। ପେଟ ଭିତର କୁରୁଳି ଉଠୁଥିଲା ଆଉ ପ୍ରକାରେ ଆହ୍ଲାଦ। ଯେତେ ଲାଜ ମାଡ଼ୁ ପଛେ, ବୋହୂ ବୁଝୁଥିଲା ଜଣେ ଅସହାୟ ବାପର ମନ। ଅନେକ ସମ୍ଭାବନା ଥିବ। ଆଶ୍ୱାସନା ଲୋଡ଼ା। ଲାଜେଇ ଲାଜେଇ ବୋହୂ ଏକାନିଶ୍ୱାସରେ ଚିଠିଟିକୁ ପଢ଼ିଲା। ହୋସ ନାହିଁ, ପଢ଼ି ଦେଲା - ଡେଲିଭରି ବେଳକୁ ମୁଁ ନିଶ୍ଚୟ ଦି’ ମାସ ଛୁଟି ନେଇ ଘରକୁ ଯିବି। ଏକଦମ ତମ ପାଖରେ ରହିବି। ବାପା ବୁଢ଼ା ଲୋକ। ନହେଲେ ହଇରାଣ ହେଇଯିବେ। ପଢ଼ିସାରି ବୋହୂ ଜିଭ କାମୁଡ଼ି ଭିତରକୁ ପଳେଇଲା।

 

ରଥୀ ସୁତାର ହାଟକୁ ଗଲା। ବୋହୂର ସାତମାସ ପୂରିଲାଣି। ଶାଶୂ ନାହିଁ ବୋଲି କ’ଣ ସେ ତାକୁ ସାଦ ଟିକେ ଚଖେଇବନି? ଆଗରୁ ଦୁଃଖୀନାନୀ ବା ଆଉଆଉଙ୍କଠାରୁ ଜାଣିଥିଲେ ବି ଖୋଦ୍‌ ବୋହୂ ମୁହଁରୁ ଏକଥା ଶୁଣି ତା କଳ୍ପନା ଆଉରି ବାଇଆ ହେଇଗଲା। ସେ ଜେଜେ ହବ। ବିପତ୍ନୀକ ଜୀବନ ତାଡ଼ନାରେ ବାନା ପାଇଁ ଯାହା କରିପାରି ନଥିଲା, ଏଥର ତା’ ପିଲା ପାଖରେ ସବୁ ଭରଣା କରିଦେବ। ନିଜ କପାଳକୁ ଅଭିଶାପ ଦେଉଥିଲା। ମା’ ନଥିଲେ ଛୁଆ ବଢ଼ିବେ କେମିତି? ସେମାନଙ୍କ ମନ ମାପିବ କିଏ ନା ଦରୋଟି ବାରିବ କିଏ? ହେ ଠାକୁରେ! ପୁଅ ହବ ନା ଝୁଅ? ଓଃ, ଯାହା ହେଲେ ଚଳିବ। ଆଉରି ପଛକୁ ପଛ ହବନି କି? ହେ ବଳିଆରଭୁଜ, ମୋ ସୁନାନାକୀ ବୋହୂକୁ ଉଦ୍ଧାର କର।

 

ନିଜ ସୂଚୀପତ୍ର ରଥୀ ନିଜେ ତିଆରି କରୁଥିଲା। ସେ ହସିବ ଓ ଛୁଆକୁ ହସେଇବ। ନଇଁ ପଡ଼ି ତା’ଲାଗି ଘୋଡ଼ା ହବ। ତାକୁ ନାଉ କରିବ। କାନ୍ଧରେ ବସେଇ ବୁଲେଇବ। ଗାଧେଇବାକୁ ନଈକି ନବ। ପହଁରା ଶିଖେଇବ। ଦେଉଳରେ ନମ କରେଇବ। ଆଙ୍ଗୁଠି ଧରି ଚଲେଇବ। ହାଟକୁ ନବ। ଗଜା ଖୁଆଇବ। ସ୍ୱପ୍ନ କାହିଁ କେତେ ଆଗକୁ ଲମ୍ୱି ଯାଉଥିଲା। ପ୍ରଥମେ ପୁଅଟିଏ ହେଲେ ଖୁବ‌୍‍ ଭଲ ହୁଅନ୍ତା। ହରିବଂଶ ବସେଇବ ବୋଲି ମାନସିକ ଯାଚିଲା।

 

ଆଉ ଘଡ଼ିଏ ବି ଯାଇନି। ଡାକପିଅନ ଶୁକ ପ୍ରଧାନ ଘରେ ଆଣି ଟେଲିଗ୍ରାମଟିଏ ଦେଲା।

 

କାଶ୍ମୀର ଅଞ୍ଚଳର କୌଣସି ଯୁଦ୍ଧରେ ତା ଏକଇରବଳା ବାନାମ୍ୱର ମରିଛି ଓ ସେହି ସଂପର୍କୀୟ କେତୋଟି ସୂଚନା।

 

ପୃଥିବୀଟା ହଲିଗଲା। ହେ ଭଗବାନ, ତୁ ଏଡେ଼ ଜୁଆଚୋର! ଯେତେ କଷ୍ଟ ଭୋଗିଥିଲେ ବି ନିସ୍ତାର ପାଇବାକୁ କେବେ ତୋ ପାଦତଳେ ନେହୁରା ହେଇନି। ମୂଲ ଲାଗୁଥିଲି। ପେଟ ପୋଷୁଥିଲି। ଆଖିଲୁହ ମନରେ ଲୁଚେଇ ନିଲଠଟେ ପରି ଲୋକଦେଖା ହସ ହସୁଥିଲି। କେବେ ତତେ କିଛି ମାଗିଥିଲି? ବରଞ୍ଚ ଶିଖି ବା ଫାନ୍ଦି ତୋ ନାଁର ଆଣ୍ଟ ଗୀତ ଗାଉଥିଲି। କାର୍ତ୍ତିକ ରାସଯାତ୍ରାରେ ସବୁ ସେବା କରୁଥିଲି। ଦିନ୍ ସଞ୍ଜଆଳତିରେ ଝାଞ୍ଜମୁର୍ଦଙ୍ଗ ବାଉଥିଲି। ଯଦି ସବୁ ଲୁଟିବାର ଥିଲା, କ୍ଷଣକ ସକାଶେ ଏତେ ସୁଖ ଦେଖୋଉଥିଲୁ କାହିଁକି? ତୁ କି ଭଗବାନ? ନିଆଶ୍ରାର ବଳ ପରଖିବାକୁ ଶେଷରେ ଚୋର ପରି ଏମିତିକା ଛଳ କଲୁ କାହିଁକି?

 

ବୋହୂ ଘଡ଼ିକି ଘଡ଼ି ମୂର୍ଚ୍ଛା ଯାଉଚି। ତା ଜରାୟୁ ଭିତରେ ଅସହାୟ ଅଜନ୍ମାଟିଏ ବି କାନ୍ଦୁଥିବ। ସିଏ ଆଉ କ’ଣ ଏ ସଂସାର ଦେଖିପାରିବ? ରଥୀ ସୁତାର ଭୂଇଁରେ ଗଡ଼ୁଥାଏ। ସେ ତଥାପି ଦମ୍ଭିଲା ହେଲା। ବୋହୂକୁ ଶୁଣେଇ କହିଲା - ମା ଲୋ, ତୋ ସାହାପକ୍ଷ ହବାକୁ ଭାଗ୍ୟ ସାଙ୍ଗରେ ଲଢ଼ିବାଲାଗି ଏ ବୁଢ଼ା ଅଛି। ମୋଟେ ଏମିତି ହଅନା। ତୁ ମତେ ଟିକେ ବଳ ଦେ। ହଲପ କରି କହୁଚି, ଏ ରଥୀ ସୁତାରର କୁଳ ରହିବ ରହିବ ରହିବ।

 

ତହିଁଆର ଦିନ ସକାଳୁ ରଥୀକୁ ସାଙ୍ଗରେ ନେଇ ବିଡ଼ିଓ ରାଜଧାନୀ ଗଲେ। ବାଟସାରା ସେ ସକେଇ ସକେଇ କାନ୍ଦୁଥିଲା। ମା-ଛେଉଣ୍ଡ ହେବାଠାରୁ ସେପର୍ଯ୍ୟନ୍ତ ବାନାର ସବୁ ରୂପ ଓ ସବୁ ଦୁଃଖ ତା’ର ମନେ ପଡ଼ୁଥିଲା। ହାକିମ ତାକୁ ଯାହା ବୁଝୋଉଥିଲେ ବି ସେ କିଛି ଶୁଣି ପାରୁ ନଥିଲା।

 

ଉଡ଼ାଜାହାଜ ପଡ଼ିଆରେ ଫୁଲର ବିସ୍ତର ଆୟୋଜନ। ସହସ୍ର କୀଟ ତାକୁ ଦଂଶୁଥିଲେ। କେତେ ପୁଲିସ ଓ ଖୋଦ୍‌ ମୁଖ୍ୟମନ୍ତ୍ରୀ। ସମସ୍ତେ ସଲାମ କଲେ ଗୋଟିଏ କାଠ ପେଟିକୁ। ବାନା ଥିଲା ତା ଭିତରେ। ପେଟି ପାଖକୁ ରଥୀ ଦଉଡ଼ି ଯାଉଥିଲା। ପୁଲିସବାଲା ଅଟକାଇଲେ। ଗଁ ଗଁ ଶୁଭୁଥିଲା ତା ସ୍ୱର।

 

ଯୁଦ୍ଧରେ ମରଣ ନୂଆ ନଥିଲା। କିନ୍ତୁ ସମୁଦାୟ ଅଞ୍ଚଳ ପାଇଁ ଏମିତିକା ସମ୍ୱାଦଟି ହିଁ ଥିଲା ନୂଆ।

 

ମୁଖ୍ୟମନ୍ତ୍ରୀ ଦେବଦୂତ ପରିକା। ରଥୀକୁ ଢେର ଆଉଁଷିଲେ। କେତେ ଭାଷାରେ ଆଶ୍ୱାସନା ଜଣେଇଲେ।

 

ବାନାର ଶବ ଗାଁକୁ ଆସିଲା। ମଶାଣିରେ ଆଉ ଥରେ ସଲାମ ଦିଆଗଲା। ରାଜଧାନୀରୁ ଆସିଥିବା ଜଣେ ହାକିମ ସରକାରୀ ଆଦେଶ କହି କଲେକ୍ଟରଙ୍କ ଚିଠି ପଢ଼ିଲେ।

 

ସହିଦ ବାନାମ୍ୱର ସୁତାରଙ୍କ ବିଧବାଙ୍କୁ ରାଜଧାନୀରେ ବାସଗୃହ ପାଇଁ ସରକାର ଜାଗା ଦେବେ। ଆହୁରି ବି ଦେବେ ଚାଷ ପାଇଁ ଗାଁରେ ତିନି ଏକର ଜମି। ଏବେ ବୋହୂ ବା ଜନ୍ମ ହେଲେ, ପରେ ସନ୍ତାନ - ଯେତେବେଳେ ବଡ଼ ହବ, ପାଇବ ସରକାରୀ ଚାକିରି। ସରକାରଙ୍କ ଖର୍ଚ୍ଚରେ ସେ ଯେତେ ଇଚ୍ଛା ସେତେ ପଢ଼ି ପାରିବ। ବିଧବା ପ୍ରତି ମାସରେ ମିଲିଟାରି ପେନ୍‌ସନ ପାଇବେ। ବାନାମ୍ୱରଙ୍କ ନାମ ଦେଶର କୀର୍ତ୍ତିମାନ ଓ ଗୌରବମୟମାନଙ୍କ ତାଲିକାରେ ଯୋଡ଼ା ହେଲା।

 

ଗୁଡ଼ବଣାରେ ବୁଡ଼ି ମରୁଥିବା ପିମ୍ପୁଡ଼ି ପରି ଅସହାୟ ଥିଲା ରଥୀର ଅବସ୍ଥା। ଅଣ୍ଟାଭଙ୍ଗା ବାତ୍ୟାଗ୍ରସ୍ତ ତା ନୁଆଁଣିଆ ଖଞ୍ଜା ଘର ସମ୍ନାରେ ଲୋକଙ୍କ ଥାଟପଟାଳି। ଦାହ ଖର୍ଚ୍ଚ ପାଇଁ ସାଙ୍ଗେସାଙ୍ଗେ ହଜାରେ ଟଙ୍କା ଦେଇ ଅଫିସର ରଥୀଠାରୁ ଟିପଚିହ୍ନ ନେଲେ। ରଥୀ ବସିଥାଏ ବାନା ଶବ କତିରେ। ସେ ଟଙ୍କା ଛୁଇଁ ନଥିଲା। ମଣିଷ ଭିତରେ ସବୁଠାରୁ ନିଉଛୁଣା ପାପୀ ପରି ପୁଅ ମୁହଁରେ ରଥୀ ସୁତାରକୁ ହିଁ ନିଆଁ ଦେବାକୁ ପଡ଼ିଥିଲା।

 

ସବୁକାମ ଶେଷ ହେବା ପରେ ଶଶୁର ବୋହୂଙ୍କୁ ବସେଇ ନିଧିମାଷ୍ଟ୍ରେ ପାହି ପାହି ହିସାବ ବୁଝେଇ ଦେଲେ ଓ କହିଥିଲେ - ରଥୀରେ, କପାଳ ଲିଖନ କେ କରିବ ଆନ? ଗଲାପୁତ୍ର ଆଉ କ’ଣ ବାହୁଡେ଼? ତୁ ନିଜେ ଏତେ ଭଜନଗୀତ ଗାଉଚୁ। ଏତିକି ବୁଝି ପାରୁନୁ? ଦ୍ରୌପଦୀ ମା’ର କୋଳ ଖାଲି କରି ମରି ନଥିଲା କି ଅଭିମନ୍ୟୁ? ଯମ ଯେ ନଜାଣଇ ବାଳୁତ ଯୁବା। ତୁ ମୋଟେ ବେସ୍ତ ହଅନା। କଥା ଦଉଚି, ଯଦି ଏ ନିଧିମାଷ୍ଟ୍ର ବଞ୍ଚିଥାଏ - ବାନାକୁ ମୁଁ ପଢ଼େଇଥିଲି, ତୋର ନାତି ହଉ କି ନାତୁଣୀ ହଉ, ତାକୁ ବି ପାଠ ପଢ଼େଇବା ଦାୟିତ୍ୱ ମୋର। ଏବେ ତୋର ସବୁଠୁଁ ବଡ଼ କାମ ହେଲା ଅଖଞ୍ଜ ବୋହୂକୁ ଜଗିବୁ। ସିଏ ଜଣେ ନୁହେଁ - ଦି’ ଜଣ। ବାନା ବି ତା ପାଖରେ ଅଛି।

 

ଦିନ ବିତି ଯାଉଥାଏ। ଚିହ୍ନ ହଜୁ ନଥାଏ।

 

ରଥୀ ପ୍ରଥମେ ଭାବିଥିଲା, ଯେମିତି ସବୁ କଥା ଆପେଆପେ ହୋଇଯିବ। ସହିଦର ଖାତିରିରେ ଯେମିତି ଜମିର ନକ୍ସା ପଟ୍ଟା ଦଲିଲ ସବୁ ଆସି ପହଞ୍ଚିଯିବ। ସେପରି କିଛି ଘଟୁ ନଥାଏ। କାରଣ କ’ଣ ବୋଲି ସେ ୟାକୁ ତାକୁ ପଚାରେ। କେହି କିଛି କହି ପାରନ୍ତିନି। ତାକୁ ଲାଗିଲା, ସମସ୍ତେ ତା’ରି ପରି ଅଜ୍ଞ।

 

କିଛି ଦିନ ପରେ ବୋହୂ ନାଁରେ ଗୋଟିଏ ମନିଅର୍ଡର ଓ ଖଣ୍ଡିଏ ରେଜେଷ୍ଟ୍ରି ଚିଠି ଆସିଲା। ନିଧିମାଷ୍ଟ୍ରେ ଚିଠିଟିକୁ ପଢ଼ି ବୁଝେଇଦେଲେ। ବାନା ଅଳ୍ପ ଦିନ ଚାକିରି କରିଥିଲା ତ, ତେଣୁ ପ୍ରାପ୍ୟଭାବେ ସେ ଅଳ୍ପ ଟଙ୍କା ପାଇଲା। ଭାରତ ଗଣତନ୍ତ୍ରର ମହାମାନ୍ୟ ରାଷ୍ଟ୍ରପତି ତଥା ସମରବାହିନୀର ସର୍ବୋଚ୍ଚ ସେନାଧିନାୟକ ଆମ ବାନାମ୍ୱରର ମରଣ ଯୋଗୁ ଦୁଃଖପ୍ରକାଶ କରି ବୋହୂ ଓ ତତେ ସମବେଦନା ଜଣେଇଛନ୍ତି।

 

ଫଗୁ ପୂନେଇଁ ସକାଳୁ ସକାଳୁ ପୁଅଟିଏ ହେଲା। ଜନ୍ମ ହେଲା ସହିଦର ପୁଅଭାବେ। ପୂନେଇରେ ପୁଅ - କିଛି ହେଲେ ରଥୀ ମନ ଛୁଉଁ ନଥିଲା। ପାପ ଛୁଇଁଥିଲା ଅଧିକ। ପୁଅର ଜାତକରେ ମାତୃଘାତ ଦୋଷ ନାହିଁ ତ?  ଯେଉଁ ଛୁଆଟିକୁ ନେଇ ସେ କେତେ କଳ୍ପନା କରୁଥିଲା ସେଗୁଡ଼ା ଆଉ ତା’ର ମନେ ପଡ଼ୁ ନଥାଏ।

 

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏବଂ ସରକାରୀ ଘୋଷଣାରୁ କିଛିହେଲେ ପାଳନ ହେଉନି। ଦୀର୍ଘକାଳ ରାଜଧାନୀ ଦଉଡ଼ି ଦଉଡ଼ି ନୟାନ୍ତ ହୋଇ ପଡ଼ିଥିବା ରଥୀ ତେଣିକି କାମ ନହେବାର କାରଣ ସଂପର୍କରେ ଅନେକଗୁଡ଼ାଏ ସରକାରୀ ଭାଷା ଶିଖି ପକେଇଲା। ଯେତେବେଳେ ଶେଷରେ ବୁଝିଲା ଯେ କୁଆଡେ଼ ସବୁକଥା ଦିଲ୍ଲୀରେ ଅଟକି ରହିଛି, ସେ ଆଶା ଛାଡ଼ି ଦେଲା। ଦିଲ୍ଲୀ ତା ପାଇଁ ବହୁତ ଦୂର। ଆଖି ପାଏ ନାହିଁ।

 

ଫି ମାସରେ ତିନି ଶହ ଅଶି ଟଙ୍କା ପେନ୍‌ସନ ପହଞ୍ଚୁଥାଏ। ବଢ଼େଇ କାମ କରୁଥାଏ ଯେ ହେଲେ ସେଥିକି ତା ମନ ବଳୁ ନଥାଏ। ଭାବୁଥାଏ କ’ଣ ଓ କରୁଥାଏ ଆଉ କିଛି। ଏମିତି ଦିନେ, ବାରିସିରେ ତା ବାଁ ହାତ ବିଶି ଆଙ୍ଗୁଠିରୁ ଦି ପବ କଟିଗଲା। ୟା’ପରେ ବୋହୂ କାନ୍ଦିକାନ୍ଦି କହିଲା, ବାପା, ଛୁଆଟି ମୁହଁକୁ ଅନେଇ ନୂଆ ରକମରେ ଟିକେ ବଞ୍ଚିବା ଶିଖ। ନହେଲେ ଆମେ ଦିହେଁ ଭାସିଯିବୁ ଯେ। ଆମର ଆଉ କିଏ ଅଛି?

 

ରଥୀ ମନ ଭୁଲେଇବାକୁ ବାରମ୍ୱାର ଚେଷ୍ଟା କରେ। ପାରେନି। କୁନିପୁଅକୁ ଦେଖିଲେ ତା’ର ସବୁ ଭାବନା ଓଲଟପାଲଟ ହୋଇଯାଏ। ଖୁସି ହେଉଥାଏ ଯେମିତି, ଡରୁଥାଏ ବି ସେମିତି। 

 

ସମୟ ଗଡ଼ି ଯାଉଥାଏ। ବୟସ ସାଙ୍ଗରେ ଚୂଳ ଛାଁକୁ ଛାଁ ପାଚି ମଥାର ଶୋଭନୀୟ କାଳିମା କମେଇ ଦେଉଥିବାପରି ଗାଁ ଲୋକଙ୍କ ଆଦର ଆଶ୍ୱାସନା ବି ଧୀରେଧୀରେ କମି ଯାଉଥିଲା।

 

ଅଳିବାବୁ ପଚାରିଲେ, ନାତି ଜନ୍ମ କଥା ସରକାରଙ୍କୁ ଜଣେଇଥିଲୁ?

 

ରଥୀ କହିଲା, ବୋହୂ ଅସଜ ବୋଲି ଖବରକାଗଜରେ ବାହାରିଥେଲା। ସରକାର କ’ଣ ଜାଣି ନଥେବେ କି?

 

ହ୍ୟାତେରିକା। ଏଡେ଼ ସରଳ ନାଗରିକ କୌଣସି ଅଧିକାର ହାସଲ କରିବା ଯେ ସମ୍ଭବ ନୁହେଁ, ଏକଥା ରଥୀ ସୁତାରକୁ ବୁଝେଇ ହେବନି ଭାବି ସେ ପେଟିସନ‌୍‍ଟିକୁ ଟାଣ ଓ ଭାବପ୍ରବଣ ଢଙ୍ଗରେ ମଜବୁତ କରି ଲେଖିବାରେ ଲାଗିଲେ। ଏକାଥରେ ମହାମହିମ ରାଷ୍ଟ୍ରପତିଙ୍କ ପାଖକୁ।  

 

: ହଜୁର, ମୋ ପୁଅ ବାନାମ୍ୱର ରୋଜଗାର ପାଇଁ ଚାକିରି କରିବାକୁ ଯାଇଥିଲା। ଦେଶ ବା ଆଉ କାହାରି ସେବାଫେବା କରିବାକୁ ନୁହେଁ। ଆପଣମାନେ ତା ମରଣର ସରଳ ନାଁଟିକୁ ନାନା ଜଟିଳ ଭାଷାରେ ବଖାଣିଲେ। କେତେ ବର୍ଣ୍ଣରେ ବର୍ଣ୍ଣିଲେ, କେତେ ଶୋଭାରେ ମଣ୍ଡେଇଲେ। ଆମେ କ’ଣ ଏତେକଥା ଜାଣିଥିଲୁ କି? ଆମମାନଙ୍କ ଜନ୍ମ ଯେମିତି ଅଚାନକ ମରଣ ବି ସେମିତି ଅଚାନକ। କାଉ କୁକୁରଙ୍କ ପରି ନିହାତି ସାଧାରଣ। ସେଥିରେ କିଛି ମହିମା ନଥାଏ। ତେଣୁ ଆମେମାନେ କେବେ କଳ୍ପନା କରୁନା କି ସ୍ୱପ୍ନ ଦେଖୁନା। କଳ୍ପନା ନକରି ପାରିବା ପରି ଦୃଢ଼ତା ଏବଂ ସ୍ୱପ୍ନ ନଦେଖିବା ପରି କୌଶଳ ଆମେ ଛାଁକୁ ଛାଁ ଶିଖିଥାଉ। ଦେଶ ଏବଂ ଦେଶଭକ୍ତି ନାଁରେ ଆପଣମାନଙ୍କ ଆୟୋଜନ ମୋ ସଂସାରରେ କେତେ କ୍ଷତି କଲା, ଟିକେ ଶୁଣନ୍ତୁ।

 

କୃତାଞ୍ଚଳିପୁଟେ ନିବେଦନ - ବିଳମ୍ୱ ହେଲେ ସୁଦ୍ଧା ଦୟାବହି ଏବେ କିଛି କରୁଣା କରନ୍ତୁ।

 

: ନିବେଦନକାରୀ ଏ ଅଧୀନ ଓ ତା ହତଭାଗୀ ବୋହୂ ଏକମାତ୍ର ଭରଣପାଷଣକାରୀ ପୁଅର ମରଣ ଖବର ପାଇ ନିଶ୍ଚୟ ଦିଶାହୀନ ହୋଇ ପଡ଼ିଥା’ନ୍ତୁ। ତରୁଣୀ ବିଧବାଟିଏ। ବଞ୍ଚିବା ପାଇଁ ନିରୁପାୟ ହୋଇଥା’ନ୍ତା। ମୁଣ୍ଡରୁ ସିନ୍ଦୂର ପୋଛୁପୋଛୁ ମନରୁ ସ୍ୱାମୀର ସବୁ ସ୍ମୃତି ପୋଛି ଦେଇ ହୁଏତ ବେଶ୍ୟାବୃତ୍ତି କରିଥା’ନ୍ତା ଓ ଅସମ୍ଭବ ନୁହେଁ, ମୁଁ ତା ଲାଗି ଦଲାଲ ହୋଇଥା’ନ୍ତି। ଆମେ ବଞ୍ଚିବା ପାଇଁ ଅଲବତ୍‌ ରାସ୍ତା ଖୋଜିଥା’ନ୍ତୁ। ପାଇଲେ ବଞ୍ଚିଥା’ନ୍ତୁ। ନହେଲେ ନାହିଁ।

 

: ଏବେ କ’ଣ ହେଲା? ସରକାରକୁ ନିହାତି ବଡ଼ ଭାବି ଅକାରଣରେ ବାଜେ କଥାଗୁଡ଼ାଏ ଶୁଣି ଓ ତାହା ବିଶ୍ୱାସ କରିବା ଆମର ମସ୍ତବଡ଼ ଭୁଲ ହେଲା, ହଜୁର। ସେତେବେଳକୁ ଜନ୍ମ ହୋଇ ନଥିବା ବାନାର ପୁଅ ପାଇଁ ମୁଁ ଓ ବୋହୂ ଯିଏ ଯେଝାର ସ୍ୱପ୍ନ ପୁଳେପୁଳେ ଦେଖିଲୁ। ସ୍ୱପ୍ନ ଦେଖିବା ଆମର ମୋଟେ ଦରକାର ନଥା’ନ୍ତା। ସେ ପୁଅ ଆହୁରି ବଡ଼ ହବ। ଯେତେବେଳେ ଜାଣିବ ଯେ ଗୋଟେ ବୋକା ବୁଢ଼ା ତା ସରଳ ମା’ଟିକୁ ସରକାର ବୋଲି ଗୋଟେ କାହାକୁ ବିଶ୍ୱାସ କରିବାକୁ ବାଧ୍ୟ କରି ନିଜେ ବଞ୍ଚି ଶିଖିବା ଉଦ୍ୟମ ଛାଡ଼ି ଦେଇଥିଲା, ସେତେବେଳକୁ ଯଦି ଏ ଅଧୀନ ବଞ୍ଚିଥାଏ - ତାକୁ ସେ କି କୈଫତ‌୍‍ ଦେବ?

 

ଏମିତି କେତେ କଥା ଲେଖି ସାରି ଶେଷଆଡ଼କୁ ଅତି ଟାଣରେ ଅଳିଭରଣ ଲେଖିଲେ - ହେ ସରକାର, ଅସମର୍ଥର ନିଲଠ ବଡ଼ିମା ରକ୍ଷା କରିବା ଛଡ଼ା ଯେଉଁ ଆଇନରେ ନାଗରିକର ଶୋକଦୁଃଖ ମୋଚନ କରିବାକୁ ଦୟାର ବ୍ୟବସ୍ଥା ନାହିଁ, ଧିକ୍‌ ସେ ଆଇନ। ଆଶ୍ୱାସନା ଯଦି ଦୁଃଖ ବଢ଼ାଏ ତେବେ ଆମେ ନିର୍ଯ୍ୟାତନା କାହାକୁ କହିବୁ? ହେ ମହାମହିମ, ଏହା ହିଁ ମୋର ନିବେଦନ।

 

ପେଟିସନ ଲେଖା ହେଲାବେଳେ ତାକୁ ଆଉ କେତେ ନୂଆନୂଆ କଥା କହିବାକୁ ପଡ଼ିଥିଲେ ସୁଦ୍ଧା ବାର ବର୍ଷ ଧରି ବକଳା ବାନ୍ଧି ସାରିଥିବା ରଥୀ ମନ ଘାଆରୁ ଆଉ ପୁଜରକ୍ତ କିଛି ବାହାରୁ ନଥିଲା। ସମ୍ଭାଳି ନପାରି କେତେବେଳେ କେମିତି ସେ କାନ୍ଦି ପକାଉଥିଲା। ମାପଚୁପ କରି ନିଜ ବୟସର ଦୈର୍ଘ୍ୟପ୍ରସ୍ଥ ଅନୁମାନ କରି ପାରୁଥିଲା। ନିଜେ ଭବସାଗର ପାରି ହେବା ପୂର୍ବରୁ ବୋହୂ ଓ ନାତିଙ୍କ ସାଙ୍ଗରେ କେତେ ଦୂର ସେ ଚାଲି ପାରିବ, ସେତିକି ସେ କଳି ପାରୁ ନଥିଲା।

 

ଅଳିଭରଣ କହିଲେ, ରଥୀ ରେ, ଦଉଡ଼ି ଗଲୁ। ଆଗ ଦୋକାନରୁ ଆଲ୍‌ପିନ ଦି’ଟା ଆଣିବୁ। ଜେରକ୍ସ କରି ସବୁ ଆଜି ପଠେଇଦବା।

 

ଆଲ୍‌ପିନ କ’ଣ, ବାବୁ?

 

ତୁ ଯାଉନୁ। ମୋ ନାଁ କହିବୁ। ଦୋକାନୀ ଦବ। ତାକୁ ଦଶ ପଇସି କି ଚାରେଣିଟେ ଦେଇଦବୁ।

 

ପେଟିସନଟି ଜେରକ୍ସ କରିବାକୁ ସେ ପାଖ ଦୋକାନୀ ହାତକୁ ବଢ଼େଇଦେଲେ ଓ ଅନ୍ୟ କାମରେ ମନ ଦେଲେ।

 

ଶିଡ଼ି, ମହି, ମୁଣ୍ଡା କି ଚଟୁ ଡଙ୍କା ପରି ଗାଉଁଲୀ ସରଞ୍ଜାମ ତିଆରି କରି ପାରୁଥିବା ରଥୀ ଆଲ୍‌ପିନ କ’ଣ ଜାଣି ନଥିଲା। ଅଳିବାବୁଙ୍କ ଦ୍ୱାରା ତହିଁର ପ୍ରୟୋଗ ଦେଖି ସେ ବିସ୍ମିତ ହୋଇ ପଡ଼ିଲା। ୟାକୁ ଯିଏ ବାହାର କରିଥିବ, ଖାସା ବୁଦ୍ଧି ତ ତା’ର। ଛୋଟ କି ବଡ଼ ଯାହା ହେଉ, କାଗଜଗୁଡ଼ିକ ଏକାସାଙ୍ଗରେ ଆକଟରେ ରହିବେ। ନଛିଣ୍ଡିଲେ କେହି ଉଡ଼ିଯିବେନି। ଯୋଉ ଫର୍ଦ୍ଦ ଲୋଡ଼ା ସେଇଟି ଉଭା ହୋଇ ପାରୁଥିବ। ଠିକ‌୍‍ କୁଟୁମ୍ୱଟିଏ ପରି। ଇଏ ଛୁଞ୍ଚି କି ଡାମ୍ଫଣ ପରିକା ଅପ୍ରକାରିଆ ନୁହଁ। କେଡେ଼ ସୁତୁରା। ଚକ୍‌ଚକ୍‌। ଠିକ୍‌ ବାନାବୋଉ ପରି। ସେ ନାହିଁ ବୋଲି ସିନା ତା ଜୀବନର ଫର୍ଦ୍ଦଗୁଡ଼ାକ ୟାଡେ଼ସାଡେ଼ ଉଡ଼ିଗଲା।

 

ସେଇଦିନୁଁ ପ୍ରାୟ ଅଜାଣତରେ ସେ ଆଲ୍‌ପିନକୁ ମାୟାମୁଗ୍ଧ ଭାବେ ଭଲ ପାଇ ବସିଲା। ସବୁ କାମ ସାରି ଗାଁକୁ ଫେରିଲା ବେଳକୁ ସେ ଅଳିବାବୁଙ୍କୁ ପଚାରିଲା, ବାବୁ, ମୁଁ ଏଥିରୁ ଗୋଟିଏ ନିଅନ୍ତି।

 

ନଉନୁ।

 

ଖଣ୍ଡେ କାଗଜରେ ଗୁଡେ଼ଇ ରଥୀ ତାକୁ ଖୋଷଣିରେ ବାନ୍ଧିଲା। ବସ୍‌ରେ ତା ଅଣ୍ଟା ଖେଞ୍ଚି ହେଉଥାଏ। ମାତ୍ର ତାହା ତାକୁ ପୀଡ଼ାପ୍ରାୟ ଲାଗୁ ନଥିଲା। ବଞ୍ଚି ଥିଲେ, ବାନାବୋଉ ମୋ ସାଙ୍ଗରେ କେତେ ଝଗଡ଼ା ନ କରୁଥା’ନ୍ତାଟି! ସେ ଥିଲେ, ବାନା ହୁଏତ ମିଲିଟାରିରେ ଯାଇ ନଥା’ନ୍ତା। ଗୋଟିଏ ମନ ଭିତରେ ଅନେକ ଅପହଞ୍ଚ ଆଶା। ତହୁଁ ଅଧିକ ହାତପାହାନ୍ତା ଦୁଃଖ। ଆଲ୍‌ପିନର ପୀଡ଼ା ତାକୁ ଶାନ୍ତି ଦେଉଥିଲା।

 

ତା’ପରେ ସମୟ ଅତି ଚଞ୍ଚଳ ଦଉଡ଼ିବାକୁ ଲାଗିଲା। ଏଠୁ ନିବେଦନଟିଏ ଗଲେ ଉତ୍ତରରେ ସେଠୁ ନିଷ୍ଫଳା ଚିଠି ଖଣ୍ଡିଏ ଖଣ୍ଡିଏ ଅବଶ୍ୟ ଆସୁଥିଲା। ତେଣୁ ଥରକୁ ଥର ରଥୀ ସୁତାର ଅଳିବାବୁଙ୍କ ପାଖକୁ ଆସେ। ପୁଣି ପେଟିସନ ଲେଖାଏ।

 

ସେ ହଲପ କରି କହେ - ଅଳିବାବୁ ଶହଶହ ଟଙ୍କା ରୋଜଗାର କରୁଥିବା ସେ ଆଖିରେ ଦେଖିଥିଲେ ବି ଥରଟେ ପାଇଁ ସେ ତାକୁ ପାଞ୍ଚୁଟା ଟଙ୍କା ବି ମାଗି ନାହାଁନ୍ତି। କେବେ କେମିତି ସେ ୟା ହାତରେ ଦି’ଚାରି ଟଙ୍କା ଗେଞ୍ଜି ଦିଅନ୍ତି। ଥରେ ଦି’ଥର ପରେ ସେ ପେଟିସନ ଲେଖା କାଗଜ କିଣିବାକୁ ବି ମନା କରି ଦେଇଥିଲେ। ସେଥିରେ ରଥୀର ଗୋଟେ ପଟ ବାଟଖର୍ଚ୍ଚ ଚଳି ଯାଉଥିଲା। 

 

କିଛି ଦରକାର ନଥାଇ ସୁଦ୍ଧା ସେ ବାବୁଙ୍କୁ ପଚାରେ, ଆଲ‌୍‍ପିନ‌୍‍ ଆଣିବି?

 

ଦୋକାନରୁ ଆଣି ବାବୁଙ୍କ ହାତରେ ଧରେଇବା ପର୍ଯ୍ୟନ୍ତ ରଥୀ ଆଲ‌୍‍ପିନ‌୍‍ ସମୂହଙ୍କ ସହ ଭାବ ବିନିମୟ କରେ। ସେମାନଙ୍କ ଗନ୍ତବ୍ୟପଥର ଶୁଭ ମନାସୁ ଥାଏ। ହେ ଠାକୁରେ, ତୁ ଏଇ ଆଲ୍‌ପିନ‌୍‍ ଭିତରେ ବିରାଜି ହାକିମଙ୍କ ସାମ୍ନାରେ ଠିଆ ହ। ଏଇଥର ଶେଷ ହେଇଯାଉ। ଆଉ ଚିଠିପତ୍ର ନଆସୁ।

 

ପୁଅକୁ ଅନେଇ ନୂଆ ରକମ ବଞ୍ଚିବା ଶିଖ। ନହେଲେ ଆମେ ଦିହେଁ ଭାସିଯିବୁ ଯେ। ଆମର ଆଉ କିଏ ଅଛି? ବୋହୂର ଏଇ ପଦକ କଥା ପଥରରେ ଗାରଟିଏ ପରି ତା ଛାତି ତଳେ ଥାଏ। କଟି ଯାଇଥିବା ଆଙ୍ଗୁଠି ସମସ୍ତେ ସିନା ଦେଖି ପାରନ୍ତି, ଏ ଗାରକୁ ନୁହେଁ। ଯାହାହଉ, ବୋହୂ ଦମ୍ଭିଲା ମନର ଝିଅଟେ।

 

ରଥୀର ସଳଖ ଅଣ୍ଟା ବଙ୍କା ହେବାକୁ ଆରମ୍ଭ କଲା। ବାନାର ପୁଅ ସତ୍ୟଯୁଗ ପିଲାଟିଏ ପରି ବଢ଼ୁଚି। ସବୁଦିନେ ଶୋଇବା ଆଗରୁ ଜେଜେକୁ ଟାଣି ଆଣି ଖଟରେ ପକେଇ ଘଷି ଦିଏ। ବୋଉକୁ ଗେଲ କରେ।

 

କିନ୍ତୁ ବୁଢ଼ାର ପେଟିସନ ଲେଖା ସରୁ ନଥାଏ। ବିକଳରେ ସେ ଠାକୁରଙ୍କୁ ଡାକୁଥାଏ - ଏଦିନେ ଆଉ ଏତେ କଷ୍ଟ ଦେ’ନା, ହେ ମାହାପ୍ରୁ।

 

ଅଳିବାବୁ କହୁଥିବା କେତେକ ସାଧାରଣ ନକ୍ସା ଛଡ଼ା ସେ ଯେ କାହା ପାଖକୁ କ’ଣ ଲେଖୁଥିଲେ, ରଥୀ ସେଥିରୁ କିଛି ବୁଝି ପାରୁ ନଥିଲା। କେବଳ ବୁଝୁଥିଲା, ଗୁଡ଼ାଏ ଆଶାର ରେଖାଚିତ୍ର ଏବଂ ବୁଝୁଥିଲା କାଗଜରେ ଗୁନ୍ଥା ହେଇ କୁଆଡେ଼ କୁଆଡେ଼ ଯାଉଥିବା ଆଲ‌୍‍ପିନଗୁଡ଼ିକୁ।

 

ଅକାଳେସକାଳେ ସରକାରଙ୍କଠାରୁ ଚିଠି ଖଣ୍ଡିଏ ଆସିଲେ କିଛି ନବୁଝି ରଥୀ ଘୋଡ଼ାଦଉଡ଼ା ସ୍ୱପ୍ନ ଦେଖେ। ବୋହୂକୁ ମଧ୍ୟ ସେମିତି ଭାବିବାକୁ ବାଧ୍ୟ କରେ। ତା’ପରେ ଚାଲେ କଟକ। ବେଗ‌୍‍ ଭିତରେ କାଗଜ ଗହଳି। ବାବୁ ପଚାରନ୍ତି, ଇରେ ରଥୀ, ଏଥିରୁ ଆଲ‌୍‍ପିନ‌୍‍ଟା କୁଆଡେ଼ ଗଲା?

 

ଘରେ କାଢ଼ି ରଖି ଦେଇଚି। ଆଉ ଚାରଣାର ଆଣିବି?

 

ନାଇଁ ଥାଉ। ସେ କାମ ଚଳେଇ ଦିଅନ୍ତି।

 

ଇତିମଧ୍ୟରେ ପ୍ରାୟ ନିଧିମାଷ୍ଟ୍ରଙ୍କ ହେପାଜତରେ ବାନା-ପୁଅ ପଦ୍ମନାଭ ମାଟ୍ରିକ ପାଶ‌୍‍ କଲା।

 

ଲଉଡ଼ି ହଜେଇଥିବା ଅନ୍ଧ ପରି ରଥୀ କିମ୍ୱା ବୋହୂ ସ୍ୱଚକ୍ଷୁରେ ଦେଖିଲେ ବି ପଦିଆର ସଫଳତାକୁ ପରତେ ଯାଉ ନଥିଲେ। କିନ୍ତୁ ମାଷ୍ଟ୍ରେ ଉଚ୍ଛୁଳି ପଡ଼ୁଥିଲେ। ବୁଲିବୁଲି ଗପୁଥିଲେ - ଫାଷ୍ଟ‌୍‍ ଡିଭିଜନ ଟି। ଖାସା ନମ୍ୱର ରଖିଚି। ପଦିଆ ନିଶ୍ଚେ ପୋଷ୍ଟ‌୍‍-ମାଟ୍ରିକ‌୍‍ ସ୍କଲରସିପ‌୍‍ ପାଇବ। କଲେଜରେ ପଢ଼ିବ। ବୈଜ୍ଞାନିକ ହେବ।

 

ସେଥିପାଇଁ ନିଧିମାଷ୍ଟ୍ରେ ବହୁତ ଦଉଡ଼ାଦଉଡ଼ି କଲେ। କିନ୍ତୁ ତାକୁ ସ୍କଲରସିପ‌୍‍ ମିଳି ପାରିଲାନି। କାରଣ, ସେ ଯେ ମୃତ ବାନାମ୍ୱର ସୁତାରର ପୁଅ - ଏ ସଂପର୍କରେ ରେଭିନିଉ ସାର୍ଟିଫିକେଟ ଖଣ୍ଡେ ଯୋଗାଡ଼ ହୋଇ ପାରିଲାନି। ଏହା ନିହାତି ଦରକାର ଥିଲା। ଘରଢ଼ିଅ ଛଡ଼ା ରଥୀ ସୁତାରର ବାଡ଼ିଗୁବରେ ଗୁବେ ଜମି ନଥିଲା। ଘରଢ଼ିଅ ବି ଥିଲା ଜମିଦାରୀ ଜାଗିରି ଜମି। କେତେ ପୁରୁଷ ତଳର। ଏତେ ସହସା ସେହି ସେହି ସ୍ୱତ୍ୱ ପ୍ରମାଣ କରିବା ଉପାୟ ନଥିଲା। ନିଧିମାଷ୍ଟ୍ରେ ସିଧା ପ୍ରିନ୍ସିପାଲ‌୍‍ଙ୍କୁ ଦେଖା କରି କହିଲେ, ତା ବାପା ସହିଦ।

 

ପ୍ରିନ୍ସିପାଲ ରୁଲ‌୍‍ବହି ଦେଖେଇ ଦେଲେ। ସିଟ‌୍‍ ମିଳିବ। ସ୍କଲରସିପ‌୍‍ ହବନି। କହିଲେ - ସେ ଡିପ୍ଲୋମା ପଢ଼ୁନି? ଷ୍ଟାଇପେଣ୍ଡ‌୍‍ ପାଆନ୍ତା।

 

ପଦ୍ମନାଭ ଡିପ୍ଲୋମା ଇଂଜିନିୟରିଙ୍ଗ ଶେଷ କଲା ଓ ଅତି ଶୀଘ୍ର ଜୁନିଅର ଇଂଜିନିୟର ଭାବେ ପୋଷ୍ଟିଙ୍ଗ‌୍‍ ହେଲା। ଜେଜେ ଓ ବୋଉଠାରୁ ଶୋକଦୁଃଖ ସବୁ ଶୁଣି ବଢ଼ିଥିବା ପିଲାଟି ସେମାନଙ୍କ ପରି ଅଯଥାରେ ମୋହାଚ୍ଛନ୍ନ ହେବାକୁ ପସନ୍ଦ କରୁ ନଥିଲା।

 

ରଥୀ ପରି ଶାନ୍ତ ସରଳ ଲୋକଟିର ବିବର୍ତ୍ତନ ମଧ୍ୟ ବାରି ହୋଇ ପଡ଼ୁଥାଏ। ସେ କେତେଗୁଡ଼ିଏ ଇଂରାଜି ଶବ୍ଦ ଠିକ ଅର୍ଥରେ ପ୍ରୟୋଗ କରି ଶିଖିଥାଏ। ବାସ‌୍‍, ସେତିକି। ଅଭିଜ୍ଞତାରୁ ଜାଣି ପାରୁଥାଏ ଯେ ବଡ଼ପୁରୁଷ ଠିକ କହିଛନ୍ତି। ଆଙ୍ଗୁଠି ବଙ୍କା ନକଲେ ଘିଅ ଉଠେନାହିଁ। ନିଜ ଆଙ୍ଗୁଠି ଗଣିଗଣି ସେ ହିସାବ କଲା। ଏଇ ସନ ଅକ୍ଷୀତୃତୀୟାକୁ ତା ବଅସ ଚାରି କୋଡ଼ି ପୂରିବ।

 

ସମରପ୍ରାଙ୍ଗଣରୁ ଜୀବନ ନେଇ ପଳେଇ ଆସିଥିବା ଯୋଦ୍ଧା ଆଉଥରେ ଯୁଝିବାର ସବୁ ସାହସ ହରେଇଥିଲେ ସୁଦ୍ଧା ଯେମିତି ନିଜକୁ ପଳାତକ ବୋଲି ମାନିପାରେ ନାହିଁ, ରଥୀ ସୁତାରର ଅବସ୍ଥା ସେଇଆ। ଜିତିବ ଜିତିବ ଭାବି ସେ ହାରିବାକୁ ସ୍ୱୀକାର କରି ପାରୁ ନଥିଲା କି ଯୁଝିବା ବି ଛାଡ଼ି ପାରୁ ନଥିଲା। ପରେପରେ ସେଇ ବେଗ ଟିକେ ହ୍ରାସ ହେଲା ସିନା, ଉଦ‌୍‍ବେଗ କମି ନଥିଲା।

 

ବାନା ଯେତେବେଳେ ମା’କୁ ହଜେଇଲା, ପଳାତକ ବାପଟିଏ ପରି କତିରେ ଠିଆ ହୋଇଥିଲା ରଥୀ ସୁତାର। ବାନା ଏମିତି ଏମିତି ବଡ଼ ହୋଇଗଲା। ନୂଆ ବୋହୂଟିଏ। ଜୀବନ ଶିଖିନି, ଠିକ୍‌ ସେତିକିବେଳେ ସ୍ୱାମୀକୁ ହଜେଇଲା। ସେଠି ବି ସାକ୍ଷୀ ପୁଣି ସେଇ ରଥୀ ସୁତାର। ଆଜି ହୁଏତ ବୋହୂର ଜୀବନ ବାଲିଗରଡ଼ା ପରି। କାଲି ଗଡ଼ିଗଡ଼ି ବାଲିରେ ପରିଣତ ହବ। ହେଲେ, ତା ପୁଅ ପଦ୍ମନାଭ? ଏବେ ତ ବାଲିକଣାରୁ ହିଁ ଆରମ୍ଭିଛି। ପଥର ହବାକୁ କଳ୍ପନା କରିବ ନା ନାଇଁ? ତା ଜୀବନର ସାକ୍ଷୀ ହେବାକୁ ଜଣେ ଅଯୋଗ୍ୟ ବୃଦ୍ଧ କେଉଁ ଦମ୍ଭରେ ହଁ ଭରିବାକୁ ଆଣ୍ଟ ବାନ୍ଧିବ? ତେଣୁ ନିଜ ଆଶା ସହିତ ସେ ବାରମ୍ୱାର ନିଜ ମୁଣ୍ଡକୁ ବାଡେ଼ଇଚି। ରକ୍ତ ପାଇଚି। ନିରାଶା ଦେଖିଚି। କେତେ ହଜାଇବାର ସାକ୍ଷୀ ହବ ବା ହାରିବାର କେତେ ଅଭିଯୋଗ ସହ କାହା ପାଖରେ କାହିଁକି ଫରିୟାଦ‌୍‍ ହବ? ସେ ଯେମିତି ଭାବୁଥିଲା, ପରାଜିତ ରଥୀ ସୁତାରର ନାଁଟି ହିଁ ହେଉଛି ପରାଜୟ ଓ ବିଫଳତାର ଏକ ଅସହାୟ ଉଦାହରଣ!

 

ପଦ୍ମନାଭ ଜଣେ ମଧ୍ୟବର୍ଗୀୟ ଅଫିସର। କେଡେ଼ ଲୋକ ତା ପାଖକୁ ଆସୁଥିଲେ। ବୋଉ ଓ ଜେଜେଙ୍କୁ ନେଇ କତିରେ ରଖିଲା। ସେତେବେଳକୁ ବି ରଥୀ ଲଢ଼େଇ ମନୋବୃତ୍ତି ଛାଡ଼ି ନଥିଲା। ଖାଲି ଗୁମୁରୁ ଥାଏ। 

 

ଆଗରୁ ବନ୍ଧାବନ୍ଧି କରି ରଖି ଦେଇଥିବା ବଢ଼େଇ ଯନ୍ତ୍ରପାତି ସେ ମଝିରେ ମଝିରେ ପୋଛେ। ପୁଣି ମେଳଛିଆ ମୋଟା କନା ବେଗ‌୍‍ରେ ପୂରେଇ ମୁହଁରେ ଚଉକସିଆ ଗଣ୍ଠିଟେ ବାନ୍ଧି ରଖିଦିଏ। ଏବେ ମନକୁ ବୁଝେଇ ସାରିଲାଣି। ଚାଷ ଜମି ନ ମିଳିଲା ନାଇଁ ପଛେ, ଏବେ ରାଜଧାନୀରେ ବାସଜମି ଖଣ୍ଡେ ସରକାର ଦିଅନ୍ତୁ। ତା’ପରେ ସେ ଅନ୍ତତଃ ନାତିକୁ ଦେଖେଇ ଦେଇ ପାରିବ - ହେଇ ଦେଖ‌୍‍, ତୋ ଜେଜେ ବି ଜିତିବା ପରି ମଣିଷଟାଏ। ପୁଅ ମରଣରେ ତା ପୁଅକୁ ମିଳୁଥିବା ଦୟାର ସେ ଜଣେ ମାର୍ଫତଦାର! ତାକୁ କ’ଣ ଜିତିବା କୁହାଯାଏ?

 

ପଦ୍ମନାଭର ସରକାରୀ ଘରେ ସମସ୍ତେ। ବେଶ‌୍‍ ବଡ଼ ପୁରୁଣାକାଳିଆ ବଙ୍ଗଳାଟେ। ଖାଲି ବେଡ‌୍‍ରୁମ‌୍‍ ପାଞ୍ଚଟା। ଅନେକ ସେବାକାରୀ। ସମ୍ଭାରର ନାନା ଆୟୋଜନ। ଅନଭ୍ୟସ୍ତ ଚଳଣି ସହିତ ସମସ୍ତେ ଧୀରେଧୀରେ ଅଭ୍ୟସ୍ତ ହେଊଥିଲେ। ପରିବାରର ଅତି ପରିଚିତ ଭୋକ ଓ ଅଭାବ ସେମାନେ ଆଉ ଭେଟୁ ନଥା’ନ୍ତି।

 

ଘରକୁ ଏବେ ବୋହୂଟିଏ ଆସିବା ଉଚିତ। ସଙ୍କେତରେ ହିଁ ସେମାନଙ୍କ ସୁଖର ସୂର୍ଯ୍ୟୋଦୟ ଜଣା ପଡ଼ୁଥିଲା। 

 

ତଥାପି ରଥୀର ମନ ଆଉଟିପାଉଟି ହେଉଥାଏ। ନିଜ ରୁମ‌୍‍ର କାନ୍ଥଆଲମିରା ଭିତରୁ ସେ ଲୁଚେଇ ରଖିଥିବା ମଳିଛିଆ ବେଗ‌୍‍ଖଣ୍ଡିକ କାଢ଼େ। ସେଥିରୁ ଛୋଟ ମୁଣିଟିକୁ ବାହାର କରେ। ଗୋଟିଏ ଗୋଟିଏ କରି ଆଲ‌୍‍ପିନ‌୍‍ କାଢ଼େ। ସେମାନଙ୍କ ସାଙ୍ଗରେ ମଣିଷଙ୍କ ପରି ଗପ ହୁଏ। ନିଃଶବ୍ଦରେ। ତୁ ମହାମହିମ ରାଷ୍ଟ୍ରପତିଙ୍କ ପାଖକୁ ଯାଇଥିଲୁ ନା? ବାନା ମା-ଛେଉଣ୍ଡ। ତୁ ଏକଥା ସେନାଧ୍ୟକ୍ଷଙ୍କୁ କହି ନଥିଲୁ? ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହେଲେ ହେଁ ମରଇ। ଜନ୍ମ ହେଲା ତ ମରିଥା’ନ୍ତା, ହେଲେ ସେମାନେ ବାନାକୁ ସହିଦ କହିଲେ କାହିଁକି? ଏହିପରି ଏକ ମତକୁ ମେରିଖୁଣ୍ଟ ସଜେଇ ମୁଣିରେ ଥିବା ପ୍ରତ୍ୟେକ ଆଲ‌୍‍ପିନ‌୍‍କୁ ସେ କିଛି ନା କିଛି ପଚାରେ। କ’ଣ ଉତ୍ତର ପାଏ, କେଜାଣି!

 

ଜେଜେବୁଢ଼ା ଓ ବୋଉ ସହିତ ସୁଖଦୁଃଖ ଓ ପାଣିପବନ ବାଣ୍ଟି ବଢ଼ିଥିବା ପଦ୍ମନାଭ ପାଇଁ ଦି’ଜଣଙ୍କ ଆସନ କାହିଁ କେତେ ଉଞ୍ଚାରେ। ବୁଢ଼ା ନଇଁ ଗଲାଣି। ସାରା ଜୀବନଟା ବିଚରା କଷ୍ଟ ପାଇଲା। ଏବେ କାହିଁକି ସେ ସରକାରଙ୍କଠାରୁ ଦୟାରେ ଜମିଖଣ୍ଡେ ପାଇବାକୁ ଦଉଡ଼ୁଚି? ତାକୁ କେହି ପାଗଳ କି ଲୋଭୀ କହି ପାରିବେନି। ପଦ୍ମନାଭ ଭାବୁଥିଲା - ମୁଁ କ’ଣ ରାଜଧାନୀରେ ଜମି ଖଣ୍ଡେ କିଣି ପାରିବିନି କି? ହେଲେ, ଏ ବୁଢ଼ା ବୁଝିଲେ ତ।

 

ଅନେକ ଥର ସେ ଭାବିଲାଣି, କହିଦବ - ଏ ବୟସରେ ତୁ ଆଉ କୁଆଡେ଼ ଯାଆନା। ତୋ ଦେହରେ ଟିକେ ଝାଳ ଦେଖିଲେ ମୋ ହଲକ ଶୁଖି ଯାଉଚି। ଏବେ ତୋର ଆଉଁଷାଆଉଁଷି ପାଇବା କଥା। କହିଲେ କ’ଣ ସେ ବୁଝିବ?

 

ଦିନେ ଘରର ଯାଇତାଇ ରିପେୟାର କରିବାକୁ ଲୋକ ଆସିଲେ। ପଦ୍ମନାଭ ଜଣକୁ ଧରି ଜେଜେ ଶୋଉଥିବା ରୁମ‌୍‍ ସଜାଡ଼ିଲା। ମଳିଛିଆ ବେଗ‌୍‍ଟା ଆଖିରେ ପଡ଼ିଲା। ସେଥିରେ ଥିବା ବାର‌୍‍ସି ଛେଣି ମୁଗୁର ବଟାଳି ରଞ୍ଜାଆଦି ସହିତ ତା’ର ସଠିକ ପରିଚୟ ଥିଲେ ମଧ୍ୟ ଆଉ ସେଗୁଡ଼ାକର ଏଠି କି କାମ ଭାବି କହିଲା, ଜେଜେ, ଏଇ ବସ୍ତାକୁ ଗ୍ୟାରେଜ‌୍‍ ଘରେ ରଖିଦବା?

 

ରଥୀ ସୁତାର ଥମ‌୍‍ଥମ‌୍‍ ହୋଇଗଲା। ହଁ କଲାନି କି ନାଇଁ କଲାନି। କେତେ ସମୟ ପରେ କହିଲା, ହଁ ରେ ବାପ, ହାରି ଯାଇଥିବା ବୁଢ଼ାଟା। ତା ଯନ୍ତ୍ରପାତି କୋଉ କାମରେ ଲାଗିବ? ଦେ ହଟେଇ ଦେ।

 

ହେ ଜେଜେ, ଏ ପୃଥିବୀରେ ତୋଠୁଁ ଅଧିକା କେହି ଜିତି ପାରିବେନି। ଏକଥା ପଦ୍ମନାଭ କୋଉ ଭାଷାରେ ବା ବୁଢ଼ାକୁ ବୁଝେଇ କହି ପାରିଥା’ନ୍ତା? ବେଗ‌୍‍ ଖୋଲିଥିଲା ସିନା, ମାତ୍ର ତାହା ସେ ହଟେଇଲା ନାହିଁ।

 

ଆଉଦିନେ ସେ ପଚାରିଲା, ତୁ ତା ଭିତରେ ଆଲ‌୍‍ପିନ‌୍‍ପୁଳାଏ କାହିଁକି ରଖିଚୁ? ସେଗୁଡ଼ାକ କଳଙ୍କି ଲାଗିଗଲାଣି।

 

ବୁଢ଼ା ବେଜାଏ ହସିଲା। ନିଜ ବିରୁଦ୍ଧରେ ତାତ୍ସଲ୍ୟ ହେଉ ପଛେ, ଏହା ଥିଲା ତା’ର ପ୍ରଥମ ହସ। ବାନାବୋଉଠୁଁ ଆରମ୍ଭ କରି ଜଣଙ୍କ ପରେ ଜଣେ ଏବଂ ସବାଶେଷରେ ଏଇ ଆଲ‌୍‍ପିନ‌୍‍ଗୁଡ଼ିକ - ସମସ୍ତେ ରଥୀ ସୁତାରର। ସମସ୍ତେ ତା ହାରିବାର ହେତୁ ଓ ସ୍ମୃତି। ଯିଏ ଯେଝା ବାଟରେ ଚାଲିଯାଇଛନ୍ତି। ରହିଯାଇଛନ୍ତି ଆଲ‌୍‍ପିନ କେଇଟା। ସେମିତି ହସିହସି ସେ କହିଲା, ତୁ ତ ଅଫିସର ହେଲୁ। ମୋ ସାଙ୍ଗରେ କଥା ହବାକୁ କେହି ନାହାଁନ୍ତି। ସେଇ ଆଲ‌୍‍ପିନ‌୍‍ଗୁଡ଼ାଙ୍କ ସାଙ୍ଗରେ କେତେବେଳେ କେମିତି ଟିକେ ଗପସପ ହୁଏ।

 

ଆଉ ଦିନେ ଭାବିଲା, କାଳେ ସେମିତି ଗପସପ ଅଧିକାର ବି ବୟସ କ’ଣ ତା’ଠାରୁ ଛଡେ଼ଇ ନେଲାଣି କି? ସେ ପଦ୍ମନାଭକୁ ଡାକି କହିଲା, ନେ ରେ ପୁଅ, ସେ ବେଗ‌୍‍ କୋଉଠି ରଖିବୁ ବୋଲି କହୁଥେଲୁ। ରଖିଦେ। ହେଲେ, ମୁଁ ଜୀଇଥିବାଯାଏ ରଖିଥବୁ। ମୟୂରଚନ୍ଦ୍ରିକା ଦେଖିଲେ କୁଷ୍ଟଁ ଭଗବାନ ମନେ ପଡ଼ୁଥିବା ପରି କେତେ କଥା ମନେ ପକେଇବାକୁ ଏଗୁଡ଼ାକୁ ଖାଲି ଟିକେ ଦେଖୁଥିବି। ଏତିକିରେ ମୋର ଟିକେ ଶାନ୍ତି, ତୋ’ର ବି କିଛି କଷ୍ଟ ନଥବ।

 

ରାତିରେ ଘରକୁ ଫେରି ପଦ୍ମନାଭ ବୋଉକୁ କହିଲା। ଜେଜେ ଏମିତି ହଉଚି କାହିଁକି? ବୁଢ଼ାଟାକୁ ଟିକେ ବୁଝା।

 

ବୋଉ କହିଲା, ନାଇଁ ରେ ପୁଅ, ତାଙ୍କ ନହକା ଅଣ୍ଟାର ଦମ୍ଭରେ ମୁଁ ତୋ ଅଣ୍ଟା ସିଧା କରେଇ ପାରିଚି। ସିଏ ମୋ ପାଇଁ ସବୁବେଳେ ବଳ। ଜୀବନଟା ସାରା ଶାନ୍ତି ନ ପାଇଥିଲେ ବି, ସେ ଅବୁଝା ନୁହଁନ୍ତି। ମୁଁ ତାଙ୍କୁ କ’ଣ ବୁଝେଇବି?

 

(ଗପଟି ୨୦୦୪ ମସିହାରେ ରଚିତ ଓ ପ୍ରକାଶିତ। ଏଠାରେ ସାମାନ୍ୟକଥନ ପାଠକଙ୍କ ପାଇଁ ପୁନଃପ୍ରକାଶ କରାଗଲା।)

ମୋବାଇଲ: ୦୯୪୩୭୧ ୯୪୬୦୦


ପ୍ରତିକ୍ରିୟା

Rabinarayan Das - Email: odishapurirabidas@gmail.com - Posted on 2016-09-29 16:07:45

Breathtaking.

Pranab Dey - Email: pranabdey@yahoo.co.in - Posted on 2016-09-29 18:12:22

Thare padhili.Pare aau thare ba adhika padhibi.Gapati mote achhanna kari rakhichhi,ae paryanta.Adhika kana kahibi ?Srastanku Namaskar !

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top