ଇତିହାସର ରଙ୍ଗ କ’ଣ ଗୈରିକ?

News Story - Posted on 2016-09-26

ଡଃ ହେମନ୍ତ ମହାପାତ୍ର

 

ସଭ୍ୟତାର କ୍ରମବିବର୍ତ୍ତନର ସମୟାନୁକ୍ରମିକ ବିବରଣୀ ହିଁ ଇତିହାସ। ଏହା ଲିପିବଦ୍ଧ ହୋଇପାରିଥାଏ, ନ ହୋଇ ବି ପାରିଥାଏ। ଇତିହାସରେ ଅଛି ସଭ୍ୟତାମାନଙ୍କର ଉତ୍ତରଣ ଅବତରଣ କଥା। ଏହି ଉତ୍ତରଣ ଓ ଅବତରଣ ପ୍ରକ୍ରିୟା ମଧ୍ୟରେ ସାମୂହିକ ଭାବରେ ମଣିଷ ସଭ୍ୟତା ଆଗକୁ ବଢିଛି। ଇତିହାସର ସଜ୍ଞାସ୍ୱରୂପକୁ ନେଇ ଅକାରଣରେ ବାଦବିସମ୍ୱାଦ ଅନେକ। ଇତିହାସର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ବି ଅନେକ। ଇତିହାସକୁ ବିକୃତ କରି ସ୍ୱାର୍ଥସିଦ୍ଧି ଓ ଆତ୍ମରକ୍ଷା କରିବାର ପ୍ରଚେଷ୍ଟା କାଳକାଳର କଥା। ଇତିହାସ ଉପରେ ଆକ୍ରମଣ ଅନେକ। ସେଥିପାଇଁ ଇତିହାସ ଏତେପରିମାଣରେ କ୍ଷତବିକ୍ଷତ, ବିକଳାଙ୍ଗ। ଏକ ପୂର୍ଣ୍ଣାଙ୍ଗ, ନିରପେକ୍ଷ ଓ ବିଶୁଦ୍ଧ ଇତିହାସ ଏ ପର୍ଯ୍ୟନ୍ତ ସଂକଳିତ ହୋଇନାହିଁ। ତତ‌୍‍କାଳୀନ ଶାସକ ଗୋଷ୍ଠୀ ଇତିହାସକୁ ସେମାନଙ୍କର ସପକ୍ଷରେ ନେବାକୁ ଯାଇ ଇତିହାସକାରମାନଙ୍କୁ ଭୟ ଓ ପ୍ରଲୋଭନ ଦେଖାଇ ବିଭିନ୍ନ ଭାବରେ ବାଟବଣା କରିଛନ୍ତି। ସେଥିପାଇଁ ଇତିହାସ ନାଁରେ ଲେଖା ହୋଇଯାଇଛି ଅନେକ ଅଣଐତିହାସିକ ଇତିବୃତ୍ତ। ପଦପଦବୀ, ଅର୍ଥ, କ୍ଷମତା, ପୁରସ୍କାର, ଉପଢୌକନ ଲୋଭରେ ଇତିହାସକାରମାନେ ‘ସତ’ ପାଖରୁ ମୁହଁ ଫେରାଇ ଆଣିଛନ୍ତି। ଅନେକ ‘ସତ୍ୟ’ କାଳର କରାଳ ଗର୍ଭରେ ବିସ୍ମୁତ ହୋଇଯାଇଛି।

 

ସେଇଥିପାଇଁ ଦାବି ହେଉଛି ଇତିହାସକୁ ଜନମାନସରୁ ପୂରା ଲିଭାଇ ଦେବା ପାଇଁ, ପୋଛାପୋଛି କରି ସଫା କରିଦେବା ପାଇଁ। ଇତିହାସ ଯୋଗୁଁ ଅନେକ ବାଦ ବିସମ୍ୱାଦର ସୃଷ୍ଟି ହୋଇଛି। ଇତିହାସ ଯୋଗୁଁ ଅନେକ ଐତିହାସିକ ବାଦବିସମ୍ୱାଦର ସମାଧାନ ମଧ୍ୟ ହୋଇଛି। ଇତିହାସରୁ ଅନେକ ସତ୍ୟ ଲୁକ‌୍‍କାୟିତ ହୋଇଯାଇଛି। ଅନେକ ଅସତ୍ୟ ଇତିହାସ ଭିତରକୁ ଅନୁପ୍ରବେଶ କରି ଇତିହାସକୁ କଳଙ୍କିତ କରିଛନ୍ତି।

 

ଏହି ଅବଧାରଣାକୁ ଅବଧାନକୁ ନେଇ ଆସନ୍ତୁ ତା’ହେଲେ ବିଚାର କରିବା ଇତିହାସର ବର୍ତ୍ତମାନର ସ୍ଥିତିକୁ। କିଏ କିଏ କହନ୍ତି, ଯେଉଁ ଦେଶର ଇତିହାସ ନାହିଁ ସେମାନେ କୁଆଡେ ଭାରି ଖୁସୀ। (ପଳାୟନପନ୍ଥୀ ମନୋବୃତ୍ତି)। ଏହା ଏକ ମାରାତ୍ମକ ଉପକଳ୍ପ, ଏକ ଅବାନ୍ତର କଳ୍ପନା। ସବୁ ବ୍ୟକ୍ତିଙ୍କ ଅତୀତ ଅଛି; ସବୁ ସମାଜ, ସବୁ ସଭ୍ୟତାର ଇତିହାସ ଅଛି। ଇତିହାସ ସେମାନଙ୍କର ମୂଳଭିତ୍ତି, ମୂଳଦୁଆ। ଗୋଟିଏ ସଭ୍ୟତାର ଇତିହାସ ଆମେ ଆଗାମୀ ପିଢିର ଲୋକମାନଙ୍କୁ ଜଣାଇବାକି ନାହିଁ ତା ଅଲଗା କଥା। କିନ୍ତୁ ଛିନ୍ନମୂଳ ହୋଇ ଗୋଟିଏ ଜାତି ବଞ୍ଚିବ ତ? ଯେତେବେଳେ ତା’ର ବା ତା ଜାତିର ନିଜସ୍ୱ ବୋଲି କିଛି କହିବାକୁ ନଥିବ ସେ ଦୃଢଭାବରେ ଭୂମି ଉପରେ ପାଦଥାପି ଠିଆ ହୋଇପାରିବ ତ?

 

ଇତିହାସରେ ଅନେକ ସତ୍ୟ ଉପେକ୍ଷିତ ହୋଇପାରେ, ଅନେକ ମିଛ ଅନୁପ୍ରବେଶ କରିପାରେ, କିନ୍ତୁ ମଣିଷ ସଭ୍ୟତାର ଏକ ସ୍ଥୁଳ ଅତୀତକୁ ପରିପ୍ରକାଶ ଓ ଅଭିବ୍ୟକ୍ତ କରିବାକୁ ଇତିହାସ ସମର୍ଥ। ଇତିହାସ ପଙ୍ଗୁ ବା ସ୍ଥବିର ନୁହେଁ। ଏହା ଚଳଚଞ୍ଚଳ ଜୀବନ୍ତ। ନୂତନ ତଥ୍ୟର ଆବିଷ୍କାର ସହିତ ଇତିହାସ ପରିମାର୍ଜିତ ହେଉଛି। ଇତିହାସରୁ ଅନେକ କଳୁଷ ଅପସାରିତ ହୋଇଯାଉଛି। ଏହି ପରିବର୍ତ୍ତନ ପ୍ରକ୍ରିୟା, ଗବେଷଣା ଦ୍ୱାରା ଇତିହାସକୁ କଷଟି ପଥର ଦ୍ୱାରା ପରୀକ୍ଷା କରାଯାଉଛି। ଇତିହାସର ବିଶୁଦ୍ଧିକରଣ ପ୍ରକ୍ରିୟା ଅହରହ ଚାଲିଛି। ଇତିହାସରେ ଯାହା ଲେଖାଯାଇଛି ତାହା ଅବଧାରିତ ଚୂଡାନ୍ତ ସତ୍ୟ ନୁହେଁ। ଇତିହାସ ସ୍ଥାଣୁ ନୁହେଁ। ନୂଆ ପ୍ରମାଣ ସହିତ ଏହା ନୂଆଦିଶାରେ ପ୍ରବାହିତ ହେବାକୁ ବାଧ୍ୟ।

 

ଇତିହାସର ଏହି ବିଶୁଦ୍ଧିକରଣ ପ୍ରକ୍ରିୟା ଅନେକ ସମୟରେ ନ୍ୟସ୍ତ ସ୍ୱାର୍ଥ, କ୍ଷମତାଶୀଳ ଲୋକମାନଙ୍କଦ୍ୱାରା ପ୍ରଭାବିତ ନିଶ୍ଚୟ ହେଉଛି। ଯେମିତି ବର୍ତ୍ତମାନ ଇତିହାସକୁ ଗୈରିକିକରଣ କରିବାର ପ୍ରବଳ ପ୍ରଚେଷ୍ଟା ହେଉଛି। ତଥାପି ସତ୍ୟ ଅବଦମିତ ହୋଇନାହିଁ। ମଣିଷର ବିବେକ ଅଛି। ମିଛ ସତ ଜାଣିବାର ବିଚାରଶକ୍ତି ଅଛି। କିଛି ପ୍ରଲୁବ୍ଧ ଇତିହାସରମାନେ ତାଙ୍କ ପ୍ରଭୁ‌୍‍ଙ୍କ ଗୁଣକୀର୍ତ୍ତନ ବି କରିପାରୁଥାଆନ୍ତି। କିନ୍ତୁ ଇତିହାସ ଏକ  ମୁକ୍ତ ଆଲୋଚନାର ବିଷୟ। ଇତିହାସସିଦ୍ଧ ହେବାପାଇଁ ପ୍ରମାଣର ଆବଶ୍ୟକତା ପଡେ। ଉଡା କଥାରେ ଇତିହାସ ଲେଖାଯାଏ ନାହିଁ। ଚାଟୁକାରମାନଙ୍କ ଚାଟୁବାକ୍ୟରେ ଇତିହାସ ଗଢାଯାଇ ନପାରେ। ସତ୍ୟକୁ ଅଣଦେଖା କରିବା ସହଜ କଥା ନୁହେଁ। ଇତିହାସ ଏକ ଜୀବନ୍ତ ଗତିଶୀଳ ବିଷୟ ବିନ୍ୟାସ। ଏଥିରେ ମିଶାଣ ଫେଡାଣ ପ୍ରକ୍ରିୟ ଅବ୍ୟାହତ ଅଛି, ରହିବ।

 

ଇତିହାସର ବ୍ୟାପ୍ତି ଓ ପରିଧି ବିଷୟରେ ତର୍କ ବିତର୍କ ହେଉଛି। ଇତିହାସରେ ସବୁ ଅଛି। ଗତ ମୁହୂର୍ତ୍ତ ପର୍ଯ୍ୟନ୍ତ ଘଟିଯାଇଥିବା ଘଟଣାକ୍ରମର କାଳକ୍ରମିକ ବିବରଣୀ ତ ଇତିହାସ। ଇତିହାସର ପରିଧି ଭିତରେ ଅତୀତର ଜ୍ଞାନ ବିଜ୍ଞାନ, ରାଜନୀତି, ଅର୍ଥନୀତି, ସମାଜ, କଳା, ସ୍ଥାପତ୍ୟ, ସାହିତ୍ୟ, ନୃତ୍ୟଗୀତ, ଦର୍ଶନ, ଚିକିତ୍ସା ବିଜ୍ଞାନ, କୀଡା କସରତ ସବୁକିଛି ଅଛି। ଅତୀତର ଅଭିଜ୍ଞତା ଓ ଅନୁଭୂତିରୁ ବର୍ତ୍ତମାନ ସମୃଦ୍ଧ ଓ ଭବିଷ୍ୟତ କଳନା ସମ୍ଭବ। ସମାଜର, ସଭ୍ୟତାର ଗତି, ପ୍ରବୃତ୍ତି ବିଷୟରେ ଇତିହାସରୁ ଜାଣିହୁଏ। ସେହି ଐତିହାସିକ ସତ୍ୟମାନଙ୍କ ବୁନିଆଦି ଉପରେ ବର୍ତ୍ତମାନର ଢାଞ୍ଚା ବିଦ୍ୟମାନ। ଇତିହାସ ଭବିଷ୍ୟତର ଦର୍ପଣ। ଭବିଷ୍ୟତ ପାଇଁ ଇତିହାସ ଆମକୁ ସତର୍କ କରିଦିଏ। ଇତିହାସ ବ୍ୟକ୍ତିମାନଙ୍କର ଆତ୍ମ ପ୍ରତ୍ୟୟର ହେତୁ। ଐତିହାସିକ କୃତିମାନେ ବ୍ୟକ୍ତିମନରେ ଆତ୍ମଶକ୍ତି ଜାଗରୁକ କରନ୍ତି। ଏହି ଆତ୍ମଶକ୍ତି ବ୍ୟକ୍ତି ମଧ୍ୟରେ କର୍ମଲିପସା ଜାଗ୍ରତ କରେ। ସେ କର୍ମପ୍ରବଣ ହୁଏ। ଏମିତି କିଛି କର୍ମ ପ୍ରବଣ ଲୋକଙ୍କ ସହିତ ସମାଜ ଆଗକୁ ବଢେ। ଇତିହାସ ପ୍ରେରଣା ଦାୟକ। ଏହା ପ୍ରତ୍ୟୟ, ଶକ୍ତି, ସାହସ ଯୋଗାଇ ଦିଏ।

 

ତେବେ ଇତିହାସକୁ ବିଶୁଦ୍ଧ ରଖିବାକୁ ହେବ। ଇତିହାସକୁ ବିକୃତ କରିବାର ପ୍ରଚେଷ୍ଟା ସବୁବେଳେ ଚାଲିଛି। କ୍ଷଣିକ ତଳେ ଘଟିଥିବା ଘଟଣା, ଯାହା ଭବିଷ୍ୟତରେ ଇତିହାସ ପଦବାଚ୍ୟ ହେବ, ତାକୁ ଜାଣିଶୁଣି ରହସ୍ୟାବୃତ କରିଦିଆଯାଉଛି। ସତକୁ ଲୁଚେଇ ଦିଆଯାଉଛି। ମିଛ ସରକାରୀ ରିପୋର୍ଟ ତିଆରି ହେଉଛି। ତଦନ୍ତ କମିସନ ବସୁଛି, କିନ୍ତୁ ଶତ ପ୍ରତିଶତ ସତ ପଦାକୁ ଆସୁନାହିଁ। ଗୋଟିଏ ଘଟଣାକୁ ବିଭିନ୍ନ ଗଣମାଧ୍ୟମ ବିଭିନ୍ନ ଆଭିମୁଖ୍ୟ ନେଇ ଅଭିବ୍ୟକ୍ତ କରୁଛନ୍ତି। ଏ ସବୁର ଫଳସ୍ୱରୂପ ଇତିହାସ ସଂକଳନରେ ବାଧା ଉପୁଜୁଛି। ଅର୍ଦ୍ଧସତ୍ୟ ଓ ଅସତ୍ୟକୁ ଭିତ୍ତିକରି ଇତିହାସ ପ୍ରଣୟନ ହେଉଛି।

 

ଇତିହାସ ରଚନାରେ ଅନ୍ୟ ଏକ ସମସ୍ୟା ହେଲା ବାଦସର୍ବସ୍ୱ ଆଭିମୁଖ୍ୟ। ଇତିହାସକାରମାନେ ବାମପନ୍ଥୀ, ଦକ୍ଷିଣପନ୍ଥୀ, ଜାତିୟତାବାଦୀ, ସାମ୍ରାଜ୍ୟବାଦୀ ଭଳି ଗୋଷ୍ଠୀଭୁକ୍ତ ହୋଇ ସେହି ଆଭିମୁଖ୍ୟ ନେଇ ଇତିହାସ ରଚନା କରୁଛନ୍ତି। ଏହାଦ୍ୱାରା ବାସ୍ତବ ସତ୍ୟ ଉପେକ୍ଷିତ ହେଉଛି। ଇତିହାସ ଏକଦିଗଦର୍ଶୀ, ଆଂଶିକ ହୋଇଯାଉଛି। ପୂର୍ଣ୍ଣାଙ୍ଗ ହୋଇପାରୁନାହିଁ।

 

ଐତିହାସିକମାନଙ୍କ ମଧ୍ୟରେ ଏହି ଗୋଷ୍ଠୀକନ୍ଦଳ ଶୁଦ୍ଧ ଇତିହାସ ପାଇଁ ଏକ ବଡ ସମସ୍ୟା, ବୃହତ ପ୍ରତିବନ୍ଧକ। ନିଜ ଉପରୁ ବିଶ୍ୱାସ ହରାଇଥିବା ହୀନମନ୍ୟ ରାଜନେତାମାନେ ଗୌଣ ଐତିହାସିକ ଚରିତ୍ରମାନଙ୍କର ଗୁଣଗାନ କରି ସେମାନଙ୍କୁ ନିଜର ଆଦର୍ଶ ବୋଲି ପ୍ରଦର୍ଶନ କରି ଲୋକମାନଙ୍କର ଭାବପ୍ରବଣତାକୁ ପ୍ରଭାବିତ କରନ୍ତି। ଐତିହାସିକ ଚରିତ୍ରମାନଙ୍କ ସହିତ ନିଜର ସମ୍ପର୍କ ଯୋଡି ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇବାର ପ୍ରଚେଷ୍ଟା କରନ୍ତି। ଇତିହାସର ସାଧାରଣ ଚରିତ୍ରମାନଙ୍କୁ ନାୟକର ଆଖ୍ୟା ଦେଇ ତାଙ୍କ ନାମରେ ରାସ୍ତାଘାଟ କୋଠାବାଡି ଜନହିତକାରୀ ଯୋଜନାମାନ ନାମିତ କରନ୍ତି। ଏହି କାରଣରୁ ବେଳେ ବେଳେ ଇତିହାସର କିଛି ଗୌଣ ଚରିତ୍ର ଶାସକମାନଙ୍କର ପୃଷ୍ଠପୋଷକତାରେ ମହାନ ହୋଇ ଉଠନ୍ତି ଏବଂ ଇତିହାସର ମହାନ ଚରିତ୍ରମାନେ ପୁଷ୍ଠପୋଷକତାର ଅଭାବରୁ ବିସ୍ମୃତି ଗର୍ଭକୁ ଚାଲିଯାଆନ୍ତି। ଆମ ଦେଶରେ ପୁଜ୍ୟପୂଜା ଠିକ ହେଉନାହିଁ। ଗୁଣୀର ଗୁଣକୁ ପରଖିବା ପାଇଁ ଏଠାରେ ପ୍ରଚେଷ୍ଟା ନାହିଁ। ତେଣୁ ଗୁଣୀ ଲୋକମାନେ ନେପଥ୍ୟକୁ ଚାଲିଯାଉଛନ୍ତି। ନିଜ ଢୋଲ ପିଟୁଥିବା ଅନ୍ତଃସାରଶୁନ୍ୟ କୁହାଳିଆ ଲୋକେ ଆଗକୁ ଆସିଯାଉଛନ୍ତି। ଇତିହାସ ବିଡମ୍ୱିତ ହୋଇଯାଉଛି।

 

ଆମର କିନ୍ତୁ ଶୁଦ୍ଧ ଇତିହାସର ସଂରକ୍ଷଣ କରିବାର ଅଛି। ଇତିହାସର ସୁଦୃଢ ସ୍ତମ୍ଭ ଉପରେ ଆଜିର ମାନବ ସଭ୍ୟତା ଦଣ୍ଡାୟମାନ। ଆମେ ଇତିହାସ ଭିତରୁ ଆମର ସମସ୍ୟାର ସମାଧାନ ଖୋଜୁ। ଇତିହାସରେ ବିଭିନ୍ନ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବ୍ୟବସ୍ଥାର ପରୀକ୍ଷା ନିରୀକ୍ଷା ହୋଇଛି। ବିବର୍ତ୍ତନ ପ୍ରକ୍ରିୟାରେ ଅଲୋଡା ବ୍ୟବସ୍ଥା ସବୁ କାଳର କରାଳ ଗର୍ଭରେ ହଜିଯାଇଛନ୍ତି। ଅସାର ପ୍ରମାଣିତ ହୋଇଯାଇଛନ୍ତି। ଇତିହାସରେ ଅଛି ଜ୍ଞାନ ବିଜ୍ଞାନର ଜୟଯାତ୍ରା, ସାହିତ୍ୟ ଦର୍ଶନ, କଳାକାରିଗରୀର ଚମତ୍କାରିତା। ମାନବ ସଭ୍ୟତାକୁ ସୁସ୍ଥସବଳ, ପ୍ରତ୍ୟୟଯୁକ୍ତ କରିବାକୁ ଯାହା ଯାହା ଦରକାର ସବୁ ଅଛି ଇତିହାସରେ।

 

ତେଣୁ ମାନବ ସମାଜର ସମୃଦ୍ଧିପାଇଁ ବିଶୁଦ୍ଧ ଇତିହାସର ସଂରକ୍ଷଣ ନିହାତି ଆବଶ୍ୟକ। ଇତିହାସକୁ ବିକୃତ କରିବାର ପ୍ରଚେଷ୍ଟାରୁ ଇତିହାସକାରମାନଙ୍କୁ କ୍ଷାନ୍ତ ହେବକୁ ପଡିବ। ପ୍ରାୟୋଜିତ ଇତିହାସ ଲେଖନରୁ ବିରତ ହେବାକୁ ପଡିବ। ପଦପଦବୀ, ଅର୍ଥ ପ୍ରଲୋଭନରୁ ନିଜକୁ ମୁକ୍ତ ରଖି ଇତିହାସକାରମାନଙ୍କୁ ସତ୍ୟ ପରିବେଷଣ କରିବାକୁ ହେବ। ଇତିହାସକୁ ବାଟବଣା କରିବାର ଚକ୍ରାନ୍ତ ସେଦିନ ଥିଲା, ଆଜି ବି ଅଛି। ସେଥିପ୍ରତି ସତର୍କ ରହିବାକୁ ହେବ। ଇତିହାସ ରାଜା ମହାରାଜା ଯୁଦ୍ଧ ବିଗ୍ରହର ବିବରଣୀ ନୁହେଁ, ଏହା ସାଧାରଣ ମଣିଷମାନଙ୍କର ହସକାନ୍ଦର ପ୍ରତିଲିପି ଏ କଥା ହୃଦୟଙ୍ଗମ କରିବାକୁ ହେବ।

 

୨୩, ଏକାମ୍ର ଭିଲ୍ଲା, ଜୟଦେବ ବିହାର, ଭୁବନେଶ୍ୱର - ୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top