ରାମଚଣ୍ଡୀ ପୀଠରେ ଷୋଳପୂଜା ଆରମ୍ଭ

News Story - Posted on 2016-09-25

ଆସନ୍ତା ଅକ୍ଟୋବର ମାସ ୧୧ ତାରିଖରେ ମା’ ଦୂର୍ଗାଙ୍କ ପୂଜା ପାଇଁ ସବୁ ଶକ୍ତି ପୀଠ ଚଳଚଂଚଳ ହୋଇ ଉଠିଛି। ଧରାପୃଷ୍ଠକୁ ମା’ଙ୍କ ଆଗମନ ଅବସରରେ ଆରମ୍ଭ ହୋଇଛି ଦେବୀ ପୀଠମାନଙ୍କରେ ଷୋଳପୂଜା। କୋଣାର୍କ-ପୁରୀ ବେଳାମାର୍ଗ କଡରେ ଥିବା ରାମଚଣ୍ଡୀ ପୀଠରେ ମଧ୍ୟ ଷୋଳପୂଜା ଆରମ୍ଭ ହୋଇଛି।

 

ପ୍ରାକୃତିକ ସୁଷମା ଭାରା ନୈସର୍ଗିକ ଶୋଭାର ଗନ୍ତାଘର ଓ ପବିତ୍ର ମହୋଦଧି କୂଳରେ ମା’ ରାମଚଣ୍ଡୀଙ୍କ ପୀଠ ଅବସ୍ଥିତ। ପ୍ରାଚୀନ ସୂର୍ଯ୍ୟକ୍ଷେତ୍ର ବା ଅର୍କକ୍ଷେତ୍ରର ରକ୍ଷାକର୍ତ୍ତୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ରାମଚଣ୍ଡୀ ହେଉଛନ୍ତି ଶ୍ରେଷ୍ଠ ଓ ଅଗ୍ରପୂଜ୍ୟା ଦେବୀ। ସେ ଅର୍କକ୍ଷେତ୍ର କୋଣାର୍କର ଅଧିଷ୍ଠାତ୍ରୀ ଦେବୀ। ମା’ ରାମଚଣ୍ଡୀଙ୍କ ଅବସ୍ଥିତି ଓ ମାହାତ୍ମ୍ୟ ସଂପର୍କରେ ସାରଳା ମହାଭାରତ, ପୁରୁଷୋତ୍ତମ ମାହାତ୍ମ୍ୟ, ମାଦଳା ପାଞ୍ଜି ତଥା ବିଭିନ୍ନ ଐତିହାସିକ ବିବରଣିରୁ ଅନେକ ସୂଚନା ମିଳିଥାଏ।

 

ଏତଦବ୍ୟତୀତ କୋଣାର୍କ  ଅଞ୍ଚଳର ଲୋକମୁଖରେ ରାମଚଣ୍ଡୀଙ୍କ ସଂପର୍କରେ ଅନେକ କିମ୍ୱଦନ୍ତୀ  ପ୍ରଚଳିତ ଅଛି। କାହିଁ କେଉଁ କାଳରୁ ମା’ ରାମଚଣ୍ଡୀଙ୍କ ପୀଠରେ ଆଶ୍ୱିନ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀ ତିଥିଠାରୁ ପାରମ୍ପରିକ ରୀତିନୀତିରେ ଷୋଳପୂଜା ଆରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିଥାଏ। ଚଳିତ ବର୍ଷ ମା’ଙ୍କ ପୀଠରେ ସେପ୍ଟେମ୍ବର ୨୩ ତାରିଖ (ଗୁରୁବାର) ମଧ୍ୟରାତ୍ରରୁ  ଆରମ୍ଭ ହୋଇଛି ଷୋଡ଼ଶ ଉପଚାରରେ ପୂଜାନୀତି। ଏହି ଅବସରରେ ମା’ଙ୍କ ପୀଠରେ ପ୍ରତ୍ୟହ ଦୁଇବେଳା ଚଣ୍ଡୀପାଠ ହେବା ସହ ମା’ଙ୍କୁ ବିଭିନ୍ନ ବେଶରେ ସଜାଯାଇ ଷୋଡ଼ଶ ଦିନାତ୍ମକ ପାର୍ବଣ ପୂଜା ଆରମ୍ଭ ହୋଇଛି।

 

ମା’ଙ୍କ ମୁଖ୍ୟପୂଜକ ଓ ସେବାୟତଙ୍କ ସୂଚନାନୁଯାୟୀ ପ୍ରତ୍ୟୁଷରୁ ମା’ଙ୍କୁ ସୁବାସିତ ଜଳରେ ସ୍ନାନ ଓ ମାଜଣା କରାଯିବାପରେ ସକାଳ ୫ଟାରେ ବଲ୍ଲଭ ଭୋଗ କରାଯାଉଛି। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ପହଡ଼ ଖୋଲା ରଖାଯିବା ସହ ମଧ୍ୟାହ୍ନ ଭୋଗରେ ଖେଚୁଡ଼ି, ଅନ୍ନ, ଡ଼ାଲି, ମାଛଭଜା, ମାଛପୋଡ଼ା ବଳି, ମାଛ ତରକାରୀ, ଏଣ୍ଡୁରୀ ପିଠା, ଖଟା ଓ ଖିରି ଭୋଗ କରାଯାଉଛି। ଏହା ପରେ ଦିନ ୧ଟା ପର୍ଯ୍ୟନ୍ତ ପହଡ଼ ପଡ଼ିବା ପରେ ଅପରାହ୍ନ ୧ଟାରୁ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ପହଡ଼ ଖୋଲା ରଖାଯାଉଛି।

 

ସଂଧ୍ୟା ୬ଟାରେ ସନ୍ଧ୍ୟା ଆଳତି, ୬ଟା ୩୦ ରେ ସ୍ନାନ ଓ ବାଳଭୋଗ, ରାତି ୧୦ ଟାରେ ରାତ୍ର ଭୋଗରେ ମଧ୍ୟାହ୍ନର ଅନ୍ନଭୋଗ ଖିରି, ଖଟା ଓ ଏଣ୍ଡୁରିପିଠା ପରିବର୍ତ୍ତେ ଦହିପଖାଳ, ପଣା, କାକରା ଆଦି ଭୋଗ କରାଯିବାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ରାତ୍ର ଭୋଗ ଶେଷରେ କଂସାପାତ୍ରରେ ପଇଡ଼ପାଣିକୁ ମଦ୍ୟ ରୂପେ ମା’ଙ୍କୁ ସମର୍ପଣ କରାଯାଉଛି। ରାତ୍ର ୧୧ଟାରେ ବଡ଼ସିଂହାର ଧୂପ ଓ ଆଳତି ପରେ ପହଡ଼ ପକାଯାଇ ସକାଳ ମଙ୍ଗଳ ଆଳତି ଓ ରାତିରେ ବଡ଼ସିଂହାର ଧୂପ ଆଳତିକୁ ମିଶାଇ ମା’ଆଙ୍କ ନିକଟରେ ମୋଟ ୫ ଥର ଆଳତି କରାଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା ହୋଇଛି।

 

ପରମ୍ପରାନୁଯାୟୀ ମହାଷ୍ଟମୀ ରାତି ୩ଟାରେ ପାଞ୍ଚ ପା ଘିଅ ସହିତ ୧୦୮ ବେଲପତ୍ର ହୋମାଗ୍ନିରେ ପୋଡ଼ା ହେବା(ଆହୁତି) ପରେ ସ୍ଥାନୀୟ ଜମିଦାରଙ୍କ ପ୍ରଦତ୍ତ ଏକ ମେଣ୍ଢାାକୁ ବଳି ପକାଇ ତାର ରକ୍ତ ମା’ଙ୍କୁ ସମର୍ପଣ କରାଯାଇଥାଏ। ଷୋଳ ପୂଜା ଅବସରରେ ପ୍ରଥମ ଦିବସରେ ସହସ୍ର କୁମ୍ଭାଭିଷେକ ଓ କଳସ ସ୍ଥାପନକରାଯିବା ପରେ ଦ୍ୱିତୀୟ ଦିବସରେ ସୁନାବେଶ, ତୃତୀୟ ଦିବସରେ ଭୁବନେଶ୍ୱରୀ ବେଶ, ଚତୁର୍ଥ ଦିବସରେ ମାତଙ୍ଗୀ ବେଶ, ପଞ୍ଚମ ଦିବସରେ ବୈଷ୍ଣବୀ ବେଶ, ଷଷ୍ଠ ଦିବସରେ ସିଦ୍ଧେଶ୍ୱରୀ ବେଶ, ସପ‌୍‍୍ରମ ଦିବସରେ ଉଗ୍ରତାରା ବେଶ, ଅଷ୍ଠମ ଦିବସରେ ତ୍ରିପୁରାଭୈରବୀ ବେଶ ଓ ନବରାତ୍ର ପୂଜାରମ୍ଭ, ନବମ ଦିବସରେ ଜଗଦ୍ଧାତ୍ରୀ ବେଶ, ଦଶମ ଦିବସରେ ଷୋଡଶୀ ବେଶ, ଏକାଦଶ ଦିବସରେ ସିଂହବାହିନୀ ବେଶ, ଦ୍ୱାଦଶ ଦିବସରେ ହରଚଣ୍ଡୀ ଓ ଗାୟତ୍ରୀ ବେଶ, ତ୍ରୟୋଦଶ ଦିବସରେ ବଗଳାମୁଖୀ ବେଶ, ଚତୁର୍ଦଶ ଦିବସରେ ମହାକାଳୀ ବେଶ, ପଞ୍ଚଦଶ ଦିବସରେ ମହାଲକ୍ଷ୍ମୀ ବେଶ, ଷୋଢଦଶ ଦିବସରେ ମହାସରସ୍ୱତୀ ବେଶ, ସପ୍ତଦଶ ଦିବସ ତଥା ବିଜୟାଦଶମୀ ତିଥୀରେ ମହିଷାମର୍ଦ୍ଦନୀ ବେଶ, ଅଷ୍ଟାଦଶ ଦିବସରେ ସୁନା ବେଶରେ ମା’ଙ୍କୁ ଦେଖିବାକୁ ମିଳେ।

 

ସେହିପରି ସୂର୍ଯ୍ୟମନ୍ଦିରର ମୁଖ୍ୟ ବିନ୍ଧାଣୀ ଶିବେଇ ସାମନ୍ତରାଙ୍କୁ ମନ୍ଦିରର ଭିତ୍ତିଭୂମି ନିର୍ମାଣର କୌଶଳ ବତାଇ ଦେଇଥିବା ଅର୍କକ୍ଷେତ୍ରର ବନଦେବୀ ମା’ ଭଗବତୀଙ୍କ ପୀଠରେ ମଧ୍ୟ ପାରଂପରିକ ରୀତିରେ ଆରମ୍ଭ ହୋଇଛି ଷୋଳପୂଜା। କୋଣାର୍କ ନିକଟସ୍ଥ ଅନସରାର ମା’ ରୁଦ୍ରାୟଣୀ, ସିମିଳି ଗ୍ରାମର ମା’ ଜାଗେଶ୍ୱରୀ, ଆମ୍ୱିଳି ଗାଁର ମା’ ନାରାୟଣୀ, ଯଦୁପୁର ଗ୍ରାମର ମା’ ଚିତ୍ରେଶ୍ୱରୀ, ତଇଲୋର ମା’ ବାଟମଙ୍ଗଳାଙ୍କ ସମେତ ନିକଟସ୍ଥ ବିଭିନ୍ନ ଗ୍ରାମମାନଙ୍କରେ ଥିବା ପ୍ରମୁଖ ଦେବୀପୀଠମାନଙ୍କରେ ଷୋଡ଼ଶ  ଦିନାତ୍ମକ ପାର୍ବଣ ପୂଜା ମହାସମାରୋହରେ ପାଳନ କରାଯାଉଅଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top