ଶ୍ରୀରାଧା ବାତୁଳୀ

News Story - Posted on 2016-09-22

ଅଭିମନ୍ୟୁ ସାମନ୍ତସିଂହାର

 

ବିଦଗ୍ଧ ଚିନ୍ତାମଣି/ଦ୍ବିପଂଚଦଶତି ଛାନ୍ଦ

ରାଗ ଶୋକ କାମୋଦୀ

 

ଶ୍ରରାଧା ବାତୁଳି ପ୍ରେମ ରସାତୁଳୀ ଘେନ ଚିହ୍ନରା ଗ୍ରାହକମାନେ।

କୃଷ୍ଣ ଅତି ଦୀନେ ଦୂତିକାକୁ ଦୀନେ ପଚାରନ୍ତି କର ଧରି ଛନ୍ନେ।

ପ୍ରାଣବନ୍ଧୁ ରୀତି, କହି ମୋ ଶ୍ରୁତିକି କର ଗତି।

ହସି ଦୂତି ଭାସେ ପ୍ରେମଜଳେ ଭାସେ ବିହ୍ବଳିତ ମତି ଦିନ ରାତି।

 

କାଳିଆ କମଳ ଦେଖିଲେ କମଳ ନୟନରେ ହୁଏ ଜର ଜର।

ଦେଖି ନବଘନ ତାର ଅପଘନ ପୁଲକି ହୁଅଇ ଥରଥର।

ଘନ ସୁନ୍ଦର ହେ, ଯମୁନା ଯିବାକୁ ତରବର।

ଏ ଅତି ବିଚିତ୍ର କଜ୍ଜଳର ଚିତ୍ର ଲେଖି ଚୁମ୍ବ ଦିଏ ବାରବାର।

 

ଦେଖି ତମାଳକୁ ବିଚାରି କୋଳକୁ ସଜ ହେଉଥାଇ ବାହୁଯୁଗ।

ଶ୍ୟାମ ସୁବାସରେ ଆଶା ମାନସରେ କଳାବତୀ ସଙ୍ଗେ ଅନୁରାଗ।

ରସଶେଖର ହେ, ଭୂଷଣ ନୀଳେନ୍ଦ୍ର ମଣିହାର।

ବସି ରାମାବର ଫିଟାଇ କବର ଦେଖୁଥାଇ ଥୋଇ ହୃଦେ ତା’ର।

 

ହେମ ମରକତ ଦେଖି ଅଶକତ ପରି ନେତ୍ର ମୁଦି ରହେ କ୍ଷଣେ।

ଦଇବ ଘଟଣ ମୟୂର ନଟନ ଦେଖି ସୁଖୀ ହୋଏ କେଉଁ ଗୁଣେ?

ଭାବବିନୋଦ ହେ, କୃଷ୍ଣବର୍ଣ୍ଣ ଶେଯେ ମାଡ଼େ ନିଦ।

ଶ୍ରୀଅଙ୍ଗ ତଳକୁ ଚାହିଁବା ବେଳକୁ ଚିତ୍ତରେ ଜାତ ହୁଅଇ ମୁଦ।

 

କେ ଜାଣେ ଭାବନା ବୃକ୍ଷେ ସମ୍ଭାବନା କେତେ କରେ ବୃନ୍ଦାବନ ଗଲେ।

ବୋଲଇ ଅଳିକି ଏ ବନ ଧୂଳିକି ବୋଳି ଦିଅ ମୋର ହୃଦସ୍ଥଳେ।

ନବନାଗର ହେ, ରଙ୍ଗ କମଳରେ ସ୍ନେହ ତା’ର।

ଲଗାଇ ହୃଦରେ ଅତି ଆନନ୍ଦରେ ଲଦୁଥାଇ ଶିରେ ବାର ବାର।

 

ବସି ମଦାଳସୀ ସୁମନାତୁଳସୀ ଗଭା କରି ଘେନୁଥାଇ ନିତି।

କସ୍ତୁରୀ ପତ୍ରକୁ କରିବା ଚିତ୍ରକୁ ବୋଲୁ ସଖୀ ରହେ ମୁଖ ପୋତି।

କାମ ମୋହନ ହେ, କରୁଛି ନୀତି ସାରୀ ପଠନ।

ଦେଖିଲେ କେତକୀ ବୋଲେ ଏ ପାତକୀ ହେଲା କିମ୍ପା ଭୃଙ୍ଗ ବିନୋଦନ?

 

ସୁବଳ ପାଣିକି ଧରି ସେ ପୁଣିକି ମମତାରେ ପୁଚ୍ଛେ ଥିଲ କାହିଁ?

ଗୋବିନ୍ଦ ପାଶରେ ଥିଲି ଏ ଭାଷାରେ ଉଲସି ଉଠଇ ଚାନ୍ଦମୁହିଁ।

ଆହେ ଗିରିଧାରୀ, ନନ୍ଦଗ୍ରାମ ଯାଏ କେଉଁ ନାରୀ?

ତାଙ୍କ ପଦ ଧରି ବୋଲେ ବିମ୍ବାଧରୀ ତୁମ୍ଭେ ମୋର ଗୁରୁଜନ ପରି।

 

ଦେଖି ଗୁଞ୍ଜଫଳ ବୋଲଇ ସୁଫଳ ତୋହ ଅନୁରାଗ ଏକା ହେଲା।

ଗୁଞ୍ଜରାପାଟିକି ତାହାରି ପାଟିକି ଆସଇ ଯେତେ ବର୍ଣ୍ଣ ଦେଲା।

ଆହେ ଗୋପୀନାଥ, ବିଚାର ଏ କେଉଁ ମନୋରଥ?

ହସଇ ଭାଷଇ ସ୍ବୁଗୁଣ ନିନ୍ଦଇ ହାଚୁମ୍ବସୁରେ ପୋତଇ ମାଥ।

 

ଶୁଣି ସେ ଚରିତ ବୋଇଲେ ହରି ତ ହା ଲୁଚି ଯା ମରିଯାଏ ବନ୍ଧୁ।

ତୋ ପ୍ରୀତିପଣକୁ ମୁଁ ନିଜ ପଣକୁ ବିକାହେବି ସତେ କୃପାସିନ୍ଧୁ।

ଆରେ ଗୁଣଗ୍ରାହୀ, କି କି କରି ନପାରଇ ବିହି?

ମୁଁ ଅତି ଦାରୁଣ ତବ ପ୍ରେମ ଋଣ କୋଟି ଜନ୍ମେ ସୁଝାଯିବ ନାହିଁ।

 

ତୋ ଗୁଣ ସୁମରି ଯେବେ ଯିବି ମରି ସଂସାରେ ପ୍ରଶଂସା ସାର ହେବ।

ଦାସ ବତ୍ସାଳିକି ପ୍ରଣୟସ୍ଥଳିକି ବାଧିବା ଡରେ ରହିଛି ଜୀବ।

ଆରେ ଗୁଣବତୀ, ଏ ଛାରକୁ ବଳାଇଲୁ ମତି।

ତୋତେ ଚାନ୍ଦମୁହିଁ କେଉଁ ଗୁଣେ ମୁହିଁ ଯୋଗାଇବି ଏହା ଭାଳେ ନିତି।

 

କଲେ ତୁ ସେବକ ଲେଖିବି ପାବକ ତେଣିକି ଆହାବି ପାରୁ ନାହିଁ।

ମୋ ହୃଦପୀଠକୁ ଦେବି ତୋ କୋଠାକୁ ଯାହା ଇଚ୍ଛା ତାହା କରୁ ତୁହି।

ଆରେ ପ୍ରେମଦାନୀ, ସେ ଯାଇଥିଲେ ଏ ଜୀବ ଘେନି।

ଜାଣଇ କୃପଣ ନୋହି ପ୍ରଭୂପଣ ମୋଠାରେ କେତେ କରିବ ଧନୀ।

 

ଗୋବିନ୍ଦ ଅଧୀର ଦେଖି ଦୂତୀ ଧୀରେ ଧୀରେ କରି ବେଗେ ଚଳିଗଲା।

ଶ୍ରୀରାଧା ପାଶରେ ସୁଅବକାଶରେ ଗୋବିନ୍ଦ ବିପଦ ଶୁଣାଇଲା।

ଆରେ ରସନିଧି, ଭାଗ୍ୟକୁ ମିଳଇ ସବୁ ସିଦ୍ଧି।

ତୋ ପ୍ରେମ ପସରା କୃଷ୍ଣ ଦିନସାରା କେବଳ ତୋ ଗୁଣେ ବାଇ ବୁଦ୍ଧି।

(ଅସମାପ୍ତ)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top