ଭୈରବ ଦେବଙ୍କ ଝାମୁଯାତ୍ରା

News Story - Posted on 2016-09-22

 

କେଉଁ ଆବହମାନ କାଳରୁ ମଣିଷ ସୃଷ୍ଟିର ଶକ୍ତିଙ୍କୁ ପୂଜା କରି ଆସୁଛି। ପାଣି, ପବନ, ନିଆଁ, ନଦୀ, ପାହାଡ ଓ ଗଛଲତାଙ୍କ ସମେତ ପ୍ରକୃତିକୁ ମଣିଷ ପୂଜା କରିଆସୁଛି। ଏଭଳି ପୂଜା କରୁକରୁ ମଣିଷର ଜ୍ଞାନ ଓ କଳ୍ପନାର ଶକ୍ତି ବଢିଲା। ନିଜର ଆସ୍ଥା ଓ ବିଶ୍ୱାସକୁ ମଜବୁତ କରିବା ପାଇଁ ଦେବତାଙ୍କ କଳ୍ପନା କଲା। ନିଜ ମନଭାବନାରୁ ଏକ ରୂପ ଦେଲା। ସେହି ରୂପରୁ ବାହାରିଲେ କୋଟିକୋଟି ଦେବତା। ସେହି ଦେବତା ଆଜି ମଣିଷମାନଙ୍କ ଜୀବନର ଆଧାର। ସେହି ଭାବନା ଜୀବନରୁ ମରଣ ପର୍ଯ୍ୟନ୍ତ ରହିଥାଏ। ମା’ ଭାବରେ ସେ ନାରୀ ଶକ୍ତିକୁ ପୂଜା କରିଥାଏ। ମା’ କାଳି ହୁଅନ୍ତୁ କି ମା’ ଚଣ୍ଡୀ ହୁଅନ୍ତୁ, ଦୁର୍ଗା ହୁଅନ୍ତୁ କି ପାର୍ବତୀ ତାଙ୍କ ଆଶୀର୍ବାଦ ପାଇବା ପାଇଁ ସଦାସର୍ବଦା ସାଧନା ଜାରି ରଖିଛି ମଣିଷ। ସେମିତି ଏକ ଶକ୍ତି ପୂଜାର ଆସ୍ଥା ଓ ବିଶ୍ୱାସ ହେଉଛି ଲାଞ୍ଜିଗଡର ଭୈରବ ଦେବଙ୍କ ଝାମୁଯାତ୍ରା।  

 

ଲୋକବିଶ୍ୱାସରୁ ଜଣାପଡେ ଯେ, ସ୍ଥାନୀୟ ଅଞ୍ଚଳରେ ଏକଦା ପଡିଥିଲା ମହାମାରି। ଜଣକ ପରେ ଜଣକର ଶବ ଗାାଁରୁ ଉଠିଲା। ଚିନ୍ତାରେ ପଡିଲେ ଲୋକେ। କାରଣ ଖୋଜିବାକୁ ଅସମର୍ଥ  ହେଲେ। ଏହି ସମୟରେ ଗାଁର ଜଣେ ମୁଖ୍ୟଙ୍କୁ ସ୍ୱପ୍ନାଦେଶ ହେଲା। ଜଣେ କେହି ଦେବତା କହିଲେ ମୁଁ ଭୈରବ। ଖଲିଗଡର ମାଟି ତଳେ ମୁଁ ରହିଛି, ମତେ ନେଇ ତୁମ ଗାଁରେ ପୁଜା କର। ଗାଁ ଭଲ ରହିବ।

 

ଏହା ପରେ ଗାଁ ମୁଖିଆ ଗାଁର ସମସ୍ତଙ୍କୁ ନେଇ ଏକ ବୈଠକ କଲେ। ସ୍ୱପ୍ନାଦେଶ ହୋଇଥିବା ସବୁ କଥା ଗାଁ ଲୋକଙ୍କ ଆଗରେ ପ୍ରକାଶ କଲେ। ଗାଁର ସମସ୍ତେ ସ୍ୱପ୍ନାଦେଶ ସ୍ଥାନକୁ ଯାଇ ଯଥାବିଧି ପୂଜା କରିବା ପରେ ମାଟି ଖୋଳି ଭୈରବ ଦେବଙ୍କ ଏକ ପଥର ମୂର୍ତ୍ତି ପାଇଲେ। ତାକୁ ନେଇ ଗାଁରେ ସ୍ଥାପନ କରି ପୂଜା କଲେ। ସେଦିନଠାରୁ ଗାଁରେ ଭୈରବ ଦେବଙ୍କ ଯାତ୍ରା ପାଳନ କରାଯାଇଥାଏ।

 

ଲୋକ ବିଶ୍ବାସକୁ ଦୃଢ଼ୀଭୂତ କରିବାକୁ ଦେବତା ରଡ ନିଆଁରେ ଚାଲି ନିଜର ଶକ୍ତିର ପରିଚୟ ଦେଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଏହାକୁ ଭୈରବ ଦେବଙ୍କ ଝାମୁଯାତ୍ରା ବୋଲି କୁହାଯାଏ। ନିଆଁରେ ଚାଲିବା, କଣ୍ଟା ଦୋଳିରେ ଝୁଲିବା ସହିତ ପୋଢ ବଳି ଖାଇବା ଏହି ଯାତ୍ରାର ମୁଖ୍ୟ ପରମ୍ପରା। ଦଶମୀ ତିଥି ନୂଆଁଖାଇ ଦିନ ଦେବତାଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ମନ୍ଦିରର ନଅ ଜଣ ପୂଜକ ଗାଁ ପାଖରେ ଥିବା ନଦୀକୁ ଯାଇ ନଅ ପ୍ରକାର ଶସ୍ୟ ପକାଇ ଗଜା କରିଥାନ୍ତି। ଗାଁ ମଝିରେ ଥିବା ବାଲି ଘରରେ ସେହି ନଅଟି ଚାଙ୍ଗୁଡିକୁ ସ୍ଥାପନ କରି ପୁଜାର୍ଚ୍ଚନା କରିଥାନ୍ତି।

 

ତା’ପର ଦିନ ଖଲିଗଡ ନିକଟରେ ଥିବା ମୁଖ୍ୟ ମନ୍ଦିରରୁ ଅଗ୍ନି ଭୈରବଙ୍କ ଗୋଟିଏ ଖଣ୍ଡା, ବାଲି ଭୈରବଙ୍କ ଗୋଟିଏ ଖଣ୍ଡା ଓ ବୁଢା ଭୈରବଙ୍କ ଦୁଇଟି ଖଣ୍ଡା ବାଲି ଘରକୁ ଆଣି ପୁଜାର୍ଚ୍ଚନା କରି ଦେବତାଙ୍କୁ ଆହ୍ୱନ କରାଯାଇଥାଏ। ସେହି ଖଣ୍ଡାକୁ ନଅ ଦିନ କାଳ ପୂଜା କରିବା ପରେ କୃଷ୍ଣପକ୍ଷ ଅଶ୍ୱପଞ୍ଚମୀ ଦିନ ବାଲି ଘରରୁ ମୁଖ୍ୟମନ୍ଦିରକୁ ପୂଜକମାନେ ଯାଇ ଦେବତାଙ୍କୁ ଝାମୁ ପଡିଆକୁ ଆସିବାକୁ ମନ୍ତ୍ର ଉଚ୍ଚାରଣ କରି ଆବାହନ କରିଥାନ୍ତି।

 

ସେ ସମୟରେ ଗାଁର ଜଣେ ଭକ୍ତଙ୍କ ଦେହରେ କାଳିସି ଲାଗିହୁଅନ୍ତି। ସେମାନେ ମୁଖ୍ୟମନ୍ଦିରରୁ ଢୋଲ ମହୁରୀ ନିଶାଣର ତାଳେତାଳେ ନୃତ୍ୟ କରି ଝାମୁ ପଡିଆକୁ ଆସିଥାନ୍ତି। ଝାମୁ ପଡିଆକୁ ତିନିଥର ପରିକ୍ରମା କରିବା ପରେ ନିଆଁରେ ଚାଲି ନିଜ ଶକ୍ତି ଓ ଲୋକ ବିଶ୍ୱସକୁ ପ୍ରଦିପାଦିତ କରନ୍ତି। ଝାମୁରେ ଚାଲିବା ପରେ ଘଣ୍ଟ, ଶଙ୍ଖ, ନିଶାଣ, ମହୁରି ବାଜାର ତାଳେତାଳେ ନୃତ୍ୟ କରି ଭୈରବ ଦେବ ଲାଞ୍ଜିଗଡ ରାଜାଙ୍କ ସହିତ ଗ୍ରାମ ପରିକ୍ରମା କରି ରାଜ ଉଆସକୁ ଯାଇ ଭୋଗ ଖାଇଥାନ୍ତି।

 

ସେଠୁ ବାଲି ଘରକୁ ଆସିଲା ପରେ ମଇଁଷି ବଳି ଦିଆଯାଇଥାଏ। ଝାମୁଯାତ୍ରାରେ ମନସିକ କରିଥିବା ଭକ୍ତମାନେ ମଇଁଷି, ବୋଦା, କୁକୁଡା, ପାରା ଆଦି ବଳି ଦେଇ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ଏବର୍ଷ ଯାତ୍ରାରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top