ଖାଲି ହାତର ଛବି

News Story - Posted on 2016-09-19

ଆନଂଦ ଚଂଦ୍ର ପହି

 

ନରି ସାମଲର ଘର ଚାରି ପଟେ ପୋଲିସ‌୍‍ ଫଉଜ। ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରିଦିଗ ଅବରୁଦ୍ଧ। ବନ୍ଧୁକଧାରୀ ପୋଲିସ‌୍‍ଙ୍କ ବନ୍ଧୁକ ଉଚ୍ଚାଟ ହୋଇ ଅନେଇଛି କିଏ କାଳେ କେଉଁଆଡେ ପଳେଇବ, ଲୁଚିକି ଖସିଯିବ। ତିନି ତିନିଟା ଜିପ‌୍‍ ନରି ସାମଲର ଘର ଆଗରେ ଆଗ ପଛ ହୋଇ ଥୁଆ ହୋଇଛି।

 

ସୁଲୁସୁଲିଆ ପବନରେ ଖରା ଦିନର ସକାଳଟା ଶୋଇଛି ମଦନପୁର ଗାଆଁରେ। ନରି ସାମଲ ତା’ ସ୍ତ୍ରୀ, ପୁଅ ଓ ଝିଅଙ୍କୁ  ଧରି ନିଦ ଯାଇଛି। କୁକୁଡାଙ୍କ ରଡିରେ କଡମୋଡି ନିଦରୁ ଉଠିଲା ନରି ସାମଲର ସ୍ତ୍ରୀ କମଳୀ। ଝାଡୁଟା ଧରି ବାଡି ଦୁଆର ଓଳାଇବାକୁ ଯାଇ ପୋଲିସ‌୍‍ ଫଉଜଙ୍କୁ ଦେଖି ହାଉଳି ଖାଇ ଚିତ୍କାର କଲା। ତା’ ଚିତ୍କାରରେ ନରି ଓ ତା’ ପୁଅଝିଅ ସମସ୍ତେ ଉଠିଲେ। ନରି ଭୟରେ ଥର ଥର ହୋଇ ଥରିଲା। ତା’ ଦାନ୍ତକୁ ଦାନ୍ତ ଠକ‌୍‍ ଠକ‌୍‍ ବାଜିଲା। ଏମିତି ଏତେ ପୋଲିସି ତା’ ଘର ଚାରି ପାଖରେ କାହିଁକି ଅଛନ୍ତି?

 

କମଳୀ ଓ ତା’ ପିଲା କାହାରି ମୁହଁରୁ ଭୟରେ କଥା ବାହାରିଲା ନାହିଁ। ସେମାନଙ୍କ ଆଖି ଭୟରେ ବଡ ବଡ ହୋଇଗଲା।

 

‘ତମେ ନରେନ୍ଦ୍ର ସାମଲ’- ବହୁ ତାରକା କାନ୍ଧେଇଥିବା ଜଣେ ପୋଲିସ‌୍‍ ଅଫିସର‌୍‍ ପଚାରିଲେ।

 

ଭୟରେ ପଥରେଇ ଯାଇଥିବା ନରି କାକୁସ୍ତ କଣ୍ଠରେ କିଛି କହିବାକୁ ଚେଷ୍ଟାକରି ବିଫଳ ହେଲା। ଭୟରେ କଥା କହିବାର କୌଶଳ ଭୁଲି ଯାଇଥିବା ତାର ଜିଭଟା ପାଟି ଭିତରେ ଛଟପଟ ହୋଇ ସ୍ଥିର ହୋଇ ଗଲା। କେବଳ ହଁ କହିବା ମୁଦ୍ରାରେ ତା’ ମୁଣ୍ଡଟା ହଲି ଯାଇଥିଲା।

 

ପୋଲିସ‌୍‍ ଅଫିସର‌୍‍ କହିଲେ-ତୁମ ଘର ଖାନତଲାସ‌୍‍ ହେବ। ତୁମେ ଚୁପ‌୍‍ଚାପ‌୍‍  ଠିଆ ହୁଅ। ଘରୁ କିଛି ନେଇ ଯିବାର କି ଲୁଚେଇ ଦେବାର ଚେଷ୍ଟା ନକର ଯେମିତି। ଖାନତଲାସ‌୍‍ ବେଳେ ତମେ ପାଖେ ପାଖେ ରହିବ। ଆମେ ଯାହା ଚାହିବୁ ତାହା ଆମକୁ ଦେଖାଇ ଦେବ।

 

ନରିର ଉତ୍ତରକୁ ଅପେକ୍ଷା ନକରି ପୋଲିସ‌୍‍ ଅଫିସର ଜଣଙ୍କ ନରିର ଘର ଭିତରକୁ ପଶିଗଲେ। ତାଙ୍କ ପଛେ ପଛେ ସାଧା ପୋଷାକଧାରୀ ଆଉ ତିନି ଚାରି ଜଣ ପଶିଲେ।

 

ନରି ତା’ ସ୍ତ୍ରୀ, ପୁଅ ଓ ଝିଅଙ୍କୁ ଧରି ଗୋଟେ କଡକୁ ଆଡେଇ ଗଲା। ପୋଲିସ‌୍‍ ଅଫିସର‌୍‍, ଆଉ ଇନକମ‌୍‍ ଟ୍ୟାକ୍ସ ଅଫିସର, ମାଜିଷ୍ଟ୍ରେଟ ଓ ଖାନତଲାସ ଗ୍ରୁପର ଅନ୍ୟମାନେ ତାଙ୍କ କାମ ଆରମ୍ଭ କଲେ।

 

କମଳୀ କାନ୍ଦ କାନ୍ଦ କଣ୍ଠରେ ନରିକୁ ପଚାରିଲା-ତମେ କୋଉଠି କ’ଣ କରିକି ଆଇଚ? ପୁଲିସି କାଇଁକି ଆମ ଘରେ ପଶିଲା?

               

ଭଙ୍ଗା ଭଙ୍ଗା କଣ୍ଠରେ ନରି ଜବାବ ଦେଲା-ତୋ ଦିହ ଛୁଉଁଚି ସପନାବୋଉ! ମୁଁ କୋଉଠି କିଛି କରିନେଇଁ।

 

: ଆଉ ତାହେଲେ କାଇଁକି ସେମାନେ ଆମ ଘର ଖାନତଲାସ‌୍‍ କରିବେ?

 

: ମୁଁ କେମିତି ଜାଇଁଲି?

 

: ତମେ ସେମାନଙ୍କୁ ପଚାରୁନ, କ’ଣ ପାଇଁ ସେମାନେ ଆମ ଘର ଖାନତଲାସ‌୍‍ କରିବେ? ଆମେ କ’ଣ କାହାର ଖାଇଚୁ ନା ଧାରିଚୁ?

 

ନରି ଚାରି କଡକୁ ଅନେଇଲା। ଗାଆଁ ଗୋଟାକଯାକର ଲୋକ ରୁଣ୍ଡ ହୋଇ  ତା’ ଆଡକୁ ବଡବଡ ଆଖି କରି ଅନେଇଁଚନ୍ତି। ପୋଲିସର ଘେର ଭାଙ୍ଗି ସେମାନେ କେହି ନରି ପାଖକୁ ଆସି ପାରୁ ନାହାଁନ୍ତି।

 

ନରି ନିଜ ଭିତରେ ସାହସ ସଞ୍ଚୟ କରି ପଚାରିଲା-ମୁଁ କ’ଣ ଚୋରି କରିଚି ନା ମଣିଷ ମାରିଚି? ମୋ ଘର କାଇଁ ଖାନତଲାସ ହଉଚି?

 

ମାଜିଷ୍ଟ୍ରେଟ‌୍‍ କହିଲେ-ଏଇଟା ଦେଖ ତୁମ ଘର ଖାନତଲାସ ଆଦେଶ। ତୁମ ଘରେ ବହୁତ ଆପତ୍ତିଜନକ ଜିନିଷ ଅଛି। ଆମେ ସେସବୁର ତଲାସି ନେବୁ।

 

କମଳୀ ଓ ନରିର ଦୁଇ ହଳ ଡିମା ଡିମା ଆଖି ପରସ୍ପରଙ୍କ ମୁହଁକୁ ଚାହିଁ ତଟସ୍ଥ ହୋଇ ଗଲେ। ନରି ପାଗଳଙ୍କ ପରି ଚିତ୍କାର କଲା-ଏ ସବୁ ନିହାତି ମିଛ କଥା। ମୋ ଘରେ କିଛି ବୋଲି କିଛି ନାହିଁ।

 

ଗାଆଁ ଲୋକମାନେ ପୋଲିସ‌୍‍ର ଘେର ବାହାରେ ଠିଆହୋଇ ଅବାକ ଆଖିମାନ ଫିଙ୍ଗୁଥିଲେ ନରି ସାମଲ ଉପରକୁ। ସେମାନଙ୍କର ଆଶଙ୍କା ଓ କଳ୍ପନା ସବୁ ନାନା ପ୍ରକାରର ଥିଲା। କିଏ କହୁଥିଲା-କିଛି ଦିନ ହେଲା ନରିଆର ହାବଭାବ, ଚାଲିଚଳନ କଥାବାର୍ତ୍ତା ସବୁ କେମିତି ନିଆରା ଲାଗୁଥିଲା। କଲିକତା ଚୋର ଦଳଙ୍କ ସାଙ୍ଗରେ ନରିଆର ଦୋସ୍ତି ଅଛି। ଏ ଅଞ୍ଚଳରୁ ଯେତେ ଚୋରି ହେଉଚି ସବୁଥିରେ ଏଇ ଶଳା ନରିଆର ହାତ ଅଛି।

 

ଗହଳି ଭିତରୁ ଆଉ ଗୋଟିଏ ସ୍ୱର ଶୁଭିଲା-ଶଳା ବୁଡି ବୁଡି ପାଣି ପିଉଚି। ମୋ ଅନୁମାନ ମିଛ ନୁହେଁ। ନରିଆ ହିରୋଇନ କି ବ୍ରଉନସୁଗାର କାରବାରରେ ଅଛି।

 

ଗାଆଁ ଲୋକମାନଙ୍କର ଅନେକ ଫୁସୁର‌୍‍ ଫାସର‌୍‍ ଆଉ ଡିମା ଡିମା ଆଖି ସାମନାରେ ଖାନ‌୍‍ତଲାସ ଆରମ୍ଭ ହେଲା। ନରିଆର ଘର ସର୍ବମୋଟ ଦୁଇ ବଖରା। ମାଟି କାନ୍ଥ, ଚାଳ ଛପର। ଘର ଭିତର ଦରାଣ୍ଡି ଆଣିଲେ ଚାରି ଜଣ କନେଷ୍ଟବଲ‌୍‍‌୍‍। ମାଛ ପୋଖରୀ ଗୋଳିକଲା ପରି ନରିଆର ଘର,ବାରି, ଅଗଣା ସବୁ ଘାଣ୍ଟି ଚକଟି ପକାଇଲେ। କିନ୍ତୁ ଆପତ୍ତିଜନକ କିଛି ଜିନିଷ ମିଳିଲା ନାହିଁ।

 

ଖାନତଲାସି ଦଳର ସମସ୍ତେ ଏକତ୍ରିତ ହୋଇ ବିଚାର ବିମର୍ଶ କଲେ- ଆମେ ଭୁଲ‌୍‍ ଠିକଣାରେ ଚଢ଼ଉ କରିନାତ?

 

ଆଉ ଥରେ ଖାନତଲାସ ଫାଇଲଟା ଖେଳାଇ ଦେଖି ନେଲେ। ସେଠ‌୍‍ ଜାଜୋଡିଆ ତାଙ୍କ କଟକ ବାସଭବନରେ କିଛି ରଖନ୍ତି ନାହିଁ। ତାଙ୍କ ନାମରେ କେଉଁଠି ହେଲେ ବ୍ୟାଙ୍କ ଆକାଉଣ୍ଟ କି ଲକର ନାହିଁ। ସୁଦୂର ମଫସଲ ଗାଆଁ ମଦନପୁରର ନରେନ୍ଦ୍ର ସାମଲ ଘରେ ଜାଜୋଡିଆଙ୍କର ଅନେକ ଗୁପ୍ତଧନ, ସୁନା, ହୀରା, ମୋତି ଗୁପ୍ତ ଭାବରେ ରହିଛି।

 

ଇନକମ‌୍‍ ଟ୍ୟାକ୍ସ ଅଫିସର‌୍‍ କହିଲେ-ମୁଁ ଭାବୁଛି ଉପରକୁ ଏତେ ଗାଉଁଲି, ସରଳ, ନିର୍ବୋଧ ଦେଖା ଯାଉଥିବା ଏ ନରେନ୍ଦ୍ର ସାମଲ ପ୍ରକୃତରେ ଖୁବ ଧୂର୍ତ୍ତ, ଛୁପା ରୁସ୍ତମ। ଏ ଲୋକଟାର ପୋଷାକ, କଥାବାର୍ତ୍ତା, ଚାଲିଚଳନ ସବୁ ଛଦ୍ମ। ଏ ଲୋକ ସବୁ ଜିନିଷ ନିଶ୍ଚୟ ମାଟି ତଳେ ପୋତି ପକାଇଛି। ମେଟାଲ ଡିଟେକ୍ଟର ଆଣ। ତାକୁ ୟା’ର ଘର ବାହାର, ଅଗଣା ସବୁ ଆଡେ ଚଳାଇ ଦେଖ କେଉଁଠି କି ପୋତାମାଲ ଅଛି।

 

ସଙ୍ଗେ ସଙ୍ଗେ ମେଟାଲ ଡିଟେକ୍ଟର ଘରର ଚଟାଣ ଓ କାନ୍ଥ ସାରା ବୁଲି ଆସିଲା। ଥର ଥର କି ତିନି ଥର ବୁଲିଲା; କିନ୍ତୁ କିଛି ପୋତା ଯାଇଥିବାର ସୂଚନା ମିଳିଲା ନାହିଁ। ମେଟାଲ ଡିଟେକ୍ଟରକୁ ଏଥର ନରିର ବାଡି ପଟକୁ ନିଆଗଲା। ବାରି ସାରା ମେଟାଲ ଡିଟେକ୍ଟର ବୁଲିଲା। ହଠାତ‌୍‍ ମେଟାଲ ଡିଟେକ୍ଟର କୁଉଁ କୁଉଁ ଶବ୍ଦକଲା। ସମସ୍ତଙ୍କ କାନ ସତର୍କ ହୋଇ ଉଠିଲା। ଇନକମ‌୍‍ ଟ୍ୟାକ୍ସ ଅଫିସର‌୍‍ଙ୍କ ମୁହଁରେ ହସର ଗାରଟାଏ ଦୁଇ କାନ ପର୍ଯ୍ୟନ୍ତ ଲମ୍ୱିଗଲା। ତାଙ୍କ ମୁହଁଟା ଶିକାରର ସନ୍ଧାନ ପାଇ ଥିବା ଶାର୍ଦ୍ଦୁଳର ମୁହଁ ପରି ଖୁସିରେ ଦାଉ ଦାଉ ହେଲା।

 

ଖାନତଲାସ ଦଳ ନୂତନ ଉତ୍ସାହରେ ଉଲ୍ଲସିତ ହେଲେ। ନରିଆର ବାରିରେ ଥିବା ପାଣି ମାଠିଆର ଦଶ ଫୁଟ ଉତ୍ତରକୁ ଖୋଳା ଚାଲିଲା। ଚାରି ଜଣ ଲୋକ ଶାବଳ ଓ କୋଦାଳ ଧରି ଖୋଳି ଚାଲିଲେ। ସମସ୍ତଙ୍କ ଆଖି ମାଟି ଖୋଳା ପାଖରେ କେନ୍ଦ୍ରିଭୁତ ହେଲା। କିନ୍ତୁ ପାଞ୍ଚ, ଛଅ ଫୁଟ ପର୍ଯ୍ୟନ୍ତ କେବଳ ମାଟି ଆଉ ମାଟି। ଟଙ୍କା, ସୁନାର ଦର୍ଶନ ନାହିଁ।

 

ଇନକମ‌୍‍ ଟ୍ୟାକ୍ସ ଅଫିସର‌୍‍ ଆଦେଶ ଦେଲେ ଆହୁରି ଖୋଳ, ଆହୁରି ଖୋଳ। ମେଟାଲ ଟିଟେକ୍ଟର ସୂଚନା ଦେଇଛି ଯେତେବେଳେ କିଛିନା କିଛି ମେଟାଲ ନିଶ୍ଚୟ ମିଳିବ।

 

ମନ୍ଥର ହୋଇ ଯାଇଥିବା ଖୋଳା ପୁରି ଚଞ୍ଚଳ ହୋଇ ଉଠିଲା। ହଠାତ ଶାବଳ ଝଣ‌୍‍କରି ଶବ୍ଦ କଲା। ସମସ୍ତଙ୍କ ଆଖି ଓ କାନ ଠିଆ ଠିଆ ହୋଇଗଲା। କିଛି ଗୋଟେ ବାହାରିବ ବୋଲି ସମସ୍ତେ ଉତ୍ସୁକତାର ସହିତ ଅନେଇଁ ରହିଲେ।

 

ଇନକମ‌୍‍ ଟ୍ୟାକ୍ସ ଅଫିସର ନରି ସାମଲକୁ ପାଖକୁ ଡାକି ପଚାରିଲେ- ତୁମେ ପରା କହୁଥିଲ କିଛି ରଖିନ ବୋଲି? ସେଠି କି ମାଲ ପୋତିଛ?

 

ନରି ସାମଲ କେବଳ ବଲ‌୍‍ବଲକି ଚାହିଁ ରହିଲା, କିଛି କହିଲା ନାହିଁ। ଖୋଳା କାମ ଆଗେଇ ଚାଲିଲା।

 

ପୋଲିସ‌୍‍ ଅଫିସର‌୍‍ କହିଲେ-ବୋଧହୁଏ ଗୋଟେ ଆଇରନ‌୍‍ ଚେଷ୍ଟ ମାଟି ତଳେ ପୋତା ଯାଇଛି। ସାବଧାନ ହୋଇ ଖୋଳ। କିଛି ଅଂଶ ଭାଙ୍ଗି ନଯାଏ ଯେପରି।

 

କିନ୍ତୁ ସମସ୍ତଙ୍କୁ ବିସ୍ମିତ କରି ମାଟି ତଳୁ ବାହାରିଲା ଗୋଟେ ଭଙ୍ଗା ଲୁହା କଡେଇ। ଆହୁରି ତଳକୁ ତଳକୁ ଖୋଳା ଚାଲିଲା। ମାତ୍ର ଆଉ କିଛି ଥିବାର ସୂଚନା ମିଳିଲା ନାହିଁ। ପୁଣି ଥରେ ମେଟାଲ ଡିଟେକ୍ଟର ବୁଲାଗଲା। ଏଥର ମେଟାଲ ଡିଟେକ୍ଟର ଚୁପ‌୍‍ ରହିଲା। ଆଉ କିଛି ସୂଚନା ଦେଲା ନାହିଁ।

 

ପୋଲିସ‌୍‍ ଅଫିସର‌୍‍ ନରି ସାମଲକୁ ଜେରାକଲେ-ତମେ କଟକର ଶ୍ୟାମ ପ୍ରସାଦ ଜାଜୋଡିଆଙ୍କୁ ଜାଣିଛ?

 

ଖୁବ‌୍‍ ବିସ୍ମୟ ପ୍ରକାଶ କରି ନରି କେବଳ ଡିମା ଡିମା ଆଖି କାଢ଼ି ଚାହିଁଲା। କିଛି ସମୟର ନିରବତା ପରେ କହିଲା-ମୁଁ ଏଯାଏ କଟକ ଦେଖି ନାହିଁ ହଜୁର।

 

ଇନକମ‌୍‍ ଟ୍ୟାକ୍ସଅଫିସର‌୍‍ କହିଲେ-ତୁମେ କଟକ ଦେଖି ଥାଅ କି ନଦେଖି ଥାଅ ସେଥିରେ ଆମର ଯାଏ ଆସେ କିଛି ନାହିଁ। ଜାଜୋଡିଆଙ୍କୁ ତୁମେ ନିଶ୍ଚୟ ଦେଖିଥିବ। ସିଏ କଟକର ସବୁଠୁ ବଡ ବ୍ୟବସାୟୀ। ସେ ଜଣେ ବଡ଼ ମହଜୁଦକାରୀ ଓ କଳା ବଜାରୀ। ଗତକାଲି ତାଙ୍କ ଘର ଉପରେ ଚଢ଼ଉ କରା ଯାଇଥିଲା। ବିଶେଷ କିଛି କଳାଧନ ଠାବ କରା ଯାଇ ପାରିଲା ନାହିଁ। ସମସ୍ତଙ୍କ ଦୃଷ୍ଟିର ଆଢ଼ୁଆଳରେ କଟକଠୁ ବହୁତ ଦୂରରେ ଏମିତି ଏକ ମଫସଲ ଗାଆଁରେ ତୁମ ଘରେ ତାଙ୍କ କଳାଧନ ସିଏ ଲୁଚାଇ ରଖି ସରକାରଙ୍କୁ ଠକୁଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ଇନକମ‌୍‍ ଟ୍ୟାକ୍ସ ଫାଙ୍କୁଛନ୍ତି। ଆଜିର ଖାନତଲାସରୁ ତୁମ ଘରୁ ଆମେ ତାଙ୍କ କଳାଧନର ସନ୍ଧାନ ପାଇଲୁ ନାହିଁ। ତୁମେ ଏବେ କୁହ ଜାଜୋଡିଆଙ୍କ କଳାଧନ ଅର୍ଥାତ ଟଙ୍କା, ସୁନା, ହୀରା ଇତ୍ୟାଦି ତୁମେ କେଉଁଠି ଲୁଚାଇ ରଖିଛ? ତୁମେ ଭଲରେ ଭଲରେ ନ କହିଲେ ଆମକୁ ବଳ ପ୍ରୟୋଗ କରିବାକୁ ପଡିବ।

 

ନରି ସାମଲର ମୁଣ୍ଡ ଭାଁ ଭାଁ ହେଲା। ତା’ ପାଦ ତଳର ମାଟି ଥରିବାକୁ ଲାଗିଲା। ସେ ଥରି ଥରି କହିଲା - ମୋତେ ବିଶ୍ୱାସ କରନ୍ତୁ ହଜୁର! ମୁଁ ସେ ସବୁ ବିଷୟରେ କିଛି ଜାଣିନେଇଁ। ମୋତେ ଯୋଉ ନିୟମ କହିବେ କରିବି।

 

ନରି ଓ କମଳୀ ଦୁହେଁ ପୋଲିସ ଅଫିସର‌୍‍ ଆଉ ଇନକମ‌୍‍ ଟ୍ୟାକ୍ସ ଅପିସର‌୍‍ଙ୍କ ପାଦ ଧରି କାନ୍ଦି କାନ୍ଦି ଜଣାଇଲେ ଯେ ସେମାନେ ନିର୍ଦୋଷ, ନିରପରାଧ।

 

ଖାନତଲାସ ଶେଷ ହେଲା। ଇନକମ‌୍‍ ଟ୍ୟାକ୍ସ ଅଫିସର ଓ ପୋଲିସ‌୍‍ ଅଫିସର‌୍‍ଙ୍କର ହୃଦବୋଧ ହେଲା ଯେ ନରେନ୍ଦ୍ର ସାମଲ ଜାଜୋଡିଆଙ୍କ ମାମଲାରେ ଜଡିତ ନୁହଁ। କିନ୍ତୁ ନିୟମ ଅନୁସାରେ ଖାନତଲାସରୁ ବାହାରିଥିବା ଜିନିଷର ତାଲିକା କରାଯିବ। ଇନକମ ଟ୍ୟାକ୍ସ ଅଫିସର‌୍‍ ଏଥି ପାଇଁ ଉଦ୍ଦିଷ୍ଟ ଗୋଟିଏ ଫର୍ମ ବାହାର କଲେ। ସେଥିରେ ଥିବା ଘରଗୁଡିକ ପୂରଣ କରାଯିବ।

 

ପ୍ରଥମ ଘର-ଅଳଙ୍କାର : ରୁଞ୍ଜମାଳି କେରାଏ।

 

ଦ୍ୱିତୀୟ ଘର-ବ୍ୟାଙ୍କ ବାଲାନ୍ସ : କିଛି ନାହିଁ। ମାତ୍ର ନରି କହିବା ମୁତାବକ ଗାଆଁ ଗୋଲାଘର, ବ୍ୟାଙ୍କ ଓ ଘରୋଇ ଧାର କରଜ ମିଶି ତା’ ନାଆଁରେ ମୋଟ ଦଶ ହଜାର ଟଙ୍କା କରଜ ଅଛି।

 

ଚତୁର୍ଥ ଘର-କୋଠା ବାଡି : କଟକ ଭୁବନେଶ୍ୱର କିମ୍ୱା ଅନ୍ୟ କୌଣସି ସହରରେ କୋଠାଘର ନାହିଁ। କେବଳ ମଦନପୁର ଗାଆଁରେ ଦୁଇ ବଖରା ଚାଳଘର।

 

ପଞ୍ଚମ ଘର- ଜମିଜମା : କେବଳ ଘର ଡିହ ଦୁଇ ଗୁଣ୍ଠ।

 

ଷଷ୍ଠ ଘର- ଗାଡି ମୋଟର : ଗାଡି, ମୋଟର କିଛି ନାହିଁ। ସାଇକେଲ ଖଣ୍ଡେ ବି ନାହିଁ।

 

ସପ୍ତମ ଘର-ଫର୍ଣ୍ଣିଚର : ଆଲମାରୀ, ଖଟ, ସୋଫା ସେଟ‌୍‍, ଫ୍ରିଜ, ୱାସିଙ୍ଗମେସିନ, ଟିଭି, ରେଡିଓ, କ୍ୟାମେରା, ଡ୍ରେସିଙ୍ଗ ଟେବୁଲ‌୍‍, ଚେୟାର ଇତ୍ୟାଦି କିଛି ନାହିଁ। ଅଛି କେବଳ ଦୁଇ ଖଣ୍ଡ ପିଢ଼ା।

 

ଅଷ୍ଟମ ଘର- ଫରେନ‌୍‍ ଏକ୍ସଚେଞ୍ଜ : ଆଦୌ ନାହିଁ।

 

ଫର୍ମ ଅନୁସାରେ ପୂରଣ କରିବାକୁ ଅସୁବିଧା ହେବାରୁ ନରି ସାମଲ ଘରୁ ମିଳିଥିବା ଅନ୍ୟାନ୍ୟ ଜିନିଷ ଗୁଡିକର ଗୋଟିଏ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରାଗଲା। ସେ ତାଲିକା ନିମ୍ନମତେ :-

 

ଗୋଟିଏ କୁଲା, ଦୁଇଟି ବାଉଁଶିଆ, ଗୋଟିଏ ଲୁଣକଠା, ବାଉଁଶ ନଳୀରେ ପଶିଥିବା ଘର ଡିହର ପଟା, ପାଉତି, ବେତ ପେଡି ଗୋଟିଏ, ଟିଣ ବାକ୍ସଟିଏ, ଖଜୁରି ପତ୍ରର ମଶିଣା ଦୁଇଟି, ମୁଣ୍ଡତଳେ ଦିଆ କନା ମୁଚୁଳା ଦୁଇଟି, ଦୁଇଟି ଡେକ‌୍‍ଚି, ପାଣି ମାଠିଆ ଦୁଇଟି, ରସ ବେଲା, ଗିନା ତାଟିଆ, ଥାଳି ପଟେ ପଟେ, ବାଉଁଶ ଠେଙ୍ଗା ଦୁଇଟି, ଛାଞ୍ଚୁଣି ଦୁଇ ମୁଠା, ଖଡିକା ଝାଡୁ ମୁଠେ, ପଥର ଶିଳ, ଶିଳପୁଆ ଓ ପଥର ଚକି ହଳେ।

 

ଉପର ମତେ ସିଜର ଲିଷ୍ଟ ପ୍ରସ୍ତୁତ ସରିଲା। ସେଥିରେ ନରି ସାମଲର ଟିପ ଚିହ୍ନ ନିଆଗଲା। ଗାଆଁର ମୁଖିଆ କେଳୁ ମହାପାତ୍ରଙ୍କୁ ସବୁ ଜିନିଷ ଜିମାନାମା ଦେଇ ଭୁବନେଶ୍ୱର ବାହୁଡି ଯିବାକୁ ବାହାରିଲେ ଅଫିସର‌୍‍ମାନେ। କିଛି ନପାଇବା ଦୁଃଖରେ ଦଳଟାଯାକ  ଝାଉଁଳି ପଡିଥିଲେ।

 

ଖାନତଲାସ ଦଳଙ୍କ ପଛେ ପଛେ ହାତଯୋଡି ଚାଲି ଥାଏ ନରି। ଇନକମ ଟ୍ୟାକ୍ସ ଅଫିସର ଜିପ‌୍‍ରେ ବସିବା ବେଳକୁ ତାଙ୍କ ଗୋଡକୁ ଧରି କାନ୍ଦି ଉଠିଲା-ମୋ ଜିନିଷ ମୁଖିଆ କେଳୁ ମହାପାତ୍ର ଜିମାରେ ରହିଲେ ମୋ ପିଲାଛୁଆ କେମିତି ଚଳିବେ? ଆମେ ରୋଷେଇ କରିବୁ କେମତି? ଖାଇବୁ କୋଉଥିରେ? କ’ଣ ବିଛେଇ ଶୋଇବୁ?

 

ଇନ‌୍‍କମ ଟ୍ୟାକ୍ସ ଅଫିସର କହିଲେ-କେଶ ଫଇସଲା ନହେଲା ପର୍ଯ୍ୟନ୍ତ ଏ ସବୁ ତୁମକୁ ଫେରାଇ ହେବ ନାହିଁ। ଏଇଟା ସରକାରୀ ନିୟମ। ମୁଁ କିଛି କରି ପାରିବି ନାହିଁ।

 

ନରି ହାତରୁ ତାଙ୍କ ଗୋଡକୁ ମୁକୁଳାଇ ଇନ‌୍‍କମ ଟ୍ୟାକ୍ସ ଅଫିସର ଡ୍ରାଇଭରକୁ ଆଦେଶ  ଦେଲେ- ଗାଡି ଚଲାଅ।

 

ନରି ସାମଲ ଗୋଟେ ଠେଙ୍ଗା ବୁଲେଇ ଗର୍ଜନ କଲା-ଦେଖିବା ମୋ ଜିନିଷ ମୋତେ ନଫେରେଇ ଏଠୁ କିଏ କେମିତି ଯିବ? ମୁଁ କାହାରିକୁ ଛାଡ଼ିବି ନେଇଁ। ଗୋଟି ଗୋଟିକି ସମସ୍ତଙ୍କର ମୁଣ୍ଡକୁ ପିଟିକି ଛତୁ କରିଦେବି। ମୁଁ ତୁମର କିଦୋଷ କରିଥିଲି? ମୋ ଘର ଖୋଳିଲ, ମୋ ବାରି ଖୋଳିଲ ଆଉ ଶେଷରେ ମୋର ସବୁ ଜିନିଷ କେଳୁ ମହାପାତ୍ରକୁ ଦେଲ। ମୁଁ ଆଉ ମୋ ପିଲା ଛୁଆ କେମିତି ରହିବୁ, କେମିତି ଚଳିବୁ? ଓହ୍ଲାଇ ଆସ ଗାଡିରୁ।

 

ପୋଲିସ‌୍‍ ଅଫିସର‌୍‍ ନରିକୁ ଧମକଦେଲେ- କିରେ ନରି! ଇଏ କ’ଣ ହେଉଛି? ତୋ ଘର ଚାରିପଟେ ବନ୍ଧୁକଧାରୀ ପୋଲିସ‌୍‍ ଘେରିଛନ୍ତି। ଟିକେ ଇସେରା ଦେଲେ ତତେ ଗୁଳିକରି ଉଡେଇ ଦେବେ।

 

ନରିଆ ତାଙ୍କ ଧମକରେ ଡରି ନଯାଇ ଚିହିଁକି ଆସିଲା-ରଖ ତମ ପୁଲିସ ଗୁଳି, ବନ୍ଧୁକ। ଏମିତି ପୁଲିସ ମୁଁ କେତେ ଦେଖିଚି। କୋଉ ପୁଲିସ ମୋ ଏଇ ଠେଙ୍ଗା ଆଗକୁ ଆସୁଚି ଆସୁ। ଗୋଟି ଗୋଟିକି ପିଟିକି ତଳେ ଶୁଆଇ ଦେବି।

 

କମଳୀ କାନ୍ଦି କାନ୍ଦି ଆକଟ କଲା- ପୁଲିସଙ୍କ ଆଗକୁ ତମେ ଯାଆନା। ସେମାନଙ୍କ ହାତରେ ବନ୍ଧୁକ। ତମର ଯଦି କିଛି ହେଇଯାଏ ମୋ ପରିବାର ଉଚ୍ଛନ୍ନ ହେଇଯିବ।

 

ନରିଆ ଆହୁରି ଜୋର‌୍‍ରେ କୁହାଟିଲା-ତୁ ମୋ ଆଗରୁ ହଟି ଯାଆ କମଳୀ! କିଛି ନକହିବାରୁ ଏଠି ଇଏ ଗୋଟେ ନବରଙ୍ଗ ନଗେଇଚନ୍ତି। ମୋ ପିଲା ଛୁଆଙ୍କୁ ଆଣି ଭିକାରି ସଜେଇ ଦାଣ୍ଡରେ ଠିଆ କରେଇ ଦେଲେ। ମୁଁ ବନ୍ଧୁକ ଫନ୍ଧୁକ କିଛି ମାନିବି ନେଇଁ। କାହାରିକି ଛାଡିବି ନେଇଁ।

 

ଏଇ ସମୟରେ ପୋଲିସ ଅଫିସର‌୍‍ ତାଙ୍କ ବନ୍ଧୁକରୁ ବ୍ଲାଙ୍କ ଫାୟାର କଲେ। ନରିଆ ଗୁଳି ଶବ୍ଦରେ ଚମକି ପଡ଼ିବା ବେଳେ ତା’ହାତରୁ ଠେଙ୍ଗାଟା ଖସି ପଡିଲା। ପୋଲିସମାନେ ତାକୁ ବେଢ଼ି ଯାଇ ବାନ୍ଧି ପକାଇଲେ।

 

ତଥାପି ନରିଆ ଛାଟିପିଟି ହୋଇ ଗର୍ଜନ କରୁଥାଏ- ଛାଡ, ମତେ ଛାଡ। ଗୁଳି ଫୁଟେଇ ଲୁଚିଛପି ପଛରୁ ଆସି ଧରୁଚ। ଦିହରେ ଯଦି ବଳ ଅଛି, ତାହେଲେ ବନ୍ଧୁକ ପକେଇ ଦେଇ ମୋ ଆଗକୁ ଆସ। ଗୋଟି ଗୋଟିକି ବେକ ମୋଡି ତମ ସମସ୍ତଙ୍କ ରକତ ପିଇଯିବି।

 

ଏତିକି ବେଳେ ଗୋଟିଏ ମୋଟର ସାଇକେଲରେ ଆସି ପହଞ୍ଚିଲେ ସାଂବାଦିକ ଦେବଦତ୍ତ। ସିଏ କହିଲେ ସାର‌୍‍! ମୋ ରିପୋର୍ଟରେ ସାମାନ୍ୟ ଭୁଲ ହୋଇଗଲା।

 

ଇନକମ‌୍‍ ଟ୍ୟାକ୍ସ ଅଫିସର ତାଙ୍କ ଉପରେ ରାଗି ଯାଇ ଉତ୍ତର ଦେଲେ-ବାଃ, କ’ଣ କହିଲେ? ସାମାନ୍ୟ ଭୁଲ‌୍‍ ଥିଲା? ଆପଣମାନଙ୍କ ପରି କଞ୍ଚା ସାଂବାଦିକମାନଙ୍କ ଯୋଗୁ ଆମେ ବିଭିନ୍ନ କ୍ଷେତ୍ରରେ ଅପଦସ୍ତ ହେଉଛୁ।

 

: କେବଳ ଗାଆଁ ଆଉ ଲୋକର ନାଆଁ ଟିକେ ଏପଟ ସେପଟ ହୋଇଗଲା। ସେ ଲୋକ ମଦନପୁରର ନରି ସାମଲ ନୁହଁ, ନରିପୁରର ମଦନ ସାମଲ।

 

: ଆମେ ତା’ହେଲେ ଅଯଥାଟାରେ ଏ ନିରୀହ ଲୋକର ଘର ଖାନତଲାସ‌୍‍ କଲୁ? ହେ କନେଷ୍ଟବଲ‌୍‍ ଛାଡିଦିଅ ନରିକୁ ଆଉ ଫେରାଇ ଦିଅ ତା’ର ସବୁ ଜିନିଷ।

 

ନରିକୁ ପୋଲିସମାନେ ବନ୍ଧନ ମୁକ୍ତ କରିଦେଲେ। ସିଏ କାନ୍ଦି କାନ୍ଦି ଗାମୁଛାରେ ଲୁହ ପୋଛିଲା। କମଳୀ ଆଉ ତାର ପୁଅ, ଝିଅ ତାକୁ କୁଣ୍ଢେଇ ଚାପା ଚାପା କଣ୍ଠରେ କାନ୍ଦୁ ଥିଲେ।

 

ଦେବଦତ୍ତ ନିଜର କାନ କୁଣ୍ଡାଇ ଇନ‌୍‍କମ‌୍‍ ଟ୍ୟାକ୍ସ ଅଫିସରଙ୍କୁ କହିଲେ-ଏଇ ଅନିଚ୍ଛାକୃତ ଭୁଲ‌୍‍ ପାଇଁ ମୁଁ ଦୁଃଖିତ ସାର‌୍‍! ଆପଣଙ୍କୁ ଅଯଥାରେ ହଇରାଣରେ ପକାଇଲି। କିନ୍ତୁ ସାର‌୍‍ ! ଆପଣଙ୍କର ଏ ଖାନତଲାସ‌୍‍ ଯେ ସଂପୂର୍ଣ୍ଣ ବିଫଳ ହୋଇଛି ମୁଁ ଏଥିରେ ଏକମତ ନୁହଁ।

 

ଇନ‌୍‍କମ‌୍‍ ଟ୍ୟାକ୍ସ ଅଫିସର‌୍‍ ବିରକ୍ତ ହେଲେ-ସଂପୂର୍ଣ୍ଣ ବିଫଳ ନୁହେଁ? ଆମେ ଗୋଟେ ଭୁଲ‌୍‍ ଲୋକର ଘର ଖାନ‌୍‍ତଲାସ‌୍‍ କଲୁ ସେଟା ସଂପୂର୍ଣ୍ଣ ଭୁଲ‌୍‍ ନୁହଁ ବୋଲି ଆପଣ କହି ପାରୁଛନ୍ତି କେମିତି?

 

: ମୁଁ କ’ଣ କହୁଥିଲି କି ସାର‌୍‍! ଆମ ରାଜ୍ୟରେ ନରି ସାମଲ ଅଛି ଆଉ ନରି ସାମଲ ପରି ଆହୁରି ଅନେକ ମଣିଷ ଅଛନ୍ତି। ଆଜିର ଏଇ ଘର ଖାନତଲାସରୁ ନରି ସାମଲ ପରି ଅନେକ ଗରିବ ମଣିଷଙ୍କର ଭିତର ବାହାରର ଗୋଟିଏ ସ୍ପଷ୍ଟ ଚିତ୍ର ମିଳିଗଲା। ଏ ସମାଜରେ ଅତିବେଶି ଧନ ଠୁଳ କରିଥିବା ମଣିଷମାନେ ସୁସ୍ଥ ସମାଜ ଓ ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ ଭାବେ ଠିଆହେବା ବେଳେ ଏଇ ନରି ସାମଲ ପରି ଦରିଦ୍ର ମଣିଷମାନେ ବି କିଛି କମ‌୍‍ ବିପଦର କାରଣ ନୁହଁନ୍ତି।

 

: ମୁଁ ଆପଣଙ୍କ କଥା ମୋଟେ ବୁଝି ପାରୁ ନାହିଁ ଦେବଦତ୍ତବାବୁ! ଆପଣଙ୍କ କଥା ମୋତେ ଆଧୁନିକ କବିତା ପରି ଦୁର୍ବୋଧ୍ୟ ମନେ ହେଉଛି।

 

ଦେବଦତ୍ତବାବୁ ବୁଝାଇଲେ- ଯାହା ଘରେ ମଣିଷ ପରି ବଞ୍ଚିବା ନିମନ୍ତେ ସର୍ବନିମ୍ନ ଆବଶ୍ୟକ ପଦାର୍ଥମାନ ନାହିଁ, ସେମାନେ ସ୍ୱାଧୀନ ଭାବେ ଜୀବନ ଯାପନ କରି ପାରିବେ ନାହିଁ। ଏମିତି ମଣିଷମାନଙ୍କର ସତ କହିବାର, ଅନ୍ୟାୟର ପ୍ରତିବାଦ କରିବାର, କିଛି ଦାବି କରିବାର, ସ୍ୱାଧୀନ ଭାବେ କିଛି ଚିନ୍ତା କରିବାର ଜୁ ନାହିଁ କି ଚାରା ନାହିଁ। ଏଇ ନରି ସାମଲମାନେ ପ୍ରତି ଦିନ ବିଚ‌୍‍ ବଜାରରେ ମାଛ ଶୁଖୁଆ ପରି ବିକା କିଣା ହୁଅନ୍ତି। ମାଡଖାଇ ନିରବ ରୁହନ୍ତି। ଏ ଆଖିର ଲୁହ ସେ ଆଖିରେ ଢ଼ାଳନ୍ତି। ନିଜ ମାପର, ନିଜ ଶକ୍ତି ସାମର୍ଥ୍ୟର ଅନେକ ମଣିଷ ଏଇମାନେ ନିଜ ହାତରେ ଗଢ଼ି ଦାଣ୍ଡରେ ଗଡେଇ ଦିଅନ୍ତି। ସେମାନଙ୍କ ମଥାରେ ନାହିଁ ନାହିଁର ସିନ୍ଦୂର ଟିପା ମାରି ଦୁଆର ଦୁଆର ବୁଲାଇ ନାଚ କରାନ୍ତି, ପେଟ ଦେଖାଇ ବିକଳ ହୁଅନ୍ତି।

 

ସେଇ ନରି ସାମଲମାନଙ୍କ ଚିହ୍ନଟ କରିବା ପାଇଁ ଆପଣଙ୍କର ଏ ଖାନତଲାସ ପ୍ରଥମ ପଦକ୍ଷେପ ବୋଲି ମନେ କରନ୍ତୁ। ତେଣୁ ମୁଁ ଭାବୁଛି ଆପଣଙ୍କର ଏ ଖାନତଲାସ ବିଫଳ ହୋଇ ନାହିଁ। ବରଂ ଏହା ଆଉ ଗୋଟିଏ ଦିଗନ୍ତ ଉନ୍ମୋଚନ କରିଚି। ନରି ସାମଲମାନଙ୍କର ଖାଲି ହାତର ଚିତ୍ର ଲୋକମାନଙ୍କ ଆଗରେ ଓ ସରକାରଙ୍କ ପାଖରେ ସ୍ପଷ୍ଟ ହେଉ। ଆମ ସମାଜର ନରି ସାମଲମାନଙ୍କୁ ଚିହ୍ନଟ କରି ସେମାନଙ୍କ ଦୟନୀୟ ଅବସ୍ଥାର କିପରି ଅଗ୍ରାଧିକାର ଭିତ୍ତିରେ ଉନ୍ନତି ହୋଇ ପାରିବ, ସେମାନଙ୍କର ଆର୍ଥିକ ଅବସ୍ଥା କେମିତି ସୁଧୁରିବ, ଜୀବନ ଧାରଣର ମାନ କିପରି ବୃଦ୍ଧି ପାଇବ ଏବଂ ସେମାନେ କିପରି ସଶକ୍ତ ଓ ସଚେତନ ନାଗରିକ ହୋଇ ଆମ ଦେଶର ଗଣତନ୍ତ୍ରକୁ  ସୁଦୃଢ଼ କରି ପାରିବେ ତାର ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ଆପଣ ସରକାରଙ୍କୁ ଦିଅନ୍ତୁ।

 

ଇନକମ‌୍‍ ଟ୍ୟାକ୍ସ ଅଫିସର‌୍‍ ସାଂବାଦିକ ଦେବଦତ୍ତଙ୍କ କଥାକୁ ଧ୍ୟାନ ଦେଇ ଶୁଣୁଥିଲେ। ୟାର ଏମିତି ଗୋଟେ ସକାରାତ୍ମକ ଦିଗ ଥିବା କଥା ସିଏ ଚିନ୍ତା କରି ନଥିଲେ। ତାଙ୍କ ଆଖି ଆଗରେ ନୂତନ ଦିଗନ୍ତର ମୁହଁ ମୁକୁଳା ହୋଇ ଯାଉଥିଲା, ପ୍ରସରି ଯାଉଥିଲା ଅବନୀରୁ ଆକାଶ ପର୍ଯ୍ୟନ୍ତ। -ସମାପ୍ତ-

 

ଆନନ୍ଦ ଭବନ, ଜି.ଏ. ପ୍ଲଟ ନଂ-୧୯୬, ଜି.ଏ. କଲୋନୀ, ଭରତପୁର, ପୋ;ମହାଲକ୍ଷ୍ମୀ ବିହାର, ଭୁବନେଶ୍ୱର-୭୫୧୦୨୯, ଫୋନ‌୍‍-୯୪୩୭୧୦୬୮୯୪


ପ୍ରତିକ୍ରିୟା

Anukampa pahi - Email: anukampapahi@yahoo.com - Posted on 2016-09-20 04:13:55

A new angle to poverty, unique observation

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top