ବ୍ଲାକ୍‌ ରୋଜ୍‌ର ଯେଉଁଠି କି ସେଇଠି

News Story - Posted on 2016-09-17

ଇତି ମଧ୍ୟରେ ବିତି ଯାଇଛି ୭ ବର୍ଷ। ହେଲେ ଆଜି ବି ସେହିପରି ପାରାଦୀପ ଉପକୂଳରେ ବୁଡି ରହିଛି ବହୁ ଚର୍ଚ୍ଚିତ ଜାହାଜ ବ୍ଲାକ ରୋଜ। ସମୁଦ୍ର ଗର୍ଭରୁ ତାହାକୁ ଉଠାଯାଇ ନାହିଁ କି ସମୁଦ୍ର ଭିତରେ ତାହାକୁ ଜୈବିକ ପଦ୍ଧତିରେ ନଷ୍ଟ କରାଯାଇ ନାହିଁ।

 

୨୦୦୯ ମସିହା ସେପ୍ଟେମ୍ବର ମାସ ୯ ବା ୦୯/୦୯/୦୯ ତାରିଖରେ ଏହି ଜାହାଜ ଏହି କୂଳଠାରୁ ମାତ୍ର ୫ କିଲୋମିଟର ଦୂରରେ ବୁଡି ଯାଇଥିଲା। ବୁଡ଼ିଯାଉଥିବା ଜାହାଜରୁ ୨୬ ଜଣ ନାବିକ ଉଦ୍ଧାର ପାଇଥିଲେ। କିନ୍ତୁ ଜାହାଜର ମୁଖ୍ୟ ଯନ୍ତ୍ରୀଙ୍କ ମୁତ୍ୟୁ ହୋଇଥିଲା। ପ୍ରଥମରୁ ପାଣି ଉପରକୁ ଏହି ଜାହାଜ ପ୍ରାୟ ୧୫ ପ୍ରତିଶତ ଦେଖାଯାଉଥିବା ବେଳେ ଧୀରେ ଧୀରେ ତାହା ଲୋପ ପାଇ ଆଉ କୂଳକୁ ଦିଶୁ ନାହିଁ। ଏହାର ଅପସାରଣ ନେଇ ଏପର୍ଯ୍ୟନ୍ତ କୌଣସି ଉଦ୍ୟମ ଆରମ୍ଭ କରାଯାଇନାହିଁ। ମାମଲା ପାରାଦୀପ ସାମୁଦ୍ରିକ ଥାନାରୁ ଆରମ୍ଭ ହୋଇ ଇଣ୍ଟରପୋଲ ଏବଂ ଓଡିଶା ହାଇକୋର୍ଟ ସମେତ କୋଲକତା ହାଇକୋର୍ଟ ଏବଂ ପରିଶେଷରେ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ମାମଲା ତୁଟିନାହଁି।

 

ଜାଲ‌୍‍ କାଗଜପତ୍ର ନେଇ ଆସିଥିବା ଏହି ବ୍ଳାକ ରୋଜର ମାଲିକ ସି କକ‌୍‍ ଏପର୍ଯ୍ୟନ୍ତ ଅଣ୍ଡର ଗ୍ରାଉଣ୍ଡ ହୋଇ ରହିଛନ୍ତି। ତେବେ ଏହାପରେ ବନ୍ଦର ନିୟମ କାନୁନ‌୍‍ରେ କେତେକ ପରିବର୍ତ୍ତନ ହୋଇଛି। ଯେଉଁ ଜାହାଜ ଆସିବ ତାର କର୍ମଚାରୀ ପଂଜୀକରଣ ଠିକ ଭାବେ ହୋଇଛି ନା ନାହିଁ, ଲାଇସେନ୍ସ ଅଛି ନା ନାହିଁ ଆଗ ଯାଞ୍ଚ କରାଯାଉଛି। କଷ୍ଟମ କ୍ଲିୟରାନସ ସହ ଇମିଗ୍ରେସନ‌୍‍ ଡିପାର୍ଟମେଣ୍ଟର ଦାୟିତ୍ୱ ବଢାଇ ଦିଆଯାଇଛି। ତା’ଛଡା ବ୍ଲାକରୋଜ ଜାହାଜ ବୁଡିକୁ ନେଇ ବିସ୍ତୃତ ତଥ୍ୟ ପାଇବା ପରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ କେତେକ ଗାଇଡ‌୍‍ ଲାଇନ‌୍‍ ପ୍ରସ୍ତୁତ କରିଛନ୍ତି ଯାହାକୁ ୨୦୧୨ ମସିହା ଠାରୁ ଦେଶର ସମସ୍ତ ବନ୍ଦର ମାନିବାକୁ ବାଧ୍ୟ କରାଯାଇଛି। ସେଥିରେ ଓଦା, ବିଶେଷ କରି ବର୍ଷା ପାଣିରେ ଓଦା ହେଉଥିବା ପଣ୍ୟକୁ ପରିବହନ ନକରିବା ପାଇଁ କଡା ନିଦ୍ଦେର୍ଶନାମା ଜାରୀ କରାଯାଇଛି। ଏହାକୁ ଆଜି ପର୍ଯ୍ୟନ୍ତ ବନ୍ଦର ପ୍ରଶାସନ ମାନି ଚାଲୁଛି ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କଶ ରାୟ କହିଛନ୍ତି।

 

ଏହି ଜାହାଜ ବୁଡିବା ନେଇ ପାରାଦୀପ ବନ୍ଦରର କୌଣସି ଅସୁବିଧା ହେଉନାହିଁ କି ଜାହାଜ ଚଳାଚଳରେ କୌଣସି ସମସ୍ୟା ସୃଷ୍ଟି ହେଉନାହିଁ ବନ୍ଦର ପକ୍ଷରୁ ବାରମ୍ୱାର କୁହାଯାଇଛି। ଏହି ଜାହାଜ ବୁଡିବା ପରେ ଏଥିରୁ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ବନ୍ଦର ରାଜକୋଷରୁ ପ୍ରାୟ ୧୮ କୋଟି ଟଙ୍କା ଖର୍ଚ୍ଚ କରାଯାଇ ତେଳ ବାହାର କରାଯାଇଛି। ଯେଉଁଥିରେ ସହାୟତା ଯୋଗାଇ ଦେଇଥିବା କୋଷ୍ଟଗାର୍ଡ଼ ଓ ବନ୍ଦର ମେରାଇନ‌୍‍ ଡିପାର୍ଟମେଣ୍ଟକୁ ମନ୍ଦ୍ରଣାଳୟ ଦ୍ୱାରା ପୁରସ୍କୃତ ମଧ୍ୟ କରାଯାଇଛି। କିନ୍ତୁ ଏହାର ସମ୍ପୂର୍ଣ୍ଣ ଅପସାରଣ ପାଇଁ ସେମିତି କୌଣସି ଯୋଜନା ପ୍ରସ୍ତୁତ କରାଯାଇ ନାହିଁ। ଜାହାଜକୁ ସମ୍ପୂର୍ଣ୍ଣ ଅପସାରଣ କରିବାକୁ ପ୍ରାୟ ୧୧୦ କୋଟୀ ଟଙ୍କା ଖର୍ଚ୍ଚ ହେବ ବୋଲି ଏକ ସର୍ଭେକାରୀ ସଂସ୍ଥା ଆକଳନ କରିଛି। କିନ୍ତୁ ଜାହାଜ ଯଦି ଅପସାରଣ ପରେ ସ୍କ୍ରାପ ରେଟ‌୍‍ ରେ ବିକ୍ରି କରାଯାଏ ତାହେଲେ ମାତ୍ର ତାହା ୨ ରୁ ୩ କୋଟି ଭିତରେ ମିଳିବ।

 

ତାହେଲେ ଖର୍ଚ୍ଚ ପାଇଁ ୧୧୦ କୋଟୀ ଆସିବ କେଉଁଠୁ, କିଏ ଦେବ ଏହି ଅର୍ଥ, ରାଜ୍ୟ ସରକାର ନା କେନ୍ଦ୍ର ସରକାର, କିଏ ଏହାକୁ ବହନ କରିବେ ସେନେଇ ତର୍ଜମା ଚାଲିଛି। କିନ୍ତୁ ପ୍ରଥମ ପଦକ୍ଷେପ ସୂରୁପ ବନ୍ଦର ରାଜକୋଷରୁ ଖର୍ଚ୍ଚ କରାଯାଇଥିବା ଅର୍ଥ କିପରି ଉରଣା କରାଯିବ ସେନେଇ ଉଦ୍ୟମ କରାଯାଇଛି ଓ ଏହାପରେ ଜାହାଜ ଅପସାରଣ ନେଇ ଚିନ୍ତା କରାଯିବ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ କହିଛନ୍ତି। ବନ୍ଦର ପ୍ରତି କୌଣସି ବିପଦ ନଥିବା ବେଳେ କେବଳ ନିରାପତ୍ତା ଦୃଷ୍ଟିରୁ ପ୍ୟାଟ୍ରୋଲିଂ ଚାଲିଛି ବୋଲି କୁହାଯାଇଛି। ଜାହାଜ ବୁଡିଥିବା ଅଂଶ ସ୍ଥାନରେ କୌଣସି ଆଲୋକ ଜଳୁନଥିବା ବେଳେ କୌଣସି ବଇଁଆ ବ୍ୟବସ୍ଥା ହୋଇନାହିଁ। କାଳେ କେତେବେଳେ କୌଣସି  ଅଜଣା ମତ୍ସ୍ୟଜୀବୀ ଦିଗହରା ହୋଇ ଦୁର୍ଘଟଣାଗ୍ରସ୍ତ ହେବେ ସେନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ବୁଡି ରହିଥିବା ଜାହାଜ ମଧ୍ୟରେ ରହିଥିବା ୨୩ ହଜାର ୫୦୦ ମେଟ୍ରିକ ଟନ‌୍‍ ଲୁହାଗୁଣ୍ଡ କିପରି ଅବସ୍ଥାରେ ରହିଛି ଓ ସାମୁଦ୍ରିକ ପରିବେଶ ଉପରେ ତାହାର କି ପ୍ରକାର କୁପ୍ରଭାବ ପଡୁଛି ସେଦିଗରେ ମଧ୍ୟ ଏଯାଏଁ ଅନୁଧ୍ୟାନ ହୋନାହିଁ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top