ରାଜ୍ୟ ସରକାରଙ୍କ ଦରିଦ୍ର ବିରୋଧୀ ଆଭିମୁଖ୍ୟ

image

ପ୍ରଦୀପ ପ୍ରଧାନ

 

ବି.ପି.ଏଲ୍ ଏକ ବହୁଳ ବ୍ୟବହୃତ ଏବଂ ବହୁ ଚର୍ଚ୍ଚିତ ଇଂରାଜୀ ଶଦ୍ଦ । ରାଜ୍ୟ ସରକାରଙ୍କ ଦ୍ବାରା ଚିହ୍ନଟ ହୋଇଥିବା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ ବି.ପି.ଏଲ୍ ବୋଲି କୁହାଯାଏ । ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟ ସରକାର ବି.ପି.ଏଲ୍ ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିଛନ୍ତି । ଏହି ଶ୍ରେଣୀର ଲୋକମାନେ ଯେହେତୁ ଗରିବ, ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରି କାମ ଧନ୍ଦା ଯୋଗାଇଦେବା ସହ ରିହାତି ଦରରେ ଖାଦ୍ୟ ଶସ୍ୟ ବଣ୍ଟନ କରି ଆସୁଛନ୍ତି ।

ସୂଚନା ଅଧିକାର ଆଇନ୍ ପ୍ରଣୟନ ସମୟରେ ବି.ପି.ଏଲ୍ ବ୍ୟକ୍ତିମାନଙ୍କର ବାସ୍ତବ ଅର୍ଥନୈତିକ ଅବସ୍ଥାକୁ ଦୃଷ୍ଟିରେ ରଖି ସେମାନଙ୍କୁ ମାଗଣାରେ ସୂଚନା ପ୍ରଦାନ ପାଇଁ ଆଇନରେ ବ୍ୟବସ୍ଥା ରଖାଗଲା ଅର୍ଥାତ୍ ଜଣେ ମଳିମୁଣ୍ଡିଆ ଲୋକ ଅର୍ଥାଭାବର ସମ୍ମୁଖୀନ ନହୋଇ କିପରି ମାଗଣାରେ ଏବଂ ସହଜରେ ସୂଚନା ପାଇ ପାରିବ ଏବଂ ସାମଗ୍ରିକ ଭାବେ ପ୍ରଶାସନିକ ବ୍ୟବସ୍ଥାକୁ ସ୍ବଚ୍ଛ ଓ ଉତ୍ତରଦାୟିତ୍ବ କରାଇପାରିବ, ତାହାର ବିଧିବଦ୍ଧ ବ୍ୟବସ୍ଥା ଆଇନରେ କରାଯାଇଛି । ସୂଚନା ଅଧିକାର ଆଇନର ଧାରା ୬ରେ ଧାର୍ଯ୍ୟ ହୋଇଥିବା ସୂଚନା ପାଇଁ ଆବେଦନ ଫିସ୍ ଏବଂ ଧାରା ୭(୧)(୫) ଅନୁଯାୟୀ ସୂଚନା ପାଇଁ ଫିସ୍ ମଧ୍ୟ ବିପିଏଲ୍ ଲୋକଙ୍କୁ ଦେବାକୁ ପଡିବ ନାହିଁ । ଜଣେ ବିପିଏଲ୍ ଲୋକ ମାଗଣାରେ ସୂଚନା ପାଇବା ପାଇଁ ହକଦାର ।

କିନ୍ତୁ ଆମ ରାଜ୍ୟରେ ସୂଚନା ଅଧିକାର ଆଇନକୁ ଆରମ୍ଭରୁ ବିପଥଗାମୀ କରାଇବାର ଚକ୍ରାନ୍ତ ୨୦୦୫ ମସିହାରୁ ଆରମ୍ଭ ହେଲା ଆଇନକୁ କାର୍ଯ୍ୟକାରୀ କରାଇବା ପାଇଁ ସୂଚନା ଆଇନର ଧାରା ୨୭ ଅନୁଯାୟୀ ରାଜ୍ୟ ସରକାର ଓଡିଶା ସୂଚନା ଅଧିକାର ନିୟମାବଳୀ, ୨୦୦୫ ପ୍ରଣୟନ କରିଛନ୍ତି । ଏହି ନିୟମାବଳିର ରୁଲ୍-୪ ରେ ଉଲ୍ଲେଖ ରହିଛି ଯେ ବିପିଏଲ୍ ବ୍ୟକ୍ତିମାନଙ୍କୁ ଆବେଦନ ଫିସ୍ ଅର୍ଥାତ୍ ୧୦ ଟଙ୍କା ଦେବାକୁ ପଡିବ ନାହିଁ । କିନ୍ତୁ ଆଇନ୍ ଅନୁଯାୟୀ ବିପିଏଲ୍ ଲୋକଙ୍କୁ ଯେ ସୂଚନା ଫିସ୍ ମଧ୍ୟ ଛାଡ ତାହା ଓଡିଶା ନିୟମାବଳୀରେ ବ୍ୟବସ୍ଥା ରହିଲା ନାହିଁ । ରାଜ୍ୟ ସରକାର ଏହି ଆଇନ୍ ବିରୋଧୀ ଏବଂ ନାଗରିକ ସ୍ବାର୍ଥ ବିରୋଧୀ ଓଡିଶା ନିୟମାବଳୀକୁ ସମସ୍ତ ସରକାରୀ ଦପ୍ତରକୁ ପଠାଇ ଦେଇ ଏହି ଆଧାରରେ ସୂଚନା ଆଇନକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଲେ ଏବଂ ବିପିଏଲ୍ ବ୍ୟକ୍ତିମାନଙ୍କଠାରୁ ସୂଚନା ଫିସ୍ ଆଦାୟ ପାଇଁ ଅଲିଖିତ ନିର୍ଦ୍ଦେଶନାମା ଜାରି କରାଇଲେ । ଆଇନ ଅବମାନନା କରି ବିପିଏଲ୍ ବ୍ୟକ୍ତିଙ୍କଠାରୁ ସୂଚନା ଫିସ୍ ଜବରଦସ୍ତ ଆଦାୟ କରାଗଲା । ଫଳରେ ରାଜ୍ୟରେ ଅର୍ଥାଭାବରୁ ଗରିବ ଲୋକମାନେ ନିଜ ଅଧିକାର ସାବ୍ୟସ୍ତ କରିପାରିଲେ ନାହିଁ କି ସୂଚନା ପାଇଁ ଆବେଦନ କଲେ ନାହିଁ । ୨୦୦୮ ମସିହାରେ ଦିଲ୍ଲୀ ସ୍ଥିତ ସ୍ବେଚ୍ଛାସେବୀ ସଂଗଠନ ‘ପ୍ରିୟା‘ ତରଫରୁ ଓଡିଶାରେ ସୂଚନା ଅଧିକାର ଆଇନର କାର୍ଯ୍ୟକାରିତା ସଂପର୍କରେ ଏକ ଅଧ୍ୟୟନ କରାଯାଇ ଥିଲା । ଏହି ଅଧ୍ୟୟନରୁ ଜଣାପଡିଥିଲା ଯେ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା ଇତ୍ୟାଦି ଜିଲ୍ଲାରେ ବିପିଏଲ୍ କାର୍ଡଧାରୀ ଲୋକମାନେ ସୂଚନା ପାଇଁ ଆବେଦନ କରିଥିଲେ ମଧ୍ୟ ଅର୍ଥାଭାବରୁ ସୂଚନା ଗ୍ରହଣ କରିପାରି ନଥିଲେ । ସେହିଭଳି ସରକାରୀ ଅଧିକାରୀ ତଥା ଜନ ସୂଚନା ଅଧିକାରୀମାନେ ସେମାନଙ୍କୁ ବିପିଏଲ୍ ଲୋକଙ୍କଠାରୁ ସୂଚନା ବାବଦ ଫିସ୍ ଆଦାୟ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଥିଲେ । ଫଳରେ ବିପିଏଲ୍ ଲୋକମାନେ ସେମାନଙ୍କର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହୋଇ ଚାଲିଲେ ।

ରାଜ୍ୟ ସରକାରଙ୍କ ଏହି ଆଇନ୍ ବିରୋଧୀ କାର୍ଯ୍ୟକୁ ପ୍ରଚ୍ଛନ୍ନ ସହାୟତା ଏବଂ ତ୍ବରାନ୍ବିତ କରାଇଲେ ରାଜ୍ୟ ସୂଚନା କମିଶନ ସୂଚନା ଆଇନକୁ ସଠିକ୍ ରାସ୍ତାରେ କାର୍ଯ୍ୟକାରୀ କରାଇବା ଏବଂ ଆଇନ୍ ଉଲ୍ଲଙ୍ଘନକାରୀ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରିବା ସୂଚନା କମିଶନଙ୍କ ଦାୟିତ୍ବ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଆରମ୍ଭରୁ ଆଇନକୁ ସୁରକ୍ଷା ଦେବା ପରିବର୍ତ୍ତେ ରାଜ୍ୟ ସୂଚନା କମିଶନ ରାଜ୍ୟ ସରକାରଙ୍କ ସହିତ ହାତ ମିଳାଇ ଆଇନ୍ ବିରୋଧୀ କାର୍ଯ୍ୟ କରି ଚାଲିଲେ । ୨୦୦୬ ମସିହାରେ ମୟୂରଭଂଜ ଜିଲ୍ଲାର ବିପିଏଲ୍ ରବୀନ୍ଦ୍ର ନାଥ ଦାସ ଜିଲ୍ଲା କାର୍ଯ୍ୟାଳୟକୁ ଏକ ସୂଚନା ମାଗିଥିଲେ । ସୂଚନା ପାଇଁ ଫିସ୍ ଦାଖଲ ପାଇଁ ସଂପୃକ୍ତ ଜନ ସୂଚନା ଅଧିକାରୀ ଜଣାଇବାରୁ ଦାସ ଏହା ବିରୁଦ୍ଧରେ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଅଭିଯୋଗ କରିବା ସହ ଆଇନ୍ ଅନୁଯାୟୀ ତାଙ୍କୁ ମାଗଣାରେ ସୂଚନା ଦେବାକୁ ନିବେଦନ କରିଥିଲେ ତତ୍କାଳୀନ ମୁଖ୍ୟ ସୂଚନା କମିଶନର ଡି.ଏନ୍.ପାଢୀ ଏବଂ ପ୍ରଫେସର ରାଧାମୋହନ ଉକ୍ତ ଅଭିଯୋଗ ସଂଖ୍ୟା ୧୧ ଏବଂ ୧୨/୨୦୦୬ର ଶୁଣାଣୀ କରି ସୂଚନା ଅଧିକାରୀଙ୍କୁ କେବଳ ଦରଖାସ୍ତ ଫିସ୍ ଛଡା ଅନ୍ୟାନ୍ୟ ସମସ୍ତ ଫିସ୍ ଆଦାୟ ପାଇଁ ନିର୍ଦ୍ଦେଶ ଦେଲେ । ଆଶ୍ଚର୍ଯ୍ୟଜନକ ଭାବେ ଆଇନ୍ ବିରୋଧରେ ଯାଇ କମିଶନ ଦ୍ବୟ ତାଙ୍କ ରାୟରେ ଦର୍ଶାଇଥିଲେ ଯେ, ‘ଅଭିଯୋକ୍ତାଙ୍କର ଏକ ଭ୍ରାନ୍ତ ଧାରଣା ଅଛି ଯେ, ବିପିଏଲ୍ ବ୍ୟକ୍ତିଙ୍କୁ କୌଣସି ଫିସ୍ ଦେବାକୁ ପଡିବ ନାହିଁ, କିନ୍ତୁ ଆଇନ୍ ସ୍ପଷ୍ଟ ଭାବେ କହିଛି ଯେ, ସେ କେବଳ ଦରଖାସ୍ତ ଫି ଦେବେନି । ସୂଚନା କମିଶନଙ୍କର ଏହି ଆଇନ୍ ବିରୋଧୀ ନିଷ୍ପତ୍ତିକୁ ସୂଚନାଧିକାର କର୍ମୀମାନେ ବିରୋଧ କରିବା ସହ କମିଶନଙ୍କ ଏହି ନିଷ୍ପତ୍ତିର ପ୍ରତ୍ୟାହାର ପାଇଁ ଦାବୀ କରିଥିଲେ । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ସୂଚନା କମିଶନରମାନେ ବିଭିନ୍ନ କେସର ଶୁଣାଣୀ କରି ମୌଖିକ ଭାବେ ବିପିଏଲ୍ ବ୍ୟକ୍ତିମାନଙ୍କୁ ସୂଚନା ପାଇଁ ଫିସ୍ ଦେବାକୁ ବାଧ୍ୟ କରିଥିଲେ । କିନ୍ତୁ ତାଙ୍କ ନିଷ୍ପତ୍ତି ବିବରଣୀରେ ଉଲ୍ଲେଖ କରି ନଥିଲେ । ସୂଚନାଧିକାର କର୍ମୀମାନଙ୍କ ପ୍ରବଳ ବିରୋଧ ଯୋଗୁଁ ସୂଚନା କମିଶନ ତାଙ୍କର ଭାବମୂର୍ତ୍ତୀ ବଞ୍ଚାଇବା ପାଇଁ ୧୬.୧୧.୨୦୦୭ (ପତ୍ର ସଂଖ୍ୟା-୮୫୯୧)ରେ ସୂଚନା ଆଇନର ଧାରା ୨୫ ଅନୁଯାୟୀ ତାଙ୍କର କ୍ଷମତା ପ୍ରୟୋଗ କରି ରାଜ୍ୟ ସରକାରଙ୍କୁ ବିପିଏଲ୍ ବ୍ୟକ୍ତିମାନଙ୍କୁ ୧୫୦ ଟଙ୍କା ପର୍ଯ୍ୟନ୍ତ ଅର୍ଥାତ୍ ୭୫ ପୃଷ୍ଠାର ସୂଚନା ମାଗଣାରେ ଦେବାକୁ ସୁପାରିଶ କରିଥିଲେ ।

ସୂଚନା କମିଶନଙ୍କ ଏପରି ସୁପାରିଶ କେବଳ ଆଇନ ବିରୋଧୀ ନୁହେଁ ଭ୍ରମାତ୍ମକ ମଧ୍ୟ । କାରଣ ଏପରି ସୁପାରିଶ କରିବାର କ୍ଷମତା ସୂଚନା କମିଶନଙ୍କର ନାହିଁ । ଆଇନ୍ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଯେ ବିପିଏଲ୍ ବ୍ୟକ୍ତିଙ୍କଠାରୁ କୌଣସି ଫିସ୍ ଆଦାୟ କରାଯାଇ ପାରିବ ନାହିଁ । ଏହି ସବୁ ଯୁକ୍ତି ଦର୍ଶାଇ ସୂଚନାଧିକାର କର୍ମୀମାନେ କମିଶନଙ୍କ ସୁପାରିଶକୁ ବିରୋଧ କରିବା ସହ ଆଇନ୍ ଅନୁଯାୟୀ ବିପିଏଲ୍ ଲୋକଙ୍କୁ ସଂପୂର୍ଣ୍ଣ ମାଗଣାରେ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ଦାବୀ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ସୂଚନା କମିଶନଙ୍କ ଉକ୍ତ ସୁପାରିଶକୁ ମଧ୍ୟ ରାଜ୍ୟ ସରକାର ଗ୍ରହଣ କରି ନଥିଲେ ।

ବିପିଏଲ୍ ମାନଙ୍କୁ ମାଗଣାରେ ସୂଚନା ପ୍ରଦାନର ଦାବୀ ଏବଂ ଆନ୍ଦୋଳନ ନିର୍ଣ୍ଣାୟକ ମୋଡ ନେଇଥିଲା ୨୦୧୨ ମସିହାରେ । ନୟାଗଡ ଜିଲ୍ଲାର ବିପିଏଲ୍ କାର୍ଡ଼ଧାରୀ କୁଞ୍ଜ ବିହାରୀ ପାତ୍ର ୨୦୧୦ ମସିହାରେ ନୟାଗଡ ସ୍ଥିତ ଜାତୀୟ ରାଜପଥର ନିର୍ବାହୀ ଯନ୍ତ୍ରୀଙ୍କ ଅଫିସକୁ କିଛି ସୂଚନା ମାଗିଥିଲେ । ଉକ୍ତ ସୂଚନା ଅଧିକାରୀ ସୂଚନା ପାଇଁ ଫିସ୍ ଦାଖଲ ପାଇଁ ପାତ୍ରଙ୍କୁ ଜଣାଇଥିଲେ । ସୂଚନା ଅଧିକାରୀଙ୍କର ଏହି ନିଷ୍ପତ୍ତି ଆଇନ୍ ବିରୋଧୀ ଦର୍ଶାଇ ତାଙ୍କୁ ମାଗଣାରେ ସୂଚନା ଦେବାକୁ କମିଶନଙ୍କ ନିକଟରେ ଅପିଲ କରିଥିଲେ । ତତ୍କାଳୀନ ମୁଖ୍ୟ ସୂଚନା କମିଶନର ତରୁଣକାନ୍ତି ମିଶ୍ର ୨୦୧୨ ମସିହାରେ ଅଭିଯୋଗ ସଂଖ୍ୟା ୨୦୨୮/୧୧ର ଶୁଣାଣୀ କରି ଅଭିଯୋଗକାରୀ ପାତ୍ରଙ୍କଠାରୁ ୭ ଦିନ ମଧ୍ୟରେ ଫିସ୍ ଆଦାୟ କରି ସୂଚନା ଦେବାକୁ ଜନସୂଚନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ପାତ୍ର କମିଶନଙ୍କ ଏତାଦୃଶ ନିର୍ଦ୍ଦେଶ ବେଆଇନ୍ ଦର୍ଶାଇ ଉଚ୍ଚ ନ୍ୟାୟାଳୟରେ ଏକ ରିଟ୍ ପିଟିସନ୍ ଦାୟର କରିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜୁଲାଇ ୨୦୧୩ରେ ରିଟ୍ ପିଟିସନ୍ ସଂଖ୍ୟା ୪୭୯୭/୧୩ର ଶୁଣାଣୀ କରି ସୂଚନା କମିଶନଙ୍କ ନିଷ୍ପତ୍ତି ଖାରଜ କରିଦେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ମାଗଣାରେ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଉଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶନାମା ସୂଚନାଧିକାର କର୍ମୀ ଏବଂ ବିପିଏଲ୍ ଜନ ସାଧାରଣଙ୍କ ପାଇଁ ଏକ ବଡ ସଫଳତା ଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ, ଉଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶନାମା ସତ୍ତ୍ବେ ରାଜ୍ୟ ସରକାର ବିପିଏଲ୍ ମାନଙ୍କୁ ମାଗଣାରେ ସୂଚନା ଦେବାପାଇଁ କୌଣସି ସରକାରୀ ଅର୍ଡର ଜାରି କଲେ ନାହିଁ । ବିଭିନ୍ନ ସରକାରୀ ଦପ୍ତରରେ ଗତାନୁଗତିକ ଭାବେ ଜନସୂଚନା ଅଧିକାରୀ ମାନେ ସେହିପରି ବିପିଏଲ୍ ମାନଙ୍କ ଠାରୁ ସୂଚନା ପାଇଁ ଫିସ୍ ଆଦାୟ କରି ଚାଲିଲେ । ଉଚ୍ଚ ନ୍ୟାୟାଳୟଙ୍କ ଉପରୋକ୍ତ ନିର୍ଦ୍ଦେଶନାମା ପରେ ସୂଚନା କମିଶନ ୩୧.୩.୨୦୧୪ ତାରିଖରେ ରାଜ୍ୟ ସରକାରଙ୍କୁ ବିପିଏଲ୍ ମାନଙ୍କୁ ମାଗଣାରେ ସୂଚନା ପ୍ରଦାନ ପାଇଁ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ଦ୍ଦେଶ ଦେଲେ । ତଥାପି ରାଜ୍ୟ ସରକାର ଏ କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ ।

ଏହାପରେ ସୂଚନାଧିକାର କର୍ମୀମାନଙ୍କ ତରଫରୁ କଳାହାଣ୍ଡି ଜିଲ୍ଲାର ବିପିଏଲ୍ ଧୋବା ସାହୁ ଉଚ୍ଚ ନ୍ୟାୟାଳୟରେ ଏକ ରିଟ୍ ପିଟିସନ୍ ଦାୟର କରି ରାଜ୍ୟ ସରକାରଙ୍କୁ ସୂଚନା ଆଇନ୍ ଅନୁଯାୟୀ ବିପିଏଲ୍ ବ୍ୟକ୍ତି ମାନଙ୍କୁ ତୁରନ୍ତ ମାଗଣାରେ ସୂଚନା ଦେବାକୁ ନିବେଦନ କଲେ । ମାନ୍ୟବର ଅଦାଲତ ରିଟ୍ ପିଟିସନ୍ ସଂଖ୍ୟା ୧୩୫/୧୫ର ଶୁଣାଣୀ କରି ୨୦୧୫ ଜୁଲାଇ ୨୩ ତାରିଖରେ ବିପିଏଲ୍ ବ୍ୟକ୍ତିମାନଙ୍କୁ ମାଗଣାରେ ସୂଚନା ଦେବାକୁ ତିନି ମାସ ମଧ୍ୟରେ ବିଜ୍ଞପ୍ତି ଜାରି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଅଦାଲତ ନିର୍ଦ୍ଦେଶକୁ ମାନି ନେଇ ରାଜ୍ୟ ସରକାର ୨୧.୯.୨୦୧୫ ତାରିଖରେ ସମସ୍ତ ସରକାରୀ ଅଫିସକୁ ବିପିଏଲ୍ ମାନଙ୍କୁ ମାଗଣାରେ ସୂଚନା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୀର୍ଘ ଏକ ଦଶନ୍ଧିର ଲଢେଇ ପରେ ସୂଚନାଧିକାର କର୍ମୀ ମାନଙ୍କର ଅବିଶ୍ରାନ୍ତ ଉଦ୍ୟମ ଯୋଗୁଁ ରାଜ୍ୟ ସରକାର ବାଧ୍ୟ ହୋଇ ସୂଚନା ଆଇନ୍ ଆଗରେ ମୁଣ୍ଡ ନୁଆଇଛନ୍ତି । ରାଜ୍ୟ ସରକାରଙ୍କର ଗରିବ ବିରୋଧୀ ମନୋଭାବ କେତେ ତୀବ୍ର ଏବଂ ଭୟଙ୍କର ତାହା ଏଇ ଘଟଣାରୁ ପ୍ରମାଣିତ ହେଉଛି ।

ଓଡିଶାକୁ ଛାଡିଦେଲେ କେନ୍ଦ୍ର ସରକାର ଏବଂ ଅନ୍ୟ ସମସ୍ତ ରାଜ୍ୟ ବିପିଏଲ୍ ମାନଙ୍କୁ ମାଗଣାରେ ସୂଚନା ଦେଇ ଆସୁଛନ୍ତି । କେନ୍ଦ୍ରୀୟ ସୂଚନା କମିଶନ ମଧ୍ୟ ବିଭିନ୍ନ କେସ୍ ଶୁଣାଣୀ କରି ବିପିଏଲ୍ ଲୋକଙ୍କୁ ମାଗଣାରେ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଦାହରଣ ସ୍ବରୂପ, ୨୦ ସେପ୍ଟେମ୍ବର, ୨୦୦୬ ମସିହାରେ ନୂଆଦିଲ୍ଲୀ ସ୍ଥିତ ଜଣେ ମହିଳା ବିପିଏଲ୍ ଶ୍ରୀମତୀ ଶାମା ପରବିନ୍ ଜାତୀୟ ମାନବାଧିକାର କମିଶନଙ୍କୁ ସୂଚନା ମାଗିଥିଲେ । ସୂଚନା ଅଧିକାରୀ ତାଙ୍କୁ ୪୪୦ ଟଙ୍କା ଦାଖଲ କରିବାକୁ କହିଥିଲେ । ଏହି ନିଷ୍ପତ୍ତି ବିରୁଦ୍ଧରେ ଶ୍ରୀମତୀ ପରବିନ୍ କେନ୍ଦ୍ରୀୟ ସୂଚନା କମିଶନଙ୍କୁ ଅପିଲ୍ କରିଥିଲେ । କମିଶନ୍ ତାଙ୍କ ଅପିଲ୍ ଶୁଣାଣୀ କରି ଏପ୍ରିଲ୍ ୧୮, ୨୦୦୭ ତାରିଖରେ ମାଗଣାରେ ସୂଚନା ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିପିଏଲ୍ ମାନଙ୍କୁ ମାଗଣାରେ ସୂଚନା ପ୍ରଦାନ କରା ହେବା ଯୋଗୁଁ ରାଜକୋଷରୁ ବହୁତ ଅର୍ଥ ଅଯଥା ଖର୍ଚ୍ଚ ହେଉଛି ବୋଲି ବିଭିନ୍ନ ସରକାରୀ ସଂସ୍ଥା ତରଫରୁ ଅଭିଯୋଗ ହେବା ଏବଂ ବିଭିନ୍ନ ଜନ କର୍ତ୍ତୃପକ୍ଷ ବିପିଏଲ୍ ହିତାଧିକାରୀଙ୍କୁ ମାଗଣାରେ ସୂଚନା ପ୍ରଦାନ କରିବାକୁ ମନା କରିବା ପରେ, କେନ୍ଦ୍ରୀୟ ସୂଚନା କମିଶନ ଏହାକୁ ବିଚାରକୁ ନେଇ ୧୦୦ ପୃଷ୍ଠା ପର୍ଯ୍ୟନ୍ତ ସୂଚନା (୨୦୦) ଟଙ୍କା ମାଗଣାରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିହାର ସରକାର ୫୦ ପୃଷ୍ଠା ଅର୍ଥାତ୍ ୧୦୦ ଟଙ୍କା ଭିତରେ ମାଗଣା ସୂଚନା ପ୍ରଦାନ ସହ ପ୍ରତି ପରବର୍ତ୍ତୀ ପୃଷ୍ଠା ପାଇଁ ୧ ଟଙ୍କା ଧାର୍ଯ୍ୟ କରିଛନ୍ତି । ଛତିଶଗଡ ସରକାର ବିପିଏଲ୍ ମାନଙ୍କୁ ୫୦ ପୃଷ୍ଠା ପର୍ଯ୍ୟନ୍ତ ମାଗଣାରେ ସୂଚନା ପ୍ରଦାନ ପରେ ଆବଶ୍ୟକ ଅଧିକ ସୂଚନା ପ୍ରଦାନ ପାଇଁ ସମସ୍ତ ଡକୁମେଣ୍ଟ ନିରୀକ୍ଷଣ କରିବାର ବ୍ୟବସ୍ଥା କରାଯାଇଛି । ଏସବୁ ରାଜ୍ୟ ସରକାରମାନଙ୍କର ଏପରି ନିଷ୍ପତ୍ତି ଆଇନ୍ ପରିପନ୍ଥୀ ଏବଂ ଏହାକୁ ତୁରନ୍ତ ପ୍ରତ୍ଯାହାର ପାଇଁ ଉକ୍ତ ରାଜ୍ୟର ସୂଚନାଧିକାର କର୍ମୀମାନଙ୍କ ତରଫରୁ ଦାବୀ ହୋଇ ଆସୁଅଛି ।

ବିପିଏଲ୍ ମାନଙ୍କୁ ମାଗଣାରେ ସୂଚନା ପ୍ରଦାନ ବ୍ୟବସ୍ଥାକୁ ବିଭିନ୍ନ ସ୍ତରରେ ସମାଲୋଚନା କରାଯାଇଛି । କିଛି ଗୋଷ୍ଠୀ ବା ସୂଚନା କମିଶନରଙ୍କ ସନ୍ଦେହ ହେଉଛି ବିପିଏଲ୍ ମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ସୂଚନା ପ୍ରଦାନ କଲେ ବିପିଏଲ୍ ମାନଙ୍କ ନାମରେ ଅନ୍ୟମାନେ ବିନା ପଇସାରେ ସୂଚନା ପାଇଯିବେ । ଏହାଦ୍ବାରା ସରକାରଙ୍କର ରାଜସ୍ବ କ୍ଷତି ହେବ । ଏହି ପ୍ରସଙ୍ଗରେ ୩୧ ମେ, ୨୦୧୩ରେ ମାଲକାନଗିରି ଜିଲ୍ଲାପାଳଙ୍କ ସଭାଗୃହରେ ସୂଚନା ଅଧିକାର ଆଇନ୍ ଉପରେ ଆୟୋଜିତ ଏକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତତ୍କାଳୀନ ସୂଚନା କମିଶନର ଜଗଦାନନ୍ଦ ମହାନ୍ତି ବିପିଏଲ୍ ବ୍ୟକ୍ତିଙ୍କ ନାମରେ ବହୁ ଲୋକ ହଜାର ହଜାର ଟଙ୍କାର ସୂଚନା ମାଗଣାରେ ନେଇ ଯିବାକୁ ଆବେଦନ କରୁଛନ୍ତି ବୋଲି କହିଥିଲେ । ବିପିଏଲ୍ ବ୍ୟକ୍ତିଙ୍କ ପାଇଁ ଥିବା ବ୍ୟବସ୍ଥାକୁ ଓଡିଶାରେ କିଛି ଲୋକ ଅପବ୍ୟବହାର କରୁଥିବାର କମିଶନଙ୍କ ନଜରକୁ ଆସିଛି ବୋଲି ସେ କହିଥିଲେ । ଏହାପରେ ଏ ସଂପର୍କରେ ସୂଚନାଧିକାର କର୍ମୀ ତପନ ପାଢୀ ସୂଚନା କମିଶନଙ୍କ ଦପ୍ତରକୁ ସୂଚନା ଆଇନରେ ବିପିଏଲ୍ ମାନଙ୍କ ପାଇଁ ଫିସ୍ ଛାଡ ବ୍ୟବସ୍ଥାର ଅପବ୍ୟବହାର ସଂପର୍କୀତ କି କି ଅଭିଯୋଗ କମିଶନଙ୍କ ନିକଟକୁ ଆସିଛି ଏବଂ କମିଶନ୍ କି କି ପଦକ୍ଷେପ ନେଇଛନ୍ତି, ସେ ସଂପର୍କୀତ ତଥ୍ୟ ମାଗିଥିଲେ । ଏହାର ଉତ୍ତରରେ କମିଶନଙ୍କ ଜନ ସୂଚନା ଅଧିକାରୀ ଏଭଳି ତଥ୍ୟ ଉପଲବ୍ଧ ନୁହେଁ ବୋଲି ଦର୍ଶାଇଥିଲେ । ତେଣୁ ବିପିଏଲଙ୍କ ନାମରେ କେତେ ଲୋକ କେତେ ପରିମାଣ ଅର୍ଥର ସୂଚନା ନେଇଯିବେ , ଏହାର କୌଣସି ତଥ୍ୟ ସରକାରଙ୍କ ନିକଟରେ ନାହିଁ ବୋଲି ସ୍ପଷ୍ଟ ହେଲା ।

ରାଜ୍ୟ ଆବାହକ, ଓଡିଶା ସୂଚନା ଅଧିକାର ଅଭିଯାନ

ମୋ- ୯୯୩୭୮୪୩୪୮୨

© 2015. Samanya Kathan All Rights Reserved | Editor : Debendra Prusty     

To Top