ଖାଦ୍ୟ ସୁରକ୍ଷା ରେସନ୍ କାର୍ଡ଼ର ନିୟମାବଳି

image

ଲଳିତ ମୋହନ ମିଶ୍ର

 

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩କୁ ଓଡ଼ିଶା ସରକାର ୨୦୧୫ ଡ଼ିସେମ୍ବର ସୁଧା ରାଜ୍ୟରେ କାର୍ଯ୍ୟକାରୀ କଲେ । ଭାରତ ସରକାର ଓଡ଼ିଶାକୁ ୩ କୋଟି ୨୬ ଲକ୍ଷ ୪୧ ହଜାର ହିତାଧିକାରୀଙ୍କୁ ଏହି ଆଇନର ସୁବିଧା ଦେବାକୁ କହିଲେ । ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାର ଜନସଂଖ୍ୟା ୪ କୋଟି ୧୯ ଲକ୍ଷ ୪ ହଜାର ୨୧୮ ହୋଇଥିବାବେଳେ, ଏହା ଭିତରୁ କେବଳ ୩ କୋଟି ୨୬ ଲକ୍ଷ ୪୧ ହଜାରକୁ ସୁବିଧା ଦେବାପାଇଁ ରାଜ୍ୟ ସରକାର ୯ଟି ଅଯୋଗ୍ୟ ମାନଦଣ୍ଡ ଓ ୬ଟି ଯୋଗ୍ୟ ମାନଦଣ୍ଡ ନିର୍ଣ୍ଣୟ କଲେ । ସେହି ଅନୁସାରେ ଜିଲ୍ଲାପାଳମାନଙ୍କ ତତ୍ତ୍ବାବଧାନରେ ହିତାଧିକାରୀ ଚିହ୍ନଟ କରାଗଲା ।

ଯୋଗ୍ୟ ମାନଦଣ୍ଡ ଗୁଡ଼ିକ ହେଲା ୧) ବାସହୀନ ପରିବାର, (୨) ଭିକ୍ଷାବୃତ୍ତୀକରି ଜୀବନ ନିର୍ବାହ କରୁଥିବା ପରିବାର, (୩) ସମସ୍ତ ଆଦିମ ଅଧିବାସୀ ପରିବାର, (୪)ଯେଉଁ ପରିବାରରେ କୌଣସି ସଦସ୍ୟ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ବିଧବା ଭତ୍ତା ପାଉଥିବେ, (୫)ଯେଉଁ ପରିବାରରେ କୌଣସି ସଦସ୍ୟ ଶତକଡ଼ା ୪୦ ଭାଗରୁ ଅଧିକ ଶାରୀରିକ ବିକଳାଙ୍ଗ ହୋଇଥିବେ ଓ (୬) ତୃତୀୟ ଲିଙ୍ଗି ପରିବାର । ଏମାନେ ରେସନ୍ କାର୍ଡ଼ ପାଇବେ । ଫଳରେ ଟଙ୍କିକିଆ ଚାଉଳ ପାଇପାରିବେ ।

ସେହିପରି ଅଯୋଗ୍ୟ ମାନଦଣ୍ଡ ହେଲା - ୧) ପରିବାରରେ ତିନିଚକିଆ, ଚାରିଚକିଆ, ଭାରିଯାନ, ଯନ୍ତ୍ରଚାଳିତ ମାଛ ଡଙ୍ଗାଥିବ, (୨) ପରିବାରରେ ଯନ୍ତ୍ରଚାଳିତ କୃଷି ଯନ୍ତ୍ରପାତି ଯଥା - ଟ୍ରାକ୍ଟର, ହାର୍ଭେଷ୍ଟର୍ ଇତ୍ୟାଦି ଥିବ, (୩) ପରିବାର ସଦସ୍ୟ ଆୟକର କିମ୍ବା ବୃତ୍ତିକର ଦେଉଥିବେ, (୪) ପରିବାର ୨ କିଲୋବାଟ କିମ୍ବା ତାଠାରୁ ଅଧିକ ବିଦ୍ୟୁତ ସଂଯୋଗ ଲୋଡ଼୍ ଥିବ ବା ପରିବାର ମାସିକ ୩୦୦ ୟୁନିଟରୁ ଅଧିକ ବିଦ୍ୟୁତ୍ ଶକ୍ତି ବ୍ୟବହାର କରୁଥିବ, (5) ପରିବାର ସଦସ୍ୟ ରେଜେଷ୍ଟ୍ରିଭୁକ୍ତ ଉଦ୍ୟୋଗ କରିଥିବେ, (୬) ସହରାଞ୍ଚଳରେ ବାସ କରୁଥିବା ପରିବାରର କୌଣସି ସଦସ୍ୟ ମାସିକ ଟ୧୫୦୦୦ରୁ ଅଧିକ ପେନସନ୍ ପାଉଥିବେ କିମ୍ବା ଗ୍ରାମାଞ୍ଚଳରେ ବାସକରୁଥିବା ପରିବାରର କୌଣସି ସଦସ୍ୟ ମାସିକ ଟ୧୦୦୦୦ରୁ ଉର୍ଦ୍ଧ୍ବ ପେନ୍ସନ୍ ପାଉଥିବେ, (୭) ସହରାଞ୍ଚଳରେ ଥିବା ପରିବାରର କୌଣସି ସଦସ୍ୟଙ୍କ ମାସିକ ଆୟ ଟ୧୫୦୦୦ରୁ ଉର୍ଦ୍ଧ୍ବ ଏବଂ ଗ୍ରାମାଞ୍ଚଳରେ ଥିବା ପରିବାରର କୌଣସି ସଦସ୍ୟଙ୍କ ମାସିକ ଆୟ ଟ୧୦୦୦୦ରୁ ଅଧିକ ଥିବ, (୮) ପରିବାରର କୌଣସି ସଦସ୍ୟ କେନ୍ଦ୍ର ସରକାର, ରାଜ୍ୟ ସରକାର, ସରକାରୀ ନିଗମ, ସରକାରୀ ଅନୁଦାନ ପ୍ରାପ୍ତ ସ୍ବୟଂଚାଳିତ ସଂସ୍ଥା ବା ପୌରପାଳିକା ସଂସ୍ଥା ଦ୍ବାରା ନିଯୁକ୍ତ ନିୟମିତ ସରକାରୀ କର୍ମଚାରୀ ହୋଇଥିବେ । ଏଥିରୁ ପ୍ରୋତ୍ସାହନ ଏବଂ ସମ୍ମାନରାଶି (ଅନରାରିୟମ୍) ପାଉଥିବା କର୍ମଚାରୀମାନଙ୍କୁ ବାଦ୍ ଦିଆଯିବ । ସେହିପରି ଗ୍ରାମାଞ୍ଚଳର ବେସରକାରୀ ସଂସ୍ଥାମାନଙ୍କରେ କାର୍ଯ୍ୟରତ କର୍ମଚାରୀ ଯେଉଁମାନେ ମାସିକ ଟ୧୦୦୦୦/-ରୁ ଅଧିକ ବେତନ ପାଉଥିବେ ଓ ସହରାଞ୍ଚଳରେ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ଯେଉଁମାନେ ମାସିକ ଟ୧୫୦୦୦ରୁ ଅଧିକ ବେତନ ପାଉଥିବେ ଏବଂ  (9) ଯେଉଁ ପରିବାରର ୩ ବଖରା ବା ତାଠାରୁ ଅଧିକ ରୁମ୍ ବା ପକ୍କାଘର ଥିବ । ଏମାନେ ରେସନ୍ କାର୍ଡ଼ ପାଇବେ ନାହିଁ ।

ପ୍ରସ୍ତୁତ କରାଯିବା ରେସନ୍ କାର୍ଡ଼ ପରିବାର ମୁଖ୍ୟ ମହିଳାଙ୍କ ନାମରେ ରହିବ । ୧୮ ବର୍ଷରୁ ଉର୍ଦ୍ଧ୍ବ ମହିଳା ଘରେ ନଥିଲେ, ପୁରୁଷଙ୍କ ନାମରେ କାର୍ଡ଼ ରହିବ ।

ଏହି ରେସନ କାର୍ଡ଼ ପ୍ରସ୍ତୁତି ସମୟରେ ଅନ୍ତ୍ୟୋଦୟ ହିତାଧିକାରୀଙ୍କୁ କଟାଯିବ ନାହିଁ । ସେମାନେ ପୂର୍ବଭଳି ମାସିକ ୩୫ କି.ଗ୍ରା. ଚାଉଳ ୧ ଟଙ୍କା ଦରରେ ପାଇବେ । 

ନୂଆ ରେସନ କାର୍ଡ଼ ପାଇଥିବା ପରିବାର ସେମାନଙ୍କର ସଦସ୍ୟ ସଂଖ୍ୟା ଫର୍ମରେ ଲିପିବଦ୍ଧ କରିଥିବେ । ପ୍ରତ୍ୟେକ ବ୍ୟକ୍ତି ମାସିକ ମୁଣ୍ଡପିଛା ୫ କି.ଗ୍ରା. ଚାଉଳ ବା ଗହମ ବା ଉଭୟ ପାଇବା ପାଇଁ ଯୋଗ୍ୟ ହେବେ । ଉଦାହରଣ ସ୍ବରୂପ ଗୋଟିଏ ପରିବାରେ ୪ ଜଣେ ସଦସ୍ୟ ଥିଲେ, ସେ ପରିବାର ମାସକୁ ୨୦ କି.ଗ୍ରା. ଚାଉଳ ବା ଗହମ ବା ଉଭୟ ପାଇପାରିବ । କେନ୍ଦ୍ର ଓ ଓଡ଼ିଶା ସରକାର ରିହାତି ଦରରେ କି.ଗ୍ରା. ପ୍ରତି ୧ ଟଙ୍କା ଦରରେ ତାହା ଯୋଗାଉଛନ୍ତି ।

ଯେଉଁ ପରିବାର ଅନ୍ତ୍ୟୋଦୟ ଯୋଜନା ଅନ୍ତର୍ଭୁକ୍ତ ଥିବେ, ସେ ନୂଆ କାର୍ଡ଼ ଆଉ ଗୋଟିଏ ହାତେଇ ପାରିବ ନାହିଁ ।

ପରିବାରକୁ ମାସିକ ରେସନ୍ ଦେବା ବ୍ୟତୀତ, ଖାଦ୍ୟ ସୁରକ୍ଷା ଆଇନ ଭିତରକୁ ଅଙ୍ଗନବାଡ଼ି ଶିଶୁ ଖାଦ୍ୟ ବ୍ୟବସ୍ଥା, ପ୍ରାଥମିକ ସ୍କୁଲର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ମାତୃ ଖାଦ୍ୟ ବ୍ୟବସ୍ଥା, ମାସିକ ୬୦୦୦ ଟଙ୍କାର ମାତୃ ସହାୟତା ବ୍ୟବସ୍ଥା ଚାଲି ଆସିଲା । ଯଦି ହିତାଧିକାରୀମାନଙ୍କୁ ସରକାର ଖାଦ୍ୟ ଯୋଗାଇବାରେ ବିଫଳ ହୁଅନ୍ତି ତେବେ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଭତ୍ତା ଦେବେ ।

ଏହି ଆଇନ ଅନୁଯାୟୀ ଅଭିଯୋଗ ଶୁଣାଣି ପାଇଁ ରାଜ୍ୟ ସରକାର, ଜିଲ୍ଲା ସ୍ତରରେ ଏକ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅଫିସର ଓ ରାଜ୍ୟ ସ୍ତରରେ ଏକ ଖାଦ୍ୟ କମିଶନ୍ ଗଠନ କରିବେ । ଏବେ ଏହି ଦାୟିତ୍ବରେ ଜିଲ୍ଲାରେ ଡି.ଆର.ଡ଼ି.ଏ ପ୍ରକଳ୍ପ ଅଧିକାରୀ ଅଛନ୍ତି ଓ ରାଜ୍ୟ ସୂଚନା କମିଶନଙ୍କୁ ଖାଦ୍ୟ ସୁରକ୍ଷା କମିଶନର ଦାୟିତ୍ବ ଦିଆଯାଇଛି । କାଳକ୍ରମେ ସ୍ବାଧୀନ କମିଶନ ଗଠନ କରାଯିବ । ଯେଉଁମାନଙ୍କର ଅସୁବିଧା ଅଛି, ସେମାନେ ଏହି ଦୁଇ ଅଧିକାରୀଙ୍କ ପାଖରେ ଅଭିଯୋଗ କରିପାରିବେ ।

ଏବେ ହିତାଧିକାରୀ ଚୟନରେ ଅନିୟମିତା ଦେଖାଦେଇଛି । ଅଯୋଗ୍ୟ ହିତାଧିକାରୀମାନଙ୍କୁ ଜାନୁଆରୀ ୧୫ ତାରିଖ ସୁଧା ସ୍ବତଃପ୍ରବୃତ୍ତ ଭାବେ ଓହରିଯିବାକୁ ସରକାର କହିଥିଲେ । କିଛି ସ୍ବଇଚ୍ଛାରେ ହଟିଗଲେ ଓ ଅନ୍ୟ କେତେକଙ୍କୁ ସରକାର ଦଣ୍ଡ ଦେଇଛନ୍ତି । ସେହିପରି ଯୋଗ୍ୟ ହିତାଧିକାରୀମାନଙ୍କୁ ଖାଉଟି କାର୍ଡ଼ ଯୋଗାଇବା ପାଇଁ ସରକାର ଆହ୍ବାନ କରିଛନ୍ତି । କିଛି ସମୟସୀମା ରଖିନାହାଁନ୍ତି । ତେଣୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନେ ଆଇନର ସୁବିଧା ନିଅନ୍ତୁ ।  ଯେ କୌଣସି ସମୟରେ ସେମାନେ ନିଜକୁ ରେଜେଷ୍ଟ୍ରିଭୁକ୍ତ କରନ୍ତୁ । ସନ୍ଦେହ ସୃଷ୍ଟିହେଲେ ସ୍ଥାନୀୟ ବି.ଡ଼ି.ଓ.ଙ୍କ ସଂଗେ ଯୋଗାଯୋଗ କରନ୍ତୁ । ସରକାର, କ୍ୟାବିନେଟ୍ ବୈଠକରେ ଖିଲାପକାରୀ ଡିଲର ଓ ଠକ ହିତାଧିକାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଖାଉଟି ଆଇନରେ ସଂଶୋଧନ ଆଣିଛନ୍ତି । ସମ୍ବଳ କମିଯିବାରୁ ସମସ୍ତେ ଚେଷ୍ଟା କରନ୍ତୁ କିପରି ଗରୀବ ଲୋକେ ସୁବିଧା ପାଇବେ ।

ମୋବାଇଲ୍-୯୪୩୯୧୭୮୫୮୮

© 2015. Samanya Kathan All Rights Reserved | Editor : Debendra Prusty     

To Top