ସାଧାରଣତନ୍ତ୍ର ଦିବସରେ ଭାରତ

image

ଜ୍ୟୋତିପ୍ରଭା ଆଚାର୍ଯ୍ୟ

 

ହିମାଳୟଂ ସମାରଭ୍ୟ ଯାବତ୍ ଇଂଦୁ ସରୋବରମ୍ ।
ତଂ ଦେବନିର୍ମିତଂ ଦେଶଂ ହିନ୍ଦୁସ୍ଥାନଂ ପ୍ରଚକ୍ଷ୍ୟତେ ।

 

ହିମାଳୟରୁ ଆରମ୍ଭ କରି କୁମାରୀକା ପର୍ଯ୍ୟନ୍ତ ଯେଉଁ ବିଶାଳ ଭୂଖଣ୍ଡ ପରିବ୍ୟାପ୍ତ, ସେ ହେଉଛି ଦେବଭୂମି ଭାରତବର୍ଷ । ଯାହାର ମୂଳ ମନ୍ତ୍ର ହେଉଛି ବସୁଧୈବ କୁଟୁମ୍ବକମ୍ । ଏହି ଦେବ ଭୁମି ନିଜ ସଂସ୍କୃତି, ପରଂପରା, ଐତିହ୍ୟ ପାଇଁ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ବିଭିନ୍ନତା ମଧ୍ୟରେ ଏକତା, ବୈଷାମ୍ୟ ମଧ୍ୟରେ ସାମ୍ୟ, ଅନୈକ୍ୟ ମଧ୍ୟରେ ଐକ୍ୟ ଏହାର ବୈଶିଷ୍ଟ୍ୟ ।

 

ଜାନୁଆରୀ ୨୬ ତାରିଖରେ ଦେଶ ୬୯ତମ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ ପାଳନ କରିଛି । ଯଦିଓ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ଭାରତ ସ୍ୱାଧୀନ ହୋଇଥିଲା କିନ୍ତୁ ଭାରତ ଏକ ସାର୍ବଭୌମ, ଗଣତନ୍ତ୍ର ଓ ସାଧାରଣତନ୍ତ୍ର ରାଷ୍ଟ୍ରଭାବେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ରତା ସୃଷ୍ଟି କରିପାରିଥିଲା । ସେହି ଦିନଠାରୁ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ରାଷ୍ଟ୍ରପତିଙ୍କ ପଦ ମର୍ଯ୍ୟାଦା ବୃଦ୍ଧି ସହ ଜାତୀୟ ପତାକାର ସମ୍ମାନ ବୃଦ୍ଧି ପାଇଥିଲା । ତ୍ରିରଙ୍ଗାତଳେ ଆମେ ସମସ୍ତେ ସମାନ ।

 

ଗଣତନ୍ତ୍ର ଶବ୍ଦକୁ ବିଶ୍ଳେଷଣ କଲେ ଜଣା ପଡ଼େ ଯେ ଗଣ ଶବ୍ଦର ଅର୍ଥ ହେଲା ଲୋକ ଓ ତନ୍ତ୍ର ଶବ୍ଦର ଅର୍ଥ ହେଲା ଶାସନ । ଅର୍ଥାତ ଗଣତନ୍ତ୍ର ହେଉଛି ଲୋକଙ୍କ ଶାସନ, ଲୋକଙ୍କ ଦ୍ୱାରା ଓ ଲୋକଙ୍କ ପାଇଁ । ଭାରତୀୟ ଗଣତନ୍ତ୍ର ହେଉଛି ବିଶ୍ୱର ସର୍ବ ବୃହତ୍ତମ ଗଣତନ୍ତ୍ର । ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ମତଦାନ ଜରିଆରେ ନାଗରିକମାନେ ପ୍ରତିନିଧି ବାଛିଥାନ୍ତି । ସେଭଳି ଭାରତର ସମ୍ବିଧାନ ବିଶ୍ୱର ସର୍ବବୃହତ୍ ଲିଖିତ ସମ୍ବିଧାନ । ସମ୍ବିଧାନରେ ମୋଟ ୪୪୮ଟି ଧାରା ଓ ୧୨ଟି ଉପଧାରା ଓ ୧୦୧ଟି ସଂଶୋଧନ ରହିଛି । ଭାରତ ଭଳି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ସମ୍ବିଧାନ ଜରିଆରେ ଏକତା ରକ୍ଷା କରାଯାଇ ପାରିଛି ।

 

ଏଇସମୟ ମଧ୍ୟରେ ଦେଶ ଶିକ୍ଷା, ବିଜ୍ଞାନ, କାରିଗରୀ, ପ୍ରତିରକ୍ଷା, ମହାକାଶ ତଥା ଆଣବିକ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ପାଇଛି । ଭାରତ ଧୀରେ ଧୀରେ ବିକାଶ ରାସ୍ତାରେ ପାଦ ଥାପୁଛି । ଯାହାର ଉଦାହରଣ ଡିଜିଟାଲ ଇଣ୍ଡିଆ । ଶକ୍ତିଶାଳୀ ଆମେରିକା, ରୁଷିଆ, ଚାଇନା ଭଳି ବିଶ୍ୱରେ ଅନ୍ୟତମ ଏକ ଶକ୍ତିଶାଳୀ ତଥା ସଶକ୍ତ ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ଭାରତ ନିଜ ପରିଚୟ ସୃଷ୍ଟି କରିପାରିଛି । ବିକାଶୋନ୍ମୁଖୀରୁ ବିକଶିତ ହେବାରେ ଲାଗିଛି । ୬୯ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଦେବା ସହ ଯୁବ ପିଢିଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି । ଦେଶର ଭାଗ୍ୟ ଓ ଭବିଷ୍ୟତ ଯୁବ ପିଢିଙ୍କ ଉପରେ ନିର୍ଭର କରିଥାଏ । ଏତଦବ୍ୟତିତ ଦେଶର ନାଗରିକ କେବଳ ଗଣତନ୍ତ୍ରର ନିର୍ମାତା ଏବଂ ସଂରକ୍ଷକ ନୁହଁନ୍ତି ବରଂ ସେମାନେ ଏହା ଆଧାର ବୋଲି ମତବ୍ୟକ୍ତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ର ଉଦ୍ଦ୍ୟେଶରେ ବାର୍ତ୍ତା ଦେବା ସହ ଯୁବ ପିଢିଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି । ଦେଶର ଭାଗ୍ୟ ଓ ଭବିଷ୍ୟତ ଯୁବ ପିଢିଙ୍କ ଉପରେ ନିର୍ଭର କରିଥାଏ । ଏତଦବ୍ୟତିତ ଦେଶର ନାଗରିକ କେବଳ ଗଣତନ୍ତ୍ରର ନିର୍ମାତା ଏବଂ ସଂରକ୍ଷକ ନୁହଁନ୍ତି ବରଂ ସେମାନେ ଏହା ଆଧାର ବୋଲି ମତବ୍ୟକ୍ତ କରିଛନ୍ତି ।

 

ଯେଉଁ ମହାମନିଷୀମାନଙ୍କ ଅଦମ୍ୟ ଚେଷ୍ଟାରେ ଭାରତ ସ୍ୱାଧୀନତାର ସ୍ୱାଦ ଚାଖିବା ସହ ବିଶ୍ୱରେ ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦା ପାଇ ପାରିଛେ ସେମାନେ ଆମ ପାଇଁ ଚିର ନମସ୍ୟ । ଜାତି ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ । ଏହି ମୂଳ ମନ୍ତ୍ରକୁ ପାଥେୟ କରି ଏକ ସଫଳ, ବିକଶିତ ରାଷ୍ଟ୍ର ନିର୍ମାଣରେ ସମସ୍ତେ ନିଜକୁ ବ୍ରତୀ କରିବା ଆବଶ୍ୟକ ।

© 2015. Samanya Kathan All Rights Reserved | Editor : Debendra Prusty     

To Top