ରଜାପୁଅ ଓ ଅସୁର ଉପାଖ୍ୟାନ

image

ଡକ୍ଟର ସୁଲଗ୍ନା ମହାନ୍ତି

 

କିଏ ରାଜା କିଏ ରାଣୀ? କିଏ ରଜାପୁଅ କିଏ ଅସୁର? କିଏ ନୀଳପରୀ କିଏ ଅସୁରୁଣୀ? କେବେ ଏକୁଟିଆ ସମୟରେ ଭଲରେ ଦର୍ପଣକୁ ଚାହିଁବ, ରଜାପୁଅ ମୁହଁ ଭିତରେ ଅସୁର ମୁହଁଟି ଉକୁଟିହେଇ ଉଠିବ। ଖାଲି ଲୋକ ନ ରହିବା ଦରକାର। ମୁହଁରୁ ମୁଖାଟା ଗଳିବାକୁ ବେଶୀ ସମୟ ଲାଗିବନି। ସେଥିପାଇଁ ନିଜେ କିଏ ଜାଣିବାକୁ ହେଲେ ଏକୁଟିଆ ରହିବାକୁ ପଡେ। ନିଜକୁ ଖୋଜିବାକୁ ପଡେ। ଭିଡରେ ଯିଏ ସିଏ ତମେ ନୁହେଁ। ତମଭଳି ଦିଶୁଛି ଖାଲି। ଏକୁଟିଆ ଥିଲେ ଅଭିନୟର ଦରକାର ନାହିଁ। ଯେମିତି ଇଚ୍ଛା ସେମିତି ହସିବ। ଯେମିତି ଇଚ୍ଛା ସେମିତି କାନ୍ଦିବ। ଯେମିତି ଇଚ୍ଛା ସେମିତି ଖତେଇବ। ବାଥରୁମ କବାଟ ଖୋଲାରଖି ପରିସ୍ରା ଯିବ। ନାକରୁ ବକୁଳି କାଢି ତାକୁ ଆଙ୍ଗୁଠିରେ ଗୁଳା କରିବ। ଦର୍ପଣରେ ମୁହଁ ଦେଖି ହସିବାର ଅଭିନୟ କରିବ। କାନ୍ଦିବାର ଅଭିନୟ କରିବ। ଭାବିବ ଏହେ କାନ୍ଦିଲା ବେଳେ ମୁଁ ଏଡ଼େ ଅସୁନ୍ଦର ଦିଶେ! ସେଇଟା ହେଲ ତମେ। ତମ ଅସଲି ରୂପ।

 

କିନ୍ତୁ ଲୋକ ମେଳରେ ମୁହଁରେ ରଙ୍ଗ ଲାଗିଯିବ। ମିଛ ନିଶଦାଢ଼ି ଲାଗେ। ଭଦ୍ରତାର ମୁଖା ଲାଗିବ। ତିଆରି ହେଇଯିବ ଅଭିନେତାଟିଏ। ଅଭିନୟ କରିବାକୁ ଅଣ୍ଟାଭିଡ଼ି ସେ ଯେ ତୟାର। ମନକୁ ଯାହା ଆସିବ ସବୁ ଚାପିବାକୁ ପଡିବ। କାନ୍ଦିବାକୁ ମନ କିନ୍ତୁ ହସିବ ଦାନ୍ତ ନେଫେଡ଼େଇ ନେଫେଡ଼େଇ। ପେଟ ଫଟେଇକି ହସିବାକୁ ମନ କିନ୍ତୁ ଆଖି କରିବ ଛଳ ଛଳ। ନହେଲେ ଲୋକେ ବୋଲିବେ କ’ଣ? ତୁମକୁ ସାଟିର୍ଫିକେଟ ଦେବେ କେମିତି? ତୁମେ କେତେ ଭଲ, କେତେ ସ୍ନେହୀ, କେତେ ପରୋପକାରୀ! ତାକୁ ତୁମେ ପୁଣି ଫ୍ରେମ କରି କାନ୍ଥରେ ମାରିବ। ମଲାବେଳକୁ ବେକରେ ଝୁଲେଇ କି ନବ। ସେଇଟା ଦେଖି ତମକୁ ସ୍ବର୍ଗରେ ଜାଗା ମିଳିବ। ସୁନ୍ଦରୀ ଅପସରୀଗଣ ତମକୁ କୋଳରେ ଝୁଲେଇବେ। ଅମୃତ ପିଏଇବେ। ସେଇ ସାଟିର୍ଫିକେଟ ନଥିଲେ ନର୍କ! ଗରମ ତେଲରେ ଚିକେନ୍ ପକୋଡା ଭଳିଆ ଛଣା ହବ ତମକୁ। ସେଇଥିପାଇଁ ତ ଏତେ ମୁଖା, ଏତେ ଅଭିନୟ!! ଭାଗମାପ ହସ, ଭାଗମାପ କାନ୍ଦ। କିଛିଦିନ ପରେ ନିଜେ ବି ଭୁଲିଯିବ କିଏ ତମେ? କେଉଁଟା ସତ କେଉଁଟା ମିଛ! ରଜାପୁଅ ମୁଁ ନା ବିକଟାଳ ଅସୁର?

 

ଏଇଠି ଗୋଟିଏ ଗପ ମନେପଡେ। ଦୁଇ ଜଣ ସାଙ୍ଗ ଥିଲେ। ଆକାଶବାଣୀ ହେଲା ଦୁହିଁଙ୍କ ପାଖରେ କେବଳ ଚବିଶ ଘଣ୍ଟା ଅଛି।  ଚବିଶ ଘଣ୍ଟା ପରେ ଯମଦୂତ ଆସିବେ ନବାପାଇଁ। ଦୁଇ ସାଙ୍ଗ ଭାବିଲେ ଜୀବନ ତ ସରିଲା। ଏଇ ଚବିଶ ଘଣ୍ଟାରେ ଯେତିକି ପାରିବା ଜୀବନକୁ ଜୀଇଁଯିବା। ପ୍ରଥମ ସାଙ୍ଗ କହିଲା ଜୀବନର ଏଇ ଶେଷ ଦିନଟି ଭଗବାନଙ୍କ ନାମ ନେଇ କାଟିଦେବି। ମନ୍ଦିରକୁ ଯିବି। ଭଜନ କୀର୍ତ୍ତନ କରିବି। ତାହେଲେ ସ୍ବର୍ଗକୁ ଯିବି। ସେ ସେଇଆ କଲା। ଦ୍ବିତୀୟ ସାଙ୍ଗଟି କହିଲା ଆଉ ତ ମାତ୍ର ଗୋଟିଏ ଦିନ ରହିଲା। ତାକୁ ମଉଜ ମଜଲିସ କରି କାଟିଦିଏଁ। ସିଏ ସୁରାସାକି ନାରୀ ଆଉ ମଦିରାରେ ଦିନଟି କାଟିଦେଲା। ଚବିଶ ଘଣ୍ଟା ପୂରଣ ହେଇଗଲା। ଯମଦୂତ ଆସି ଦୁଇ ବନ୍ଧୁଙ୍କୁ ନେଇଗଲେ। ଯମଲୋକରେ ସାମ୍ନାରେ ସ୍ବର୍ଗକୁ ଦ୍ବାର ଆଉ ନର୍କକୁ ଦ୍ବାର। ଯମରାଜ ଆସିଲେ। ପ୍ରଥମ ସାଙ୍ଗକୁ କହିଲେ ନର୍କକୁ ଯିବାପାଇଁ ଆଉ ଦ୍ବିିତୀୟ ସାଙ୍ଗକୁ କହିଲେ ସ୍ବର୍ଗକୁ ଯିବାପାଇଁ। ପ୍ରଥମ ସାଙ୍ଗ ରାଗିଗଲା। କହିଲା, ମୁଁ ଠାକୁରଙ୍କୁ ପୂଜା କଲି। ଭଜନ କୀର୍ତ୍ତନ କଲି। ଆଉ ସିଏ ମଦପିଇ ବାଇଜୀ ସାଙ୍ଗରେ ନାଚିଲା। ଶେଷରେ ଆପଣ କହୁଛନ୍ତି ମୁଁ ନର୍କକୁ ଯିବି ଆଉ ସେ ସ୍ବର୍ଗକୁ ଯିବ? ଏ କିଭଳି ନ୍ୟାୟ?

 

ଯମରାଜ ହସିଲେ। ସେ ଦ୍ବିତୀୟ ବନ୍ଧୁକୁ ଚାହିଁଲେ। ତାକୁ ପଚାରିଲେ, ତୁ ସେଦିନ ମଦ ପିଇଲା ବେଳକୁ ତୋ ମନରେ ଦିନସାରା କ’ଣ ଚାଲିଥିଲା? ଦ୍ବିତୀୟ ବନ୍ଧୁ ଉତ୍ତର ଦେଲା, ମୁଁ ଭାବୁଥିଲି ମୋ ସାଙ୍ଗ ବିଷୟରେ କି ସେ କ’ଣ କରୁଥିବ! ଏବେ ପୂଜା କରୁଥିବ। ଏବେ ଭଜନ ଗାଉଥିବ। ଏବେ କୀର୍ତ୍ତନ କରୁଥିବ। ତା’ପରେ ଯମରାଜ ପ୍ରଥମ ସାଙ୍ଗକୁ ଚାହିଁ ପଚାରିଲେ, ଏବେ ତୁମେ କୁହ ତୁମେ ସେଦିନ ପୂଜା କଲାବେଳେ ଦିନସାରା କ’ଣ ଭାବୁଥିଲ? ପ୍ରଥମ ସାଙ୍ଗ ମୁଣ୍ଡ ତଳକୁ କରି କହିଲା, ମୁଁ ଭାବୁଥିଲି ଏବେ ମୋ ସାଙ୍ଗ କେମିତି ମଜା କରୁଥିବ! ମଦ ପିଉଥିବ! ବାଇଜୀ ସାଙ୍ଗରେ ନାଚୁଥିବ!

 

ଯମରାଜ ହସିଲେ। କହିଲେ, ଜାଣିଲ ତ’! ଏବେ କିଏ କାହିଁକି ସ୍ବର୍ଗକୁ ଯାଉଛି ଆଉ କିଏ କାହିଁକି ନର୍କକୁ ଯାଉଛି!

 

ଗପଟି ଏଇଠି ସରିଲା। ଏଇ ଗପର ମାନେ ନୁହେଁ ଯେ ଜଣେ ପୂଜା କଲେ ନର୍କକୁ ଯିବ କି ମଦ ପିଇଦେଲେ ନର୍କକୁ ଯିବ! କଥା ହେଲା ମନର ଖେଳର। ମନ ଯାହା ଭାବିଲା ସେଇୟା ସତ୍ୟ। ବାକି ସଂସାର ମିଥ୍ୟା।

 

ଭଲ ହୁଅ। ଦୟାଳୁ ହୁଅ। ପରର ଉପକାର କର। ମନା ନାହିଁ। ଯାହା ବି କର କିନ୍ତୁ ମନଭିତରୁ କର। ଲୋକଦେଖାଣିଆ କାମ କରି କାହାର ବା ଭଲ ହେଇଚି? ମୁହଁରେ ମଲ୍ଲିଫୁଲିଆ ହସ ମନ ଭିତରେ ଘୁଅ। ଲୋକ କ’ଣ କହିବେ ସେଇଟା ଭାବିଲେ କଥା ସରିଲା। ମନଥିବ ସବୁଥିକି। ଉପରେ ନାହିଁ ନାହିଁ। କରିବାକୁ ସବୁ ହମହମ। ଉପରେ ଉପରେ ମୁହଁମୋଡା। କିଏ ଗୋଟେ କହିଥିଲା ଭଲଲୋକ ହେବା କିଛିନୁହେଁ କେବଳ ସୁଯୋଗର ଅଭାବ! ତା’ହେଲେ ସୁଯୋଗ ମିଳିଲେ ଅସୁରଟା ଡିଆଁ ମାରିବ କି ତୁମ ଭିତରୁ? ମନକୁ ପଚାର ସେ କଣ କହୁଚି। ମନ ମିଛ କହେନି। ମୁଣ୍ଡଟା ମିଛ କହେ। ମୁଣ୍ଡକୁ ଟିକେ ବିଶ୍ରାମ ଦିଅ। ବହୁତ ପରିଶ୍ରମ କଲାଣି। ଶୋଇପଡୁ ଟିକେ। ମନଟା ଉଠୁ। ଆଉ ଯେବେ ମନ ଉଠିବ ତା’ କଥା ଶୁଣିବ କାନପାତି! ମନ କହିବ ସେଇ କଥା। କୋଉ କଥା? ସେଇ ବିକଟାଳ ଅସୁରକୁ ବାହାର କରିବା କଥା।

 

ଅସୁର ନ ବାହାରିଲେ ରଜାପୁଅ କେମିତି ବାହାରିବ? ଦସ୍ୟୁ ରତ୍ନାକର ନଥିଲେ ବାଲ୍ମୀକି କୁଆଡୁ ଆସିବେ? ଚଣ୍ଡାଶୋକ ନ ଥିଲେ ଧର୍ମାଶୋକ କୁଆଡୁ ଆସିବେ? ସବୁ ଗୋଟିଏ ପଇସାର ଦୁଇଟି ପାଖ। ଯୁଆଡୁ ଦେଖିବ କେବଳ ଗୋଟିଏ ଦେଖାଯିବ। କିନ୍ତୁ ଥିବେ ଦୁଇଜଣ। ରଜାପୁଅରେ ଅସୁର। ଅସୁରରେ ରଜାପୁଅ।

 

କିଏ ଜାଣେ କେଉଁଟା ତମ ନିଜ ରୂପ? ଜୀବନଯାକ ରଜାପୁଅ ମୁଖା ପିନ୍ଧି ଜୁଇ ଉପରେ ଜାଣିଲ ଜୀବନର ଅସଲି ମଜା ରଜାପୁଅ ହବାରେ ନୁହଁ ଅସୁର ହବାରେ ଥିଲା! ମୁହଁରେ ମଣ୍ଡା ନ ପୁରେଇ ଛାତି ଫୁଲେଇ ଉପରସାହି ଝିଅକୁ ପ୍ରେମଚିଠି ଦେଇ ତା ବାପାଠୁ ମାଡ଼ ଖାଇବାରେ ଥିଲା! ନିଜ ମନକଥା ଖୋଲି କହିଦବାରେ ଥିଲା। କାହା ମନକଥା ବସି ଶୁଣିବାରେ ଥିଲା। ଭୁଲ କରିବାରେ ଥିଲା। ଝୁଣ୍ଟିବାରେ ଥିଲା। ପଡିକି ପୁଣି ଠିଆ ହେବାରେ ଥିଲା। ଏହେ ଏତେ କଥା ଥିଲା? ଛିଃ! ଠିକଣା ସମୟରେ କିଛି ଜାଣି ହେଲାନି! କିଛି ବୁଝି ହେଲାନି! ଏବେ ବୁଝିଆସିଲା ବେଳକୁ ଜାଣିଆସିଲା ବେଳକୁ ଜୁଇନିଆଁ ଯେ  ମୁହଁଟାକୁ ସିଝେଇ ଦେଲାଣି!!

 

ଆସିଷ୍ଟାଣ୍ଟ ପ୍ରଫେସର, ଅମୃତା ୟୁନିଭର୍ସିଟି,

କୋଏମ୍ବାଟୁର, ତାମିଲନାଡ଼ୁ, ଭାରତ

Email: sulagna2008@gmail.com

© 2015. Samanya Kathan All Rights Reserved | Editor : Debendra Prusty     

To Top