ନୂଆ ନିୟମରେ ନିର୍ବାଚନ

image

ସରଳ କୁମାର ଦାସ

 

ଉତ୍ତର ପ୍ରଦେଶ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ନିର୍ବାଚନ କମିଶନ କେତେଗୁଡିଏ ନୂତନ ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପଗୁଡିକର ମୁଖ୍ୟତଃ ଦୁଇଟି ଉଦ୍ଦେଶ୍ୟ- (୧) ଭୋଟଦାତାଙ୍କୁ ସଚେତନ କରାଇ ସେମାନେ କିପରି ଅଧିକ ସଂଖ୍ୟାରେ ଅବାଧରେ ମତଦାନ କରିପାରିବେ ତାହା ସୁନିଶ୍ଚିତ କରିବା ଏବଂ (୨) ପ୍ରାର୍ଥୀ ଓ ରାଜନୈତିକ ଦଳଗୁ଼ଡିକର ଆଚରଣ ଓ ନିର୍ବାଚନୀ ଖର୍ଚ୍ଚ ଉପରେ ଅଙ୍କୁଶ ଲଗାଇବା।

 

ଏଥର ନିର୍ବାଚନ କମିଶନ ପ୍ରତି ଭୋଟରଙ୍କୁ ଏକ ଉନ୍ନତ ପ୍ରାରୂପର ଫଟୋ ସମ୍ବଳିତ ଭୋଟର ଚିରକୁଟ ଦାନ କରୁଛନ୍ତି। ପ୍ରତି ପରିବାରକୁ ଆଞ୍ଚଳିକ ଭାଷାରେ ଏକ ଭୋଟର ଗାଇଡ ପ୍ରଦାନ କରାଯାଉଛି। ଏଥିରେ ପ୍ରାର୍ଥୀ, ଭୋଟଦାନ କେନ୍ଦ୍ର, ଭୋଟଦାନ ତାରିଖ, ସମୟ ଓ ଭୋଟରଙ୍କ କର୍ତ୍ତବ୍ଯ ଆଦି ସମ୍ପର୍କରେ ସୂଚନା ରହିଛି। ମତଦାତାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତି ଭୋଟଦାନ କେନ୍ଦ୍ର ବାହାରେ ନିର୍ବାଚନ କମମିଶନଙ୍କ ତରଫରୁ ଏକ ଭୋଟର ସହାୟତା କେନ୍ଦ୍ର ରହିଛି।

 

କେତେକ ଅଞ୍ଚଳରେ ସମ୍ପୃକ୍ତ ଅ଼଼ଞ୍ଚଳର ସାମାଜିକ, ସାଂସ୍କୃତିକ ଚଳଣି ଓ ଆଚରଣକୁ ଆଖି ଆଗରେ ରଖି ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଭୋଟଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଭିନ୍ନକ୍ଷମଙ୍କ ପାଇଁ ହୋଇଥିବା ନୂଆ ଆଇନ ପରିପ୍ରେକ୍ଷୀରେ ଏଥର ପ୍ରତି ଭୋଟଦାନ କେନ୍ଦ୍ରରେ କେତେ ସଂଖ୍ୟକ ଭିନ୍ନକ୍ଷମ ଅଛନ୍ତି, ତାହା ନିର୍ଦ୍ଧାରଣ କରି ସେମାନେ କିପରି ଅବାଧରେ ଭୋଟ ଦେଇପାରିବେ ସେଥିପାଇଁ ସେମାନଙ୍କୁ ଆବଶ୍ୟକତାଭିତ୍ତିକ ସୁବିଧା ଯୋଗାଇ ଦିଆଯାଇଛି। ଭୋଟଦାନ କକ୍ଷର ଉଚ୍ଚତା କମ୍ ଥିବାରୁ ଭୋଟରଙ୍କ ମୁଣ୍ଡ ଓ ଶରୀରର ଉପର ଅଂଶ ଦେଖାଯାଇଥାଏ। ଫଳରେ ଆଗକୁ ଝୁଙ୍କି ମେସିନରେ ବୋତାମ ଟିପିଲା ବେଳେ କାହାକୁ ଭୋଟ ଦେଉଛନ୍ତି, ତାହା ଅନୁମାନ କରିହୁଏ। ତେଣୁ ଭୋଟଦାନ କକ୍ଷ ଘେରର ଉଚ୍ଚତା ଆଉ ଛଅ ଇଞ୍ଚ ବଢାଇ ଅଢେଇ ଫୁଟ କରାଯାଇଛି। ଅନେକ ସମୟରେ ଭୋଟର ମନରେ ପ୍ରଶ୍ନ ଉଠିଥାଏ, ସେ ଯେଉଁ ପ୍ରାର୍ଥୀଙ୍କ ପାଇଁ ବୋତାମ ଟିପିଲେ, ତାଙ୍କ ଭୋଟଟି ସେହି ପ୍ରାର୍ଥୀଙ୍କ ଖାତାକୁ ଗଲା ତ? ଏଥର ଗୋଆ ରାଜ୍ୟ ନିର୍ବାଚନରେ ପ୍ରଥମ କରି ଇଭିଏମ୍ ମେସିନ ସହ ଏକ ଭୋଟ ନିରୀକ୍ଷଣ ମେସିନ୍ (ଭୋଟ ଭେରିଫାଏବଲ୍ ମେସିନ୍) ସଂଯୁକ୍ତ କରାଯାଇଛି। ଏହା ଦ୍ବାରା ଭୋଟଦାତା ତାଙ୍କ ଭୋଟଟି କେଉଁ ପ୍ରାର୍ଥୀଙ୍କୁ ଗଲା ତାହା ନିରୀକ୍ଷଣ ମେସିନରେ ଦେଖିପାରିବେ। ପ୍ରଥମ କରି ମଣିପୁର ଓ ଉତ୍ତରାଖଣ୍ଡ ରାଜ୍ୟ ନିର୍ବାଚନରେ ପ୍ରାର୍ଥୀମାନଙ୍କ ଫଟୋ ଇଭିଏମ୍ ମେସିନରେ ରହୁଛି।

 

ଏହି ନିର୍ବାଚନରୁ ଏକ ତରଫା ଇ-ପୋଷ୍ଟାଲ ବାଲଟ ପ୍ରେରଣ ବ୍ୟବସ୍ଥାର ପ୍ରଚଳନ ହେଉଛି। ସାମରିକ ଓ ଅର୍ଦ୍ଧସାମରିକ ବାହିନୀ, ରାଜ୍ୟ ବାହାରେ କାମ କରୁଥିବା ପୋଲିସ କର୍ମଚାରୀ, ଭାରତ ସରକାରଙ୍କ ଦେଶ ବାହାରେ କାମ କରୁଥିବା କର୍ମଚାରୀଙ୍କ ନିକଟକୁ ଇଲେକଟ୍ରୋନିକ ପ୍ରେରଣ ମାଧ୍ୟମରେ ଖାଲି (ବ୍ଲାଙ୍କ) ବାଲଟ ପଠାଯିବ। ସମ୍ପୃକ୍ତ ଭୋଟର ଏହାକୁ ଡାଉନଲୋଡ କରି ବାଲଟ କାଗଜଟିକୁ ଛାପିନେବେ। ନିଜ ଭୋଟ ଚିହ୍ନିତ କଲାପରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟକୁ ବାଲଟଟିକୁ ଡାକଯୋଗେ ପଠାଇଦେବେ। ଏହା ଦ୍ବାରା ଭୋଟରଙ୍କ ନିକଟକୁ ଡାକଯୋଗେ ବାଲଟ କାଗଜ ପଠାଇବାର ସମୟ କମିଯିବ। ସୁରକ୍ଷା ଓ ଗୋପନୀୟତା କାରଣରୁ କମିଶନ ଦୁଇତରଫା ଇ-ବାଲଟ ପ୍ରେରଣ ବ୍ୟବସ୍ଥାକୁ ଏ ପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି।

ଏହି ନିର୍ବାଚନରେ ପ୍ରାର୍ଥୀପିଛା ନିର୍ବାଚନ ଖର୍ଚ୍ଚକୁ ରାଜ୍ୟ ଅନୁସାରେ କୋଡିଏରୁ ଅଠେଇଶ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ପ୍ରାର୍ଥୀ ଦଳୀୟ ଟେଲିଭିଜନର କୌଣସି କାର୍ଯ୍ୟକ୍ରମରେ ଭାଗନେଲେ ତାହା ତାଙ୍କ ନିର୍ବାଚନୀ ଖର୍ଚ୍ଚରେ ମିଶିବ। ପ୍ରତି ପ୍ରାର୍ଥୀ ସମସ୍ତ ସରକାରୀ ଦେୟ (ବିଦ୍ୟୁତ ବିଲ୍, ଜଳକର, ଘରଭଡା ଆଦି) ଦେଇସାରିଛନ୍ତି ବୋଲି ଏକ ଘୋଷଣାପତ୍ର ଦାଖଲ କରିବେ। ନିର୍ବାଚନ ପାଇଁ ପ୍ରାର୍ଥୀଙ୍କୁ ଏକ ସ୍ବତନ୍ତ୍ର ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ହେବ। କୋଡିଏ ହଜାର ଟଙ୍କାରୁ ଊର୍ଦ୍ଧ୍ବ ସମସ୍ତ ଖର୍ଚ୍ଚ ଚେକ୍ ମାଧ୍ୟମରେ କରିବା ବାଧ୍ୟତାମୂଳକ।

 

ନିର୍ବାଚନ ସମୟରେ ଗଣମାଧ୍ୟମ ଦ୍ବାରା କୌଣସି ପ୍ରାର୍ଥୀ ବା ଦଳ ସପକ୍ଷରେ ଟଙ୍କାଦିଆ ଖବର (ପେଡ୍ ନିଉଜ୍) ପ୍ରକାଶ ଓ ପ୍ରସାର ହେବା ଏକ ସାଧାରଣ ଘଟଣା। ଏଣିକି ପ୍ରେସ୍ କାଉନସିଲ ଅଫ ଇଣ୍ଡିଆଙ୍କ ସହାୟତାରେ କମିଶନ ଏହା ଉପରେ କଡା ନଜର ରଖୁଛନ୍ତି। ଟଙ୍କାଦିଆ ଖବର ପ୍ରକାଶ କରିବାରେ କୌଣସି ବାଧା ନାହିଁ, କିନ୍ତୁ ତାହା ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚରେ ମିଶିବ।

 

ପରିବେଶ ଅନୁକୂଳ ନିର୍ବାଚନ ପ୍ରଚାର ଉପରେ କମିଶନ୍ ଅଧିକ ଗୁରୁତ୍ବ ଦେଉଛନ୍ତି। ପରିବେଶକୁ ପ୍ରଦୂଷଣ କଲାଭଳି ନିର୍ବାଚନୀ ଉପକରଣ ଯଥା ପ୍ଲାଷ୍ଟିକ ପତାକା, ଦଳୀୟ ଚିହ୍ନ, ବ୍ୟାଜ୍ ଆଦିର ବ୍ୟବହାରକୁ ବାରଣ କରାଯାଇଛି। ଲାଉଡସ୍ପିକରର ଅପରିଣାମଦର୍ଶୀ ବ୍ୟବହାର ଓ ବାଣ ଫୁଟାଇବା ଉପରେ ନିୟନ୍ତ୍ରଣ ରଖିବାକୁ ପୋଲିସ ଓ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ସୁପ୍ରିମକୋର୍ଟ ଧର୍ମ ଓ ଜାତିଭିତ୍ତିକ ନିର୍ବାଚନ ପ୍ରଚାରକୁ କଡା ସମାଲୋଚନା କରି ତା’ ବିରୁଦ୍ଧରେ ଆଦେଶ ଦେଇଥିବାରୁ ଏ ନିର୍ବାଚନରେ କେହି ଧର୍ମ ଓ ଜାତିଭିତ୍ତିକ ପ୍ରଚାର କରିପାରିବେ ନାହିଁ।

 

ଓଡିଶାରେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏଥି ମଧ୍ୟରୁ କେତୋଟି ପଦକ୍ଷେପ କାର୍ଯ୍ୟକାରୀ କରାଯାଇଥିଲେ ଭଲ ହୋଇଥା’ନ୍ତା, ବିଶେଷ କରି ଭିନ୍ନକ୍ଷମମାନେ ସୁବିଧାରେ ଭୋଟ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇପାରିଥା’ନ୍ତା।   

 

୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ, ଭୁବନେଶ୍ବର - ୭୫୧୦୧୨

ମୋ.  ୯୪୩୭୦୩୮୦୧୫

© 2015. Samanya Kathan All Rights Reserved | Editor : Debendra Prusty     

To Top