ଶିବପୂଜାରେ ନବଗ୍ରହ ଶାନ୍ତି

image

ଜ୍ୟୋତିର୍ବିଦ‍୍‌ ଡ. ପ୍ରଦୀପ କୁମାର ଚୌଧୁରୀ

 

ପ୍ରତ୍ୟେକ ଧର୍ମ ଭଳି ଆମ ହିନ୍ଦୁଧର୍ମରେ ଭଗବାନଙ୍କୁ ଏକ ନିର୍ଦ୍ଦିଷ୍ଟ ତତ୍ତ୍ୱରେ ବିଶ୍ଳେଷଣ କରାଯାଇଛି। ଭଗବାନ ଶବ୍ଦ ବିଶ୍ଳେଷଣରେ ସେ ଚାରୋଟି ଅକ୍ଷରର ସମାହାର। ପ୍ରତ୍ୟେକ ଅକ୍ଷର ସହ ଏକ ସ୍ୱତନ୍ତ୍ର ତତ୍ତ୍ୱ ସମ୍ୱନ୍ଧ ରହିଛି। ପ୍ରଥମ ଅକ୍ଷର ‘ଭ’ ରେ ସେ ସମସ୍ତ ଭଲଗୁଣର ଅଧିକାରୀ, ଭକ୍ତରକ୍ଷାକାରୀ, ଭକ୍ତବତ୍ସଳ। ଦ୍ୱିତୀୟ ଅକ୍ଷର ‘ଗ’ରେ ସେ ଗଗନ ଭଳି ବିସ୍ତୃତ, ଅନନ୍ତ, ଅସୀମ ଓ ପରିବ୍ୟାପ୍ତ ଏବଂ ସମସ୍ତଗଣକୁ ପ୍ରତିନିଧିତ୍ୱ କରନ୍ତି ଅର୍ଥାତ‌୍‍ ଯିଏ ଦେବଗଣ, ଦାନବଗଣ, ମାନବଗଣ ଓ ଗ୍ରହଗଣଠାରୁ ଆରମ୍ଭ କରି କୀଟପତଙ୍ଗ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରନ୍ତି। ତୃତୀୟ ଅକ୍ଷର ‘ବା’ରେ ଯାହାଙ୍କଠାରେ ବାଛ ବିଚାର, ପାତରଅନ୍ତର ତିଳେମାତ୍ର ପ୍ରକାଶିତ ହୁଏ ନାହିଁ। ଚତୁର୍ଥ ଅକ୍ଷର ‘ନ’ରେ ସେ ନବଗ୍ରହକୁ ପ୍ରତିନିଧିତ୍ୱ କରନ୍ତି ଏବଂ ନବନିଧିଦାତା।

 

ଇଂରାଜୀ ଭାଷାରେ ଭଗବାନଙ୍କୁ ଗଡ଼ (ଜିଓଡି) କୁହାଯାଏ। ‘ଜି’ ଅର୍ଥ ଜେନେରେଟର, ‘ଓ’ ଅର୍ଥ ଅର୍ଗାନାଇଜର ଓ ‘ଡି’ ଅର୍ଥ ଡେଷ୍ଟ୍ରୟର। ଅନ୍ୟଭାବରେ ବିଶ୍ଳେଷଣ କଲେ ହି ହୁ ଗାଇଡ୍ସ, ଅପରେଟ୍ସ ଆଣ୍ଡ ଡାଇରେକ୍ଟସ ଇଜ୍‌ ଗଡ଼। ସୃଷ୍ଟିର ଆରମ୍ଭ, ବିକାଶ ଏବଂ ବିଲୟ ଏହି ତିନିକାର୍ଯ୍ୟକୁ ଯିଏ ସମ୍ପାଦନ କରେ ସିଏ ହେଉଛନ୍ତି ଭଗବାନ‌୍‍। ଆମ ହିନ୍ଦୁଧର୍ମ ବିଶ୍ୱାସ କରେ ଏହି ତିନି କାର୍ଯ୍ୟକୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବା ଶିବ ସମ୍ପାଦନ କରିଥା’ନ୍ତି। ବ୍ରହ୍ମା ସୃଷ୍ଟିର ସର୍ଜନା କରନ୍ତି, ବିଷ୍ଣୁ ସୃଷ୍ଟିର ପାଳନ କରୁଥିବା ବେଳେ ଶିବ ସଂହାରକର୍ତ୍ତା ଭାବରେ କାର୍ଯ୍ୟ ନିର୍ବାହ କରିଥା’ନ୍ତି।

 

ଅନ୍ୟ ଦୃଷ୍ଟିରୁ ବିଚାର କରିବାକୁ ଗଲେ ସୃଷ୍ଟିକୁ ସନ୍ତୁଳିତ ରଖିବା ପାଇଁ ଯେଉଁ କାର୍ଯ୍ୟ ନିର୍ବାହ କରାଯାଏ, ତାହାକୁ ଶିବ ସଂହାର କର୍ତ୍ତା ଭାବେ ତୁଲାଇ ଥା’ନ୍ତି। ଶିବ ପ୍ରକୃତିର ଅନ୍ୟ ଏକ ସ୍ୱରୂପ। ଯାହାଙ୍କର ଶରୀରରେ ପ୍ରକୃତିର ସମସ୍ତ ପ୍ରକାର ଉପାଦାନ ଶୋଭିତ। ଜଗତ ପଞ୍ଚଭୂତକୁ ନେଇ ସୃଷ୍ଟି (ମୃତ୍ତିକା, ଜଳ, ଅଗ୍ନି, ବାୟୁ ଓ ଆକାଶ)। ପଞ୍ଚଭୂତର ସବୁ ଉପାଦାନ ଶିବଙ୍କଠାରେ ପ୍ରତୀୟମାନ। କୈଳାସ ପର୍ବତ ମୃତ୍ତିକାର ଉତ୍ସ, ଶିବଙ୍କ ତୃତୀୟନେତ୍ର ଅଗ୍ନିର ଉତ୍ସ, ଶିବଙ୍କର ଜଟାରେ ଗଙ୍ଗାଜଳ ଜଳର ଉତ୍ସ, ଶିବ ସମସ୍ତ ଜୀବଜଗତର ପ୍ରାଣର ଆଧାର ଅର୍ଥାତ‌୍‍ ସେ ବାୟୁର ଉତ୍ସ, ପ୍ରକୃତିରୂପ ଶିବ ଗଗନ ଭଳି ବିସ୍ତୃତ ତେଣୁ ସେ ଅନନ୍ତ ଆକାଶର ଉତ୍ସ। ଶିବଙ୍କ ବିନା ଆଧାରରେ ଜଗତ ଶବ ବା ସ୍ଥାଣୁ ପାଲଟେ। ଶିବ ହିଁ ସକଳ ସୃଷ୍ଟିର ଆଧାର ଏବଂ ଶିବ ହିଁ ନବଗ୍ରହଙ୍କର ଏକ ଅଭିନ୍ନ ସ୍ୱରୂପ। ଶିବଙ୍କଠାରେ ନବଗ୍ରହଙ୍କର ପ୍ରତିଟିରୂପ ପ୍ରକାଶିତ। ଶିବଙ୍କୁ ଆରାଧନା, ପୂଜାର୍ଚ୍ଚନା ବା ଭକ୍ତି ମାଧ୍ୟମରେ ବ୍ୟକ୍ତି ନବଗ୍ରହଙ୍କର ଆଶୀର୍ବାଦ ପ୍ରାପ୍ତି କରି ସକଳ ବିପଦ ଓ ସଙ୍କଟକୁ ଟାଳି ଏକ ସ୍ୱଚ୍ଛ, ସୁନ୍ଦର ଜୀବନଯାପନ କରେ। ଶିବଙ୍କୁ ନବଗ୍ରହଙ୍କ ଏକ ପାରସମଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଶିବଙ୍କୁ ଭକ୍ତିଭାବରେ ସମ୍ପୂର୍ଣ୍ଣ ସମର୍ପଣ କରିଗଲେ ଜଡପିଣ୍ଡ ବି ଏକ ଜୀବନ୍ତ ଦୀପ୍ତିମନ୍ତ ଶକ୍ତିଶାଳୀ ସଜୀବ କୋଷରେ ପରିଣତ ହୁଏ। ଶିବ ହିଁ କେବଳ ମୃତ୍ୟୁ ଉପରେ ବିଜୟ ହାସଲ କରିପାରିଥିବାରୁ ଶିବଙ୍କୁ ମହାମୃତ୍ୟୁଞ୍ଜୟୀ କୁହାଯାଏ।

 

ସାରା ସଂସାରର ଏକମାତ୍ର ତ୍ୟାଗର ପ୍ରତିରୂପ ହିଁ ଶିବ। ସେ ପୁଣି ସତ୍ୟ ଓ ସୁନ୍ଦର ଏଥିରେ ବୁଝିବାର କାହାର ଦ୍ୱିଧା ନାହିଁ। ଶିବ ବିଶ୍ୱବ୍ରହ୍ମାଣ୍ଡ ତଥା ସଂପୂର୍ଣ୍ଣ ଜଗତର କଲ୍ୟାଣକାରୀ ଓ ମଙ୍ଗଳମୟର ପ୍ରତୀକ। ସମୁଦ୍ର ମନ୍ଥନରୁ ହଳାହଳ ଗରଳ ନିର୍ଗତ ହେବା ଦେଖି ସମସ୍ତ ଦେବମଣ୍ଡଳ, ଗ୍ରହମଣ୍ଡଳ, ଜୀବମଣ୍ଡଳ ଏପରିକି ସଂପୂର୍ଣ୍ଣ ଜଗତ କିଂକର୍ତ୍ତବ୍ୟବିମୁଢ ଭାବେ ସ୍ତମ୍ଭୀଭୂତ ହୋଇଗଲା। ଶେଷରେ ଜଗତର ମଙ୍ଗଳ ନିମନ୍ତେ ମହାନ‌୍‍ ତ୍ୟାଗୀ ଶିବ ଏହି ହଳାହଳ ବିଷ ପାନ କରି ସଂପୂର୍ଣ୍ଣ ଜଗତକୁ ଉଦ୍ଧାର କରିଥିଲେ। ଏହି ବିଷପାନରେ ଶିବଙ୍କ କଣ୍ଠ ନୀଳକଣ୍ଠ ହୋଇଗଲା। ତେଣୁ ସେ ନୀଳକଣ୍ଠ ରୂପେ ପରିଚିତ ହେଲେ। ବିଷଜ୍ୱାଳାର ଉପଶମ ହେବା ପାଇଁ ମସ୍ତକର ଜଟା ମଧ୍ୟେ ଗଙ୍ଗା, ଭାଲରେ ଶୀତଳ କିରଣ ପ୍ରଦାନ କରୁଥିବା ଚନ୍ଦ୍ର, ଗଳାରେ ସର୍ପ ଶୋଭିତ ହେଲା। କଟିରେ ବ୍ୟାଘ୍ର ଚର୍ମ, ନୀଳବର୍ଣ୍ଣ କାନ୍ତିଯୁକ୍ତ ଶରୀର, କପାଳରେ ଶ୍ମଶାନ ଭସ୍ମ, ସ୍କନ୍ଧରେ ଯଜ୍ଞପବୀତ, ହସ୍ତରେ ତ୍ରୀଶୂଳ ଓ ଡମ୍ୱରୁ, ଗଳାରେ ରୁଦ୍ରାକ୍ଷମାଳା, ହସ୍ତରେ କମଣ୍ଡଳୁ ଓ ଆଶାବାଡି, ପଦଯୁଗଳରେ କଠଉ, କର୍ଣ୍ଣରେ କୁଣ୍ଡଳ, ବୃଷଭବାହନ, ବାମରେ ପ୍ରିୟତମା ପନିୀ ପାର୍ବତୀ, ପୁତ୍ର ଗଣେଶ ଓ କାର୍ତ୍ତିକ ସହ ପ୍ରକୃତି ରୂପକ କୈଳାସ ପର୍ବତରେ ଅବସ୍ଥାନ କରି ସର୍ବଦା ଧ୍ୟାନମଗ୍ନ ରହନ୍ତି।

 

ଶିବ ଦେବତାମାନଙ୍କ ମଧ୍ୟରେ ଶ୍ରେଷ୍ଠ, ପ୍ରକୃତିମାନଙ୍କ ଭିତରେ ସବୁଠାରୁ ସୁନ୍ଦର, ସତ୍ୟର ଏକ ନଗ୍ନପ୍ରତିଛବି। ଦେବଦେବ ମହାଦେବ ରୂପେ ସେ ଖ୍ୟାତ। ଶିବ ହିଁ ଏକମାତ୍ର ଦେବତା ଯିଏ ମହାଯୋଗୀ, ମହାଭୋଗୀ ଓ ମହାତ୍ୟାଗୀ। ଯୋଗରେ ସେ ବିଲୟ, ଭୋଗରେ ତନ୍ମୟ ଓ ତ୍ୟାଗରେ ସେ ମହାନ‍୍‌। ଜ୍ୟୋତିଷାଚାର୍ଯ୍ୟମାନଙ୍କ ମତରେ ଶିବ ଦେବ ମଣ୍ଡଳ, ଗ୍ରହମଣ୍ଡଳ ଓ ଜୀବମଣ୍ଡଳର ଅଧୀଶ୍ୱର ଅଟନ୍ତି। ଶିବ ପ୍ରକୃତି ତଥା ଜଗତର ପ୍ରତୀକ ହେତୁ ସେ ଜଗତ ବ୍ୟାପୀ ଏବଂ ଜଗତମୟ। ସେ ନବଗ୍ରହଙ୍କ ଅଧିଷ୍ଠାତ୍ର ଅଟନ୍ତି।

 

ଶିବ ସ୍ୱୟଂ ନବଗ୍ରହ

 

ଭଗବାନ‌୍‍ ଶିବ ହେଉଛନ୍ତି ସ୍ୱୟଂ ନବଗ୍ରହ କାରଣ,

୧.             ଶିବଙ୍କର ତୃତୀୟ ନେତ୍ର ଜ୍ୱଳନ୍ତ ସୂର୍ଯ୍ୟଙ୍କ ପ୍ରତୀକ।

୨.             ଶିବଙ୍କ ମସ୍ତକରେ ଶୋଭିତ ଅର୍ଦ୍ଧଚନ୍ଦ୍ର ଏବଂ ଜଟାରୁ ଅବିରତ ଧାବିତ ଗଙ୍ଗାର ଧାର ଚନ୍ଦ୍ରଙ୍କ ପ୍ରତୀକ।

୩.            ଶିବଙ୍କ ହସ୍ତରେ ଶୋଭିତ ତ୍ରିଶୂଳ, ଆୟୁଧ ମଙ୍ଗଳଙ୍କ ପ୍ରତୀକ।

୪.             ଶିବଙ୍କ ପ୍ରଚଣ୍ଡ ଜ୍ଞାନ, ଜିତେନ୍ଦ୍ରିୟ ଶକ୍ତି ଓ ବୁଦ୍ଧି, ଧ୍ୟାନ, ତପସ୍ୟା ଓ ସାଧନା ବୁଧଙ୍କ ପ୍ରତୀକ।

୫.             ଶିବଙ୍କ ପୀତବର୍ଣ୍ଣ ବ୍ୟାଘ୍ରଚର୍ମ ଆସନ, କଟିରେ ଶୋଭିତ ବ୍ୟାଘ୍ରଚର୍ମ, ବୃହସ୍ପତିଙ୍କ ପ୍ରତୀକ।

୬.             ଶିବ ପ୍ରଜନନ ଶକ୍ତିର ଉତ୍ସ- ବୃଷଭ ବାହାନ, ଡମ୍ୱରୁ ତଥା ତାଣ୍ଡବ ନୃତ୍ୟକଳା ଶୁକ୍ର ଙ୍କ ପ୍ରତୀକ।

୭.             ଶିବଙ୍କ ନୀଳବର୍ଣ୍ଣ, ମସ୍ତକରେ ଶୋଭିତ ଜଟା, ଗଳାରେ ଶୋଭିତ ରୁଦ୍ରାକ୍ଷ, ଭାଲରେ ଶୋଭିତ ଭସ୍ମରେଖା ଓ ଶ୍ମଶାନ ବାସସ୍ଥାନ ଶନିଙ୍କ ପ୍ରତୀକ।

୮.             ଶିବଙ୍କ ପ୍ରଚଣ୍ଡ କ୍ରୋଧ ରାହୁଙ୍କ ପ୍ରତୀକ ଏବଂ

୯.             ଶିବଙ୍କ ଗଳାରେ ଶୋଭିତ ସର୍ପ ମାୟା ସ୍ୱରୂପ କେତୁଙ୍କ ପ୍ରତୀକ।

 

ଶିବ ସଂସାରର ପରିଚାଳନକାରୀ। ପ୍ରକୃତି ରୂପକ ଶିବ ସର୍ବବିଦ୍ୟମାନ। ଯାହାଙ୍କର ନିର୍ଦ୍ଦିଷ୍ଟ ସ୍ଥାନରେ ବାସସ୍ଥାନ ନାହିଁ। ତେଣୁ ସେ ହେଲେ ଅଘୋରୀ। ସେ ଅନନ୍ତ, ଅସୀମ ଓ ପିରବ୍ୟାପ୍ତ। ଶିବଙ୍କର ଘର ହେଉଛି ସାରା ପ୍ରକୃତି । ତାଙ୍କ ବସ୍ତ୍ର ହେଉଛି ଅନନ୍ତ ବିସ୍ତୃତ ଆକାଶ, ତାଙ୍କ ଚରଣ ତିନିପୁର ବ୍ୟାପ୍ତ। ଶିବ ଜ୍ୟୋତିରୂପରେ ସେ ସୂର୍ଯ୍ୟ, ପ୍ରକୃତି ରୂପରେ ସେ ଚନ୍ଦ୍ର, ବସୁଧା ରୂପରେ ସେ ମଙ୍ଗଳ, ବୁଦ୍ଧି ରୂପରେ ସେ ବୁଧ, ପ୍ରଜ୍ଞା ରୂପରେ ସେ ବୃହସ୍ପତି, ସୃଷ୍ଟିର ଉତ୍ସ ରୂପରେ ଓ ଐଶ୍ୱର୍ଯ୍ୟ ରୂପରେ ତଥା ସୁନ୍ଦର ରୂପରେ ସେ ଶୁକ୍ର, ତାଙ୍କର ଜନ୍ମ ନ ଥିବାରୁ ସେ ସ୍ୱୟମ୍ଭୁ, ତାଙ୍କର ମୃତ୍ୟୁ ନ ଥିବାରୁ ସେ ମୃତ୍ୟୁଞ୍ଜୟୀ ଶନି, ପ୍ରଳୟ ରୂପରେ ସେ ରାହୁ ଏବଂ ମାୟା ରୂପରେ ସେ କେତୁ। ତାଙ୍କର ଆଦି ନ ଥିବାରୁ ସେ ଅନାଦି, ତାଙ୍କର ଅନ୍ତ ନ ଥିବାରୁ ସେ ଅନନ୍ତ, ତାଙ୍କର ପିତା ନ ଥିବାରୁ ସେ ପରମପିତା, ତାଙ୍କର ମାତା ନ ଥିବାରୁ ସେ ପରମମାତା, ତାଙ୍କର ଗୁରୁ ନ ଥିବାରୁ ସେ ପରମଗୁରୁ।

 

ଶିବ ହିଁ ଶୂନ୍ୟ, ପୂର୍ଣ୍ଣବ୍ରହ୍ମର ଏକ ଅଭିନ୍ନ ସ୍ୱରୂପ। ଯାହାକୁ ନେଇ ଏ ସୃଷ୍ଟି ପରିଚାଳିତ, ଯାହାଙ୍କ ସ୍ପର୍ଶରେ ଜଡ ହୁଏ ଜୀବନ୍ତ ଆଉ ମୃତ ପାଏ ଜୀବନ ସେ ହେଉଛନ୍ତି ଶିବ। ଅନ୍ୟ ଅର୍ଥରେ କହିବାକୁ ଗଲେ ଶିବଙ୍କ ବିନା ସୃଷ୍ଟି ପାଲଟେ ଶବ। ଶିବଙ୍କ ଆରାଧନା ମାତ୍ରେ ବ୍ୟକ୍ତି ପାଏ ଆତ୍ମବଳ, ସମ୍ମାନ, ସାମାଜିକ ପ୍ରତିଷ୍ଠା, ଐଶ୍ୱର୍ଯ୍ୟ, ସୁଖସୌଭାଗ୍ୟ, ସେ ହୁଏ ବିଦ୍ୟାବନ୍ତ, ଧନବନ୍ତ ଓ ଶ୍ରୀମନ୍ତ, ସଦା ଲକ୍ଷ୍ମୀଯୁକ୍ତ। ପାଏ କର୍ମକ୍ଷେତ୍ରରେ ସଫଳତା, ଯଶ, ସମ୍ମାନ, ବିଭବ, ପାରିବାରିକ ସୁଖ, ଉତ୍ତମ ସ୍ତ୍ରୀ ବା ସ୍ୱାମୀ, ଉତ୍ତମ ସନ୍ତାନ। ଶତୃର ହୁଏ ବିନାଶ, ନ ଥାଏ ରୋଗ, ଦୁର୍ଭାଗ୍ୟ ଓ ପରିଶେଷରେ ମିଳେ ଜୀବନଚକ୍ରରୁ ମୁକ୍ତି। ଶିବଙ୍କୁ ପୂଜାକଲେ ସମ୍ପୂର୍ଣ୍ଣ ନବଗ୍ରହର ଆଶୀର୍ବାଦ ମିଳିବା ସଙ୍ଗେ ବ୍ୟକ୍ତି ଭୌତିକ, ଆଦିଭୌତିକ, ଆଧ୍ୟାମିିକତାର ସମସ୍ତ ଶକ୍ତି ପ୍ରାପ୍ତ ହୁଏ।

 

ଭିଏ ୩୪/୪, ୟୁନିଟ -୨, ଭୁବନେଶ୍ୱର, ମୋ: ୯୪୩୭୨୮୪୨୧୧

© 2015. Samanya Kathan All Rights Reserved | Editor : Debendra Prusty     

To Top