ଯୁଦ୍ଧର ବିକଳ୍ପ ନାହିଁ!

image

ସୁକାନ୍ତି ରାଉତ

 

ଏବେ ପାକିସ୍ତାନ ଆଉ ଭାରତ ମଧ୍ୟରେ ଛାୟାଯୁଦ୍ଧ ଚାଲିଛି। ସର୍ଜିକାଳଲ ଷ୍ଟ୍ରାଇକ୍‌କୁ ପାକିସ୍ତାନ ମାନୁ ନାହିଁ। ଗୋଟାଏ ପଟେ ଆଲୋଚନା ପାଇଁ ପାକ୍ ପ୍ରସ୍ତାବ ଦେଉଥିବାବେଳେ ଆଉ ଗୋଟାଏ ପଟେ ସୀମାନ୍ତରେ ଆକ୍ରମଣ ଜାରି ରଖିଛି। ଭାରତ ପକ୍ଷରୁ ଉରି ଆକ୍ରମଣର ପ୍ରତିଶୋଧ ପୂର୍ବରୁ ଅନ୍ତର୍ଜାତୀୟ ସମୁଦାୟରେ ପାକିସ୍ତାନର ଆଚରଣ ଓ ଉଚ୍ଚାରଣରେ ପ୍ରଭେଦ ଦର୍ଶାଯିବା ସାଙ୍ଗକୁ ଅସଲ ଚେହେରା ଦେଖାଇ ଦିଆଯାଇଥିଲା। ଭାରତର କୂଟନୀତିକ ଉଦ୍ୟମ ଯୋଗୁଁ ପାକିସ୍ତାନ ଏକ ଆତଙ୍କବାଦୀ ରାଷ୍ଟ୍ରର କୁଖ୍ୟାତି ଅର୍ଜନ କରିସାରିଛି।

 

ପାକିସ୍ତାନକୁ ଭାରତ ପକ୍ଷରୁ ଦିଆଯାଇଥିବା ସର୍ବାଧିକ ବନ୍ଧୁରାଷ୍ଟ୍ର ମର୍ଯାଦା ବା ଏମଏଫଏନ ଷ୍ଟାଟସ) ପ୍ରତ୍ୟାହାର କରିବାକୁ ଚିନ୍ତା କରାଯାଉଛି। ପାକ୍ ଭାରତ ସମ୍ପର୍କରେ ତିକ୍ତତା ଆସିଥିବାରୁ  ସାର୍କ ବୈଠକ ମଧ୍ୟ ସ୍ଥଗିତ ରହିଛି। 1996 ମସିହାରୁ ଏମ୍ଏଫଏନ ଷ୍ଟାଟସ ପାକିସ୍ତାନକୁ ଭାରତ ମଞ୍ଜୁର କରିଥିଲା। ଭାରତ ଆଶା ରଖିଥିଲା, ପାକିସ୍ତାନ ଅନୁରୂପ ପଦକ୍ଷେପ ନେବ। ଏପରିକି 2012ରେ ସଚିବସ୍ତରୀୟ ଏକ ରାଜିନାମା ବେଳେ ଏପରି ଷ୍ଟାଟସ ଭାରତକୁ ଦିଆଯିବା ନିମନ୍ତେ ପାକିସ୍ତାନ ସହମତ ହୋଇଥିଲା। 2012ରେ ଭାରତକୁ ଏମଏଫଏନ ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ହେଁ ଏହାକୁ ପାକିସ୍ତାନ ପାଳନ କରିନି। ପାକିସ୍ତାନଠାରୁ ଏମଏଫଏନ ମାନ୍ୟତା ଭାରତ ପ୍ରତ୍ୟାହାର କଲେ ଏହାଦ୍ବାରା ପାକିସ୍ତାନର ଶିଳ୍ପ ପ୍ରଭାବିତ ହେବ। ବିଶ୍ବ ବାଣିଜ୍ଯ ସଂଗଠନ (ଡବ୍ଲୁଟିଓ)ର ସାଧାରଣ ବୁଝାମଣା ଭିତ୍ତିରେ ଏହି ମାନ୍ୟତା ପ୍ରଦାନ କରାଯାଇଥିଲା। କିନ୍ତୁ ଏ ସଂକ୍ରାନ୍ତରେ ଧାର୍ଯ ସମୟସୀମା ବିତିଯାଇଥିଲେ ମଧ୍ୟ ପାକିସ୍ତାନ ଏପର୍ଯନ୍ତ ତା’ର ଜବାବ ରଖିନାହିଁ।

 

ଏପରି ଷ୍ଟାଟସ ବାଣିଜ୍ୟ କ୍ଷେତ୍ରରେ ପଣ୍ୟଦ୍ରବ୍ୟର ଦର ସମାନ ରଖିବା ତଥା ରପ୍ତାନି ଓ ଆମଦାନି କ୍ଷେତ୍ରରେ କୌଣସି ବାଛବିଚାର ନ ରଖି ମାର୍କେଟ ପ୍ରବେଶ କରିବା ଲାଗି ଇଛୁକ ଥିବା ବାଣିଜ୍ୟିକ ଅଂଶୀଦାର ରାଷ୍ଟ୍ରକୁ ଦିଆଯାଇଥାଏ। ଏହା ଦ୍ବାରା ଅପର ଅଂଶୀଦାର ରାଷ୍ଟ୍ର ପ୍ରତି କୌଣସି ସ୍ବତନ୍ତ୍ର ସୁବିଧା ଦିଆଯାଇ ନଥାଏ। କିନ୍ତୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କ୍ଷେତ୍ରରେ ଯେପରି କୌଣସି ବାଛବିଚାର ନ ଉପୁଜେ ତାହା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଥାଏ। ଯଦି ପାକିସ୍ତାନକୁ ଦିଆଯାଇଥିବା ଏମ୍ଏଫଏନ ଷ୍ଟାଟସ ଭାରତ ପ୍ରତ୍ଯାହାର କରିନିଏ ତେବେ ସଂପୃକ୍ତ ରାଷ୍ଟ୍ରରୁ ଆମଦାନି କ୍ରମଶଃ ହ୍ରାସ ପାଇବାକୁ ବାଧ୍ୟ। ଉରି ଆକ୍ରମଣ ନେଇ ଭାରତ ପକ୍ଷରୁ ପାକିସ୍ତାନକୁ ଏକଘରିକିଆ କରିବା ପାଇଁ ଚାଲିଥିବା ଉଦ୍ୟମ ପରିପ୍ରେକ୍ଷୀରେ ଏହି ଏମ୍ଏଫଏନ ଷ୍ଟାଟସ ପ୍ରତ୍ୟାହାର କେତେମାତ୍ରାରେ ପାକିସ୍ତାନକୁ ପ୍ରଭାବିତ କରିବ ତାହା ଦେଖିବାର କଥା।

 

ପାକିସ୍ତାନ ମାତ୍ର 70 ବର୍ଷ ହେଲା ସୃଷ୍ଟି ହୋଇଛି, କିନ୍ତୁ ଏମିତି କଥା କହୁଛି, ଯେମିତି 7000 ବର୍ଷର ଦେଶ! ଯଦି ପାକିସ୍ତାନ ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌କୁ ମାନିବ ତେବେ ଏଥିରୁ ସ୍ପଷ୍ଟ ହୋଇଯିବ ଯେ ପାକିସ୍ତାନରେ ଆତଙ୍କବାଦୀ ଅଛନ୍ତି। ଏହା ମଧ୍ୟ ପାକିସ୍ତାନ ସେନା ଓରଫ ଆତଙ୍କବାଦୀଙ୍କ ପ୍ରତି ଅପମାନ ହେବ, କାରଣ ସେମାନଙ୍କୁ ଭାରତ ଏମିତି ମାଡ଼ ଦେଇଛି ଯେ ତାହା ଲୋକେ ଜାଣିଲେ ତାଙ୍କ ବଳ ପଦାରେ ପଡ଼ିଯିବ! ତେଣୁ କଥା ବୁଲାଇବା ପାଇଁ ପାକିସ୍ତାନ ଏବେ କହୁଛି, ଯୁଦ୍ଧ ହେଲେ ଭାରତ ହାର ମାନିବ।

 

ଭାରତ ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ। ଭାରତ ଫ୍ରାନ୍ସରୁ 36 ପରମାଣୁ ବୋମାବାହୀ ଲଢୁଆ ରାଫେଲ୍ ଜେଟ୍ ବିମାନ ଆଣି ପାକିସ୍ଥାଙ୍କ୍ତ ଏବଂ ଚୀନ ସୀମାନ୍ତ ଅଞ୍ଚଳରେ ମୁତୟନ କରିବାକୁ ଉଦ୍ୟମ ଆରମ୍ଭ କରିଛି। ବନ୍ଧୁତା ପାଇଁ ହାତ ବଢ଼ାଇ ଭାରତ ବନ୍ଧୁକ ଗୁଳିରେ ଶିକାର ହୋଇଛି। ଭାରତ ପାକିସ୍ତାନ ପ୍ରତି ସର୍ବଦା ବନ୍ଧୁତ୍ବ ହାତ ବଢ଼ାଇ ଆସିଥିବା ପରେ ଏହି ରାଷ୍ଟ୍ର ବାରମ୍ବାର ବିଶ୍ବାସଘାତକତା କରିଆସିଛି। ଏହାର ପରିଣାମ ସ୍ବରୂପ ପଠାନକୋଟ, ଉରି ଆକ୍ରମଣ ଘଟିଛି। ଭାରତର କବ୍ଜାରେ ଥିବା ଆତଙ୍କବାଦୀ ବାହାଦୁର ଅଲ୍ଲୀ ପାକିସ୍ତାନ କିଭଳି ସୀମାପାରି ଆତଙ୍କବାଦ ଜଟିଳତା ବଢ଼ାଇ ଚାଲିଛି ସେନେଇ ସ୍ବୀକାରୋକ୍ତି ଦେଇଛି। ଏହି ସ୍ବୀକାରୋକ୍ତି ଉକ୍ତ ରାଷ୍ଟ୍ରର ଅସଲ ଆଭିମୁଖ୍ୟକୁ ପଦାରେ ପକାଇଦେଇଛି। ପାକିସ୍ତାନର ନୀତି ନେଇ ସ୍ପଷ୍ଟ ହେବା ପରେ ଭାରତ ମଧ୍ୟ ଯୁଦ୍ଧ ପାଇଁ ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି।

 

ସମ୍ଭାବ୍ୟ ଯୁଦ୍ଧରେ ଚୀନ ପାକିସ୍ତାନକୁ ସମର୍ଥନ ଜଣାଇଲେ ବି ଭାରତ ପାଇଁ କିଛି ଫରକ୍ ପଡ଼ିବ ନାହିଁ। ପଡ଼ୋଶୀ ପାକିସ୍ତାନ ସହିତ ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ହେବାର ଆଶଙ୍କା ଦୃଷ୍ଟିରୁ ଭାରତ ପ୍ରସ୍ତୁତ ରହିଛି। ଲୁଚି ଲୁଚି ଗୁଳି ଚଳାଇବା ଭୀରୁଙ୍କର କାମ। ଭାରତ ଏବେ ଖୋଲାଖୋଲି ଯୁଦ୍ଧ ପାଇଁ ଆହ୍ବାନ ଦେଇଛି।

 

ସିନ୍ଧୁ, ଝେଲମ୍ ଏବଂ ଚେନାବର ଜଳକୁ ଭାରତ ବ୍ୟବହାର କରୁନାହିଁ। ଏହି 3 ନଦୀର ପାଣିକୁ ପାକ୍ ହିଁ ବ୍ୟବହାର କରୁଛି। ତେଣୁ ଖୁବ୍ ଶୀଘ୍ର ଜଳଯୁଦ୍ଧ ଆରମ୍ଭ ହୋଇପାରେ। ପାକିସ୍ତାନକୁ ସାବାଡ଼ କରିବାକୁ ଭାରତ ନିକଟରେ ସମସ୍ତ ପ୍ରକାର ଦକ୍ଷତା ରହିଛି ବୋଲି ବାୟୁ ସେନା ମୁଖ୍ୟ ଅରୂପ ରାହା କହିଛନ୍ତି। ପାକିସ୍ତାନକୁ ସୁଧୁରିବା ପାଇଁ ଭାରତ ପକ୍ଷରୁ ବହୁତ ସମୟ ଦିଆଯାଇଛି। ସେ ସୁଧୁରିଲା ନାହିଁ। ଏବେ ଯୁଦ୍ଧ ଛଡ଼ା ଭାରତ ନିକଟରେ ଆଉ ବିକଳ୍ପ ନାହିଁ ବୋଲି ବିଶ୍ବାସ କରାଯାଉଛି।

 

ମୋ-8895304556

© 2015. Samanya Kathan All Rights Reserved | Editor : Debendra Prusty     

To Top