କେମିତି ହେବେ ଦଳୀୟ ମୁଖପାତ୍ର?

image

ସିଏ ବିବେକାନନ୍ଦ ନାୟକ

 

ଗଣମାଧ୍ୟମର ସାଧାରଣ ଜନତାଙ୍କ ଉପରେ ବର୍ଦ୍ଧିତ ପ୍ରଭାବ ଯୋଗୁଁ ରାଜନୈତିକ ଦଳର ପ୍ରଚାର ବିଭାଗ ଏବଂ ମୁଖପାତ୍ରମାନଙ୍କର ଗୁରୁତ୍ୱ ବୃଦ୍ଧି ପାଇଛି। ବୈଦ୍ୟୁତିକ ଗଣମାଧ୍ୟମ ଏବଂ ସୋସିଆଲ ମିଡ଼ିଆ ଦ୍ୱାରା ଯେ କୌଣସି ଖବର ତ୍ୱରିତ ବେଗରେ ଲୋକମାନଙ୍କ ପାଖରେ ପହଞ୍ଚି ପାରୁଛି। ଲୋକମାନେ ଏହି ୨୪/୭ ଖବର ପ୍ରସାରଣ ଦ୍ୱାରା ରାଜନୈତିକ ଦୃଷ୍ଟିରୁ ପ୍ରଭାବିତ ହେବା ଏକ ପ୍ରକାର ନିଶ୍ଚିତ।

 

ମୁଖପାତ୍ରମାନେ ସେମାନଙ୍କ ଦଳ ଏବଂ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରକାର ଯୋଗସୂତ୍ର ରକ୍ଷା କରିଥାଆନ୍ତି। ସେମାନଙ୍କୁ ଦଳର କାନ, ଆଖି ଏବଂ ମୁହଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେମାନେ ଜନସାଧାରଣଙ୍କ ଭାବାବେଗକୁ ଶୁଣନ୍ତି, ଚତୁଃପାର୍ଶ୍ୱରେ ଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରନ୍ତି ଏବଂ ଦଳର ଅଭିମୁଖ୍ୟଙ୍କୁ ଉପସ୍ଥାପନା କରନ୍ତି।

 

ରାଜନୈତିକ ଦଳର ମୁଖପାତ୍ରମାନଙ୍କର ଲକ୍ଷ୍ୟ କ’ଣ ? ଏକମାତ୍ର ଲକ୍ଷ୍ୟ ହେଲା - ନିଜ ଦଳର ତୁଳନାତ୍ମକ ବୈଶିଷ୍ଟତାକୁ ଉପସ୍ଥାପନ କରିବା ଏବଂ ଜନସାଧାରଣଙ୍କୁ ନିଜ ଦଳ ସପକ୍ଷରେ ପ୍ରଭାବିତ କରିବା। ପ୍ରକାରାନ୍ତରେ ମୁଖପାତ୍ରମାନେ ନିଜ ନିଜ ଦଳ ପାଇଁ ଜଣେ ଜଣେ ଓକିଲ ସାଜି ଥାଆନ୍ତି। ଯେମିତି ନ୍ୟାୟିକ ବିଚାରାଳୟରେ ଓକିଲମାନେ ନିଜ ମହକିଲଙ୍କ ସପକ୍ଷରେ ନିଜର ତର୍କ ନିପୁଣତାର ଯଥାସମ୍ଭବ ପ୍ରୟୋଗ କରି ଥାଆନ୍ତି, ଠିକ‌୍‍ ସେହିପରି ରାଜନୈତିକ ମୁଖପାତ୍ରମାନେ ନିଜ ଦଳର ଶେଷ୍ଠତାକୁ ଲୋକମାନଙ୍କ ସାମ୍ନାରେ ଉପସ୍ଥାପନା କରିବା ପାଇଁ ନିଜର ବିଜ୍ଞତା ତଥା ବାକ‌୍‍ପଟୁତାକୁ ଭରପୂର ଉପଯୋଗା କରି ଥାଆନ୍ତି। କିନ୍ତୁ ଏଠାରେ ଏକ ବିଶେଷ ପ୍ରଭେଦ ରହିଛି। ଓକିଲମାନେ ନିଜର ତଥ୍ୟ ସମ୍ୱଳିତ ତର୍କକୁ ଜଣେ ବା କେଇଜଣ ବିଜ୍ଞ ବିଚାରପତିଙ୍କ ସାମ୍ନାରେ ରଖନ୍ତି। ଅନ୍ୟପକ୍ଷରେ ମୁଖପାତ୍ରମାନେ ନିଜର ବାକ‌୍‍ଚାତୁରୀ ଓ ତର୍କ ନିପୁଣତା ଦ୍ୱାରା ବହୁ ଲୋକଙ୍କୁ ନିଜ ଦଳ ସପକ୍ଷରେ ପ୍ରଭାବିତ କରିବା ପାଇଁ ପ୍ରୟାସ କରିଥାଆନ୍ତି। ଏହି ବିଶାଳ ଜଳସମୂହ ମୁଖପାତ୍ରମାନଙ୍କ ପାଇଁ ବିଚାରପତି ସ୍ଥାନରେ ଥାଆନ୍ତି। କିନ୍ତୁ ବଡ଼ ଫରକ‌୍‍ ହେଲା ନ୍ୟାୟିକ ବିଚାରପତିମାନେ ବିଜ୍ଞ ତଥା ବୃତ୍ତିଗତ ନିପୁଣତା ହାସଲ କରିଥିବା ବେଳେ, ମୁଖପାତ୍ରମାନେ ବିବିଧ ଶିକ୍ଷା, ବିଜ୍ଞତା, ସଂସ୍କୃତି ଏବଂ ଜୀବନଶୈଳୀ ସମ୍ୱନ୍ଧିତ ଏକ ଜନସମୂହକୁ ସାମ୍ନା କରିଥାଆନ୍ତି।

 

ଉଲ୍ଲେଖଯୋଗ୍ୟ ଯେ ବିଚାରପତିମାନେ ବୃତ୍ତିଗତ ବିଧିବ୍ୟବସ୍ଥା ଦ୍ୱାରା ବନ୍ଧା ହୋଇଥିବା ବେଳେ ଜନସାଧାରଣଙ୍କ ପାଇଁ ସେପରି କିଛି ବାଧ୍ୟତାମୁଳକ ନଥାଏ। ଜନସାଧାରଣଙ୍କର ଏହି ବିବିଧତା ହିଁ ମୁଖପାତ୍ରମାନଙ୍କ ପାଇଁ ଆହ୍ୱାନ ସୃଷ୍ଟି କରେ। କେମିତି ଭାବରେ ନିଜର ବକ୍ତବ୍ୟ ଉପସ୍ଥାପନା କଲେ, ତାହା ଜନସାଧାରଣଙ୍କ ଉପରେ ଦଳ ସପକ୍ଷରେ ଏକ ସାମଗ୍ରିକ ସକାରାତ୍ମକ ପ୍ରଭାବ ପକାଇବ, ତାହା ହିଁ ମୁଖପାତ୍ରଙ୍କର ଏକମାତ୍ର ଲକ୍ଷ୍ୟ ହେବା ଉଚିତ।

 

ମୁଖପାତ୍ରମାନଙ୍କର କ’ଣ ଗୁଣ ରହିବା ଉଚିତ? ମୌଳିକ ଆବଶ୍ୟକତା ହେଲା ମୁଖପାତ୍ରମାନଙ୍କର ବିଭିନ୍ନ ବିଷୟରେ ଯଥା କଳା, ଇତିହାସ, ଭୁଗୋଳ, ଅର୍ଥନୀତି ଇତ୍ୟାଦିରେ ସନ୍ତୋଷଜନକ ଜ୍ଞାନ ରହିବା ଉଚିତ। ବିଶେଷକରି ଚାରି ପାଖରେ ଘଟୁଥିବା ଘଟଣା - ସ୍ଥାନୀୟ, ଜାତୀୟ ଓ ଆନ୍ତର୍ଜାତୀୟ ବିଷୟରେ ମଧ୍ୟ ଅବଗତ ଥିବା ଉଚିତ।

 

ମୁଖପାତ୍ରମାନେ ନିଜର ଅଙ୍ଗୀଭଙ୍ଗୀ ଉପରେ ବିଶେଷ ଗୁରୁତ୍ୱ ଦେବା ଉଚିତ। ଏହା ପ୍ରଣିଧାନଯୋଗ୍ୟ ଯେ ଯେ କୌଣସି ବକ୍ତବ୍ୟ ଉପସ୍ଥାପନାରେ ୫୫ ପ୍ରତିଶତ ବାର୍ତ୍ତା ଅଙ୍ଗଭଙ୍ଗୀରୁ ଆସିଥାଏ, ୮ ପ୍ରତିଶତ ବାର୍ତ୍ତା କଣ୍ଠସ୍ୱରରୁ ଆସିଥାଏ ଏବଂ ମାତ୍ର ୭ ପ୍ରତିଶତ ବାର୍ତ୍ତା ଆକ୍ଷରିକ ଶବ୍ଦରୁ ଆସିଥାଏ। ମାତ୍ର ଆଶ୍ଚର୍ଯ୍ୟର କଥା ଅଧିକାଂଶ ମୁଖପାତ୍ରମାନେ ଏହି ‘ଅଙ୍ଗଭଙ୍ଗୀ’ ଦୃଷ୍ଟିକୋଟକୁ ସମ୍ପୂର୍ଣ୍ଣ ଭାବରେ ଅବହେଳା କରି ଥାଆନ୍ତି। ଉଦାହରଣ ସ୍ୱରୂପ ବିଜେଡ଼ି ମୁଖପାତ୍ର ଶଶୀଭୂଷଣ ବେହେରାଙ୍କ କଥା ନିଆଯାଇପାରେ । ତାଙ୍କର ତଥ୍ୟ ତଥା ଠିକଣା ଯୁକ୍ତି ଉପସ୍ଥାପନାରେ କୌଣସି ତୃଟି ପରିଲକ୍ଷିତ ହୁଏ ନାହିଁ। କିନ୍ତୁ ତାଙ୍କର ଅଧିକ ନମ୍ର ତଥା ରକ୍ଷାତ୍ମକ ଶୈଳୀର ଉପସ୍ଥାପନା ଜନସାଧାରଣଙ୍କ ଉପରେ ସ୍ୱଳ୍ପ ପ୍ରଭାବୀ ହେବା ସ୍ୱଭାବିକ।

 

ଆଲୋଚିତ ବିଷୟବସ୍ତୁରେ ଗୋଟିଏ ବା ୨ଟି ଦିଗ / ବିନ୍ଦୁ : ଯାହା ଦଳର ଅନୁକୂଳରେ ଯାଉଥିବ ଏବଂ ଗୋଟିଏ ବା ୨ଟି ଦିଗ ଯାହା ପ୍ରତିପକ୍ଷ ଦଳର ବିପକ୍ଷରେ ଯାଉଥିବ, ତାହା ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିବାର ଅଛି। ବିପକ୍ଷ ଦଳର ପ୍ରତିକୂଳରେ ଯାଉଥିବା ବିନ୍ଦୁ ଉପରେ ପ୍ରାଥମିକ ତଥା ଅଧିକ ଗୁରୁତ୍ୱ ଦେବାର ଆବଶ୍ୟତା ଅଛି। କାରଣ ନକାରାତ୍ମକ ବାର୍ତ୍ତା ତୁଳନାତ୍ମକ ଭାବେ ଜନସାଧାରଣଙ୍କୁ ଅଧିକ ଆନ୍ଦୋଳିତ ବା ପ୍ରଭାବିତ କରିଥାଏ। ବିଶେଷକରି ଅଧ ଘଣ୍ଟିଆ ଟିଭି ବିତର୍କରେ ବହୁବିଧ ବିନ୍ଦୁ ଉପରେ ଗୁରୁତ୍ୱ ପ୍ରଦାନ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଆକ୍ରଣାତ୍ମକ ଦିଗଟି ନିଷ୍ପତ୍ତି ହୋଇଥାଏ।

 

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା - ମୁଖପାତ୍ରମାନଙ୍କର ପ୍ରତିପକ୍ଷ ଦଳକୁ ଦୃଢ଼ ଏବଂ ଆକ୍ରମଣାତ୍ମକ ସମାଲୋଚନା କରିବାର ଦକ୍ଷତା। ଗଣମାଧ୍ୟମରେ ତର୍କ କିମ୍ୱା ବିବରଣୀ ପ୍ରଦାନ ବେଳେ ଦୃଢ଼ ଆକ୍ରମଣାତ୍ମକ ଉପସ୍ଥାପନା ଜନସାଧାରଣଙ୍କ ମନକୁ ଛୁଇଁବା ସହିତ ନିଜ ଦଳର ତୃଣମୂଳ ସ୍ତରରେ କର୍ମୀଙ୍କୁ ଉସିାହିତ କରିବାରେ ସହାୟତା କରିଥାଏ। ଜାତୀୟ ସ୍ତରରେ ରାଜନୈତିକ ବିତର୍କ ସହିତ ତୁଳନା କଲେ, ଓଡ଼ିଶାରେ ଏହି ଦିଗଟି ବହୁ ମାତ୍ରାରେ ଅବହେଳିତ ହେବାର ଦେଖାଯାଏ। ବହୁତ ଅଭିଜ୍ଞ ବକ୍ତା ଯଥା ପ୍ରସାଦ ହରିଚନ୍ଦନ, ପ୍ରତାପ ଦେବ ଏବଂ ଅମର ଶତପଥୀ ଯେକୌଣସି ଟିଭି ବିତର୍କରେ ନିଜର ବିଜ୍ଞତା ତଥା ବାକ‌୍‍ ନିପୁଣତାର ପରିଚୟ ଦେଇଥାନ୍ତି। କିନ୍ତୁ ସେମାନଙ୍କରେ ଅଙ୍ଗଭଙ୍ଗୀ ଓ ଉପସ୍ଥାପନାରେ ଆକ୍ରମଣାତ୍ମକ ଦିଗଟି ସମ୍ପୂର୍ଣ୍ଣ ଅବହେଳିତ ହୋଇଥାଏ। ନିଜର ସ୍ୱଭାବ ସୁଲଭ ଢଙ୍ଗରେ ଏମାନେ ତର୍କରେ ପ୍ରାୟତଃ ରକ୍ଷାତ୍ମକ ମୁଦ୍ରାରେ ଥାଆନ୍ତି। ତେଣୁ ସମସ୍ତ ଯୌତିକ ଉପସ୍ଥାପନା ସତ୍ତ୍ୱେ ଏହା ସେତେ ପ୍ରଭାବୀ ହେଉନାହିଁ।

 

ସର୍ବୋପରି ମୁଖପାତ୍ରମାନେ ନିଜର ଭାଷାରେ ଶାଳୀନତା ଓ ସୌଜନ୍ୟତା ଉପରେ ନଜର ରଖିବାକୁ ପଡ଼ିବ। ରାଜନୈତିକ ଦୃଷ୍ଟିକୋଣରୁ ଉପଯୁ‌୍‍କ୍ତ ଶବ୍ଦାବଳୀ ଓ ଉକ୍ତି ରଖିବାକୁ ପଡ଼ିବ। ଏହି ରାଜନୈତିକ ଉପଯୌକ୍ତିକତାର ଲକ୍ଷ୍ମଣରେଖା ଭିତରେ ରହିବାକୁ ପଡ଼ିବ। ନ ହେଲେ ଅନାବଶ୍ୟକ ଭାବେ ମନ୍ତବ୍ୟ ବିବାଦୀୟ ହେବ। କିଛିଦିନ ତଳେ ଏକ ଘରୋଇ ଟିଭି ଚ୍ୟାନେଲ ବିତର୍କକରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏକ ବିବାଦୀୟ ମନ୍ତବ୍ୟ ଦେଲେ। ସେ କହିଲେ ଦାରିଦ୍ର୍ୟ କାରଣରୁ ଓଡ଼ିଶାର ମହିଳାମାନେ ସୁରଟକୁ ଯାଇ ଦେହ ବ୍ୟବସାୟ କରୁଛନ୍ତି। ନିଶ୍ଚିତ ଭାବରେ ତାଙ୍କର ଉଦ୍ଦେଶ୍ୟ ନଥିଲା ଓଡ଼ିଶାର ମହିଳାମାନଙ୍କ ଉଦ୍ଦେଶ୍ୟରେ ଅସୌଜନ୍ୟ ଉକ୍ତି ରଖିବା। କିନ୍ତୁ ଏହି ବିବାଦୀୟ ଉକ୍ତି ପାଇଁ ତାଙ୍କୁ ଓ ତାଙ୍କ ଦଳକୁ ବହୁତ ହଟହଟା ହେବା ପାଇଁ ପଡ଼ିଲା।

 

କିଛି ଜାତୀୟ ସ୍ତରର ନେତା ମଧ୍ୟ ଏହି ରାଜନୈତିକ ଉପଯୌକ୍ତିକତାର ଲକ୍ଷ୍ମଣ ରେଖା ଅତିକ୍ରମ କରି ନିଜକୁ ତଥା ଦଳକୁ ଅଡ଼ୁଆରେ ପକାଇଛନ୍ତି। ୨୦୧୪ ସାଧାରଣ ନିର୍ବାଚନ ବେଳେ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କ ବିଜେପିର ତତ୍କାଳୀନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବହୁ କଟୁ ମନ୍ତବ୍ୟ ତା’ର ଏକ ଜ୍ୱଳନ୍ତ ଉଦାହରଣ। ଆୟାର କହିଥିଲେ, ମୋଦି ଜଣେ ଚା ବିକାଳୀ, ସେ ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ। ମୋଦି ଚାହିଁଲେ ଆମେ ତାଙ୍କୁ ଚା’ ବିକିବା ପାଇଁ ଏହି ଏଆଇସିସି ସମ୍ମିଳନୀ ପାଖରେ ଏକ ଚାଳିଆ ଘର ଦେଇ ପାରିବୁ। ଏହି ଉକ୍ତି ଅନାବଶ୍ୟକ ଥିଲା ଏବଂ ରାଜନୈତିକ ଉପଯୌକ୍ତିକତାର ଲକ୍ଷ୍ମଣ ରେଖା ଅତିକ୍ରମ କରିଯାଇଥିଲା। ବିଜେପିର ନିର୍ବାଚନ ପରିଚାଳକମାନେ ଏହି ଉକ୍ତିକୁ ସହଜରେ ଛାଡ଼ି ନଥିଲେ। ଚାଏ ପେ ଚର୍ଚ୍ଚା ପରି ସ୍ଲୋଗାନ ଏବଂ ସମ୍ୱନ୍ଧିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଗଲା। ଏହି ଅସାବଧାନତାବଶତଃ ଉକ୍ତି ପାଇଁ ବିଜେପିକୁ ବିଶେଷ ରାଜନୈତିକ ଫାଇଦା ମିଳିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।

 

ଆଜିର ଦିନରେ ଗଣମାଧ୍ୟମର ପ୍ରାଧାନ୍ୟ ଏବଂ ଜନସାଧାରଣଙ୍କ ବର୍ଦ୍ଧିତ ସଚେତନତା ଯୋଗୁଁ ରାଜନୈତିକ ମୁଖପାତ୍ର ମାନଙ୍କର ଗୁରୁତ୍ୱ ବଢ଼ିଛି। ଫଳପ୍ରଦ ବାକ‌୍‍ ନିପୁଣତା ଏବଂ କୌଶଳପୂର୍ଣ୍ଣ ପ୍ରଚାର ଏକ ରାଜନୈତିକ ଦଳକୁ ଅଶେଷ ଭାର ପହଞ୍ଚାଇ ପାରିବ। ଓଡ଼ିଶାରେ ମୁଖପାତ୍ର ମାନଙ୍କର ଉପସ୍ଥାପନା ଶୈଳୀରେ ଉନ୍ନତି ପାଇଁ ଅଧିକ ସୁଯୋଗ ରହିଛି। ରାଜନୈତିକ ଦଳମାନେ ଏହି ଗୁରୁତ୍ୱପୂର୍ଣ୍ଣ ଦିଗକୁ ନଜରରେ ରଖି ମୁଖପାତ୍ରମାନଙ୍କ ଚୟନରେ ଅଧିକ ଯନ୍ନଶୀଳ ହେବାର ଆବଶ୍ୟକତା ଅଛି।

 

ଭଦ୍ରକ, ମୋ-୯୪୩୯୯୫୫୮୦୪

© 2015. Samanya Kathan All Rights Reserved | Editor : Debendra Prusty     

To Top