ନେତାଏ ବିଫଳ, ଲୋକେ କାଙ୍ଗାଳ

image

ସୁଶାନ୍ତ କୁମାର ସାହୁ

 

ସ୍ୱାଧୀନତାକୁ ବିତିଛି ସାତ ଦଶନ୍ଧି। ବଦଳିଛି ଅନେକ କିଛି। ବହୁତ କିଛି ବି ବଦଳିବାକୁ ବାକି ଅଛି। ଗୋଟିଏ ପଟେ ସରକାର ପ୍ରଗତିର କଥା କହି ବାହାସ୍ଫୋଟ ମାରୁଥିବା ବେଳେ ନଗଡା, ଗୁମୁଡୁମାହା, କଳାହାଣ୍ଡିର ଦାନ ମାଝିଙ୍କ ଘଟଣା ସବୁ ସତକୁ ଓଗାଳି ଦେଉଛି। ବଖାଣି ଦେଉଛି ସରକାରଙ୍କ ବିକାଶର ଅସଲ ଚିତ୍ର। ଆଉ ଏଠି ଏଭଳି ସବୁ ସମ୍ୱେଦନଶୀଳ ଘଟଣାରେ ନେତାଏଁ ରାଜନୀତିକ ଫାଇଦା ନେବାକୁ ବ୍ୟଗ୍ର। କାରଣ ଆଗକୁ ପଂଚାୟତ ନିର୍ବାଚନ।

 

ସରକାର ବଦଳେ ପ୍ରତି ୫ ବର୍ଷରେ ଥରେ। ହୁଏ ନିର୍ବାଚନ। ତେବେ, ନିର୍ବାଚନ ଆସିଲେ ନେତାଏଁ ଚାଲି ଆସନ୍ତି ଆକ୍ସନ ମୁଡକୁ। ଓହ୍ଲାନ୍ତି ରାଜରାସ୍ତାକୁ। ଖୋଜନ୍ତି ଜ୍ବଳନ୍ତ ପ୍ରସଙ୍ଗ। କାରଣ ଲୋକଙ୍କୁ ଜଣାଇବାକୁ ପଡିବ ନୋଏଁ ସେମାନଙ୍କ ସହ ଅଛନ୍ତି। ସେମାନଙ୍କ ସୁଖ ଦୁଃଖରେ ସହଭାଗୀ ହେଉଛନ୍ତି। କାରଣ ଆଗକୁ ନିର୍ବାଚନ। ଭୋଟ ହାତେଇବା ପାଇଁ ଏହାଠୁ ଆଉ ସହଜ ମାଧ୍ୟମ ବି କ’ଣ ହୋଇପାରେ ଆମ ନେତାଙ୍କ ପାଇଁ?

 

ସେଥିପାଇଁ ତ ନିର୍ବାଚନ ପୁର୍ବରୁ ଗାଁର ମଳିମୁଣ୍ଡିଆ କାଶିଆ ଓ କପିଳା ନେତାଙ୍କ ପାଇଁ ପାଲଟି ଯାଆନ୍ତି ଚିହ୍ନା। ସତେ ଯେମିତି ଜନ୍ମ ଜନ୍ମର ସମ୍ପର୍କ ରହିଛି ସେମାନଙ୍କ ସହ। ମା’ ପେଟର ଭାଇ! ଦିନେ ବି ପଖାଳ କଂସା ଦେଖି ନଥିବା ନେତାଏଁ ସେମାନଙ୍କ ସହ ପଖାଳ କଂସା ପାଖରେ ବସି ପଡନ୍ତି। କାରଣ ମନ ଜିଣିବାକୁ ପଡିବ। ମନ ଜିଣିଲେ ଭୋଟ ମିଳିବ। ଆଉ ନିର୍ବାଚନ ସରିଗଲେ କାଶିଆ କିଏ କପିଳା କିଏ?

 

ପୁଣି ୫ବର୍ଷ। ଆସିବ ନିର୍ବାଚନ। ନେତାଏଁ ପୁଣି ଆସିବେ ଆକ୍ସନ ମୁଡକୁ। ଓଜାଡି ଦେବେ ପୁଣି ଗଦାଗଦା ପ୍ରତିଶ୍ରୁତି। ପୁଣି ବସିବେ ଗରୀବ କୁଡିଆର ପଖାଳ କଂସା ମୂଳେ। ଭୋଟ ପାଇଗଲା ପରେ ଭୁଲିଯିବେ ସବୁକିଛି। ପ୍ରତିଶୃତି ପାଲଟିବ ପ୍ରତାରଣା। ନିର୍ବାଚନ ପୁର୍ବରୁ ଚିହ୍ନା ଥିବା କାଶିଆ ଓ କପିଳା ପୁଣି ପାଲଟିଯାଆନ୍ତି ଅଚିହ୍ନା। ଇୟେ ହେଉଛି ଆମ ନେତାଙ୍କ ନୀତି।

 

ପ୍ରତିଥର ଭଳି ନେତା ଓ ସେମାନଙ୍କ ନୀତି ନିର୍ବାଚନ ପୁର୍ବରୁ ଗୋଟିଏ ପ୍ରକାର ରହୁଥିବା ବେଳେ ନିର୍ବାଚିତ ହେଲା ପରେ ପୂରା ଓଲଟି ଯାଉଛି। ଆଉ ଏଠି ସବୁଠୁ ଅଧିକ ଦାୟୀ ହେଉଛି ଆମ୍ଭମାନଙ୍କର ମାଗଣାଖିଆ ମାନସିକତା। ହୁଏତ, ଏହା କାହାକୁ ବାଧି ପାରେ। କିନ୍ତୁ, ଏହା ନିରାଟ ସତ୍ୟ। ଲୋକଙ୍କ ମାଗଣାଖିଆ ଅଭ୍ୟାସ ଯୋଗଁୁ ନେତାଏଁ ଏଭଳି ନୀତି ଆପଣାଉଛନ୍ତି।

 

ଗତ ଜୁଲାଇ ମାସରେ ରାଜ୍ୟରେ ସବୁଠୁ ଚର୍ଚ୍ଚିତ ପ୍ରସଙ୍ଗ ଥିଲା ଗୁମୁଡୁମାହା। ଯେଉଁଠିକି ଯବାନଙ୍କ ଗୁଳି ମାଡରେ ଟଳି ପଡିଥିଲେ ଗୋଟିଏ ଦେଢ଼ ବର୍ଷର ଶିଶୁ ସମେତ ୫ ନିରୀହ ହରିଜନ ଓ ଆଦିବାସୀ। ଘଟଣା ପରେ ତେଜିଥିଲା ରାଜନୀତି। ନେତାଏଁ କରିଥିଲେ ଭାଷଣବାଜୀ। ଏଠି ବି ଥିଲା ନେତାଙ୍କ ଏକା ଷ୍ଟ୍ରାଟେଜୀ। ଷ୍ଟ୍ରାଟେଜୀ ଥିଲା ଭୋଟବ୍ୟାଙ୍କ ରାଜନୀତି ପାଇଁ।

 

ଗୁମୁଡୁମାହା ପରେ ସାମନାକୁ ଆସିଥିଲା ନଗଡା। ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାରେ ଦେଖା ଦେଇଥିଲା ଅପପୁଷ୍ଟିର ଚିତ୍ର। ତେବେ, ଏଠି ନେତାଙ୍କ ଷ୍ଟ୍ରାଟେଜି ଥିଲା ଠିକ‌୍‍ ସମାନ। ଘଟଣା ସାମନାକୁ ଆସିବା ପରେ ଗାଁକୁ ଛୁଟିଥିଲା ନେତାଙ୍କ ଲମ୍ୱାଧାଡି।

 

ଠିକ‌୍‍ ସେହିପରି କଳାହାଣ୍ଡିର ଦାନମାଝି ନିଜ ସ୍ତ୍ରୀଙ୍କ ମୃତଦେହକୁ କାନ୍ଧରେ ବୋହି ଯିବା ଘଟଣା ରାଜ୍ୟ ଓ ଦେଶ କାହଁିକି ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ଅଙ୍ଗୁଳି ନିକ୍ଷେପ କରିଥିଲା ମନ୍ୟୁଷର ମାନବିତକା ଉପରେ। ତେବେ, ଏହି ଘଟଣାରେ ଆମ ନେତାଏଁ ଟପି ଯାଇଥିଲେ ସେମାନଙ୍କ ନୀତି। ଭୁଲି ଯାଇଥିଲେ ମାନବିତକା। ସେମାନଙ୍କ ନଜର ଥିଲା ଭୋଟବ୍ୟାଙ୍କ ଉପରେ। ଆଗକୁ ନିର୍ବାଚନ। ତେଣୁ, ସେମାନେ ଆପଣାଇଲେ ପୁରୁଣା ଫଣ୍ଡା। ହେଲେ, ଏଠି ଲଂଘିଲେ ସୀମା। ଆଗରୁ ଗୁମୁଡୁମାହା ଓ ନଗଡା ପ୍ରସଙ୍ଗରେ ନେତାଏଁ ଯେମିତି ଡେଉଁଥିଲେ ଏଠି ବି ସେମିତି ଡେଇଁଲେ। ଚିତ୍କାର କଲେ, ଚିଲ୍ଲେଇଲେ। ଚିଲ୍ଲେଇ ଚିଲ୍ଲେଇ ପିଡୀତଙ୍କୁ ସେମାନଙ୍କ ଭୋଟବ୍ୟାଙ୍କ ବଢ଼ାଇବା ପାଇଁ ବ୍ୟବହାର ବି କଲେ। ମାନବିକତା ଭୁଲିଗଲେ। ପତ୍ନୀ ମରିବା ଦୁଃଖରେ ଭାଙ୍ଗି ପଡିଥିବା ଦାନ ମାଝୀଙ୍କ ପରିବାରକୁ ଫୁଲମାଳ ପକାଇଲେ ରାସ୍ତାରେ ଚଲାଇଲେ ସଭାରେ ବସାଇ ଭାଷଣ ବି ଦେଲେ। ଏହା ଥିଲା ଆମ ନେତାଙ୍କ ନୀତି।

 

ସବୁଠାରୁ ବଡ ପ୍ରଶ୍ନ, ଏମିତିସବୁ ଘଟଣାରେ ନେତାଙ୍କ ଏଭଳି ନୀତି କାହଁିକି? ଉତ୍ତର କେବଳ ଭୋଟ ପାଇଁ। ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି। ଆଉ ଏହି ସବୁ ଯୋଜନା ପ୍ରଣୟନରେ ରହୁଛି ନେତାଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି। ସେଥିପାଇଁ ତ ନେତାଏଁ ନିର୍ବାଚିତ ହୋଇଛନ୍ତି। ତେବେ, ବିଡମ୍ୱନା ମା’ ପେଟରୁ ‘ମମତା’ ଯୋଜନା ଠାରୁ ଆରମ୍ଭ କରି ମୃତ୍ୟୁ ପରେ ଶ୍ମଶାନରେ ପହଂଚାଇବାକୁ ସରକାର ପ୍ରଣୟନ କରିଛନ୍ତି ‘ହରିଶ୍ଚନ୍ଦ୍ର’ ଯୋଜନା।

 

ତେବେ, ନେତାଙ୍କର ଏହି ନୀତି ଯୋଗଁୁ ଯୋଜନାର ସୁଫଳ ମିଳୁନି ଲୋକଙ୍କୁ। ସ୍ୱାଧୀନତାର ୭ ଦଶନ୍ଧି ପରେ ବି ବଦଳିନି ଛବି। ଏବେ ବି ରାଜ୍ୟରେ ଅନେକ ଗାଁ କଥା ଛାଡନ୍ତୁ ଏଭଳି ଅନେକ ପଂଚାୟତ ରହିଛି ଯେଉଁଠିକୁ ନାହଁି ସବୁଦିନିଆ ସଡ଼କ। ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ଅନେକ ଗାଁ ଏବେ ବି ବଂଚିତ। ଏସବୁ ସ୍ଥାନରେ ନିର୍ବାଚନ ଆସିଲେ ନେତାଏଁ ସେମାନଙ୍କ ଫଣ୍ଡା ଆପଣାନ୍ତି। ଗଦାଗଦା ପ୍ରତିଶୃତି ଦିଅନ୍ତି। ଆଉ ନିର୍ବାଚିତ ହେଲା ପରେ ଭୁଲି ଯାଆନ୍ତି। ଏହା ହେଉଛି ଆମ ନେତାଙ୍କ ନୀତି।

 

ସମାଜ ସେବା ଛାତ୍ର ଦ୍ୱିତୀୟ ବର୍ଷ, ବିଶ୍ୱାସ କଲେଜ, ପିତାପଲ୍ଲୀ, ଖୋର୍ଦ୍ଧା, ଦୂରଭାଷ: ୯୮୬୧୦୮୨୭୧୦

© 2015. Samanya Kathan All Rights Reserved | Editor : Debendra Prusty     

To Top