ସଭିଙ୍କ ଅଛି ସ୍ବତନ୍ତ୍ର ପରିଚୟ

image

ରତ୍ନେଶ୍ବର ସାହୁ

 

ସମସ୍ତ କାମର ସ୍ବତନ୍ତ୍ର ପରିଚୟ ଥାଏ। ଜଣେ କବିଙ୍କର କବିତାର ସ୍ବାଦ ଠିକ ଯେମିତି ଅନ୍ୟ କବିଙ୍କ ଠାରୁ ଅଲଗା। କଳାକାର ମଧ୍ୟ ଜଣେ ଅନ୍ୟଠାରୁ ସ୍ବତନ୍ତ୍ର ଅଭିନୟ କରିଥାନ୍ତି। ଆମେ ଜଣ ଜଣଙ୍କୁ କବି ସମ୍ରାଟ, କାନ୍ତ କବି, ବିପ୍ଲବୀ କବି, ପ୍ରକୃତି କବି, କବିବର ଭାବେ ଜାଣୁ। ସେମାନେ ନିଜେ ନିଜ ପାଇଁ ପ୍ରତିଛବି ଛାଡି ଯାଇଛନ୍ତି।

 

ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ଠାରୁ ମୁକେଶ, କିଶୋର କିମ୍ବା ରଫିଙ୍କ ଭଳି କଣ୍ଠ, ସୁର ଏବଂ ଗୀତ ଆଶା କଲେ ଆମର ଆଶା, ଆଶାରେ ହିଁ ରହିଯିବ। ଏହି ବ୍ୟକ୍ତିତ୍ବମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନିଜ ପାଇଁ। ଏହା ନୁହେଁ ଯେ ସେମାନଙ୍କ ଭଳି ଆଉ କିଏ ଗାଇ ପାରିବେ ନାହିଁ। କିନ୍ତୁ ଆମେ ଜଣେ ନିର୍ଦ୍ଦିଷ୍ଟ ଲୋକ ଠାରୁ ସେହିଭଳି ଆଶା କଲେ ଆମେ ଖୁସି ହୋଇ ପାରିବା ନାହିଁ।

 

ଆମେ ଯଦି ଗୀତ ଶୁଣିବା ପାଇଁ ଇଛୁକ ସେଥିପାଇଁ ଆମେ କେଉଁଭଳି ଗୀତ ଶୁଣିବୁ ଏବଂ ସେହି ଗୀତ କିଏ ଗାଇ ପାରିବ ସେହି ଭଳି ଗାୟକ ଖୋଜିବାକୁ ପଡିବ। ଫଳରେ ଆମର ଆଶା ପୂରଣ ହୋଇ ପାରିବ।

 

ତେଣୁ ସମସ୍ତେ ନିଜେ ନିଜକୁ ଅନ୍ୟପାଇଁ ଏକ ଲକ୍ଷ୍ୟ ଭାବେ ସ୍ଥିର କରିବାକୁ ପଡିବ।

 

ହୁଏତ ଲକ୍ଷ୍ୟ ଗୋଟିଏ ହୋଇଥାଇ ପାରେ କିନ୍ତୁ ସମସ୍ତଙ୍କ କାମ କରିବାର ପ୍ରକ୍ରିୟା ଅନ୍ୟଠାରୁ ଭିନ୍ନ। ତେଣୁ ଯିଏ ଯେଉଁ ଭଳି କାମ କଲେ ଲକ୍ଷ୍ୟରେ ପହଞ୍ଚିହେବ ସେଥିପାଇଁ ନିଜେ ନିଜ ସ୍ତରରେ ଚେଷ୍ଟା କରିବା ଆବଶ୍ୟକ। କିଏ କାହା କାମ କରିବାର ପ୍ରକ୍ରିୟା ସହିତ ଏକମତ ହୋଇ ନ ପାରନ୍ତି, କିନ୍ତୁ ସେହି ସମୟରେ ପଚାରି ବୁଝିବାକୁ ପଡିବ ଯେ ଏହାଦ୍ବାରା ଲକ୍ଷ୍ୟରେ ପହଞ୍ଚିହେବ କି ନାହିଁ? ଜଣେ ସାଇକେଲ୍ ଚାଳକ ଗୋଟିଏ ସ୍ଥାନରେ ପହଞ୍ଚିବା ପାଇଁ ଯେଉଁ ରାସ୍ତା ବାଛିବେ ହୁଏତ ମୋଟର ସାଇକେଲ୍ ଚାଳକ ସେହି ରାସ୍ତା ପସନ୍ଦ କରି ନ ପାରନ୍ତି। ସେମିତି ଚାରିଚକିଆ ଚାଳକ ତାଙ୍କର ସୁବିଧା ମୁତାବକ ରାସ୍ତା ପସନ୍ଦ କରିବେ।

 

ଯଦି ପ୍ରତିଯୋଗିତା ହେବ ତାହାହେଲେ ସମସ୍ତେ ଗୋଟିଏ ରାସ୍ତା ବଛିବେ। କାରଣ ଏହା ନିୟମ। କିନ୍ତୁ ସମସ୍ତେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ନିଜର ସୁବିଧା ମୁତାବକ ରାସ୍ତା ବାଛିବାକୁ ପଡିବ। ସେଥିପାଇଁ ସମସ୍ତଙ୍କୁ ନିଜର ପସନ୍ଦ ବାଛିବାରେ ସ୍ବାଧୀନତା ମିଳିବା ଆବଶ୍ୟକ। ସ୍ବାଧୀନତାର ଅର୍ଥ ସ୍ବେଛାଚାରିତା ନୁହେଁ। ଅନ୍ୟର ଆତ୍ମସମ୍ମାନ, ଅଧିକାରକୁ ମଧ୍ୟ ସମ୍ମାନ ଦେବାର ଆବଶ୍ୟକତା ରହିଛି। ଜଣେ ଅନ୍ୟର ପରିସର ଭିତରେ ଅଯଥା ହସ୍ତକ୍ଷେପ କଲେ କିଏ ବି ଆଗକୁ ଯାଇ ପାରିବେ ନାହିଁ।

 

ସମାଜ ଆଜି ଆଗକୁ ଯାଇ ନ ପାରିବାର କାରଣ ହେଉଛି ଠିକ ଏହି ମାନସିକତା। କାହାର ହାତରେ ଲେଖିବାର ଅଭ୍ୟାସ ଅଛି, କିଏ କମ୍ପୁଟର ଚଳାଇ ପାଇବାର ଜ୍ଞାନ ରଖିଛନ୍ତି, କିଏ ଲଙ୍ଗଳ ଚଳାଇ ପାରନ୍ତି ତ କିଏ ଟ୍ରାକ୍ଟର ଚଳାଇ ପାରନ୍ତି। ସମୟ ଓ ପରିସ୍ଥିତି ସହ ସମସ୍ତେ ସମସ୍ତଙ୍କୁ ସମ୍ମାନ ଦେବାକୁ ପଡିବ। ଯଦି ଜଣେ ଟ୍ରାକ୍ଟର ଚାଳକ ଜଣେ ଲଙ୍ଗଳ ଚଳାଇ ପାରୁଥିବା ଲୋକ ଉପରେ ନିଜର ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରନ୍ତି ତାହାହେଲେ କମ୍ପୁଟର ଚାଳକ, ଟ୍ରାକ୍ଟର ଚାଳକ ଉପରେ ନିଜର ପ୍ରଭୁତ୍ବ ଜାହିର କରିବେ। ଠିକ ସେହି ସମୟରେ ଟ୍ରାକ୍ଟର ଚାଳକ ନିଜେ ଚିନ୍ତା କରିବା କଥା ଯେ ଯଦି ଟ୍ରାକ୍ଟର ଖରାପ ହୋଇଯାଏ, ଡିଜେଲ୍ ନ ମିଳେ ତାହାହେଲେ କ’ଣ ହେବ? ଠିକ ଏହି ମାନସିକତା ହିଁ ଗୋଟିଏ ସମାଜକୁ ଆଗକୁ ନେଇ ପାରିବ।

 

କିଏ ବଡ କିଏ ସାନ ଚିନ୍ତା କରିବା ଅପେକ୍ଷା କାହାଦ୍ବାରା କି କାମ ଭଲ ଭାବେ ହୋଇପାରିବ ସେହି ଭଳି ଯୋଜନା କଲେ ସମସ୍ତେ ଆଗକୁ ଯାଇ ପାରିବେ। ଆମେ ଆଗରୁ କହି ଆସିଛୁ କୁମ୍ଭାର, କମାର, ତନ୍ତି, ବଢେଇ ଭଳି କାମ କରୁଥିବା ଲୋକମାନଙ୍କୁ ଅଣଦେଖା କରିବା ଫଳରେ ସେମାନେ ନିଜ ବୃତ୍ତି ଛାଡି ଅନ୍ୟ ବୃତ୍ତିକୁ ଆପଣାଇଲେ। ଏହା ଫଳରେ ଆମେ ବହୁଦେଶୀୟ କମ୍ପାନୀ ଦ୍ବାରା ଶୋଷଣର ଶିକାର ହେଲେ। ଆମର କ୍ରୟ କରିବାର କ୍ଷମତା ହ୍ରାସ ପାଇଲା। ତେଣୁ ସମସ୍ତେ ଅନ୍ୟର ଅନୁଗାମୀ ହେବା ଛାଡିଦେବା ଉଚିତ। ବରଂ ନିଜର କୁଶଳତାକୁ ଆପଣାଇବା ଦ୍ବାରା ସ୍ବାଭିମାନ ବଢିବ।

© 2015. Samanya Kathan All Rights Reserved | Editor : Debendra Prusty     

To Top