ପ୍ରଶ୍ନ କର, ଉତ୍ତର ପାଇବ!

image

ରତ୍ନେଶ୍ବର ସାହୁ

 

୧୯୯୦ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସମସ୍ତଙ୍କୁ ରୋଜଗାର ଦେବା ପାଇଁ ପ୍ରତ୍ୟେକ ଗାଁ ସ୍ତରରୁ ବହୁତ ସମୟରେ ସରକାରମାନଙ୍କୁ ବିଭିନ୍ନ ଉପାୟରେ ଜଣାଗଲା। କିନ୍ତୁ କିଛି ଫରକ ପଡିଲା ନାହିଁ। କିନ୍ତୁ ୨୦୦୬ ମସିହାରେ ଏମଜିଏନଆରଇଜିଏସ ମାଧ୍ୟମରେ ଗ୍ରାମୀଣ ସ୍ତରରେ ଲୋକମାନେ ଯଦି ଚାହିଁବେ ତାହାହେଲେ କାମ ପାଇବାର ଗ୍ୟାରେଣ୍ଟି ଦିଆଗଲା। ଏହା କିନ୍ତୁ କିଛି ସୁଫଳ ଦେଲା ବୋଲି କହିବା ପାଇଁ ଅନେକ ଲୋକ ମାନନ୍ତି ନାହିଁ। ଆଜିକାଲି ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ମାଟି ଖୋଳା ଯନ୍ତ୍ର ରହିଛି। ସେହି ଯନ୍ତ୍ରଗୁଡିକର ମାଲିକମାନେ କିପରି ଋଣ ଶୁଝୁଛନ୍ତି ତାହା ସେମାନେ ଜାଣନ୍ତି। କିନ୍ତୁ ଆମେ ନିଜେ ପ୍ରଶ୍ନ ଉଠାଉଛୁ ଯେ ଯେଉଁ ଉଦ୍ଦେଶ୍ୟରେ ଏହି ଯୋଜନା ପ୍ରସ୍ତୁତ ହୋଇଥିଲା ତାହା କେତେଦୂର ସେହି ସମସ୍ୟାକୁ ସମାଧାନ କରିପାରିଲା?

 

ଏହି ଯୋଜନା କାର୍ଯ୍ୟକାରୀ ହେବାର ବହୁ ସମୟ ପୁର୍ବରୁ ଲୋକମାନେ ଦେଶାନ୍ତର ହୋଇ ସାରିଥିଲେ। ଦେଶାନ୍ତର ସମସ୍ୟାକୁ ସମାଧାନ କରିବା ପାଇଁ ପଞ୍ଚାୟତକୁ କ୍ଷମତା ଦିଆଗଲା।  ଉପଯୁକ୍ତ ଭିତ୍ତିଭୂମି ତିଆରି ନ କରିବା ଫଳରେ ସେହି ଅର୍ଥ କେବଳ ରାସ୍ତା କାମ ବ୍ୟତିତ ଅନ୍ୟ କାମଗୁଡିକୁ ବିଶେଷ ଧ୍ୟାନ ଦିଆଗଲା ନାହିଁ। ଏହା ଦ୍ବାରା ଜଳ ସଂରକ୍ଷଣ, ପତିତ ଜମି ଉଦ୍ଧାର ଓ ସାମାଜିକ ବନୀକରଣ ଭଳି କାର୍ଯ୍ୟଗୁଡିକ ମଧ୍ୟ ସଫଳ ହୋଇ ପାରିଲା ନାହିଁ। କିଛି ଅଞ୍ଚଳରେ ସେହି ଏକା ରାସ୍ତା ବାରମ୍ବାର ହୋଇଥିବାର ଅଭିଯୋଗ ମଧ୍ୟ ହେଉଛି।

 

ସେମିତି ଶିକ୍ଷା ଅଧିକାର ଆଇନ। ସ୍ବାସ୍ଥ୍ୟ ସମସ୍ୟା ସମାଧାନ ପାଇଁ ହେଉଥିବା ଯୋଜନା ଗୁଡିକରେ ଅବସ୍ଥା ମଧ୍ୟ ଏକା ପ୍ରକାର। ଆଜିକାଲି ବୋଧହୁଏ ଦେଶରେ ଏମିତି ସହର ନଥିବ ନଥିବ ଯେଉଁଠି ଘରୋଇ ବିଦ୍ୟାଳୟ ନଥିବ! ଠିକ ସେମିତି ସ୍ବାସ୍ଥ୍ୟ କ୍ଷେତ୍ରରେ କର୍ମଚାରୀ ଅଭାବ ରହିଛି। ପ୍ରତ୍ୟେକ ବର୍ଷ ହଜାର ହଜାର ଡାକ୍ତର ପାଠ ପଢି ଶିକ୍ଷିତ ହେଉଛନ୍ତି। କିନ୍ତୁ ସେମାନେ କେଉଁଠି ଚାକିରୀ କରୁଛନ୍ତି ସେଗୁଡିକୁ କିଛି ଧ୍ୟାନ ଦିଆଗଲା ନାହିଁ। ଲୋକମାନଙ୍କ ଟିକସରେ ଯେଉଁମାନେ ପାଠ ପଢୁଛନ୍ତି ସେମାନେ ଯଦି ସେହି ଲୋକମାନଙ୍କ ସହିତ ବେଇମାନି କରିବେ ତାହାହେଲେ ଶିକ୍ଷିତମାନଙ୍କୁ ସାଧାରଣ ଲୋକେ ଆଉ ସମ୍ମାନ ଦେବେ କାହିଁକି? ଡକାୟତ ଓ ଏଇ ତଥାକଥିତ ଶିକ୍ଷିତଙ୍କ ମଧ୍ୟରେ ଫରକ କ’ଣ? ଟିକସ ପରିମାଣ କେତେ ବଢି ଗଲାଣି ତାହା ଯେଉଁମାନେ ଟିକସ ବିଷୟରେ ଟିକିଏ ଅନୁଧ୍ୟାନ କରୁଥିବେ ସେମାନେ ହିଁ କହିପାରିବେ। ଯଦି ପାଠ ପଢି କେବଳ ବହି ଜ୍ଞାନ ହିଁ ସବୁକିଛି ବୋଲି ଭାବୁଛନ୍ତି ସେମାନେ କେଉଁ ପ୍ରକାର ଶିକ୍ଷିତ ତାହା ସମସ୍ତେ ପ୍ରଶ୍ନ କରିବା ଉଚିତ୍।

 

ସରକାରୀ ବିଦ୍ୟାଳୟରେ ଚାକିରୀ କରିବା ପାଇଁ ସମସ୍ତେ ଆଗ୍ରହୀ କିନ୍ତୁ ସେହି ସରକାରୀ ବିଦ୍ୟାଳୟରେ ନିଜ ପିଲାମାନଙ୍କୁ ପଢାଇବା ପାଇଁ କିଏ ଆଗ୍ରହ ଦେଖାନ୍ତି ନାହିଁ। ସ୍ବାଧୀନତାର ଅର୍ଥ ସ୍ବେଚ୍ଛାଚାରିତା ନୁହେଁ। ଯେଉଁମାନେ ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ମେଡିକାଲ୍ କଲେଜରେ ପାଠ ପଢିଛନ୍ତି ସେହି ଶିକ୍ଷିତମାନେ ନିଜେ ନିଜକୁ ପ୍ରଶ୍ନ କରିବା ଦରକାର। ସମସ୍ତେ ନିଜେ ନିଜେ ସମାଜ ପାଇଁ ଆଗକୁ ଆସିବା ଦରକାର।

 

ଯେଉଁମାନେ ଲୋକ ପ୍ରତିନିଧି ହେବେ ସେମାନେ ପ୍ରଥମେ ଜାଣିବା ଦରକାର ଯେ ସେ କେଉଁ ପଦବୀ ପାଇଁ ନିର୍ବାଚନରେ ଭାଗ ନେଉଛନ୍ତି ଏବଂ ସେଠାରେ ନିଜର ଦାୟିତ୍ବ ଏବଂ କର୍ତ୍ତବ୍ୟ କ’ଣ ରହିଛି? ଯଦି ଜାଣନ୍ତି ନାହିଁ ତାହାହେଲେ ସେଥିପାଇଁ ପ୍ରଥମେ ନିଜେ ପ୍ରସ୍ତୁତ ହେବା ଦରକାର। ସ୍ବାଧୀନତା ପରେ ଏହି ନିୟମ ନ ଥିଲା। କିନ୍ତୁ ଯଦି ବର୍ତ୍ତମାନ ମଧ୍ୟ ସେହି ଏକା ନିୟମ ରହିବ ତାହାହେଲେ ଆମେ କେତେ ବିକଶିତ ତାହା ନିଜକୁ ପଚାରିଛେ କି? ବିଧାନସଭା ଏବଂ ସଂସଦର କେତୋଟି ଅଧିବେଶନ, କେଉଁ ଅଧିବେଶନର ମୁଖ୍ୟ କାମ କ’ଣ? ତାରକା ପ୍ରଶ୍ନ ଏବଂ ଅଣତାରକା ପ୍ରଶ୍ନ କ’ଣ? ବ୍ଲକ୍ ସ୍ତରୀୟ ବୈଠକରେ କିଏ ସଭାପତିତ୍ବ କରିବେ? ପଞ୍ଚାୟତ ସ୍ତରୀୟ ବୈଠକରେ କିଏ ସଭାପତିତ୍ବ କରିବେ? ପଲ୍ଲିସଭା ଏବଂ ଗ୍ରାମ ସଭା କିଏ ଡାକିବେ? ବର୍ଷରେ କେତୋଟି ଗ୍ରାମ ସଭା ଅତିକମରେ ହେବା ଦରକାର? ଯେକୌଣସି ପ୍ରକଳ୍ପ ଆରମ୍ଭ ହେବା ପୁର୍ବରୁ ବୈଠକ ଆରମ୍ଭ କରିବାର ଉଦ୍ଦେଶ୍ୟ କ’ଣ? ବାର୍ଷିକ ପଲ୍ଲିସଭା ଏବଂ ଗ୍ରାମସଭା କ’ଣ ପାଇଁ? ଏହି ସବୁ ବିଷୟରେ ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଜାଣନ୍ତି କି? ଗାଁ ସ୍ତରରେ ବୈଠକ ସମୟରେ ଓ୍ବାର୍ଡ ସଭ୍ୟ/ ସଭ୍ୟାମାନେ କେତେ ଗୁରୁତ୍ବ ବହନ କରନ୍ତି? ନିର୍ବାଚିତ ଜନ ପ୍ରତିନିଧି ଓ ସାଧାରଣ ଲୋକମାନେ ମଧ୍ୟ ଏସବୁ ବିଷୟ ଜାଣିବା ନିହାତି ଗୁରୁତ୍ବପୂର୍ଣ୍ଣ।

 

ବିଭିନ୍ନ ସାମାଜିକ ସୁରକ୍ଷା ଓ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ସେହି ସମୟରେ ବିଭିନ୍ନ ମହଲରେ ଦାବୀ ହେଉଥିଲା। କିନ୍ତୁ କୌଣସି ପ୍ରଭାବ ପଡି ନ ଥିଲା। ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ସମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେବାରେ ଲାଗିଛି। ଠିକ ଏହି ସମୟରେ ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ ବେକାର ହୋଇ ବସିଛନ୍ତି। ଯୁବକମାନଙ୍କ ହାତରେ ରାଜନୀତିର ପତାକା ଏବଂ ମଦ ବୋତଲ ଧରାଇ ଏଠି କ୍ଷମତା ଉପଭୋଗ ପାଇଁ ସମସ୍ତେ ଆଗ୍ରହୀ। କିନ୍ତୁ ଯଦି ପ୍ରଶ୍ନ ହେବ ଯେ କି କାମ କରିବ? ସେହି ପଦବୀ କାହା ପାଇଁ? ଏହା କି ପ୍ରକାର ଶାସନ ଗଣତନ୍ତ୍ର ନ ରାଜତନ୍ତ୍ର? ରାଜତନ୍ତ୍ରର ଅର୍ଥ କ’ଣ ? ସାଧାରଣ ନାଗରିକର ଭୂମିକା ଏହି ଗଣତନ୍ତ୍ରରେ କ’ଣ? ଧର୍ମ ନିରପେକ୍ଷତାରର ଅର୍ଥ କ’ଣ? ରାଜନୀତିରେ ଥିବା ଓ ରାଜନୀତି କରିବାକୁ ଆଗ୍ରହୀ ଅନେକ ଯୁବକଯୁବତୀ ଏସବୁ ପ୍ରଶ୍ନର ଦେଇପାରିବେ ନାହିଁ।

 

ଏହି ଭଳି ଅନେକ କଥା। ସମାଜିକ ସୁରକ୍ଷା ପାଇଁ ଚିନ୍ତା କରିବା ବେଳେ ମହିଳା ଏବଂ ଶିଶୁମାନଙ୍କ ପାଇଁ କି ପ୍ରକାର ବ୍ୟବସ୍ଥା କରାଯାଇଛି? ସମାଜବାଦ ଏବଂ ସହଭାଗିତାର ଅର୍ଥ ବିଷୟରେ କିଏ ଗୁରୁତ୍ବ ଦେବ? ଯୁବକମାନେ କିପରି ନିଜ ପରିବାର ଚଳାଇବେ ତାହା ପାଇଁ କି ବ୍ୟବସ୍ଥା ସୃଷ୍ଟି ହୋଇଛି? ଲୋକେ ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଦରକାର। ନେତା ଓ ଜନ ପ୍ରତିନିଧିମାନେ ମଧ୍ୟ ଲୋକଙ୍କୁ ଏ ସବୁ ପ୍ରଶ୍ନ ଓ ତହିଁର ଉତ୍ତର ବିଷୟରେ ଭଲ ଭାବରେ ବୁଝେଇବା ଦରକାର।

 

ସେପରି ହେଲେ ଗୋଟିଏ ଗୋଟିଏ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରନ୍ତା। ନହେଲେ କାଳକାଳ ଧରି ଲୋକମାନେ ଅନ୍ଧାରରେ ଥିବେ ଏବଂ ନେତା ଓ ବାବୁମାନେ ନାନାଦି ଫିସାଦରେ ଲୋକଙ୍କ ସମସ୍ୟାର ଦୂର କରିବା ବାହାନାରେ ଦେଶର ସମ୍ବଳ ଓ ସାଧାରଣ ରାଜକୋଷ ଲୁଣ୍ଠନ କରି ଚାଲିଥିବେ। କିଛି ଲୋକ ଅନୈତିକ ଉପାୟରେ ଧନୀ ହେଉଥିବେ। ଅଧିକ ଲୋକ ନିଜ ଅଜାଣତରେ ଶୋଷଣର ଶିକାର ହୋଇଚାଲିଥିବେ।

© 2015. Samanya Kathan All Rights Reserved | Editor : Debendra Prusty     

To Top