ଅଳ୍ପ କଥା, ଅନେକ ଚିନ୍ତା

image

ଦେବେନ୍ଦ୍ର ପୃଷ୍ଟି

 

(ମଝିରେ ମଝିରେ କିଛି କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମନକୁ ଆସିଥିବା କିଛି କଥାକୁ ଫେସବୁକ୍‌ରେ ଅପ୍ ଲୋଡ଼ କରାଯାଇଥିଲା। ସେସବୁର ଗ୍ରହଣୀୟତା ଦେଖିଲା ପରେ ଆଉ ଥରେ ଏଇ ପୋର୍ଟାଲରେ ଦେବାକୁ ଇଚ୍ଛା ହେଲା।)

 

ସାମାନ୍ୟ କଥନ-୧

ଅର୍ଥନୀତିଜ୍ଞମାନେ ପୁଂଜିବାଦର ଧ୍ୱଜା ଉଡ଼ାଇ ପାରନ୍ତି, କିନ୍ତୁ ସାହିତ୍ୟିକମାନେ ସାମ୍ୟବାଦର ଛତା ଧରିବା ଉଚିତ। ଧନୀ-ଦରିଦ୍ର ମଧ୍ୟରେ ବଢ଼ତି ବ୍ୟବଧାନ ସମାଜ ପାଇଁ ଅହିତକର।

 

ସାମାନ୍ୟ କଥନ-୨

ମୁଁ ଗଛ ଲଗାଏ। ଫଳ ମଣିଷ ଖାଉ ବା ମାଙ୍କଡ଼। କିଛି ଫରକ ନାହିଁ।

 

ସାମାନ୍ୟ କଥନ-୩

ଆପଣ ୧୫ ବର୍ଷ ହେଲା ନିରଙ୍କୁଶ କ୍ଷମତାରେ ଥାଇ କେନ୍ଦ୍ର ଅବହେଳା ବିରୋଧରେ ଲଢ଼ୁଛନ୍ତି। ହେଲେ ତାହା ଦୂର ହୋଇପାରୁନି। ଆପଣଙ୍କ ଧୈର୍ଯ୍ୟକୁ ମାନିବାକୁ ହେବ। ଆଉ ଓଡ଼ିଆ ଲୋକଙ୍କ ବୁଦ୍ଧିକୁ ବି ତାରିଫ ନକରି ରହି ହେଉନି। ଆପଣ ନିଶ୍ଚୟ ଜଣେ ବୀର ପୁରୁଷ! ଆପଣ ଶିବାଜୀ ନା ଶିଖଣ୍ଡୀ?

 

ସାମାନ୍ୟ କଥନ-୪

ନେତା ଓ ଜନତାଙ୍କ ଦାବିରେ ଯଦି ଭାରତ ରତ୍ନ ମିଳେ ତେବେ ସେହି ରତ୍ନର ମୂଲ୍ୟ କ’ଣ?

 

ସାମାନ୍ୟ କଥନ-୫

ମିଛ କହିବା ମହାପାପ! ରାଜନୀତି କେମିତି ମହାପୂଣ୍ୟ?

 

ସାମାନ୍ୟ କଥନ-୬

ସରକାର କରିଛନ୍ତି ବିଜୁ ମଦ ଯୋଜନା। ବିଜୁ ମାଡ଼ ଯୋଜନା କରିବ କିଏ? ସରକାର ନା ଜନ ସାଧାରଣ?

 

ସାମାନ୍ୟ କଥନ-୭

କଳ୍ପତରୁ କହିଥିଲେ, ପ୍ରଣବ ମୋ ପୁଅ ନୁହେଁ। ଅଶୋକ ପଣ୍ଡା କହିଲେ, ମୋ ବାପା ମୋର ନୁହେଁ। ଏବେ ପ୍ରୟାସକାନ୍ତି କହୁଛନ୍ତି ପ୍ରଫୁଲ୍ଲ ମୋ ବାପା ନୁହେଁ। ଏ ବିଜେଡିରେ କ’ଣ କେହି କାହାର ନୁହେଁ?

 

ସାମାନ୍ୟ କଥନ-୮

ମୁଖ୍ୟମନ୍ତ୍ରୀ ଦାନ୍ତ କଡ଼ମଡ଼ କରି ଗର୍ଜିଲେ। ମନ୍ତ୍ରୀମାନଙ୍କର କାନମୁଣ୍ଡା ଝାଇଁ ଝାଇଁ କଲା। କ୍ୟାବିନେଟ ବୈଠକ ସଂପର୍କରେ ଓଡ଼ିଶାର ଦୁଇଟି ପ୍ରମୁଖ ଖବରକାଗଜର ରିପୋର୍ଟରେ ଏମିତି ବର୍ଣ୍ଣନା ଦେଖିବାକୁ ମିଳିଲା। ଲାଗିଲା ଯେମିତି ଏ ସାମ୍ୱାଦିକମାନେ ବି ସେହି ବୈଠକରେ ଉପସ୍ଥିତ ଥିଲେ।

 

ସାମାନ୍ୟ କଥନ-୯

କେନ୍ଦ୍ର ସରକାର କହୁଛନ୍ତି କୌଣସି ପରିସ୍ଥିତିରେ ଡାଲି କିଲୋ ପିଛା ୧୨୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେବା କଥା ନୁହେଁ। ଡାଲି ଗୋଦାମ ମାଲିକ ମଧ୍ୟ ସମାନ କଥା କହୁଛନ୍ତି। ତା’ହେଲେ ଖାଉଟି କାହାକୁ ପିଟିବ? ରାଜ୍ୟ ସରକାର ନା କିରାନା ଦୋକାନୀଙ୍କୁ? କିନ୍ତୁ ସାଧାରଣ ଖାଉଟି ତ’ ଟଙ୍କିକିଆ ଚାଉଳ ଓ ୫ ଟଙ୍କିଆ ଆହାର ଖାଇକି ଶୋଇଛି! ଉଠିଲେ ତ?

 

ସାମାନ୍ୟ କଥନ-୧୦

ଓଡ଼ିଆଙ୍କୁ ଆଇଏଏସ, ଆଇପିଏସ, ଆଇଏଫଏସ‍୍‌, ବ୍ୟାଙ୍କର, ଡାକ୍ତର, ଇଂଜିନିଅର‍୍‌ ଆଦି ଉଚ୍ଚ ପେସାଦାର ନକରିବା ପାଇଁ ୧୫ ବର୍ଷ ହେଲା ଚାଲିଥିବା ଚକ୍ରାନ୍ତ ଏବେ ସଫଳତାର ଶେଷ ସୋପାନରେ ପହଂଚିଛି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଜରିଆରେ ସେମାନେ ଓଡ଼ିଆଙ୍କୁ ପାଣି ପାଇପ ମିସ୍ତ୍ରୀ, କାଠ ମିସ୍ତ୍ରୀ, ରାଜମିସ୍ତ୍ରୀ, ସାଇକେଲ ମେକାନିକ, ଗ୍ୟାରେଜ ମେକାନିକ, ଇଲେକ୍ଟ୍ରିସିଆନ ଆଦି କରିବେ। ଏହି ଲକ୍ଷ୍ୟ ହାସଲ କରିବାକୁ ଆଗରୁ ସ୍କୁଲ ଓ କଲେଜ ଶିକ୍ଷା ବ୍ୟବସ୍ଥାକୁ ଉଜାଡ଼ି ଦିଆଯାଇଛି। ପ୍ରତି ବ୍ଲକରେ ଆଇଟିଆଇ ଖୋଲିଛି।

 

ସାମାନ୍ୟ କଥନ-୧୧

ଓଡ଼ିଶାରେ ଇଂରାଜୀ ଶାସନ! ଇଏ କ’ଣ ସ୍ୱାଭିମାନର କଥା? ବାଷଠି ବର୍ଷ ହେଲାଣି ଗୋଟେ ଆଇନ କାର୍ଯ୍ୟକାରୀ ହେଇପାରୁନି। ଇଏ କୋଉ ଦକ୍ଷତାର କଥା? ୧୯୫୪ ଓଡ଼ିଆ ଭାଷା ଆଇନ ଲାଗୁ କର, ନହେଲେ ଗାଦି ଛାଡ଼।

 

ସାମାନ୍ୟ କଥନ-୧୨

ରାଜଭକ୍ତମାନେ ରାଜାନୁଗ୍ରହ ପାଇବା ସ୍ୱାଭାବିକ। କିନ୍ତୁ ସେମାନେ ସ୍ୱାଧୀନଚେତା ସ୍ୱାଭିମାନୀ ନାଗରିକ ହୋଇପାରିବେ ନାହିଁ। ସଂଗ୍ରାମୀ ଓ ବିପ୍ଳବୀମାନେ କଦାଚିତ ରାଜାଙ୍କ ପଦଲେହନ କରନ୍ତି ନାହିଁ। ଓଡ଼ିଆଙ୍କ ସ୍ୱାଭିମାନ, ସମୃଦ୍ଧି ଓ ସର୍ବାଙ୍ଗୀନ ବିକାଶ ପାଇଁ ରାଜଭକ୍ତଙ୍କ ତୁଳନାରେ ଦେଶଭକ୍ତଙ୍କ ଆବଶ୍ୟକତା ଅଧିକ। ଅଳମତି ବିସ୍ତରେଣ। ବନ୍ଦେ ଉତ୍କଳ ଜନନୀ!

 

ସାମାନ୍ୟ କଥନ-୧୩

ମୋଦି ସରକାରଙ୍କୁ ଲୋକେ ବାଛିଛନ୍ତି। ମନମୋହନ ସରକାରଙ୍କୁ ବି ଲୋକେ ବାଛିଥିଲେ। ସେମିତି ସବୁ ସରକାରଙ୍କ ପଛରେ ଲୋକଙ୍କ ମୋହର ଥାଏ। ଓଡ଼ିଶାରେ ଜାନକୀ ପଛରେ ଲୋକ ଥିଲେ, ବିଜୁ ପଛରେ ଥିଲେ, ଏବେ ନବୀନ ପଛରେ ଅଛନ୍ତି। କାଲି କଂଗ୍ରେସ ଫେରିଲେ ବା ବିଜେପି ହାରିଲେ କାହା ଭୋଟରେ ସେମିତି ହେବ? ଭୁଲ ତେବେ କାହାର? ବାଛିବା ଲୋକର ନା ବାଛି ହେଉଥିବା ଲୋକର?

 

ସାମାନ୍ୟ କଥନ-୧୪

କାଳିଆର ହାତ ନାହିଁ, ଓଡ଼ିଆମାନେ ଖଣ୍ଡିଆ। କାଳିଆର ମୁଣ୍ଡ ନାହିଁ, ଓଡ଼ିଆମାନେ ନିର୍ବୁଦ୍ଧିଆ। କାଳିଆ ଖାଦ୍ୟପ୍ରିୟ, ଓଡ଼ିଆମାନେ ଛତରଖିଆ। କାଳିଆ ପୁଅ ହୋଇ ନାକରେ ନୋଥ, ଓଡ଼ିଶାର କେହି କେହି ନେତା ରାତିରେ ସାୟାବ୍ଲାଉଜ ପିନ୍ଧିବାର ଶୁଣାଯାଏ। କାଳିଆ ଦି’ କିଲୋମିଟର ବାଟ ରଥରେ ଯାଏ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଭୁବନଶ୍ୱେରରୁ କଟକ ବିମାନରେ ଯାଆନ୍ତି। କାଳିଆ ଯାହାର କାଠ କଣ୍ଢେଇ ଓଡ଼ିଆଏ ତା’ ଗୋଡ଼ ତଳେ ମୁଣ୍ଡିଆ ମାରନ୍ତି, ଟଙ୍କା ଅଜାଡ଼ନ୍ତି। ଓଃ! କାଳିଆ ଓ ଆମ ଭିତରେ କି ନିବିଡ଼ ସାଂସ୍କୃତିକ ଓ ଆଧ୍ୟାତ୍ମିକ ସଂପର୍କ!

 

ସାମାନ୍ୟ କଥନ-୧୫

ସେବକ ସ୍ୱାମୀ ବା ପ୍ରଭୁ ହୋଇଗଲେ ଯାହା ହୁଏ ତାହା ହିଁ ଘଟୁଛି ଶ୍ରୀମନ୍ଦିରରେ, ସରକାରରେ। ଉଭୟ କ୍ଷେତ୍ରରେ ପ୍ରକୃତ ମାଲିକର ନୀରବତା ଓ ନିଷ୍କ୍ରିୟତା ଦାୟୀ। ସିଏ ହାତ ଉଠେଇଲେ ସବୁ ସାବାଡ଼ ହୋଇଯାଆନ୍ତେ।

© 2015. Samanya Kathan All Rights Reserved | Editor : Debendra Prusty     

To Top