ଦୁର୍ନୀତି କବ୍ଜାରେ ଭାରତ-୨

image

ବରେନ୍ଦ୍ରକୃଷ୍ଣ ଧଳ

 

ନୂତନ ସହସ୍ରାବ୍ଦ ଆସୁ ନ ଆସୁଣୁ ଆମ ଦେଶର ଅମଲା ଓ ରାଜନୈତିକ ନେତାମାନଙ୍କର ପୌରୋହିତ୍ୟରେ କ୍ରୋନି କ୍ୟାପିଟାଲିଜିମ ଭୟଙ୍କର ଭାବେ ମୁଣ୍ଡ ଟେକି ଉଠିଲା। ସାଧାରଣ ଲୋକେ ଏହା ପରେ ପରେ ରାଜନୈତିକ ବ୍ୟକ୍ତିମାନେ ସମସ୍ତେ ଚୋର ବୋଲି ମନେ କଲେ। ଅବଶ୍ୟ ଏମାନଙ୍କ ମଧ୍ୟ ଦୁଇ-ଚାରିଜଣ ବ୍ୟତିକ୍ରମ ଯେ ନଥିଲେ ତା ନୁହେଁ। କିନ୍ତୁ ଏହି ବ୍ୟତିକ୍ରମ ହିଁ ପ୍ରମାଣ କରେ କେଉଁ ମାନସିକତା ଶାସନ କରୁଛି ସମସାମୟିକ ଭାବେ। ୨୦୦୯ ମସିହାରେ ଆମେ ଦେଖିଲୁ ଏହା କେତେଦୂର ବିସ୍ତୃତ ହୋଇଯାଇଛି। କେନ୍ଦ୍ର ସରକାରରେ ଟେଲିକମ ମନ୍ତ୍ରଣାଳୟର ପୂର୍ବ ମନ୍ତ୍ରୀ ଏ. ରାଜା ଯେପରି ପୁଣି ସେହି ବିଭାଗର ମନ୍ତ୍ରୀ ହୁଅନ୍ତି ସେଥିପାଇଁ ଜନୈକା ନୀରା ରାଡିଆ ଅସମ୍ଭବ ତତ୍ପର ହୋଇ ଉଠିଲେ। ସେଇ ଟେଲିକମ ମନ୍ତ୍ରଣାଳୟ, ଯେଉଁଠି ଟଙ୍କା ଉଡୁଥିଲା, ସେଇଠି ଇତିମଧ୍ୟରେ ୨-ଜି କେଳେଙ୍କାରି ହୋଇଛି। ଯଦିଓ ତାର ପର୍ଦ୍ଦା ଏବେ ସୁଦ୍ଧା ପୂରା ମାତ୍ରାରେ ଉଠିନି।

 

ପ୍ରଶ୍ନ ଉଠିପାରେ ନୀରା ରାଡିଆ କିଏ? କୌଣସି ରାଜନୈତିକ ଦଳର ନେତ୍ରୀ? କିଏ କେଉଁ ମନ୍ତ୍ରୀ ହେବେ ସେ କଥା ସ୍ଥିର କରନ୍ତି ପ୍ରଧାନମନ୍ତ୍ରୀ। ୨୦୦୯ ମସିହାରେ ପୁଣି ଅବସ୍ଥାପିତ ହେଲେ ସତ୍ୟର ଅନ୍ୟତମ ପୂଜାରୀ ମନମୋହନ ସିଂହ। ଟେଲିକମ ମନ୍ତ୍ରଣାଳୟ ଅବଶ୍ୟ ଡିଏମକେ ହାତରେ ଥିଲା। ତେବେ କ’ଣ ନୀରା ରାଡିଆ ଡିଏମକେ ଦଳର କେହି? ନା ସେ ଏକ ପବ୍ଲିକ ରିଲେସନ କମ୍ପାନୀର ମାଲିକ ଥିଲେ। କୁହାଯାଇପାରେ ଜଣେ ଲବିଷ୍ଟ। ତାଙ୍କ ସହ ହାତ ମିଳେଇ ଥିଲେ ଭାରତୀୟ ମିଡିଆର କିଛି ସକାଳଠାରୁ ରାତ୍ର ପର୍ଯ୍ୟନ୍ତ ସ୍ମରଣୀୟ ସାମ୍ୱାଦିକ ଆଉ ଦେଶର ସବୁଠାରୁ ପ୍ରଭାବଶାଳୀ ଶିଳ୍ପପତିମାନଙ୍କ ମଧ୍ୟରୁ କେହି କେହି। ସେମାନଙ୍କର ସମସ୍ତ କଥୋପକଥନ ରେକର୍ଡ ହୋଇ ଯାଇଥିଲା ଆୟକର ବିଭାଗ ନିକଟରେ। ମନ୍ତ୍ରୀଙ୍କ ଅନୁମତି ନେଇ ଆୟକର କର୍ତ୍ତାମାନେ ରାଡିଆଙ୍କର ଫୋନ ଟ୍ୟାପ କରିଥିଲେ। କିନ୍ତୁ ଖବର କାଗଜ ବା ଟିଭିରେ ବିଶେଷ କିଛି ଖବର ପ୍ରକାଶ ପାଇନଥିଲା। ଯାହା ପ୍ରକାଶ ପାଇଥିଲା ସେଥିରେ ଅଭିଯୁକ୍ତ ସାମ୍ୱାଦିକମାନଙ୍କର ଓ ଶିଳ୍ପପତିମାନଙ୍କ ନାମ ନଥିଲା। ସାହସ କରି ଯେଉଁ କେତେଜଣ ଛାପିଥିଲେ ସେମାନଙ୍କୁ ମାମଲା ମୋକଦ୍ଦମା ଏବଂ ନେତାମାନଙ୍କର ସନ୍ତ୍ରାସର ଶିକାର ହେବାକୁ ପଡିଥିଲା।

 

୨୦୧୦ ମସିହା ନଭେମ୍ୱର ୨୨ ତାରିଖରେ ୱାଶିଂଟନ ପୋଷ୍ଟ ସାଇଟରେ ଗୋଟିଏ ଖବର ପ୍ରକାଶ ପାଇଥିଲା ଯାହାର ଶିରୋନାମା ଥିଲା ‘ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ‌୍‍ସ ଅକିୟୁଜ୍ଡ ଅଫ ସିକ୍ରେଟଲି ହେଲ‍୍‌ପିଙ୍ଗ ପଲିଟିସିଆନ‌୍‍ସ ବିଜିନେସ’ (ପ୍ରତିବେଦକ ଏମିଲି ୱାକ‌୍‍ସ)। ଏଇ କେଳେଙ୍କାରି ଆଡକୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ଭାରତୀୟ ସୋସିଆଲ ମିଡିଆରେ ସେ ଭୂୟସୀ ପ୍ରଶଂସା କରିଥିଲେ। ତେବେ ଆଇନ ଅଦାଲତ ଦ୍ୱାରା ଏଭଳି କିଛି ଆଜି ସୁଦ୍ଧା ପ୍ରତିଷ୍ଠିତ ହୋଇନି ଯାହା ଦ୍ୱାରା କୁହାଯାଇପାରେ ପ୍ରକୃତରେ ଏଭଳି ଗୋଟେ ସାଂଘାତିକ ଘଟଣା ଘଟିଛି। ବରଂ ଟେପଗୁଡିକର ସତ୍ୟତା ଉପରେ ପ୍ରଶ୍ନ ଚିହ୍ନ ଟାଣି ଦେଇ ଏହାର ଗୁରୁତ୍ୱକୁ କମାଇ ଦିଆଗଲା। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ସଂସଦରେ ଆଲୋଚନା ସମୟରେ ବିରୋଧୀ ଦଳ (ସେତେବେଳେ ବିଜେପି) ପକ୍ଷରୁ ଟେପ‍୍‌ ବିଷୟରେ ବିଶେଷ କୁହାଗଲା ନାହିଁ। ଏଭଳି ଏକ ଦୁର୍ନୀତିକୁ ଚାପି ଦେବା କ’ଣ ଉଦ୍ଦେଶ୍ୟମୂଳକ?

 

ଟେଲିକମ‍୍‌ ରାଇଟ‌୍‍ସ ବିକ୍ରି କରି ଯେଉଁ ଟଙ୍କା ମିଳିଥା’ନ୍ତା ଏ ରାଜାଙ୍କ ସୌଜନ୍ୟରୁ ସେଥିମଧ୍ୟରୁ ୧ ଲକ୍ଷ ୭୬ ହଜାର କୋଟି ଟଙ୍କା କମ ମିଳିଥିଲା ବୋଲି ସିଏଜି ରିପୋର୍ଟ ଦେଇଥିଲେ। ପରେ ସିବିଆଇ ୨୦୧୧ରେ ଚାର୍ଜସିଟ‍୍‌ ଦେବାବେଳେ ଏହି ଅର୍ଥ ୧ ଲକ୍ଷ ୭୬ ହଜାର କୋଟି ଟଙ୍କା ବଦଳରେ ୩୧ ହଜାର କୋଟି ଟଙ୍କା ବୋଲି ଉଲ୍ଲେଖ କରିଥିଲା। ତାହା ହିଁ ଧରାଯାଉ। କିନ୍ତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସିଏଜି ରିପୋର୍ଟ ଦେଖି ଖୁବ‍୍‌ କ୍ଷୁବ୍ଧ ହୋଇଥିଲେ। ୨୦୧୨ରେ ସୁପ୍ରିମ‍୍‌ କୋର୍ଟ କିନ୍ତୁ ବିତର୍କିତ ସମସ୍ତ ଲାଇସେନ୍ସ ବାତିଲ କରି ଦେଇଥିଲେ। ସେଇ ଏକାଭଳି ସୁପ୍ରିମ‍୍‌ କୋର୍ଟ ଖାରଜ୍‌ କରି ଦେଇଥିଲେ କୋଇଲା ଖଣି ବଣ୍ଟନର ସମସ୍ତ ଲିଜ୍‌।

 

ସେଇ ୟୁପିଏ ସରକାରଙ୍କ ଅମଳରେ ଦିଲ୍ଲୀ ସହରରେ ଅନୁଷ୍ଠିତ ହୋଇଥିଲା କମନେୱଲ‍୍‌ଥ ବା ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତା। ଏବଂ ଏହି ପ୍ରତିଯୋଗିତାରେ ମଧ୍ୟ ଆର୍ଥିକ କେଳେଙ୍କାରି ସୃଷ୍ଟି ହୋଇଥିଲା। କ୍ରୀଡା ପ୍ରତିଯୋଗିତା ପୂର୍ବରୁ ଏହି କେଳେଙ୍କାରି ଜଣାପଡିଥିଲା। କିନ୍ତୁ ସୋନିଆ ଗାନ୍ଧି କହିଥିଲେ ସମସ୍ତ ତଦନ୍ତ ଖେଳ ଶେଷ ହେବା ପରେ କରାଯିବ। ତଦନ୍ତ ସହ ଯୁକ୍ତ ଯେ କୌଣସି ବ୍ୟକ୍ତି କହିବ ଏହା ଦ୍ୱାରା ପ୍ରମାଣ ଲୋପ କରିବାର ସୁଯୋଗ ମିଳିଗଲା। କିନ୍ତୁ ସୋନିଆ ଗାନ୍ଧିଙ୍କ କଥା ଶେଷ କଥା। ସେଠି ପ୍ରଧାନମନ୍ତ୍ରୀ ମଧ୍ୟ ଉଁ ଚୁଁ ହୋଇପାରିବେ ନାହିଁ। ଯେଉଁ ଦେଶରେ ଅଧେରୁ ଅଧିକ ମଣିଷ ଖାଇବାକୁ ଯାଉନାହାନ୍ତି ସେଠି ୩୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ଏ ବିଳାସିତା କାହାପାଇଁ କ’ଣ ପାଇଁ? କିନ୍ତୁ ଭାରତୀୟ ଖବରକାଗଜରେ ଏହା ବିରୁଦ୍ଧରେ କୌଣସି ବିଶେଷ ମନ୍ତବ୍ୟ ପ୍ରକାଶ ପାଇଲା ନାହିଁ। ମାତ୍ର ଉଇପ୍ରୋର ଚେୟାରମ୍ୟାନ ଅଜିମ ପ୍ରେମଜୀ ଏହାର ସମାଲୋଚନା କରି କହିଥିଲେ ସରକାର କେଉଁ ବିଷୟକୁ ଅଗ୍ରାଧିକାର ଦେବେ ତାହା ଠିକ କରିପାରୁ ନାହାଁନ୍ତି। ଖେଳ ନା ବିକାଶ କାହାକୁ ଅଗ୍ରାଧିକାର ଦିଆଯିବ ବୋଲି ସେ ପ୍ରଶ୍ନ କରିଥିଲେ। ଅଦ୍ଭୁତ ମାନସିକତା। ଏହି ଗେମ‌୍‍ସ ପାଇଁ ଦିଲ୍ଲୀରେ ଝୁପୁଡି ଘର ଭାଙ୍ଗି ୪ ଲକ୍ଷ ଲୋକଙ୍କୁ ବେଘର କରି ଦିଆଗଲା। ସହର ସାରା ମେଟ୍ରୋ ରେଲ ବିଛାଡି ହୋଇ ପଡିଲା। ଭଲ ଫୁଟପାଥ ଭାଙ୍ଗି ନୂଆ ଫୁଟପାଥ ତିଆରି ହେଲା। ଚାରିଆଡେ ଏକ ବାର୍ତ୍ତା ପହଞ୍ଚିଲା ସରକାରଙ୍କ ନିକଟରେ କରଦାତାମାନଙ୍କର ଯେଉଁ ଅର୍ଥ ଜମା ହେଉଛି ତାହା ଲୁଟ‍୍‌ ପାଇଁ।

 

ପ୍ରଧାନମନ୍ତ୍ରୀ ନରସିଂହ ରାଓ ନିଜେ କ୍ଷମତାରେ ରହିବା ପାଇଁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସଦସ୍ୟମାନଙ୍କୁ ଟଙ୍କା ଦେଇ କିଣିଥିଲେ। ଦେଶର ଲୋକ ପ୍ରତିନିଧିମାନେ ଯେ କିଣା ବିକା ହୁଅନ୍ତି ତାହାର ଏହା ଏକ ବଡ ପ୍ରମାଣ। ଏହା ଖୋଲାଖୋଲି କଥା। କିନ୍ତୁ ସୁପ୍ରିମ‍୍‌ କୋର୍ଟ କହିଥିଲେ ପାର୍ଲାମେଣ୍ଟ ଭିତରେ କ’ଣ ଘଟିଛି ତାହା ଅଦାଲତର ଅକ୍ତିଆରଭୁକ୍ତ ନୁହେଁ। ଲୋକସଭା ଭିତରେ ଘଟଣା ହୋଇଥିବାରୁ ସୁପ୍ରିମ‍୍‌ କୋର୍ଟ ନିଜକୁ ଦୂରେଇ ନେଲେ। ଏହା ଫଳରେ ଟଙ୍କା ପଇସା ଦେଇ ଏମପି ଏମଏଲଏମାନଙ୍କୁ କିଣିବା କ’ଣ ବୈଧ ହୋଇଗଲା? ଏକପ୍ରକାର ବୈଧ ହୋଇଗଲା ବୋଲି କହିଲେ ଭୁଲ କ’ଣ ହେବ? ଯେତେବେଳେ ବାମ ଦଳମାନେ ୨୦୦୮ରେ କଂଗ୍ରେସକୁ ସମର୍ଥନ ପ୍ରତ୍ୟାହାର କରିନେଲେ ସେତେବେଳେ ମଧ୍ୟ ମନମୋହନ ସିଂହଙ୍କ ବିରୋଧରେ ଅଭିଯୋଗ ଉଠିଥିଲା ଏମ.ପି.ମାନଙ୍କୁ କିଣାକିଣି କରାଯାଉଥିବା ନେଇ। ପରେ ପରେ ଯେଉଁ କେଳେଙ୍କାରି ସବୁ ଘଟିଗଲା ତାହା ଏକ ସାଧାରଣତନ୍ତ୍ର ଶାସନ ପାଇଁ ଭୟଙ୍କର କେବଳ ନୁହେଁ ଦେଶର ନିରାପତ୍ତା ପାଇଁ ବିପଜ୍ଜନକ। ଚାରା ଦୁର୍ନୀତି ବା ପଶୁ ଖାଦ୍ୟ ଦୁର୍ନୀତି କରି ବିହାରରେ ତିନି ତିନି ଥର ମୁଖ୍ୟମନ୍ତ୍ରୀ ଥିବା ଲାଲୁ ଯାଦବ ଜେଲ ଗଲେ। ଏବେ ଜାମିନରେ ଅଛନ୍ତି। କେବଳ ସେତକ ନୁହେଁ ଲୋକଙ୍କ ଧନ ଲୁଟ କରିବା ପାଇଁ ନିଜର ଅଶିକ୍ଷିତା ସ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଦେଲେ। ବିଭିନ୍ନ ଅପରାଧରେ ଜେଲ ଗଲେ ଏ. ରାଜା, ସୁରେଶ କାଲମାଡି। କେବଳ ସେତିକି ନୁହେଁ ଗୋଟିଏ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ମଧୁ କୋଡ଼ା (ଝାଡ଼ଖଣ୍ଡ) ଖଣି ଦୁର୍ନୀତି, ଓମ ପ୍ରକାଶ ଚୌତାଲା (ହରିୟାନା) ଶିକ୍ଷକ ନିଯୁକ୍ତି ଦୁର୍ନୀତି, ଜୟଲଳିତା (ତାମିଲନାଡୁ) ମାୟାବତୀ (ଉତ୍ତରପ୍ରଦେଶ) ବିପୁଳ ସଂପତ୍ତି ରଖିବା ଦୁର୍ନୀତି ଅପରାଧରେ ଜେଲ ଖଟିଲେ । ମଧ୍ୟପ୍ରଦେଶର ବ୍ୟାପମ ଦୁର୍ନୀତିର ପର୍ଦ୍ଦା ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ଖୋଲିନାହିଁ।

 

ସ୍ୱାଧୀନତା ପରେ ଦେଶ ସାର୍ବଭୌମ ସାଧାରଣତନ୍ତ୍ର ଘୋଷଣା ହେବା ପରେ ଦୁର୍ନୀତି ହୋଇଉଠିଛି ସର୍ବତ୍ରଗାମୀ। ୨୦୧୨ ମସିହାରେ ଉତ୍ତର ପ୍ରଦେଶରେ ଷ୍ଟାମ୍ପ ଡିଉଟି କେଳେଙ୍କାରି ପହଞ୍ଚିଲା ୨ହଜାର କୋଟି ଟଙ୍କାରେ। ଆଉ ସେଇ ରାଜ୍ୟରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଦୁର୍ନୀତିର ପରିମାଣ ୧୦ ହଜାର କୋଟି ଟଙ୍କା ବୋଲି ହିସାବ ହୋଇଛି। ସେଇବର୍ଷ ସୁନା ରତ୍ପାନିରେ ମଧ୍ୟ ଏକ ଦୁର୍ନୀତି ଧରା ପଡିଥିଲା। ଯାହାର ପରିମାଣ ସାତ ଶହ କୋଟି ଟଙ୍କାରୁ ଅଧିକ। କର୍ଣ୍ଣାଟକର ବେଲ୍ଲାରି ବ୍ରଦର୍ସ ବିଜେପିର ପ୍ରସାଦଧନ୍ୟ ହୋଇ କେତେ ହଜାର କୋଟି ଟଙ୍କାର ଖଣିଜ ସଂପଦ ଲୁଟ କରିବାର ନେତୃତ୍ୱ ଦେଇଛନ୍ତି ବର୍ତ୍ତମାନ ସୁଦ୍ଧା ଖୋଲା ହୋଇପାରିବ। କୁହାଯାଉଛି ଏହାର ପରିମାଣ କୋଡିଏ ହଜାର କୋଟି ଟଙ୍କାରୁ ଅଧିକ ହେବ। ସେନା ବାହିନୀର ସୁକ‌୍‍ନା ଦୁର୍ନୀତି ଚାପି ଦେବା ସମ୍ଭବ ହୋଇନି। ବାଦ‍୍‌ ପଡିଲାନି ମହାକାଶ ଗବେଷଣା କେନ୍ଦ୍ର ଇସ‍୍‌ରୋ ମଧ୍ୟ। ସେଠି ମଧ୍ୟ ଏସ. ବ୍ୟାଣ୍ଡ କେଳେଙ୍କାରି (ଇସ୍ରୋ-ଦେବାସ ଡିଲ) ଧରା ପଡିଛି।

 

ଚାରିଆଡେ ଦୁର୍ନୀତି, କେବଳ ଦୁର୍ନୀତି। ବ୍ୟବସାୟ ଜଗତରେ ପରିସ୍ଥିତି ଅତ୍ୟନ୍ତ ସାଂଘାତିକ। ଏଭଳି ଅବସ୍ଥା ହୋଇଛି ଯେ ସାହାରାର ସୁବ୍ରତ ରାୟ ଜେଲରେ ଦୁଇ ବର୍ଷ  ଘଣା ପେଲି ଏବେ ଜାମିନରେ ବାହାରିଲେ। ଦ୍ୱିତୀୟ ୟୁପିଏ ସରକାର ସମୟରେ ଦୁର୍ନୀତିର ଅଙ୍କଟା ପହଞ୍ଚି ଯାଇଥିଲା ଇଂରେଜୀରେ ଯାହାକୁ କହନ୍ତି ଅଷ୍ଟ୍ରୋନମିକାଲ ଫିଗର ବା ସଂଖ୍ୟାରେ। ଆଉ ସେଥିପାଇଁ ବୋଧହୁଏ ଏଭଳି ଏକ ଧାରଣା ସୃଷ୍ଟି ହୋଇଗଲା ଯେ ଦୁର୍ନୀତି ଭଗବାନଙ୍କ ଭଳି ସର୍ବବ୍ୟାପ୍ତ ଶକ୍ତି। ଅକ୍ଷୟ ଅମର। ଆଇନ କାନୁନ ଦେଇ ପ୍ରତିବାଦ ଆନ୍ଦୋଳନ କରି ତାକୁ ବନ୍ଦ କରାଯାଇ ପାରିବ ନାହିଁ।

 

ଶେଷ ବେଳକୁ ପୁଣି ଫେରି ଆସୁଛି ବୋଫର୍ସ ପ୍ରସଙ୍ଗକୁ। ପ୍ରାକ୍ତନ ସିବିଆଇ ମୁଖ୍ୟ ଏ.ପି. ମୁଖାର୍ଜୀ ତାଙ୍କର ଗୋଟିଏ ପୁସ୍ତକ(ଅନନୋନ ଫେସେଟ‌୍‍ସ ଅଫ୍ ରାଜୀବ ଗାନ୍ଧି, ଜ୍ୟୋତି ବସୁ ଆଣ୍ଡ ଇନ୍ଦ୍ରଜିତ ଗୁପ୍ତ)ରେ ଲେଖିଛନ୍ତି ରାଜୀବ ଗାନ୍ଧି ତାଙ୍କୁ କହିଥିଲେ ସେ ଚାହାନ୍ତି ସମସ୍ତ ପ୍ରତିରକ୍ଷା ଚୁକ୍ତିର କମିଶନ ଟଙ୍କା ରାଜନୈତିକ ଦଳର ତହବିଲକୁ ଆସିବା ଉଚିତ୍। ରାଜୀବ ଜାଣନ୍ତି ମନ୍ତ୍ରୀ, ସେନାକର୍ତ୍ତା ଆଉ ବେସାମରିକ ଅଫିସରମାନେ ଏହି ଅର୍ଥ ଲୁଟ କରିଥା’ନ୍ତି। ଆଉ ସେଥିପାଇଁ ଆଇନ କରି ବ୍ୟବସାୟୀମାନେ ଯେପରି ଟଙ୍କା ସିଧାସଳଖ କୌଣସି ରାଜନୈତିକ ଦଳକୁ ଚାନ୍ଦା ହିସାବରେ ଦେଇପାରନ୍ତି ତା’ର ବ୍ୟବସ୍ଥା କରିବା କଥା ଭାବିଥିଲେ। କଫି ଖାଉ ଖାଉ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ତତ୍କାଳୀନ ସିବିଆଇ ଆଡିସନାଲ ଡିରେକ୍ଟର ଅରୁଣ ପ୍ରସାଦ ମୁଖାର୍ଜୀଙ୍କୁ କହିଥିଲେ ଏହି ଆଇନ ହେଲେ ବୈଧ ଭାବରେ କମିଶନର ଟଙ୍କା ରାଜନୈତିକ ଦଳର ପାଣ୍ଠିକୁ ଆସିପାରିବ। ବହିଟା ପଢିବା ବେଳେ ମୋର ମନେ ହେଲା ଯଦି ଏହି ତଥ୍ୟ ସତ୍ୟ ତେବେ ରାଜୀବଙ୍କ ଚିନ୍ତା ଓ ବିଚାର ମନ୍ଦ ନଥିଲା। ତା’ଛଡା ରାଜୀବ ଗାନ୍ଧିଙ୍କ ଧାରଣା ଥିଲା କଂଗ୍ରେସ ଚିରକାଳ କ୍ଷମତାରେ ରହିବ। ତେଣୁ ଟଙ୍କା ତାଙ୍କ ପାଖକୁ ଆସିବ।

 

ସମଗ୍ର ଦେଶ ଆଇନରେ ନୁହେଁ ବିନା ଆଇନରେ ଚାଲୁଛି। ଟଙ୍କା କମିଶନ ବେଆଇନ ଭାବେ ଚଳପ୍ରଚଳ ହେଉଛି। ଭାରତର ନୂଆ ପିଢ଼ି କ’ଣ ଭବିଷ୍ୟତରେ ଦୁର୍ନୀତିଗ୍ରସ୍ତ ରାଜନୀତିକମାନଙ୍କ ବିରୋଧରେ ଭାରତ ଛାଡ ଧ୍ୱନି ଦେଇ ସ୍ଳୋଗାନ ଦେବେ? ଭାବିବାକୁ ଭଲ ଲାଗେ ହଁ ନିଶ୍ଚୟ ଧ୍ୱନି ଦେବେ। କିନ୍ତୁ ସେମାନଙ୍କ ପୂର୍ବ ପିଢ଼ି ଭାବେ ଆପଣ, ମୁଁ ଆଉ ଆମ ଭଳି ଅନ୍ୟମାନେ ସେମାନଙ୍କ ପାଇଁ କେଉଁ ଦେଶ ତିଆରି କରିଛୁ? ଆମର କ’ଣ ପ୍ରାୟଶ୍ଚିତ କରିବାର ପ୍ରୟୋଜନ ନାହିଁ? ଅନ୍ତତଃ ଲାଞ୍ଚ ଦେବୁ ନାହିଁ ବୋଲି ଶପଥ କ’ଣ ଆମେ ନେଇପାରିବା? ନା- ଆମେ ଏବେ ଶୋଇ ପଡିବା ଏବଂ ଆମ ପ୍ରାୟଶ୍ଚିତ ଆମମାନଙ୍କର ହୋଇ ଆମ ଉତ୍ତରପିଢି ଆମ ପାଇଁ କରିବେ ବୋଲି ଧରିନେବା!

 

ହେ ପ୍ରଭୁ ଶ୍ରୀ ଜଗନ୍ନାଥ ତୁମେ ହିଁ ବିଚାର କରିବ!

 

ଭୁବନେଶ୍ୱର, ମୋ:୯୪୩୭୦୩୯୪୧୭

© 2015. Samanya Kathan All Rights Reserved | Editor : Debendra Prusty     

To Top