ଅସଂଖ୍ୟ ଆନ୍ଦୋଳନ, ଶୂନ୍ୟ ସଚେତନତା

image

ରତ୍ନେଶ୍ବର ସାହୁ

 

ଯେଉଁ ଆନ୍ଦୋଳନ, କିଛି କ୍ଷତିପୂରଣ, କିଛି ଆର୍ଥିକ ଏବଂ କିଛି ସାମଗ୍ରୀ ପାଇବା ପାଇଁ ହୋଇଥାଏ ସେହି ଆନ୍ଦୋଳନ ବେଶି ଦିନ ତିଷ୍ଠି ରହି ପାରେ ନାହିଁ। ଆନ୍ଦୋଳନ ସବୁବେଳେ ଆତ୍ମନିର୍ଭରଶୀଳତା ଉପରେ ପର୍ଯ୍ୟବସିତ ହେବା ଉଚିତ। ଯଦି ଲୋକଂକୁ କିଛି ପାଇବାର ଲୋଭ ଦେଖାଇ ଦିଆଯାଉଛି ଏବଂ ସେହି ଆଶା ପୂରଣ ନ ହେଲେ ସେମାନେ ଯେଉଁ ଲୋକଟି ସେମାନଂକୁ ଆନ୍ଦୋଳନ ପାଇଁ ଡାକିଥିଲା ତାଙ୍କ ଉପରେ ପ୍ରତିକ୍ରିୟା ପ୍ରକାଶ କରନ୍ତି। ଏଣୁ ଆନ୍ଦୋଳନ ସମୟରେ କୁହାଯିବ ଯେ ଏହି ସମସ୍ୟା ଏବଂ ଏହାର ସମାଧାନର ବାଟ ହେଉଛି ଏଇଟା, ନହେଲେ ଏପରି କରିବ, ଯଦି ଏହିଭଳି ହେଲା ନାହିଁ ତାହା ହେଲେ ଏହି ପଦକ୍ଷେପ ନେବ। ଯଦି ଏମିତି କରିବ ତାହାହେଲେ ତୁମର କାମ ହୋଇଯିବ। କିନ୍ତୁ ତୁମେ ତୁମ ପାଇଁ ଦାୟିତ୍ବ ନେବା ଉଚିତ ହେବ।

ତେଣୁ କୁହାଯାଏ ଆନ୍ଦୋଳନ ଯଦି ଅସୁବିଧା ଭୋଗ କରୁଥିବା ଲୋକମାନେ ଏକଜୁଟ ହୋଇ ପଦକ୍ଷେପ ନେଉଛନ୍ତି ତାହାହେଲେ ସେହି ଆନ୍ଦୋଳନର ସୁଫଳ ଲୋକମାନଂକ ପାଖରେ ପହଂଚିଥାଏ ଏବଂ ଭବିଷ୍ୟତରେ ଯଦି କିଛି ସମସ୍ୟା ଆସେ ତାହାହେଲେ ସେମାନେ ନିଜେ କରି ପାରିବାର କ୍ଷମତା ରଖନ୍ତି। ଆନ୍ଦୋଳନ ଯଦି ସାମୂହିକ ସ୍ବାର୍ଥ ପାଇଁ ତାହାହେଲେ ସମସ୍ତେ ମାନିବାକୁ ପ୍ରସ୍ତୁତ ହୁଅନ୍ତି। କିନ୍ତୁ ଯଦି ବ୍ୟକ୍ତିଗତ ସ୍ବାର୍ଥ ପାଇଁ ତାହାହେଲେ ସମୟ ଆସିଲେ ଆନ୍ଦୋଳନ ସହ ଯୋଡି ହୋଇଥିବା ଲୋକେ ଅପଦସ୍ତ ହୁଅନ୍ତି।

ଯେଉଁମାନେ ନିଜେ କୌଣସି ଲଜ୍ଜା ଅନୁଭବ କରନ୍ତି ନାହିଁ ସେମାନେ ଏହି ପ୍ରକାର (ଅନ୍ୟର ସମସ୍ୟା କିନ୍ତୁ ନିଜେ ଦେଖାଇହେବା) ପ୍ରକ୍ରିୟାକୁ ବାରମ୍ବାର ଆପଣାଇଥାନ୍ତି। କାରଣ ହେଲା ସେମାନେ ଯେକୌଣସି ପ୍ରକାରେ ନିଜର ବ୍ୟକ୍ତିଗତ (ସ୍ବାର୍ଥବାଦୀ ନେତୃତ୍ବ) ସ୍ବାର୍ଥ ହାସଲ କରିବାକୁ ଚାହିଁଥାନ୍ତି। ସବୁଠାରୁ ବଡକଥା ହେଲା ଯଦି ଲକ୍ଷେ ବ୍ୟକ୍ତିଗତ ସ୍ବାର୍ଥବାଦୀଙ୍କୁ ନେଇ ଆନ୍ଦୋଳନ କରାଯାଏ ତାହାହେଲେ ସେହି ଆନ୍ଦୋଳନ ବେଶିଦିନ ତିଷ୍ଠି ରହିପାରେ ନାହିଁ। ବରଂ ୧୦ ଜଣ ସାମୂହିକ ସ୍ବାର୍ଥ ପାଇଁ ଲଢୁଥିବା ଲୋକ ଚାହିଁଲେ ଦୁନିଆ ବଦଳିଯିବ। କିନ୍ତୁ ଯେହେତୁ ୯୫ ଭାଗ ଲୋକ ବିଭିନ୍ନ ବିଷୟରେ, ଆଇନ ବିଷୟରେ ଏବଂ ସେମାନଙ୍କ ପାଇଁ ଥିବା ସୁବିଧା ବିଷୟରେ ପଢନ୍ତି ନାହିଁ କିମ୍ବା ଜାଣନ୍ତି ନାହିଁ ତେଣୁ ସମସ୍ୟା ସେମିତି ରହିଯାଏ। ସମସ୍ତେ ଭାବନ୍ତି ଅନ୍ୟମାନେ କରିଦିଅନ୍ତୁ, ମୁଁ ଜାଣିନି, ମୋତେ ଲାଜ ଲାଗୁଛି, ମୋତେ ଭୟ ଲାଗୁଛି, ଏତେ ବଡ ଅଫିସରଙ୍କ ସହ କଥା ହୋଇ ପାରିବି? ଏହିଭଳି ମାନସିକତା ଯୋଗୁଁ ଆମେ ସବୁବେଳେ ପଛୁଆ ରହିଯାଉ ଏବଂ ଆମକୁ ବ୍ୟବହାର କରି ଅନ୍ୟମାନେ ନିଜର ବ୍ୟକ୍ତିଗତ ସୁବିଧା ହାସଲ କରିଦେଉଛନ୍ତି।

ତେଣୁ ଆଜି ସମୟ ଆସିଛି ନିଜେ ନିଜ ବିଷୟରେ ଜାଣିବା, ନିଜ ପାଇଁ କଣ ସୁବିଧା ରହିଛି ସେ ବିଷୟରେ ଜାଣିବା, ଆମ ପାଇଁ ଆଉ କିଏ କରିଦେବ ନାହିଁ ତେଣୁ ଆମେ ନିଜେ ନିଜ ପାଇଁ କରିବାକୁ ପଡିବ। କୁହାଯାଏ ଯେ ଯେକୌଣସି ସମସ୍ୟା ସମାଧାନ ପାଇଁ ଆମକୁ ସେହି ସମସ୍ୟା ବିଷୟରେ ଜ୍ଞାନ ରହିବା କଥା, ସେହି ସମସ୍ୟାକୁ ସମାଧାନ କରିପାରିବାର ଦକ୍ଷତା ରହିବା ଦରକାର, ସେହି ସମସ୍ୟା ଯୋଗୁଁ ମୁଁ ମଧ୍ୟ ପ୍ରଭାବିତ ହେଉଛି ସେହି ଭଳି ମାନସିକତା ରହିବା ଉଚିତ।  ଏହାଦ୍ବାରା ପ୍ରତ୍ୟେକ ଆନ୍ଦୋଳନ ତିଷ୍ଠି ରହେ। ଆନ୍ଦୋଳନ ସବୁବେଳେ ସତ୍ୟ, ନ୍ୟାୟ, ଧର୍ମ, ଭରସା, ବିଶ୍ବାସ, ଅହିଂସା ଏବଂ ଏକତା ଉପରେ ନିର୍ଭରଶୀଳ। ଏଠାରେ ଧର୍ମର ଅର୍ଥ ହେଲା ମାନବିକତା। ଆନ୍ଦୋଳନ ଯଦି ହିଂସା ଉପରେ ନିର୍ଭର କରେ ତେବେ ତାହାହେଲେ ଅନ୍ୟମାନେ ପଛଘୁଞ୍ଚା ଦିଅନ୍ତି।

ସମସ୍ତେ ନିଜେ ନିଜକୁ ପ୍ରଶ୍ନ କରିବା ଦରକାର, କାହିଁକି ଏହି ସ୍ଥିତି? ଏହି ପରିସ୍ଥିତିର କାରଣ କ’ଣ? ଆଜିର ଦିନରେ ପ୍ରତ୍ୟେକ ତର୍କର ଶେଷ ସିଦ୍ଧାନ୍ତ ହେଉଛି ଦୁର୍ନୀତି, ଜନସଂଖ୍ୟା, ବେକାରୀ ଏବଂ ଅଧିକାଂଶ ଲୋକ ସଚେତନ ନୁହନ୍ତି। ଆମେ ୧୯୯୭ ମସିହାରେ ଗ୍ରାଜୁଏସନ ପଢୁଥିବା ସମୟରେ ଏହି ସିଦ୍ଧାନ୍ତ ପରେ ଆଉ ଆଲୋଚନା ଆଗକୁ ଯାଉ ନ ଥିଲା। କିନ୍ତୁ ୨୦ ବର୍ଷ ପରେ ଠିକ ସେହି ସିଦ୍ଧାନ୍ତରେ ଆମେ ଅଟକି ଯାଇଛେ। ଦେଶ ଆଗକୁ ଯାଇଥିବା କଥା କହୁଥିଲା ବେଳେ ସଚେତନତା ନ ପହଂଚି ପାରିବାର ଅର୍ଥ କ’ଣ ହୋଇପାରେ?

ବଜାରକୁ ଯେତେବେଳେ ନୁଆ ସାମଗ୍ରୀ ଆସୁଛି, ସରକାର ଯେତେବେଳେ ଲୋକଂକୁ ସିଧାସଳଖ କିଛି ସୁବିଧା ଦେଉଛନ୍ତି ସେହି ବିଷୟରେ ଲୋକେ ଜାଣିପାରୁଛନ୍ତି। କିନ୍ତୁ ଅନ୍ୟ ସମୟରେ ଜାଣି ନ ପାରିବାର କାରଣ କ’ଣ? କିଏ ପ୍ରତିବନ୍ଧକ ହେଉଛି? ଆମକୁ ସେହି କଥା ବାରମ୍ବାର କହି ଠକୁଥିବା ସେହି ଲୋକମାନଂକୁ କେବେ ଆମେ ପ୍ରଶ୍ନ କରିଛେ କି ଯେ, ତୁମେ ବିକାଶର ଦାୟିତ୍ବ ନେଇ ଦୀର୍ଘ ବର୍ଷ ହେଲା କେତେ ପରିମାଣରେ ସଚେତନତା କରାଇଛ, ବେକାରୀ ସ୍ଥିତି କ’ଣ ଏବଂ କେତେ ପରିମାଣରେ ଦୁର୍ନୀତି କମିଛି? ତେଣୁ ସମସ୍ତେ ଅନ୍ୟର ଦୟା ଉପରେ ନ ବଂଚି ନିଜେ କିଛି କାମ କରିବା, ରୋଜଗାର ପାଇବା ଏବଂ ନିଜେ ନିଜ ପରିବାରକୁ ଖାଇବାକୁ ଦେଇପାରିବା ଏହିଭଳି ମାନସିକତା ରହିବା ଦରକାର। କେତେଜଣ ଏହି ଲୋକଂକୁ ବ୍ୟବହାର କରି ନିଜର ସ୍ବାର୍ଥ ହାସଲ କରିପାରିଛନ୍ତି ତାହା ଆଲୋଚନା କରିବାର ସମୟ ଆସିଛି।  ରାଜନୈତିକ ଦଳ ଏବଂ ନେତା ସଂଖ୍ୟା ମଧ୍ୟ ବହୁତ ବଢିଛି। କିନ୍ତୁ ସମସ୍ୟା ଯେମିତିକୁ ସେମିତି। ନିଜେ ବଂଚିବା ପାଇଁ କ’ଣ ନିଜ ଦେଶବାସୀଙ୍କ ସହ ବିଶ୍ବାସଘାତ କରିବା? ସମୟ ଆସିଛି ଆନ୍ଦୋଳନ ବିଷୟରେ ସମସ୍ତେ ଠିକ ଭାବେ ବୁଝିବା ଦରକାର। କାହାର ଚକ୍ରାନ୍ତରେ ଉତ୍ସାହିତ ହୋଇ ଆନ୍ଦୋଳନ ଗୁଡିକରେ ସାମିଲ ହେଲେ କିଛି ସମୟ ପାଇଁ ଖୁସି ମିଳେ କିନ୍ତୁ ଅଧିକ ଦିନ ପର୍ଯ୍ୟନ୍ତ କଷ୍ଟ ଭୋଗିବାକୁ ପଡିଥାଏ।

© 2015. Samanya Kathan All Rights Reserved | Editor : Debendra Prusty     

To Top