ଅନମନୀୟ ବାବା ସାହେବ

image

ରଣେନ୍ଦ୍ର ପ୍ରତାପ ସ୍ୱାଇଁ

 

ତିନୋଟି ତତ୍ତ୍ବଗତ ପ୍ରବାହ ସମ୍ରାଜ୍ୟବାଦ ବିରୋଧୀ ଜାତୀୟ ଆନ୍ଦୋଳନକୁ ବହୁଳାଂଶରେ ଆନ୍ଦୋଳିତ କରିଥିଲା। ଏହି ପ୍ରବାହ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଦିଗକୁ ନେଇ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ଦେଶରୁ ସାମ୍ରାଜ୍ୟବାଦ ଶକ୍ତିକୁ ହଟାଇ ଏକ ଜାତୀୟ ସରକାର ପ୍ରତିଷ୍ଠା ପାଇଁ ସାମୂହିକ ଭାବରେ ଜନଗଣଙ୍କ ମଧ୍ୟରେ ଦାବୀ ଦାନା ବାନ୍ଧି ଆସୁଥିବା ବେଳେ ରାଜନୈତିକ ପରିବର୍ତ୍ତନ ପାଇଁ ସାମାଜିକ ସ୍ତରରେ ଐକ୍ୟ ପ୍ରତିଷ୍ଠା ପାଇଁ ସଂଗ୍ରାମ କରିଥିଲେ ବାବାସାହେବ ବିଆର ଆମ୍ବେଦକର।

ବହୁ ଅନ୍ଧବିଶ୍ୱାସ, କୁ-ସଂସ୍କାର ଓ ସାମାଜିକ ବୈଷମ୍ୟ ଏ ଯୋଗୁଁ ସମାଜରେ ଐକ୍ୟ ପ୍ରତିଷ୍ଠାରେ ଦେଖା ଦଇଥିଲା ବହୁ ବିଡ଼ମ୍ୱନା। ସାମାଜିକ ସ୍ତରରେ ସାମ୍ୟତା ଓ ଭ୍ରାତୃତ୍ବ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ, ବିଦେଶୀ ସରକାର କେଉଁ ଲୋକଙ୍କୁ କ୍ଷମତା ହସ୍ତାନ୍ତର କରିବ ଓ ସେମାନଙ୍କ ହାତରେ ଶାସନ ବ୍ୟବସ୍ଥା କାହାର କେଉଁ ଉପକାରରେ ଆସିବ ଏଥିନେଇ ସାମାଜିକ ସ୍ତରରେ ବୈଷମ୍ୟ ଦ୍ବାରା ଆକ୍ରାନ୍ତ ଦେଶବାସୀଙ୍କ ମନରେ ସଂଶୟ ରହିଥିଲା।

ଅର୍ଥନୈତିକ ସ୍ତରରେ ଥିବା ବିଷମତାକୁ ନେଇ ଲାଗିରହିଥିବା ବାଦାନୁବାଦ ସାମ୍ରାଜ୍ୟବାଦୀ ପୁଞ୍ଜିବାଦ ଓ ସାମନ୍ତବାଦୀ ବ୍ୟବସ୍ଥା ମଧ୍ୟରେ ଆର୍ଥିକ ବିଷମତାକୁ ହଟାଇ କିପରି ଅର୍ଥନୈତିକ ସାମ୍ୟତା ଆସିପାରିବ ଓ ଜନସାଧାରଣ ଶୋଷଣରୁ ମୁକ୍ତ ହୋଇପାରିବେ ସେଥିନେଇ ତତ୍ତ୍ବଗତ ଭିତ୍ତି ସ୍ଥାପନ ପାଇଁ ପ୍ରଚେଷ୍ଟା ଜାରି ରହିଥିଲା। ମାର୍କ୍ସବାଦର ବିକାଶ ଓ ଇଉରୋପୀୟ ଦେଶମାନଙ୍କରେ ସମାଜବାଦୀ ଆନ୍ଦୋଳନ ଭାରତୀୟ ଜାତୀୟ ଆନ୍ଦୋଳନକୁ ବେଶ୍ ପ୍ରଭାବିତ କରିଥିଲା। ଶାସନର ରୂପରେଖ ନେଇ ମନ ଭିତରୁ ସନ୍ଦେହ ଦୂରୀଭୂତ ହେବାକୁ ଲାଗିଥିଲା। କ୍ଷମତା ହସ୍ତାନ୍ତର ହେଲେ ଲୋକ ପ୍ରତିନିଧିମୂଳକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତିଷ୍ଠା ହେବ। ହେଲେ, ଏହି ପ୍ରତିନିଧି କେଉଁ ବର୍ଗ ଲୋକଙ୍କର ପ୍ରତିନିଧିତ୍ବ କରିବେ? ଧନୀ-ସାମନ୍ତବାଦୀ ବର୍ଗର ନାଁ ଗରିବ ବର୍ଗର? ଶୁଦ୍ର ଓ ପଛୁଆ ବର୍ଗର ନାଁ ଉଚ୍ଚ ବର୍ଗର? ଶାସନ ବ୍ୟବସ୍ଥା ସ୍ଥିତାବସ୍ଥାର କାଏମ ରଖିବ ନାଁ ଏକ ପ୍ରଗତିଶୀଳ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବ? ସାମାଜିକ ବୈଷମ୍ୟ ମଧ୍ୟରେ ଧାର୍ମିକ ଚେତନା ମଧ୍ୟ ଅନ୍ତଭୁର୍କ୍ତ ଥିଲା। ସାମାଜିକ ଓ ଅର୍ଥନୈତିକ ବୈଷମ୍ୟତାର ସମାଧାନ ସୂତ୍ର ନେଇ ଏକ ଜାତୀୟ ସହମତି ଓ କାର୍ଯ୍ୟାନୁଷ୍ଠାନ ସୂଚୀ ଗ୍ରହଣ କରାଯାଇପାରିଲା ନାହିଁ। ପୁନରୁଦ୍ଧାର ଡ଼ାକରା ସାମାଜିକ ଓ ଅର୍ଥନୈତିକ ବୈଷମ୍ୟ ବିରୋଧୀ ଆନ୍ଦୋଳନକୁ ପଛରେ ପକାଇ ରାଜନୈତିକ ପରିବର୍ତ୍ତନର ଆନ୍ଦୋଳନ ମୁଖ୍ୟ ଭୂମିକା ଗ୍ରହଣ କଲା।

ଜାତୀୟ ଆନ୍ଦୋଳନରେ ଗାନ୍ଧୀଜୀ ଉଭା ହେବାର ବହୁ ପୂର୍ବରୁ ୧୮୯୨ ମସିହାରେ କଂଗ୍ରେସର ଅଷ୍ଟମ ଅଧିବେଶନ ଆହ୍ଲାବାଦଠାରେ ଅନୁଷ୍ଠିତ ହେଲା। ଏହି ଅଧିବେଶନରେ ଉମେଶ ଚନ୍ଦ୍ର ବାନାର୍ଜୀ ଅଧ୍ୟକ୍ଷତା କରିଥିଲେ। ତାଙ୍କ ଅଭିଭାଷଣରେ ତତ୍କାଳୀନ ରାଜନୈତିକ ଦୃଷ୍ଟିଭଙ୍ଗୀ ବେଶ ସ୍ପଷ୍ଟ ଥିଲା। ଖୋଲା ଅଧିବେଶନରେ ସେ ଶୁଣାଇଦେଲେ, ସମାଜ ବ୍ୟବସ୍ଥାରେ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ରାଜନୈତିକ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଯେଉଁମାନେ କହୁଛନ୍ତି ତାଙ୍କୁ ମୁଁ ଧୈର୍ଯ୍ୟର ସହ ଗ୍ରହଣ କରିପାରୁ ନାହିଁ। ଏହି ଦୁଇଟି କଥାର କି ପ୍ରକାର ସାମଞ୍ଜସ୍ୟ ରହିଛି ତାହା ବୁଝି ହେଉନାହିଁ। ଅନେକ ରାଜନୈତିକ ପରିବର୍ତ୍ତନ ନିମନ୍ତେ ଏଇଥିପାଇଁ ଅଯୋଗ୍ୟ ଯେ, ଆମର ବିଧବାମାନେ ବିବାହ କରି ପାରୁନାହାନ୍ତି ଓ ଆମର ଝିଅମାନେ ଅନ୍ୟ ଦେଶ ତୁଳନାରେ, ବହୁ କମ୍ ବୟସରେ ବିବାହ କରୁଛନ୍ତି? ଏହା କ’ଣ କାରଣ ଯେ ଆମ ବୋହୂ ଓ ଝିଅମାନେ ଆମ ସାଂଗରେ କୁଣିଆ ଘରକୁ ଯାଇ ପାରୁନାହାନ୍ତି? ଆମର ଝିଅମାନଙ୍କୁ ଉଚ୍ଚଶିକ୍ଷା ପାଇଁ କେମ୍ବ୍ରିଜ କିମ୍ୱା ଅକ୍ସଫୋର୍ଡ଼କୁ ଆମେ ପଠାଇ ପାରୁନାହୁଁ। ଉପସ୍ଥିତ ପ୍ରତିନିଧିଙ୍କ କରତାଳିରେ ସଭାକକ୍ଷ ସେଦିନ କମ୍ପି ଉଠିଥିଲା

ଦେଶ ସ୍ୱାଧୀନ ହୋଇଛି। ସାମ୍ରାଜ୍ୟବାଦୀ ଶକ୍ତି ହାତରୁ କ୍ଷମତା ହସ୍ତାନ୍ତର ହୋଇଛି। ଦେଶ ଛାଡ଼ି ବିଦେଶୀ ଗଲେ ଓ ଏହି ଯିବା ସହିତ କେଉଁ ଅଭୁତ ସଂଯୋଗରେ ଦେଶର ଅର୍ଥ ମଧ୍ୟ ବିଦେଶକୁ ଚାଲିଗଲା। ଗତ ସାଧାରଣ ନିର୍ବାଚନ ସମୟରେ ବିଦେଶରୁ ଟଙ୍କା ଅଣାଯାଇ ପ୍ରତ୍ୟେକ ନାଗରିକଙ୍କ ଆକାଉଣ୍ଟରେ ଟଙ୍କା ପୈଠ କରିବା ପାଇଁ ନିର୍ବାଚନ ଇସ୍ତାହାରରେ ପ୍ରତିଶୃତି ମଧ୍ୟ ଦିଆଗଲା।

ସ୍ୱାଧୀନୋତ୍ତର ଭାରତ ବର୍ଷରେ ହଜାର ହଜାର ବର୍ଷ ଧରି ରହି ଆସିଥିବା ସାମାଜିକ ଓ ଅର୍ଥନୈତିକ ବିଷମତା ଦୂର କରିବାରେ ଆମେ କେତେଦୂର ସକ୍ଷମ ହେଲେ? ବିଦେଶୀ ତ ଗଲେ, ଶୋଷଣ ଗଲା ନା ରହିଲା? ମନ ଭିତରେ ଏହି ସବୁ ଅସମାହିତ ପ୍ରଶ୍ନ ଉଙ୍କି ମାରିଲା ବେଳେ, ମନକୁ ଆସି ଯାଆନ୍ତି ବାବା ସାହେବ ଭୀମରାଓ ଆମ୍ୱେଦକର ଓ ତାଙ୍କର ଦୂରଦର୍ଶୀ ସାମାଜିକ ବିଶ୍ଳେଷଣ।

ବ୍ରିଟିଶ ସରକାରଙ୍କ ଦ୍ୱାରା ଦେଶରେ ଜନ ଗଣନା ଆରମ୍ଭ ହେଲା ୧୮୮୧ ମସିହାଠାରୁ। ୧୯୩୧ ମସିହା ଜନଗଣନାରୁ ଦେଖାଗଲା ଅବିଭାଜ୍ୟ ପଞ୍ଜାବ ପ୍ରଦେଶର ହିନ୍ଦୁ ଜନସଂଖ୍ୟା ୪୩.୮ ପ୍ରତିଶତରୁ ଖସି ପହଞ୍ଚିଛି ୨୯.୧ ପ୍ରତିଶତରେ। ଏତେ ମାତ୍ରାରେ ହିନ୍ଦୁ ଜନସଂଖ୍ୟା କମିଲା କାହିଁକି? ଧର୍ମାନ୍ତରଣ, ହିନ୍ଦୁ ସମାଜ ବ୍ୟବସ୍ଥାରେ ବୈଷମ୍ୟରେ ଶିକାର ହୋଇଥିବା ତଳ ଜାତିର ଲୋକ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିୟାନ, ଇସଲାମ୍ କିମ୍ୱା ଶିଖ ଧର୍ମ ଗ୍ରହଣ କରିନେଇଛନ୍ତି। ହିନ୍ଦୁ ସମାଜ ବ୍ୟବସ୍ଥାର ଅମାନବିକ ଉଚ୍ଚ-ନୀଚ ଭେଦଭାବ ଓ ଅସ୍ପୃଶ୍ୟତା ଯୋଗୁଁ ପୀଡ଼ିତ ଜନ ସାଧାରଣ ଆକର୍ଷିତ ହୋଇଯାଇଛନ୍ତି ଅନ୍ୟ ଧର୍ମକୁ। ବାବା ସାହେବ ଯେଉଁ ଅସ୍ପୃଶ୍ୟ ଜାତିର, ସେହି ଜାତିର ଲୋକ ସାଧାରଣ ରାସ୍ତାରେ ଯିବାବେଳେ ଅଣ୍ଟାରେ ଝୁଲାଇବାକୁ ପଡ଼ୁଥିଲା ଗୋଟିଏ ଝାଡ଼ୁ ଓ ପାଟିରେ ବାନ୍ଧିବାକୁ ପଡ଼ୁଥିଲା ଗୋଟିଏ ମାଟି ଠେକି। ଅସ୍ପୃଶ୍ୟ ଲୋକର ପାଦସ୍ପର୍ଶରେ ଅପବିତ୍ର ହେଉଥିବା ରାସ୍ତା ଝାଡ଼ୁ ଦ୍ୱାରା ପବିତ୍ର ହେବ ଓ ଛେପ ଠେକିରେ ପକାଇ ରାସ୍ତାର ପବିତ୍ରତା ରକ୍ଷା କରାଯିବ। ଏ ପ୍ରକାର ଅମାନବିକ ଓ ଅସଂହତ ସଂପର୍କ ମଧ୍ୟରେ ବିଦେଶୀମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ସଂହତି ଆସିବ କିପରି?

ଶାସନର ସୁବିଧା ଯୋଗୁଁ ହିନ୍ଦୁ ସମାଜ ବ୍ୟବସ୍ଥାରେ କୈାଣସି ପରିବର୍ତ୍ତନ ଆଣିବା ପାଇଁ ବ୍ରିଟିଶ ଶାସନ ଥିଲା ପରାଙମୁଖ। ଅତି ବେଶୀରେ ସେମାନେ ଅମ୍ପାୟାରର ଭୂମିକା ତୁଲାଉଥିଲେ। ସତୀଦାହ ଓ ବାଲ୍ୟ କିମ୍ୱା ବିଧବା ବିବାହ ପରି ଯେଉଁ କେତେକ ଆଇନଗତ କଟକଣା କରାଯାଇଥିଲା ସେସବୁ ପୁଣି କେତେକ ପ୍ରଗତିଶୀଳ ଭାରତୀୟଙ୍କ ପ୍ରଚେଷ୍ଟା ଓ ଦାବୀ ଯୋଗୁଁ ଜନଗଣନା ରିପୋର୍ଟ ଆଧାରରେ ହିନ୍ଦୁ ଜନସଂଖ୍ୟା ଧର୍ମାନ୍ତୀକରଣ ଯୋଗୁଁ ହ୍ରାସ ପାଇବା କାରଣରୁ ଓ ସାମାଜିକ ସଂହତି ଆଣିବା ଲକ୍ଷ୍ୟରେ କିଛି ପ୍ରଗତିଶୀଳ ଭାରତୀୟଙ୍କ ଦ୍ୱାରା ବ୍ରାହ୍ମ ସମାଜ ଗଠନ କରାଯାଇ ସମାଜ ସଂସ୍କାର ଦିଗରେ ପଦକ୍ଷେପମାନ ଗ୍ରହଣକଲା।

ଅବିଭାଜ୍ୟ ପଞ୍ଜାବର ଜାତି- ପାତ-ତୋଡ଼କ ମଣ୍ଡଳ ଏହି ବ୍ରାହ୍ମ ସମାଜର ଏକ ଅଂଶ ବିଶେଷ ଭାବରେ କାର୍ଯ୍ୟ କରୁଥିଲା। ଏହି ଅନୁଷ୍ଠାନର ୧୯୩୬ ମସିହା ବାର୍ଷିକ ସମ୍ମିଳନୀରେ ଅଧ୍ୟକ୍ଷତା କରିବା ଓ ହିନ୍ଦୁ ଧର୍ମ ବ୍ୟବସ୍ଥାର ଜାତିବାଦ ଉପରେ ନିଜର ବକ୍ତବ୍ୟ ରଖିବା ପାଇଁ ବାବା ସାହେବ ଆମ୍ୱେଦକରଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ବାବା ସାହେବଙ୍କର ମଣ୍ଡଳ ବାର୍ଷିକ ସମ୍ମିଳନୀରେ ଦେବାକୁ ଥିବା ଦୀକ୍ଷାନ୍ତ ଅଭିଭାଷଣରେ ବେଦ ଓ ଧର୍ମ ପରିବର୍ତ୍ତନ ନେଇ କେତେକ ମନ୍ତବ୍ୟକୁ ମଣ୍ଡଳର ଅଧିକାରୀମାନେ ଗ୍ରହଣ କରିପାରିଲେ ନାହଁି। ଅନୁରୋଧ କଲେ କେତେକ ପରିବର୍ତ୍ତନ ପାଇଁ,ଁ ହେଲେ ବାବା ସାହେବ ଅସ୍ୱୀକାର କଲେ। ମଣ୍ଡଳର ବାର୍ଷିକ ସମ୍ମିଳନୀକୁ ବାତିଲ କରି ଦିଆଗଲା। ବାବା ସାହେବ ତାଙ୍କ ପ୍ରସ୍ତୁତ କରିଥିବା ଅଭିଭାଷଣଟିକୁ ମୁଦ୍ରିତ କରି ‘ଜାତି ବିଲୋପନ’ ପୁସ୍ତକ ଆକାରରେ ପ୍ରକାଶ କରିଥିଲେ। ଏହି କ୍ଷୁଦ୍ର ପୁସ୍ତିକାଟି ହିନ୍ଦୁ ସମାଜ ମଧ୍ୟରେ ବାରୁଦରେ ନିଆଁ ଲଗାଇ ଦେବା କାର୍ଯ୍ୟ ଭଳି ଅବସ୍ଥା ସୃଷ୍ଟି କଲା। ହେଲେ ଏହି କ୍ଷୁଦ୍ର ପୁସ୍ତିକାଟିରେ ଜାତି ବ୍ୟବସ୍ଥାର ଉଦ୍ଭବ, ଏହାର ଅପକାରିତା ଓ ଏହାର ବିଲୋପନ ପାଇଁ ଯେଉଁ ସବୁ ଯୁକ୍ତି ବାଢିଲେ ତାକୁ ବୌଦ୍ଧିକ ସ୍ତରରେ ଖଣ୍ଡନ କଲାଭଳି ସେମିତି କିଛି ଯୁକ୍ତିଯୁକ୍ତ କାରଣ ନଥିଲା। ମହାତ୍ମା ଗାନ୍ଧୀଙ୍କ ଦ୍ବାରା ସଂପାଦିତ ହରିଜନ ଓ ୟଂଗ ଇଣ୍ଡିଆ ପତ୍ରିକାରେ ସ୍ୱୟଂ ମହାତ୍ମା ଏହାକୁ ଖଣ୍ଡନ କରିଥିଲେ।

ମହାତ୍ମା ମନ୍ତବ୍ୟ ଦେଲେ, ଆମ୍ୱେଦକରଙ୍କ ପୁସ୍ତିକାଟିକୁ ଆଠ ଅଣା ପରିବର୍ତ୍ତେ ଦୁଇ ଅଣା କିମ୍ୱା ଚାରି ଅଣା କରିଦେଲେ ବହୁ ଲୋକଙ୍କ ପାଖରେ ଏହା ପହଞ୍ଚିପାରନ୍ତା। ଆହୁରି ମନ୍ତବ୍ୟ ରଖିଲେ ଜାତି ବ୍ୟବସ୍ଥା ବର୍ଣ୍ଣ ବ୍ୟବସ୍ଥାର ଅପଭ୍ରଂଶ ଓ ଏହା ପଛରେ କୌଣସି ଶାସ୍ତ୍ରୀୟ ସମ୍ମତି ନାହିଁ। ବର୍ଣ୍ଣ ବ୍ୟବସ୍ଥା ବଂଶାନୁକ୍ରମିକ ନୁହେଁ ପରନ୍ତୁଃ ଯୋଗ୍ୟତା ଭିତ୍ତିରେ ପ୍ରତିଷ୍ଠିତ। ଯଦି କେହି ଶାସ୍ତ୍ରୀୟ ପ୍ରମାଣରେ ଅସ୍ପୃଶ୍ୟତା ଧର୍ମଭିତ୍ତିକ ବୋଲି ପ୍ରମାଣ କରିଦିଏ ତେବେ ହିନ୍ଦୁ ଧର୍ମ ପରିବର୍ତ୍ତନ କରିବାରେ ମଁୁ ହେବି ପ୍ରଥମ ବ୍ୟକ୍ତି।

ଗାନ୍ଧିଜୀଙ୍କ ମତାମତ ବାବା ସାହେବ ଗ୍ରହଣ କଲେ ନାହଁି। ତାଙ୍କ ସମାଲୋଚନାକୁ ଆହୁରି ତୀର୍ଯକ ଓ ଶାଣିତ କରି କହିଲେ ଭାରତୀୟ ସମାଜରେ ପ୍ରଚଳିତ ଚାରି ବର୍ଣ୍ଣ ବ୍ୟବସ୍ଥା ଯଦି ଯୋଗ୍ୟତା ଭିତ୍ତିକ ତେବେ ବଂଶାନୁକ୍ରମିକ ଭାବରେ ଯୋଗ୍ୟତା ନଥାଇ ଉକ୍ତ ସ୍ଥାନରେ ଥିବା ଲୋକଙ୍କୁ କିଏ କିପରି ହଟାଇ ପାରିବ? ସେହିପରି ଯୋଗ୍ୟତା ଥିବା ତଳ ଜାତିର ଲୋକଙ୍କୁ କେଉଁ ନୀତି ଓ କେଉଁ ମାଧ୍ୟମରେ ଉଠାଇହେବ? ହେଲେ, ବାବାସାହେବ କାହାକୁ ଯୋଗ୍ୟତା ଭିତ୍ତିରେ ଉପରକୁ କିମ୍ୱା ଏହାର ଅନୁପସ୍ଥିତରେ କାହାକୁ ତଳକୁ ଖସାଇ ଦେବା ନୀତିରେ ବିଶ୍ୱାସ କରିନଥିଲେ। ତାଙ୍କ ଉଦ୍ଦେଶ୍ୟରେ ଏକ ମହତ ଲକ୍ଷ୍ୟ ହାସଲର ପ୍ରଚେଷ୍ଟା ଥିଲା। ହିନ୍ଦୁ ସମାଜ କିପରି ସମତାଭିତ୍ତିକ ହୋଇପାରିବ ତାହା ହିଁ ଥିଲା ତାଙ୍କ ଆଦର୍ଶ ଓ ଦର୍ଶନର ଭିତ୍ତି। ବିବିଧ କାରଣରୁ ରାଜନୈତିକ ପରିବର୍ତ୍ତନ ଭାରତୀୟ ଜନଗଣଙ୍କୁ ଅଧିକ ଆକୃଷ୍ଟ କରିଥିଲା ଓ ସାମାଜିକ ପରିବର୍ତ୍ତନ ଗୈାଣ ହୋଇଯାଇଥିଲା।

ଆଜି, ଲଭ ଜେହାଦ, ଘର ୱାପସି, ଗୋ-ମାଂସ ଭକ୍ଷଣ କିମ୍ୱା ଜାତୀୟତାବାଦ ନେଇ ସାମାଜିକ ସ୍ତରରେ ଯେଉଁ ଅସନ୍ତୁଳନ ଦେଖାଦେଇଛି ତା ପଛରେ ରହିଛି ବାବା ସାହେବଙ୍କ ଦ୍ୱାରା ପ୍ରସ୍ତାବିତ ପ୍ରତିକାର ମୂଳକ ବ୍ୟବସ୍ଥା। ସ୍ୱାଧୀନତାର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ କରିବାରେ ବିଫଳତା।

ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ, ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ କିମ୍ୱା ଶ୍ରୀ ନଗର ଜାତୀୟ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ଆଜି ଯେଉଁ ଅଘଟଣମାନ ଘଟି ସାମାଜିକ ଓ ଜାତୀୟ ବିଭେଦ ସୃଷ୍ଟି କରୁଛି ଏ ସମସ୍ତ ହେଉଛି ସାମାଜିକ ସଂସ୍କାର କ୍ଷେତ୍ରରେ ବାବା ସାହେବଙ୍କ ଦ୍ୱାରା ଦିଆ ଯାଇଥିବା ପରାମର୍ଶକୁ ଅଣଦେଖା କରିବା।

ଭାରତ ସ୍ୱାଧୀନ ହେଲା। ନୂତନ ସଂବିଧାନ ପ୍ରଣୟନ ହେଲା, ସଂବିଧାନ ପ୍ରଣୟନ ସଭାର ଅଧ୍ୟକ୍ଷ ରହିଲେ ନିଜେ ବାବା ସାହେବ। ହେଲେ ତାଙ୍କରି ଦ୍ୱାରା ପ୍ରଣୀତ ହୋଇଥିବା ସମ୍ୱିଧାନ ପ୍ରତି ତାଙ୍କର କ’ଣ ଆସ୍ଥା ଥିଲା? ଆସ୍ଥା ନ ଥିଲା। କାରଣ ସେ ଯାହା ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଚାହୁଁଥିଲେ, ସମ୍ୱିଧାନ ପ୍ରଣୟନ ସଭାର ସଂଖ୍ୟା ଗରିଷ୍ଠ ସଭ୍ୟମାନଙ୍କ ବିରୋଧ ଯୋଗଁୁ ତାହା କରି ପାରି ନଥିଲେ। ତାଙ୍କ ହତାଶ ଓ ଅନାସ୍ଥା ଭାବ ଜଣାପଡେ଼ ୨ ସେପ୍ଟେମ୍ୱର ୧୯୫୩ ମସିହାରେ ରାଜ୍ୟସଭାରେ ସେ ରଖିଥିବା ବକ୍ତବ୍ୟରୁ। ରାଜ୍ୟ ସଭାରେ ଅଧ୍ୟକ୍ଷଙ୍କୁ ସମ୍ୱୋଧନ କରି ସେ କହିଛନ୍ତି, ସାର‌୍‍ ମୋର ବନ୍ଧୁ କହୁଛନ୍ତି ମଁୁୂ ସମ୍ୱିଧାନ ତିଆରି କରିଛି, ହେଲେ ଏଥିରେ ଅଗ୍ନି ସଂଯୋଗ କରିଦେବା ପାଇଁ ମୁଁ ପ୍ରସ୍ତୁତ। ଏ ସମ୍ୱିଧାନ କାହା ଉପକାରରେ ଆସିବ ନାହିଁ। ସେ ଯାହା ହେଉନା କାହଁିକି ଆମର ଲୋକମାନେ ଯଦି ଆଗକୁ ବଢିବାକୁ ଚାହଁୁଛନ୍ତି, ସେମାନଙ୍କୁ ସ୍ମରଣ ରଖିବାକୁ ପଡ଼ିବ ଯେ, ଏ ଦେଶରେ ସଂଖ୍ୟା ଗରିଷ୍ଠ ଓ ସଂଖ୍ୟା ଲଘୁ ଲୋକ ଅଛନ୍ତି। ସେମାନେ ସଂଖ୍ୟାଲଘୁମାନଙ୍କୁ ନ୍ୟୁନ କରି କହି ପାରିବେ ନାହିଁ ଯେ ତୁମମାନଙ୍କୁ ସ୍ୱୀକାର କରିବା ଅର୍ଥ ଗଣତନ୍ତ୍ର ପ୍ରତି କ୍ଷତିକାରକ। ଦେଶକୁ ସମୃଦ୍ଧି ପ୍ରଗତି ପଥରେ ଆଗେଇ ନେବା ପାଇଁ ସମସାମୟିକ ଜାତୀୟ ପରିସ୍ଥିତିରେ ସାମାଜିକ ସ୍ତରରେ ପରିବର୍ତ୍ତନ ପାଇଁ ଆବଶ୍ୟକତା ରହିଛି। ହେଲେ କିଏ କିପରି ଏହି ପରିବର୍ତ୍ତନକୁ ଆରମ୍ଭ ଓ ସଞ୍ଚାଳନ କରିବ ?

ବାବା ସାହେବ ତାଙ୍କ ଜୀବନକାଳ ମଧ୍ୟରେ ତାଙ୍କ ଆଦର୍ଶ ଓ ଅନୁଭବକୁ ନେଇ କେବେ କାହା ସହିତ ସାଲିସ କରିନାହାନ୍ତି। ସେହି ଅନମନୀୟତା ଓ ସାଲିସ ବିହୀନ ଦୃଷ୍ଟିଭଙ୍ଗୀ ସ୍ୱାଧୀନୋତ୍ତର ଭାରତ ବର୍ଷରେ ସମସ୍ତ ନେତୃତ୍ୱ ତୁଳନାରେ ବାବା ସାହେବଙ୍କର ବିଶେଷତ୍ବ।

ବିଧାୟକ, ଆଠଗଡ଼

© 2015. Samanya Kathan All Rights Reserved | Editor : Debendra Prusty     

To Top