ନକହୁ କେହି ଭୀରୁ ଓଡ଼ିଆ!

(ହ୍ବାଟ୍ସଆପରୁ ପ୍ରାପ୍ତ ଏହି କବିତାଟି ଆଜି ଦିନ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ। ଏହାର ବାର୍ତ୍ତା ଯଦିଓ କାଳଜୟୀ। କବିଙ୍କ ନାମ ଜଣାନାହିଁ।)

 

ସହିବାନି ଆଉ ଅନ୍ୟାୟ ଅନୀତି ଅତ୍ୟାଚାରର ଦାଉ।

ପଣ କର ଆଜି ଉଠେଇବା ସ୍ବର ଜୀବନ ଗଲେ ଯାଉ।

ଜାଗ ଉତ୍କଳର ଯୁବକ ଦଳ ରଣ ହୁଙ୍କାରେ ମାତି।

ନ କହୁ କେହି ଧରଣୀ ବକ୍ଷେ ଭୀରୁ ଓଡ଼ିଆ ଜାତି!

 

କେତେଦିନ ଆଉ ଗର୍ବ କରିବା ଭଗ୍ନ କୋଣାର୍କ ପାଇଁ?

ଓଡ଼ିଆ ପୁଅଠୁ ବଡ଼ କାରିଗର ଦୁନିଆରେ ଆଉ କାହିଁ?

ନିହାଣମୁନରେ ନୂଆ ସ୍ଥାପତ୍ୟର ତିଆରିରେ ଯାଅ ମାତି!

ନ କହୁ କେହି ଧରଣୀ ବକ୍ଷେ ଭୀରୁ ଓଡ଼ିଆ ଜାତି!

 

ସିକ୍ତ କର ହେ ଉତ୍କଳ ଭୁଇଁକୁ ସ୍ବେଦ ଓ ରକ୍ତ ଦେଇ।

କୃଷକ ଖେଳାଉ ସ୍ବର୍ଣ୍ଣ ଫସଲ ଭୋକରେ ନରହୁ କେହି।

ଭୋକରେ ଓଡ଼ିଆ ନିଦେ ଶୁଏ ବୋଲି ନ ଶୁଭୁ ଆଉ ଏ ଗୀତି।

ନ କହୁ କେହି ଧରଣୀ ବକ୍ଷେ ଭୀରୁ ଓଡ଼ିଆ ଜାତି!

 

ଅବଳା ନ ହେଉ ଦୁର୍ବଳା ଏଠାରେ ସ୍ବାଭିମାନେ ଚାଲୁ ବାଟ।

ଖବରକାଗଜ ମଣ୍ଡନ ନ କରୁ ନିର୍ଭୟା କରୁଣ ଫଟ।

ମାଆ ଭଉଣୀଙ୍କ ସୁରକ୍ଷା ପାଇଁକି ପତେଇଦିଅ ହେ ଛାତି।

ନ କହୁ କେହି ଧରଣୀ ବକ୍ଷେ ଭୀରୁ ଓଡ଼ିଆ ଜାତି!

 

ନୋଇଁବାନି ମୁଣ୍ଡ ପାତିବାନି ହାତ ପଡୋଶୀମାନଙ୍କ ପାଶେ।

ମର୍ଯ୍ୟାଦା ଆମର କ୍ଷୁର୍ଣ୍ଣ ହେବନି ତାଚ୍ଛଲ୍ୟ ଉପହାସେ।

ପାହିଯାଉ ଆମ ପରିଶ୍ରମ ବଳେ ଦାରିଦ୍ର୍ୟର କାଳରାତି।

ନ କହୁ କେହି ଧରଣୀ ବକ୍ଷେ ଭୀରୁ ଓଡ଼ିଆ ଜାତି!

 

ସ୍ବର୍ଗଠାରୁ ବଡ଼ ଉତ୍କଳ ଭୂଇଁରେ ନ ପଡୁ କାହାର ଆଖି।

ମାଟି ମା’ ପାଇଲେ କଷଣ ଯାତନା ସହିଯିବା କିବା ଦେଖି।

ଧମନୀରେ ଆମ ବୀର ରକତ ଟକଟକ ଉଠୁ ତାତି।

ନ କହୁ କେହି ଧରଣୀ ବକ୍ଷେ ଭୀରୁ ଓଡ଼ିଆ ଜାତି!

 

ନ ରହୁ କଷଣ ନ ହେଉ ଶୋଷଣ ଭ୍ରଷ୍ଟାଚାର ଦୂର ହେଉ।

ସବୁରି ହୃଦୟେ ସେନେହ ମମତା ମହାନଦୀ ପରି ବହୁ।

ଶାନ୍ତି ସନ୍ତୋଷର ଉଷାଲୋକେ ପାହୁ ଅଶାନ୍ତିର ଅମାରାତି।

ନ କହୁ କେହି ଧରଣୀ ବକ୍ଷେ ଭୀରୁ ଓଡ଼ିଆ ଜାତି!

 

ଏକତାର ସୂତ୍ରେ ବାନ୍ଧି ହେଇଯିବା ଆମେ ତ ଭଉଣୀ ଭାଇ।

ପାଦେ ପାଦ ରଖି ଆଗକୁ ବଢ଼ିବା ସଂହତିର ମନ୍ତ୍ର ଗାଇ।

ପ୍ରତି ହୃଦୟରେ ଅଙ୍କୁରିତ ହେଉ ଅଖଣ୍ଡ ଦେଶପ୍ରୀତି।

ନ କହୁ କେହି ଧରଣୀ ବକ୍ଷେ ଭୀରୁ ଓଡ଼ିଆ ଜାତି!

 

ନ ହୋଇ କେବଳ କବି କଳ୍ପନା ଏ ବାସ୍ତବ ରୂପ ନେଉ।

ଅକ୍ଷୟ ହୋଇ ପୁଣ୍ୟ ଜଗତେ ପାପ ଅପସରି ଯାଉ।

ସୁଖ ସମୃଦ୍ଧିରେ ଭରି ଉଠୁ ଆମ ଏଇ ଦେଶ ଏଇ ମାଟି।

ନ କହୁ କେହି ଧରଣୀ ବକ୍ଷେ ଭୀରୁ ଓଡ଼ିଆ ଜାତି।


© 2015. Samanya Kathan All Rights Reserved | Editor : Debendra Prusty     

To Top