ରତ୍ନ ସିଂହାସନୁ ପାତାଳୀ ବିଜେ

ଚାରୁ ଚନ୍ଦନ ଦାଶ

  

ସମଗ୍ର ପୃଥିବୀରେ ନୀଳାଚଳ ଧାମ ସଦୃଶ ପୁଣ୍ୟକ୍ଷେତ୍ର ଆଉ ନାହିଁ। ସାଧାରଣରେ କ୍ଷେତ୍ର ମାହାତ୍ମ୍ୟମାନଙ୍କରେ ଭକ୍ତମାନେ ସ୍ୱ -ସ୍ୱ ଆରାଧ୍ୟ ଦେବତା ଓ ତାଙ୍କର ପୀଠ ବା କ୍ଷେତ୍ରକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଉଚ୍ଚ ସ୍ଥାନ ଦେଇଛନ୍ତି। ବହୁ ପ୍ରାଚୀନ କାଳରୁ ମୁନିଋଷିମାନେ ଜଗନ୍ନାଥ ଧାମ ଓ ଏକ୍ଷେତ୍ରର ଅଧିଷ୍ଠାତା ଦେବତା ଜଗନ୍ନାଥଙ୍କୁ ବହୁ ଉଚ୍ଚସ୍ଥାନ ଦେଇଛନ୍ତି। ସ୍କନ୍ଦ ପୁରାଣରେ ଉତ୍କଳଖଣ୍ଡରେ କୁହାଯାଇଛି- ‘ପୃଥିବ୍ୟାଂ ଗୋପିତଂସ୍ଥାନଂ ତବଚାପି ସୁଦୁର୍ଲଭମ‍୍‌।’ ଏ କ୍ଷେତ୍ରର ମାହାତ୍ମ୍ୟ ସହଜରେ ଜଣାଯାଏ ନାହିଁ। ଏ କ୍ଷେତ୍ରକୁ ପରମ ଗୁହ୍ୟକ୍ଷେତ୍ର ବୋଲି ମଧ୍ୟ କୁହାଯାଏ। ଏ କ୍ଷେତ୍ରର ପୀଠ ଦେବତା ସ୍ୱୟଂ ଜଗନ୍ନାଥ ଏବଂ ସିଏ ହିଁ ହେଉଛନ୍ତି ଏ ପୃଥିବୀର ହର୍ତ୍ତାକର୍ତ୍ତା।

 

ପ୍ରାଚୀନକାଳରେ ଓଡିଶାର ବହୁଲୋକ ଜଗନ୍ନାଥଙ୍କୁ ବୁଦ୍ଧ ବୋଲି କଳ୍ପନା କରୁଥିଲେ। ପ୍ରଣିପତ୍ୟ ଜଗନ୍ନାଥ ବନ୍ଦନାରେ ଖ୍ରୀଷ୍ଟୀୟ ଷଷ୍ଠ- ସପ୍ତମ ଶତାଦ୍ଦୀରେ ଆମ ଓଡିଶାର କେତେ ଜଣ ବୌଦ୍ଧ ଭିକ୍ଷୁ ଜଗନ୍ନାଥଙ୍କୁ ସର୍ବ ବୁଦ୍ଧମୟଂ ସିଦ୍ଧିବ୍ୟାପିନଂ ଗଗନୋପମମ‍୍‌ ରୂପେ ସ୍ତୁତି କରିଛନ୍ତି। ଇନ୍ଦ୍ରଭୂତି ନାମକ ଜଣେ ବୌଦ୍ଧ ସାଧକ ଓଡିଶାର ରାଜା ଥିଲେ। ରାଜା ଇନ୍ଦ୍ରଭୂତି ଓଡିଶାରୁ ଯାଇ ନେପାଳ, ତିବ‍୍‌ବତ ପ୍ରଭୃତି ରାଜ୍ୟରେ ପ୍ରଚାର କରୁଥିଲେ। ସେ ତାଙ୍କ ପ୍ରାର୍ଥନାରେ କହିଥିଲେ, ପ୍ରଣିପତ୍ୟ ଜଗନ୍ନାଥଂ ସର୍ବଜିନର୍ବରାର୍ଚ୍ଚିତଂ, ସର୍ବ ବୁଦ୍ଧମୟଂ ସିଦ୍ଧଂ ବ୍ୟାପିନଂ ଗଗନୋପମମ‍୍।

 

ଜଗନ୍ନାଥ ସଂସ୍କୃତିକୁ ଅବଲୋକନ କଲେ ଜଣା ପଡେ ଯେ କେତେ ମନୋରମ ସେଇ କଳାଠାକୁର। ମାତ୍ର ପ୍ରକୃତିକୁ ଯିଏ ଗଢିଛି ତା’ ଉପରେ ବି ଯେ କାହାର କ୍ରୁର ଦୃଷ୍ଟି ପଡିପାରେ ଏ କଥା ବଡ ବିସ୍ମିତ।

 

ଜଗନ୍ନାଥ ମନ୍ଦିରକୁ ଧ୍ୱଂସ କରିବା ପାଇଁ ଯବନମାନେ ପୁରୀକୁ ଆକ୍ରମଣ କରିଥିଲେ। ଫଳରେ ପୁରୀ ଗଜପତି ମହାରାଜ ଶ୍ରୀ ଜୀଉଙ୍କୁ ପାତାଳି କରିବା ପାଇଁ ଜାଗା ଖୋଜିଲେ। ଜଗତର ସ୍ରଷ୍ଟା ଯିଏ ସ୍ୱୟଂ ତାଙ୍କୁ କୋଳରେ ଧାରଣ କରିବାର ସୁଯୋଗ ପାଇଥିଲା ସୁବର୍ଣ୍ଣପୁର ଜିଲ୍ଲା। ମାଦଳା ପାଞ୍ଜିରେ ଉଲ୍ଲେଖ ଅଛି ଯେ ଓଡିଆ ଜାତିର ପ୍ରାଣର ଦେବତା ଶହେ ଚଉରାଳିଶ ବର୍ଷ ପାତାଳୀ ହୋଇଥିଲେ ସୋନପୁରର ପାତାଳୀ ଶ୍ରୀକ୍ଷେତ୍ରଠାରେ। ସେପଟେ ଶ୍ରୀମନ୍ଦିର ଶୂନ୍ୟ ଥିବାର ଜାଣି ରକ୍ତବାହୁ ସୋନପୁର ଆକ୍ରମଣ କରିବାକୁ ବାହାରିବାରୁ ଅନନ୍ୟୋପାୟ ହୋଇ ସେବକମାନେ ରକ୍ତବାହୁର ଲୋଲୁପ ଦୃଷ୍ଟିରୁ ରକ୍ଷା କରିବାକୁ ଶ୍ରୀବିଗ୍ରହଙ୍କୁ ଗାତ ଖୋଳି ମାଟି ଘୋଡାଇ ପାତାଳୀ କରିଦେଲେ। ଶ୍ରୀ ଜୀଉଙ୍କୁ ଯେଉଁ ପାହାଡରେ ରଖାଗଲା ସେଇ ପାହାଡର ନାମ ଛଳିଆ ପାହାଡ। ସେହି ପାହାଡର ଯେଉଁ କୋଣରେ ଦାରୁ ଦେବତାଙ୍କୁ ପାତାଳୀ କରି ରଖାଯାଇଥିଲା ତାହା ଦାରୁ କୋଣ ନାମରେ ବିଦିତ। ଛଳିଆ ପାହାଡର ଉପରେ ଠିଆ ହେଲେ ତିନୋଟି ପାହାଡ ଦୃଶ୍ୟମାନ ହୁଏ।

 

ଦାରୁକୋଣ ପାହାଡ, ରାଣୀବସା ପାହାଡ ଏବଂ ଲୋକନାଥ ପାହାଡ। ଲୋକନାଥ ପାହାଡ ଉତ୍ତର ଦିଗକୁ ଅଳ୍ପ ଦୂରରେ ରହିଛି ହରିହରଣ ନଦୀ। ଏହା ମହାନଦୀର ଏକ ଶାଖା ନଦୀ ଏବଂ ଉକ୍ତ ନଦୀଟି ଛଳିଆ ପାହାଡର ପଶ୍ଚିମ-ଉତ୍ତର ପଟେ ପ୍ରବାହିତ ହେଉଛି। ହରିଙ୍କୁ ଲୁକ୍କାୟିତ ଭାବରେ ଏହି ନଦୀ ଦେଇ ଅଣାଯାଇଥିଲା ବୋଲି ଏହି ନଦୀର ନାମ ହରିହରଣ ନଦୀ। ଛଳିଆ ପାହାଡ ସହିତ ଆଉ ଦୁଇଟି ପାହାଡକୁ ନେଇ ତ୍ରିକୂଟ ପାହାଡର ସୃଷ୍ଟି। ଏହି ତ୍ରିକୂଟ ପାହାଡର ସୁଉଚ୍ଚ ପାହାଡ ହେଉଛି ଧ୍ୱଜାବନ୍ଧା ପାହାଡ। ଏହି ଧ୍ୱଜାବନ୍ଧା ପହାଡରେ ଅନେକ ଗୁମ୍ଫା ଅଛି ଯେଉଁଠାରେ ସାଧୁସନ୍ଥମାନେ ଅବସ୍ଥାନ କରୁଥିବାର ଦେଖାଯାଏ। ଧ୍ୱଜାବନ୍ଧା ପାହାଡରେ ଆଉ ଏକ ଗୁମ୍ଫା ରହିଛି ଯାହାର ନାମ ଧ୍ୱନୀ ଗୁମ୍ଫା। ଏହି ଗୁମ୍ଫାରୁ ଅନବରତ ମୃଦଙ୍ଗ, ଗିନି ଆଦି ବାଦ୍ୟ ସହିତ କୀର୍ତ୍ତନର ବ୍ରହ୍ମ ଧ୍ୱନି ଶୁଭୁଛି।

 

ତ୍ରିକୂଟ ପାହାଡର ଏକ ଅଂଶ ହେଉଛି ଚାନ୍ଦଲି ପାହାଡ। ଏଠାରେ ମାଧବ ଗୁମ୍ଫା ରହିଛି ଯେଉଁଠାରେ ଶ୍ରୀଜଗନ୍ନାଥଙ୍କ ଚିତ୍ରପଟ ଏକ ପଥର ଦେହରେ ରହିଅଛି। ଏହି ଚାନ୍ଦଲି ପାହାଡର ଠିକ ତଳେ ଏକ ଛୋଟ ଝରଣା ରହିଛି ଯାହା ଦେବ ଝରଣ ନାମରେ ପରିଚିତ।

 

ଦାରୁ ବ୍ରହ୍ମ ଯେଉଁ ସ୍ଥାନରେ ବିଦ୍ୟମାନ କରନ୍ତି ସେହି ସ୍ଥାନକୁ ଶ୍ରୀକ୍ଷେତ୍ର କୁହାଯାଏ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ସ୍ଥାନଟିକୁ ଗଲେ ସାଧାରଣ ମଣିଷଟିଏ ଭାବୁକ ହେଇଯିବ। କବିବର ରାଧାନାଥ ରାୟ କହିଛନ୍ତି, ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ।

 

ଏହି ପବିତ୍ର ପାତାଳୀ ଶ୍ରୀକ୍ଷେତକୁ ଯେତେଥର ଗଲେବି ମନ ଭରେ ନାହିଁ। ପ୍ରତିଟି ସକାଳେ ସୂର୍ଯ୍ୟଙ୍କର କିରଣ ସାଙ୍ଗକୁ ପକ୍ଷୀଙ୍କର ଗୁଞ୍ଜନ ତିନି ବିଗ୍ରହଙ୍କର ଅଳସ ଭାଙ୍ଗିଥାଏ। ସବୁଜ ବନାନୀ ସାଙ୍ଗରେ ଆଳାପ କରି ସମୟ ବିତାଇ ଥାଆନ୍ତି ତିନି ଭାଇ ଭଉଣୀ। ଏଠି ଏବେ ଆଉ କଳା ପାହାଡର ଭୟ ନାହିଁ। ତ୍ରିକୂଟ ପାହାଡ ଶ୍ରୀଜୀଉଙ୍କ ରକ୍ଷା କରିବା ପାଇଁ ଅହରହ ଛିଡା ହୋଇ ରହିଛି। ପ୍ରକୃତି ରାଣୀ ବି ତା’ର ପଣତ ଘୋଡାଇ ରଖିଛି ଏଇ ତିନି ଭାଇ ଭଉଣୀଙ୍କୁ।

 

ସୋନପୁରଠାରୁ କୋଟ ସମଲେଇର ଦୂରତ୍ୱ ୨୩ କି.ମି.। ବାଟରେ ପଡେ ଅନେକ ଗାଁ। ଲିମ୍ୱପାଲି, ଗୁରପଙ୍ଗା, ଯାଲୋଏ ଆଦି ଗ୍ରାମ ଦେଇ ଏହି ପବିତ୍ର ସ୍ଥାନକୁ ଯିବାକୁ ପଡିଥାଏ। ସେହିପରି ବୀରମହାରାଜପୁରଠାରୁ ଯାଲୋଏ ବାଟରେ ଗଲେ ୨୮ କି.ମି. ପଡେ। ଏହି ପବିତ୍ର ସ୍ଥାନକୁ ଗଲେ ବାଟରେ ଅନେକ ଅଙ୍କା ବଙ୍କା ରାସ୍ତା ଦେଇ ଯିବାକୁ ପଡେ। ରାସ୍ତା ଦୁଇ ପାର୍ଶ୍ୱରେ ଥିବା ବଡବଡ ବୃକ୍ଷ ମନକୁ ଆକର୍ଷିତ କରିଥାଏ।

  

ପୁରୁଷୋତ୍ତମ ଏହି ସ୍ଥାନରେ ପାତାଳୀ ହେଇଥିଲେ। ତେଣୁ ଏହି ସ୍ଥାନର ନାମ ପୁରୁଷୋତ୍ତମ କ୍ଷେତ୍ର କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ପ୍ରତି ବର୍ଷ ଏହି ପବିତ୍ର ଧାମରେ ପାତାଳୀ ମହୋତ୍ସବ ପାଳନ କରାଯାଉଛି।

 

ଶଙ୍କରାଚାର୍ଯ୍ୟଙ୍କର ସେଇ ପବିତ୍ର ବାଣୀକୁ ମନେ ପକାଇବି- ନବୈ ଯାଚେ ରାଜ୍ୟଂ ନ ଚ କନକ ମାଣିକ୍ୟ ବୈଭବଂ, ନ ଯାଚେ ଅହଂ ରମ୍ୟାଂ ସକଳ ଜନ କାମ୍ୟାଂ ବରବଧୂମ‍୍‌,  ସଦା କାଳେ କାଳେ ପ୍ରଥମ ପତିନା ଗୀତ ଚରିତୋ, ଜଗନ୍ନଥଃ ସ୍ୱାମୀ ନୟନ ପଥଗାମୀ ଭବତୁ ମେ।

 

ମୁଁ ରାଜ୍ୟ ଚାହେଁ ନାହିଁ, ସୁବର୍ଣ୍ଣ ମାଣିକ୍ୟର ବିଭବ ଚାହେଁ ନାହିଁ, ସମସ୍ତଙ୍କର କାମ୍ୟ ସୁନ୍ଦରି ନାରୀ ରତ୍ନ ଚାହେଁ ନାହିଁ, ମୁଁ କେବଳ ଚାହେଁ ସେହି ସକଳ ଶକ୍ତିର ଆଧାର, ସେହି ମହାବାହୁ, ସେଇ ଜଗତର ନାଥ ଜଗନ୍ନାଥ ମୋର ନେତ୍ର ଗୋଚର ହୁଅନ୍ତୁ। ଏହା ହିଁ ହେଉଛି ମୋର ପ୍ରାର୍ଥନା। କେବଳ ମୁଁ ନୁହେଁ, ଆମେ ସମସ୍ତେ ମିଶି ସେଇ ପବିତ୍ର ସ୍ଥାନ ଯେଉଁ ସ୍ଥାନରେ କି ସ୍ୱୟଂ ସ୍ରଷ୍ଟା ବିଦିତ ସେଇ ସ୍ଥାନଟିକୁ ସାରା ବିଶ୍ୱରେ ପରିଚିତ କରିବା।

 

ଲାତୁରପେଟ‍୍‌, ବୀରମହାରାଜପୁର

ଫୋନ‍୍‌ - ୯୬୫୮୨୬୩୨୮୫


© 2015. Samanya Kathan All Rights Reserved | Editor : Debendra Prusty     

To Top