ନୂଆବର୍ଷ- ସାତଟି ସ୍କେଚ

ପରଂବ୍ରହ୍ମ ତ୍ରିପାଠୀ

 

୧.

ବାପୁନର ବାପା ଓ ମା ଆମ ସ୍କୁଲର ଆଉ ବାପାଙ୍କ ପୁରାତନ ଛାତ୍ର। ଏକତିରିଶ ତାରିଖ ଦିନ ମୁଁ ତାଙ୍କ ଘରେ ଥିଲି। ଖରାବେଳଠୁଁ ବାପୁନର ଗୋଟିଏ ଜିଦି, ଅଙ୍କଲ ଚାଲନ୍ତୁ ନା ଆଜି ପୁରୀ ଆଳୁଦମ ବନେଇବା। ତମେମାନେ ପରା ପିଲାଦିନେ ନୂଆବର୍ଷରେ ପୁରୀ ଆଳୁଦମ ଭୋଜି କରୁଥିଲ। କିଛି ସମୟ ଭିନ୍ନ ଭିନ୍ନ ବାହାନାରେ ତା କଥା ଟାଳିଲି। ଶେଷରେ ବାପୁନ ଯେତେବେଳେ ଅଧିକ ଜିଦି କଲା ତାକୁ ମୋ ଫୋନଟା ଦେଇଦେଲି ଆଉ କହିଲି, ଦେଖ କ’ଣ ନୂଆ ଗେମ ଡାଉନଲୋଡ଼ କରିହେବ। କେତେ ସହଜରେ ଶୈଶବର ଚପଳାମୀକୁ ମାରିଦେଲି ଯେ? କାହାକୁ କିଛି ବି ଜଣା ପଡ଼ିଲାନି।

 

୨.

ଏକ ତାରିଖ ସକାଳୁ କମଳ ତଳୁ ବହୁ କଷ୍ଟରେ କହିଲି, ହଁ ବୋଉ। ବୋଉ କହିଲା କୁନୁ ସାଢେ ଦଶଟା ହେଲାଣି, ଉଠିଯା ଏବେ, ପଇତା ବଦଳେଇ ଦେବୁ ଆଉ ମନ୍ଦିର ଦର୍ଶନ କରିଦେବୁ। କ’ଣ କହିଥାନ୍ତି ତାକୁ ଯେ? ସେ ଜାଣିଛି ବହୁଦିନ ହେଲା ନା ମୁଁ ପଇତା ପିନ୍ଧେ ନା ମନ୍ଦିର ଯାଏ। ଅସୁବିଧା ତ ମୋର ସେଇଠି, ଯୋଉ ଦି ଜଣଙ୍କୁ ଭଗବାନ ବୋଲି ମାନେ ତାଙ୍କୁ ପୂଜା କରିପାରେନି, ଦୁନିଆ ଯାହାକୁ ଭଗବାନ ବୋଲି ଚିହ୍ନାଏ ତାଙ୍କ ପାଖକୁ ଯିବାକୁ ନା ମୋର ମୁଡ଼ ଥାଏ କି ସମୟ।

 

୩.

ବୋଉ ଠାରୁ ନନା (ବାପା) ଫୋନ ନେଲେ, କହିଲେ, ବାବୁରେ, ଦୁନିଆରେ ସମସ୍ତଙ୍କୁ ସବୁ ଜିନିଷ ନିଜ ଇଚ୍ଛା ଅନୁସାରେ ମିଳେନି। ଭାବିଥିଲି କହିଦେବି, ମତେ କ’ଣଟା ରାସ୍ତାରେ ଗଲାବେଳେ ମିଳିଛି ଯେ ଫ୍ରିରେ? କିଛିଟା ମୁଁ ହାସଲ କରିଛି ଆଉ ବହୁତ କିଛି ଲଦି ଦିଆଯାଇଛି ମୋ ଉପରେ। ହେଲେ ତାଙ୍କର କି ମୋର କାହାର ବି ବର୍ଷର ପ୍ରଥମ ଦିନଟା ଖରାପ କରିବା ଆବଶ୍ୟକତା ନଥିଲା କୌଣସି ଗୋଟେ ଅନାବଶ୍ୟକ ଯୁକ୍ତିରେ। ମୁଁ କ’ଣ ଆଉ ଛୋଟ ଅଛି? ଆଜ୍ଞା କହି ଫୋନ ରଖିଲି।

 

୪.

ଏକମାତ୍ର ଭଉଣୀର ନୂଆବର୍ଷ ଶୁଭେଚ୍ଛା ଆସିଥିଲା ଫେସବୁକ ଚାଟରେ, ତା ତଳେ ଲେଖାଥିଲା, ଭଉଣୀର ନାଁ ଆଉ ତା ବ୍ୟାଙ୍କ ଅଧିକାରୀ ଠିକଣା।

 

୫.

କୁନୁ କହିଲା, ଲଭ ୟୁ ପାପା, ହାପି ନିୟୁ ଇୟର, ମୁଁ ଏ ବର୍ଷ ଗୁଡ଼ ବୟ ହେବି। ଆଖି ଜକେଇ ଆସିଲା, ଭାବୁଥିଲି କହିବାକୁ ଯେ ତତେ ଭଲ ମଣିଷ(ସଫଳ ନୁହେଁ) କରିବାକୁ ଦରକାର ପଡିଲେ ମୁଁ ନିଜକୁ ବି ପରିବର୍ତ୍ତନ କରିଦେବି। କେଜାଣି କିଏ ରୋକି ଦେଲା, କହି ପାରିଲିନି।

 

୬.

ପ୍ରଭାତକୁ ଫୋନ କଲି, ପିଲା ଦିନର ସାଙ୍ଗ ସିଏ ଏମିତି ଗୋଟେ ସଂଗଠନ ସହ ଜଡିତ, ଯିଏ ଆମ ସଂସ୍କୃତି ପରମ୍ପରାର କଥା କହେ। କ’ଣ କରୁଛୁ ବୋଲି ପଚାରିବାରୁ କହିଲା, ଆରେ ନୂଆ ବର୍ଷ ଗିଫ୍ଟ ଗୁଡାକ ବାଣ୍ଟିବାର ଅଛି, ପରେ ଫୋନ କରୁଛି।

 

୭.

ରାଜୁକୁ ମୁଁ ଫୋନ କରିଥିଲି, ପିଲାଟା କର୍ପୋରେଟ କମ୍ୟୁନିକେସନରେ କାମ କରେ ଆଉ ମତେ ଭାରି ନିଜର ଲାଗେ। ରାଜୁ କହିଲା ଘରେ ଅଛି ଭାଇ, ରାତିରେ ଯଦି ଫ୍ରି ଥିବେ କିଛି ବ୍ୟକ୍ତିଗତ କଥା କହିବାର ଅଛି। ଅଲୋଡା ବଜାରରେ କେହି ତୁମକୁ ଲୋଡିବେ ସେ ମଜା କ’ଣ ନିଆରା ନୁହେଁ?

 

ଏଇଟା କେବଳ ମୋ କଥା ନୁହେଁ, ବୋଧ ହୁଏ ମୋ ଭଳି ଅନେକଙ୍କ କଥା, ଅନେକଙ୍କ ବ୍ୟଥା। କେତେଦିନ ଆଉ ନିଜ ଚିହ୍ନା ଲୋକଙ୍କ ପାଖରେ ଏତେ ଅଚିହ୍ନା ଥିବା ଯେ? କ’ଣ ପାଉଛେ ଆମେ ଏମିତି ଅଚିହ୍ନାପଣରୁ?  ଏଥରକ ଶପଥ ନେଇପାରିବା କି ଯେ ଆମେ ନିଜ ଚିହ୍ନ ମୁହଁଙ୍କ ପାଖରେ ସତରେ ଚିହ୍ନ ହେବା ? ଫେସବୁକ କି ସୋସିଆଲ ମିଡିଆରେ ନୁହଁ ବର୍ଷ ବର୍ଷର ମୁଖା ଖସେଇବା ସହଜ ନୁହେଁ, ହେଲେ ଚେଷ୍ଟା ତ କରାଯାଇ ପାରିବ ନା? ଆମେ ଏମିତି ନଥିଲେ, ଚେଷ୍ଟାକଲେ ପାରିବା।

 

ନାଉଗାଁ ହାଟ, ଜଗତସିଂହପୁର

୦୯୭୧୭୩୦୨୨୫


© 2015. Samanya Kathan All Rights Reserved | Editor : Debendra Prusty     

To Top